ସମ୍ମାନିତ ଅତିଥିବୃନ୍ଦ,
ବନ୍ଧୁଗଣ!
ୱଣକ୍କମ୍!
ଏହା ଏକ ଅନନ୍ୟ କାର୍ଯ୍ୟକ୍ରମ । ସ୍ୱାମୀ ଚିଦ୍ଭବାନନ୍ଦ ମହୋଦୟଙ୍କ ଲିଖିତ ବିବରଣୀ ସନ୍ନିବେଶିତ ଥିବା ଇ-ପୁସ୍ତକର ଶୁଭ ଉନ୍ମୋଚନ ଶୁଭ ଉନ୍ମୋଚନ କରାଯାଇଛି । ଏହି କାର୍ଯ୍ୟରେ ନିୟୋଜିତ ପ୍ରତ୍ୟେକ ବ୍ୟକ୍ତିଙ୍କୁ ମୁଁ ପ୍ରଶଂସା କରୁଛି । ଏହି ଉଦ୍ୟମକୁ ଧନ୍ୟବାଦ, ଯାହା ପରମ୍ପରା ଓ ପ୍ରଯୁକ୍ତିକୁ ଏକାଠି କରିପାରିଛି । ଇ-ପୁସ୍ତକଗୁଡିକ ବିଶେଷକରି ଯୁବପିଢୀଙ୍କ ମଧ୍ୟରେ ଖୁବ୍ ଲୋକପ୍ରିୟ ହେବାରେ ଲାଗିଛି । ଏଣୁ, ଏହି ପ୍ରୟାସ ଗୀତାର ମହତ୍ ଭାବନା ସହିତ ଅଧିକରୁ ଅଧିକ ଯୁବକ ଯୁବତୀଙ୍କୁ ସଂଯୁକ୍ତ କରିବ ।
ବନ୍ଧୁଗଣ,
ଏହି ଇ-ପୁସ୍ତକ ଅନନ୍ତ ଗୀତା ଓ ଗୌରବମୟ ତାମିଲ ସଂସ୍କୃତି ସହ ସମ୍ପର୍କକୁ ଆହୁରି ଗଭୀର କରିବ । ବିଶ୍ୱର ବିଭିନ୍ନ ସ୍ଥାନରେ ରହୁଥିବା ତାମିଲ୍ ସମୁଦାୟ ଏହାକୁ ସହଜରେ ପଠନ କରିପାରିବେ । ତାମିଲ୍ ସମୁଦାୟ ଅନେକ କ୍ଷେତ୍ରରେ ସଫଳତାର ନୂତନ ଶିଖର ଛୁଇଁ ପାରିଛନ୍ତି । ତଥାପି ସେମାନେ ନିଜର ସଂସ୍କୃତିର ମୂଳଦୁଆକୁ ନେଇ ଗର୍ବ କରନ୍ତି । ସେମାନେ ଯୁଆଡେ ମଧ୍ୟ ଯାଆନ୍ତି, ନିଜ ସହ ତାମିଲ ସଂସ୍କୃତିର ମହାନତାକୁ ସାଙ୍ଗରେ ନେଇଥାଆନ୍ତି ।
ବନ୍ଧୁଗଣ,
ମୁଁ ସ୍ୱାମୀ ଚିଦ୍ଭବାନନ୍ଦ ମହୋଦୟଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରୁଛି । ମନ, ଶରୀର, ହୃଦୟ ଏବଂ ଆତ୍ମା ସ୍ତରରେ ସେ ନିଜର ଜୀବନକୁ ଭାରତର ପୁନଃଜାଗରଣ ପାଇଁ ଉତ୍ସର୍ଗ କରିଦେଇଥିଲେ । ସେ ବିଦେଶରେ ପାଠ ପଢିବାକୁ ବିଚାର କରିଥିଲେ କିନ୍ତୁ ତାଙ୍କ ଭାଗ୍ୟରେ ଅନ୍ୟ କିଛି ଲେଖାଥିଲା । ରାସ୍ତାକଡ ବହିଦୋକାନୀ ନିକଟରେ ସେ “ସ୍ୱାମୀ ବିବେକାନନ୍ଦଙ୍କ ମାଡ୍ରାସ ଲେକଚର୍” ବହି ଦେଖିଥିଲେ, ଯାହା ତାଙ୍କ ଜୀବନର ଗତିପଥ ବଦଳାଇ ଦେଇଥିଲା । ରାଷ୍ଟ୍ରକୁ ସର୍ବୋପରି ଭାବିବା ସହିତ ଜନସାଧାରଣଙ୍କ ସେବା କରିବା ପାଇଁ ଏହା ତାଙ୍କୁ ପ୍ରେରଣା ଦେଇଥିଲା । ଗୀତାରେ ଶ୍ରୀକୃଷ୍ଣ କହିଛନ୍ତି:
ୟଦୟ ୟଦୟ ଆଚରତି ଶ୍ରେଷ୍ଠଃ ତତ ତତ ଏବ ଇତରେ ଜନଃ ।
ସୟତ୍ ପ୍ରମାଣମ କୁରୁତେ ଲୋକଃ ତଦା ।
ଏହାର ଅର୍ଥ, ମହାପୁରୁଷମାନେ ଯାହା ବି କରନ୍ତି, ତାହାଦ୍ୱାରା ଅନେକ ଲୋକ ଅନୁପ୍ରେରିତ ହୋଇ ସେମାନଙ୍କ ପଦାଙ୍କ ଅନୁସରଣ କରନ୍ତି । ଗୋଟିଏ ପଟେ ସ୍ୱାମୀ ଚିଦ୍ଭବାନନ୍ଦ ମହୋଦୟ ସ୍ୱାମୀ ବିବେକାନନ୍ଦଙ୍କ ଦ୍ୱାରା ଅନୁପ୍ରାଣୀତ ହୋଇଥିଲେ । ଅନ୍ୟ ପକ୍ଷରେ ସେ ନିଜର ମହତ୍ କାର୍ଯ୍ୟ ଦ୍ୱାରା ବିଶ୍ୱକୁ ପ୍ରେରଣା ଦେବା ପାଇଁ ଅଗ୍ରସର ହୋଇଥିଲେ । ଶ୍ରୀ ରାମକୃଷ୍ଣ ତପୋବନମ ଆଶ୍ରମ ସ୍ୱାମୀ ଚିଦ୍ଭବାନନ୍ଦ ମହୋଦୟଙ୍କ ମହତ୍ କାର୍ଯ୍ୟକୁ ଆଗେଇ ନେଉଛି । ସେମାନେ ସମାଜ ସେବା, ଶିକ୍ଷା ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ପ୍ରଶଂସନୀୟ କାର୍ଯ୍ୟ କରୁଛନ୍ତି । ମୁଁ ଶ୍ରୀ ରାମକୃଷ୍ଣ ତପୋବନମ ଆଶ୍ରମକୁ ସାଧୁବାଦ ଜଣାଇବା ସହିତ ସେମାନଙ୍କ ଭବିଷ୍ୟତ କାର୍ଯ୍ୟପନ୍ଥା ପାଇଁ ଶୁଭେଚ୍ଛା ଜଣାଉଛି ।
ବନ୍ଧୁଗଣ,
ଗୀତାର ସୌନ୍ଦର୍ଯ୍ୟ ଏହାର ଗଭୀରତା, ବିବିଧତା ଏବଂ ନମନୀୟତା ମଧ୍ୟରେ ନିହିତ ରହିଛି । ଆଚାର୍ଯ୍ୟ ବିନୋବା ଭାବେ ଗୀତାକୁ ଜଣେ ମାଆ ଭାବରେ ବର୍ଣ୍ଣନା କରିଛନ୍ତି ଯିଏ ନିଜର ସନ୍ତାନ ଝୁଂଟି ପଡିବାବେଳେ ତାକୁ କୋଳେଇ ନେଇଥାଏ । ମହାତ୍ମା ଗାନ୍ଧୀ, ଲୋକମାନ୍ୟ ତିଲକ୍, ମହାକବି ସୁବ୍ରମଣ୍ୟ ଭାରତୀଙ୍କ ପରି ମହାନ୍ ବ୍ୟକ୍ତିମାନେ ଗୀତା ଦ୍ୱାରା ଅନୁପ୍ରାଣିତ ହୋଇଥିଲେ । ଗୀତା ଆମକୁ ଚିନ୍ତା କରିବାକୁ ଶକ୍ତି ଦେଇଥାଏ । ଏହା ଆମକୁ ପ୍ରଶ୍ନ ପଚାରିବାକୁ ଅନୁପ୍ରାଣିତ କରେ । ଏହା ତର୍କକୁ ପ୍ରୋତ୍ସାହିତ କରେ । ଗୀତା ଆମ ମନକୁ ଉନ୍ମୁକ୍ତ ରଖେ । ଯେଉଁ ବ୍ୟକ୍ତି ଗୀତା ଦ୍ୱାରା ଅନୁପ୍ରାଣୀତ ହୋଇଥାଆନ୍ତି ସେମାନେ ନିଶ୍ଚିତଭାବେ ସବୁବେଳେ ଦୟାଳୁ ସ୍ୱଭାବର ଏବଂ ଗଣତାନ୍ତ୍ରିକ ବିଚାରଧାରାର ହୋଇ ରହିବେ ।
ବନ୍ଧୁଗଣ,
ଏହା ଭାବିବା ସ୍ୱାଭାବିକ ଯେ – ଗୀତାଭଳି ଏକ ଜିନଷ ନିଶ୍ଚିତଭାବେ ଶାନ୍ତିପୂର୍ଣ୍ଣ ଏବଂ ମନୋରମ ପରିବେଶ ମଧ୍ୟରେ ବିରାଜମାନ ହୋଇଥିବ । କିନ୍ତୁ, ଆପଣମାନେ ଜାଣନ୍ତି ଯେ, ବିଦ୍ୱେଷର ବାତାବରଣ ମଧ୍ୟରେ ବିଶ୍ୱ ଭଗବଦ ଗୀତା ଆକାରରେ ସର୍ବଶ୍ରେଷ୍ଠ ଜୀବନ ଶିକ୍ଷା ଲାଭ କରିଥିଲା ।
ଆମେ ଆଶା କରୁଥିବା ପ୍ରତ୍ୟେକଟି ଜିନିଷ ସମ୍ପର୍କରେ ଜ୍ଞାନର ସର୍ବୋତ୍କୃଷ୍ଟ ଉତ୍ସ ହେଉଛି ଗୀତା । କିନ୍ତୁ ଆପଣମାନେ କେବେ ଭାବିଛନ୍ତି କେଉଁ କାରଣରୁ ଶ୍ରୀକୃଷ୍ଣଙ୍କ କଥା ମାଧ୍ୟମରେ ଏହି ଜ୍ଞାନ ନିଃସୃତ ହେଉଛି? ଏହା ହେଉଛି ବିଷାଦ ବା ଦୁଃଖ । ଭଗବଦ୍ ଗୀତା ହେଉଛି ସେହି ବିଚାରଧାରାର ଭଣ୍ଡାର ଯାହା ବିଷାଦରୁ ବିଜୟର ଯାତ୍ରାକୁ ପ୍ରତିଫଳିତ କରିଥାଏ । ଯେତେବେଳେ ଭଗବଦ୍ ଗୀତା ସୃଷ୍ଟି ହୋଇଥିଲା, ସେତେବେଳେ ସବୁଆଡେ ବିବାଦ ଥିଲା, ବିଷାଦ ଥିଲା । ଅନେକ ଅନୁଭବ କରନ୍ତି ମାନବ ସମାଜ ଆଜି ସେହିଭଳି ବିଦ୍ୱେଷ ଏବଂ ଆହ୍ୱାନ ଦେଇ ଗତି କରୁଛି । ବିଶ୍ୱ ଜୀବଦ୍ଦଶାରେ ଥରେମାତ୍ର ଦେଖାଦେଇଥିବା ମହାମାରୀ ବିରୁଦ୍ଧରେ ଜୋରଦାର ଲଢେଇ କରୁଛି । ଏହାର ଆର୍ଥିକ ଓ ସାମାଜିକ ପ୍ରଭାବ ମଧ୍ୟ ସୁଦୂରପ୍ରସାରୀ । ଏଭଳି ସମୟରେ, ଶ୍ରୀମଦ ଭଗବଦ୍ ଗୀତାରେ ପ୍ରଦର୍ଶିତ ମାର୍ଗ ସଦା ପ୍ରାସଙ୍ଗିକ ମନେ ହୁଏ । ମାନବ ଜାତି ସମ୍ମୁଖୀନ ହେଉଥିବା ଆହ୍ୱାନଗୁଡିକରୁ ପୁଣିଥରେ ବିଜୟୀ ହେବା ପାଇଁ ଏହା ଶକ୍ତି ଓ ଦିଶା ପ୍ରଦାନ କରିପାରିବ । ଭାରତରେ ଆମେ ଏହାର ଅନେକ ଉଦାହରଣ ଦେଖିଛୁ । କୋଭିଡ ୧୯ ବିରୋଧରେ ଆମର ଲୋକଶକ୍ତିଯୁକ୍ତ ଲଢେଇ, ଲୋକମାନଙ୍କର ଅଦମ୍ୟ ଭାବନା, ଆମ ନାଗରିକମାନଙ୍କର ସାହସ, ଏସବୁ ପଛରେ ଗୀତା ଯେଉଁସବୁ କଥାକୁ ପ୍ରମୁଖ ଭାବେ ଉଲ୍ଲେଖ କରିଛି ସେସବୁର ଝଲକ ରହିଛି ବୋଲି କୁହାଯାଇପାରେ । ଏହା ମଧ୍ୟ ନିଃସ୍ୱାର୍ଥପରତାର ଏକ ଭାବନା । ଆମେ ବହୁବାର ଏହା ଦେଖିଲୁ ଯେ ଆମ ଲୋକମାନେ ପରସ୍ପରକୁ ନିଜର ସାମର୍ଥ୍ୟଠାରୁ ଅଧିକ ସାହାଯ୍ୟ କରିବା ପାଇଁ ଆଗେଇ ଆସିଥିଲେ ।
ବନ୍ଧୁଗଣ,
ଗତବର୍ଷ, ୟୁରୋପିଅନ୍ ହାର୍ଟ ଜର୍ଣ୍ଣାଲରେ ଏକ ଚିତାକର୍ଷକ ପ୍ରବନ୍ଧ ପ୍ରକାଶ ପାଇଥିଲା । ଏହା ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରକାଶିତ ଏବଂ ବିଶେଷଜ୍ଞଙ୍କ ଦ୍ୱାରା ସମୀକ୍ଷା କରାଯାଇଥିବା ହୃଦ୍ରୋଗ ସମ୍ବନ୍ଧୀୟ ଏକ ପତ୍ରିକା । ଅନ୍ୟାନ୍ୟ ବିଷୟ ସହିତ, କୋଭିଡ୍ ସମୟରେ ଗୀତା କିପରି ସବୁଠାରୁ ଅଧିକ ପ୍ରାସଙ୍ଗିକ ଥିଲା ସେ ସମ୍ପର୍କରେ ଏହି ପ୍ରବନ୍ଧରେ ଉଲ୍ଲେଖ ଥିଲା । ଏକ ପରିପୂର୍ଣ୍ଣ ଜୀବନଯାପନ ନିମନ୍ତେ ଏଠାରେ ଭଗବଦ୍ ଗୀତାକୁ ସଠିକ୍ ମାର୍ଗଦର୍ଶକ ଭାବେ ବର୍ଣ୍ଣନା କରାଯାଇଛି । ଏହି ପ୍ରବନ୍ଧରେ ଅର୍ଜୁନଙ୍କୁ ସ୍ୱାସ୍ଥ୍ୟସେବା କର୍ମଚାରୀ ଭାବେ ଏବଂ ହସପିଟାଲଗୁଡିକୁ ଭୂତାଣୁ ବିରୋଧରେ ସଂଗ୍ରାମ କରିବା ପାଇଁ ଯୁଦ୍ଧକ୍ଷେତ୍ର ଭାବେ ବର୍ଣ୍ଣନା କରାଯାଇଛି । କୌଣସି ଭୟ ଏବଂ ଆହ୍ୱାନକୁ ଅତିକ୍ରମ କରି ସ୍ୱାସ୍ଥ୍ୟସେବା କର୍ମଚାରୀମାନେ ସେମାନଙ୍କ କର୍ତବ୍ୟ ପାଳନ କରିଥିବାରୁ ଏହି ପ୍ରବନ୍ଧ ସେମାନଙ୍କୁ ପ୍ରଶଂସା କରିଛି ।
ବନ୍ଧୁଗଣ,
ଭଗବଦ୍ ଗୀତାର ଗୁଢ ତତ୍ୱ ହେଉଛି କର୍ମ । ଭଗବାନ୍ ଶ୍ରୀକୃଷ୍ଣ କହିଛନ୍ତି:
ନିୟତଂ କୁରୁ କର୍ମ ତ୍ୱଂ
କର୍ମ ଜ୍ୟାୟୋ ହ୍ୟକର୍ମଣଃ ।
ଶରୀର ୟାତ୍ରାପି ଚ ତେ
ନ ପ୍ରସିଦଧ୍ୟେ ଦକର୍ମଣଃ ।
ସେ ଆମକୁ କର୍ମରେ ନିମଗ୍ନ ଦେବାକୁ କହୁଛନ୍ତି କାରଣ ନିଷ୍କ୍ରିୟତାଠାରୁ ଏହା ଶତ ଗୁଣରେ ଉତମ । ସେ କୁହନ୍ତି, କର୍ମ ବିନା ଆମେ ଆମ ଶରୀରର ମଧ୍ୟ ଯତ୍ନ ନେଇପାରିବା ନାହିଁ । ଆଜି, ଭାରତର ୧୩୦ କୋଟି ଲୋକ ସେମାନଙ୍କ କାର୍ଯ୍ୟପନ୍ଥା ସ୍ଥିର କରିସାରିଛନ୍ତି । ସେମାନେ ଭାରତକୁ ଆତ୍ମନିର୍ଭର କରିବାକୁ ଯାଉଛନ୍ତି । ଭବିଷ୍ୟତ ଦୃଷ୍ଟିକୋଣରୁ କେବଳ ଏକ ଆତ୍ମନିର୍ଭର ଭାରତ ସମସ୍ତଙ୍କ ସ୍ୱାର୍ଥର ଅନୁପନ୍ଥୀ । ଆତ୍ମନିର୍ଭର ଭାରତର ଗୁଢ ତତ୍ୱ ହେଉଛି କେବଳ ଆମମାନଙ୍କ ପାଇଁ ନୁହେଁ ବରଂ ଏକ ବୃହତର ମାନବ ସମାଜ ପାଇଁ ସମ୍ପଦ ଓ ମୂଲ୍ୟବୋଧ ସୃଷ୍ଟି କରିବା । ଆମେ ବିଶ୍ୱାସ କରୁ ଯେ ଏକ ଆତ୍ମନିର୍ଭର ଭାରତ ସାରା ବିଶ୍ୱ ପାଇଁ ମଙ୍ଗଳକାରୀ । ନିକଟ ଅତୀତରେ, ଯେତେବେଳେ ବିଶ୍ୱ ଔଷଧପତ୍ର ଆବଶ୍ୟକ କରୁଥିଲା, ସେତେବେଳେ ଭାରତ ସେମାନଙ୍କୁ ଏହା ଯୋଗାଇଦେବା ପାଇଁ ଯଥାସମ୍ଭବ ପ୍ରୟାସ କରିଥିଲା । ଆମ ବୈଜ୍ଞାନିକମାନେ କଠିନ ପରିଶ୍ରମ କରି ଖୁବ୍ ଅଳ୍ପ ସମୟ ମଧ୍ୟରେ ପ୍ରତିଷେଧକ ବିକଶିତ କରିପାରିଥିଲେ । ଏବଂ ବର୍ତମାନ, ଭାରତରେ ପ୍ରସ୍ତୁତ ଟିକା ବିଶ୍ୱର ସବୁସ୍ଥାନରେ ପହଂଚାଇ ଭାରତ ନିଜକୁ ବିନୀତ ମନେ କରୁଛି । ଆମେ ମାନବ ଜାତିର ଉପଶମ ଓ ସହାୟତା ଚାହୁଁ । ଗୀତା ଆମକୁ ଏହାହିଁ ଶିକ୍ଷା ଦିଏ ।
ବନ୍ଧୁଗଣ,
ମୁଁ ମୋ ଯୁବ ବନ୍ଧୁମାନଙ୍କୁ ଭଗବଦ୍ ଗୀତା ଦେଖିବା ପାଇଁ ବିଶେଷ ଅନୁରୋଧ କରିବି । ଏଥିରେ ଥିବା ଶିକ୍ଷା ଅତ୍ୟନ୍ତ ବ୍ୟାବହାରିକ ଓ ସଂଯୋଗୀକରଣୀୟ । ଦୃତ ଗତିଶୀଳ ଜୀବନରେ, ଗୀତା ଶାନ୍ତି ଏବଂ ସ୍ଥିରତାର ମରୁଝର ସଦୃଶ କାର୍ଯ୍ୟ କରିବ । ଏହା ଜୀବନର ବିଭିନ୍ନ ଦିଗ ପାଇଁ ଏକ ବ୍ୟାବହାରିକ ପଥ ପ୍ରଦର୍ଶକ । ଏହି ପ୍ରସିଦ୍ଧ ପଙ୍କ୍ତିକୁ କେବେ ମଧ୍ୟ ଭୁଲ ନାହିଁ –
କର୍ମଣ୍ୟେ ବାଧିକାରସ୍ତେ ମା ଫଳେସୁ କଦାଚନ ।
ଏହା ଆମ ମନକୁ ବିଫଳତାର ଭୟରୁ ମୁକ୍ତ କରିବ ଏବଂ କର୍ମରେ ମନୋନିବେଶ କରିବା ପାଇଁ ଆମର ଧ୍ୟାନ କେନ୍ଦ୍ରିତ କରିବ । ଜ୍ଞାନ ଯୋଗ ଉପରେ ଥିବା ଅଧ୍ୟାୟ ସତ୍ ଜ୍ଞାନର ମହତ୍ୱ ଉପରେ ଆଲୋକପାତ କରେ । ଭକ୍ତି ଯୋଗ ଆମକୁ ଭକ୍ତିର ମହତ୍ୱ ସମ୍ପର୍କରେ ଶିକ୍ଷା ଦେଇଥାଏ, ସେ ସମ୍ପର୍କରେ ଅନ୍ୟ ଏକ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି । ସବୁ ଅଧ୍ୟାୟରେ କିଛି କିଛି ନା କିଛି ରହିଛି ଯାହା ଆମ ମନରେ ସକରାତ୍ମକ ଚିନ୍ତାଧାରା ସୃଷ୍ଟି କରିଥାଏ । ସର୍ବୋପରି, ଗୀତା ଆମ ମଧ୍ୟରେ ଏହି ଭାବନା ଭରିଦିଏ ଯେ ଆମେ ସମସ୍ତେ ସେହି ସର୍ବଶକ୍ତିମାନ ଇଶ୍ୱରଙ୍କର ଅଂଶ ।
ସ୍ୱାମୀ ବିବେକାନନ୍ଦ ମଧ୍ୟ ଏହା ଉପରେ ଆଲୋକପାତ ଦେଇଥିଲେ । ମୋ ଯୁବ ବନ୍ଧୁମାନଙ୍କୁ ବହୁ କଠୋର ନିଷ୍ପତିର ମଧ୍ୟ ସମ୍ମୁଖୀନ ହେବାକୁ ପଡୁଥିବ । ଏଭଳି ସମୟରେ, ସବୁବେଳେ ନିଜକୁ ପଚାର, ଯଦି ମୁଁ ଅର୍ଜୁନଙ୍କ ସ୍ଥାନରେ ଥାଆନ୍ତି, ଏହି ଦ୍ୱନ୍ଦ୍ୱର ସମ୍ମୁଖୀନ ହେଉଥାଆନ୍ତି, ଶ୍ରୀକୃଷ୍ଣ ମତେ କ’ଣ କରିବା ପାଇଁ କହିଥାଆନ୍ତେ? ଏହା ଚମତ୍କାର ଭାବରେ କାର୍ଯ୍ୟ କରେ, କାରଣ ଆପଣ ହଠାତ୍ ନିଜର ପସନ୍ଦ ଓ ନାପସନ୍ଦକୁ ପରିସ୍ଥିତିଠାରୁ ଅଲଗା କରିବା ଆରମ୍ଭ କରିଦିଅନ୍ତି । ଗୀତାର ଅନନ୍ତ ବିଚାରଧାରାର ଦୃଷ୍ଟିକୋଣରୁ ଆପଣ ଏହାକୁ ଦେଖିବା ଆରମ୍ଭ କରନ୍ତି ।
ଏବଂ ଏହା ଆପଣଙ୍କୁ ସବୁବେଳେ ସଠିକ୍ ସ୍ଥାନକୁ ନେଇଯିବ ଏବଂ କଠୋର ନିଷ୍ପତି ନେବାରେ ସାହାଯ୍ୟ କରିବ । ସ୍ୱାମୀ ଚିଦ୍ଭବାନନ୍ଦ ମହୋଦୟଙ୍କ ଦ୍ୱାରା ଲିଖିତ ବିବରଣୀ ସନ୍ନିବେଶିତ ଥିବା ଇ-ପୁସ୍ତକର ଶୁଭ ଉନ୍ମୋଚନ ନିମନ୍ତେ ମୁଁ ପୁଣିଥରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଉଛି ।
ଧନ୍ୟବାଦ ।
ୱଣକ୍କମ୍