ସମ୍ମାନନୀୟ ଥେରେସା ମେ, ବ୍ରିଟେନର ପ୍ରଧାନମନ୍ତ୍ରୀ
ମୋର ସହଯୋଗୀ ଡକ୍ଟର ହର୍ଷବର୍ଦ୍ଧନ, ବିଜ୍ଞାନ, ପ୍ରଯୁକ୍ତି ବିଦ୍ୟା ଏବଂ ଭୂବିଜ୍ଞାନ ମନ୍ତ୍ରୀ
ଡକ୍ଟର ନୌସାଦ୍ ଫୋର୍ବସ୍, ସିଆଇଆଇ ର ଅଧ୍ୟକ୍ଷ
ବିଦ୍ୱାନ ଜଗତର ଖ୍ୟାତିସମ୍ପନ୍ନ ସଦସ୍ୟମାନେ
ବିଶିଷ୍ଟ ବୈଜ୍ଞାନିକ ଏବଂ ପ୍ରଯୁକ୍ତି ଶାସ୍ତ୍ରଜ୍ଞ ମଣ୍ଡଳୀ
ବ୍ରିଟେନ ଏବଂ ଭାରତର ଉଦ୍ୟାଗପତିବୃନ୍ଦ
ଭଦ୍ର ମହିଳା ଏବଂ ଭଦ୍ରବ୍ୟକ୍ତିମାନେ
,
1. ଭାରତ-ବ୍ରିଟେନ ପ୍ରଯୁକ୍ତି ଶିଖର ସମ୍ମିଳନୀକୁ ସମ୍ବୋଧିତ କରି ମୁଁ ଅତ୍ୟନ୍ତ ଖୁସି ।
2. ଗତ ବର୍ଷ ନଭେମ୍ବରରେ ମୁଁ ବ୍ରିଟେନ ଗସ୍ତରେ ଯାଇଥିବା ବେଳେ ଦୁଇ ଦେଶର ବନ୍ଧୁତ୍ୱକୁ ଦୃଢ଼ୀଭୁତ କରିବା ପାଇଁ ଏହି ଶିଖର ସମ୍ମିଳନୀର କଳ୍ପନା କରାଯାଇଥିଲା । ଏହା ମଧ୍ୟ ୨୦୧୬କୁ ଭାରତ-ବ୍ରିଟେନ ପାଇଁ ଶିକ୍ଷା, ଗବେଷଣା ଏବଂ ନୂତନତ୍ୱର ବର୍ଷ ଭାବେ ସୂଚାଉଛି ।
3. ଏହା ଗୌରବର କଥା ଯେ, ସମ୍ମାନାସ୍ପଦ ଥେରେସା ମେ, ବ୍ରିଟେନର ପ୍ରଧାନମନ୍ତ୍ରୀ ଏହି ଅବସରରେ ଉପସ୍ଥିତ ଅଛନ୍ତି । ମାଡାମ୍ ପ୍ରଧାନମନ୍ତ୍ରୀ, ଆମେ ଜାଣିଛୁ, ଭାରତ ସବୁବେଳେ ଆପଣଙ୍କ ହୃଦୟର ନିକଟତର ଏବଂ ଆପଣ ଭାରତର ବିଶିଷ୍ଟ ବନ୍ଧୁ । ନିକଟରେ ଆପଣ ଆପଣଙ୍କ ଘରେ ଭାରତୀୟ ସମ୍ପ୍ରଦାୟଙ୍କ ସହ ଦୀପାବଳି ପାଳନ କରିଥିଲେ!
4. ଆଜି ଆପଣଙ୍କ ଉପସ୍ଥିତି ଦ୍ୱିପାକ୍ଷିକ ସମ୍ପର୍କର ପ୍ରତିବଦ୍ଧତାକୁ ପୁଣି ଦୋହରାଉଛି । ଏହା ଆମ ପାଇଁ ସମ୍ମାନର ବିଷୟ ଯେ ଆପଣଙ୍କ ପଡ଼ୋଶୀ ରାଷ୍ଟ୍ର ପରେ ଦ୍ୱିପାକ୍ଷିକ ଗସ୍ତ ସକାଶେ ଆପଣ ଭାରତକୁ ପସନ୍ଦ କଲେ । ଆମେ ଆପଣଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଜଣାଉଛୁ ।
5. ଆଜି ବିଶ୍ୱ ଏକ ପରିବର୍ତ୍ତନ ସ୍ଥିତିରେ ଅଛି, ଯେଉଁଠିକି ପ୍ରଯୁକ୍ତି ବିଦ୍ୟା ରୂପାନ୍ତରିତ ହେବାରେ ଲାଗିଛି । ଏହା ଗୁରୁତ୍ୱପୂର୍ଣ୍ଣ ଯେ, ଭାରତ ଓ ବ୍ରିଟେନ ସମ୍ପର୍କ ଇତିହାସରୁ ରହି ଆସିଛି ଏବଂ ଉଭୟ ଏକତ୍ର ଏକବିଂଶ ଶତାବ୍ଦୀରେ ଜ୍ଞାନଭିତ୍ତିକ ଅର୍ଥବ୍ୟବସ୍ଥାର ସଂଜ୍ଞା ନିରୂପଣ କରୁଛନ୍ତି ।
6. ସାମ୍ପ୍ରତିକ ବିଶ୍ୱ ପରିବେଶରେ ଆମ ଦୁଇ ରାଷ୍ଟ୍ର ଅନେକ ଅର୍ଥନୈତିକ ଆହ୍ୱାନର ସମ୍ମୁଖୀନ ହେଉଛେ, ଯାହାକି ସିଧାସଳଖ ବାଣିଜ୍ୟ ଓ ବେପାରକୁ ପ୍ରଭାବିତ କରୁଛି । କିନ୍ତୁ ମୁଁ ସ୍ଥିର ନିଶ୍ଚିତ ଯେ, ଆମେ ମିଳିତ ଭାବେ ଆମର ବୈଜ୍ଞାନିକ ଶକ୍ତି ଏବଂ ପ୍ରଯୁକ୍ତିଗତ ନିପୁଣତାକୁ ଆଧାର କରି ନୂତନ ସୁଯୋଗ ସୃଷ୍ଟି କରିପାରିବା ।
7. ଖୋଲା ନିବେଶ ଅନକୂଳ ପରିବେଶ ସହ ଭାରତ ଏବେ ବିକାଶ ଦିଗରେ ଆଗେଇ ଚାଲିଥିବା ଏକ ବୃହତ୍ ଅର୍ଥ ବ୍ୟବସ୍ଥା । ଆମର ନବୀନ ଉଦ୍ୟୋଗୀଗଣ, ଦକ୍ଷ ଶ୍ରମଶକ୍ତି ଏବଂ ଗବେଷଣା ଓ ବିକାଶ ଦକ୍ଷତା ସହ ବୃହତ୍ ବଜାର ଜନସଂଖ୍ୟାଗତ ଫାଇଦା ଏବଂ ବୃଦ୍ଧି ପାଉଥିବା ଅର୍ଥନୀତିକ ପ୍ରତିଦ୍ୱନ୍ଦ୍ୱିତା ବିଶ୍ୱ ଅର୍ଥ ବ୍ୟବସ୍ଥାର ବିକାଶ ପାଇଁ ଏକ ଉତ୍ସ ଭଳି ସୁଯୋଗ ଆଣିଛି ।
8. ସେହିପରି ବ୍ରିଟେନ ମଧ୍ୟ ନିକଟ ଅତୀତରେ ନମନୀୟ ଅଭିବୃଦ୍ଧି ହାସଲ କରିପାରିଛି । ଏହା ଶିକ୍ଷାଗତ ଅନୁସନ୍ଧାନ ଏବଂ ପ୍ରଯୁକ୍ତିଗତ ନୂତନତ୍ୱ ହାସଲରେ ଅଗ୍ରଣୀ ହୋଇପାରିଛି ।
9. ଦ୍ୱିପାକ୍ଷିକ ବାଣିଜ୍ୟର ପରିମାଣ ଗତ ପାଂଚ ବର୍ଷ ଧରି ସମାନ ସ୍ତରରେ ଥିଲେ ମଧ୍ୟ ଉଭୟ ଦିଗରେ ଆମ ନିବେଶ ଦୃଢ଼ ରହିଛି । ବ୍ରିଟେନରେ ଭାରତ ତୃତୀୟ ବୃହତମ ନିବେଶକ ଏବଂ ଭାରତରେ ବୃହତମ ଜି-୨୦ ନିବେଶକ । ଉଭୟ ପରସ୍ପରର ଅର୍ଥ ବ୍ୟବସ୍ଥାରେ ଅନେକ ନିଯୁକ୍ତି ସୃଷ୍ଟି କରିବାରେ ସକ୍ଷମ ହୋଇପାରିଛନ୍ତି ।
10. ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାରେ ବର୍ତ୍ତମାନ ଭାରତ ଓ ବ୍ରିଟେନର ସହଯୋଗ ଉଚ୍ଚ ଗୁଣବତ୍ତା ଏବଂ ଉଚ୍ଚ ପ୍ରଭାବୀ ଗବେଷଣାଗତ ଅଂଶୀଦାର । ମୁଁ ଅତ୍ୟନ୍ତ ଖୁସିର ସହ ଏହା ଉଲ୍ଲେଖ କରୁଛି ଯେ, ଦୁଇ ବର୍ଷରୁ କମ୍ ସମୟ ମଧ୍ୟରେ ନିଉଟନ୍-ଭାବା କାର୍ଯ୍ୟକ୍ରମରେ ସାମାଜିକ ଆହ୍ୱାନର ମୁକାବିଲା ପାଇଁ ମୌଳିକ ବିଜ୍ଞାନରୁ ସମାଧାନ ବିଜ୍ଞାନ ପର୍ଯ୍ୟନ୍ତ ସହଯୋଗକୁ ଦୁଇ ରାଷ୍ଟ୍ର ବିସ୍ତୃତ କରିଛନ୍ତି ।
11. ସଂକ୍ରାମକ ରୋଗର ଟିକା ଉଦ୍ଭାବନ, ନୂତନ ଦ୍ରବ୍ୟ ଉଦ୍ଭାବନ, ସ୍ୱଚ୍ଛ ଶକ୍ତି ଏବଂ ପାଣିପାଗ ପରିବର୍ତ୍ତନ ସମସ୍ୟାର ସମାଧାନ, କୃଷି ଏବଂ ଖାଦ୍ୟ ନିରାପତ୍ତା ସହ ଶସ୍ୟ ଉତ୍ପାଦନରେ ବୃଦ୍ଧି ଦିଗରେ ଆମର ବୈଜ୍ଞାନିକ ମାନେ ମିଳିତ ଭାବେ କାମ କରୁଛନ୍ତି ।
12. ୧୦ ନିୟୁତ ପାଉଣ୍ଡ ମିଳିତ ନିବେଶରେ ସୌର ଶକ୍ତି ଉପରେ ଭାରତ-ବ୍ରିଟେନ ସ୍ୱଚ୍ଛ ଶକ୍ତି ଗବେଷଣା ଏବଂ ବିକାଶ କେନ୍ଦ୍ର ପ୍ରତିଷ୍ଠା ସକାଶେ ଆମେ ସହମତ ହୋଇଛୁ । ୧୫ ନିୟୁତ ପାଉଣ୍ଡର ମିଳିତ ନିବେଶରେ ଏଣ୍ଟି-ମାଇକ୍ରୋବିଏଲ ପ୍ରତିରୋଧକ ଗବେଷଣା ଅଭିଯାନ ଦିଗରେ ପଦକ୍ଷେପ ପାଇଁ ନିଷ୍ପତ୍ତି ହୋଇଛି ।
13. ଭାରତରେ ଥିବା ପାରମ୍ପରିକ ଜ୍ଞାନ ସହ ଆଧୁନିକ ବୈଜ୍ଞାନିକ ଅନୁସନ୍ଧାନକୁ ଜଡ଼ିତ କରି ଭାରତ ଏବଂ ବ୍ରିଟେନ ମିଳିତ ଭାବେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଲାଭ ପାଇପାରିବେ । ଏହା ଦ୍ୱାରା ଆଧୁନିକ ଜୀବନଚର୍ଯ୍ୟାରେ ଦେଖା ଦେଇଥିବା କେତେକ ରୋଗର ଉପଶମ ମଧ୍ୟ ହୋଇପାରିବ ।
14. ଔଦ୍ୟୋଗିକ ଗବେଷଣାରେ ଭାରତ ଓ ବ୍ରିଟେନର ସହଯୋଗ ଆମର ଏକ ଉତ୍ସାହଜନକ କାର୍ଯ୍ୟକ୍ରମ । ସ୍ୱାସ୍ଥ୍ୟସେବା, ସ୍ୱଚ୍ଛ ପ୍ରଯୁକ୍ତି ବିଦ୍ୟା, ନିର୍ମାଣ କ୍ଷେତ୍ର ଏବଂ ଆଇସିଟିରେ ଗବେଷଣା ସକାଶେ ସିଆଇଆଇର ଗ୍ଲୋବାଲ୍ ଇନୋଭେସନ ଏଣ୍ଡ ଟେକ୍ନୋଲୋଜି ଏଲାଏନ୍ସ ତଥା ଜିଆଇଟିଏ ଏବଂ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଏବଂ ଇନୋଭେଟ୍-ୟୁକେ ସହଯୋଗ କରୁଛନ୍ତି ।
15. ବୈଜ୍ଞାନିକ ଜ୍ଞାନକୁ ପ୍ରଯୁକ୍ତି ବିଦ୍ୟା ଭିତ୍ତିକ ଉଦ୍ୟୋଗରେ ରୂପାନ୍ତରିତ କରିବା ପାଇଁ ଭାରତ ଓ ବ୍ରିଟେନର ବ୍ୟବସାୟରେ ଏହି କ୍ଷେତ୍ର ନୂତନ ସୁଯୋଗ ସୃଷ୍ଟି କରିଛି । ଏଠାରେ ଉପସ୍ଥିତ ଅଂଶୀଦାରମାନଙ୍କୁ ମୁଁ ଏହି ଉତ୍ସାହଜନକ ଦ୍ୱିପାକ୍ଷିକ କାର୍ଯ୍ୟକ୍ରମରେ ଅବଦାନ ସହ ନୂତନତ୍ୱ ଓ ପ୍ରଯୁକ୍ତି ଔଦ୍ୟୋଗିକତା ପ୍ରତି ଲକ୍ଷ ରଖିବାକୁ ଆହ୍ୱାନ କରୁଛି ।
16. ବିଜ୍ଞାନ, ପ୍ରଯୁକ୍ତି ବିଦ୍ୟା ଏବଂ ନବସୃଜନ ଅଭିବୃଦ୍ଧି ଶକ୍ତି ଆମ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ମୁଁ ବିଶ୍ୱାସ କରେ । ଏହି ଶିଖର ସମ୍ମିଳନୀ ପାରସ୍ପରିକ ଲାଭ ପାଇଁ ପ୍ରଯୁକ୍ତି ନିପୁଣତା ଏବଂ ବୈଜ୍ଞାନିକ ଜ୍ଞାନ କ୍ଷେତ୍ରରେ ଆମର ଗୁରୁତ୍ୱପୂର୍ଣ୍ଣ ସହଯୋଗିତାକୁ ମଜବୁତ କରିବାର ଲକ୍ଷ୍ୟ ରଖିଛି ।
17. ମୁଁ ସବୁବେଳେ କହି ଆସିଛି ବିଜ୍ଞାନ ବିଶ୍ୱସ୍ତରୀୟ, କିନ୍ତୁ ପ୍ରଯୁକ୍ତି ବିଦ୍ୟା ଆଂଚଳିକ ହେବା ଉଚିତ । ଏହି ପୃଷ୍ଠଭୂମିରେ ଏଭଳି ଶିଖର ସମ୍ମିଳନୀ ପରସ୍ପରର ଆବଶ୍ୟକତା ବୁଝିପାରିବା ଏବଂ ଭବିଷ୍ୟତ ସମ୍ପର୍କରେ ବୁଝାମଣା ନେଇ ସୁଯୋଗ ଆଣିଥାଏ ।
18. ମୋ ସରକାରର ଆଗୁଆ ଯୋଜନାଗୁଡ଼ିକର ଏକାଭିମୁଖତା, ଆମର ପ୍ରଯୁକ୍ତିଗତ ସଫଳତା ଓ ଲକ୍ଷ୍ୟ, ଏବଂ ଆମର ଦୃଢ଼ ଦ୍ୱିପାକ୍ଷିକ ସମ୍ପର୍କ ଭାରତ ଓ ବ୍ରିଟେନର ଉଦ୍ୟୋଗଗୁଡ଼ିକର ଅଭିବୃଦ୍ଧି ପାଇଁ ଅନୁକୂଳ ପରିବେଶ ଓ ବିପୁଳ ସୁଯୋଗ ଆଣିବ ।
19. ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମ, ସୂଚନା ଏକାଭିମୁଖତାର ସମ୍ପ୍ରସାରଣ ଏବଂ ଲୋକାଭିମୁଖୀ ଇ-ଗଭର୍ଣ୍ଣାନ୍ସରେ ସହଯୋଗ ପାଇଁ ଉଭୟ ଭାରତ ଓ ବ୍ରିଟେନ ସକାଶେ ଏକ ସୁଯୋଗ ଆସିଛି ।
20. ଭାରତରେ ଅତି ଶୀଘ୍ର ଫୋନ୍ ସଂଯୋଗ ଶହେ କୋଟିକୁ ଛୁଇଁବ ଏବଂ ସହରାଂଚଳରେ ଟେଲି-ସାନ୍ଧ୍ରତା ପ୍ରାୟ ୧୫୪%ରେ ପହଂଚିବ । ଆମ ଦେଶରେ ୩୫୦ ନିୟୁତ ଇଂଟରନେଟ ବ୍ୟବହାରକାରୀ ଅଛନ୍ତି । ଅତିଶୀଘ୍ର ଆଉ ଏକ ଲକ୍ଷ ଗ୍ରାମକୁ ଏହା ସଂଯୋଗ ହେବ । ଏପରି ଦ୍ରୁତ ଅଭିବୃଦ୍ଧି ଉଭୟ ଭାରତ ଓ ବ୍ରିଟେନର କମ୍ପାନିମାନଙ୍କ ପାଇଁ ଡିଜିଟାଲ ରାସ୍ତା ଏବଂ ନୂତନ ବଜାର ସୃଷ୍ଟି କରିବ ।
21. ଭାରତର ଦ୍ରୁତ ବିକାଶଶୀଳ ଆର୍ଥିକ କ୍ଷେତ୍ରରେ ସ୍ୱତଃ ସହଯୋଗର କ୍ଷେତ୍ର ସୃଷ୍ଟି ହୋଇଛି । ଜନଧନ ଯୋଜନାରେ ୨୨୦ ନିୟୁତ ନୂତନ ଏକାଉଂଟଧାରୀ ଅନ୍ତର୍ଭୁକ୍ତ ହୋଇପାରିଥିବାରୁ ଫିନ୍ଟେକ୍ ଏବେ ଏକ ବୃହତ୍ ରୂପାନ୍ତରିତ କ୍ଷେତ୍ରରେ ପରିଣତ ହୋଇପାରିଛି । ଏହି ଆର୍ଥିକ ଯୋଜନା ମୋବାଇଲ ଟେକ୍ନୋଲୋଜି ଏବଂ ସ୍ୱତନ୍ତ୍ର ପରିଚୟପତ୍ର ଦ୍ୱାରା ବିଶ୍ୱର ସର୍ବବୃହତ୍ ସାମାଜିକ ନିରାପତ୍ତା ଯୋଜନାରେ ପରିଣତ ହୋଇଛି ।
22. ଆର୍ଥିକ ପ୍ରଯୁକ୍ତି ବିଦ୍ୟା ଏବଂ ଆନ୍ତର୍ଜାତିକ ଅର୍ଥ ବ୍ୟବସ୍ଥାରେ ବ୍ରିଟେନର ନେତୃତ୍ୱ ଥିବାରୁ ଆମ ଉଦ୍ୟୋଗୀମାନେ ଏହାର ସୁବିଧା ନେଇପାରିବେ ।
23. ଦ୍ୱିପାକ୍ଷିକ କ୍ଷେତ୍ରରେ ମେକ୍ ଇନ୍ ଇଣ୍ଡିଆ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ହେବ ବୋଲି ଆମେ ଆଶା କରୁଛୁ । ଏହି କାର୍ଯ୍ୟକ୍ରମରେ ଏଡଭାନ୍ସଡ ମାନୁଫାକ୍ଚରିଂ ବା ଅତ୍ୟାଧୁନିକ ବିନିର୍ମାଣ ଏକ ସ୍ୱତନ୍ତ୍ର ଉଦ୍ୟମ । ଅଗ୍ରଣୀ ଅର୍ଥ ବ୍ୟବସ୍ଥା ଭାବେ ବ୍ରିଟେନ ଆମର ଉଦାର ନିବେଶ ନୀତିରୁ ପ୍ରତିରକ୍ଷା ନିର୍ମାଣ, ମହାକାଶ କ୍ଷେତ୍ର ଏବଂ ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟରିଂ କ୍ଷେତ୍ରରେ ଫାଇଦା ପାଇପାରିବ ।
24. ସ୍ମାର୍ଟ ସିଟି ଯୋଜନାର ଲକ୍ଷ୍ୟ ଦ୍ରୁତ ସହରାଂଚଳ ପରିବେଶରେ ଡିଜିଟାଲ ଟେକ୍ନୋଲୋଜିକୁ ସମନ୍ୱିତ କରିବା । ମୁଁ ଅତ୍ୟନ୍ତ ଖୁସି ଯେ ପୁନେ, ଅମରାବତୀ ଏବଂ ଇନ୍ଦୋର ପ୍ରକଳ୍ପରେ ବ୍ରିଟେନର ଅନେକ କମ୍ପାନି ଆଗ୍ରହ ପ୍ରକାଶ କରିଛନ୍ତି । ମୁଁ ବୁଝିପାରୁଛି, ବ୍ରିଟେନ କମ୍ପାନିମାନେ ଇତି ମଧ୍ୟରେ ୯ ଶହ କୋଟି ପାଉଣ୍ଡର ବୁଝାମଣା ସ୍ୱାକ୍ଷର କରିସାରିଛନ୍ତି ।
25. ପ୍ରଯୁକ୍ତି ବନ୍ଧୁତ୍ୱ ଯୁବପିଢ଼ିଙ୍କ ପାଇଁ ଔଦ୍ୟୋଗିକତା ସହ ପ୍ରଯୁକ୍ତି ଏବଂ ନୂତନତ୍ୱର ସମଷ୍ଟି କରିବା ଷ୍ଟାର୍ଟ ଅପ୍ ଇଣ୍ଡିଆ କାର୍ଯ୍ୟକ୍ରମର ଲକ୍ଷ୍ୟ । ଷ୍ଟାର୍ଟ ଅପ୍ ହବ୍ ଭାବେ ଭାରତ ଏବଂ ବ୍ରିଟେନ ଏବେ ବିଶ୍ୱର ଶ୍ରେଷ୍ଠ ୩ଟି ସ୍ଥାନରେ ଅଛନ୍ତି ।
26. ନୂତନ ବାଣିଜ୍ୟିକ ଆବେଦନକାରୀ ଏବଂ ପ୍ରଯୁକ୍ତି ବିଦ୍ୟାର ଅଗ୍ରଗତି ପାଇଁ ଆମେ ମିଳିତ ଭାବେ ଏକ ସଜୀବ ଓ ସଫଳ ପରିବେଶ ସୃଷ୍ଟି କରିପାରିବୁ ।
27. ଏହି ଶିଖର ସମ୍ମିଳନୀରେ ପସନ୍ଦ କରାଯାଇଥିବା ଏଡଭାନ୍ସଡ ମାନୁଫାକ୍ଚରିଂ, ବାୟୋମେଡ଼ିକାଲ ଡିଭାଇସ୍, ନବସୃଜନ ଏବଂ ଔଦ୍ୟୋଗିକତା ଆମର ବାଣିଜ୍ୟିକ ସମ୍ପର୍କରେ ନୂତନ କ୍ଷେତ୍ର ହୋଇପାରିବ ।
28. ବିଶ୍ୱସ୍ତରୀୟ ଆହ୍ୱାନର ସମ୍ମୁଖୀନ ହେବା ପାଇଁ ଯୁଗ୍ମ ପ୍ରଯୁକ୍ତି ବିଦ୍ୟାର ବିକାଶ ସକାଶେ ଉଚ୍ଚମାନର ମୌଳିକ ଗବେଷଣା ପାଇଁ ଭାରତ ଏବଂ ବ୍ରିଟେନ ମିଳିତ ଭାବେ ଜୈବବିବିଧତାର ସୁରକ୍ଷା କରିବା ଉଚିତ ବୋଲି ମୁଁ ବିଶ୍ୱାସ କରେ ।
29. ଉଚ୍ଚଶିକ୍ଷାକୁ ଏହି ଶିଖର ସମ୍ମିଳନୀରେ ଗୁରୁତ୍ୱ ଦିଆଯାଇଥିବାରୁ ମୁଁ ଅତ୍ୟନ୍ତ ଖୁସି । ଆମ ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷା ଗୁରୁତ୍ୱପୂର୍ଣ୍ଣ ଏବଂ ଏହା ଭବିଷ୍ୟତକୁ ନିର୍ଦ୍ଦିଷ୍ଟ କରିପାରିବ । ତେଣୁ ଶିକ୍ଷା ଏବଂ ଗବେଷଣା ସୁଯୋଗର ସଦୁପଯୋଗ ଏବଂ ସହଭାଗିତା ପାଇଁ ଆମେ ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହିତ କରିବା ଦରକାର ।
30. ଏହି ସମ୍ମିଳନୀରେ ବ୍ରିଟେନକୁ ସହଯୋଗୀ ଦେଶ ଭାବେ ଗ୍ରହଣ କରିପାରିଥିବାରୁ ମୁଁ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା ବିଭାଗ ଏବଂ ଭାରତୀୟ ଶିଳ୍ପ ମହାସଂଘକୁ ଅଭିନନ୍ଦନ ଜଣାଉଛି । ଭାରତ-ବ୍ରିଟେନ ସମ୍ପର୍କର ପରବର୍ତ୍ତି ପର୍ଯ୍ୟାୟ ପାଇଁ ଏହି ଶିଖର ସମ୍ମିଳନୀ ଭିତ୍ତି ପକାଇବ ବୋଲି ମୁଁ ବିଶ୍ୱାସ କରୁଛି । ବୈଜ୍ଞାନିକ ଜ୍ଞାନ ଏବଂ ପ୍ରଯୁକ୍ତିଗତ ନିପୁଣତା ପାଇଁ ଦୁଇ ଦେଶର ଯାତ୍ରା ସକାଶେ ଏହା ଅୟମାରମ୍ଭ ହୋଇପାରିବ ।
31. ସମ୍ମିଳନୀର ସଫଳତାରେ ଭାରତ ଓ ବ୍ରିଟେନର ସମସ୍ତ ଅଂଶୀଦାରଙ୍କୁ ମୁଁ ଧନ୍ୟବାଦ ଜଣାଉଛି । ସମ୍ମିଳନୀରେ ଉପସ୍ଥିତ ଥିବାରୁ ଏବଂ ଭାରତ-ବ୍ରିଟେନ ସମ୍ପର୍କ ବୃଦ୍ଧି ପାଇଁ ନିଜ ଦୃଷ୍ଟିଭଙ୍ଗୀ ପ୍ରକାଶ କରିଥିବାରୁ ମୁଁ ପୁଣି ଥରେ ପ୍ରଧାନମନ୍ତ୍ରୀ ଥେରେସା ମେ ଙ୍କୁ ଧନ୍ୟବାଦ ଜଣାଉଛି ।
- .