ମହାମହିମ, ବିଶେଷଜ୍ଞ, ଶିକ୍ଷାଶାସ୍ତ୍ରୀ, ବ୍ୟବସାୟ ଓ ଉଦ୍ୟୋଗ ଜଗତର ନେତୃମଣ୍ଡଳୀ, ନୀତି ନିର୍ମାତା ଏବଂ ବିଶ୍ୱର ବିଭିନ୍ନ ପ୍ରାନ୍ତରର ମୋର ଶ୍ରଦ୍ଧେୟ ବନ୍ଧୁଗଣ ।
ସମସ୍ତଙ୍କୁ ନମସ୍କାର!
ବିପର୍ଯ୍ୟୟ ମୁକାବିଲା ପାଇଁ ସ୍ଥିତିସ୍ଥାପକ ଭିତ୍ତିଭୂମି ନିର୍ମାଣ ସଂକ୍ରାନ୍ତ ଚତୁର୍ଥ ଆନ୍ତର୍ଜାତିକ ସମ୍ମିଳନୀରେ ଆପଣମାନଙ୍କ ସହିତ ଯୋଗଦେଇ ମୁଁ ବିଶେଷ ଆନନ୍ଦିତ । ପ୍ରାରମ୍ଭରେ ଆମମାନଙ୍କୁ ସମସ୍ତଙ୍କୁ ସ୍ମରଣ କରିବାକୁ ପଡିବ ଯେ ନିରନ୍ତର ବିକାଶ ଲକ୍ଷ୍ୟ ହାସଲ ପାଇଁ ଆମେ ଯେଉଁ ସଂକଳ୍ପ ନେଇଥିଲେ ତାହାର ପ୍ରଥମ କଥା ହେଲା, “କେହି ଯେପରି ପଛରେ ପଡି ନ ଯାଆନ୍ତି ।” ସେଥିପାଇଁ ଆମେ ଦରିଦ୍ରତମ ଉପେକ୍ଷିତ, ଅବହେଳିତ ଓ ସବୁଠୁ ଦୁର୍ବଳ ବ୍ୟକ୍ତିର ଆବଶ୍ୟକତା ପୂରଣ ପାଇଁ ଅଙ୍ଗୀକୃତ ହୋଇଥିଲେ ଓ ସେମାନଙ୍କ ଆଶା ଆକାଂକ୍ଷା ପୂରଣ କରିବାକୁ ପରବର୍ତ୍ତୀ ପିଢିର ଭିତ୍ତିଭୂମି ନିର୍ମାଣ କରିବାକୁ ସଂକଳ୍ପ ନେଇଥିଲେ । ଆହୁରି ମଧ୍ୟ ଭିତ୍ତିଭୂମି କେବଳ ପୁ୍ଞ୍ଜିଗତ ସମ୍ପତ୍ତି ନିର୍ମାଣ ଏବଂ ନିବେଶ ମାଧ୍ୟମରେ ଦୀର୍ଘ ମିଆଦି ଆୟ ବ୍ୟବସ୍ଥା ତିଆରି କରିବା ଏକମାତ୍ର ଲକ୍ଷ୍ୟ ନୁହେଁ । ଏହା ମଧ୍ୟ କେବଳ ସଂଖ୍ୟା କିମ୍ବା ଟଙ୍କାର କଥାରେ ମଧ୍ୟ ସୀମିତ ନୁହେଁ, ବରଂ ଏହା ସାମଗ୍ରିକ ଭାବେ ଜନତାଙ୍କ ସ୍ୱାର୍ଥ ସହିତ ଜଡିତ । ଏହା ମୂଳତଃ ଲୋକଙ୍କ କଥା । ଏଥିରେ ଲୋକଙ୍କୁ ଉତ୍ତମ ମାନର ଭରସାଯୋଗ୍ୟ ଓ ନିରନ୍ତର ସେବା ସମସ୍ତଙ୍କୁ ସମାନଭାବେ ଯୋଗାଇ ଦେବା ଗୁରୁତ୍ୱ ରଖେ । ଯେ କୌଣସି ଭିତ୍ତିଭୂମି ବିକାଶ କାହାଣୀର କେନ୍ଦ୍ରରେ ଲୋକେ ସର୍ବଦା ରହିବା ଉଚିତ । ଆମେ ଠିକ୍ ସେହି କଥା ଭାରତରେ କରୁଛୁ । ତଦନୁସାରେ ଆମେ ଭାରତରେ ମୌଳିକ ସେବା ଯୋଗାଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଆସୁଛୁ । ସ୍ୱାସ୍ଥ୍ୟ ଓ ଶିକ୍ଷା ଠାରୁ ଆରମ୍ଭ କରି ପାନୀୟଜଳ, ଖାଦ୍ୟ, ପରିଚ୍ଛନ୍ନତା, ବିଜୁଳି ଯୋଗାଣ, ପରିବହନ ସେବା ଆଦି ବିିଭିନ୍ନ କ୍ଷେତ୍ରରେ ଆମର ପ୍ରୟାସ ଜାରି ରହି ଲୋକଙ୍କ ମୌଳିକ ଆବଶ୍ୟକତା ପୂରଣ ପୂର୍ବକ ସେମାନଙ୍କ ଜୀବନକୁ ସହଜ ସୁନ୍ଦର କରିବାକୁ ଉଦ୍ୟମ ଚଳାଇଛୁ । ଆମେ ମଧ୍ୟ ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ପ୍ରତିହତ କରିବାକୁ ସିଧାସଳଖ ଉଦ୍ୟମ କରୁଛୁ । ସେଥିପାଇଁ ଜଳବାୟୁ ପରିବର୍ତ୍ତନର ଉପଯୁକ୍ତ ମୁକାବିଲା କରିବାକୁ ସବୁମନ୍ତେ କା କରିବାକୁ ଆମେ ‘କୋପ୍-୨୬’ରେ ଆମ ଅଙ୍ଗୀକାର ଘୋଷଣା କରିଛୁ । ଏହି ଘୋଷଣା ଅନୁସାରେ ୨୦୭୦ ସୁଦ୍ଧା “ନେଟ୍ ଜିରୋ” ବା ଶୂନ୍ୟ କାର୍ବନ ନିର୍ଗମନର ପ୍ରତିଶ୍ରୁତି ଦେଇ ଆମ ବିକାଶ ପ୍ରକ୍ରିୟାକୁ ଜାରି ରଖିବାକୁ ଅଙ୍ଗୀକୃତ ହୋଇଛୁ ।
ବନ୍ଧୁଗଣ,
ଭିତ୍ତିଭୂମିର ବିକାଶ ଦ୍ୱାରା ମାନବୀୟ ଦକ୍ଷତା ଓ ସାମର୍ଥ୍ୟର ଉଲ୍ଲେଖନୀୟ ପରିପ୍ରକାଶ ଘଟିଥାଏ । ତେବେ ସେଥିପାଇଁ କେବଳ ଭିତ୍ତିଭୂମିକୁ ମାନିନେଲେ ଚଳିବ ନାହିଁ । ଏହି ବ୍ୟବସ୍ଥାରେ ଉଭୟ ଜଣା ଓ ଅଜଣା ଆହ୍ୱାନ ରହିଛି ଏବଂ ସେଥିରେ ଜଳବାୟୁ ପରିବର୍ତ୍ତନ ଅନ୍ତର୍ଭୁକ୍ତ । ଆମେ ୨୦୧୯ରେ ଯେତେବେଳେ ବୈଶ୍ୱିକସ୍ତରରେ ସିଡିଆର୍ଆଇ ଆରମ୍ଭ କଲୁ, ସେତେବେଳେ ଏହା ଆମର ନିଜସ୍ୱ ଅଭିଜ୍ଞତା ଓ ଅନୁଭୂତ ଆବଶ୍ୟକତାକୁ ବିଚାରକୁ ନେଇ କରାଯାଉଥିଲା । ବନ୍ୟାରେ ଯେତେବେଳେ ଏକ ସେତୁ ଧୋଇଯାଏ, ବାତ୍ୟାରେ ଯେତେବେଳେ ବିଦ୍ୟୁତ ଲାଇନ ଭାଙ୍ଗି କ୍ଷତିଗ୍ରସ୍ତ ହୁଏ, ବନାଗ୍ନି ଯୋଗୁଁ ଯେତେବେଳେ ଯୋଗାଯୋଗ ଟାୱାର ନଷ୍ଟ ହୁଏ-ସେତେବେଳେ ଲକ୍ଷ ଲକ୍ଷ ଲୋକଙ୍କର ଜୀବନ ଓ ଜୀବିକା ସିଧାସଳଖ ପ୍ରଭାବିତ ହୋଇଥାଏ । ଏସବୁ ଭିତ୍ତିଭୂମି କ୍ଷତିର ପ୍ରଭାବ ଅନେକ ଦିନ ପର୍ଯ୍ୟନ୍ତ ଅନୁଭୂତ ହୁଏ ଓ କୋଟି କୋଟି ଲୋକ ଏହା ଦ୍ୱାରା ପ୍ରଭାବିତ ହୋଇଥାନ୍ତି । ତେଣୁ ଆମ ଆଗରେ ଥିବା ଆହ୍ୱାନ ଅତ୍ୟନ୍ତ ସ୍ପଷ୍ଟ । ଆମ ପାଖରେ ଉପଲବ୍ଧ ଆଧୁନିକ ଟେକ୍ନୋଲୋଜି ଓ ଜ୍ଞାନ ସହାୟତାରେ ଆମେ କ’ଣ ଏକ ଉପଯୁକ୍ତ ସ୍ଥିତିସ୍ଥାପକ ଭିତ୍ତଭୂମି ନିର୍ମାଣ କରିପାରିବା ନାହିଁ; ଯାହା ଦୀର୍ଘକାଳ ତିଷ୍ଠି ପାରିବ ? ଏହି ଆହ୍ୱାନକୁ ଠିକ୍ଭାବେ ଚିହ୍ନଟ କରିବା ପରେ ଆମେ ସିଡିଆର୍ଆଇ ସୃଷ୍ଟି କଲୁ । ସତକଥା ହେଲା ଏହି ମିଳିତ ସହଯୋଗ ବ୍ୟବସ୍ଥା ଅଳ୍ପ ସମୟରେ ବ୍ୟାପକ ସମର୍ଥନ ହାସଲ କରି ତାହା ସମଗ୍ର ବିଶ୍ୱରେ କାୟା ବିସ୍ତାର କଲା । ଏଥିରୁ ସ୍ପଷ୍ଟ ସୂଚନା ମିଳେ ଯେ ସମସ୍ତେ ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନ ପାଇଁ ମିଳିତ ପ୍ରୟାସର ବାତାବରଣ ସୃଷ୍ଟି ହୁଏ ।
ବନ୍ଧୁଗଣ,
ମାତ୍ର ଅଢେଇବର୍ଷର ସ୍ୱଳ୍ପ ସମୟ ମଧ୍ୟରେ ସିଡିଆର୍ଆଇ ବହୁ ଗୁରୁତ୍ୱପୂର୍ଣ୍ଣ ଉଦ୍ୟମ ଆରମ୍ଭ କରିଛି ଏବଂ ଏହାର ଅବଦାନ ମଧ୍ୟ ବେଶ୍ ଭଲ ରହିଛି । ଦ୍ୱୀପ ରାଷ୍ଟ୍ରଗୁଡିକର ବିପର୍ଯ୍ୟୟ ପ୍ରତିରୋଧ ଭିତ୍ତିଭୂମି ନିର୍ମାଣ ପ୍ରୟାସ ଆରମ୍ଭ କରିବାକୁ କୋପ୍-୨୬ରେ ଗତବର୍ଷ ନିଷ୍ପତ୍ତି ନିଆଯାଇଥିଲା । ଛୋଟ ଛୋଟ ଦ୍ୱୀପ ରାଷ୍ଟ୍ରମାନଙ୍କ ସୁରକ୍ଷା ପାଇଁ ମିଳିତ ଭାବେ କାମ କରିବାର ଆଗ୍ରହ ଓ ପ୍ରଚେଷ୍ଟାକୁ ଏହା ପ୍ରମାଣିତ କରୁଛି । ସିଡିଆର୍ଆଇର ଉଦ୍ୟମରେ ଭାରତର ଉପକୂଳବର୍ତ୍ତୀ ଅଞ୍ଚଳରେ ବିଦ୍ୟୁତ୍ ଯୋଗାଣ ଭିତ୍ତିଭୂମି ନିର୍ମାଣ ସୁଦୃଢ ହୋଇଛି । ଏହାଫଳରେ ବାତ୍ୟା ଓ ସାମୁଦ୍ରିକ ପ୍ଲାବନ ଯୋଗୁଁ ଶକ୍ତି ଯୋଗାଣ ବିଶେଷ ପ୍ରଭାବିତ ହେଉନାହିଁ । ଏହି କାର୍ଯ୍ୟର ସଫତଳାକୁ ଅନ୍ୟତ୍ର ପହଂଚାଇବାକୁ ପଡିବ ଏବଂ ପ୍ରତିବର୍ଷ କ୍ରାନ୍ତିମଣ୍ଡଳୀୟ ବାତ୍ୟା ଯୋଗୁଁ ପ୍ରଭାବିତ ହେଉଥିବା ବିଶ୍ୱର ୧୩୦ ନିୟୁତ ଲୋକଙ୍କ ପାଇଁ ବିଜୁଳି ଯୋଗାଣ ବ୍ୟବସ୍ଥାକୁ ସୁରକ୍ଷିତ କରିବାକୁ ହେବ । ସିଡିଆର୍ଆଇ ମଧ୍ୟ ବିଶ୍ୱର ୧୫୦ ବିମାନ ବନ୍ଦରକୁ ସ୍ଥିତିସ୍ଥାପକ ଓ ବିପର୍ଯ୍ୟୟ ପ୍ରତିରୋଧ ବୃଦ୍ଧି କରିବାକୁ ଉଦ୍ୟମ ଆରମ୍ଭ କରିଛି । ଦୃଢ ଭିତ୍ତିଭୂମି ନିର୍ମାଣ କରି ପ୍ରତିକୂଳ ସ୍ଥିତିରେ ବିଶ୍ୱର ଯୋଗାଯୋଗ ବ୍ୟବସ୍ଥାକୁ ନିରାପଦ ରଖିôବାକୁ ଏହି ପ୍ରୟାସ ସମର୍ଥ ହୋଇପାରିବ । ଏଥିପାଇଁ ଯେଉଁ ଜ୍ଞାନ ଓ ଟେକ୍ନୋଲୋଜିର ଆବଶ୍ୟକତା ରହିଛି ତାହା ସମଗ୍ର ବିଶ୍ୱ ମିଳିତ ଭାବେ ଯୋଗାଇଦେବା ଆବଶ୍ୟକ । ସିଡିଆର୍ଆଇର ସବୁ ରାଷ୍ଟ୍ର ସ୍ଥିତିସ୍ଥାପକ ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ପ୍ରଶଂସନୀୟ ସହଯୋଗ ଯୋଗାଉଛନ୍ତି । ଏଥିପାଇଁ ବୈଶ୍ୱିକସ୍ତରରେ ପେସାଦାରୀ ଢଙ୍ଗରେ କାମ ଚାଲିଛି । ଏକ ନିରାପଦ ଓ ବିପର୍ଯ୍ୟୟ ପ୍ରତିରୋଧ ବ୍ୟବସ୍ଥା ନିର୍ମାଣ ପାଇଁ ଏହା ବେଶ୍ ଗୁରୁତ୍ୱପୂର୍ଣ୍ଣ ।
ବନ୍ଧୁଗଣ,
ଆମ ଭବିଷ୍ୟତକୁ ସ୍ଥିତିସ୍ଥାପକ ଓ ବିପର୍ଯ୍ୟୟ ପ୍ରତିରୋଧୀ କରିବା ପାଇଁ ଆମକୁ ସମ୍ମିଳିତ ଭାବେ କାମ କରିବାକୁ ପଡିବ । ସେଥିରେ ପ୍ରଥମ ଆବଶ୍ୟକତା ହେଲା ଏକ ସ୍ଥିତିସ୍ଥାପକ ଭିତ୍ତିଭୂମି ପରିବର୍ତ୍ତନ ବ୍ୟବସ୍ଥା ନିର୍ମାଣ କରିବାକୁ ହେବ । ଏହି ସମ୍ମିଳନୀର ମୁଖ୍ୟ ଲକ୍ଷ୍ୟ ହେଲା ସେ ବିଷୟରେ ଅର୍ଥାତ୍ ଏକ ରେଜିଲେଣ୍ଟ ଇନ୍ଫ୍ରାଷ୍ଟ୍ରକଚର ଟ୍ରାଂଜିସନ ତିଆରି ପାଇଁ ବାଟ ବାହାର କରିବା । ଆମର ବୃହତର ଅଭିଯୋଜନା ଓ ଉଦ୍ୟମରେ ମଧ୍ୟ ସ୍ଥିତିସ୍ଥାପକ ଭିତ୍ତିଭୂମିକୁ ବିପର୍ଯ୍ୟୟ ସମ୍ଭାଳିବା ଭଳି ଦୃଢ ଓ ସ୍ଥିତ୍ିସ୍ଥାପକ କରିପାରିଲେ ଆମେ ବିପତ୍ତିରୁ ନିଜକୁ କେବଳ ରକ୍ଷା କରିବା ନାହିଁ, ପିଢି ପରେ ପିଢି ଆମର ଭବିଷ୍ୟତର ବଂଶଧର ମଧ୍ୟ ଏହା ଦ୍ୱାରା ଉପକୃତ ହେବେ । ଏହା ଏକ ମିଳିତ ସ୍ୱପ୍ନ, ଭାଗିଦାରୀ ଲକ୍ଷ୍ୟ । ଯାହାକୁ ଆମେ ପୂରଣ କରିପାରିବା ଏବଂ ଏହାକୁ ଅବଶ୍ୟ କାର୍ଯ୍ୟରେ ରୂପାୟିତ କରିବାକୁ ପଡିବ । ମୁଁ ମୋର ବକ୍ତବ୍ୟ ଶେଷ କରିବା ପୂର୍ବରୁ ଏହି ସମ୍ମିଳନୀ ମିଳିତଭାବେ ଆୟୋଜନ କରିଥିବାରୁ ସିଡିଆର୍ଆଇ ଏବଂ ଆମେରିକା ସରକାରଙ୍କୁ ଅଭିନନ୍ଦନ ଜଣାଉଛି ।
ମୁଁ ମଧ୍ୟ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିବା ସବୁ ଅଂଶୀଦାରଙ୍କୁ ଶୁଭେଚ୍ଛା ଜ୍ଞାପନ କରୁଛି । ଏହି ସମ୍ମିଳନୀରେ ଫଳପ୍ରଦ ଆଲୋଚନା ସହିତ ଉତ୍ତମ ନିଷ୍କର୍ଷ ବାହାରିବା ଘେନି ମୁଁ ଦୃଢ ଆଶାବାଦୀ ।
ଆପଣମାନଙ୍କୁ ଧନ୍ୟବାଦ ।