ନମସ୍ତେ,
ମୋ କ୍ୟାବିନେଟ ସହକର୍ମୀ ଶ୍ରୀ ରବିଶଙ୍କର ପ୍ରସାଦ ଜୀ, କର୍ଣ୍ଣାକଟ ମୁଖ୍ୟମନ୍ତ୍ରୀ ବିଏସ ୟେଦ୍ୟୁରାପ୍ପା ଜୀ ଏବଂ ପ୍ରଯୁକ୍ତି ଜଗତର ମୋ ପ୍ରିୟ ବନ୍ଧୁଗଣ । ଏକଥା ସତ୍ୟ ଯେ, ପ୍ରଯୁକ୍ତି ବିଦ୍ୟା ଏହି ପ୍ରଯୁକ୍ତି ଶିଖର ସମ୍ମିଳନୀକୁ ଆୟୋଜନ କରିବାରେ ବିଶେଷ ସହାୟକ ହୋଇଛି ।
ବନ୍ଧୁଗଣ, ଆମେ ଡିଜିଟାଲ ମିଶନ କାର୍ଯ୍ୟକ୍ରମ 5 ବର୍ଷ ପୂର୍ବରୁ ଆରମ୍ଭ କରିଥିଲୁ । ମୁଁ ଏବେ ଖୁସିର ସହିତ କହିବାକୁ ଚାହୁଁଛି ଯେ, ଡିଜିଟାଲ ଇଣ୍ଡିଆ ଆଜି ଆଉ ସରକାରଙ୍କ ଏକ ନିୟମିତ କାର୍ଯ୍ୟକ୍ରମ ହୋଇ ରହିନାହିଁ । ଏହା ଏବେ ଜୀବନର ଏକ ଅଂଶରେ ପରିଣତ ହୋଇଛି । ବିଶେଷ କରି ଏହା ଗରିବ ଏବଂ ଯେଉଁମାନେ ସରକାରରେ ଅଛନ୍ତି, ସେମାନଙ୍କ ପାଇଁ ସବୁଠାରୁ ଅଧିକ ଆବଶ୍ୟକ । ଡିଜିଟାଲ ଇଣ୍ଡିଆର ପ୍ରଭାବ ଯୋଗୁ ଆଜି ଦେଶର ବିକାଶ ଧାରାରେ ଏକ ମାନବିକ ଦିଗ ଉନ୍ମୋଚିତ ହୋଇଛି । ପ୍ରଯୁକ୍ତି ବିଦ୍ୟା ଯୋଗୁ ଆମର ନାଗରିକମାନଙ୍କ ଜୀବନରେ ବଡ ଧରଣର ପରିବର୍ତ୍ତନ ଆସିଛି । ତାର ସୁଫଳ ଆଜି ସମସ୍ତେ ଦେଖିପାରୁଛନ୍ତି ।
ଆମ ସରକାର ଡିଜିଟାଲ ଓ ପ୍ରଯୁକ୍ତି ବିଦ୍ୟାର ସହାୟତାରେ ଏକ ବଜାର ସୃଷ୍ଟି କରିପାରିଛନ୍ତି ଏବଂ ପ୍ରଯୁକ୍ତି ବିଦ୍ୟା ଆମ ବିଭିନ୍ନ ଯୋଜନାର ମୁଖ୍ୟ ଅଙ୍ଗ ଭାବେ ମୁଣ୍ଡ ଟେକି ଠିଆ ହୋଇଛି । ଆମେ ପ୍ରଯୁକ୍ତି ବିଦ୍ୟା ବଳରେ ମାନବିକ ମହତ୍ୱକୁ ବଢ଼ାଇପାରିଛୁ । ଗୋଟିଏ କ୍ଲିକରେ ଲକ୍ଷ ଲକ୍ଷ ଚାଷୀ ଆର୍ଥିକ ସହାୟତା ପାଇପାରୁଛନ୍ତି । କୋଭିଡ-19 ଲକଡାଉନ ପରିସ୍ଥିତି ଯେତେବେଳେ ଚରମସୀମାରେ ପହଞ୍ଚିଥିଲା କେବଳ ପ୍ରଯୁକ୍ତି ବିଦ୍ୟା ଯୋଗୁ ଦେଶର ଗରିବ ଜନସାଧାରଣ ଉପଯୁକ୍ତ ଓ ତ୍ୱରିତ ସହାୟତା ପାଇପାରିଥିଲେ । ଏହି ସହାୟତାର କୌଣସି ତୁଳନା ନାହିଁ । ଆଜି ଭାରତ ଯଦି ବିଶ୍ୱର ଏକ ବୃହତ ସ୍ୱାସ୍ଥ୍ୟ ସେବା କାର୍ଯ୍ୟକ୍ରମ ଆୟୁଷ୍ମାନ ଭାରତ ଯୋଜନା ସଫଳତାର ସହ କାର୍ଯ୍ୟକାରୀ କରୁଛି ଏଥିରେ ବୈଷୟିକ ଜ୍ଞାନର ଏକ ବିରାଟ ଭୂମିକା ରହିଛି । ବାସ୍ତବିକ ଏହି ଯୋଜନା ଗରିବ ମାନଙ୍କୁ ବହୁ ସୁବିଧା ଯୋଗାଇଛି । ବର୍ତ୍ତମାନ ଦେଶର ଯେ କୌଣସି ସ୍ଥାନରେ ସେମାନଙ୍କୁ ଗୁଣାତ୍ମକ ଓ କମ ବ୍ୟୟ ସାପେକ୍ଷ ସ୍ୱାସ୍ଥ୍ୟସେବା ପାଇବା ପାଇଁ ବିଶେଷ ଚିନ୍ତିତ ହେବାକୁ ପଡୁନାହିଁ ।
ଆମ ସରକାର ଜନସାଧାରଣଙ୍କୁ ଦକ୍ଷ ଓ ଉତ୍ତମ ସେବା ଯୋଗାଇ ଦେବାପାଇଁ ତଥ୍ୟ ବିଶ୍ଳେଷଣର କ୍ଷମତାକୁ ଉପଯୋଗ କରୁଛି । 25 ବର୍ଷ ତଳେ ଦେଶକୁ ଇଣ୍ଟରନେଟ ଆସିଥିଲା । ଏକ ରିପୋର୍ଟ ଅନୁସାରେ ଇଣ୍ଟରନେଟ ସଂଯୋଗ ଆଜି ଦେଶରେ ପ୍ରାୟ 75 କୋଟି ଲୋକଙ୍କ ପାଖରେ ପହଞ୍ଚିଛି । ମାତ୍ର ଆପଣ ଜାଣିଛନ୍ତି କି ଏହାର ଅଧା ସଂଯୋଗ ମାତ୍ର ଗତ 4 ବର୍ଷ ମଧ୍ୟରେ ହୋଇଛି । ପ୍ରଯୁକ୍ତି ବିଦ୍ୟା ଯୋଗୁ ଆମର ବିଭିନ୍ନ ଯୋଜନା ଗୁଡିକ ଆଉ ଫାଇଲ ମଧ୍ୟରେ ସୀମାବଦ୍ଧ ହୋଇ ରହିନାହିଁ ଏହା ଲୋକଙ୍କ ପାଖରେ ଖୁବ ଶୀଘ୍ର ପହଞ୍ଚିପାରିଛି । ଆଜି ଆମେ ଯେତେବେଳେ ଲୋକଙ୍କୁ ସେମାନଙ୍କର ନିଜ ଘର ତିଆରି କରିବାରେ ସାହାଯ୍ୟ କରୁଛୁ ସେଥିରେ ଅସ୍ୱାଭାବିକ ଭାବେ ସ୍ୱଚ୍ଛତା ଓ କମ ସମୟର ଉପଯୋଗ ପ୍ରଯୁକ୍ତି ବିଦ୍ୟା ଯୋଗୁ ସମ୍ଭବ ହୋଇଛି । ଆଜି ଯେତେବେଳେ ଆମେ ପ୍ରତ୍ୟେକ ଘରକୁ ବିଜୁଳୀ ଯୋଗାଇବାରେ ସମର୍ଥ ହୋଇଛୁ, ବୈଷୟିକ ଜ୍ଞାନ ସେଥିରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଆମେ ଆଜି ସମସ୍ତ ଟୋଲବୁଥକୁ ଏହି ପ୍ରଯୁକ୍ତି ବିଦ୍ୟା ବଳରେ ଅଧିକ କ୍ରିୟାଶୀଳ କରିପାରିଛୁ । ଏହି ବୈଷୟିକ ଜ୍ଞାନ ଆଜି ଆମକୁ ଭରସା ଦେଇଛି ଯେ ଆମର ଏହି ବିଶାଳ ଜନସଂଖ୍ୟାକୁ ଆମେ କୋଭିଡ ଟୀକା ମଧ୍ୟ ଯୋଗାଇପାରିବୁ ।
ବନ୍ଧୁଗଣ, ଯେତେବେଳେ ପ୍ରଯୁକ୍ତି ବିଷୟ ମନକୁ ଆସେ ସେତେବେଳେ ଏହାର ଶିକ୍ଷା ଓ ଅଭିବୃଦ୍ଧି ନେଇ ପ୍ରଶ୍ନ ଉଠିଥାଏ । ଏହି ସତ୍ୟକୁ ଅନୁସରଣ କରି ଦେଶରେ ଏବେ ଅନେକ ପ୍ରଯୁକ୍ତି ଏନ୍ତୁଡିଶାଳ ଗଢ଼ି ଉଠିଛି । ଗତ ଅଳ୍ପ କିଛି ବର୍ଷ ମଧ୍ୟରେ ଦେଶରେ ହାକାଥନର ବିକାଶ ଏକ ସଂସ୍କୃତିରେ ପରିଣତ ହୋଇଛି । ସେମାନଙ୍କ ମଧ୍ୟରୁ କେତେଗୁଡିକରେ ମୁଁ ଯୋଗ ଦେବାର ସୁଯୋଗ ମଧ୍ୟ ପାଇଛି । ଆମର ଦେଶ ଓ ସମଗ୍ର ପୃଥିବୀ ଆବଶ୍ୟକ କରୁଥିବା ସମସ୍ୟାର ସମାଧାନ ନିମନ୍ତେ ଆମ ଯୁବପିଢ଼ି ଆଗେଇ ଆସିଛନ୍ତି । ସିଙ୍ଗାପୁର ଓ ଅନ୍ୟାନ୍ୟ ଏସୀୟ ଦେଶମାନଙ୍କ ସହାୟତାରେ ଏହି ହାକାଥନ ମାନ ପ୍ରତିଷ୍ଠା କରାଯାଇଛି । ଭାରତ ସରକାର ଆମର ମଜବୁତ ଷ୍ଟାର୍ଟଅପ ଗୋଷ୍ଠୀ ପାଇଁ ସମସ୍ତ ସହାୟତା ଯୋଗାଇ ଦେଇଥିବାରୁ କୌଶଳ ଓ ସଫଳତାରେ ଏଗୁଡ଼ିକ ବିଶ୍ୱ ପ୍ରସିଦ୍ଧି ଲାଭ କରିପାରିଛି ।
ବନ୍ଧୁଗଣ, ଆମେ ମାନେ ଶୁଣିଛେ ଯେ, ବିଭିନ୍ନ ଆହ୍ୱାନ ମୂଳକ ଓ ପ୍ରତିକୂଳ ପରିସ୍ଥିତିରେ ହିଁ ସବୁଠାରୁ ଶ୍ରେଷ୍ଠ ଲୋକ ବାହାରନ୍ତି ସମ୍ଭବତଃ ଅଧିକାଂଶ ଭାରତୀୟ ବୈଷୟିକବିତ ମାନଙ୍କ ପାଇଁ ଏହି ଯୁକ୍ତି ପ୍ରଯୁଜ୍ୟ । ଯେତେବେଳେ ଗ୍ରାହକଙ୍କ ଆବଶ୍ୟକତା ଓ ସମୟସୀମା ନିର୍ଦ୍ଧାରିତ ହୋଇଥାଏ, ସେତେବେଳେ ସମସ୍ତଙ୍କର ଅଜାଣତରେ ମଧ୍ୟ ଅନେକ ସାହାଯ୍ୟ କରିବାକୁ ବାହାରି ଆସିଥାନ୍ତି । ବୈଶ୍ୱିକ ଲକଡାଉନ ଯାତ୍ରା କଟକଣା ଯୋଗୁ ଅନେକ ଲୋକ ନିଜ କାମ କରୁଥିବା ସ୍ଥାନ ଛାଡି ଘରେ ରହିବାକୁ ବାଧ୍ୟ ହୋଇଛନ୍ତି । ଏତିକି ବେଳେ ଆମର ପ୍ରଯୁକ୍ତି କ୍ଷେତ୍ର ଯେଉଁ ଭୂମିକା ନେଇଛି ତାହା ବାସ୍ତବିକ ପ୍ରଣିଧାନଯୋଗ୍ୟ । ସମୟର ଚକକୁ ଗତିଶୀଳ ରଖିବା ପାଇଁ ଆମର ପ୍ରଯୁକ୍ତି କ୍ଷେତ୍ର ସମାଧାନର ସୂତ୍ର ବାହାର କରିଛନ୍ତି । ବୈଷୟିକ ଶିଳ୍ପ ଲୋକମାନଙ୍କୁ ଏକତ୍ରିତ କରିବା ସହ ବିରାଟ ଉଦ୍ଭାବନର ସୁଯୋଗ ପ୍ରଦାନ କରିଛି ।
କୋଭିଡ-19 ବୈଶ୍ୱିକ ମହାମାରୀ ଏକ ବଙ୍କା ରାସ୍ତା ହୋଇପାରେ ମାତ୍ର ରାସ୍ତାର ଅନ୍ତ ନୁହେଁ । ୟେ ତୋ ରସ୍ତାକା ଏକ ବେଣ୍ଡ ଥା ଏଣ୍ଡ ନେହିଁ । ଗୋଟିଏ ଯୁଗ ଧରି ବୈଷୟିକ ଉଦ୍ଭାବନ ଯେତିକି ନ ହୋଇଛି, ମାତ୍ର କେଇ ମାସ ମଧ୍ୟରେ ଏହା ଦେଖିବାକୁ ମିଳିଛି । ଯେ କୌଣସି ସ୍ଥାନରୁ କର୍ତ୍ତବ୍ୟ ସମ୍ପାଦନ କରିବା ଏକ ଜୀବନ ଧାରା ହୋଇଛି ଏବଂ ରହିବ ମଧ୍ୟ । ଆମେ ଶିକ୍ଷା, ସ୍ୱାସ୍ଥ୍ୟ, କିଣାବିକା ଏବଂ ଅନ୍ୟାନ୍ୟ ବହୁ କ୍ଷେତ୍ରରେ ଅଧିକ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ଦେଖିବାକୁ ପାଇବା । ଏହି ସବୁ କ୍ଷେତ୍ରରେ ମୁଁ ପ୍ରତ୍ୟକ୍ଷ ଭାବେ ନିଜକୁ ସାମିଲ କରିପାରିଛି ଓ ଅସାଧାରଣ ମେଧା ସଂପନ୍ନ ବ୍ୟକ୍ତିଙ୍କୁ ଭେଟିବାର ସୁଯୋଗ ପାଇଛି ଯାହାକି ମୁଁ ଦୃଢ଼ ଭାବରେ କହିବାରେ କୌଣସି ଦ୍ୱିଧା ନାହିଁ । ପ୍ରଯୁକ୍ତି ବିଦ୍ୟାର ଉପଯୋଗ କରି ମନୁଷ୍ୟ ଅନେକ କାର୍ଯ୍ୟକୁ ଡିଜିଟାଲ ମାଧ୍ୟମରେ ସହଜ କରିପାରିବ । କ୍ରମଶଃ ଆମେ ପ୍ରଯୁକ୍ତି ବିଦ୍ୟାକୁ ସହଜରେ ଆପଣାଇ ମଧ୍ୟ ପାରିବା ।
ବନ୍ଧୁଗଣ, ଶିଳ୍ପ ଯୁଗରେ ଆମେ ପାଇଥିବା ସଫଳତା ଏକ ଦର୍ପଣର ପ୍ରତିଫଳନ ହୋଇପାରେ ଏବଂ ଏବେ ଆମେ ସୂଚନା ଯୁଗର ମଧ୍ୟ ଭାଗରେ ପହଞ୍ଚିଛେ । ଆଶାଠାରୁ ଅଧିକ ଶୀଘ୍ର ଭବିଷ୍ୟତ ଆସିଯିବ ଆଉ ବର୍ତ୍ତମାନକୁ ଆମେ ଖୁବଶୀଘ୍ର ଭୁଲି ମଧ୍ୟ ଯିବା । ଶିଳ୍ପ ଯୁଗରେ ପରିବର୍ତ୍ତନ ଅବଶ୍ୟମ୍ଭାବୀ ମାତ୍ର ସୂଚନା ଯୁଗରେ ପରିବର୍ତ୍ତନ ବିଶାଳ ଓ ଦୃତ । ଶିଳ୍ପ ଯୁଗରେ ସବୁଠାରୁ ଆଗ ପାଇବାକୁ ଥିବା ସୁବିଧା ହେଉଛି ସବୁକିଛି । ମାତ୍ର ସୂଚନା ଯୁଗରେ ଆଗରେ ଯିବା ଯେତେ ଗୁରୁତ୍ୱପୂର୍ଣ୍ଣ ନୁହେଁ ସବୁଠାରୁ ଭଲ ଫଳ ପାଇବା ଅଧିକ ଗୁରୁତ୍ୱପୂର୍ଣ୍ଣ । ଯେ କୌଣସି ବ୍ୟକ୍ତି ବଜାରକୁ ଏମିତି ଏକ ଜିନିଷ ଛାଡିପାରିବ ଯାହାକି ବଜାରର ସାଂପ୍ରତିକ ସ୍ଥିତିକୁ ମୂହୁର୍ତ୍ତକ ମଧ୍ୟରେ ଓଲଟପାଲଟ କରିଦେଇପାରେ ।
ଶିଳ୍ପ ଯୁଗରେ ପରିସୀମାର ମହତ୍ୱ ଅଛି, ମାତ୍ର ସୂଚନା ଯୁଗରେ କୌଣସି ପରିସୀମା ନାହିଁ । ଶିଳ୍ପ ଯୁଗରେ କଞ୍ଚାମାଲକୁ ଠାବ କରିବା ଥିଲା ଏକ ମୁଖ୍ୟ ଆହ୍ୱାନ । ଏହାକୁ ଅଳ୍ପ କିଛି ବ୍ୟକ୍ତି ହାସଲ କରିପାରୁ ଥିଲେ । ମାତ୍ର ସୂଚନା ଯୁଗରେ ସୂଚନା ହିଁ ହେଉଛି କଞ୍ଚାମାଲ ଯାହାକି ସମସ୍ତଙ୍କ ପାଇଁ ହାସଲ କରିବା ସମ୍ଭବ । ସୂଚନା ଯୁଗରେ ଭାରତ ଗୋଟିଏ ଏପରି ଏକ ଦେଶ ଯେ କି ଖୁବ ସୁବିଧା ସ୍ଥିତିରେ ରହିଛି । ଆମର ଉତ୍ତମ ମେଧାଶକ୍ତି ସହିତ ଏକ ବିଶାଳ ବଜାର ରହିଛି । ଆମର ସ୍ଥାନୀୟ ବୈଷୟିକ ସମାଧାନ ବିଶ୍ୱସ୍ତରୀୟ । ଏଥିପାଇଁ ଭାରତ ଏକ ଉତ୍କୃଷ୍ଟ ସ୍ଥାନ । ବର୍ତ୍ତମାନ ସମୟ ଆସିଛି ଭାରତରେ ବୈଷୟିକ ଜ୍ଞାନରୁ ଉଦବୃତ ସମାଧାନ ବିଶ୍ୱସ୍ତରରେ ପ୍ରୟୋଗ କରାଯାଇପାରିବ ।
ବନ୍ଧୁଗଣ, ଆମର ନୀତିଗତ ନିଷ୍ପତ୍ତି ହେଉଛି ପ୍ରଯୁକ୍ତି ଏବଂ ଉଦ୍ଭାବନ ଶିଳ୍ପକୁ ଅଧିକ ସ୍ୱାଧୀନ କରିବା । ଆପଣମାନେ ଜାଣିଥିବେ ନିକଟରେ ବିଭିନ୍ନ ଉପାୟରେ ଆମେ ଆଇଟି ଶିଳ୍ପର ଅନେକ ବାଧାବିଘ୍ନକୁ ଦୂର କରିଛୁ । ବୈଷୟିକ ଶିଳ୍ପରେ ଅଂଶୀଦାର ମାନଙ୍କୁ ଆମେ ସାମିଲ କରିଛୁ ଏବଂ ଦେଶର ଭବିଷ୍ୟତ ପାଇଁ ସୁରକ୍ଷିତ ନୀତିର ମଧ୍ୟ ପ୍ରଣୟନ କରିଛୁ । ଆପଣମାନେ ସମସ୍ତେ ଏହି ଶିଳ୍ପର ସଞ୍ଚାଳକ । ଆମେ ପ୍ରଥମେ ମିଶି ଦ୍ରବ୍ୟସ୍ତରୀୟ ଉଦ୍ଭାବନକୁ ତାହାର ଉପର ସ୍ତରକୁ ନେଇପାରିବା କି ? ଏକ ଉନ୍ନତ ଚିନ୍ତାଧାରା ବଳରେ ଆମେ ବହୁମୁଖୀ ସଫଳତା ହାସଲ କରିପାରିବା । ଏକ ସୁଚିନ୍ତିତ ଯୋଜନା ହେଉଛି ଅନେକ ଲୋକଙ୍କୁ ମାଛ ଚାଷ ସମ୍ପର୍କରେ ଶିକ୍ଷା ଦେବା ଓ ସେହିମାନଙ୍କ ଦ୍ୱାରା ହିଁ ମାଛ ଉତ୍ପାଦନ କରିବା ସଦୃଶ ।
ସେହିପରି ସୁଚିନ୍ତିତ କାର୍ଯ୍ୟଧାରାର ଆଉ ଏକ ଉଦାହରଣ ହେଲା ୟୁପିଆଇ । ଆମେ ଭାରତରେ ୟୁପିଆଇର ବ୍ୟବସ୍ଥା କରିଛୁ ଯେଉଁଠାରେ କି ଡିଜିଟାଲ ପେମେଣ୍ଟ ପ୍ଲାଟଫର୍ମ ସୃଷ୍ଟି ହୋଇଛି । ଗତ ମାସରେ ରେକର୍ଡ ସଂଖ୍ୟକ 2 ବିଲିଅନରୁ ଅଧିକ ନେଣଦେଣ ହୋଇଛି । ସେହିପରି କିଛି ଜିନିଷ ଆମେ ଜାତୀୟ ଡିଜିଟାଲ ହେଲଥ ମିଶନ କ୍ଷେତ୍ରରେ କରିବାକୁ ଯାଉଛୁ । ଆପଣମାନଙ୍କ ମଧ୍ୟରୁ ଅନେକ ସ୍ୱାମୀତ୍ୱ ଯୋଜନା ସମ୍ପର୍କରେ ଶୁଣିଥିବେ ଏହା ଏପରି ଏକ ଯୋଜନା ଯାହାକି ଆମ ଗ୍ରାମାଞ୍ଚଳରେ ଲକ୍ଷ ଲକ୍ଷ ଲୋକଙ୍କୁ ସେମାନଙ୍କ ଜମିର ସତ୍ଵାଧିକାର ପ୍ରଦାନ କରିଛି । ଡ୍ରୋନ ଭଳି ପ୍ରଯୁକ୍ତି ବିଦ୍ୟା ମଧ୍ୟ ଉପଯୋଗ କରାଯାଉଛି ଓ ଏହା ଅନେକଙ୍କୁ ଜମିଜମା ଗଣ୍ଡଗୋଳରୁ ରକ୍ଷା କରିବା ସହିତ ସଶକ୍ତ ମଧ୍ୟ କରିବ । ଥରେ ଜମିର ଅଧିକାର ମିଳିଲେ ବୈଷୟିକ ସମାଧାନ ଏହାର ସମୃଦ୍ଧିରେ ସହାୟକ ହେବ ।
ବନ୍ଧୁଗଣ, ବୈଷୟିକ ଜ୍ଞାନ ପ୍ରତିରକ୍ଷା କ୍ଷେତ୍ରରେ ମଧ୍ୟ ଖୁବ ଉପଯୋଗୀ ହେବାକୁ ଯାଉଛି । ଆଗରୁ ଗୋଟିଏ ପକ୍ଷର ଶକ୍ତି ସେମାନଙ୍କ ପାଖରେ ଥିବା ଦକ୍ଷ ଘୋଡା ବା ହାତୀ ଦ୍ୱାରା ନିର୍ଦ୍ଧାରଣ କରାଯାଉଥିଲା । ତାହା ପରେ ଆସିଲା ବନ୍ଧୁକର ଶକ୍ତି । ଏବେ ବିଶ୍ୱର ବିଭିନ୍ନ ଶକ୍ତି ପ୍ରତିଯୋଗିତାରେ ପ୍ରଯୁକ୍ତି ବିଦ୍ୟା ଏକ ମୁଖ୍ୟ ଅସ୍ତ୍ର ସାଜିଛି । ସପ୍ଟୱାରରୁ ଡ୍ରୋନ ଓ ଡ୍ରୋନରୁ ୟୁଏଭି ପର୍ଯ୍ୟନ୍ତ ବୈଷୟିକ ଜ୍ଞାନ ବର୍ତ୍ତମାନ ପ୍ରତିରକ୍ଷା କ୍ଷେତ୍ରକୁ ପ୍ରଭାବିତ କରିଛି ।
ବନ୍ଧୁଗଣ, ପ୍ରଯୁକ୍ତି ବିଦ୍ୟାର ବହୁଳ ପ୍ରୟୋଗ ଯୋଗୁ ତଥ୍ୟର ସୁରକ୍ଷା ଓ ସାଇବର ସୁରକ୍ଷା ଖୁବ ଗୁରୁତ୍ୱପୂର୍ଣ୍ଣ ହୋଇଉଠିଛି । ଆମର ଯୁବଗୋଷ୍ଠୀ ସାଇବର ସୁରକ୍ଷା ସମାଧାନ ଦିଗରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିପାରିବେ । ଏହି ସମାଧାନର ସୂତ୍ର ଗୁଡିକ ସାଇବର ଆକ୍ରମଣ ଓ ଭାଇରସ ବିରୁଦ୍ଧରେ ସଂଗ୍ରାମ କରିପାରିବ । ଆଜି ଆମର ଫିନଟେକ ଶିଳ୍ପ ଖୁବ ଭଲ କାମ କରୁଛି । ଲକ୍ଷ ଲକ୍ଷ ଲୋକ ବିନା ଦ୍ୱିଧାରେ ନେଣଦେଣ କରୁଛନ୍ତି । ଏହା ହେଉଛି ଜନସାଧାରଣଙ୍କର ଏକ ଆସ୍ଥା ଯାହାକୁ ବଳବତ୍ତର କରିବା ସହିତ ଅଧିକ ମଜବୁତ କରିବାକୁ ପଡିବ । ଅମେ ଏକ ଉନ୍ନତ ତଥ୍ୟ ପରିଚାଳନା ନୀତି ପାଇଁ ଅଗ୍ରାଧିକାର ଦେଉଛୁ ।
ବନ୍ଧୁଗଣ, ଆଜି ଯେତେବେଳେ ମୁଁ ମୁଖ୍ୟତଃ ସୂଚନା ପ୍ରଯୁକ୍ତି ବିଜ୍ଞାନର ପରିସର ଉପରେ ଆଲୋକପାତ କରୁଛି ସେହିଭଳି ବିଜ୍ଞାନ କ୍ଷେତ୍ରରେ ମଧ୍ୟ ଉଦ୍ଭାବନର ଭୂମକା ଗୁରୁତ୍ୱପୂର୍ଣ୍ଣ । ସେ ଜୈବ ବିଜ୍ଞାନ ହେଉ ବା ଇଂଜିନିୟରିଂ, ଉଦ୍ଭାବନ ହିଁ ପ୍ରଗତିର ଚାବିକାଠି । ଉଦ୍ଭାବନ କ୍ଷେତ୍ରରେ ଭାରତର ଅନେକ ସୁବିଧା ରହିଛି । କାରଣ ଆମର ଯୁବଗୋଷ୍ଠୀଙ୍କର ମେଧା ଓ ଉଦ୍ଭାବନ ପାଇଁ ଆଗ୍ରହ ଖୁବ ଅଧିକ ।
ବନ୍ଧୁଗଣ, ଆମ ଯୁବ ସମାଜର ପ୍ରଯୁକ୍ତି ବିଦ୍ୟା ନେଇ ଇଚ୍ଛାଶକ୍ତିର କୌଣସି ସୀମା ନାହିଁ । ବର୍ତ୍ତମାନ ତାହାର ଶ୍ରେଷ୍ଠ ଉପଯୋଗ ପାଇଁ ସମୟ ଉପନୀତ । ମୁଁ ଦୃଢ଼ ନିଶ୍ଚିତ ଯେ ଆମର ଆଇଟି ସେକ୍ଟର ଆମକୁ ନିଶ୍ଚିତ ଗର୍ବିତ କରିବ । ଆପଣମାନଙ୍କୁ ଅଶେଷ ଧନ୍ୟବାଦ ।