ମୋର ମନ୍ତ୍ରୀମନ୍ତ୍ରଣ୍ଡଳର ସହଯୋଗୀ ଶ୍ରୀ ମନସୁଖ ଭାଇ ମାଣ୍ଡବ୍ୟ, ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ, ମାନ୍ୟଗଣ୍ୟ ବ୍ୟକ୍ତି ଓ ସମ୍ମାନିତ ଅତିଥିବୃନ୍ଦ,
ପ୍ରିୟ ବନ୍ଧୁଗଣ,
ମୁଁ ଆପଣ ସମସ୍ତଙ୍କୁ ମାରିଟାଇମ୍ ଇଣ୍ଡିଆ ଶିଖର ସମ୍ମିଳନୀ ୨୦୨୧କୁ ସ୍ୱାଗତ କରୁଛି । ଏହି ଶିଖର ସମ୍ମିଳନୀ ଆଲୋଚ୍ୟ କ୍ଷେତ୍ର ସହ ଜଡିତ ସମସ୍ତ ସମ୍ପୃକ୍ତ ପକ୍ଷଙ୍କୁ ଏକତ୍ର କରିଛି । ମୁଁ ଦୃଢ ନିଶ୍ଚିତ ଯେ ଏକତ୍ରିତ ଭାବେ ଆମେ ସାମୁଦ୍ରିକ ଅର୍ଥନୀତିରେ ଅଭିବୃଦ୍ଧି ଆଣିବା କ୍ଷେତ୍ରରେ ଉଲ୍ଳେଖନୀୟ ସଫଳତା ହାସଲ କରିପାରିବା ।
ବନ୍ଧୁଗଣ,
ଭାରତ ଏ କ୍ଷେତ୍ରରେ ଏକ ସ୍ୱାଭାବିକ ନେତୃତ୍ୱର ଅଧିକାରୀ । ଆମ ରାଷ୍ଟ୍ରର ଏକ ସମୃଦ୍ଧ ସାମୁଦ୍ରିକ ଇତିହାସ ରହିଛି । ଆମ ଉପକୂଳରେ ଅନେକ ସଭ୍ୟତାର ଅଭ୍ୟୁଦୟ ଘଟିଛି । ହଜାର ହଜାର ବର୍ଷ ଧରି ଆମ ବନ୍ଦରଗୁଡିକ ଗୁରୁତ୍ୱପୂର୍ଣ୍ଣ ବାଣିଜ୍ୟିକ କେନ୍ଦ୍ର ହୋଇ ରହିଆସିଛି । ଆମ ସମୁଦ୍ର ତଟ ଆମକୁ ବିଶ୍ୱ ସହ ସଂଯୋଗ କରିଛି ।
ବନ୍ଧୁଗଣ,
ଏହି ମାରିଟାଇମ୍ ଇଣ୍ଡିଆ ଶିଖର ସମ୍ମିଳନୀ ମାଧ୍ୟମରେ ମୁଁ ସମଗ୍ର ବିଶ୍ୱକୁ ଭାରତକୁ ଆସି ଆମର ବିକାଶ ଧାରାରେ ସାମିଲ୍ ହେବା ପାଇଁ ଆମନ୍ତ୍ରଣ କରିବାକୁ ଚାହୁଁଛି । ସାମୁଦ୍ରିକ କ୍ଷେତ୍ରରେ ବିକାଶ କରି ବିଶ୍ୱର ଅଗ୍ରଣୀ ନୀଳ ଅର୍ଥନୀତି ଭାବେ ଉଭା ହେବା ସକାଶେ ଭାରତ ଅତ୍ୟନ୍ତ ଗମ୍ଭୀର । ଆମର ପ୍ରମୁଖ ଲକ୍ଷ୍ୟନିବିଷ୍ଟ କ୍ଷେତ୍ରଗୁଡିକ ମଧ୍ୟରେ ରହିଛି: ସାମ୍ପ୍ରତିକ ଭିତିଭୂମୀରେ ଉନ୍ନତି, ନୂତନ ପିଢୀର ଭିତିଭୂମୀ ସୃଷ୍ଟି, ସଂସ୍କାର ଯାତ୍ରାର ବେଗ ବୃଦ୍ଧି । ଏହିସବୁ ପଦକ୍ଷେପଗୁଡିକ ଦ୍ୱାରା ଆମେ ଆତ୍ମନିର୍ଭର ଭାରତ ଲକ୍ଷ୍ୟକୁ ସୁଦୃୃଢ କରିବା ପାଇଁ ଲକ୍ଷ୍ୟ ରଖିଛୁ ।
ବନ୍ଧୁଗଣ,
ମୁଁ ଯେତେବେଳେ ସାମ୍ପ୍ରତିକ ଭିତିଭୂମୀ ଉନ୍ନୀତକରଣ ବିଷୟରେ କହେ, ମୁଁ ଦକ୍ଷତା ବୃଦ୍ଧି ଉପରେ ଅଧିକ ଗୁରୁତ୍ୱ ଦିଏ । କୌଣସି ବିକ୍ଷିପ୍ତ ଆଭିମୁଖ୍ୟ ପଦ୍ଧତି ପରିବର୍ତେ ଆମେ ସମଗ୍ର କ୍ଷେତ୍ର ଉପରେ ଧ୍ୟାନ ଦେଇଛୁ । ଏବଂ ଏହାର ଆଖିଦୃଶିଆ ଫଳାଫଳ ମିଳିଛି । ୨୦୧୪ ମସିହାରେ ପ୍ରମୁଖ ବନ୍ଦରଗୁଡିକର କ୍ଷମତା ବାର୍ଷିକ ୮୭୦ ମିଲିୟନ୍ ଟନ୍ କ୍ଷମତା ଥିବାବେଳେ ବର୍ତମାନ ଏହା ବାର୍ଷିକ ୧୫୫୦ ମିଲିଅନ୍ ଟନକୁ ବୃଦ୍ଧି ପାଇଛି । ଏହି ଉତ୍ପାଦକତା ବୃଦ୍ଧି କେବଳ ଆମ ବନ୍ଦରଗୁଡିକୁ ସାହାଯ୍ୟ କରିନାହିଁ, ବରଂ ଆମର ଉତ୍ପାଦକୁ ଅଧିକ ପ୍ରତିଯୋଗୀ କରି ଅର୍ଥନୀତିରେ ସାମଗ୍ରିକ ଉନ୍ନତି ଆଣିପାରିଛି । ଭାରତୀୟ ବନ୍ଦରଗୁଡିକରେ ବର୍ତମାନ ସିଧାସଳଖ ବନ୍ଦର ବିତରଣ, ସିଧାସଳଖ ବନ୍ଦର ପ୍ରବେଶ ଏବଂ ତଥ୍ୟର ସୁଗମ ପ୍ରବାହ ପାଇଁ ଏକ ଉନ୍ନୀତ ବନ୍ଦର ସମୁଦାୟ ବ୍ୟବସ୍ଥା ରହିଛି । ଆମ ବନ୍ଦରଗୁଡିକରେ ପ୍ରବେଶମୁଖୀ ଓ ପ୍ରସ୍ଥାନମୁଖୀ ପଣ୍ୟ ଜାହାଜର ଅପେକ୍ଷା ସମୟ ହ୍ରାସ ପାଇଛି । ଆମେ ବନ୍ଦର ଅଂଚଳରେ ଭଣ୍ଡାରଣ ବ୍ୟବସ୍ଥା ବିକଶିତ କରିବାରେ ପ୍ରଚୁର ପୁଞ୍ଜି ବିନିଯୋଗ କରିବା ସହିତ ବନ୍ଦରାଂଚଳକୁ ଶିଳ୍ପସଂସ୍ଥାଗୁଡିକୁ ଆକର୍ଷିତ କରିବା ନିମନ୍ତେ ପ୍ରତିଟି କାର୍ଯ୍ୟକୁ ଡିଜିଟାଲ ବ୍ୟବସ୍ଥା ବିକାଶ ଭିତିଭୂମି ବିକଶିତ କରୁଛୁ । ବନ୍ଦରଗୁଡିକ ଘରୋଇ ଜାହାଜ ପୁନଃ ବ୍ୟବହାର ଏବଂ ଦୀର୍ଘସ୍ଥାୟୀ ଉଝଳା କାର୍ଯ୍ୟ ଦ୍ୱାରା ‘ବର୍ଜ୍ୟବସ୍ତୁରୁ ସମ୍ପଦ’କୁ ପ୍ରୋତ୍ସାହିତ କରିବ । ବନ୍ଦର କ୍ଷେତ୍ରରେ ଘରୋଇ ନିବେଶକୁ ଆମେ ଉତ୍ସାହିତ କରିବୁ ।
ବନ୍ଧୁଗଣ,
ଯୋଗାଯୋଗ ବ୍ୟବସ୍ଥାର ବୃଦ୍ଧି ନିମନ୍ତେ ଅନେକଗୁଡିଏ କାର୍ଯ୍ୟ ଦକ୍ଷତାର ସହିତ କରାଯାଉଛି । ଆମେ ଆମ ବନ୍ଦରଗୁଡିକୁ ଉପକୂଳ ଅର୍ଥନୈତିକ ଜୋନ୍, ବନ୍ଦର ଭିତିକ ସ୍ମାର୍ଟ ସିଟି ଏବଂ ଇଣ୍ଡଷ୍ଟ୍ରିଆଲ୍ ପାର୍କ ସହିତ ଯୋଡୁଛୁ । ଏହା ବନ୍ଦର ନିକଟରେ ବିଶ୍ୱସ୍ତରୀୟ ନିର୍ମାଣ ଗତିବିଧିକୁ ପ୍ରୋତ୍ସାହିତ କରିବା ସହ ଶିଳ୍ପ କ୍ଷେତ୍ରରେ ପୁଞ୍ଜି ନିବେଶକୁ ମଧ୍ୟ ପ୍ରୋତ୍ସାହିତ କରିବ ।
ବନ୍ଧୁଗଣ,
ଯେତେବେଳେ ନୂତନ ଭିତିଭୂମୀ ସୃଷ୍ଟିର କଥା ଉଠୁଛି, ମୁଁ ସେତେବେଳେ ଅତି ଆନନ୍ଦର ସହ ଏକଥା ଆପଣମାନଙ୍କୁ ଜଣାଉଛି ଯେ, ଭଧବାନ, ପାରାଦୀପ ଓ କାଣ୍ଡଲାର ଦୀନଦୟାଲ ବନ୍ଦରକୁ ବିଶ୍ୱସ୍ତରୀୟ ଭିତିଭୂମି ନିର୍ମାଣ ଦ୍ୱାରା ବୃହତ ବନ୍ଦର ଭାବେ ବିକଶିତ କରାଯାଉଛି । ଆମ ସରକାର ଜଳପଥରେ ଏଭଳି ନିବେଶ କରୁଛନ୍ତି, ଯାହା ପୂର୍ବରୁ ଦେଖିବାକୁ ମିଳୁନଥିଲା । ମାଲ୍ ପରିବହନକୁ ପରିବେଶ ଅନୁକୂଳ ଏବଂ ବ୍ୟୟସାପେକ୍ଷ କରିବା ନିମନ୍ତେ ଘରୋଇ ଜଳପଥଗୁଡିକ ବେଶ୍ ସହାୟକ ହେଉଥିବାର ଜଣାପଡିଲା । ଆସନ୍ତା ୨୦୩୦ ସମିହା ସୁଦ୍ଧା ୨୩ଟି ଜଳପଥକୁ କାର୍ଯ୍ୟକ୍ଷମ କରାଇବା ପାଇଁ ଆମେ ଲକ୍ଷ୍ୟ ରଖିଛୁ । ଭିତିଭୂମୀ ସମ୍ପ୍ରସାରଣ, ଜଳପଥର ବିକାଶ, ନୌବାଣିଜ୍ୟିକ ସହାୟତା ଏବଂ ନଦୀ ସୂଚନା ବ୍ୟବସ୍ଥା ସୃଷ୍ଟି ମାଧ୍ୟମରେ ଏହାକୁ କାର୍ଯକାରୀ କରିବୁ । ବାଂଲାଦେଶ, ନେପାଳ, ଭୁଟାନ୍ ଏବଂ ମ୍ୟାଁମାର ସହିତ ଆଂଚଳିକ ସଂଯୋଗକୁ ଇଷ୍ଟର୍ଣ୍ଣ ୱାଟର କନେକ୍ଟିଭିଟି ଟ୍ରାନ୍ସପୋର୍ଟ ଗ୍ରୀଡ୍ ମାଧ୍ୟମରେ ମଜବୁତ୍ କରାଯାଇ ଆଂଚଳିକ ବାଣିଜ୍ୟ ଓ ସହଯୋଗକୁ ପ୍ରଭାବଶାଳୀ କରାଯିବ ।
ବନ୍ଧୁଗଣ,
ସହଜରେ ବଂଚିବା ନିମନ୍ତେ ସାମୁଦ୍ରିକ ଭିତିଭୂମୀ ଏକ ଫଳପ୍ରଦ ମାର୍ଗ । ଆମ ନଦୀଗୁଡିକୁ ଉନ୍ନତ କରିବା ପାଇଁ ରୋ-ରୋ ଓ ରା-ପାକ୍ସ ପ୍ରକଳ୍ପଗୁଡିକ ଉଲ୍ଲେଖନୀୟ ଉପାଦାନ । ସାମୁଦ୍ରିକ ବିମାନ ଚଳାଚଳକୁ କାର୍ଯ୍ୟକ୍ଷମ କରିବା ନିମନ୍ତେ ୧୬ଟି ସ୍ଥାନରେ ଜଳ ଅବତରଣ ସୁବିଧା ବିକଶିତ କରାଯାଉଛି । ୫ଟି ଜାତୀୟ ଜଳପଥରେ ନଦୀ କୃଜ୍ ଟର୍ମିନାଲ ଭିତିଭୂମୀ ଓ ଜେଟି ବ୍ୟବସ୍ଥା ବିକଶିତ ହେଉଛି ।
ବନ୍ଧୁଗଣ,
୨୦୨୩ ମସିହା ସୁଦ୍ଧା ଭିତିଭୂମୀ ବିକାଶ ଏବଂ ସମ୍ପ୍ରସାରଣ ମାଧ୍ୟମରେ ଆମେ କେତେକ ନିର୍ଦ୍ଦିଷ୍ଟ ବନ୍ଦରରେ ଘରୋଇ ଓ ଅନ୍ତର୍ଜାତୀୟ କ୍ରୁଜ୍ ଟର୍ମିନାଲ ବିକଶିତ କରିବା ପାଇଁ ଲକ୍ଷ୍ୟ ରଖିଛୁ । ଭାରତର ବିସ୍ତୃତ ଉପକୂଳରେ ୧୮୯ଟି ବତୀଘର ଅଛି । ପର୍ଯ୍ୟଟନର ବିକାଶ ପାଇଁ ୭୮ଟି ବତୀଘର ପାଶ୍ୱର୍ବର୍ତୀ ସ୍ଥାନରେ ଆମେ ଏକ କାର୍ଯ୍ୟକ୍ରମ ହାତକୁ ନେଇଛୁ । ଏହି ପଦକ୍ଷେପର ମୂଳ ଉଦ୍ଦେଶ୍ୟ ହେଉଛି ରହିଥିବା ବତୀଘର ଏବଂ ଏହାର ଆଖପାଖ ଅଂଚଳର ବିକାଶକୁ ଅନନ୍ୟ ସାମୁଦ୍ରିକ ପର୍ଯ୍ୟଟନ ସ୍ଥଳୀରେ ପରିଣତ କରିବା । କେତେକ ପ୍ରମୁଖ ରାଜ୍ୟ ଓ କୋଚି, ମୁମ୍ବାଇ, ଗୁଜରାଟ ଏବଂ ଗୋଆ ଭଳି ପ୍ରମୁଖ ସହରରେ ସହରାଂଚଳ ଜଳ ପରିବହନ ବ୍ୟବସ୍ଥା ପ୍ରଚଳନ ପାଇଁ ପଦକ୍ଷେପ ନିଆଯାଉଛି ।
ବନ୍ଧୁଗଣ,
ଅନ୍ୟ ସମସ୍ତ କ୍ଷେତ୍ର ପରି, ସାମୁଦ୍ରିକ କ୍ଷେତ୍ର ସହ ଜଡିତ କାର୍ଯ୍ୟ ମଧ୍ୟ ସମନ୍ୱୟ ଆଧାରରେ ହେଉ ଏହା ଆମେ ସୁନିଶ୍ଚିତ କରୁଛୁ । ନିକଟରେ ଜାହାଜ ଚଳାଚଳ ମନ୍ତ୍ରଣାଳୟର ନାମକୁ ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରଣାଳୟ ନାମରେ ନାମିତ କରି ଆମେ ଏହାର ପରିସରକୁ ବ୍ୟାପକ କରିଛୁ । ମନ୍ତ୍ରଣାଳୟ ସାମୁଦ୍ରିକ ଜାହାଜ ଚଳାଚଳ ଓ ନୌବାଣିଜ୍ୟ, ସାମୁଦ୍ରିକ ବାଣିଜ୍ୟ ପାଇଁ ଶିକ୍ଷା ଓ ତାଲିମ୍, ଜାହାଜ ନିର୍ମାଣ ଏବଂ ଜାହାଜ ମରାମତି ଶିଳ୍ପ, ଜାହାଜ ଭଙ୍ଗା, ମାଛ ଧରା ଡଙ୍ଗା ଶିଳ୍ପ ଏବଂ ଭାସମାନ କାରିଗରୀ ଶିଳ୍ପ ଆଦି କ୍ଷେତ୍ରରେ ଉତ୍କର୍ଷ ଆଣିବା ପାଇଁ ପ୍ରୟାସରତ ।
ବନ୍ଧୁଗଣ,
ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରଣାଳୟ ୪୦୦ ନିବେଶଯୋଗ୍ୟ ପ୍ରକଳ୍ପର ଏକ ତାଲିକା ପ୍ରସ୍ତୁତ କରିଛି । ଏହି ପ୍ରକଳ୍ପଗୁଡିକର ୩୧ ବିଲିଅନ୍ ଡଲାର ବା ୨.୨୫ ଲକ୍ଷ କୋଟି ଟଙ୍କାର ନିବେଶ ସାମର୍ଥ୍ୟ ରହିଛି । ଏହା ଆମର ସାମୁଦ୍ରିକ କ୍ଷେତ୍ରର ସାମଗ୍ରିକ ବିକାଶ ପାଇଁ ପ୍ରତିବଦ୍ଧତାକୁ ଆହୁରି ସୁଦୃଢ କରିବ ।
ବନ୍ଧୁଗଣ,
ମାରିଟାଇମ ଇଣ୍ଡିଆ ଭିଜନ୍ ୨୦୩୦ର ଶୁଭାରମ୍ଭ କରାଯାଇଛି । ଏହା ସରକାରଙ୍କ ଅଗ୍ରାଧିକାର ସ୍ପଷ୍ଟ କରୁଛି । ସାଗର ମନ୍ଥନ: ସାମୁଦ୍ରିକ ବାଣିଜ୍ୟ କ୍ଷେତ୍ର ସଚେତନତା କେନ୍ଦ୍ରର ମଧ୍ୟ ଆଜି ଶୁଭାରମ୍ଭ କରାଯାଇଛି । ସାମୁଦ୍ରିକ ନିରାପତା, ତଲାସୀ ଓ ଉଦ୍ଧାର କ୍ଷମତା, ସୁରକ୍ଷା ଏବଂ ସାମୁଦ୍ରିକ ପରିବେଶ ସୁରକ୍ଷାକୁ ଉନ୍ନତ କରିବା ପାଇଁ ଏହା ସୂଚନା ବ୍ୟବସ୍ଥା । ବନ୍ଦରଭିତିକ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ୨୦୧୬ ମସିହାରେ ସରକାର ସାଗରମାଳା ପ୍ରକଳ୍ପର ଘୋଷଣା କରିଥିଲେ । ଏହି କାର୍ଯ୍ୟକ୍ରମର ଅଂଶସ୍ୱରୂପ, ୨୦୧୫ରୁ ୨୦୩୫ ମସିହା ମଧ୍ୟରେ ୮୨ ବିଲିୟନ୍ ଆମେରିକୀୟ ଡଲାର ବା ୬ଲକ୍ଷ କୋଟି ଟଙ୍କା ବ୍ୟୟରେ ୫୭୪ରୁ ଅଧିକ ପ୍ରକଳ୍ପ କାର୍ଯ୍ୟକାରିତା ନିମନ୍ତେ ଚିହ୍ନଟ ହୋଇଛି ।
ବନ୍ଧୁଗଣ,
ଘରୋଇ ଜାହାଜ ନିର୍ମାଣ ଏବଂ ଜାହାଜ ମରାମତି ବଜାର ଉପରେ ମଧ୍ୟ ଭାରତ ସରକାର ଧ୍ୟାନକେନ୍ଦ୍ରୀତ କରୁଛନ୍ତି । ଘରୋଇ ଜାହାଜ ନିର୍ମାଣକୁ ଉତ୍ସାହିତ କରିବା ସକାଶେ ଆମେ ଭାରତୀୟ ଜାହାଜ କାରଖାନା ପାଇଁ ଜାହାଜ ନିର୍ମାଣ ଆର୍ଥିକ ସହାୟତା ନୀତି ଅନୁମୋଦନ କରିଛୁ । ୨୦୨୨ ମସିହା ସୁଦ୍ଧା ଉଭୟ ଉପକୂଳରେ ଜାହାଜ ମରାମତି କ୍ଲଷ୍ଟରଗୁଡିକ ବିକଶିତ କରାଯିବ । ‘ବର୍ଜ୍ୟବସ୍ତୁରୁ ସମ୍ପଦ’ ସୃଷ୍ଟି ପାଇଁ ଘରୋଇ ଜାହାଜ ପୁନଃ ପ୍ରକ୍ରିୟାକରଣ ଶିଳ୍ପକୁ ମଧ୍ୟ ପ୍ରୋତ୍ସାହିତ କରାଯିବ । ଭାରତ ଜାହାଜ ପୁନଃ ପ୍ରକ୍ରିୟାକରଣ ଆଇନ୍ ୨୦୧୯ ପ୍ରଣୟନ କରିଛି ଏବଂ ହଂକଂ ଅନ୍ତର୍ଜାତୀୟ ସମ୍ମିଳନୀ ସହିତ ସହମତ ହୋଇଛି ।
ବନ୍ଧୁଗଣ,
ଆମେ ଆମ ସର୍ବୋତମ ରୀତିକୁ ବିଶ୍ୱ ସହ ବାଂଟିବାକୁ ଚାହୁଁ । ଏବଂ ବିଶ୍ୱର ସର୍ବୋତମ ରୀତିରୁ ଆମେ ମଧ୍ୟ ଶିକ୍ଷାଲାଭ କରିବାକୁ ଚାହୁଁ । ବିମସଟେକ୍ ଓ ଭାରତ ମହାସାଗର ଅଂଚଳ ରାଷ୍ଟ୍ର ସହ ଆମର ବାଣିଜ୍ୟ ଓ ଅର୍ଥନୈତିକ କାର୍ଯ୍ୟକଳାପକୁ ଜାରି ରଖିବା ଉପରେ ଗୁରୁତ୍ୱ ଦେଇ ଭାରତ ୨୦୨୬ ମସିହା ସୁଦ୍ଧା ଭିତିଭୂମୀ କ୍ଷେତ୍ରରେ ପୁଞ୍ଜିନିବେଶ ବୃଦ୍ଧି ଓ ପାରସ୍ପରିକ ସହମତି ବୃଦ୍ଧି କରିବାକୁ ଯୋଜନା କରୁଛି । ଦ୍ୱୀପାଂଚଳ ଭିତିଭୂମୀ ଓ ପରିବେଶର ସାମଗ୍ରିକ ବିକାଶ ଦିଗରେ ମଧ୍ୟ ଭାରତ ସରକାର ପଦକ୍ଷେପ ନେବା ଆରମ୍ଭ କରିଛନ୍ତି । ସାମୁଦ୍ରିକ କ୍ଷେତ୍ରରେ ନବିକରଣୀୟ ଶକ୍ତି ଉତ୍ସର ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ଆମେ ବିଶେଷ ଆଗ୍ରହୀ । ସମଗ୍ର ଦେଶର ପ୍ରମୁଖ ବନ୍ଦରଗୁଡିକରେ ଆମେ ସୌର ଓ ପବନଭିତିକ ଶକ୍ତି ପ୍ରକଳ୍ପ ପ୍ରତିଷ୍ଠା କରିବାକୁ ଯାଉଛୁ । ଭାରତୀୟ ବନ୍ଦରଗୁଡିକରେ ୩ଟି ପର୍ଯ୍ୟାୟରେ ୨୦୩୦ ମସିହା ସୁଦ୍ଧା ସମଗ୍ର ଉର୍ଜାର ୬୦ ପ୍ରତିଶତରୁ ଅଧିକ ନବିକରଣୀୟ ଶକ୍ତି ବ୍ୟବହାର କରିବାକୁ ଆମେ ଲକ୍ଷ୍ୟ ରଖିଛୁ ।
ବନ୍ଧୁଗଣ,
ଭାରତର ସୁଦୀର୍ଘ ଉପକୂଳ ଆପଣଙ୍କୁ ଅପେକ୍ଷା କରିଛି । ଭାରତର କଠିନ ପରିଶ୍ରମୀ ଲୋକମାନେ ଆପଣଙ୍କୁ ଅପେକ୍ଷା କରିଛନ୍ତି । ଆମ ବନ୍ଦରରେ ନିବେଶ କରନ୍ତୁ । ଆମ ଲୋକମାନଙ୍କ ଉପରେ ନିବେଶ କରନ୍ତୁ । ଭାରତକୁ ଆପଣଙ୍କ ପସନ୍ଦର ବାଣିଜ୍ୟ ଗନ୍ତବ୍ୟସ୍ଥଳ ହେବାକୁ ଦିଅନ୍ତୁ । ବ୍ୟବସାୟ ବାଣିଜ୍ୟ ପାଇଁ ଭାରତୀୟ ବନ୍ଦରଗୁଡିକୁ ଆପଣଙ୍କ ପସନ୍ଦର ବନ୍ଦର ହେବାକୁ ଦିଅନ୍ତୁ । ଏହି ଶିଖର ସମ୍ମିଳନୀ ପାଇଁ ମୋର ଶୁଭେଚ୍ଛା । ଏହି ଆଲୋଚନା ବ୍ୟାପକ ଓ ଫଳପ୍ରଦ ହେଉ ।
ଧନ୍ୟବାଦ ।
ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ ।