ସମ୍ମାନାସ୍ପଦ ପ୍ରତିନିଧିବୃନ୍ଦ, ବିଶିଷ୍ଟ ଅତିଥିଗଣ ଏବଂ ମୋର ପ୍ରିୟ ବନ୍ଧୁଗଣ, ଆପଣମାନଙ୍କୁ ସମସ୍ତଙ୍କୁ ମୁଁ ମୋର ଭବ୍ୟ ସ୍ୱାଗତ ଜ୍ଞାପନ କରୁଛି । ମୁଁ ଆପଣମାନଙ୍କ ପ୍ରଥମ ଅନ୍ତରାଷ୍ଟ୍ରୀୟ ସୌର ଉତ୍ସବକୁ ସ୍ୱାଗତ କରିବା ଅବସରରେ ଖୁବ୍ ଆନନ୍ଦ ଅନୁଭବ କରୁଛି । ଏଭଳି ଏକ ଅଭିନବ ଉପକ୍ରମ ନିମନ୍ତେ ମୁଁ ଅନ୍ତରାଷ୍ଟ୍ରୀୟ ସୌର ସଂଗଠନକୁ ମଧ୍ୟ ଅଭିନନ୍ଦନ ଜଣାଉଛି ।
ବନ୍ଧୁଗଣ,
ଆଜକୁ ହଜାର ହଜାର ବର୍ଷ ପୂର୍ବେ ଆମର ବେଦ ପୁରାଣଶାସ୍ତ୍ରମାନ ରଚନା କରାଯାଇଥିଲା । ବେଦରେ ଥିବା ମନ୍ତ୍ରଗୁଡ଼ିକ ମଧ୍ୟରେ ସୂର୍ଯ୍ୟଙ୍କୁ ସମ୍ପର୍କରେ ଥିବା ମନ୍ତ୍ରଟି ସବୁଠାରୁ ଲୋକପ୍ରିୟ । ଏପରିକି ଆଜି ସୁଦ୍ଧା କୋଟି କୋଟି ଭାରତୀୟ ପ୍ରତି ଦିନ ସେହି ମନ୍ତ୍ରଟିକୁ ଉଚ୍ଚାରଣ କରିଥାନ୍ତି । ସାରା ବିଶ୍ୱରେ ଅନେକ ସଂସ୍କୃତିରେ ନିଜ ନିଜ ଢ଼ଙ୍ଗରେ ସୂର୍ଯ୍ୟଙ୍କୁ ସମ୍ମାନ ପ୍ରଦର୍ଶନର ଅଭିନବ ପଦ୍ଧତି ଥିବା ଦେଖିବାକୁ ମିଳେ । ସେମାନେ ସ୍ୱ ସ୍ୱ ଢଙ୍ଗରେ ଏଭଳି ସମ୍ମାନ ପ୍ରଦର୍ଶନ କରିଛନ୍ତି । ଅନ୍ତରାଷ୍ଟ୍ରୀୟ ସୌର ଉତ୍ସବ ସୂର୍ଯ୍ୟଙ୍କର ଏହି ପ୍ରଭାବକୁ ଉତ୍ସବ ଆକାରରେ ମନାଇବା ସକାଶେ ଆଜି ସମଗ୍ର ବିଶ୍ୱକୁ ଏଠାରେ ଏକଜୁଟ କରିଛି । ଏହି ଉତ୍ସବ ସେହି ଦୃଷ୍ଟିରୁ ଆମକୁ ଏକ ଉତ୍ତମ ପୃଥିବୀ ଗଠନରେ ସହାୟକ ହୋଇପାରିବ ।
ବନ୍ଧୁଗଣ,
୨୦୧୫ ମସିହାରେ ଆଇଏସଏ ଗୋଟିଏ କ୍ଷୁଦ୍ର ଚାରା ଭାବରେ ଆତ୍ମ ପ୍ରକାଶ କରିଥିଲା । ସେତେବେଳେ ଏହା ଥିଲା ଏକ ଆଶା ଓ ଆକାଂକ୍ଷାର ମୁହୂର୍ତ୍ତ । ଆଜି ଏହା ଏକ ବିଶାଳ ଦ୍ରୁମ ଭାବେ ବିକଶିତ ହୋଇଛି ଏବଂ ନୀତି ଠାରୁ ଆରମ୍ଭ କରି କାର୍ଯ୍ୟଶୈଳୀରେ ଆମମାନଙ୍କୁ ପ୍ରେରଣା ଯୋଗାଉଛି । ଏତେ କମ୍ ସମୟ ମଧ୍ୟରେ, ଆଇ. ଏସ.ଏ.ର ସଦସ୍ୟ ସଂଖ୍ୟା ମଧ୍ୟ ଶହେ ରାଷ୍ଟ୍ରକୁ ଟପି ଏକ ମାଇଲଖୁଣ୍ଟ ସୃଷ୍ଟି କରିଛି । ଏହାତିରିକ୍ତ, ୧୯ ଗୋଟି ଅଧିକ ରାଷ୍ଟ୍ର ମଧ୍ୟ ଏହି ରାଜିନାମାର ଢାଞ୍ଚାକୁ ପୂର୍ଣ୍ଣକାଳୀନ ସଦସ୍ୟତା ନିମନ୍ତେ ସ୍ୱୀକୃତି ପ୍ରଦାନ କରିଛନ୍ତି । ଏହି ଅନୁଷ୍ଠାନର ବିକାଶ ‘ଏକ ବିଶ୍ୱ, ଏକ ସୂର୍ଯ୍ୟ, ଏକ ଗ୍ରୀଡ଼’ ପରିକଳ୍ପନା ନିମନ୍ତେ ବେଶ୍ ଗୁରୁତ୍ୱପୂର୍ଣ୍ଣ ପରି ପ୍ରତୀୟମାନ ହୁଏ ।
ବନ୍ଧୁଗଣ,
ବିଗତ କିଛି ବର୍ଷ ମଧ୍ୟରେ, ଭାରତ ସବୁଜ ଇନ୍ଧନ କ୍ଷେତ୍ରରେ ବ୍ୟାପକ ପ୍ରଗତି ହାସଲ କରିଛି । ଆମେ ଅକ୍ଷୟ ଶକ୍ତି ପାଇଁ ପ୍ୟାରିସ୍ ପ୍ରତିବଦ୍ଧତା ହାସଲ ଦିଗରେ ବିଶ୍ୱର ପ୍ରଥମ ଜି-୨୦ ସଦସ୍ୟଭୁକ୍ତ ରାଷ୍ଟ୍ର ହେବାର ସୌଭାଗ୍ୟ ଅର୍ଜନ କରିଛୁ । ସୌର ଶକ୍ତିର ବିକାଶ ଦିଗରେ ଉଲ୍ଲେଖନୀୟ ବିକାଶ ହେଉଛି ଏହାର ମୁଖ୍ୟ କାରଣ ଯାହାକି ଆମକୁ ଏହା ହାସଲ କରିବାରେ ସହାୟକ ହୋଇଛି । ଆମର ସୌର ଶକ୍ତି କ୍ଷମତା ବିଗତ ୧୦ ବର୍ଷ ମଧ୍ୟରେ ୩୨ ଗୁଣ ବୃଦ୍ଧି ପାଇଛି । ଏହି ବେଗ ଏବଂ ମାତ୍ରା ଆମକୁ ୨୦୩୦ ମସିହା ସୁଦ୍ଧା ଆମର ଅଣ- ଜୀବାଶ୍ମ ଇନ୍ଧନ ଉତ୍ପାଦନକୁ ପାଞ୍ଚ ଶହ (୫୦୦) ଗିଗାୱାଟରେ ପହଞ୍ଚାଇବା ଦିଗରେ ଅବଶ୍ୟ ସହାୟକ ହୋଇପାରିବ ।
ବନ୍ଧୁଗଣ,
ସୌର ଶକ୍ତି କ୍ଷେତ୍ରରେ ଭାରତର ଏହି ବିକାଶ ହେଉଛି ଆମର ସ୍ୱଚ୍ଛ କାର୍ଯ୍ୟକ୍ରମର ପରିଣାମ । ତାହା ଭାରତରେ ହୋଇଥାଉ କିମ୍ବା ବିଶ୍ୱର ଅନ୍ୟ କୌଣସି ସ୍ଥାନରେ, ସୌର ଶକ୍ତି ଉତ୍ପାଦନ ବୃଦ୍ଧି ପାଇଁ ମୂଳ ମନ୍ତ୍ରଟି ହେଲା ସଚେତନତା, ଉପଲବ୍ଧତା ଏବଂ ସୁଲଭତାକୁ ଆହରଣ କରିବା । ପୋଷଣୀୟ ଶକ୍ତି ଉତ୍ସର ଆବଶ୍ୟକତା ସମ୍ପର୍କରେ ଲୋକମାନଙ୍କ ମନରେ ସଚେତନତା ବୃଦ୍ଧି କରିବା ପାଇଁ ଆମକୁ ଘରୋଇ କ୍ଷେତ୍ରରେ ସୌରଶକ୍ତିର ଉତ୍ପାଦନ ବୃଦ୍ଧି ପାଇଁ ପ୍ରୟାସ କରିବାକୁ ପଡ଼ିବ ଯଦ୍ୱାରା ଏହାର ଉପଲବ୍ଧତା ବୃଦ୍ଧି ପାଇବ । ନିର୍ଦ୍ଦିଷ୍ଟ ଯୋଜନା ଏବଂ ଉପକ୍ରମ ମାଧ୍ୟମରେ, ଆମେ ସୌର ବିକଳ୍ପଟିକୁ ସୁଲଭ ମଧ୍ୟ କରିପାରିବା ।
ବନ୍ଧୁଗଣ,
ଆଇଏସଏ ହେଉଛି ଏକ ଆଦର୍ଶ ମଞ୍ଚ ଯାହାକି ସୌରଶକ୍ତି ଆହରଣ ଚିନ୍ତାଧାରା ଓ ଶ୍ରେଷ୍ଠ କାର୍ଯ୍ୟକ୍ରମକୁ ବାସ୍ତବତାରେ ରୂପାନ୍ତରିତ କରିପାରିବ । ଏଥିରେ ଭାରତର ପର୍ଯ୍ୟାପ୍ତ ଅଂଶ ମଧ୍ୟ ରହିଛି । ମୁଁ ଆପଣମାନଙ୍କୁ ଏହାର ଏକ ଉଦାହରଣ ଦେଉଛି ଯାହାକି ନିକଟରେ କରାଯାଇଥିବା ନୀତିଗତ ହସ୍ତକ୍ଷେପର ଏକ ବଳିଷ୍ଠ ପ୍ରମାଣ । କିଛି ମାସ ପୂର୍ବେ, ଆମେ ପିଏମ୍ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନାର ଶୁଭାରମ୍ଭ କରିଥିଲୁ । ଆମେ ଏହି ଯୋଜନାରେ ୭୫,୦୦୦ କୋଟି ଟଙ୍କା ବିନିଯୋଗ କରିବାକୁ ଯାଉଛୁ । ଆମର ଲକ୍ଷ୍ୟ ହେଲା ୧ କୋଟି ପରିବାରଙ୍କ ଘରର ଛାତ ଉପରେ ସୌର ପାନେଲ ସ୍ଥାପନ କରିବା । ଆମେ ଏଥି ନିମନ୍ତେ ଲୋକମାନଙ୍କ ବ୍ୟାଙ୍କ ଜମାଖାତାକୁ ସିଧାସଳଖ ଆର୍ଥିକ ସହାୟତା ରାଶି ହସ୍ତାନ୍ତରଣ କରୁଛୁ । ସ୍ୱଳ୍ପ ସୁଧ, କୋଲାଟରାଲ ମୁକ୍ତ ଋଣ ମଧ୍ୟ ଏହି ଅତିରିକ୍ତ ଆର୍ଥିକ ଆବଶ୍ୟକତାକୁ ପୂରଣ କରିବା ଦିଗରେ ସହାୟକ ହୋଇଛି । ବର୍ତ୍ତମାନ, ଏହିସବୁ ପରିବାରରେ ସ୍ୱଚ୍ଛ ଶକ୍ତି ଉତ୍ପାଦିତ ହୋଇ ସେମାନଙ୍କର ଆବଶ୍ୟକତାକୁ ପୂରଣ କରିପାରିଛି । ଅଧିକନ୍ତୁ, ସେମାନେ ମଧ୍ୟ ଚାହିଁଲେ ଅତିରିକ୍ତ ଉତ୍ପାଦିତ ବିଜୁଳିକୁ ଗ୍ରୀଡ଼କୁ ବିକ୍ରି କରିପାରିବେ ଏବଂ ଅର୍ଥ ଉପାର୍ଜନ କରିପାରିବେ । ଏଭଳି ଉପକ୍ରମ ଏବଂ ସମ୍ଭାବ୍ୟ ଉପାର୍ଜନ ଯୋଗୁ, ଏହି ଯୋଜନା ଧୀରେ ଧୀରେ ଅଧିକ ଲୋକପ୍ରିୟ ହେବାରେ ଲାଗିଛି । ସୌର ଶକ୍ତିକୁ ସୁଲଭ ଏବଂ ଆକର୍ଷଣୀୟ ବିକଳ୍ପ ଭାବରେ ସଭିଏଁ ଦେଖୁଛନ୍ତି । ମୋର ଦୃଢ଼ ବିଶ୍ୱାସ ଯେ ଅନେକ ରାଷ୍ଟ୍ରଙ୍କ ନିକଟରେ ଏଭଳି ମୂଲ୍ୟବାନ ଭାବନା ରହିଛି ଏବଂ ସେମାନେ ଶକ୍ତି ପର୍ଯ୍ୟାନ୍ତରଣରେ ଏଭଳି କାର୍ଯ୍ୟକୁ ଗ୍ରହଣ କରିପାରିବେ ।
ବନ୍ଧୁଗଣ,
ସ୍ୱଳ୍ପ ସମୟ ମଧ୍ୟରେ ଆଇଏସଏ ଅନେକ ପ୍ରଗତି ହାସଲ କରିଛି । ୪୪ ଗୋଟି ରାଷ୍ଟ୍ରରେ ଏହା ୧୦ ଗିଗାୱାଟ ବିଜୁଳି ଶକ୍ତି ଉତ୍ପାଦନରେ ସହାୟକ ହୋଇପାରିଛି । ଏହି ସଂଗଠନ ବୈଶ୍ୱିକ ସୌର ପମ୍ପ୍ ମୂଲ୍ୟକୁ କମାଇବା ଦିଗରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି । ଘରୋଇ କ୍ଷେତ୍ର ମଧ୍ୟ ଏଥିରେ ପ୍ରବେଶ କରିଛନ୍ତି, ବିଶେଷ କରି ଆଫ୍ରିକୀୟ ସଦସ୍ୟ ରାଷ୍ଟ୍ରମାନେ ଏହି ସଫଳତା ହାସଲ କରିଛନ୍ତି । ଆଫ୍ରିକା, ଏସିଆ-ପ୍ରଶାନ୍ତ ମହାସାଗରୀୟ ରାଷ୍ଟ୍ର ଏବଂ ଭାରତରେ ଅନେକ ପ୍ରଗତିଶୀଳ ସୌର ଷ୍ଟାର୍ଟ ଅପମାନ ମୁଣ୍ଡ ଟେକିଛନ୍ତି ଏବଂ ସେମାନଙ୍କୁ ସକଳ ପ୍ରକାର ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି । ଏହି ଉପକ୍ରମ ଖୁବ୍ ଶୀଘ୍ର ଲାଟିନ୍ ଆମେରିକା ଏବଂ କ୍ୟାରିବୀୟ ରାଷ୍ଟ୍ରମାନଙ୍କୁ ସମ୍ପ୍ରସାରିତ ହେବ । ସେହିସବୁ ଉଲ୍ଲେଖନୀୟ ପଦକ୍ଷେପମାନ ଉଚିତ ମାର୍ଗରେ ଆଗକୁ ଅଗ୍ରସର ହେଉଛନ୍ତି ।
ବନ୍ଧୁଗଣ,
ଶକ୍ତି ପର୍ଯ୍ୟାନ୍ତରଣକୁ ସୁନିଶ୍ଚିତ କରିବା ସକାଶେ ବିଶ୍ୱକୁ ସାମୂହିକ ଭାବରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିବାକୁ ହେବ । ସବୁଜ ଶକ୍ତି ନିବେଶର ଆବଶ୍ୟକତାରେ ଥିବା ସାନ୍ଦ୍ରତା ଅସନ୍ତୁଳନକୁ ଦୂର କରିବାକୁ ପଡ଼ିବ । ଉତ୍ପାଦନ ଓ ପ୍ରଯୁକ୍ତି ଆବଶ୍ୟକତାକୁ ମଧ୍ୟ ବିକାଶଶୀଳ ରାଷ୍ଟ୍ରମାନଙ୍କରେ ପ୍ରଦର୍ଶନ କରିବାକୁ ହେବ । ନିମ୍ନ ବିକାଶଶୀଳ ରାଷ୍ଟ୍ର ଏବଂ କ୍ଷୁଦ୍ର ଦ୍ୱୀପ ରାଷ୍ଟ୍ର ସମୂହମାନଙ୍କୁ ସଶକ୍ତ କରିବା ଦିଗରେ ଅଗ୍ରାଧିକାର ପ୍ରଦାନ କରିବାକୁ ପଡ଼ିବ । ସଂଖ୍ୟାଲଘୁ ଗୋଷ୍ଠୀ, ମହିଳା ଏବଂ ଯୁବଗୋଷ୍ଠୀଙ୍କୁ ସମାଯୋଜନ ଜରିଆରେ ଏକଜୁଟ କରିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ମୋର ଦୃଢ଼ ବିଶ୍ୱାସ ଯେ ଅନ୍ତରାଷ୍ଟ୍ରୀୟ ସୌର ସଂଗଠନ ଏହି ସବୁ ପ୍ରସଙ୍ଗ ଉପରେ ଆଲୋଚନା ନିମନ୍ତେ ଆବଶ୍ୟକ ବାତାବରଣ ସୃଷ୍ଟି କରିବ ।
ବନ୍ଧୁଗଣ,
ଏକ ସବୁଜ ଭବିଷ୍ୟତ ଗଠନ ନିମନ୍ତେ ଭାରତ ବିଶ୍ୱ ସହିତ ଏକତ୍ର ମିଶି କାର୍ଯ୍ୟ କରିବା ନିମନ୍ତେ ବଚନବଦ୍ଧ । ବିଗତ ବର୍ଷ ଜି-୨୦ ଶିଖର ସମ୍ମିଳନୀ ଅବସରରେ, ଆମେ ଏକ ବୈଶ୍ୱିକ ଜୈବଇନ୍ଧନ ସଂଗଠନ ଗଠନ କରିବା ଦିଗରେ ନେତୃତ୍ୱ ଗ୍ରହଣ କରିଥିଲୁ । ଆନ୍ତର୍ଜାତିକ ସୌର ସଂଗଠନ ଗଠନରେ ଭାରତ ହେଉଛି ଏକ ପ୍ରତିଷ୍ଠାତା ସଦସ୍ୟ ରାଷ୍ଟ୍ର । ଏକ ସମାବେଶୀ, ସ୍ୱଚ୍ଛ ଏବଂ ସବୁଜ ଗ୍ରହ ଗଠନ ନିମନ୍ତେ ଭାରତ ପକ୍ଷରୁ ସକଳ ପ୍ରକାର ସମର୍ଥନ ଓ କାର୍ଯ୍ୟ ଅବଶ୍ୟ ସମ୍ପାଦନ କରାଯିବ ।
ମୁଁ ପୁଣି ଥରେ ଅନ୍ତରାଷ୍ଟ୍ରୀୟ ସୌର ଉତ୍ସବକୁ ସ୍ୱାଗତ କରୁଛି । ସୂର୍ଯ୍ୟଙ୍କ ଶକ୍ତି ବିଶ୍ୱକୁ ଏକ ପୋଷଣୀୟ ଭବିଷ୍ୟତ ଦିଗରେ ଅଗ୍ରସର ହେବା ନିମନ୍ତେ ସାମର୍ଥ୍ୟ ପ୍ରଦାନ କରୁ । ଧନ୍ୟବାଦ, ଆପଣମାନଙ୍କୁ ସମସ୍ତଙ୍କୁ ଅଶେଷ ଧନ୍ୟବାଦ ।