ଉପସ୍ଥିତ ସୁମିତ୍ରା ଜୀ ଏବଂ ସମସ୍ତ ବରିଷ୍ଠ ମହାନୁଭବ ।
୨୦୧୫ ନଭେମ୍ବର ୧୫ଠାରୁ ସମ୍ବିଧାନ ଦିବସ ପାଳନ କରାଯିବାର ଉଦ୍ଦେଶ୍ୟ ହେଲା ଆମର ନୂଆ ପୀଡ଼ି ଏହି ସମ୍ବିଧାନ ସହିତ ଓ ଏହାର ଉଦ୍ଦେଶ୍ୟ ସହିତ ସଂଯୁକ୍ତ ରହିବା ଆବଶ୍ୟକ । ଏପରି ନହେଉ ଯେ ସବୁକିଛି ହେଉଛି ମାତ୍ର ଏହା କିପରି ହେଉଛି ସେ ସମ୍ବନ୍ଧରେ ଯେପରି ଜଣା ନପଡେ । ଏବଂ ଏହିପରି ବିଷୟର ନିରନ୍ତର ପୁନଃସ୍ମରଣ ଆବଶ୍ୟକ । ଯିଏ ମୂଳ ତତ୍ତ୍ୱକୁ ବାରମ୍ବାର ସ୍ମରଣ କରନ୍ତି ସେମାନେ ତତ୍କାଳୀନ ସନ୍ଦର୍ଭରେ ହିଁ ଏପରି କରିଥାନ୍ତି । ଆଜିଠୁ ୪୦ ବର୍ଷ ପୂର୍ବେ କୈଣସି ବିଷୟର ଅର୍ଥ ଯାହା ହୋଇଥାଏ, ହୁଏତ ଏହାର ଅର୍ଥ ୧୦ ବର୍ଷ ପରେ ଏକ ପ୍ରଗତିବାଦୀ ଦୃଷ୍ଟିରେ ଭିନ୍ନ ମନେହୁଏ । ମାତ୍ର ଏହା ତେବେ ଯାଇ ହୋଇଥାଏ ଯେତେବେଳେ ଆମେ ମୂଳଭୁତ ଜିନିଷ ସହିତ ସବୁ କଥାକୁ କଷୁ ଓ ତଉଲୁ । ପ୍ରତିବର୍ଷ ଅନ୍ତତଃ ଥରେ ଆମ ସ୍କୁଲ କଲେଜର ଛାତ୍ରଛାତ୍ରୀମାନଙ୍କ ଆଗରେ ସମ୍ବିଧାନର ମୂଖବନ୍ଧର ପଠନ, ଉଦ୍ଘୋଷ ଓ ବ୍ୟାଖ୍ୟା ହେବା ଆବଶ୍ୟକ । ଏହାଫଳରେ ଲାଭ ଏଇଆ ମିଳିବ ଯେ ସମ୍ବିଧାନର ମାହାତ୍ମ୍ୟକୁ ନେଇ ସାମାନ୍ୟ ଜୀବନରେ ଏକ ସ୍ଥାନ ସୃଷ୍ଟି ହେବ । ବହୁତ କମ ଦେଶର ଜୀବନଧାରାରେ ଏପରି ହୁଏତ ଘଟେ ଯେଉଁଠାରେ କି ସମ୍ବିଧାନର ଉଲ୍ଲେଖ ବାରମ୍ବାର ଆସିଥାଏ । ମାତ୍ର ଭାରତ ଏପରି ଏକ ଦେଶ ଯେଉଁଠାରେ କି ଯେତେବେଳେ ବି ଆମେ ସମ୍ବିଧାନର ସ୍ମରଣ କରିଥାଉ, ସେତବେଳେ ଡଃ ବାବା ସାହେବ ଆମ୍ବେଦକରଙ୍କ ପୂଣ୍ୟ ସ୍ମରଣ ମଧ୍ୟ ଏହା ସହିତ ହୋଇଥାଏ । ଅର୍ଥାତ ସମ୍ବିଧାନ ମାନେ ବାବାସାହବେ ଏବଂ ବାବାସାହେବ ମାନେ ସମ୍ବିଧାନ । ଏପରି ସିଦ୍ଧି କୈଣସି ବ୍ୟକ୍ତି ଜୀବନରେ ଅସମ୍ଭବ ଯାହାକି ଆମେ ବାବା ସାହେବଙ୍କ ଜୀବନରେ ଆଜି ଅନୁଭବ କରୁଛୁ । ବାବା ସାହେବ ଏହା କହିନଥିଲେ କିମ୍ବା ତାଙ୍କ ସମୟରେ ମଧ୍ୟ ଏହା କେହି ଅନୁଭବ କରିନଥିଲେ । ମାତ୍ର ସମୟ ବିତିବା ସହ ଆମେ ସମସ୍ତେ ଅନୁଭବ କଲୁ ଯେ କେତେ ମହାନ କାମ ଆମମାନଙ୍କ ପାଇଁ କରାଯାଇଛି ।
ସମୟ ଏପରି ବଦଳିଯାଇଛି ଯେ ସମସ୍ତେ ସମ୍ବିଧାନରେ ସେମାନଙ୍କର ଅଧିକାର ଖୋଜୁଛନ୍ତି ଏବଂ ନିଜ ଅଧିକାରରେ ଅଧିକ ହାୱା ଭରିବାକୁ ଚେଷ୍ଟା କରୁଛନ୍ତି । କେତେକ ଚତୁର ଲୋକ ସମ୍ବିଧାନକୁ ଆଧାର କରି ଅଧିକାରର ଦୁରୂପଯୋଗ କରିବାର ସୀମା ମଧ୍ୟ କେବେକେବେ ଲଙ୍ଘନ କରିଥାନ୍ତି । ଏହାଫଳରେ ଏକ ରାଜନୈତିକ ବିଶୃଙ୍ଖଳା ସୃଷ୍ଟି ହୋଇଥାଏ ଏବଂ ବାବା ସାହେବ ଆମ୍ବେଦକର ଅରାଜକତାର ବ୍ୟାକରଣ ସମ୍ବନ୍ଧରେ ହିଁ କହନ୍ତି । ନାଗରିକ ହେଉ, ଶାସନ ବ୍ୟବସ୍ଥା ହେଉ, ଶାସନ ବ୍ୟବସ୍ଥାର ଭିନ୍ନଭିନ୍ନ ଅଙ୍ଗ ହେଉ ଏହା ଆମ ସମସ୍ତଙ୍କର ଦାୟିତ୍ୱ । ସମସ୍ତଙ୍କ ଭିତରେ ତାଳମେଳ ରଖିବାର ସବୁଠାରୁ ବଡ ଉତ୍ସ ଯଦି କିଛି ରହିଥାଏ ତାହା ହେଉଛି ଆମର ସମ୍ବିଧାନ । ସବୁ ସମସ୍ୟାର ସମାଧାନର ଶକ୍ତି ସମ୍ବିଧାନରେ ରହିଛି, ରକ୍ଷା କରିବାର ସାମର୍ଥ୍ୟ ମଧ୍ୟ ସମ୍ବିଧାନରେ ରହିଛି ଏବଂ ଏଥିପାଇଁ ସମ୍ବିଧାନର ଆତ୍ମା ସହିତ ସଂଯୁକ୍ତ ହେବା ଆମ ପାଇଁ ଅତ୍ୟନ୍ତ ଜରୁରୀ । କେବଳ ଏହାର ଧାରାମାନଙ୍କ ସହିତ ସଂଯୁକ୍ତ ହେଲେ ଚଳିବ ନାହିଁ । ସମ୍ବିଧାନର ତତ୍ତ୍ୱ ସମ୍ବନ୍ଧରେ ଆଜି ଯେଉଁ ପୁସ୍ତକ ପ୍ରକାଶ ପାଇଛି ଏହା ହୁଏତ ସମ୍ବିଧାନର ଆତ୍ମା ସହିତ ସଂଯୁକ୍ତ ହେବା ନେଇ ଏକ ପୃଷ୍ଠା ଉନ୍ମୋଚନ କରିବାରେ ସହାୟକ ହେବ, ତେଣୁ ମୁଁ ଏହାର ସ୍ୱାଗତ କରୁଛି ।
ଏହା ସତ୍ୟ ଯେ କର୍ତ୍ତବ୍ୟ ଭାବନାର ଉକୃଷ୍ଟ ଅଭିବ୍ୟକ୍ତି ପରେ ହିଁ ଦେଶ ସ୍ୱାଧୀନ ହେଲା । ଦେଶର ପ୍ରତ୍ୟେକ ବ୍ୟକ୍ତି ସ୍ୱାଧୀନତା ଆନ୍ଦୋଳନକୁ ନିଜର କର୍ତ୍ତବ୍ୟ ମନେ କରୁଥିଲା । ଦେଶ ସ୍ୱାଧୀନ ହେବା ପର୍ଯ୍ୟନ୍ତ କର୍ତ୍ତବ୍ୟର ଭାବନା ଏତେ ଉଚ୍ଚାରେ ଥିଲା ଯେ ଏହା ଅତୁଳନୀୟ ଥିଲା ଓ ଏକ ଶତାବ୍ଦୀରୁ ମଧ୍ୟ ଅଧିକ ସମୟ କାଳ ଜନସାଧାରଣ ଏହି ଭାବନା ମଧ୍ୟରେ ବଂଚିଥିଲେ । ମାତ୍ର ସ୍ୱାଧୀନତାର ତୁରନ୍ତ ପରେ ପରେ ଆମେ ଏହି ଉଚ୍ଚତାରୁ ଅଚାନକ ଏତେ ତଳକୁ ଆସିଗଲୁ ଯେ କର୍ତ୍ତବ୍ୟର ସାରା ଭାବ ଅଧିକାରରେ ପରିବର୍ତ୍ତିତ ହୋଇଗଲା ଏବଂ ଅଧିକାର, ହକ୍ ଓ ସ୍ୱାର୍ଥ ଜୀବନକୁ ଏପରି ଗ୍ରାସ କଲା ଯେ କର୍ତ୍ତବ୍ୟ ଲୋଭରେ ପରିବର୍ତ୍ତିତ ହେବାରେ ଲାଗିଛି ।
ଆମେ ସମ୍ବିଧାନ ମାଧ୍ୟମରେ କର୍ତ୍ତବ୍ୟ ଓ ଅଧିକାର ମଧ୍ୟରେ କିପରି ଭାବରେ ସନ୍ତୁଳନ ରକ୍ଷା କରିବୁ ଏହା ଦେଶ ପାଇଁ ଏକ ବଡ ଆହ୍ୱାନ । ଏବଂ ସେ ଦିଗରେ ଏହି ପ୍ରକାରର ପ୍ରଯତ୍ନ ଦ୍ୱାରା ରାସ୍ତା ଅନ୍ୱେଷଣ କରାଯାଉଛି । ଆମେ ଜାନୁଆରୀ ୨୬କୁ ଅତ୍ୟନ୍ତ ଗର୍ବର ସହ ପାଳନ କରିଥାଉ, ମାତ୍ର ଆମେ ଭୁଲିଯାଉ ଯେ ନଭେମ୍ବର ୨୬ ବିନା ଜାନୁଆରୀ ୨୬ ଅଧୁରା । ୨୬ ଜାନୁଆରୀର ଶକ୍ତି ନଭେମ୍ବର ୨୬ରେ ରହିଛି । ଏଥିପାଇଁ ନୂଆ ପୀଢ଼ି ନଭେମ୍ବର ୨୬କୁ ସମ୍ବିଧାନ ଦିବସ ଭାବେ ପୂଣ୍ୟ ସ୍ମରଣ କରି ଏହାର ବିଶେଷତ୍ୱ ଜାଣିବାର ପ୍ରୟାସ ଭିନ୍ନ ଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ କରିବା ଆବଶ୍ୟକ । ଅନଲାଇନ ପ୍ରତିଯୋଗିତା ହେଉ କିମ୍ବା ପ୍ରବନ୍ଧ ଲିଖନ ପ୍ରତିଯୋଗିତା ହେଉ । ଏହି ସବୁ ବିଷୟ ହିଁ ଶେଷରେ ତା ସହିତ ସଂଯୁକ୍ତ କରିଥାଏ । ସମ୍ପ୍ରତି ଭ୍ରଷ୍ଟାଚାର ଓ କଳାଧନ ବିପକ୍ଷରେ ଦେଶ ଏକ ବଡ ଲଢ଼େଇ ଲଢ଼ୁଛି । ଦେଶର ସାଧାରଣ ନାଗରିକ ଏହି ଲଢ଼େଇର ସିପାହୀ ସାଜିଛନ୍ତି । ଲୋକଙ୍କୁ ଜଣାପଡୁଛି ଯେ ୭୦ ବର୍ଷ ଧରି ଏଇ ନିୟମ କାନୁନର ଦୂରୁପଯୋଗ କରିଥିବା ବ୍ୟକ୍ତି ଦେଶକୁ ଭ୍ରଷ୍ଟାଚାରରେ ଡୁବାଇ ଦେଇଛନ୍ତି । ସମ୍ବିଧାନରେ ଥିବା ଆଇନର ଦୂରୁପଯୋଗ କରାଯାଇ ଏପରି କରାଯାଇଛି । ଏହି ସରକାରଙ୍କ ଏହି ନିଷ୍ପତ୍ତି ସମ୍ବନ୍ଧରେ ବହୁତ କମ୍ ସମାଲୋଚନା ହେଉଛି । ମାତ୍ର କିଛି ଲୋକଙ୍କ ସମାଲୋଚନା ହେଲା ସରକାର ଏହି ନିଷ୍ପତ୍ତି ନେବା ପୂର୍ବରୁ ପୂର୍ଣ୍ଣ ପ୍ରସ୍ତୁତି କରିନାହାନ୍ତି ।
ହଁ ବିଷୟ ଏହା ନୁହେଁ ଯେ ସରକାର ପୂର୍ଣ୍ଣ ପ୍ରସ୍ତୁତି କରିନାହାନ୍ତି । ଏହି ବ୍ୟକ୍ତିମାନଙ୍କର କଷ୍ଟ ହେଲା ସରକାର କାହାକୁ ପ୍ରସ୍ତୁତ ହେବା ପାଇଁ ସମୟ ଦେଲେ ନାହିଁ । ଏହି କଥାକୁ ନେଇ ଦୁଃଖ ରହିଗଲା ଯେ ପ୍ରସ୍ତୁତି ପାଇଁ ସେମାନଙ୍କୁ ୭୨ ଘଣ୍ଟା ସମୟ ମିଳିଲା ନାହିଁ । ଏତିକି ସମୟ ମିଳିଯାଇ ଥିଲେ ସେମାନେ କହିଥାନ୍ତେ ଯେ ମୋଦୀ ପରି ଆଉ କେହି ନାହିଁ, ସେ କେତେ ବଡ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କଲେ । ଏତେ ବଡ ଦେଶ । ନିର୍ଣ୍ଣୟ ମଧ୍ୟ ବହୁତ ବଡ଼ । ଏଥିପାଇଁ ଦେଶର ଉଜ୍ଜ୍ୱଳ ଭବିଷ୍ୟତ ଦେଖୁଥିବା ବ୍ୟକ୍ତିମାନଙ୍କଠାରୁ ଏତିକି ଆଶା କରାଯାଇ ପାରେ ଯେ ଆମେ ସମସ୍ତେ ମିଶି ସାଧାରଣ ଜନତାଙ୍କ କଷ୍ଟକୁ ଦୂର କରିବା । ଏହି ମହାଯଜ୍ଞରେ ସଫଳ ହୋଇ ବିଶ୍ୱ ସମ୍ମୁଖରେ ଭାରତକୁ ଏକ ଶକ୍ତିଶାଳୀ ରାଷ୍ଟ୍ର ଭାବେ ଉଭା କରିବା । ସାରା ବିଶ୍ୱରେ ଯେତବେଳେ ଭ୍ରଷ୍ଟାଚାରକୁ ନେଇ ସର୍ଭେ ହୁଏ, ସେତବେଳେ ଭାରତର ନାମ ଅଗ୍ରୀମ ପଂକ୍ତିରେ ଆସିଥାଏ ଓ ଭାରତକୁ ନିଚ୍ଚ ଦୃଷ୍ଟିରେ ଦେଖାଯାଏ । ଆମକୁ ଗର୍ବର ସହିତ ମସ୍ତକ ଉଚ୍ଚା କରିବାକୁ ପଡିବ । ଏଥିପାଇଁ କଠୋର ନିଷ୍ପତ୍ତି ନେବାକୁ ପଡ଼ିଥାଏ ଏବଂ ନିଷ୍ପତ୍ତିର ପାଳନ କରାଯାଇ ସିଦ୍ଧି ପ୍ରାପ୍ତ ହେବାକୁ ପଡିଥାଏ । ଏଥିନିମନ୍ତେ ମୁଁ ପ୍ରତ୍ୟେକ ରାଜନୈତିକ ଦଳ, ରାଜନୈତିକ ସଂସ୍ଥା ଓ ଗଣମାଧ୍ୟମକୁ ନିମନ୍ତ୍ରଣ ଦେଉଛି । ଦ୍ୱିତୀୟ କଥା ହେଲା ଡ଼ିଜିଟାଲ ମୁଦ୍ରା । ପ୍ରତ୍ୟେକ ବ୍ୟକ୍ତିକୁ ଅର୍ଥର ଅଧିକାର ରହିଛି । ପ୍ରତ୍ୟେକ ବ୍ୟକ୍ତିକୁ ତା ପଇସାର ଉପଯୋଗ କରିବା ନେଇ କେହି ରୋକୁନାହିଁ । ମାତ୍ର ଏହା ଜରୁରୀ ନୁହେଁ ଯେ ପ୍ରତ୍ୟେକ ଥର ନୋଟ୍ ହାତରେ ଥିଲେ ହିଁ ଏହାର ଉପଯୋଗ ହେବ । ଆଜିକାଲି ଅନେକ ପ୍ରକାରର ବ୍ୟବସ୍ଥା ଉପଲବ୍ଧ । ଆପଣ ଆପଣଙ୍କ ମୋବାଇଲ ଫୋନ ମାଧ୍ୟମରେ ସବୁ ଅର୍ଥ ଯେଉଁଠାରେ ଖର୍ଚ୍ଚ କରିବାକୁ ଚାହାନ୍ତି ତାହା ଖର୍ଚ୍ଚ କରିପାରିବେ । ଆପଣଙ୍କ ପାଖରେ ଥିବା ପ୍ରତିଟି ମୁଦ୍ରା ଉପରେ ଆପଣଙ୍କର ଅଧିକାର ରହିଛି । ଏହି ମାଧ୍ୟମରେ ଯେହେତୁ ସମ୍ବିଧାନର ଚର୍ଚ୍ଚା ହେଉଛି, ସମ୍ବିଧାନ ଏହି ବ୍ୟବସ୍ଥାର ମଧ୍ୟ ରକ୍ଷକ ।
ମୁଁ ସମସ୍ତ ଦେଶବାସୀଙ୍କଠାରୁ ଏବଂ ଖାସକରି ସମାଜକୁ ନେତୃତ୍ୱ ପ୍ରଦାନ କରୁଥିବା ସବୁ ବ୍ୟକ୍ତିଙ୍କୁ ଗଣମାଧ୍ୟମ ମାଧ୍ୟମରେ ଆଗ୍ରହ କରୁଛି ଯେ ଯେଉଁ ଦେଶ ପାଖରେ ୬୫ ପ୍ରତିଶତ ଯୁବଶକ୍ତି ରହିଛନ୍ତି ଏବଂ ୩୫ ବର୍ଷରୁ କମ ଯୁବକ ରହିଛନ୍ତି, ଯେଉଁ ଦେଶରେ ୧୦୦ କୋଟିରୁ ଅଧିକ ମୋବାଇଲ ଫୋନ ରହିଛି, ସେହି ଦେଶରେ ଏବେ ମୋବାଇଲ ଫୋନ ମାଧ୍ୟମରେ ବୈଷୟିକ ଜ୍ଞାନର ବ୍ୟବହାର କରାଯିବାର ସୁବିଧା ଉପଲବ୍ଧ ହେଉ । ସବୁ ବ୍ୟାଙ୍କମାନଙ୍କର ନିଜର ଆପ୍ ଥିଲେ ଆମେ ଜନସାଧାରଣଙ୍କୁ ଏ ସମ୍ବନ୍ଧରେ ପ୍ରେରିତ କରିପାରିବା ଓ ସେମାନଙ୍କୁ ମଧ୍ୟ ପ୍ରଶିକ୍ଷିତ କରିପାରିବା । ଏହା ଏତେ କଠିନ କାର୍ଯ୍ୟ ମଧ୍ୟ ନୁହେଁ । ଆଜିକାଲି ପ୍ରାୟ ସମସ୍ତେ ୱାଟ୍ସ-ଅପ(WhatsApp)ର ବ୍ୟବହାର କରୁଛନ୍ତି । ଏହାର ବ୍ୟବହାର କଣ ଆମେ କେଉଁଠାରେ ଶିଖିବାକୁ ଯାଇଥିଲୁ, କେଉଁ ଇଞ୍ଜିନିୟରିଂ ନା କେଉଁ ଆଇଟି କଲେଜରେ ଏହାର ବ୍ୟବହାର ଶିଖିବାକୁ ଯାଇଥିଲୁ । ନିରକ୍ଷର ବ୍ୟକ୍ତି ମଧ୍ୟ ୱାଟ୍ସ-ଅପ୍ କ’ଣ ଓ ଏହା ମାଧ୍ୟମରେ କିପରି ଫରୱାର୍ଡ କରିବାକୁ ହୁଏ ସେ ସମ୍ବନ୍ଧରେ ଜାଣେ । ଯେଉଁ ସରଳତାର ସହିତ ୱାଟ୍ସ-ଅପ୍ ରେ ଫରୱାର୍ଡ କରାଯାଏ, ସେହିପରି ମଧ୍ୟ ନଜର ମୋବାଇଲ ଫୋନ ମାଧ୍ୟମରେ ସପିଙ୍ଗ କରାଯାଇ ପାରିବ ।
ଦେଶର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଆମକୁ ସ୍ୱଚ୍ଛତା ଆଣିବାର ଆବଶ୍ୟକତା ରହିଛି, ଡ଼ିଜିଟାଲ ମୁଦ୍ରା ଆଡକୁ ଯିବାର ଆବଶ୍ୟକତା ରହିଛି । ଭାରତର ୫୦୦ ସହର ଯଦି ଚାହିଁବେ ତେବେ ଗୋଟିଏ ସପ୍ତାହ ମଧ୍ୟରେ ଏହି କାର୍ଯ୍ୟ କରିପାରିବେ । ନଭେମ୍ବର ୮ରେ ନିଆଯାଇଥିବା ନିଷ୍ପତ୍ତିର ପରିଣାମର ସବୁଠାରୁ ଅଧିକ ଲାଭ କାହାକୁ ମିଳିଛି ସେ ସମ୍ବନ୍ଧରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । କାଲି ମୁଁ ହିସାବ ନେଉଥିଲି ଯେ ଏହାର ସବୁଠୁ ବେଶି ଲାଭ ଉଠାଇଛନ୍ତି କିଛି ନଗରପାଳିକା ଓ ମହାନଗରପାଳିକାମାନେ । ଏହାର ସଂଖ୍ୟା ୪୦ ରୁ ୫୦ ହେବ ବୋଲି ମୋତେ କୁହାଯାଇଛି । ପୂର୍ବରୁ ତିନିରୁ ସାଢେ ତିନି କୋଟି ଟଙ୍କାର କର ଆଦାୟ ହେଉଥିଲା । ମାତ୍ର ନଭେମ୍ବର ୮ ପରେ ୧୩ ହଜାର କୋଟି ଟଙ୍କାର କର ରାଶି ଜମା ହୋଇଛି । ଏହି ଅର୍ଥ ରାଶି କାହାର କାମରେ ଆସିବ? କୌଣସି ଗାଁର ଗରିବ ବସ୍ତିରେ ରାସ୍ତା ତିଆରି ହେବ, କେଉଁଠାରେ ବିଜୁଳି ଦିଆଯିବ ଓ କେଉଁଠାରେ ପାଣିର ସଂଯୋଗ ଦିଆଯିବ । ଏକ ସାମାଜ ଏହାର ଜୀବନର କ୍ରାନ୍ତି ଦିଗରେ କାମ କରୁଛି । ତେଣୁ ରାଜନୀତିକୁ ଆଧାର କରି ସମାଜର ଅନେକ କାର୍ଯ୍ୟ କରିବା ଲାଗି ମଧ୍ୟ ସମ୍ବିଧାନ ଆମକୁ ପ୍ରେରଣା ଦେଇଥାଏ । ସମ୍ବିଧାନ ଆମକୁ ଆମର ଶାସନକୁ ସମ୍ଭାଳିବା ଲାଗି ଦାୟିତ୍ୱବୋଧ ଦେଇଥାଏ । ଏଥିରେ ଲେଖାହୋଇଛି ଯେ ଆମର ମହାନ ଶାସନକୁ ସମ୍ଭାଳିବା ଆମର ଦାୟିତ୍ୱବୋଧ ।
ବାବା ସାହେବ ଆମ୍ବେଦକର ଯେଉଁ ମହାନ କାର୍ଯ୍ୟ କରିଛନ୍ତି ଆସନ୍ତୁ ଆମେ ସବୁ ମିଶି ଏହାର ଶବ୍ଦକୁ ଓ ଭାବକୁ ପିଢୀ ପରେ ପିଢୀ ସମୟାନୁକୂଳ ସନ୍ଦର୍ଭରେ ଶିକ୍ଷାଲାଭ କରିବା, ଜିଇଁବାକୁ ଶିଖିବା ଓ ଦେଶକୁ ପ୍ରତି ମୁହୂର୍ତ୍ତରେ ନୂଆ ଶକ୍ତି ଓ ଉର୍ଜ୍ଜା ପ୍ରଦାନ କରିବା ।
ବହୁତ-ବହୁତ ଧନ୍ୟବାଦ ।