ଦେବୀ ଓ ସଜ୍ଜନମଣ୍ଡଳୀ,
ସେଲ୍ଭି ଜୟଲଳିତା ମହୋଦୟଙ୍କ ଜୟନ୍ତୀ ଅବସରରେ ମୁଁ ମୋର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ଓ ଆପଣମାନଙ୍କୁ ସମସ୍ତଙ୍କୁ ଅଭିନନ୍ଦନ ଓ ଶୁଭକାମନା ଜଣାଉଛି । ସେ ଯେଉଁଠି ବି ଥାଆନ୍ତୁ, ମୁଁ ନିଶ୍ଚିତ ଯେ, ଆପଣମାନଙ୍କ ମୁହଁରେ ଖୁସି ଦେଖି ସେ ବହୁତ ଖୁସି ଥିବେ ।
ମୁଁ ଖୁସି ଯେ, ଆଜି ତାଙ୍କର ଏକ ସ୍ୱପ୍ନର ପରିଯୋଜନା- ଆମ୍ମା ଦୁଇଚକିଆ ଯାନ ଯୋଜନାକୁ ଶୁଭାରମ୍ଭ କରିବାରେ ସକ୍ଷମ ହୋଇଛି । ମୋତେ କୁହାଯାଇଛି କି, ଆମ୍ମାଙ୍କ 70ତମ ଜନ୍ମ ଜୟନ୍ତୀରେ ସମଗ୍ର ତାମିଲନାଡୁରେ 70ଲକ୍ଷ ବୃକ୍ଷରୋପଣ କରାଯିବ । ମହିଳାଙ୍କୁ ସଶକ୍ତ କରିବା ଓ ପ୍ରକୃତିର ସୁରକ୍ଷା ପାଇଁ ଏହି ଦୁଇଟି ପ୍ରୟାସ ଏକ ଦୀର୍ଘ ଯାତ୍ରା ଅତିକ୍ରମ କରିବ ।
ବନ୍ଧୁଗଣ,
ଯେତେବେଳେ ଆମେ ପରିବାରରେ ମହିଳାଙ୍କୁ ସଶକ୍ତ କରାଇଥାଉ, ଆମେ ପୁରା ପରିବାରକୁ ସଶକ୍ତ କରିଥାଉ । ଯେତେବେଳେ ଆମେ ମହିଳାଙ୍କ ଶିକ୍ଷାରେ ସହାୟତା କରିଥାଉ, ଆମେ ପୁରା ପରିବାରକୁ ଶିକ୍ଷିତ କରାଇଥାଉ । ଯେତେବେଳେ ଆମେ ମହିଳାଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ଉପଲବ୍ଧ କରାଇଥାଉ, ପୁରା ପରିବାରକୁ ସୁସ୍ଥ ରଖିବାରେ ସହାୟତା କରିଥାଉ । ଯେତେବେଳେ ଆମେ ତା’ର ଭବିଷ୍ୟତ ସୁରକ୍ଷିତ କରିଥାଉ, ସେତେବେଳେ ଆମେ ପୁରା ପରିବାରର ଭବିଷ୍ୟତକୁ ସୁରକ୍ଷିତ କରିଥାଉ । ଆମେ ଏବେ ସେହି ଦିଗରେ କାର୍ଯ୍ୟ କରୁଛେ ।
ବନ୍ଧୁଗଣ,
ସାଧାରଣ ନାଗରିକଙ୍କ ‘ଇଜି ଅଫ୍ ଲିଭିଂ’ରେ ସୁଧାର ଉପରେ କେନ୍ଦ୍ର ସରକାର ଧ୍ୟାନକେନ୍ଦ୍ରିତ କରୁଛନ୍ତି । ଆମର ସମସ୍ତ ଯୋଜନା ଓ କାର୍ଯ୍ୟକ୍ରମ ମଧ୍ୟ ଏହି ଉଦ୍ଦେଶ୍ୟଭିତ୍ତିକ ହୋଇଛି । ତାହା ଆର୍ଥିକ ସମାବେଶ ହେଉ, ଅବା ଚାଷୀ ଓ କ୍ଷୁଦ୍ର ବ୍ୟବସାୟୀଙ୍କୁ ଋଣ ଉପଲବ୍ଧ ଅବା ସ୍ୱାସ୍ଥ୍ୟସେବା ଓ ପରିଚ୍ଛନ୍ନତା, ଏହା ହିଁ ହେଉଛି ମୌଳିକ ମନ୍ତ୍ର ଯାହା ଉପରେ ଏନଡିଏ ସରକାର କେନ୍ଦ୍ରରେ କାମ କରୁଛି ।
ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଅନ୍ତର୍ଗତ ଲୋକଙ୍କୁ ବିନା ବ୍ୟାଙ୍କ ଗ୍ୟାରେଂଟିରେ 4ଲକ୍ଷ 60ହଜାର କୋଟି ଟଙ୍କାର ପ୍ରାୟ 11କୋଟିରୁ ଉର୍ଦ୍ଧ୍ଵ ଋଣ ମଞ୍ଜୁର କରାଯାଇଛି । ଆଉ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି, 70 ପ୍ରତିଶତ ହିତାଧିକାରୀ ହେଉଛନ୍ତି ମହିଳା ।
ଏହି ଯୋଜନା ସଫଳତା ହେଉଛି, ଭାରତର ମହିଳାମାନେ ଏବେ ପୁରୁଣା ବନ୍ଧନରୁ ବାହାରି ଆତ୍ମସ୍ୱାବଲମ୍ବୀ ହେବାକୁ ଚାହୁଁଥିବାର ପ୍ରମାଣ ମିଳିଛି । ମହିଳାଙ୍କ ସଶକ୍ତିକରଣ ପାଇଁ ଆମେ ଅନେକ ଅନ୍ୟ ପଦକ୍ଷେପ ମଧ୍ୟ ନେଇଛୁ । ନିକଟରେ କେନ୍ଦ୍ର ବଜେଟରେ ଆମେ ନୂଆ ମହିଳା କର୍ମଚାରୀଙ୍କ ଇପିଏଫ୍ ରେ ଯୋଗଦାନର ପରିମାଣକୁ 3ବର୍ଷ ପାଇଁ 12 ପ୍ରତିଶତରୁ 8 ପ୍ରତିଶତକୁ ହ୍ରାସ କରିଛୁ । ତେବେ ଇପିଏଫ୍ ରେ ନିଯୁକ୍ତିଦାତାଙ୍କ ଯୋଗଦାନକୁ 12 ପ୍ରତିଶତ ରଖାଯାଇଛି ।
ଷ୍ଟାଣ୍ଡ-ଅପ୍ ଇଣ୍ଡିଆ ଯୋଜନା ଅନ୍ତର୍ଗତ ମହିଳା ଉଦ୍ୟୋଗୀମାନଙ୍କୁ 10ଲକ୍ଷ ଟଙ୍କାରୁ ଏକ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ଦିଆଯିବ । ଆମେ ମଧ୍ୟ କଳକାରଖାନା (Factory) ଆଇନରେ ପରିବର୍ତ୍ତନ କରି ରାଜ୍ୟଗୁଡ଼ିକୁ ପରାମର୍ଶ ପଠାଇଛୁ କି ସେମାନେ ମହିଳାମାନଙ୍କୁ ରାତି ସିଫ୍ଟରେ କାର୍ଯ୍ୟ କରିବାର ଅନୁମତି ଦିଅନ୍ତୁ । ଆମେ ମଧ୍ୟ ପ୍ରସବକାଳୀନ ଛୁଟିକୁ 12 ସପ୍ତାହରୁ 26 ସପ୍ତାହକୁ ବୃଦ୍ଧି କରିଛୁ ।
ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ତର୍ଗତ, ଘରର ରେଜିଷ୍ଟ୍ରି ମହିଳାଙ୍କ ନାଁରେ କରାଯାଉଛି ।
ଜନଧନ ଯୋଜନା ମଧ୍ୟ ମହିଳାମାନଙ୍କୁ ବ୍ୟାପକ ଭାବେ ଫାଇଦା ଦେଇଛି । 31 କୋଟି ଜନଧନ ଏକାଉଣ୍ଟ ମଧ୍ୟରୁ 16 କୋଟି ହେଉଛି ମହିଳାଙ୍କର ।
ମହିଳାମାନଙ୍କର ମୋଟ୍ ବ୍ୟାଙ୍କ ଏକାଉଣ୍ଟ ପରିମାଣ 2014 ମସିହାରେ 28 ପ୍ରତିଶତ ଥିବାବେଳେ ଏବେ 40 ପ୍ରତିଶତ ହୋଇଛି । ସ୍ୱଚ୍ଛ ଭାରତ ମିଶନ ମହିଳାମାନଙ୍କୁ ସମ୍ମାନ ଓ ମର୍ଯ୍ୟାଦା ଦେଇଛି, ଯାହାକି ସେମାନଙ୍କର ଅଧିକାର । ଦେଶର ଗ୍ରାମାଂଚଳ ପରିଚ୍ଛନ୍ନତା Coverage ପରିମାଣ 40 ପ୍ରତିଶତରୁ 78 ପ୍ରତିଶତକୁ ବୃଦ୍ଧି ପାଇଛି । ସମସ୍ତ ସରକାରୀ ସ୍କୁଲରେ ଝିଅ ପିଲାମାନଙ୍କୁ ଶୌଚାଳୟ ଉପଲବ୍ଧ କରାଇବା ପାଇଁ ଆମେ ଏକ ମିଶନ ଢଙ୍ଗରେ କାର୍ଯ୍ୟ କରୁଛୁ ।
ବନ୍ଧୁଗଣ,
କେନ୍ଦ୍ର ସରକାରର ଯୋଜନାଗୁଡ଼ିକ ପ୍ରକୃତିର ସୁରକ୍ଷା କରାଉଛି, ଯଦିଓ ଏସବୁ ଲୋକଙ୍କୁ ସଶକ୍ତ କରାଉଛି । ଉଜାଲା ଯୋଜନାରେ ଏପର୍ଯ୍ୟନ୍ତ 29 କୋଟି ଏଲ୍ଇଡି ବଲ୍ବ ବଂଟନ କରାଯାଇସାରିଲାଣି । ଏହା 15 ହଜାର କୋଟି ଟଙ୍କାର ବିଦ୍ୟୁତ ବିଲ୍ ସଂଚୟ କରାଇପାରିଛି । ଏହା ମଧ୍ୟ କାର୍ବନ ଡାଇଅକ୍ସାଇଡ୍ ବା ଅଙ୍ଗାରକାମ୍ଳ ଉତ୍ସର୍ଜନକୁ ବହୁ ପରିମାଣରେ ହ୍ରାସ କରିବାରେ ସକ୍ଷମ ହୋଇଛି ।
କେନ୍ଦ୍ର ସରକାର ଉଜ୍ଜଳା ଯୋଜନାରେ ଏପର୍ଯ୍ୟନ୍ତ 3.4 କୋଟି ମାଗଣା ଗ୍ୟାସ୍ ସଂଯୋଗ ଦେଇଛନ୍ତି । ଏହା ମହିଳାମାନଙ୍କୁ ଧୂଆଁମୁକ୍ତ ପରିବେଶର ଫାଇଦା ଦେଉଥିବାବେଳେ କିରୋସିନି ଉପଯୋଗ ହ୍ରାସ କରି ପରିବେଶ ପାଇଁ ମଧ୍ୟ ସହାୟକ ହେବ । ତାମିଲନାଡୁର ସାଢ଼େ 9ଲକ୍ଷ ମହିଳା ଏହି ଯୋଜନାରେ ଏପର୍ଯ୍ୟନ୍ତ ଉପକୃତ ହୋଇଛନ୍ତି ।
ଗ୍ରାମାଂଚଳରେ ଗ୍ୟାସ ସଂଯୋଗ ଓ ପରିଚ୍ଛନ୍ନତାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଗୋବର-ଧନ ଯୋଜନା ଆଣିଛନ୍ତି । ଏହାର ଉଦ୍ଦେଶ୍ୟ ହେଉଛି ପଶୁ ମଳ ଓ କୃଷି ବର୍ଜ୍ୟକୁ ଖତ, ବାୟୋ ଗ୍ୟାସ ଓ ବାୟୋ-ସିଏନଜିରେ ପରିବର୍ତ୍ତନ କରିବା । ଏହା ଉପାର୍ଜନ ବୃଦ୍ଧି କରିବା ସହ ଗ୍ୟାସ୍ ଖର୍ଚ୍ଚକୁ ମଧ୍ୟ ହ୍ରାସ କରିବ ।
ବନ୍ଧୁଗଣ
ଏବେ ତାମିଲନାଡୁରେ 24 ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ଵ ପରିଯୋଜନା କେନ୍ଦ୍ର ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଛି । ଏନଡିଏ ସରକାର କ୍ଷମତାକୁ ଆସିବା ପରେ ଏସବୁ ପରିଯୋଜନା ଆରମ୍ଭ ହୋଇଛି । ଏଥିରେ ସୌର ଶକ୍ତି ପ୍ଲାଂଟ, ଅଶୋଧିତ ତୈଳ ପାଇପଲାଇନ୍, ଜାତୀୟ ରାଜପଥ ଓ ବନ୍ଦର ସଂକ୍ରାନ୍ତ କାର୍ଯ୍ୟର ପରିଯୋଜନା ସାମିଲ ଅଛି । ଚେନ୍ନାଇ ମେଟ୍ରୋ ରେଳ ପାଇଁ 3ହଜାର 7ଶହ କୋଟି ଟଙ୍କାରୁ ଉର୍ଦ୍ଧ୍ଵ ମଞ୍ଜୁର କରାଯାଇଛି ।
ଯେତେବେଳେ କେନ୍ଦ୍ରରେ କଂଗ୍ରେସ ନେତୃତ୍ୱାଧୀନ ସରକାର ଥିଲା, ତାମିଲନାଡୁକୁ ତ୍ରୟୋଦଶ ଅର୍ଥ କମିଶନ ଅନ୍ତର୍ଗତ 81ହଜାର କୋଟି ଟଙ୍କା ମିଳିଥିଲା । ଏନଡିଏ ସରକାର କ୍ଷମତାକୁ ଆସିବା ପରେ ଚତୁର୍ଦ୍ଦଶ ଅର୍ଥ କମିଶନ ଅନ୍ତର୍ଗତ ତାମିଲନାଡୁକୁ 1ଲକ୍ଷ 80ହଜାର ଟଙ୍କା ମିଳିଛି । ଏହା ପ୍ରାୟ 120ପ୍ରତିଶତ ବୃଦ୍ଧି ।
2022 ମସିହା ସୁଦ୍ଧା ସମସ୍ତ ଗରିବ ଲୋକଙ୍କୁ ବାସଘର ଉପଲବ୍ଧ କରିବା ଦିଗରେ ସରକାର କାର୍ଯ୍ୟ କରୁଛନ୍ତି । ଗତ 3ବର୍ଷ ମଧ୍ୟରେ ପ୍ରାୟ 1 କୋଟି ଗୃହ ନିର୍ମାଣ ହୋଇଛି ।
ତାମିଲନାଡୁକୁ ଗ୍ରାମାଂଚଳ ଗୃହ ନିର୍ମାଣ ପାଇଁ 2016-17ମସିହାରେ 700 କୋଟି ଟଙ୍କା ଦିଆଯାଇଛି ଓ 2017-18ମସିହାରେ ପ୍ରାୟ 200 କୋଟି ଟଙ୍କା ଦିଆଯାଇଛି । ସହରାଂଚଳ ଗୃହ ନିର୍ମାଣ ପାଇଁ ରାଜ୍ୟକୁ 6ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ଵ ଦିଆଯାଇଛି ।
ବନ୍ଧୁଗଣ,
ତାମିଲନାଡୁର ଚାଷୀମାନେ ମଧ୍ୟ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଉପକୃତ ହୋଇଛନ୍ତି । ମୋତେ କୁହାଯାଇଛି କି ଏହି ଯୋଜନା ଅନ୍ତର୍ଗତ ଏପର୍ଯ୍ୟନ୍ତ ତାମିଲନାଡୁର ଚାଷୀଙ୍କୁ 2600କୋଟି ଟଙ୍କାରୁ ଅଧିକ ବୀମା ଦାବିରାଶି ଦିଆଯାଇଛି ।
ନୀଳ ବିପ୍ଲବ ଯୋଜନା ଅନ୍ତର୍ଗତ ତାମିଲନାଡୁରେ ମାଛଧରାର ଆଧୁନିକୀକଣ ଦିଗରେ କେନ୍ଦ୍ର ସରକାର କାର୍ଯ୍ୟ କରୁଛନ୍ତି । ଆମେ ମତ୍ସ୍ୟଜୀବୀମାନଙ୍କୁ ଲମ୍ବା ଲାଇନର ବା ଗଭୀର ସମୁଦ୍ରକୁ ଯାଇପାରିବା ଭଳି ଟ୍ରଲର ପାଇଁ ଆର୍ଥିକ ସହାୟତା ପ୍ରଦାନ କରୁଛୁ । 750 ବୋଟକୁ ଲମ୍ବା ଲାଇନର ଟ୍ରଲରରେ ପରିବର୍ତ୍ତନ କରିବା ପାଇଁ ଗତବର୍ଷ ଆମେ ରାଜ୍ୟ ସରକାରକୁ 100କୋଟି ଟଙ୍କା ଦେଇଥିଲୁ । ସେମାନଙ୍କର ଜୀବନକୁ ସରଳ କରାଇବା ସହିତ ଏଭଳି ଟ୍ରଲର ମତ୍ସ୍ୟଜୀବୀଙ୍କୁ ଅଧିକ ଉପାର୍ଜନ କରିବାରେ ସହାୟକ ହେବ ।
ଭାରତର ବିଶାଳ ସାଗର ସମ୍ବଳ ଓ ସୁଦୀର୍ଘ ଉପକୂଳରେ ବ୍ୟାପକ ସମ୍ଭାବନା ରହିଛି । ଆମର ଏହି ଲଜିଷ୍ଟିକ୍ କ୍ଷେତ୍ରକୁ ସୁଦୃଢ଼ କରିବା ପାଇଁ କେନ୍ଦ୍ର ସରକାର ସାଗରମାଳା ପରିଯୋଜନା ଉପରେ କାର୍ଯ୍ୟ କରୁଛନ୍ତି । ଏହା ଉଭୟ ଘରୋଇ ଓ ବିଦେଶୀ କାରବାର ଖର୍ଚ୍ଚକୁ ହ୍ରାସ କରିବ । ଏହା ମଧ୍ୟ ଭାରତର ଉପକୂଳରେ ରହୁଥିବା ଲୋକଙ୍କୁ ଉପକୃତ କରାଇବ ।
ନିକଟରେ କେନ୍ଦ୍ର ବଜେଟରେ ଆମେ ଆୟୁଷ୍ମାନ ଭାରତ ଯୋଜନାର ଘୋଷଣା କରିଛୁ । ପ୍ରତ୍ୟେକ ଗରିବ ପରିବାରକୁ ବଛା ବଛା/ମନୋନୀତ ହସ୍ପିଟାଲରେ ବର୍ଷକୁ 5ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସହାୟତା ଦିଆଯିବ । ଏଥିରେ ସମଗ୍ର ଦେଶର 45 ରୁ 50 କୋଟି ଲୋକ ଉପକୃତ ହେବେ ।
ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଓ ଜୀବନ ଜ୍ୟୋତି ଯୋଜନାରେ 18 କୋଟିରୁ ଉର୍ଦ୍ଧ୍ଵ ଲୋକଙ୍କୁ ବୀମାଭୁକ୍ତ କରାଯାଇଛି । ଆମେ ମଧ୍ୟ 800 ରୁ ଉର୍ଦ୍ଧ୍ଵ ଜନଔଷଧି କେନ୍ଦ୍ର ମାଧ୍ୟମରେ ସୁଲଭ ଦରରେ ଔଷଧ ଉପଲବ୍ଧ କରାଇବା ଦିଗରେ ପଦକ୍ଷେପ ନେଇଛୁ ।
ଲୋକଙ୍କ ଜୀବନରେ ସକରାତ୍ମକ ପରିବର୍ତ୍ତନ ଆଣିବା ଦିଗରେ ଆମେ କଠିନ ପରିଶ୍ରମ କରିବାକୁ ଆମେ ପ୍ରତିଶ୍ରୁତିବଦ୍ଧ ।
ମୁଁ ପୁଣିଥରେ ସେଲ୍ଭି ଜୟଲଳିତା ମହୋଦୟାଙ୍କ ସ୍ମୃତି ପ୍ରତି ମୋର ସମ୍ମାନ ଅର୍ପଣ କରୁଛି । ଆପଣମାନଙ୍କ ସମସ୍ତଙ୍କର ମଙ୍ଗଳ କାମନା କରୁଛି
ଧନ୍ୟବାଦ
ବହୁତ ବହୁତ ଧନ୍ୟବାଦ