ୟେଲାରିଗୁ ! ନମସ୍କାରମ୍ !
ସୁତୁର ସଂସ୍ଥାନବୁ ଶିକ୍ଷଣ, ସାମାଜିକ ସେବେ, ଅନ୍ନଦା – ସୋହକ୍କେ, ପ୍ରଖ୍ୟାତି ପଡେଦିରୁବ, ବିଶ୍ୱ ପ୍ରସିଦ୍ଧ ସଂସ୍ଥେୟା – ଗିଦେ, ଇ – କ୍ଷେତ୍ରକ୍କେ, ଆଗାମୀ – ସିରୁ – ବୁଦକ୍କେ, ନନଗେ ଅତୀବ ସନ୍ତୋଷ – ବାଗିଦେ ।
ଶ୍ରଦ୍ଧେୟ ଶ୍ରୀ ଶିବରାତ୍ରି ଦେଶିକେନ୍ଦ୍ର ମହାସ୍ୱାମୀ ଜୀ, ଶ୍ରୀ ସିଦ୍ଧେଶ୍ୱର ମହାସ୍ୱାମୀ ଜୀ, ଶ୍ରୀ ସିଦ୍ଧଲିଙ୍ଗ ମହାସ୍ୱାମୀ ଜୀ, କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଶ୍ରୀ ବାସବରାଜ ଜୀ, କେନ୍ଦ୍ର କ୍ୟାବିନେଟ୍ର ମୋର ବନ୍ଧୁ ପ୍ରହଲ୍ଲାଦ ଜୋଶୀ ଜୀ, କର୍ଣ୍ଣାଟକ ସରକାରଙ୍କର ମନ୍ତ୍ରୀ ଗଣ, ସାଂସଦ ଗଣ, ବିଧାୟକ ଗଣ, ଏବଂ ସୁତୁର ମଠ ସହିତ ଯୋଡି ହୋଇ ରହିଥିବା ସମସ୍ତ ଶ୍ରଦ୍ଧାଳୁ ଗଣ ! ଏବଂ ବିଶାଳ ସଂଖ୍ୟାରେ ଆମକୁ ଆଶୀର୍ବାଦ ଦେବାକୁ ଏହି ସ୍ଥାନକୁ ଆସିଥିବା ପୂଜ୍ୟ ସନ୍ଥ ଗଣ!
ମୁଁ ମହୀଶୂରର ଅଧିଷ୍ଠାତ୍ରୀ ଦେବୀ ମାତା ଚାମୁଣ୍ଡେଶ୍ୱରୀଙ୍କୁ ନତମସ୍ତକ ହୋଇ ପ୍ରଣାମ କରୁଛି । ଏହା ହେଉଛି ମାଆଙ୍କର କୃପା ଯେ, ଆଜି ମୋତେ ମହୀଶୂର ଆସିବା ନିମନ୍ତେ ସୈାଭାଗ୍ୟ ପ୍ରାପ୍ତ ହୋଇଛି, ମହୀଶୂର ବିକାଶ ନିମନ୍ତେ ଅନେକ ବଡ କାର୍ଯ୍ୟ ଗୁଡିକର ଲୋକାର୍ପଣ କରିବାର ସୁୁଯୋଗ ମଧ୍ୟ ମିଳିଛି । ଏବଂ ଏବେ, ମୁଁ ଏଠାରେ ସମସ୍ତ ସନ୍ଥ ମାନଙ୍କ ମଧ୍ୟରେ ଏହି ପୂଣ୍ୟ କାର୍ଯ୍ୟକ୍ରମରେ ଆସି ଯୋଗ ଦେଇ ନିଜକୁ ବହୁତ ଧନ୍ୟ ଅନୁଭବ କରୁଛି । ଏହି ସ୍ଥାନରୁ ମୁଁ ମାଆ ଚାମୁଣ୍ଡେଶ୍ୱରୀଙ୍କ ନିକଟକୁ ଯିବି , ତାଙ୍କର ଆଶୀର୍ବାଦ ଭିକ୍ଷା କରିବି । ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅବସରରେ, ମୁଁ ଶ୍ରୀ ସୁତୁର ମଠର ସନ୍ଥ ମାନଙ୍କୁ, ଆଚାର୍ଯ୍ୟ ମାନଙ୍କୁ ଏବଂ ମୁନି ଋଷି ମାନଙ୍କୁ, ଏହି ମଠର ମହାନ ପରମ୍ପରା, ଏହାର ସମସ୍ତ ପ୍ରଚେଷ୍ଟାକୁ ପ୍ରଣାମ କରୁଛି । ବିଶେଷ ରୂପରେ ମୁଁ ଆଦିଜଗଦ୍ଗୁରୁ ଶିବରାତ୍ରି ଶିବଯୋଗୀ ମହାସ୍ୱାମୀ ଜୀ’ ଙ୍କୁ ପ୍ରଣାମ କରୁଛି, ଯେଉଁ ମାନେ ଏହି ଆଧ୍ୟାତ୍ମିକ ବୃକ୍ଷର ବୀଜ ବପନ କରିଥିଲେ । ଜ୍ଞାନ ଏବଂ ଆଧ୍ୟାତ୍ମର ସେହି ମହାନ ପରମ୍ପରା, ଆଜି ସୁତୁର ମଠର ବର୍ତମାନର ମଠାଧୀଶ ପରମ ପୂଜ୍ୟ ଶ୍ରୀ ଶିବରାତ୍ରି ଦେଶିକେନ୍ଦ୍ର ମହାସ୍ୱାମୀ ଜୀ’ ଙ୍କର ତତ୍ୱାବଧାନରେ ବହୁତ ଦ୍ରୁତ ଗତିରେ ପ୍ରସ୍ଫୁଟିତ ହେବାରେ ଲାଗିଛି । ଶ୍ରୀ ମନ୍ତ୍ର ମହର୍ଷି ଜୀ’ ଙ୍କ ଦ୍ୱାରା ଆରମ୍ଭ କରା ଯାଇଥିବା ବିଦ୍ୟାଳୟ ଶ୍ରୀ ରାଜେନ୍ଦ୍ର ମହାସ୍ୱାମୀ ଜୀ ଙ୍କର ମାର୍ଗଦର୍ଶନରେ ଏଭଳି ଏକ ବିଶାଳ ପ୍ରକଳ୍ପର ରୂପ ନେଇଛି । ଭାରତୀୟ ସଂସ୍କୃତି ଏବଂ ସଂସ୍କୃତ ଶିକ୍ଷା ନିମନ୍ତେ ଏହି ବିଦ୍ୟାଳୟର ନୂତନ ଭବନର ଲୋକାର୍ପଣ ମଧ୍ୟ ଆଜି ହୋଇଛି । ମୋର ବିଶ୍ୱାସ ରହିଛି ଯେ, ନିଜର ଏହି ଆଧୁନିକ ଏବଂ ଭବ୍ୟ ସ୍ୱରୂପରେ ଏହି ସଂସ୍ଥା ଭବିଷ୍ୟତ ନିର୍ମାଣର ନିଜର ସଂକଳ୍ପ ଗୁଡିକୁ ଆହୁରି ଅଧିକ ବ୍ୟାପକ କରିବ । ମୁଁ ଏହି ଅଭିନବ ପ୍ରୟାସ ନିମନ୍ତେ ଆପଣ ସମସ୍ତଙ୍କୁ ନତମସ୍ତକ ହୋଇ ଅଭିନନ୍ଦନ ଜଣାଉଛି । ଅନେକ ଅନେକ ଶୁଭ କାମନା ମଧ୍ୟ ଦେଉଛି ।
ସାଥୀଗଣ,
ଆଜି ମୋତେ ସିଦ୍ଧେଶ୍ୱର ସ୍ୱାମୀ ଜୀ’ ଙ୍କ ଦ୍ୱାରା ପ୍ରସ୍ତୁତ ନାରଦ ଭକ୍ତି ସୂତ୍ର, ଶିବ ସୂତ୍ର ଏବଂ ପତଞ୍ଜଳି ଯୋଗ ସୂତ୍ର ଉପରେ ତାଙ୍କର ଭାଷ୍ୟକୁ ଲୋକର୍ପଣ କରିବା ନିମନ୍ତେ ସୁଯୋଗ ପ୍ରାପ୍ତ ହୋଇଛି । ପୂଜ୍ୟ ଶ୍ରୀ ସିଦ୍ଧେଶ୍ୱର ସ୍ୱାମୀ ଜୀ ଭାରତର ସେହି ପ୍ରାଚୀନ ଋଷି ପରମ୍ପରାର ପ୍ରତିନିଧିତ୍ୱ କରୁଛନ୍ତି, ଯାହାକୁ ଶାସ୍ତ୍ରରେ ଶ୍ରୁୁତ ପରମ୍ପରା ବୋଲି କୁହା ଯାଇଛି । ଶ୍ରୁତ ପରମ୍ପରା ଅର୍ଥାତ୍ ଯାହକୁ ଶୁଣିବା ପରେ ମସ୍ତିଷ୍କ ଏବଂ ହୃଦୟରେ ଆମେ ଧାରଣ କରିଥାଉ । ବିଶ୍ୱ ଯୋଗ ଦିବସ ଅବସରରେ, ପତଞ୍ଜଳି ଯୋଗ ସୂତ୍ରର ଭାଷ୍ୟ, ନାରଦ ଭକ୍ତି ସୂତ୍ର ଏବଂ ଶିବ ସୂତ୍ର ମାଧ୍ୟମରେ ଭକ୍ତି ଯୋଗ ଏବଂ ଜ୍ଞାନ ଯୋଗକୁ ସୁଗମ କରିବା ନିମନ୍ତେ ଏହି ପ୍ରୟାସର ଲାଭ କେବଳ ଭାରତ ବର୍ଷକୁ ନୁହେଁ, ସମଗ୍ର ବିଶ୍ୱକୁ ମଧ୍ୟ ମିଳିବ । ଏବଂ ମୁଁ ଆଜି ଯେତେବେଳେ ଆପଣଙ୍କ ସମସ୍ତଙ୍କ ସହିତ ଅଛି, କର୍ଣ୍ଣାଟକର ଯେଉଁ ବିଦ୍ୱାନ ବ୍ୟକ୍ତି ମାନେ ରହିଛନ୍ତି, ସେମାନଙ୍କୁ ପ୍ରାର୍ଥନା କରୁଛି ଯେ, ଗତ ଚାରି - ପାଂଚ ଶତାବ୍ଦୀ ମଧ୍ୟରେ ସାରା ବିଶ୍ୱରେ ସମାଜ ବିଜ୍ଞାନ ଉପରେ ଯାହା ବି କିଛି ଲେଖା ଯାଇଛି, ଯଦି ସେମାନେ ସେଗୁଡିକର ଅଧ୍ୟୟନ କରିବେ ଏହି ବିଷୟରେ ଜାଣି ପାରିବେ ଯେ, ନାରଦ ସୂତ୍ର ତାହା ଠାରୁ ମଧ୍ୟ ପୁରୁଣା ଅଟେ ଏବଂ ଏହି ରୂପରେ ସମାଜ ବିଜ୍ଞାନର ଏକ ବହୁତ ବଡ ଉତ୍କୃଷ୍ଟ ଉତ୍ସ ଆମ ନିକଟରେ ରହିଛି । ଏହାକୁ ଥରେ ପଢ଼ିବା ସାରା ବିଶ୍ୱ ପାଇଁ ନିହାତି ଆବଶ୍ୟକ ଅଟେ । ଯେଉଁମାନେ ପାଶ୍ଚାତ୍ୟର ବିଚାର ଧାରାକୁ ଜାଣିଛନ୍ତି, ସେମାନେ କେବେ ନାରଦ ସୂତ୍ର ମାଧ୍ୟମରେ ବିଶ୍ୱକୁ ଦେଖିବା ନିମନ୍ତେ, ସମାଜ ବ୍ୟବସ୍ଥାକୁ ଦେଖିବା ନିମନ୍ତେ, ମାନବୀୟ ମୂଲ୍ୟ ଗୁଡିକୁ ଦେଖିବା ନିମନ୍ତେ ଚେଷ୍ଟା କଲେ ଜାଣି ପାରିବେ, ନାରଦ ସୂତ୍ର ଏକ ଅଦ୍ଭୁତ ଗ୍ରନ୍ଥ ଅଟେ ଏବଂ ତାହାକୁ ଆଜି ଆଧୁନିକ ପରିଭାଷାରେ ପରିଭାଷିତ କରା ଯାଇଛି । ଆପଣ ସମାଜର ବହୁତ ବଡ ସେବା କରିଛନ୍ତି ।
ସାଥୀଗଣ,
ଆମ ଶାସ୍ତ୍ରରେ କୁହାଯାଇଛି ଯେ, ଜ୍ଞାନ ଭଳି ପବିତ୍ର ଆଉ କିଛି ନାହିଁ, ଏବଂ ଜ୍ଞାନର କୌଣସି ବିକଳ୍ପ ମଧ୍ୟ ନାହିଁ । ଏବଂ ଏହି କାରଣରୁ, ଆମର ଋଷି ଗଣ, ମନୀଷୀ ଗଣ, ଭାରତକୁ ସେହି ଚେତନା ସହିତ ଗଢ଼ିଛନ୍ତି - ଯାହା ଜ୍ଞାନରୁ ପ୍ରେରିତ ଅଟେ, ବିଜ୍ଞାନ ଦ୍ୱାରା ବିଭୂଷିତ ଅଟେ । ଯାହା ଜ୍ଞାନର ଶକ୍ତି ଦ୍ୱାରା ବୃଦ୍ଧି ପାଇଥାଏ, ଏବଂ ଗବେଷଣା ଦ୍ୱାରା ସଶକ୍ତ ହୋଇଥାଏ । ଯୁଗ ବଦଳିଛି, ସମୟ ବଦଳିଛି, ଭାରତ ସମୟ ସହିତ ତାଳ ଦେଇ ଅନେକ ଝଡଝଞ୍ଜାକୁ ମଧ୍ୟ ସାମନା କରିଛି । କିନ୍ତୁ, ଯେତେବେଳେ ଭାରତର ଚେତନା କ୍ଷୀଣ ହୋଇଛି, ସେତେବେଳେ ଆମ ଦେଶର କୋଣ ଅନୁକୋଣରେ ରହିଥିବା ସନ୍ଥ ଗଣ, ଋଷି ଗଣ, ମୁନି ଗଣ, ଆଚାର୍ଯ୍ୟ ମାନେ ସମ୍ପୂର୍ଣ୍ଣ ଭାରତକୁ ମନ୍ଥନ କରି ଦେଶର ଆତ୍ମାକୁ ପୁର୍ନର୍ଜିବୀତ କରି ଦେଇଛନ୍ତି । ଉତର ଭାଗରେ କାଶୀ ଠାରୁ ଆରମ୍ଭ କରି ଦକ୍ଷିଣରେ ଥିବା ନଞ୍ଜନଗୁଡ ପର୍ଯ୍ୟନ୍ତ, ମନ୍ଦିର ସମୂହ ଏବଂ ମଠ ଗୁଡିକର ସଶକ୍ତ ସଂସ୍ଥା ଗୁଡିକ ଦାସତ୍ୱର ଦୀର୍ଘ ସମୟ କାଳରେ ମଧ୍ୟ ଭାରତର ଜ୍ଞାନକୁ ପ୍ରଦୀପ୍ତ କରି ରଖିଛନ୍ତି । ମହୀଶୂରରେ ଶ୍ରୀ ସୁତୁର ମଠ, ତୁମକୁରୁରେ ଶ୍ରୀ ସିଦ୍ଧଗଙ୍ଗା ମଠ, ଦିତ୍ରଦୁର୍ଗରେ ଶ୍ରୀ ସିରିଗେରେ ମଠ, ଶ୍ରୀ ମୁରୁଗରାଜେନ୍ଦ୍ର ମଠ, ଚିକମଗଲୁରରେ ଶ୍ରୀ ରମ୍ଭାପୁରୀ ମଠ, ହୁବୁଳିରେ ଶ୍ରୀ ମୁରୁସାବୀରା ମଠ, ବିଦରରେ ବାସବକଲ୍ୟାଣ ମଠ ! କେବଳ ଦକ୍ଷିଣ ଭାରତରେ ଏମିତି ଅନେକ ମଠ ଗୁଡିକର କେନ୍ଦ୍ର ରହିଛି, ଯାହା ଅସଂଖ୍ୟ କ୍ଷେତ୍ରର ଅନନ୍ତ ଦିଦ୍ୟା ଗୁଡିକୁ ଯୁଗ ଯୁଗ ଧରି ସିଂଚନ କରି ଆସୁଛି ।
ସାଥୀଗଣ,
ସତ୍ୟର ଅସ୍ତିତ୍ୱ ସମ୍ବଳ ଗୁଡିକ ଉପରେ ନୁହେଁ, ସେବା ଏବଂ ତ୍ୟାଗ ଉପରେ ପର୍ଯ୍ୟବସିତ ହୋଇଥାଏ । ଶ୍ରୀ ସୁତୁର ମଠ ଏବଂ ଜେଏସ୍ଏସ୍ ମହାବିଦ୍ୟା ପୀଠ ଏହାର ବହୁତ ବଡ ଉଦାହରଣ ଅଟେ । ଶ୍ରୀ ଶିବରାତ୍ରି ରାଜେନ୍ଦ୍ର ମହାସ୍ୱାମୀ ଜୀ ଯେତେବେଳେ ସମାଜ ସେବାର ସଙ୍କଳ୍ପ ନେଇ ନିଃଶୁଳ୍କ ହଷ୍ଟେଲ୍ ଖୋଲି ଥିଲେ, ସେତେବେଳେ ତାଙ୍କ ପାଖରେ କ’ଣ ସମ୍ବଳ ଥିଲା? ଭଡାରେ ଚାଲୁଥିବା ଘର ଥିଲା, ଖାଦ୍ୟପେୟର ବ୍ୟବସ୍ଥା ନିମନ୍ତେ ମଧ୍ୟ ଆବଶ୍ୟକ ଟଙ୍କା ନ ଥିଲା । ଏବଂ ମୁଁ ଆହୁରି ମଧ୍ୟ ଶୁଣି ଥିଲି, ଥରେ ଟଙ୍କାର ଅଭାବ ଯୋଗୁଁ ହଷ୍ଟେଲ୍କୁ ଆବଶ୍ୟକୀୟ ସାମଗ୍ରୀ ଯୋଗାଣ ବନ୍ଦ ହୋଇ ଯାଇଥିଲା, ତେଣୁ ସ୍ୱାମିଜୀଙ୍କୁ “ଲିଙ୍ଗମ୍ କରଡିଗେ” ମଧ୍ୟ ବିକ୍ରି କରିବାକୁ ପଡି ଥିଲା । ଅର୍ଥାତ୍, ସେ ସେବାର ସଙ୍କଳ୍ପ ଆସ୍ଥାର ଉପରେ ବୋଲି ମଧ୍ୟ ମାନିଥିଲେ । ଅନେକ ଦଶନ୍ଧି ପୂର୍ବର ସେହି ତ୍ୟାଗ ଆଜି ସିଦ୍ଧି ରୂପରେ ଆମ ଆଗରେ ଅଛି । ଆଜି ଜେଏସ୍ଏସ୍ ମହାବିଦ୍ୟା ପୀଠ ଦେଶରେ ୩୦୦ରୁ ଅଧିକ ସଂସ୍ଥା ଏବଂ ଦେଶ ବିଦେଶରେ ଦୁଇଟି ବିଶ୍ୱ ବିଦ୍ୟାଳୟ ଚାଲୁ ରଖିଛି । ଏହି ସଂସ୍ଥାନ କେବଳ ଭାରତର ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ବ୍ରାଣ୍ଡ ଆମ୍ବାସଡର ନୁହେଁ, ଏହା ସହିତ ବିଜ୍ଞାନ, କଳା ଏବଂ ବାଣିଜ୍ୟ କ୍ଷେତ୍ରରେ ମଧ୍ୟ ସମାନ ପରିମାଣର ଯୋଗଦାନ ଦେଇଛି । ସୁତୁର ମଠ ଗରିବ ପିଲା ମାନଙ୍କର, ଆଦିବାସୀ ସମାଜର ଏବଂ ଆମର ଗ୍ରାମ ଗୁଡିକର ଯେଉଁ ସେବା କରୁଛି, ତାହା ମଧ୍ୟ ନିଜ ଭିତରେ ନିଜେ ଏକ ଉଦାହରଣ ଅଟେ ।
ସାଥୀଗଣ,
କର୍ଣ୍ଣାଟକ, ଦକ୍ଷିଣ ଭାରତ ଏବଂ ସାରା ଭାରତରେ ଶିକ୍ଷା, ସମାନତା ଏବଂ ସେବାର କଥା ହେଉ, ତାହା ଭଗବାନ ବାସବେଶ୍ୱରଙ୍କ ଆଶୀର୍ବାଦରୁ ଆହୁରି ବିସ୍ତାରିତ ହୋଇ ଯାଇଥାଏ । ଭଗବାନ ବାସବେଶ୍ୱର ଜୀ ଆମର ସମାଜକୁ ଯେଉଁ ଶକ୍ତି ପ୍ରଦାନ କରିଥିଲେ, ସେ ଗଣତନ୍ତ୍ର, ଶିକ୍ଷା ଏବଂ ସମାନତାର ଯେଉଁ ଆଦର୍ଶ ସ୍ଥାପିତ କରି ଯାଇଛନ୍ତି , ତାହା ଆଜି ମଧ୍ୟ ଭାରତର ଭିତିଭୂମିର ପ୍ରସ୍ତରରେ ରହି ଅଛି । ମୋତେ ଥରେ ଲଣ୍ଡନରେ ଭଗବାନ ବାସବେଶ୍ୱର ଜୀ’ ଙ୍କର ପ୍ରତିମାକୁ ଲୋକାର୍ପଣ କରିବାର ସୌଭାଗ୍ୟ ପ୍ରାପ୍ତ ହୋଇଥିଲା ଏବଂ ସେହି ସମୟରେ ମୁଁ କହିଥିଲି ଯେ, ଆପଣ ମାନେ ମ୍ୟାଗ୍ନା କାର୍ଟା ଏବଂ ଭଗବାନ ବିଶ୍ୱେଶ୍ୱରଙ୍କର କଥାକୁ ରଖନ୍ତୁ ତୁଳନା କରନ୍ତୁ, ଆପଣ ମାନଙ୍କୁ ଏହା ଜଣା ପଡିବ ମ୍ୟାଗ୍ନା କାର୍ଟା ପୂର୍ବରୁ କେତେ ଶହ ବର୍ଷ ତଳେ ମୋ ଦେଶରେ ସମାଜକୁ ଦେଖିବାର ଦୃଷ୍ଟିକୋଣ କ’ଣ ଥିଲା, ସେଥିରେ ଆପଣ ମାନଙ୍କୁ ନଜର ଆସିବ ।
ସାଥୀଗଣ,
ସେହି ଆଦର୍ଶକୁ ଅନୁସରଣ କରି ଶ୍ରୀ ସିଦ୍ଧଗଙ୍ଗା ମଠ ଆଜି ୧୫୦ରୁ ଅଧିକ ସଂସ୍ଥାନ ଚଲାଉଛି, ସମାଜରେ ଶିକ୍ଷା ଏବଂ ଆଧ୍ୟାତ୍ମର ପ୍ରସାର କରିବାରେ ଲାଗିଛି ଏବଂ ମୋତେ ସୂଚନା ଦିଆ ଯାଇଛି ଯେ, ସିଦ୍ଧଗଙ୍ଗା ମଠର ବିଦ୍ୟାଳୟ ଗୁଡିକରେ ବର୍ତମାନ ସମୟରେ ଦଶ ହଜାର ବିଦ୍ୟାର୍ଥୀ ଜ୍ଞାନ ଅର୍ଜନ କରୁଛନ୍ତି । ଭଗବାନ ବାସବେଶ୍ୱରଙ୍କର ଏହି ପ୍ରେରଣା, ନିଃସ୍ୱାର୍ଥ ସେବାର ନିଷ୍ଠା, ଏହା ହିଁ ହେଉଛି ଭାରତର ମୂଳଦୁଆ । ଏହି ଭିତିଭୂମି ଯେତେ ଅଧିକ ମଜଭୁତ ହେବ, ଆମ ଦେଶ ସେତିକି ମଜଭୁତ ହେବ ।
ସାଥୀଗଣ,
ଆଜି ଯେତେବେଳେ ଆମେ ଦେଶର ସ୍ୱାଧୀନତାର ୭୫ ତମ ବର୍ଷକୁ ପାଳନ କରୁଛେ, ସ୍ୱାଧୀନତାର ‘ଅମୃତ କାଳ’ର ଏହି ସମୟ ‘ସମସ୍ତଙ୍କର ପ୍ରୟାସ’ର ଏକ ଉତମ ଅବସର ଅଟେ । ଆମର ଋଷି ମାନେ ସମସ୍ତଙ୍କର ସହଯୋଗ, ଏବଂ ସମସ୍ତଙ୍କର ପ୍ରୟାସର ଏହି ସଙ୍କଳ୍ପକୁ ‘ସହାନା ଭବତୁ , ସହନାନୁ ଭୁନକ୍ତୁ’ ବୋଲି କହିଥାନ୍ତି, ‘ସହ ବୀର୍ଯ୍ୟମ୍ କରବାବହୈ’ ଭଳି ବେଦ ତଥ୍ୟ ଗୁଡିକ ରୂପରେ ଆମକୁ ଦେଇଛନ୍ତି । ଆଜି ହେଉଛି ସେହି ସମୟ ଆମେ ହଜାର ହଜାର ବର୍ଷର ସେହି ଆଧ୍ୟାତ୍ମିକ ଅନୁଭବକୁ ଯେମିତି ସାକାର କରିବା । ଆଜି ହେଉଛି ସେହି ସମୟ, ଯେଉଁ ସମୟରେ ଆମେ ଦାସତ୍ୱର ଶହ ଶହ ବର୍ଷ ଗୁଡିକରେ ଦେଖା ଯାଇଥିବା ସ୍ୱପ୍ନ ଗୁଡିକୁ ସାକାର କରିବା । ଏଥି ପାଇଁ ଆମକୁ ନିଜର ପ୍ରୟାସ ଗୁଡିକୁ ଆହୁରି ଦ୍ରୁତ କରିବାକୁ ପଡିବ । ଆମକୁ ନିଜର ପ୍ରୟାସ ଗୁଡିକୁ ରାଷ୍ଟ୍ରର ସଙ୍କଳ୍ପ ଗୁଡିକ ସହିତ ଯୋଡିବାକୁ ହେବ ।
ସାଥୀଗଣ,
ଶିକ୍ଷା କ୍ଷେତ୍ରରେ ଆଜି, ‘ଜାତୀୟ ଶିକ୍ଷା ନୀତି’ର ଉଦାହରଣ ଆମ ଆଗରେ ରହିଛି । ଶିକ୍ଷା ଆମ ଭାରତ ନିମନ୍ତେ ଏକ ପ୍ରାକୃତିକ ବିଶେଷତା ହୋଇ ରହି ଆସିଛି । ଏହି ସହଜତା ସହିତ ଆମର ନୁତନ ପିଢ଼ିକୁ ଆଗକୁ ବଢ଼ାଇବାର ସୁଯୋଗ ମିଳିବା ଉଚିତ୍ । ଏଥି ପାଇଁ ସ୍ଥାନୀୟ ଭାଷା ଗୁଡିକରେ ପଢ଼ିବା ନିମନ୍ତେ ବିକଳ୍ପ ପ୍ରଦାନ କରା ଯାଇଛି । କନ୍ନଡ, ତାମିଲ୍, ତେଲୁଗୁ ସହିତ ସଂସ୍କୃତ ଭଳି ଭାଷା ଗୁଡିକୁ ପ୍ରୋତ୍ସାହିତ କରା ଯାଉଛି । ଆମର ସମସ୍ତ ମଠ ଏବଂ ଧାର୍ମିକ ସଂସ୍ଥାନ ଏହି ସବୁ କାର୍ଯ୍ୟରେ ବହୁତ ବର୍ଷ ଧରି ଲାଗି ରହିଛନ୍ତି । ମହୀଶୂର ଏମିତି ଏକ ସ୍ଥାନ, ଯେଉଁଠାରୁ ଦେଶର ଏକମାତ୍ର ସଂସ୍କୃତ ଦୈନିକ ଖବରକାଗଜ ସୁଧର୍ମା ଏବେ ମଧ୍ୟ ପ୍ରକାଶିତ ହେଉଛି । ଏବେ ଦେଶ ମଧ୍ୟ ଆପଣଙ୍କର ଏହି ପୟାସ ଗୁଡିକରେ ନିଜର ସହଯୋଗ ଦେଉଛି । ଏଥି ପାଇଁ ସବୁ ପ୍ରକାରର ସମ୍ଭବ ପ୍ରୟାସ କରୁଛି ।
ସମାନ ଭାବରେ, ସ୍ୱାସ୍ଥ୍ୟ ଏବଂ ସୁସ୍ଥତା ଦିଗରେ ଭାରତର ପ୍ରୟାସ ଗୁଡିକରେ ଆଜି ଆୟୁର୍ବେଦ ଏବଂ ଯୋଗକୁ ସାରା ବିଶ୍ୱରେ ନୂତନ ପରିଚୟ ମିଳିଛି । ଆମର ପ୍ରୟାସ ରହିଛି ଯେ, ଦେଶର ଜଣେ ମଧ୍ୟ ନାଗରିକ ନିଜର ଏହି ଐତିହ୍ୟ ସମ୍ପର୍କରେ ଅନଭିଜ୍ଞ ଏବଂ ବଂଚିତ ନ ରୁହନ୍ତୁ । ଏହି ଅଭିଯାନକୁ ସମ୍ପୂର୍ଣ୍ଣ କରିବା ପାଇଁ ଆମର ଆଧ୍ୟାତ୍ମିକ ସଂସ୍ଥା ଗୁଡିକର ସହଯୋଗ ମହତ୍ୱପୂର୍ଣ୍ଣ ଅଟେ । ଏହି ଭଳି, ଝିଅ ମାନଙ୍କର ପଢ଼ା ଲେଖା ନିମନ୍ତେ, ଜଳ – ସଂରକ୍ଷଣ ନିମନ୍ତେ, ପର୍ଯ୍ୟାବରଣ ନିମନ୍ତେ, ଏବଂ ସ୍ୱଚ୍ଛ ଭାରତ ନିମନ୍ତେ ମଧ୍ୟ ଆମ ସମସ୍ତଙ୍କୁ ଏକାଠି ହୋଇ ଆଗକୁ ଯିବାକୁ ହେବ । ଆହୁରି ମଧ୍ୟ ଏକ ମହତ୍ୱପୂର୍ଣ୍ଣ ସଙ୍କଳ୍ପ ହେଉଛି ପ୍ରାକୃତିକ ଉପାୟରେ କୃଷି । ଆମର ଅନ୍ନ ଯେତେ ଶୁଦ୍ଧ ହେବ, ଆମର ଜୀବନ ମଧ୍ୟ ସେତିକି ଶୁଦ୍ଧ ହେବ ଏବଂ ଅନ୍ନ ଶୁଦ୍ଧ ହେବ ତ, ମନ ମଧ୍ୟ ଶୁଦ୍ଧ ହେବ, ସୁସ୍ଥ ଏବଂ ପବିତ୍ର ହେବ । ମୁଁ ଚାହିଁବି ଯେ, ଏହି ଦିଗରେ ମଧ୍ୟ ଆମର ସମସ୍ତ ଧାର୍ମିକ ମଠ ଏବଂ ସଂସ୍ଥାନ ଆଗେଇ ଆସି ଲୋକ ମାନଙ୍କୁ ସଚେତନ କରନ୍ତୁ । ଆମର ଏହି ଭାରତ ମାତା, ଆମର ଏହି ଧରିତ୍ରୀ ମାତାକୁ ଆମେ ରାସାୟନିକ ପଦାର୍ଥରୁ ମୁକ୍ତ ରଖିବା । ଏହା ପାଇଁ ଆମେ ଯେତିକି କରିବା, ଏହି ମାଆର ଆଶୀର୍ବାଦ ଯୁଗ ଯୁଗ ଧରି ଆମର କାର୍ଯ୍ୟରେ ଆସିବ ।
ସାଥୀଗଣ,
ଯେଉଁ କାର୍ଯ୍ୟରେ ସନ୍ଥ ମାନଙ୍କର ପ୍ରୟାସ ଯୋଡି ହୋଇ ଯାଇଥାଏ ସେହି କାର୍ଯ୍ୟ, ଆଧ୍ୟାମିôକ ଚେତନା ଏବଂ ଈଶ୍ୱରୀୟ ଆଶୀର୍ବାଦ ସହିତ ମଧ୍ୟ ଯୋଡି ହୋଇ ଯାଇଥାଏ । ମୋର ବିଶ୍ୱାସ ରହିଛି ଯେ, ଆପଣ ସମସ୍ତ ସନ୍ଥ ମାନଙ୍କର ଆଶୀର୍ବାଦ ନିରନ୍ତର ରୂପରେ ଦେଶକୁ ଏମିତି ଭାବରେ ମିଳୁଥିବ । ଆମେ ସମସ୍ତେ ଏକାଠି ହୋଇ ନୂତନ ଭାରତର ସ୍ୱପ୍ନକୁ ପୂରଣ କରିବା । ଏବଂ ଆଜି ମୋ ପାଇଁ ବହୁତ ସୌଭାଗ୍ୟର ମୁହୂର୍ତ ଅଟେ । ପୂଜ୍ୟ ସନ୍ଥ ମାନେ ଯେଉଁ ଭଳି ଭାବରେ ମୋ ପାଇଁ ନିଜର ଭାବନାକୁ ପ୍ରକଟ କରିଛନ୍ତି, ମୁଁ ଜାଣିଛି ଯେ, ମୋ ପାଇଁ ଯାହା ମଧ୍ୟ କୁହା ଯାଉଛି, ଏବେ ମୋତେ ସେହି ସ୍ଥାନରେ ପହଂଚିବା ନିମନ୍ତେ ବହୁତ କିଛି କରିବା ପାଇଁ ବାକି ରହିଛି । କିନ୍ତୁ ମୋର ଏହି କଥା ଉପରେ ଭରସା ରହିଛି ଯେ, ଏହି ସନ୍ଥ ମାନଙ୍କର ଆଶୀର୍ବାଦ, ଆମର ମହାନ ସାଂସ୍କୃତିକ ଐତିହ୍ୟ ଏବଂ ଆପଣ ମାନଙ୍କର ଦିଗଦର୍ଶନରେ, ଆପଣ ମାନଙ୍କର ମୋ ନିକଟରୁ ଯେଉଁ ଆଶା ରହିଛି ତାହାକୁ ପୂରଣ କରିବା ପାଇଁ ଚେଷ୍ଟା କରିବି ।
ଏମିତି ଆଶୀର୍ବାଦ ଆପଣ ମାନେ ମୋତେ ପ୍ରଦାନ କରନ୍ତୁ, ଫଳରେ ମୋର କାର୍ଯ୍ୟରେ ଯେପରି କୌଣସି ବାଧା ରହି ଯିବ ନାହିଁ, ଏବଂ ଆପଣ ମାନଙ୍କର ଆଶା ଯେପରି ଅଧା ନ ରହି ଯାଉ । ମୋର ଏମିତି ଏକ ଭାବନାକୁ ବ୍ୟକ୍ତ କରି ମୋତେ ଆପଣ ସମସ୍ତଙ୍କ ନିକଟକୁ ଆସିବାର ସୁଯୋଗ ମିଳି ଥିବାରୁ, ମୋର ଜୀବନ ଧନ୍ୟ ଅନୁଭବ କରୁଛି । ମୁଁ ପୁଣି ଥରେ ଆପଣ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରୁଛି ।
ୟେଲାରିଗୁ ! ନମସ୍କାରମ୍ !