ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଯୁଦ୍ଧ ପ୍ରଭାବିତ ୟୁକ୍ରେନରୁ ଫେରିଥିବା ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିଛନ୍ତି। ଛାତ୍ରଛାତ୍ରୀମାନେ ପ୍ରଧାନମନ୍ତ୍ରୀଙ୍କ ସହ ଉଦ୍ଧାର କାର୍ଯ୍ୟର ଅନୁଭୂତି ବାଣ୍ଟିଥିଲେ।
ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିର୍ବାଚନ ମଣ୍ଡଳୀ ବାରଣାସୀରେ ଏହି ଆଲୋଚନା ହୋଇଥିଲା। ୟୁକ୍ରେନରୁ ଆମ ନାଗରିକମାନଙ୍କୁ ଫେରାଇ ଆଣିବା ପାଇଁ ଚାଲିଥିବା ଅପରେସନ ଗଙ୍ଗା ପାଇଁ ଛାତ୍ରଛାତ୍ରୀମାନେ ଭାରତ ସରକାର, ଭାରତୀୟ ଦୂତାବାସ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସା କରିଥିଲେ । ଭାରତର ତ୍ରିରଙ୍ଗାର ଶକ୍ତିକୁ ନେଇ ଛାତ୍ରଛାତ୍ରୀମାନେ ମଧ୍ୟ ଖୁସି ବ୍ୟକ୍ତ କରିଛନ୍ତି।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଫସି ରହିଥିବା ଭାରତୀୟମାନଙ୍କୁ ଫେରାଇ ଆଣିବା ପାଇଁ ସରକାର ଯଥାସମ୍ଭବ ଚେଷ୍ଟା କରୁଛନ୍ତି ଏବଂ ଅବଶିଷ୍ଟ ଛାତ୍ରଛାତ୍ରୀଙ୍କୁ ଯଥାଶୀଘ୍ର ଫେରାଇ ଆଣିବା ପାଇଁ ଭାରତ ସରକାର ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି ସେମାନଙ୍କୁ ଆଶ୍ୱାସନା ଦେଇଛନ୍ତି।