କତା ରକ୍ଷା ଓ ସମ୍ମିଳିତ ଉଦ୍ୟମ ପାଇଁ ପ୍ରଦେଶବାସୀଙ୍କୁ ପ୍ରଶଂସା
“ଡବଲ ଇଞ୍ଜିନ ସରକାରର ମିଳିତ ପ୍ରୟାସରେ ତ୍ରିପୁରା ଏବେ ସୁଯୋଗର ଭୂମିରେ ପରିଣତ ହୋଇଛି”
“ସଂଯୋଗ ଭିତ୍ତିଭୂମି ନିର୍ମାଣ ଫଳରେ ତ୍ରିପୁରା ରାଜ୍ୟ ଏବେ ବାଣିଜ୍ୟ କରିଡର ହବ୍ ହେବାକୁ ଦ୍ରୁତିଗତିରେ ଆଗେଇ ଚାଲିଛି”

ନମସ୍କାର!

ଖୁଲୁମଖା!

ରାଜ୍ୟ ପ୍ରତିଷ୍ଠାର ୫୦ ବର୍ଷ ପୂରଣ କରିଥିବାରୁ ସମସ୍ତ ତ୍ରିପୁରାବାସୀଙ୍କୁ ଅନେକ ଅନେକ ଶୁଭକାମନା। ତ୍ରିପୁରାର ନିର୍ମାଣ ଏବଂ ଏହାର ବିକାଶରେ ଯୋଗଦାନ ଦେଇଥିବା ସମସ୍ତ ମହାପୁରୁଷମାନଙ୍କୁ ଆଦରପୂର୍ବକ ଅଭିନନ୍ଦନ ଜଣାଉଛି, ସେମାନଙ୍କର ପ୍ରୟାସକୁ ପ୍ରଣାମ କରୁଛି !

ତ୍ରିପୁରା ଇତିହାସ ସର୍ବଦା ଗରିମାମୟ ରହି ଆସିଛି। ମାଣିକ୍ୟ ବଂଶର ସମ୍ରାଟମାନଙ୍କର ପରାକ୍ରମ ଠାରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ, ଏକ ରାଜ୍ୟ ଭାବେ ତ୍ରିପୁରା ନିଜର ଭୂମିକାକୁ ସଶକ୍ତ କରିଛି। ଜନଜାତି ସମାଜ ହୁଅନ୍ତୁ କିମ୍ବା ଅନ୍ୟ ସମୁଦାୟ, ସମସ୍ତେ ତ୍ରିପୁରାର ବିକାଶ ପାଇଁ କଠିନ ପରିଶ୍ରମର ସହିତ, ଏକଜୁଟ୍‌ ହୋଇ ପ୍ରୟାସ କରିଛନ୍ତି । ମା’ ତ୍ରିପୁରାସୁନ୍ଦରୀଙ୍କ ଆଶୀର୍ବାଦରୁ ତ୍ରିପୁରା ପ୍ରତ୍ୟେକ ଆହ୍ୱାନକୁ ସାହସର ସହିତ ମୁକାବିଲା କରିଛି।

 

ତ୍ରିପୁରା ଆଜି ବିକାଶର ଯେଉଁ ନୂଆ ଯୁଗରେ, ନୂଆ ଉଚ୍ଚତା ଦିଗରେ ଅଗ୍ରସର ହେଉଛି, ସେଥିରେ ତ୍ରିପୁରାବାସୀଙ୍କ ବୁଦ୍ଧିମତାର ବିଶେଷ ଯୋଗଦାନ ରହିଛି। ସାର୍ଥକ ପରିବର୍ତ୍ତନର ତିନି ବର୍ଷ ଏହି ବୁଦ୍ଧିମତାର ପ୍ରମାଣ ଦେଉଛି। ଆଜି ତ୍ରିପୁରା ଭିନ୍ନ ଭିନ୍ନ ସୁଯୋଗର ଭୂମି ପାଲଟିଛି। ଆଜି ତ୍ରିପୁରାର ଜନସାଧାରଣଙ୍କ ଛୋଟ ଛୋଟ ଆବଶ୍ୟକତା ପୂରଣ କରିବା ଲାଗି ଡବଲ ଇଞ୍ଜିନ ସରକାର ନିରନ୍ତର କାମ କରୁଛି। ଏହି କାରଣରୁ ବିକାଶର ବିଭିନ୍ନ କ୍ଷେତ୍ରରେ ତ୍ରିପୁରା ଆଜି ଉନ୍ନତ ପ୍ରଦର୍ଶନ କରୁଛି। ବଡ଼ ବଡ଼ ଯୋଗାଯୋଗ ଭିତ୍ତିଭୂମି ନିର୍ମାଣ କରାଯିବା ଫଳରେ ଆଜି ଏହି ରାଜ୍ୟ ବାଣିଜ୍ୟ କରିଡରର ନୂଆ କେନ୍ଦ୍ର ରୂପରେ ଉଭା ହେଉଛି। ଏତେ ଦଶନ୍ଧି ଧରି ତ୍ରିପୁରା ସହ ଅବଶିଷ୍ଟ ଭାରତକୁ ଯୋଡ଼ୁଥିବା ମାତ୍ର ଗୋଟିଏ ରାସ୍ତା ଥିଲା। ମୌସୁମୀ ଋତୁରେ ମାଟି ଅତଡ଼ା ଧସି ସଡ଼କ ବନ୍ଦ ହୋଇଗଲେ ତ୍ରିପୁରା ସମେତ ସମ୍ପୂର୍ଣ୍ଣ ଉତ୍ତର ପୂର୍ବାଞ୍ଚଳରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବା ସମ୍ଭବ ହେଉନଥିଲା। ଏସବୁ ସାମଗ୍ରୀର ଅଭାବ ସୃଷ୍ଟି ହେଉଥିଲା। ଆଜି ସଡ଼କ ସହିତ ରେଳ, ବିମାନବନ୍ଦର, ଅନ୍ତର୍ଦେଶୀୟ ଜଳମାର୍ଗ ଭଳି ଅନେକ ମାଧ୍ୟମ ତ୍ରିପୁରାକୁ ମିଳିଛି। ରାଜ୍ୟ ଗଠନ ହେବାର ଅନେକ ବର୍ଷ ପର୍ଯ୍ୟନ୍ତ ତ୍ରିପୁରା ବାଂଲାଦେଶର ଚିଟଗାଓଁ ବନ୍ଦର ପର୍ଯ୍ୟନ୍ତ ଯୋଗାଯୋଗ ବ୍ୟବସ୍ଥା କରିବା ଲାଗି ଦାବି କରି ଆସୁଥିଲା। ଡବଲ ଇଞ୍ଜିନ ସରକାର ଏହି ଦାବିକୁ ପୂରଣ କରିଛନ୍ତି। ୨୦୨୦ରେ ଅଖୌରା ଇଣ୍ଟିଗ୍ରେଟେଡ ଚେକ୍‌ପୋଷ୍ଟରେ ବାଂଲାଦେଶରୁ ପ୍ରଥମ ଟ୍ରାଞ୍ଜିଟ୍‌ କାର୍ଗୋ (ମାଲବାହୀ ଜାହାଜ)ପହଞ୍ଚି ପାରିଛି। ରେଳ ଯୋଗାଯୋଗ କ୍ଷେତ୍ରରେ ତ୍ରିପୁରା ଦେଶର ଅଗ୍ରଣୀ ରାଜ୍ୟମାନଙ୍କ ମଧ୍ୟରେ ସାମିଲ ହୋଇପାରିଛି। କିଛି ଦିନ ପୂର୍ବରୁ ମହାରାଜା ବୀର ବିକ୍ରମ ବିମାନବନ୍ଦରର ସମ୍ପ୍ରସାରଣ କରାଯାଇଛି।

 

ବନ୍ଧୁଗଣ,

ଆଜି ଗୋଟିଏ ପଟେ ତ୍ରିପୁରା ଗରିବଙ୍କୁ ପକ୍କା ଘର ଦେବାରେ ପ୍ରଶଂସନୀୟ କାର୍ଯ୍ୟ କରୁଛି, ଅନ୍ୟପକ୍ଷରେ ନୂଆ ପ୍ରଯୁକ୍ତିକୁ ମଧ୍ୟ ଦ୍ରୁତ ଗତିରେ ଆପଣାଉଛି। ଆବାସ ନିର୍ମାଣରେ ନୂଆ ପ୍ରଯୁକ୍ତି ଉପଯୋଗ ଯେଉଁ ଛଅଟି ରାଜ୍ୟରେ କରାଯାଉଛି, ସେଥିରେ ତ୍ରିପୁରା ଅନ୍ୟତମ। ତିନି ବର୍ଷ ମଧ୍ୟରେ ଯାହାକିଛି ହୋଇଛି, ତାହା କେବଳ ମାତ୍ର ଆରମ୍ଭ। ତ୍ରିପୁରାର ପ୍ରକୃତ ସାମର୍ଥ୍ୟ ଆଗକୁ ଆଣିବା, ସେହି ସାମର୍ଥ୍ୟକୁ ସମ୍ପୂର୍ଣ୍ଣ ଶକ୍ତି ସହିତ ପରିପ୍ରକାଶ କରିବା, ସେହି ସାମର୍ଥ୍ୟ ପୂର୍ଣ୍ଣ ସ୍ୱରୂପରେ ଉପଯୋଗ କରିବା ଆହୁରି ବାକି ରହିଛି।

ପ୍ରଶାସନରେ ପାରଦର୍ଶିତା ଠାରୁ ଆରମ୍ଭ କରି ଆଧୁନିକ ଭିତ୍ତିଭୂମି ପର୍ଯ୍ୟନ୍ତ ଆଜି ଯେଉଁ ତ୍ରିପୁରାର ନିର୍ମାଣ ହେଉଛି, ତାହା ଆଗାମୀ ଦଶନ୍ଧି ପାଇଁ ରାଜ୍ୟକୁ ପ୍ରସ୍ତୁତ କରିବ। ବିପ୍ଳବ ଦେବ ଜୀ ଏବଂ ତାଙ୍କ ଟିମ୍‌ ଅତ୍ୟନ୍ତ ପରିଶ୍ରମର ସହିତ ଏହି କାର୍ଯ୍ୟରେ ନିୟୋଜିତ ରହିଛନ୍ତି। ନିକଟରେ ତ୍ରିପୁରା ସରକାର ପ୍ରତ୍ୟେକ ଗ୍ରାମରେ ବିଭିନ୍ନ ସୁବିଧା ପହଞ୍ଚାଇବା ଲାଗି ଅଭିଯାନ ଆରମ୍ଭ କରିଛନ୍ତି। ସରକାରଙ୍କ ଏହି ପ୍ରୟାସ, ତ୍ରିପୁରାର ଲୋକମାନଙ୍କ ଜୀବନକୁ ସହଜ କରିବାରେ ସହାୟକ ହେବ। ଭାରତ ସ୍ୱାଧୀନତାର ୧୦୦ ବର୍ଷ ପୂରଣ କରିବା ସମୟରେ ତ୍ରିପରା ରାଜ୍ୟ ପ୍ରତିଷ୍ଠାର ୭୫ ବର୍ଷ ପୂରଣ ହେବ। ନୂଆ ସଂକଳ୍ପ, ନୂଆ ଅବସର ପାଇଁ ଏହା ଅତ୍ୟନ୍ତ ଉତ୍ତମ ସମୟ। ଆମେ ଆମ କର୍ତ୍ତବ୍ୟ ପାଳନ କରି ଆଗକୁ ବଢ଼ିବାର ଆବଶ୍ୟକତା ରହିଛି। ଆମେ ସମସ୍ତେ ମିଶି ବିକାଶର ଗତି ବଜାୟ ରଖିବା, ଏହି ବିଶ୍ୱାସ ନେଇ ଆପଣ ସମସ୍ତଙ୍କୁ ଅନେକ ଅନେକ ଶୁଭକାମନା।

ଧନ୍ୟବାଦ!

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
MSME exports touch Rs 9.52 lakh crore in April–September FY26: Govt tells Parliament

Media Coverage

MSME exports touch Rs 9.52 lakh crore in April–September FY26: Govt tells Parliament
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଡିସେମ୍ବର 21, 2025
December 21, 2025

Assam Rising, Bharat Shining: PM Modi’s Vision Unlocks North East’s Golden Era