ମାତୃଭୂମିର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଏମ ଭି ଶ୍ରେୟମ୍ କୁମାରଜୀ, ମାତୃଭୂମି ସମ୍ବାଦପତ୍ରର ସମସ୍ତ ଟିମ୍ ଏବଂ ପାଠକବର୍ଗ, ଉପସ୍ଥିତ ଗଣ୍ୟମାଣ୍ୟ ବ୍ୟକ୍ତିଗଣ,
ନମସ୍କାରମ୍!
ଆଜି ମାତୃଭୂମି ସମ୍ବାଦପତ୍ରର ଶତାବ୍ଦୀ ସମାରୋହ ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ବେଳେ ମୁଁ ବେଶ୍ ଖୁସି ଅନୁଭବ କରୁଛି । ଏହି ଅବସରରେ ଏହି ସମ୍ବାଦପତ୍ର ସହିତ ଜଡ଼ିତ ସମସ୍ତ କର୍ମକର୍ତ୍ତା ଓ କର୍ମଚାରୀମାନଙ୍କୁ ମୁଁ ଅଭିନନ୍ଦନ ଜ୍ଞାପନ କରୁଛି । ଏହି ସମ୍ବାଦପତ୍ର କାର୍ଯ୍ୟାଳୟରେ ପୂର୍ବରୁ କାର୍ଯ୍ୟ କରିଥିବା ସମସ୍ତ କର୍ମକର୍ତ୍ତାମାନଙ୍କ ଅବଦାନକୁ ମଧ୍ୟ ମୁଁ ସ୍ମରଣ କରୁଛି । ଅନେକ ମହାନ୍ ହସ୍ତୀ ଯଥା ଶ୍ରୀ କେ ପି କେଶବ ମେନନ, କେ ଏ ଦାମୋଦର ମେନନ, କେରଳ ଗାନ୍ଧୀ ଶ୍ରୀ କେ କେଲାପ୍ପାନ ଏବଂ କରୁଣ ନୀଳକଣ୍ଠନ ନମ୍ବୁଦ୍ରୀପଦ ମାତୃଭୂମି ସମ୍ବାଦପତ୍ର ସହିତ ସଂଶ୍ଳିଷ୍ଟ ରହିଥିଲେ । ମୁଁ ଏମ ପି ବୀରେନ୍ଦ୍ର କୁମାରଙ୍କ କଥା ସ୍ମରଣ କରୁଛି ଯିଏକି ମାତୃଭୂମି ସମ୍ବାଦପତ୍ରର ପ୍ରସାର ବୃଦ୍ଧି ପ୍ରତି ବିଶେଷ ଧ୍ୟାନ ଦେଇଥିଲେ । ଜରୁରିକାଳୀନ ପରିସ୍ଥିତିବେଳେ ଭାରତର ଗଣତାନ୍ତ୍ରିକ ଚେତନାକୁ ଉଜ୍ଜୀବିତ ରଖିବା ସକାଶେ ତାଙ୍କର ପ୍ରୟାସକୁ ଆମେ କଦାପି ଭୁଲିପାରିବାନାହିଁ । ସେ ଜଣେ ପ୍ରଖ୍ୟାତ ବକ୍ତା, ବିଦ୍ୱାନ୍ ଏବଂ ପରିବେଶ ସୁରକ୍ଷା ପ୍ରତି ଆନ୍ତରିକ ଭାବେ ସମର୍ପିତ ବ୍ୟକ୍ତିତ୍ୱ ଥିଲେ ।
ବନ୍ଧୁଗଣ,
ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ, ମାତୃଭୂମି ସମ୍ବାଦପତ୍ର ଭାରତର ସ୍ୱାଧୀନତା ଆନ୍ଦୋଳନକୁ ପୁଷ୍ଟ କରିବା ନିମନ୍ତେ ଜନ୍ମଲାଭ କରିଥିଲା । ତେଣୁ ଦେଶର ସମ୍ବାଦପତ୍ର ଏବଂ ପତ୍ରପତ୍ରିକା ପ୍ରକାଶନର ଗୌରବମୟ ପରମ୍ପରାରେ ମାତୃଭୂମିର ଏକ ବିଶେଷ ଅବଦାନ ରହିଛି ଯାହାକି ଭାରତର ଜନତାଙ୍କୁ ଉପନିବେଶବାଦୀ ଶାସନ ବିରୁଦ୍ଧରେ ଏକଜୁଟ କରିବାରେ ସହାୟକ ହୋଇଥିଲା । ଯଦି ଆମେ ଆମର ଇତିହାସ ଆଡ଼କୁ ମୁହଁ ଫେରାଇ ଚାହିଁବା, ତେବେ ଲକ୍ଷ୍ୟ କରିପାରିବା ଯେ ଅନେକ ମହାନ ନେତା କୌଣସି ନା କୌଣସି ସମ୍ବାଦପତ୍ର ସହିତ ସଂଶ୍ଳିଷ୍ଟ ରହିଥିଲେ । ଲୋକମାନ୍ୟ ତିଲକ କେଶରୀ ଓ ମରାଠା ପତ୍ରିକା ସହିତ ଜଡ଼ିତ ଥିଲେ । ଗୋପାଳ କୃଷ୍ଣ ଗୋଖଲେ ହିତବାଦ ସମ୍ବାଦପତ୍ର ସହିତ ସଂଶ୍ଳିଷ୍ଟ ଥିଲେ । ପ୍ରବୁଦ୍ଧ ଭାରତ ପତ୍ରିକା ସ୍ୱାମୀ ବିବେକାନନ୍ଦଙ୍କ ସହିତ ଜଡିତ ହୋଇ ରହିଆସିଛି । ଯେତେବେଳେ ଆମେ ମହାତ୍ମା ଗାନ୍ଧୀଙ୍କ କଥା ସ୍ମରଣ କରୁ ତାଙ୍କର ୟଙ୍ଗ ଇଣ୍ଡିଆ, ନବଜୀବନ ଏବଂ ହରିଜନ ପତ୍ରିକା କଥା ଆମମାନଙ୍କ ମନକୁ ସ୍ୱତଃ ଆସିଥାଏ । ଶ୍ୟାମଜୀ କୃଷ୍ଣ ବର୍ମା ଦି ଇଣ୍ଡିଆନ୍ ସୋସିଓଲୋଜିଷ୍ଟ ପତ୍ରିକାର ସମ୍ପାଦନା କରୁଥିଲେ । ମୁଁ ଏହାର କେବଳ କେତେଗୋଟି ଉଦାହରଣ ମାତ୍ର ଦେଉଛି । ଏହି ତାଲିକା ସୁଦୀର୍ଘ ।
ବନ୍ଧୁଗଣ,
ଯଦି ମାତୃଭୂମି ସମ୍ବାଦପତ୍ର ଭାରତର ସ୍ୱାଧୀନତା ସଂଗ୍ରାମ ସମୟରେ ଆତ୍ମପ୍ରକାଶ କରିଥିଲା, ଏହି ସମ୍ବାଦପତ୍ର ଏବେ ତା’ର ଶତାବ୍ଦୀ ସମାରୋହ ପାଳନ କରୁଛି ଯେତେବେଳେ କି ଭାରତ ତା’ର ଆଜାଦୀ କା ଅମୃତ ମହୋତ୍ସବ ମନାଉଛି । ସ୍ୱରାଜ ପାଇଁ ସ୍ୱାଧୀନତା ସଂଗ୍ରାମ ବେଳେ ଆମେ ଆମର ଜୀବନ ବଳିଦାନ ଦେବାର ସୁଯୋଗ ଲାଭ କରିନଥିଲେ । କିନ୍ତୁ ଏହି ଅମୃତ କାଳ ଆମକୁ ଏକ ଅବସର ପ୍ରଦାନ କରିଛି ଯେତେବେଳେ ଆମେ ଏକ ସୁଦୃଢ଼, ବିକଶିତ ଏବଂ ସମାବେଶୀ ଗାରତ ଗଠନ ଦିଗରେ କାର୍ଯ୍ୟ କରିପାରିବା । ଯେକୌଣସି ଏକ ରାଷ୍ଟ୍ରର ବିକାଶ ନିମନ୍ତେ ଉତ୍ତମ ନୀତି ପ୍ରଣୟନ କରାଯିବା ଗୋଟିଏ ଦିଗ । କିନ୍ତୁ ସେହିସବୁ ନୀତିକୁ ସଫଳ ହେବା ନିମନ୍ତେ ଏବଂ ତାହାକୁ ନେଇ ଦେଶରେ ବ୍ୟାପକ ପରିବର୍ତ୍ତନ ସଂଘଟିତ ହେବା ସକାଶେ, ସମାଜର ପ୍ରତ୍ୟେକ ବର୍ଗର ଲୋକଙ୍କର ସକ୍ରିୟ ସହଯୋଗର ଏକାନ୍ତ ଆବଶ୍ୟକତା ରହିଛି । ସେଥିପାଇଁ ଗଣମାଧ୍ୟମ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ । ବିଗତ ବର୍ଷମାନଙ୍କରେ, ମୁଁ ଲକ୍ଷ୍ୟ କରିଛି ଗଣମାଧ୍ୟମ କେତେମାତ୍ରାରେ ଏହି ଦିଗରେ ସକାରାତ୍ମକ ଭୂମିକା ନିର୍ବାହ କରିପାରିବ । ସ୍ୱଚ୍ଛ ଭାରତ ଅଭିଯାନର ଉଦାହରଣ ସମସ୍ତଙ୍କୁ ଉତ୍ତମ ରୂପେ ଜଣା । ମୁଁ କହିବି ଯେ ଦେଶର ପ୍ରତ୍ୟେକ ଗଣମାଧ୍ୟମ ସଂସ୍ଥା ଏହି ଅଭିଯାନକୁ ବେଶ୍ ନିଷ୍ଠାର ସହିତ ଗ୍ରହଣ କରିଥିଲେ । ସେହିଭଳି ଯୋଗ, ଫିଟ୍ନେସ୍ ଏବଂ ବେଟୀ ବଚାଓ, ବେଟୀ ପଢ଼ାଓ ଭଳି କାର୍ଯ୍ୟକ୍ରମକୁ ଲୋକପ୍ରିୟ କରିବା ଦିଗରେ ଗଣମାଧ୍ୟମ ଖୁବ୍ ଉତ୍ସାହଜନକ ଭୂମିକା ନିର୍ବାହ କରିଆସିଛି । ଏସବୁ ପ୍ରସଙ୍ଗ ରାଜନୀତି ଏବଂ ରାଜନୈତିକ ଦଳର ପରିସର ବହିଭୂତ ବିଷୟ । ଆଗାମୀ ଦିଗରେ ଏହା ଏକ ଉତ୍ତମ ରାଷ୍ଟ୍ର ଗଠନ ନିମନ୍ତେ ଏହା ଅଭିପ୍ରେତ । ଏହାତିରିକ୍ତ, ଆଜାଦୀ କା ଅମୃତ ମହୋତ୍ସବକୁ ସ୍ମରଣ ରଖି ଆହୁରି ଅନେକ କିଛି କାର୍ଯ୍ୟ କରାଯାଇପାରିବ । ଆଜିକାଲି ଆମେ ଦେଖୁଛୁ ଯେ ସ୍ୱାଧୀନତା ସଂଗ୍ରାମ ସମୟର ଅଜ୍ଞାତ ଘଟଣାବଳୀ ଉପରେ ଲୋକମାନେ ଅଧିକ ଆଲୋକପାତ କରୁଛନ୍ତି ଏବଂ ଅଜ୍ଞାତ ସ୍ୱାଧୀନତା ସଂଗ୍ରମୀମାନଙ୍କର ଗୁଣାବଳୀ ଲୋକଲୋଚନକୁ ଆଣୁଛନ୍ତି । ଏହି ଘଟଣାକୁ ଆହୁରି ପ୍ରଚାର ପ୍ରସାର କରିବା ଦିଗରେ ଗଣମାଧ୍ୟମ ବିଶେଷ ଭୂମିକା ନିର୍ବାହ କରିପାରିବ । ସେହିଭଳି, ଦେଶର ପ୍ରତ୍ୟେକ ସହର ଓ ଗ୍ରାମର ସ୍ୱାଧୀନତା ସଂଗ୍ରାମ ସହିତ କୌଣସି ନା କୌଣସି ଭାବେ ଜଡ଼ିତ । ଏ ସଂପର୍କରେ ଲୋକମାନଙ୍କୁ ବିଶେଷ କିଛି ଜଣାନାହିଁ । ଆମେ ସେହିସବୁ ସ୍ଥାନଗୁଡ଼ିକୁ ଲୋକଲୋଚନକୁ ଆଣିବା ଦରକାର ଏବଂ ସେହିସବୁ ସ୍ଥାନମାନ ବୁଲିଯିବା ସକାଶେ ସେମାନଙ୍କୁ ପ୍ରୋତ୍ସାହିତ କରିବା ଆବଶ୍ୟକ । ଆମେମାନେ କ’ଣ ଅଣ-ଗଣମାଧ୍ୟମ ପୃଷ୍ଠଭୂମିର ନୂଆ ନୂଆ ଲେଖକମାନଙ୍କୁ ଏଥିପାଇଁ ପ୍ରୋତ୍ସାହିତ କରିପାରିବା ଏବଂ ନିଜର ଲିଖନ ଶୈଳୀକୁ ପ୍ରଦର୍ଶିତ କରିବା ନିମନ୍ତେ ସୁଯୋଗ ଯୋଗାଇ ପାରିବା? ଆମର ଭାରତର ସବୁଠାରୁ ବଡ଼ ସାମର୍ଥ୍ୟଟି ହେଲା ଆମର ବିବିଧତା । ଆପଣମାନଙ୍କର ଗଣମାଧ୍ୟମ ସାଧନ ମାମଧ୍ୟମରେ ଅନ୍ୟ କୌଣସି ଭାଷାର ଗୁରୁତ୍ୱପୂର୍ଣ୍ଣ ଶବ୍ଦାବଳୀକୁ କଣ ଆମେ ଲୋକପ୍ରିୟ କରିପାରିବାନାହିଁ?
ବନ୍ଧୁଗଣ,
ଆଜିର ସମୟରେ ଏବଂ ଯୁଗରେ ବିଶ୍ୱ ଭାରତ ଠାରୁ ଅନେକ ପ୍ରତ୍ୟାଶା ରଖିଛି । ଯେତେବେଳେ କୋଭିଡ -୧୯ ମହାମାରୀ ଆମ ଦେଶରେ ଆସି ପହଞ୍ôଚଥିଲା, ଏହା ଆଶଙ୍କା କରାଯାଉଥିଲା ଯେ ଏଭଳି ବିପଦକୁ ଭାରତ ସଫଳତାର ସହ ମୁକାବିଲା କରିପାରିବନାହିଁ । ସେଭଳି ସମାଲୋଚକମାନଙ୍କୁ ଭାରତ ଭୁଲ୍ ବୋଲି ପ୍ରମାଣିତ କରିଛି । ଆମେ ବିଗତ ଦୁଇବର୍ଷ ମଧ୍ୟରେ ଆମର ସ୍ୱାସ୍ଥ୍ୟ ବବ୍ୟସ୍ଥାକୁ କେବଳ ଉନ୍ନତ କରିନାହୁଁ ଅପରନ୍ତୁ ଆମେ ଆମର ଅର୍ଥବ୍ୟବସ୍ଥାର ସ୍ୱାସ୍ଥ୍ୟକୁ ମଧ୍ୟ ସଜାଡ଼ି ପାରିଛୁ । ଦୁଇ ବର୍ଷ ଧରି ଆମେ ୮୦କୋଟି ଲୋକଙ୍କୁ ମାଗଣାରେ ଖାଦ୍ୟାନ୍ନ ବଣ୍ଟନ କରିପାରିଛୁ । ୧୮୦ କୋଟି ଡୋଜ୍ କୋଭିଡ ପ୍ରତିଷେଧକ ଟିକା ନାଗରିକମାନଙ୍କୁ ଦିଆଯାଇଛି । ଏପରି ଏକ ସମୟରେ ଯେତେବେଳେକି ଯେତେବେଳେ ଟିକା ଗ୍ରହଣ ସକାଶେ ଅନେକ ରାଷ୍ଟ୍ର ଅମଙ୍ଗ ଥିଲେ, ଭାରତର ଜନସାଧାରଣ ସେମାନଙ୍କୁ ଏ ଦିଗରେ ମାର୍ଗ ପ୍ରଦର୍ଶନ କରିଛନ୍ତି । ଭାରତର ଶିକ୍ଷିତ ଯୁବସମାଜ ଦ୍ୱାରା ସମୃଦ୍ଧ ହୋଇ ଆମ ରାଷ୍ଟ୍ର ଏବେ ଆତ୍ମନିର୍ଭରତା ଦିଗରେ ଆଗକୁ ଆଗେଇ ଚାଲିଛି । ଏହି ନୀତିର ମୂଳରେ ଥିବା ଉଦ୍ଦେଶ୍ୟଟି ହେଲା ଭାରତକୁ ଏକ ଆର୍ଥିକ ଶକ୍ତିକେନ୍ଦ୍ରରେ ପରିଣତ କରିବା ଯାହାକି ଘରୋଇ ତଥା ବୈଶ୍ୱିକ ଆବଶ୍ୟକତାକୁ ପୂରଣ କରିପାରିବ । ଏହି ସମୟରେ ଦେଶରେ ଅଭୂତପୂର୍ବ ସଂସ୍କାର କାର୍ଯ୍ୟକ୍ରମମାନ ଅଣାଯାଇଛି ଯାହା ଆର୍ଥିକ ପ୍ରଗତିକୁ ପ୍ରୋତ୍ସାହିତ କରିଛି । ବିଭିନ୍ନ କ୍ଷେତ୍ରରେ ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ ଯୋଜନାମାନ ପ୍ରବର୍ତ୍ତନ କରାଯାଇଛି ଯାହାକି ସ୍ଥାନୀୟ ଉଦ୍ଦ୍ୟୋଗମାନଙ୍କୁ ପ୍ରୋତ୍ସାହନ ଯୋଗାଇ ଦେଉଛି । ଭାରତର ଷ୍ଟାର୍ଟ ଅପ୍ ବାତାବରଣ ଇତି ପୂର୍ବରୁ କେବେ ଏଭଳି ସକ୍ରିୟ ତ୍ନଥଲା । ଟାୟାର- ୨ ଏବଂ ଟାୟାର- ୩ ବର୍ଗର ଟାଉନର ଏବଂ ଗ୍ରାମମାନଙ୍କର ଯୁବପ୍ରତିଭାମାନେ ବେଶ୍ ପ୍ରଶଂସନୀୟ କାର୍ଯ୍ୟ କରୁଛନ୍ତି । ଆଜି, ଭାରତ ପ୍ରଯୁକ୍ତିଗତ ପ୍ରଗତି କ୍ଷେତ୍ରରେ ଭାରତ ସମଗ୍ର ବିଶ୍ୱରେ ନେତୃତ୍ୱ ଗ୍ରହଣ କରିଛି । କେବଳ ବିଗତ ୪ ବର୍ଷ ମଧ୍ୟରେ, ୟୁପିଆଇ କାରବାର ସଂଖ୍ୟାରେ ୭୦ ଗୁଣରୁ ଅଧିକ ବୃଦ୍ଧି ପରିଲକ୍ଷିତ ହୋଇଛି । ଏହା ଦର୍ଶାଉଛି ଯେ ସକାରାତ୍ମକ ପରିବର୍ତ୍ତନକୁ ଗ୍ରହଣ କରିବା ନିମନ୍ତେ ଆମର ଲୋକମାନେ କେତେମାତ୍ରାରେ ଆଗ୍ରହୀ ।
ବନ୍ଧୁଗଣ,
ଆମେ ପରବର୍ତ୍ତୀ ପିଢ଼ିର ଭିତ୍ତିଭୂମିର ଗୁରୁତ୍ୱ ସମ୍ପର୍କରେ ସଂପୂର୍ଣ୍ଣ ରୂପେ ଅବହିତ ରହିଛୁ । ସେଥିପାଇଁ ଜାତୀୟ ଭିତ୍ତିଭୂମି ପାଇପଲାଇନ କାର୍ଯ୍ୟକ୍ରମରେ ଆମେ ୧୧୦ ଲକ୍ଷ କୋଟି ଟଙ୍କା ବ୍ୟୟ କରାଯାଉଛି । ପିଏମ ଗତିଶକ୍ତି ଇନଫ୍ରା କ୍ରିଏସନ ଏବଂ ଶାସନ ପରିଚାଳନା ବ୍ୟବସ୍ଥାକୁ ଅଧିକ ନିରନ୍ତର ଓ ଅବାରିତ କରିବାକୁ ଯାଉଛି । ଆମେ ଏହି ଦିଗରେ ସକ୍ରିୟ ଭାବେ କାର୍ଯ୍ୟରତ ଯାହା ଦ୍ୱାରା ଭାରତର ପ୍ରତ୍ୟେକ ଗ୍ରାମରେ ହାଇ ସ୍ପିଡ୍ ଇଣ୍ଟରନେଟ ସଂଯୋଗ ସୁନିଶ୍ଚିତ କରାଯାଇପାରିବ । ଏହି ଦିଗରେ ଆମର ମୂଳ ନୀତିଟି ହେଲା ଭବିଷ୍ୟତ ପିଢ଼ି କିଭଳି ଭାବେ ବର୍ତ୍ତମାନ ଠାରୁ ଉତ୍ତମ ଜୀବନଶୈଳୀର ସହ ବଞ୍ôଚପାରିବେ ।
ବନ୍ଧୁଗଣ,
ଦୀର୍ଘ ବର୍ଷ ପୂର୍ବେ ମହାତ୍ମା ଗାନ୍ଧୀ ମାତୃଭୂମି ସମ୍ବାଦପତ୍ର କାର୍ଯ୍ୟାଳୟ ବୁଲି ଆସିଥିଲେ ଏବଂ ସେତେବେଳେ ସେ କହିଥିଲେ ଓ ମୁଁ ତାଙ୍କ ଉକ୍ତିକୁ ଉଦ୍ଧାର କରୁଛି: ‘ ମାତୃଭୂମି ଏକ ଅନୁଷ୍ଠାନ ଯାହା ନିଜ ଗୋଡ଼ରେ ନିଜେ ଠିଆ ହୋଇଛି । ଭାରତରେ କ୍ୱଚିତ ସମ୍ବାଦପତ୍ର ଏହି ସାଫଲ୍ୟ ହାସଲ କରିଛନ୍ତି । ତେଣୁ ଭାରତର ସମ୍ବାଦପତ୍ରମାନଙ୍କ ମଧ୍ୟରେ, ମାତୃଭୂମିର ମର୍ଯ୍ୟାଦା ସ୍ୱତନ୍ତ୍ର । ଉଦ୍ଧୃତି ସମାପ୍ତ । ମୋର ଦୃଢ଼ ବିଶ୍ୱାସ ଯେ ମାତୃଭୂମି ବାପୁଙ୍କର ଏହି ବଚନକୁ ସତ୍ୟ ବୋଲି ସଦାସର୍ବଦା ପ୍ରମାଣିତ କରିଚାଲିଥିବ । ମୁଁ ପୁଣି ଥରେ ମାତୃଭୂମିକୁ ସେମାନଙ୍କର ଶତାବ୍ଦୀ ସମାରୋହ ନିମନ୍ତେ ଅଭିନନ୍ଦନ ଜଣାଉଛି ଏବଂ ଏହାର ପାଠକପାଠିକାମାନଙ୍କୁ ମୋର ଶୁଭେଚ୍ଛା ଜ୍ଞାପନ କରୁଛି।
ଆପଣମାନଙ୍କୁ ଧନ୍ୟବାଦ ।
ଜୟ ହିନ୍ଦ୍ ।
ନମସ୍କାରମ୍ ।