1. ଭାରତ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓ ଡେନମାର୍କ ପ୍ରଧାନମନ୍ତ୍ରୀ ମେଟେ ଫ୍ରେଡେରିକସନଙ୍କ ମଧ୍ୟରେ ସେପ୍ଟେମ୍ବର 28, 2020ରେ ଦ୍ୱିପାକ୍ଷିକ ଭର୍ଚୁଆଲ ଶିଖର ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଭାରତ ଏହି ସମ୍ମିଳନୀ ଆୟୋଜନ କରିଥିଲା ।
2. ଭାରତ ଓ ଡେନମାର୍କ ମଧ୍ୟରେ ନିୟମିତ ଉଚ୍ଚସ୍ତରୀୟ ବୈଠକ ମାଧ୍ୟମରେ ଦ୍ୱିପାକ୍ଷିକ ସମ୍ପର୍କ ଦୃଢ ହୋଇଛି । ଦୁଇ ଦେଶ ମଧ୍ୟରେ ଐତିହାସିକ ସମ୍ପର୍କ ଓ ସମାନ ଗଣତାନ୍ତ୍ରିକ ପରମ୍ପରା ରହିଛି । ଆଂଚଳିକ ଓ ଆନ୍ତର୍ଜାତିକ ସ୍ତରରେ ଶାନ୍ତି ତଥା ସ୍ଥିତାବସ୍ଥା ବଜାୟ ରଖିବା କ୍ଷେତ୍ରରେ ଉଭୟ ଦେଶର ଦୃଷ୍ଟିଭଙ୍ଗୀ ସମାନ ରହିଛି ।
3. ଭାରତ ଓ ଡେନମାର୍କ ମଧ୍ୟରେ ଦ୍ରବ୍ୟ ଓ ସେବା କ୍ଷେତ୍ରରେ ଦ୍ୱିପାକ୍ଷିକ ବାଣିଜ୍ୟର ପରିମାଣ 30.49 ପ୍ରତିଶତ ବୃଦ୍ଧି ପାଇଛି । 2016ରେ ଏହି ପରିମାଣ 282 କୋଟି ଆମେରିକୀୟ ଡଲାର ଥିବା ବେଳେ 2019ରେ ତାହା ବୃଦ୍ଧି ପାଇ 368 କୋଟି ଆମେରିକୀୟ ଡଲାର ହୋଇଛି । ଜାହାଜ ଚଳାଚଳ, ଅକ୍ଷୟ ଶକ୍ତି, ପରିବେଶ, କୃଷି, ଖାଦ୍ୟ ପ୍ରକ୍ରିୟାକରଣ, ସ୍ମାର୍ଟ ଅର୍ବାନ ଡେଭେଲପମେଂଟ ସହ ବିଭିନ୍ନ କ୍ଷେତ୍ରରେ ଡେନମାର୍କର ପ୍ରାୟ 200ଟି ସଂସ୍ଥା ଭାରତରେ ନିବେଶ କରିଛନ୍ତି । ମେକ ଇନ ଇଣ୍ଡିଆ ଯୋଜନାରେ ଏହି ଡେନମାର୍କ କମ୍ପାନୀଗୁଡିକ ଭାରତରେ ଉତ୍ପାଦନ ୟୁନିଟ ସ୍ଥାପନ କରିଛନ୍ତି । ଡେନମାର୍କରେ ପ୍ରାୟ 25ଟି ଭାରତୀୟ କମ୍ପାନୀ ସୂଚନା ପ୍ରଯୁକ୍ତି, ଅକ୍ଷୟ ଶକ୍ତି ଓ ଇଞ୍ଜିନିୟରିଂ କ୍ଷେତ୍ରରେ କାମ କରୁଛନ୍ତି ।
4. ବୌଦ୍ଧିକ ସମ୍ପତ୍ତି ସହଯୋଗ କ୍ଷେତ୍ରର ଭାରତ ଓ ଡେନମାର୍କ ମଧ୍ୟରେ ରାଜିନାମା ଏହି ସମ୍ମିଳନୀ ଅବସରରେ ସ୍ୱାକ୍ଷର ହୋଇଛି । ଅନ୍ତର୍ଜାତୀୟ ସୌର ସଂଗଠନ (ଆଇଏସଏ)ରେ ଡେନମାର୍କର ଅଂଶଗ୍ରହଣ ଏହି ଆଲୋଚନାର ଆଉ ଏକ ଉଲ୍ଲେଖଯୋଗ୍ୟ ବିଷୟ ଥିଲା ।
5. ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ନେଇ ଉଭୟ ନେତା ଏହି ଭର୍ଚୁଆଲ ଦ୍ୱିପାକ୍ଷିକ ଶିଖର ସମ୍ମିଳନୀ ଅବସରରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ପାରସ୍ପରିକ ସ୍ୱାର୍ଥ ନିହିତ ଥିବା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଭାଗିଦାରୀ ଆହୁରି ମଜବୁତ ଓ ଦୃଢ କରିବା ପାଇଁ ସମ୍ମିଳନୀରେ ବିସ୍ତୃତ ରାଜନୈତିକ ଦିଶାନିର୍ଦ୍ଦେଶ ମିଳିପାରିଛି ।