ଲୋକସଭା ବାଚସ୍ପତି ଶ୍ରୀ ଓମ୍ ବିର୍ଲା ଜୀ, ରାଜ୍ୟସଭା ଉପାଧ୍ୟକ୍ଷ ଶ୍ରୀ ହରିବଂଶ ଜୀ, ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଜୀ, ବିଧାନସଭା ବାଚସ୍ପତି ରାହୁଲ ନର୍ଭେକର ଜୀ ଏବଂ ବିଭିନ୍ନ ରାଜ୍ୟ ବିଧାନସଭାରୁ ଆସିଥିବା ପ୍ରିଜାଇଡିଂ ଅଫିସରମାନେ,
ଭଦ୍ର ମହିଳା ଓ ପୁରୁଷ ମାନେ,
ସର୍ବଭାରତୀୟ ପ୍ରିଜାଇଡିଂ ଅଫିସର ସମ୍ମିଳନୀ ପାଇଁ ଆପଣ ସମସ୍ତଙ୍କୁ ବହୁତ ବହୁତ ଶୁଭକାମନା ! ଏଥର ଏହି ସମ୍ମିଳନୀର ବିଶେଷ ମହତ୍ତ୍ୱ ରହିଛି । ଏହା ୭୫ତମ ସାଧାରଣତନ୍ତ୍ର ଦିବସ ପରେ ସଙ୍ଗେ ସଙ୍ଗେ ତୁରନ୍ତ ଅନୁଷ୍ଠିତ ହେଉଛି । ଜାନୁଆରୀ ୨୬ ରେ ଆମ ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା, ଯାହା ଏହାର ପ୍ରତିଷ୍ଠାର ୭୫ ବର୍ଷ ପୂର୍ତ୍ତି ପାଳନ କରିଥିଲା । ଆମ ଦେଶର ନାଗରିକଙ୍କ ତରଫରୁ ସମ୍ବିଧାନ ସଭାର ସମସ୍ତ ସଦସ୍ୟଙ୍କୁ ମୁଁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ।
ସାଥିମାନେ,
ପ୍ରିଜାଇଡିଂ ଅଫିସରମାନଙ୍କ ଏହି ସମ୍ମିଳନୀ, ଆମ ସମ୍ବିଧାନ ସଭାରୁ ଅନେକ କିଛି ଶିଖିବାର ଅଛି । ସମ୍ବିଧାନ ସଭାର ସଦସ୍ୟମାନଙ୍କର ବିଭିନ୍ନ ଚିନ୍ତାଧାରା, ବିଷୟ ଏବଂ ମତାମତ ମଧ୍ୟରେ ସହମତି ସୃଷ୍ଟି କରିବାର ଦାୟିତ୍ୱ ଥିଲା । ଏବଂ ସେମାନେ ଏହା ପ୍ରଶଂସନୀୟ ଭାବରେ କରିଥିଲେ । ଏହି ସମ୍ମିଳନୀ ସମସ୍ତ ପ୍ରିଜାଇଡିଂ ଅଫିସରଙ୍କୁ ପୁଣି ଥରେ ସମ୍ବିଧାନ ସଭାର ଆଦର୍ଶରୁ ପ୍ରେରଣା ନେବାର ସୁଯୋଗ ପ୍ରଦାନ କରିବ । ଆପଣମାନେ ସମସ୍ତେ ନିଜ କାର୍ଯ୍ୟକାଳ ରେ ଏପରି ପ୍ରୟାସ କରିବା ଉଚିତ ଯାହା ଭବିଷ୍ୟତ ପିଢ଼ି ପାଇଁ ଏକ ଐତିହ୍ୟ ହୋଇପାରିବ ।
ସାଥିମାନେ,
ମୋତେ ସୂଚନା ଦିଆଯାଇଛି ଯେ ଏଥର ମୁଖ୍ୟତଃ ପ୍ରାଥମିକ ଧ୍ୟାନ ବିଧାନସଭା ଏବଂ କମିଟିର କାର୍ଯ୍ୟଦକ୍ଷତା ବୃଦ୍ଧି ଉପରେ ଆଲୋଚନା ରହିବ । ଏଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ । ଆଜି ଦେଶବାସୀ ଯେପରି ପ୍ରତ୍ୟେକ ପ୍ରତିନିଧିଙ୍କୁ ସତର୍କତାର ଯେପରି ପରଖୁଛନ୍ତି, ସେଥିପାଇଁ ଏଭଳି ସମୀକ୍ଷା ଓ ଆଲୋଚନା ଅତ୍ୟନ୍ତ ଲାଭଦାୟକ ହେବ । ବିଧାନସଭାରେ ପ୍ରତିନିଧିଙ୍କ ଆଚରଣ ଦେଶର ସଂସଦୀୟ ବ୍ୟବସ୍ଥାକୁ ଗଢ଼ିତୋଳିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଗୃହରେ ପ୍ରତିନିଧିମାନଙ୍କର ନିରନ୍ତର ସକାରାତ୍ମକ ଆଚରଣ କିପରି ବଜାୟ ରହିବ ଏବଂ ଗୃହର ଉତ୍ପାଦକତା କିପରି ବୃଦ୍ଧି କରାଯିବ ସେ ନେଇ ଏହି ସମ୍ମିଳନୀରୁ ମିଳିଥିବା ଠୋସ୍ ପରାମର୍ଶ ବେଶ୍ ସହାୟକ ହେବ ।
ସାଥିମାନେ,
ଏକ ସମୟ ଥିଲା ଯେତେବେଳେ ଯଦି କୌଣସି ସଦସ୍ୟ ଗୃହରେ ଶୃଙ୍ଖଳା ଉଲ୍ଲଂଘନ କରି ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଆହ୍ୱାନ କରନ୍ତି, ତେବେ ଗୃହର ବରିଷ୍ଠ ସଦସ୍ୟମାନେ ସେହି ସଦସ୍ୟଙ୍କୁ ଏଭଳି ଭୁଲ୍ କୁ ରୋକିବା ଏବଂ ଭବିଷ୍ୟତରେ ଗୃହର ଶୃଙ୍ଖଳା ଉଲ୍ଲଂଘନ ନ କରିବାକୁ ପରାମର୍ଶ ଦେଉଥିଲେ । ତେବେ ଆଜିର ସମୟରେ ଆମେ ଦେଖିଛୁ ଯେ କିଛି ରାଜନୈତିକ ଦଳ ଏଭଳି ସଦସ୍ୟଙ୍କ ଭୁଲକୁ ରକ୍ଷା କରିବା ଆରମ୍ଭ କରିଦିଅନ୍ତି । ସଂସଦ ହେଉ କି ବିଧାନସଭା, ଏଭଳି ସ୍ଥିତି ଗ୍ରହଣୀୟ ନୁହେଁ । ଗୃହର ଶୃଙ୍ଖଳା କିପରି ବଜାୟ ରହିବ ସେ ନେଇ ଏହି ମଞ୍ଚରେ ଆଲୋଚନା ହେବା ଜରୁରୀ ।
ସାଥିମାନେ,
ଆଜି ଆମେ ଆଉ ଏକ ପରିବର୍ତ୍ତନ ଦେଖୁଛୁ । ପୂର୍ବରୁ ଗୃହର କୌଣସି ସଦସ୍ୟଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିଲେ ସାଧାରଣ ଜୀବନରେ ସମସ୍ତେ ତାଙ୍କଠାରୁ ଦୂରତା ବଜାୟ ରଖୁଥିଲେ । କିନ୍ତୁ ଆଜି ଆମେ ଦେଖୁଛୁ ଯେ ଦୁର୍ନୀତିଗ୍ରସ୍ତ ବ୍ୟକ୍ତିମାନଙ୍କୁ ଅଦାଲତ ଦ୍ୱାରା ଦଣ୍ଡିତ କରାଯାଉଛି ପୁଣି ସେମାନଙ୍କୁ ସର୍ବସାଧାରଣରେ ସମ୍ମାନିତ କରାଯାଉଛି । ଏହା କାର୍ଯ୍ୟନିର୍ବାହୀ ପ୍ରତି ଅସମ୍ମାନ, ନ୍ୟାୟପାଳିକାପ୍ରତି ଅସମ୍ମାନ ଏବଂ ଭାରତର ମହାନ ସମ୍ବିଧାନପ୍ରତି ମଧ୍ୟ ଅସମ୍ମାନ । ଏହି ସମ୍ମିଳନୀରେ ଏ ସମ୍ପର୍କରେ ଆଲୋଚନା ଓ ଦୃଢ଼ ପରାମର୍ଶ ଭବିଷ୍ୟତ ପାଇଁ ଏକ ନୂଆ ରୋଡମ୍ୟାପ୍ ପ୍ରସ୍ତୁତ କରିବାରେ ସହାୟକ ହେବ ।
ସାଥିମାନେ,
ଏହି 'ଅମୃତ କାଳ'ରେ ଦେଶ ଯେଉଁ ଲକ୍ଷ୍ୟ ଧାର୍ଯ୍ୟ କରୁଛି ତାହାକୁ ସାକାର କରିବାରେ ପ୍ରତ୍ୟେକ ରାଜ୍ୟ ସରକାର ଏବଂ ଏହାର ବିଧାନସଭାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଭାରତର ପ୍ରଗତି ସେତେବେଳେ ହିଁ ହୋଇପାରିବ ଯେତେବେଳେ ଆମ ରାଜ୍ୟର ପ୍ରଗତି ହେବ । ଏବଂ ରାଜ୍ୟଗୁଡ଼ିକର ପ୍ରଗତି ସେତେବେଳେ ହିଁ ସମ୍ଭବ ହେବ ଯେତେବେଳେ ସେମାନଙ୍କର ବିକାଶର ଲକ୍ଷ୍ୟ ନିର୍ଦ୍ଧାରଣ କରିବା ପାଇଁ ସେମାନଙ୍କ ବିଧାନସଭା ଏବଂ କାର୍ଯ୍ୟନିର୍ବାହୀ ମିଳିତ ଭାବରେ କାର୍ଯ୍ୟ କରିବେ । ରାଜ୍ୟ ପାଇଁ ଏଭଳି ଲକ୍ଷ୍ୟ ହାସଲ ଦିଗରେ ବିଧାନସଭା ଯେତେ ସକ୍ରିୟ ଭାବେ କାର୍ଯ୍ୟ କରିବ, ରାଜ୍ୟ ସେତେ ଅଧିକ ଅଗ୍ରଗତି କରିବ । ତେଣୁ ଆପଣଙ୍କ ରାଜ୍ୟର ଅର୍ଥନୈତିକ ପ୍ରଗତି ପାଇଁ କମିଟିର ସଶକ୍ତୀକରଣ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ।
ସାଥିମାନେ,
ଗୋଟିଏ ପ୍ରମୁଖ ପ୍ରସଙ୍ଗ ହେଉଛି ଅନାବଶ୍ୟକ ଆଇନର ଅନ୍ତ । ବିଗତ ୧୦ ବର୍ଷ ମଧ୍ୟରେ କେନ୍ଦ୍ର ସରକାର ଆମ ବ୍ୟବସ୍ଥା ପାଇଁ କ୍ଷତିକାରକ ୨ହଜାରରୁ ଅଧିକ ଆଇନକୁ ରଦ୍ଦ କରିଛନ୍ତି । ସେମାନେ ଏକ ପ୍ରକାରରେ ବୋଝ ପାଲଟିଯାଇଥିଲେ । ଆଇନ ବ୍ୟବସ୍ଥାର ଏହି ସରଳୀକରଣ ସାଧାରଣ ଲୋକଙ୍କ ଅସୁବିଧାକୁ ହ୍ରାସ କରିବା ସହ ସହଜ ଜୀବନଧାରଣକୁ ବୃଦ୍ଧି କରିଛି । ପ୍ରିଜାଇଡିଂ ଅଫିସର ହିସାବରେ ଯଦି ଆପଣ ଏଭଳି ଆଇନର ଅଧ୍ୟୟନ କରିବେ, ତାଲିକା ପ୍ରସ୍ତୁତ କରିବେ ଏବଂ ନିଜ ନିଜ ସରକାର ଓ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିବେ, ତେବେ ସମ୍ଭବତଃ ସମସ୍ତେ ଅଧିକ ଉତ୍ସାହର ସହ କାମ କରିବାକୁ ଆଗେଇ ଆସିବେ । ଏହା ନାଗରିକଙ୍କ ଜୀବନ ଉପରେ ଯଥେଷ୍ଟ ସକାରାତ୍ମକ ପ୍ରଭାବ ପକାଇବ ।
ସାଥିମାନେ,
ଆପଣ ଜାଣନ୍ତି ଯେ ସଂସଦ ଗତ ବର୍ଷ ନାରୀ ଶକ୍ତି ବନ୍ଦନ ଅଧିନିୟମକୁ ଅନୁମୋଦନ କରିଥିଲା । ଏହି ସମ୍ମିଳନୀରେ ମହିଳା ସଶକ୍ତୀକରଣ ପାଇଁ ପ୍ରୟାସ କୁ ଆହୁରି ବଢ଼ାଇବା ଏବଂ ସେମାନଙ୍କ ପ୍ରତିନିଧିତ୍ୱ ବୃଦ୍ଧି କରିବା ପାଇଁ ପରାମର୍ଶ ଉପରେ ମଧ୍ୟ ଆଲୋଚନା ହେବା ଦରକାର । ଭାରତ ଭଳି ଯୁବ ଦେଶରେ କମିଟିରେ ଯୁବଗୋଷ୍ଠୀଙ୍କ ଭାଗିଦାରୀ ବୃଦ୍ଧି ଉପରେ ଗୁରୁତ୍ୱ ଦେବା ଉଚିତ । ଆମ ର ଯୁବ ପ୍ରତିନିଧିମାନଙ୍କୁ କେବଳ ଅଧିକ ସୁଯୋଗ ମିଳିବା ଉଚିତ ନୁହେଁ ବରଂ ଗୃହରେ ନିଜର ମତ ରଖିବା ଏବଂ ନୀତି ନିର୍ଦ୍ଧାରଣରେ ଅଧିକ ସକ୍ରିୟ ଭାବରେ ଅଂଶଗ୍ରହଣ କରିବାକୁ ଉତ୍ସାହିତ କରାଯିବା ଉଚିତ୍ ।
ସାଥିମାନେ ,
୨୦୨୧ ରେ ଆମର ଆଲୋଚନା ସମୟରେ, ମୁଁ ଏକ ରାଷ୍ଟ୍ର-ଗୋଟିଏ ବିଧାନ ମଞ୍ଚ ବିଷୟରେ ଉଲ୍ଲେଖ କଲି । ମୁଁ ଏହା ଜାଣି ଆନନ୍ଦିତ ଯେ ଆମ ର ସଂସଦ ଏବଂ ଆମ ରାଜ୍ୟ ବିଧାନସଭାଗୁଡିକ ବର୍ତ୍ତମାନ ଇ-ବିଧାନ ଏବଂ ଡିଜିଟାଲ ସଂସଦ ପ୍ଲାଟଫର୍ମ ମାଧ୍ୟମରେ ଏହି ଲକ୍ଷ୍ୟ ଦିଗରେ କାର୍ଯ୍ୟ କରୁଛନ୍ତି । ମୋତେ ଏହି ଅବସରରେ ନିମନ୍ତ୍ରଣ କରିଥିବାରୁ ମୁଁ ପୁଣି ଥରେ ଆପଣସମସ୍ତଙ୍କୁ ଧନ୍ୟବାଦ ଜଣାଉଛି । ଏହି ସମ୍ମିଳନୀର ସଫଳ ଆୟୋଜନ ପାଇଁ ମୁଁ ସମସ୍ତ ପ୍ରିଜାଇଡିଂ ଅଫିସରମାନଙ୍କୁ ଶୁଭେଚ୍ଛା ଜଣାଉଛି । ବହୁତ ବହୁତ ଧନ୍ୟବାଦ ।