ନମସ୍କାର,
ଗତ କିଛି ଦିନ ହେବ ମୁଁ ସରକାରଙ୍କ ଅଲଗା ଅଲଗା ଯୋଜନାର ହିତାଧିକାରୀଙ୍କ ସହ ଆଲୋଚନା କରୁଛି । ସରକାର ଯେଉଁ ଯୋଜନାସବୁ ପ୍ରସ୍ତୁତ କରିଛନ୍ତି, ସେସବୁର ଲାଭ ଲୋକମାନଙ୍କ ନିକଟରେ କିଭଳି ପହଂଚି ପାରୁଛି, ଏବଂ ଏସବୁ ଆମେ ଏବେ ଆହୁରି ଭଲ ଭାବେ ଜାଣିପାରୁଛୁ । ଜନତା ଜନାର୍ଦନ ସହ ପ୍ରତ୍ୟକ୍ଷ ଭାବେ ଯୋଡି ହେବା ଦ୍ୱାରା ଏହି ଲାଭ ହୋଇଥାଏ । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ମୋର ସମସ୍ତ ସହଯୋଗୀବୃନ୍ଦ, ସମଗ୍ର ଦେଶରେ ଅନେକ ରାଜ୍ୟରୁ ଏଠି ଉପସ୍ଥିତ ହୋଇଥିବା ସମ୍ମାନନୀୟ ମୁଖ୍ୟମନ୍ତ୍ରୀଗଣ, ଉପରାଜ୍ୟପାଳ ଏବଂ ଉପ-ମୁଖ୍ୟମନ୍ତ୍ରୀବୃନ୍ଦ, ରାଜ୍ୟ ସରକାରମାନଙ୍କର ମନ୍ତ୍ରୀ, ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି, ସମଗ୍ର ଦେଶରୁ ସାମିଲ ହୋଇଥିବା କୃଷକ ଏବଂ ଭାଇ ଓ ଭଉଣୀମାନେ,
ଆଜି ଦେଶର ପ୍ରାୟ ୧୦ କୋଟି କୃଷକଙ୍କ ବ୍ୟାଙ୍କ ଖାତାରେ ୧୯ ହଜାର ୫୦୦ କୋଟିରୁ ଅଧିକ ଅର୍ଥ ସିଧାସଳଖ ସେମାନଙ୍କୁ ହସ୍ତାନ୍ତରଣ କରାଯାଇଛି । ଏବଂ ମୁଁ ଦେଖୁଛି ଅନେକ ନିଜର ମୋବାଇଲରେ ଚେକ୍ କରୁଛନ୍ତି ଏହି ରାଶି ପହଂଚିଛି କି ନାହିଁ? ଏବଂ ପୁଣି ପରସ୍ପରକୁ ଅଭିନନ୍ଦନ ଜଣାଉଛନ୍ତି । ଆଜି ଯେତେବେଳେ ବର୍ଷା ଋତୁର ସମୟ ଏବଂ ରୁଆରୋଇ କାର୍ଯ୍ୟ ମଧ୍ୟ ଜୋରସୋରରେ ଚାଲିଛି, ତାହେଲେ ଏହି ଅର୍ଥ କ୍ଷୁଦ୍ର କୃଷକମାନଙ୍କର ବହୁତ କାମରେ ଲାଗିବ । ଆଜି ୧ ଲକ୍ଷ କୋଟି ଟଙ୍କାର କୃଷି ଭିତିଭୂମୀ ପାଣ୍ଠିକୁ ମଧ୍ୟ ଏକ ବର୍ଷ ପୂରଣ ହୋଇଯାଇଛି । ଏହା ମାଧ୍ୟମରେ ହଜାର ହଜାର କୃଷକ ସଂଗଠନଙ୍କୁ ସହାୟତା ମିଳୁଛି ।
ଭାଇ ଓ ଭଉଣୀମାନେ,
କୃଷକମାନଙ୍କୁ ଅତିରିକ୍ତ ଆୟ ପାଇଁ ସମ୍ବଳ ଯୋଗାଇ ଦେବା ସକାଶେ, ନୂଆ ନୂଆ କୃଷିକୁ ପ୍ରୋତ୍ସାହିତ କରିବା ନିମନ୍ତେ ସରକାର ସମ୍ପୁର୍ଣ୍ଣ ରୂପେ ପ୍ରତିଶୃତିବଦ୍ଧ । ମିଶନ୍ ମଧୁମଖି ମଧ୍ୟ ଏହିଭଳି ଏକ ଅଭିଯାନ ଅଟେ । ମିଶନ୍ ମଧୁମଖୀ ମାଧ୍ୟମରେ ଗତ ବର୍ଷ ଆମେ ପ୍ରାୟ ୭୦୦ କୋଟି ଟଙ୍କାର ମହୁ ରପ୍ତାନୀ କରିଛୁ, ଯାହାଦ୍ୱାରା କୃଷକମାନଙ୍କର ଅତିରିକ୍ତ ଆୟ ହୋଇପାରିଛି । ଜମ୍ମୁ କଶ୍ମୀରର କେଶର ତ ଏମିତି ମଧ୍ୟ ବିଶ୍ୱପ୍ରସିଦ୍ଧ ଅଟେ । ଏବେ ସରକାର ଏହି ନିଷ୍ପତି ନେଇଛନ୍ତି ଯେ ଜମ୍ମୁ କଶ୍ମୀରର କେଶର ସମଗ୍ର ଦେଶରେ ନାଫେଡର ଦୋକାନରେ ଉପଲବ୍ଧ ହେବ । ଏହାଦ୍ୱାରା ଜମ୍ମୁ କଶ୍ମୀରରେ କେଶର ଚାଷକୁ ଖୁବ୍ ପ୍ରୋତ୍ସାହନ ମିଳିବାକୁ ଯାଉଛି ।
ଭାଇ ଓ ଭଉଣୀମାନେ,
ଆପଣ ସମସ୍ତଙ୍କ ସହିତ ଏହି ଆଲୋଚନା ଏଭଳି ସମୟରେ ହେଉଛି, ଯେତେବେଳେ ଆମେ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଛୁ । ଆଜିଠାରୁ କିଛି ଦିନ ମଧ୍ୟରେ ଅଗଷ୍ଟ ୧୫ ଆସୁଛି । ଏଥର ଦେଶ ଏହାର ୭୫ତମ ସ୍ୱାଧୀନତା ଦିବସ ପାଳନ କରିବାକୁ ଯାଉଛି । ଏହି ମହତ୍ୱପୂର୍ଣ୍ଣ ଅବସର ଆମ ପାଇଁ ଏମିତି ତ ଗୌରବର ବିଷୟ, ଏହା ନୂଆ ନୂଆ ସଙ୍କଳ୍ପ, ନୂଆ ନୂଆ ଲକ୍ଷ୍ୟର ମଧ୍ୟ ଏକ ବହୁତ ବଡ ଅବସର ।
ଏହି ଅବସରରେ ଆମକୁ ଏହା ସ୍ଥିର କରିବାକୁ ପଡିବ ଯେ ଆଗାମୀ ୨୫ ବର୍ଷରେ ଆମେ ଭାରତକୁ କେଉଁ ସ୍ଥାନରେ ଦେଖିବାକୁ ଚାହୁଁଛୁ । ଦେଶ ଯେତେବେଳେ ୨୦୪୭ ମସିହାରେ ସ୍ୱାଧୀନତାର ୧୦୦ ବର୍ଷ ପୂରଣ କରିବ, ସେତେବେଳେ ଭାରତର ସ୍ଥିତି କ’ଣ ହେବ, ଏହା ସ୍ଥିର କରିବାରେ ଆମର କୃଷି, ଆମର ଗାଁ, ଆମର କୃଷକମାନଙ୍କର ବହୁତ ବଡ ଭୂମିକା ରହିଛି । ଏହି ସମୟରେ ଭାରତର କୃଷିକୁ ଏଭଳି ଏକ ଦିଗ ପ୍ରଦାନ କରିବାକୁ ହେବ, ଯାହା ନୂଆ ନୂଆ ଆହ୍ୱାନର ସମ୍ମୁଖୀନ କରିପାରିବ ଏବଂ ନୂଆ ନୂଆ ସୁଯୋଗର ପର୍ଯ୍ୟାପ୍ତ ଲାଭ ଉଠାଇପାରିବ ।
ଭାଇ ଓ ଭଉଣୀମାନେ,
ଏହି କାଳଖଣ୍ଡରେ ବହୁତ ଦୃତ ଗତିରେ ଘଟି ଚାଲିଥିବା ପରିବର୍ତନଗୁଡିକର ଆମେ ସମସ୍ତେ ସାକ୍ଷୀ । ସେସବୁ ଋତୁ ଏବଂ ପ୍ରକୃତି ସହ ଜଡିତ ପରିବର୍ତନ ହେଉ, ଖାଦ୍ୟପେୟ ସହିତ ସଂଶ୍ଳିଷ୍ଟ ପରିବର୍ତନ ହେଉ ଅବା ମହାମାରୀ କାରଣରୁ ସମଗ୍ର ବିଶ୍ୱରେ ହେଉଥିବା ପରିବର୍ତନ ହେଉ । ଆମେ ଗତ ଦେଢ ବର୍ଷ ମଧ୍ୟରେ କରୋନା ମହାମାରୀ କାଳରେ ଏହାକୁ ଅନୁଭବ ମଧ୍ୟ କରିଛୁ । ଏହି କାଳଖଣ୍ଡରେ ଦେଶରେ ହିଁ ଖାଦ୍ୟପେୟର ଅଭ୍ୟାସକୁ ନେଇ ବହୁତ ସଚେତନତା ଆସିଛି । ଖାଦ୍ୟଶସ୍ୟର, ପନିପରିବା ଏବଂ ଫଳମୂଳର, ମସଲାର, ଜୈବିକ ଉତ୍ପାଦର ଚାହିଦା ଏବେ ଦୃତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଏଥିପାଇଁ ଭାରତୀୟ କୃଷିକୁ ମଧ୍ୟ ଏବେ ଏହି ପରିବର୍ତିତ ଆବଶ୍ୟକତା ଏବଂ ପରିବର୍ତନଶୀଳ ଚାହିଦା ଅନୁଯାୟୀ ବଦଳିବାକୁ ହିଁ ପଡିବ । ଏବଂ ମୁଁ ସଦାସର୍ବଦା ବିଶ୍ୱାସ କରେ ଯେ ଆମ ଦେଶର କୃଷକ ଏହିସବୁ ପରିବର୍ତନକୁ ନିଶ୍ଚିତ ଭାବେ ଆପଣାଇ ନେବ ।
ବନ୍ଧୁଗଣ,
ଏହି ମହାମାରୀ କାଳରେ ମଧ୍ୟ ଆମେ ଭାରତର କୃଷକମାନଙ୍କ ସାମର୍ଥ୍ୟକୁ ଦେଖିଛୁ । ରେକର୍ଡ ଉତ୍ପାଦନ ମଧ୍ୟରେ କୃଷକଙ୍କ ଅସୁବିଧା କିଭଳି ଦୂର କରାଯାଇପାରିବ ସେ ବିଷୟରେ ମଧ୍ୟ ସରକାର ପ୍ରୟାସ କରିଛନ୍ତି । ସରକାର କୃଷି ଏବଂ ଏଥସହ ଜଡିତ ପ୍ରତ୍ୟେକ କ୍ଷେତ୍ରକୁ ବିହନ, ସାରଠାରୁ ଆରମ୍ଭ କରି ନିଜର ଉତ୍ପାଦକୁ ବଜାର ପର୍ଯ୍ୟନ୍ତ ପହଂଚାଇବା ସକାଶେ ଯଥାସମ୍ଭବ ପ୍ରୟାସ କରିଛନ୍ତି, ଉପାୟ କରିଛନ୍ତି । ନିରନ୍ତର ଭାବେ ୟୁରିଆ ଯୋଗାଇ ଦିଆଯାଇଛି । ଡିଏପି, ଯାହାର ମୂଲ୍ୟ ଅନ୍ତରାଷ୍ଟ୍ରୀୟ ବଜାରରେ ଏହି କରୋନା କାରଣରୁ ବହୁ ମାତ୍ରାରେ ବୃଦ୍ଧି ପାଇଥିଲା, ତାହାର ବୋଝ ମଧ୍ୟ ସରକାର କୃଷକମାନଙ୍କ ଉପରେ ପଡିବାକୁ ଦେଇ ନଥିଲେ । ସରକାର ଏଥିପାଇଁ ତୁରନ୍ତ ୧୨,୦୦୦ କୋଟି ଟଙ୍କାର ବ୍ୟବସ୍ଥା କରିଥିଲେ ।
ବନ୍ଧୁଗଣ,
ଖରିଫ ହେଉ ବା ରବି ହେଉ ସରକାର କୃଷକମାନଙ୍କଠାରୁ ସର୍ବନିମ୍ନ ସହାୟକ ମୂଲ୍ୟରେ ଆଜି ପର୍ଯ୍ୟନ୍ତ ସର୍ବାଧିକ କ୍ରୟ କରିଛନ୍ତି । ଏହା ମାଧ୍ୟମରେ, ଧାନ ଚାଷୀଙ୍କ ଖାତାରେ ପ୍ରାୟ ୧ ଲକ୍ଷ ୭୦ ହଜାର କୋଟି ଟଙ୍କା ଏବଂ ଗହମ ଚାଷୀଙ୍କ ଖାତାରେ ପ୍ରାୟ ୮୫ ହଜାର କୋଟି ଟଙ୍କା ସିଧାସଳଖ ପହଂଚିଛି । କୃଷକ ଏବଂ ସରକାରଙ୍କ ଏହି ଭାଗିଦାରୀ କାରଣରୁ ଆଜି ଭାରତର ଅନ୍ନ ଭଣ୍ଡାର ଭରପୁର ହୋଇଯାଇଛି । କିନ୍ତୁ ବନ୍ଧୁଗଣ, ଆମେ ଦେଖିଛୁ ଯେ କେବଳ ଗହମ, ଚାଉଳ, ଚିନିରେ ହିଁ ଆତ୍ମନିର୍ଭରତା ଯଥେଷ୍ଟ ନୁହେଁ, ବରଂ ଡାଲି ଓ ତେଲରେ ମଧ୍ୟ ଆତ୍ମନିର୍ଭରତା ବହୁତ ଆବଶ୍ୟକ ଅଟେ । ଏବଂ ଭାରତର କୃଷକ ଏହା କରି ଦେଖାଇପାରିବେ । ମୋର ମନେଅଛି ଯେ କିଛି ବର୍ଷ ପୂର୍ବେ ଯେତେବେଳେ ଦେଶରେ ଡାଲିର ପରିମାଣ ହ୍ରାସ ପାଇଥିଲା, ସେତେବେଳେ ମୁଁ ଦେଶର କୃଷକମାନଙ୍କୁ ଡାଲି ଉତ୍ପାଦନ ବୃଦ୍ଧି କରାଇବା ପାଇଁ ଅନୁରୋଧ କରିଥିଲି । ମୋର ସେହି ଅନୁରୋଧକୁ ଦେଶର କୃଷକମାନେ ସ୍ୱୀକାର କରିଥିଲେ । ପରିଣାମ ଏହା ହୋଇଥିଲା ଯେ ଗତ ୬ ବର୍ଷ ମଧ୍ୟରେ ଦେଶରେ ଡାଲିର ଉତ୍ପାଦନରେ ପ୍ରାୟ ୫୦ ପ୍ରତିଶତ ବୃଦ୍ଧି ଘଟିଛି । ଯେଉଁ କାର୍ଯ୍ୟ ଆମେ ଡାଲିଜାତୀୟ ଶସ୍ୟରେ କରିପାରିଛୁ କିମ୍ବା ଅତୀତରେ ଗହମ ଓ ଧାନରେ କରିପାରିଛୁ ଏବେ ଆମକୁ ସେହି ସମାନ ସଙ୍କଳ୍ପ ଖାଇବା ତେଲର ଉତ୍ପାଦନ ପାଇଁ ମଧ୍ୟ ନେବାକୁ ପଡିବ । ଖାଇବା ତେଲରେ ଆମ ଦେଶ ଆତ୍ମନିର୍ଭର ହେଉ, ଏଥିପାଇଁ ଆମକୁ ଦୃତ ଗତିରେ କାର୍ଯ୍ୟ କରିବାକୁ ପଡିବ ।
ଭାଇ ଓ ଭଉଣୀମାନେ,
ଖାଇବା ତେଲରେ ଆତ୍ମନିର୍ଭରତା ପାଇଁ ଏବେ ରାଷ୍ଟ୍ରୀୟ ଖାଇବା ତେଲ ମିଶନ୍, ଅଏଲ ପାମ୍ର ସଙ୍କଳ୍ପ ନିଆଯାଇଛି । ଆଜି ଦେଶ ଭାରତ ଛାଡ ଆନ୍ଦୋଳନକୁ ମନେ ପକାଉଛି, ତେଣୁ ଏହି ଐତିହାସିକ ଦିନରେ ଏହି ସଙ୍କଳ୍ପ ଆମ ଭିତରେ ନୂତନ ଶକ୍ତିର ସଂଚାର କରୁଛି । ଏହି ମିଶନ ମାଧ୍ୟମରେ ଖାଇବା ତେଲ ସହ ସଂଶ୍ଳିଷ୍ଟ ବାତାବରଣ ଉପରେ ୧୧ ହଜାର କୋଟିରୁ ଅଧିକ ପୁଞ୍ଜି ନିବେଶ କରାଯିବ । କୃଷକମାନଙ୍କୁ ଉତମ ବିହନଠାରୁ ଆରମ୍ଭ କରି ଜ୍ଞାନକୌଶଳ ପର୍ଯ୍ୟନ୍ତ ସମସ୍ତ ଆନୁଷଙ୍ଗିକ ସୁବିଧା କିପରି ମିଳିପାରିବ ସରକାର ତାହା ସୁନିଶ୍ଚିତ କରିବେ । ଏହି ମିଶନ୍ ଅଧିନରେ ପାମୋଲିନ୍ ତୈଳବୀଜର ଚାଷକୁ ପ୍ରୋତ୍ସାହନ ଦେବା ସହ ଆମର ଅନ୍ୟ ଯେଉଁ ପାରମ୍ପରିକ ତୈଳବୀଜ ଫସଲଗୁଡିକ ରହିଛି, ସେଗୁଡିକର ଚାଷ ମଧ୍ୟ ବ୍ୟାପକ କରାଯିବ ।
ବନ୍ଧୁଗଣ,
ଆଜି ଭାରତ କୃଷି ରପ୍ତାନୀ କ୍ଷେତ୍ରରେ ପ୍ରଥମ ଥର ପାଇଁ ବିଶ୍ୱର ପ୍ରଥମ ୧୦ଟି ଦେଶ ମଧ୍ୟରେ ସାମିଲ ହୋଇଛି । କରୋନା କାଳରେ ହିଁ ଦେଶ କୃଷି ରପ୍ତାନୀର ନୂଆ ରେକର୍ଡ ସୃଷ୍ଟି କରିଛି । ଆଜି ଯେତେବେଳେ ଭାରତକୁ ଏକ ବୃହତ କୃଷି ରପ୍ତାନିକାରୀ ରାଷ୍ଟ୍ରର ପରିଚୟ ମିଳୁଛି ସେତେବେଳେ ଆମେ ନିଜର ଖାଇବା ତେଲର ଆବଶ୍ୟକତା ପୂରଣ ପାଇଁ ରପ୍ତାନୀ ଉପରେ ନିର୍ଭର କରୁଛୁ, ଏହା ଆଦୌ ଉଚିତ୍ ନୁହେଁ । ଏଥିରେ ମଧ୍ୟ ଆମଦାନୀ ହୋଇଥିବା ପାମୋଲିନ୍ ତେଲର ଭାଗ ୫୫ ପ୍ରତିଶତରୁ ଅଧିକ । ଏହି ସ୍ଥିତିକୁ ଆମକୁ ବଦଳାଇବାକୁ ପଡିବ । ଖାଇବା ତେଲ କିଣିବା ପାଇଁ ଆମେ ଯେଉଁ ହଜାର ହଜାର କୋଟି ଟଙ୍କା ବିଦେଶରେ ଅନ୍ୟମାନଙ୍କୁ ଦେବାକୁ ପଡୁଛି, ତାହା ଆମ ଦେଶର କୃଷକଙ୍କୁ ହିଁ ମିଳିବା ଉଚିତ୍ । ଭାରତରେ ପାମୋଲିନ୍ ତୈଳବୀଜର ଚାଷ ନିମନ୍ତେ ସମସ୍ତ ଆବଶ୍ୟକୀୟ ସମ୍ଭାବନା ମହଜୁଦ୍ ଅଛି । ଉତର ପୂର୍ବ ଏବଂ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ, ବିଶେଷଭାବରେ ଏହାକୁ ବୃଦ୍ଧି କରାଯାଇପାରିବ । ଏହା ସେହି ଅଂଚଳ ଅଟେ ଯେଉଁଠାରେ ଅତି ସହଜରେ ପାମୋଲିନ୍ର ଚାଷ କରାଯାଇପାରିବ । ପାମୋଲିନ୍ ତୈଳବୀଜର ଉତ୍ପାଦନ ମଧ୍ୟ କରାଯାଇପାରିବ ।
ବନ୍ଧୁଗଣ,
ଖାଇବା ତେଲରେ ଆତ୍ମନିର୍ଭରତାର ଏହି ମିଶନର ଅନେକ ସୁଫଳ ରହିଛି । ଏହାଦ୍ୱାରା କୃଷକମାନଙ୍କୁ ତ ପ୍ରତ୍ୟକ୍ଷ ଭାବେ ଫାଇଦା ମିଳିବ, ଗରିବ ଏବଂ ମଧ୍ୟମ ବର୍ଗର ପରିବାରଗୁଡିକୁ ସୁଲଭ ଏବଂ ଉତମ ଗୁଣବତାର ତେଲ ମଧ୍ୟ ମିଳିପାରିବ । କେବଳ ଏତିକି ନୁହେଁ, ଏହି ମିଶନ୍ ବୃହତ ସ୍ତରରେ ରୋଜଗାର ସୃଷ୍ଟି କରିବ, ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପକୁ ମଜବୁତ୍ କରିବ । ବିଶେଷକରି ଫ୍ରେସ୍ ଫ୍ରୁଟ ବଂଚ୍ ପ୍ରୋସେସିଂ ସହିତ ଜଡିତ ଉଦ୍ୟୋଗଗୁଡିକୁ ବିସ୍ତାର କରିବ । ଯେଉଁସବୁ ରାଜ୍ୟରେ ପାମୋଲିନ୍ ତୈଳବୀଜ ଚାଷ ହେବ, ସେଠାରେ ପରିବହନଠାରୁ ଆରମ୍ଭ କରି ଫଳ ପ୍ରକ୍ରିୟାକରଣ ୟୁନିଟଗୁଡିକରେ ଯୁବପିଢୀକୁ ବେଶ ରୋଜଗାର ମିଳିପାରିବ ।
ଭାଇ ଓ ଭଉଣୀମାନେ,
ପାମୋଲିନ୍ ତୈଳବୀଜ ଚାଷର ବହୁତ ବଡ ଲାଭ ଦେଶର ଛୋଟ ଛୋଟ କୃଷକମାନଙ୍କୁ ମିଳିବ । ପାମୋଲିନ ତୈଳବୀଜର ହେକ୍ଟର ପିଛା ଉତ୍ପାଦନ ପରିମାଣ ଅନ୍ୟାନ୍ୟ ତୈଳବୀଜ ତୁଳନାରେ ବହୁତ ଅଧିକ ଅଟେ । ଅର୍ଥାତ୍ ଅଏଲ ପାମ୍ ମିଶନ୍ ଦ୍ୱାରା ଖୁବ୍ ଛୋଟ ଜାଗାରେ ଅଧିକ ଫସଲ ଅମଳ କରି କ୍ଷୁଦ୍ର ଚାଷୀ ଅଧିକ ଲାଭ ହାସଲ କରିପାରିବେ ।
ବନ୍ଧୁଗଣ,
ଏକଥା ଆପଣମାନେ ଭଲଭାବେ ଜାଣିଛନ୍ତି ଯେ ଦେଶର ୮୦ ପ୍ରତିଶତରୁ ଅଧିକ କୃଷକଙ୍କ ନିକଟରେ ୨ ଏକର ପର୍ଯ୍ୟନ୍ତ ହିଁ ଜମି ରହିଛି । ଆଗାମୀ ୨୫ ବର୍ଷରେ ଦେଶର କୃଷିକୁ ସମୃଦ୍ଧ କରିବାରେ ଏହି ଛୋଟ ଛୋଟ ଚାଷୀଙ୍କର ବହୁତ ବଡ ଭୂମିକା ରହିବ । ତେଣୁ ଏବେ ଦେଶର କୃଷି ନୀତିଗୁଡିକରେ ଏହି ଛୋଟ ଛୋଟ ଚାଷୀମାନଙ୍କୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଉଛି । ଏହି ବିଚାରଧାରା ସହିତ ବିଗତ ବର୍ଷମାନଙ୍କରେ କ୍ଷୁଦ୍ର ଚାଷୀମାନଙ୍କୁ ସୁବିଧା ଓ ସୁରକ୍ଷା ଯୋଗାଇଦେବା ନିମନ୍ତେ ଏକ ଗମ୍ଭୀର ପ୍ରୟାସ କରାଯାଉଛି । ପିଏମ୍ କିଷାନ ସମ୍ମାନନିଧି ଅଧିନରେ ଏପର୍ଯ୍ୟନ୍ତ ୧ ଲକ୍ଷ ୬୦ ହଜାର କୋଟି ଟଙ୍କା କୃଷକମାନଙ୍କୁ ଦିଆଯାଇଛି । ଏଥିରେ ପ୍ରାୟ ୧ ଲକ୍ଷ କୋଟି ଟଙ୍କା ତ କେବଳ କରୋନାର ସଙ୍କଟ କାଳରେ ହିଁ କ୍ଷୁଦ୍ର ଚାଷୀମାନଙ୍କ ନିକଟରେ ପହଂଚିଛି । କେବଳ ଏତିକି ନୁହେଁ, କରୋନା କାଳରେ ହିଁ ୨ କୋଟିରୁ ଅଧିକ କିଷାନ୍ କ୍ରେଡିଟ୍ କାର୍ଡ ଜାରି କରାଯାଇଛି । ଯେଉଁଥିରୁ ଅଧିକାଂଶ କ୍ଷୁଦ୍ର ଚାଷୀମାନଙ୍କର । ଏହି କାର୍ଡ ମାଧ୍ୟମରେ କୃଷକମାନେ ହଜାର ହଜାର କୋଟି ଟଙ୍କାର ଋଣ ମଧ୍ୟ ନେଇଛନ୍ତି । କଳ୍ପନା କରନ୍ତୁ, ଯଦି ଏହି ସହାୟତା କ୍ଷୁଦ୍ର ଚାଷୀମାନଙ୍କୁ ମିଳି ନଥାନ୍ତା, ୧୦୦ ବର୍ଷ ମଧ୍ୟରେ ସବୁଠାରୁ ବଡ ଏହି ବିପତିରେ ସେମାନଙ୍କର ସ୍ଥିତି କ’ଣ ହୋଇଥାଆନ୍ତା । ଛୋଟ ଛୋଟ ଆବଶ୍ୟକତା ପାଇଁ ସେମାନଙ୍କୁ କାହା କାହା ଦୁଆରକୁ ଯିବାକୁ ପଡି ନଥାନ୍ତା ।
ଭାଇ ଓ ଭଉଣୀମାନେ,
ଆଜି ଯେଉଁ କୃଷି ଭିତିଭୂମୀ ପ୍ରସ୍ତୁତ ହେଉଛି, ଯେଉଁ ସଂଯୋଗର ମୌଳିକ ଢାଂଚା ପ୍ରସ୍ତୁତ ହେଉଛି କିମ୍ବା ଯେଉଁ ବଡ ବଡ ଫୁଡ ପାର୍କ ପ୍ରତିଷ୍ଠା କରାଯାଉଛି, ଏସବୁର ବହୁତ ବଡ ଲାଭ କ୍ଷୁଦ୍ର ଚାଷୀମାନଙ୍କର ହିଁ ହେଉଛି । ଆଜି ଦେଶରେ ସ୍ୱତନ୍ତ୍ର କିଷାନ୍ ରେଳ ଚଳାଚଳ କରୁଛି । ଏହିସବୁ ଟ୍ରେନ୍ ଦ୍ୱାରା ହଜାର ହଜାର ଚାଷୀ ନିଜର ଉତ୍ପାଦକୁ ସ୍ୱଳ୍ପ ମୂଲ୍ୟରେ, ବହୁତ କମ୍ ପରିବହନ ବାବଦ ଖର୍ଚ୍ଚରେ, ଦେଶର ବଡ ବଡ ମଣ୍ଡି ପର୍ଯ୍ୟନ୍ତ ପହଂଚାଇ ଅଧିକ ଦରରେ ବିକ୍ରୀ କରୁଛନ୍ତି । ଏହିଭଳି ଯେଉଁ ସ୍ୱତନ୍ତ୍ର ଭିତିଭୂମୀ ପାଣ୍ଠି ରହିଛି, ତାକୁ ବିନିଯୋଗ କରାଯାଇ କ୍ଷୁଦ୍ର ଚାଷୀମାନଙ୍କ ପାଇଁ ଆଧୁନିକ ଭଣ୍ଡାରଣ ସୁବିଧା ମଧ୍ୟ ପ୍ରସ୍ତୁତ କରାଯାଉଛି । ଗତ ବର୍ଷ ସାଢେ ୬ ହଜାରରୁ ଅଧିକ ପ୍ରକଳ୍ପକୁ ସ୍ୱୀକୃତି ପ୍ରଦାନ କରାଯାଇଛି । ଯେଉଁମାନଙ୍କ ପ୍ରକଳ୍ପ ମଞ୍ଜୁର ହୋଇଛି ସେଥିରେ କୃଷକ ମଧ୍ୟ ଅଛନ୍ତି, କୃଷକମାନଙ୍କ ସମିତି ଏବଂ କୃଷକ ଉତ୍ପାଦକ ସଂଘ ମଧ୍ୟ ରହିଛନ୍ତି, ସ୍ୱୟଂ ସହାୟକ ଗୋଷ୍ଠୀ ମଧ୍ୟ ଅଛନ୍ତି ଏବଂ ଷ୍ଟାର୍ଟ ଅପ୍ଗୁଡିକ ମଧ୍ୟ ରହିଛନ୍ତି । ନିକଟରେ ଆଉ ଏକ ବଡ ନିଷ୍ପତି ସ୍ୱରୂପ ଯେଉଁସବୁ ରାଜ୍ୟରେ ସରକାରୀ ମଣ୍ଡି ରହିଛି ସେହି ମଣ୍ଡିଗୁଡିକୁ ଏହି ପାଣ୍ଠିରୁ କିପରି ସହାୟତା ମିଳିପାରିବ ସରକାର ତାହା ସ୍ଥିର କରିଛନ୍ତି । ଏହି ପାଣ୍ଠିର ଉପଯୋଗ କରି ଆମର ସରକାରୀ ମଣ୍ଡିଗୁଡିକୁ ଅଧିକ ଉତମ, ଅଧିକ ମଜବୁତ ଏବଂ ଅଧିକ ଆଧୁନିକ କରାଯିବା ଦିଗରେ ପଦକ୍ଷେପ ନିଆଯିବ ।
ଭାଇ ଓ ଭଉଣୀମାନେ,
ଭିତିଭୂମୀ ପାଣ୍ଠି ହେଉ ଅବା ପୁଣି ୧୦ ହଜାର କୃଷକ ଉତ୍ପାଦକ ସଂଘର ନିର୍ମାଣ, ଏହା ହିଁ ପ୍ରୟାସ ଯେ କ୍ଷୁଦ୍ର ଚାଷୀମାନଙ୍କର ସାମର୍ଥ୍ୟ କିପରି ବୃଦ୍ଧି କରାଯିବ । କ୍ଷୁଦ୍ର ଚାଷୀମାନଙ୍କୁ ବଜାରର ଉପଲବ୍ଧତା ଅଧିକ ହେଉ ଏବଂ ବଜାରରେ ମୂଲଚାଲ କରିବା ପାଇଁ ସେମାନଙ୍କର କ୍ଷମତାରେ ମଧ୍ୟ ବୃଦ୍ଧି ଘଟୁ । ଯେତେବେଳେ କୃଷକ ଉତ୍ପାଦକ ସଂଘ ମାଧ୍ୟମରେ, ସରକାରୀ ତନ୍ତ୍ର ସହିତ, ଶହ ଶହ କ୍ଷୁଦ୍ର ଚାଷୀ ଏକାଠି ହେବେ ତାହାହେଲେ ଯାଇ ସେମାନଙ୍କର ଶକ୍ତି ଶହ ଶହ ଗୁଣ ବୃଦ୍ଧି ପାଇବ । ଏହାଦ୍ୱାରା ଖାଦ୍ୟ ପ୍ରକ୍ରିୟାକରଣ ହେଉ ଅବା ପୁଣି ଉତ୍ପାଦନ, ଏଥିରେ କୃଷକମାନଙ୍କର ଅନ୍ୟମାନଙ୍କ ଉପରେ ନିର୍ଭରଶୀଳତା ହ୍ରାସ ପାଇବ । ସେମାନେ ନିଜେ ମଧ୍ୟ ସ୍ୱାଧୀନ ଭାବେ ସିଧାସଳଖ ବିଦେଶୀ ବଜାରରେ ନିଜର ଉତ୍ପାଦ ବିକ୍ରୀବଟା କରିପାରିବେ । ବନ୍ଧନରୁ ମୁକ୍ତ ହେବା ଦ୍ୱାରା ହିଁ ଦେଶର କୃଷକ ଆହୁରି ଦୃତ ଗତିରେ ବଢିପାରିବେ । ଏହି ବିଚାରଧାରା ସହିତ ଆମକୁ ଆଗାମୀ ୨୫ ବର୍ଷର ଏକ ସଙ୍କଳ୍ପକୁ ସିଦ୍ଧ କରିବାକୁ ପଡିବ । ତୈଳବୀଜରେ ଆତ୍ମନିର୍ଭରତାର ମିଶନରେ ଆମକୁ ଏବେଠାରୁ ଯୋଡି ହୋଇଯିବାକୁ ପଡିବ । ପୁଣି ଆଉଥରେ ପିଏମ୍ କିଷାନ୍ ସମ୍ମାନନିଧିର ସମସ୍ତ ହିତାଧିକାରୀମାନଙ୍କୁ ମୋର ଶୁଭେଚ୍ଛା । ଅନେକ ଅନେକ ଧନ୍ୟବାଦ!