ମହାମହିମ, ମୋର ଉତ୍ତମ ବନ୍ଧୁ, ରାଷ୍ଟ୍ରପତି ମାକ୍ରନ ।
ମିଷ୍ଟର ମଭରିସ୍ ଲେଭି, ପବ୍ଲିସିସ୍ ଗ୍ରୁପର ଚେୟାରମ୍ୟାନ ।
ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଅଂଶଗ୍ରହଣକାରୀ ଗଣ ।
ନମସ୍ତେ,
ଏହି ଜଟିଳ ସମୟରେ ଭିଭାଟେକ୍ର ସଫଳ ଆୟୋଜନ କରିଥିବାରୁ ଆୟୋଜକମାନଙ୍କୁ ଅଭିନନ୍ଦନ ।
ଏହି ମଞ୍ଚ ଫ୍ରାନ୍ସର ବୈଷୟିକ ଦୃଷ୍ଟିଭଙ୍ଗୀକୁ ପ୍ରତିଫଳିତ କରୁଛି । ଭାରତ ଓ ଫ୍ରାନ୍ସ ବିଭିନ୍ନ କ୍ଷେତ୍ରରେ ମିଳିତଭାବେ କାମ କରିଆସୁଛନ୍ତି । ସେଥିମଧ୍ୟରୁ ଟେକ୍ନୋଲୋଜି ଓ ଡିଜିଟାଲ ଦୁଇଟି କ୍ଷେତ୍ର ଯାହା ଦୁଇଦେଶକୁ ମିଳିତଭାବେ କାମ କରିବାର ନୂଆ ସୁଯୋଗ ଦେଇଛି । ଏହି ସହଯୋଗ ଆହୁରୀ ଦୃଢୀଭୂତ ହୋଇ ଆଗକୁ ବଢୁ ଏହା ସମୟର ଆହ୍ୱାନ । ଏହା କେବଳ ଆମ ଦୁଇଦେଶ ନୁହେଁ, ସମଗ୍ର ବିଶ୍ୱକୁ ସାହାଯ୍ୟ କରିବ ।
ଅନେକ ଯୁବ କ୍ରୀଡାପ୍ରେମୀ ‘ଫ୍ରେଞ୍ଚ ଓପନ’ ବେଶ୍ ଉତ୍ସାହର ସହିତ ଦେଖିଲେ । ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଭାରତର ଅନ୍ୟତମ ଟେକ୍ କମ୍ପାନୀ ଇନ୍ଫୋସିସ୍ ବୈଷୟିକ ସହାୟତା ଯୋଗାଇ ଦେଇଥିଲା । ସେହିଭଳି ଫରାସୀ କମ୍ପାନୀ ଆଟସ୍ ଭାରତରେ ସବୁଠାରୁ ଦ୍ରୁତଗ୍ରାମୀ ସୁପର କମ୍ପ୍ୟୁଟର ନିର୍ମାଣ ପ୍ରକଳ୍ପରେ ସମ୍ପୃକ୍ତ । ଏହା ଫ୍ରାନ୍ସର କ୍ୟାପଜେମିନ୍ ହେଉ କିମ୍ବା ଭାରତର ଟିସିଏସ୍ ଓ ୱିପ୍ରୋ, ଆମର ଆଇଟି ପ୍ରତିଭା ସମଗ୍ର ବିଶ୍ୱର ନାଗରିକ ଓ କମ୍ପାନୀଗୁଡିକୁ ସେବା ଯୋଗାଉଛନ୍ତି ।
ବନ୍ଧୁଗଣ,
ମୋ ବିଚାରରେ ଯେଉଁଠି ପାରମ୍ପରିକତା ବିଫଳ ହୁଏ, ସେଠାରେ ନବସୃଜନ ସହାୟତା ଯୋଗାଏ । କରୋନା ବୈଶ୍ୱିକ ମହାମାରୀ କାଳରେ ଏହା ପ୍ରମାଣିତ ହୋଇଛି । ଏହି ମହାମାରୀ ଆମ ସମୟର ସବୁଠୁ ବଡ ବିଘଟନ ଓ ଅଘଟଣ ।
ସବୁ ଦେଶ ଏହା ଦ୍ୱାରା କ୍ଷତିଗ୍ରସ୍ତ ହୋଇଛନ୍ତି ଏବଂ ଭବିଷ୍ୟତ ଘେନି ଉଦ୍ବିଗ୍ନ । କରୋନା ମହାମାରୀ ଆମର ଅନେକ ପାରମ୍ପରିକ ପ୍ରଣାଳୀକୁ ଚରମ ପରୀକ୍ଷାର ସମ୍ମୁଖୀନ କରାଇଛି । ତେବେ ସେ ଯା’ ହେଉ ନବସୃଜନ ମାଧ୍ୟମରେ ଆମେ ଏ ବିପଦରୁ ଅନେକାଂଶରେ ରକ୍ଷା ପାଇଛୁ । ଏହି ନବସୃଜନର ଅର୍ଥ ମୁଁ ଦୁଇପ୍ରକାର ସ୍ଥିତିରେ କରିବାକୁ ଚାହୁଁଛି । ଗୋଟିଏ ମହାମାରୀ ପୂର୍ବର ଓ ଅନ୍ୟଟି ମହାମାରୀ କାଳର ।
ମହାମାରୀ ପୂର୍ବର ନବସୃଜନ କହିଲେ ମୁଁ ଆମେ ହାସଲ କରିସାରିଥିବା ପ୍ରଗତି ଓ ବ୍ୟବସ୍ଥା କଥା କହୁଛି, ଯାହା ଆମକୁ ମହାମାରୀ କାଳରେ ସାହାଯ୍ୟ କରିଛି । ଡିଜିଟାଲ ଟେକ୍ନୋଲୋଜି ସେଥିରୁ ଗୋଟିଏ ଯାହା କରୋନା କାଳରେ ଆମକୁ ପରିସ୍ଥିତି ସହିତ ଖାପ ଖୁଆଇବା, ସଂଯୋଗ ସ୍ଥାପନ କରିବା, ପରସ୍ପରକୁ ଆଶ୍ୱାସନା ଓ ସାନ୍ତ୍ୱନା ଦେବାର ସହାୟକ ହୋଇଛି । ଡିଜିଟାଲ ମିଡିଆ ମାଧ୍ୟମରେ ଆମେ କାମ କରିପାରିଲୁ, ଆମର ନିକଟ ସମ୍ପର୍କୀୟ ଓ ପ୍ରିୟଜନମାନଙ୍କ ସହିତ କଥା ହୋଇ ପାରିଲୁ ଓ ଅନ୍ୟମାନଙ୍କୁ ସାହାଯ୍ୟ ଯୋଗାଇଦେବାରେ ସମର୍ଥ ହେଲୁ । ଭାରତର ସାର୍ବଜନୀନ ଓ ଅଦ୍ୱିତୀୟ ବାୟୋ-ମେଟ୍ରିକ ଡିଜିଟାଲ ଆଡେଣ୍ଟିଟି ବ୍ୟବସ୍ଥା-ଆଧାର, ଆମକୁ ଠିକ ସମୟରେ ଗରିବଙ୍କୁ ଆର୍ଥିକ ସହାୟତା ପଠାଇବାରେ ସାହାଯ୍ୟ କଲା । ଆମେ ୮୦କୋଟି ଲୋକଙ୍କ ପାଖକୁ ମାଗଣା ଖାଦ୍ୟ ଓ ଅନେକ ପରିବାରକୁ ରନ୍ଧନ ଇନ୍ଧନ ବାବଦ ରିହାତି ଅର୍ଥ ଯୋଗାଇ ପାରିଲୁ । ଆମେ ଭାରତରେ ସ୍ୱୟମ୍ ଓ ଦୀକ୍ଷା ନାମରେ ଦୁଇଟି ସର୍ବସାଧାରଣ ଡିଜିଟାଲ ଶିକ୍ଷା କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିବାରେ ସଫଳ ହୋଇଛୁ । ଖୁବ୍ କମ୍ ସମୟରେ ଆମେ ଏହି ଚେଷ୍ଟାକୁ କାର୍ଯ୍ୟକ୍ଷମ କରି ପିଲାଙ୍କୁ ପାଠପଢାରେ ସାହାଯ୍ୟ ସହଯୋଗ କରିପାରୁଛୁ ।
ଦ୍ୱିତୀୟ ଭାଗଟି ହେଲା-ମହାମାରୀ ପାଇଁ ନବସୃଜନ । ଏହାର ଅର୍ଥ, ମାନବ ସମାଜ କିପରି ପରିସ୍ଥିତିର ମୁକାବିଲା କଲା ଏବଂ ମହାମାରୀ ବିରୋଧରେ ଲଢେଇକୁ ସଫଳ ଏବଂ ଯଥାର୍ଥ କରିପାରିଲା । ଏଥିରେ ଆମ ଷ୍ଟାର୍ଟଅପ କ୍ଷେତ୍ରର ଭୂମିକା ସର୍ବାଗ୍ରେ ରହିଛି । ଭାରତର ଉଦାହରଣ ଦେଉଛି । ଭାରତକୁ ଯେତେବେଳେ ମହାମାରୀ ଛୁଇଁଲା, ଆମ ପାଖରେ ଯଥେଷ୍ଟ ଟେଷ୍ଟିଂ ସୁବିଧା ଏବଂ ଆବଶ୍ୟକ ମାସ୍କ, ପିପିଇ, ଭେଣ୍ଟିଲେଟର ଓ ଅନ୍ୟାନ୍ୟ ଦରକାରୀ ଉପକରଣ ନ ଥିଲା । ଏହି ଅଭାବ ଦୂର କରିବାରେ ଆମ ଘରୋଇ ଉଦ୍ୟୋଗ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା ।
ଫଳରେ ଏସବୁ ଦରକାରୀ ସାମଗ୍ରୀର ଅଭାବ ଶୀଘ୍ର ଦୂର ହେଇଥିଲା । ଆମର ଚିକିତ୍ସକମାନେ ଟେଲି ମେଡିସିନ ବ୍ୟବସ୍ଥାର ଉପଯୋଗ ବ୍ୟାପକ ଆକାରରେ କରି ଉଭୟ କୋଭିଡ ଓ ଅଣକୋଭିଡ ପ୍ରସଙ୍ଗରେ ସମାଧାନ ଆଭାସୀ ବ୍ୟବସ୍ଥାରେ କରିବାରେ ସଫଳ ହୋଇଥିଲେ । ଭାରତରେ ଏବେ ଦୁଇଟି କରୋନା ଟିକା ତିଆରି ହେଉଛି ଏବଂ ଆଉ କେତେକ ବିକାଶ ବା ପରୀକ୍ଷଣ ପର୍ଯ୍ୟାୟରେ ରହିଛି । ସରକାରୀ ପାଶ୍ୱର୍ରେ ଆମର ଦେଶୀ ଆଇଟି ଫ୍ଲାର୍ଟଫର୍ମ, ଆରୋଗ୍ୟ ସେତୁ ମାଧ୍ୟମରେ ଆମେ ସଫଳତାର ସହ କଣ୍ଟ୍ରାକ୍ଟ ଟ୍ରେସିଂ କରିପାରିଲୁ । ଆମ କ୍ୱୋ-ୱିନ ଡିଜିଟାଲ ପ୍ଲାଟଫର୍ମ, ଇତିମଧ୍ୟରେ କୋଟି କୋଟି ଲୋକଙ୍କୁ କରୋନା ଟିକା ପ୍ରଦାନ କ୍ଷେତ୍ରରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିପାରିଛି । ଆମର ଯଦି ନବସୃଜନ ଓ ନୂଆ ନୂଆ କଥା ବାହାର କରିବାର ପ୍ରଚେଷ୍ଟା ନ ଥା’ନ୍ତା, ଆମେ ଏହି ଲଢେଇରେ ଯଥେଷ୍ଟ ଦୁର୍ବଳ ସାବ୍ୟସ୍ତ ହୋଇଥାଆନ୍ତୁ । ଆମର ଏହି ନବସୃଜନ ଉତ୍ସାହକୁ ପରିହାର କରିବା ଠିକ୍ ହେବ ନାହିଁ । ଏହା ଜାରି ରହିଲେ ଆମକୁ ପରବର୍ତ୍ତୀ ଆହ୍ନାନର ମୁକାବିଲା କରିବା ସହଜ ହେବ ।
ବନ୍ଧୁଗଣ,
ଟେକ ଓ ଷ୍ଟାର୍ଟଅପ୍ ଦୁନିଆରେ ଭାରତର ପ୍ରଗତି ଓ ପ୍ରୟାସ ସମସ୍ତଙ୍କୁ ଜଣା । ଭାରତ ବିଶ୍ୱର ଏକ ଅନ୍ୟତମ ବୃହତ ଷ୍ଟାର୍ଟଅପ ପରିତନ୍ତ୍ର ଭାବେ ପରିଗଣିତ । ନିକଟ ଅତୀତରେ ଅନେକ ୟୁନିକର୍ଣ୍ଣ ଏଠାରେ ମୁଣ୍ଡ ଟେକିଛି । ଇନୋଭେଟର ଓ ବିଶେଷକ ଯାହା ଲୋଡୁଛନ୍ତି, ଭାରତ ତାହା ଯୋଗାଇ ଦେଉଛି । ଭାରତରେ ପୁଞ୍ଜିନିବେଶ କରିବାକୁ ମୁଁ ସମଗ୍ର ବିଶ୍ୱକୁ ନିମନ୍ତ୍ରଣ କରୁଛି । ଏଥିପାଇଁ ୫ଟି ଖମ୍ବ ରହିଛି ଓ ସେଗୁଡିକ ହେଲା ପ୍ରତିଭା ବା ମେଧା, ବଜାର, ପୁଞ୍ଜି, ଇକୋସିଷ୍ଟମ, ସଂସ୍କୃତି ଓ ଉନ୍ମୁକ୍ତତା । ଭାରତୀୟ ପ୍ରତିଭା ସମଗ୍ର ବିଶ୍ୱରେ ଆଦୃତ ଓ ଖ୍ୟାତ । ବିଶ୍ୱରେ କେତେକ ଅତି ଜଟିଳ ସମସ୍ୟାର ବୈଷୟିକ ସମାଧାନ ଭାରତୀୟ ବୈଷୟିକ ପ୍ରତିଭାଧରମାନେ କହିଛନ୍ତି । ଏବେ ଭାରତରେ ମୋବାଇଲ ବ୍ୟବହାରକାରୀଙ୍କ ସଂଖ୍ୟା ୧. ୧୮ବିଲିୟନ । ଇଣ୍ଟରନେଟ ବ୍ୟବହାରକାରୀ ସଂଖ୍ୟା ୭୫ନିୟୁତ । ଏହି ସଂଖ୍ୟା ଅନେକ ଦେଶର ଜନସଂଖ୍ୟା ଠାରୁ ଅଧିକ । ଭାରତରେ ଡାଟା କନ୍ଜପସନ (ବ୍ୟବହାର) ବିଶ୍ୱରେ ସର୍ବାଧିକ ଓ ସବୁଠୁ ଶସ୍ତା । ଭାରତରେ ସର୍ବାଧିକ ସୋସିଆଲ ମିଡିଆ ବ୍ୟବହାରକାରୀ ଅଛନ୍ତି । ଅତଏବ ଭାରତର ଏକ ବିବିଧ ଓ ବ୍ୟାପକ ବଜାର ଆପଣଙ୍କୁ ଅପେକ୍ଷା କରିଛି ।
ବନ୍ଧୁଗଣ,
ଅତ୍ୟାଧୁନିକ ପବ୍ଲିକ ଡିଜିଟାଲ ପ୍ଲାଟଫର୍ମ ସୃଷ୍ଟି କରି ଭାରତରେ ଡିଜିଟାଲ ସମ୍ପ୍ରସାରଣ କରାଯାଉଛି । ମୋଟ ୫୨୩ହଜାର କିଲୋମିଟର ଲମ୍ବର ଫାଇବର ଅପଟିକ୍ସ ନେଟୱାର୍କ ଦ୍ୱାରା ୧୫୬ହଜାର ଗ୍ରାମପରିଷଦ ସଂଯୁକ୍ତ ହୋଇଛି । ଏହି ପ୍ରକ୍ରିୟା ଅବ୍ୟାହତ ଚାଲିଛି । ଦେଶରେ ବିଭିନ୍ନ ସ୍ଥାନରେ ପବ୍ଲିକ ୱାଇ-ଫାଇ ନେଟୱାର୍କ ସୁବିଧା ଯୋଗାଇ ଦିଆଯାଉଛି । ଭାରତରେ ମଧ୍ୟ ନବସୃଜନର ଏକ ସଂସ୍କୃତି ଆରମ୍ଭ ହୋଇଛି । ଦେଶର ୭ହଜାର ୫ଶହ ସ୍କୁଲରେ ଅଟଳ ଇନୋଭେସନ ମିଶନ ଯୋଜନାରେ ଅତ୍ୟାଧୁନିକ ଲ୍ୟାବ୍ମାନ ପ୍ରତିଷ୍ଠା କରାଯାଇଛି । ଆମ ବିଦ୍ୟାର୍ଥମାନେ ବିଭିନ୍ନ ହାକାଥନରେ ଦେଶବିଦେଶର ପିଲାଙ୍କ ସହିତ ଭାଗ ନେଉଛନ୍ତି । ଏହା ସେମାନଙ୍କୁ ବୈଶ୍ୱିକ ପ୍ରତିଭା ଓ ସର୍ବଶ୍ରେଷ୍ଠ ନୀତି / ପ୍ରଣାଳୀ ସହ ପରିଚିତ କରାଉଛି ।
ବନ୍ଧୁଗଣ,
ଗତବର୍ଷ ଆମେ ବିଭିନ୍ନ କ୍ଷେତ୍ରରେ ଅନେକ ବ୍ୟାଘାତ ଓ ବାଧାର ସମ୍ମୁଖୀନ ହୋଇଥିଲୁ । ଏବେ ସେ ସ୍ଥିତିରେ ସମ୍ପୂର୍ଣ୍ଣ ସୁଧାର ଆସିନାହିଁ । ଏହି ଅସୁବିଧା ଓ ବିଘ୍ନକୁ ନେଇ ହତାଶ ହେବା ଅନୁଚିତ । ଆମକୁ ସେ କ୍ଷତି ଭରସା କରିବାକୁ ପଡିବ ଏବଂ ରିପ୍ୟାର ଆଣ୍ଡ ରିପେୟାର ନୀତି ଅବଲମ୍ବନ କରିବାକୁ ହେବ । ଗତବର୍ଷ ଏହି ସମୟରେ ସମଗ୍ର ବିଶ୍ୱ ଟିକା ପାଇଁ ବ୍ୟାକୁଳ ହେଉଥିଲା । ଏବେ ସେଥିମଧ୍ୟରୁ କେତେକ ଟିକା ବାହାରି କାମରେ ଲାଗିଲାଣି। ଆମ ସ୍ୱାସ୍ଥ୍ୟ ଭିତ୍ତିଭୂମି ଓ ଅର୍ଥନୀତିକୁ ସଜାଡିବାକୁ ପଡିବ । ଆମେ ଭାରତରେ ମହାକାଶ, ଖଣି, ବ୍ୟାଙ୍କିଙ୍କ, ଆଣବିକ ଶକ୍ତି ଆଦି ବିଭିନ୍ନ କ୍ଷେତ୍ରରେ ବ୍ୟାପକ ସଂସ୍କାର ଆରମ୍ଭ କରିଛୁ । ଏହା ଦର୍ଶାଉଛି ଯେ, ମହାମାରୀ ସମୟରେ ଭାରତ ଆବଶ୍ୟକ ପରିବର୍ତ୍ତନ ବିଭିନ୍ନ କ୍ଷେତ୍ରରେ ଆଣି ପରିସ୍ଥିତି ସହ ଖାପ ଖାଇବାକୁ ଚେଷ୍ଟା କରୁଛି । ମୁଁ ଯେତେବେଳେ ପ୍ରିପେୟାର (ପ୍ରସ୍ତୁତି)କଥା କହୁଛି, ତାହାର ଅର୍ଥ ଆମ ପୃଥିବୀକୁ ପରବର୍ତ୍ତୀ ମହାମାରୀରୁ ସୁରକ୍ଷିତ କରିବାକୁ ଉଦ୍ୟମ କରିବାକୁ ହେବ । ଜୀବନଜୀବିକାକୁ ସୁରକ୍ଷିତ ଓ ନିରନ୍ତର କରିବା ପାଇଁ ଆମକୁ ପରିବେଶର ଅବକ୍ଷୟ ରୋକିବା ସହିତ ନବସୃଜନ ଓ ନୂଆ ପ୍ରସ୍ତୁତିରେ ସହଯୋଗ ଭିତ୍ତିରେ କାମ କରିବାକୁ ପଡିବ ।
ବନ୍ଧୁଗଣ,
ଆମ ପୃଥିବୀ ଯେଉଁ ଆହ୍ୱାନର ସମ୍ମୁଖୀନ, ତାଙ୍କୁ ମିଳିତ ପ୍ରୟାସ, ଆଗ୍ରହ ଓ ମାନବ କେନ୍ଦ୍ରିକ ଦୃଷ୍ଟିକୋଣ ଦ୍ୱାରା ମୁକାବିଲା କରିହେବ । ଏଥିପାଇଁ ଆମ ଷ୍ଟାର୍ଟଅପ ସମୁଦାୟ ନେତୃତ୍ୱ ନେବାକୁ ଆହ୍ୱାନ ଜଣାଉଛି । ଏହି କ୍ଷେତ୍ର ଯୁବବର୍ଗ ଦ୍ୱାରା ଅଧୁଷିତ । ସେମାନେ ଅତୀତର ଜଞ୍ଜାଳ ଓ ବୋଝରୁ ମୁକ୍ତ । ସେମାନେ ବୈଶ୍ୱିକ ପରିବର୍ତ୍ତନକୁ ଶକ୍ତିଦେବାକୁ ସୁବିଧାଜନକ ସ୍ଥିତିରେ ଅଛନ୍ତି । ଆମ ଷ୍ଟାର୍ଟଅପମାନେ ସ୍ୱାସ୍ଥ୍ୟସେବା, ପରିବେଶ ଅନୁକୂଳ ଟେକ୍ନୋଲୋଜି, ଆବର୍ଜନା ପ୍ରକ୍ରିୟାକରଣ, କୃଷି ଓ ନବଯୁଗର ସାଧକ ନିର୍ମାଣ ଆଦି କ୍ଷେତ୍ରରେ ନୂଆ ସମ୍ଭାବନା ସୃଷ୍ଟି କରିବାର ଆବଶ୍ୟକତା ରହିଛି ।
ବନ୍ଧୁଗଣ,
ଏକ ମୁକ୍ତ ସମାଜ ଓ ଅର୍ଥନୀତିର ଦେଶଭାବେ ଭାରତ ଆନ୍ତର୍ଜାତିକ ବ୍ୟବସ୍ଥା ଓ ଅଂଶୀଦାରୀ ପ୍ରତି ଅଙ୍ଗୀକୃତ । ଫ୍ରାନ୍ସ ଓ ୟୁରୋପ ଆମର ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର । ମେ’ ମାସେରେ ପୋର୍ଟୋରେ ଅନୁଷ୍ଠିତ ୟୁରୋପୀୟ ଶିଖର ସମ୍ମିଳନୀରେ ରାଷ୍ଟ୍ରପ୍ରତି ମାକ୍ରେନଙ୍କ ସହ ମୋର ଆଲୋଚନା ଡିଜିଟାଲ କ୍ଷେତ୍ର, ଷ୍ଟାର୍ଟଅପ୍ ଓ କ୍ୱାଂଣ୍ଟମ୍ କମ୍ପ୍ୟୁଟିଙ୍ଗ କ୍ଷେତ୍ରରେ ଭାଗିଦାରୀ ଘେନି ହୋଇଥିଲା । ୟୁରୋପୀୟ ସଂଘର ଦେଶମାନଙ୍କ ସହ ବିଭିନ୍ନ କ୍ଷେତ୍ରରେ ଅଂଶୀଦାର ନିର୍ମାଣ ଉପରେ କଥାବାର୍ତ୍ତା କରିଥିଲି । ଇତିହାସ ପ୍ରମାଣିତ କରିଛି ଯେ, ନୂଆ ଟେକ୍ନୋଲୋଜିର ନେତୃତ୍ୱ ଅର୍ଥନୈତିକ ସାମର୍ଥ୍ୟ, ନିଯୁକ୍ତି ଓ ସମୃଦ୍ଧିକୁ ତ୍ୱରାନ୍ୱିତ କରେ । ଆମ ଅଂଶୀଦାରୀ ମଧ୍ୟ ମାନବ ସମାଜର ସେବା ଭଳି ବୃହତର ଉଦ୍ଦେଶ୍ୟ ପୂରଣ ପାଇଁ ଉଦ୍ଦିଷ୍ଟ । ଏହି ମହାମାରୀ ଆମ ସ୍ଥିତି ସ୍ଥାପତ୍ୱର ପରୀକ୍ଷା କେବଳ ନେଉନାହିଁ, ଆମ କଳ୍ପନା ଓ ବିଚାରକୁ ପରଖୁଛି । ଏହି ଅଧିକ ସମାବେଶୀ, ଯତ୍ନଶୀଳ ଓ ସମୃଦ୍ଧ ଭବିଷ୍ୟତ ନିର୍ମାଣ ପାଇଁ ମହାମାରୀ ଏକ ସୁଯୋଗ ଦେଇଛି । ରାଷ୍ଟ୍ରପତି ମାକ୍ରନଙ୍କ ଭଳି ମୋର ମଧ୍ୟ ବିଜ୍ଞାନର ଶକ୍ତି ଓ ନବସୃଜନର ସମ୍ଭାବନା ଉପରେ ଗଭୀର ବିଶ୍ୱାସ ରହିଛି, ଯାହା ଆମକୁ ଭବିଷ୍ୟତକୁ ସୁରକ୍ଷିତ ସୁନିଶ୍ଚିତ କରିପାରିବ ।
ଧନ୍ୟବାଦ