ମଞ୍ଚାସୀନ ସମସ୍ତ ମହାନୁଭବ ଓ ବିଶାଳ ସଂଖ୍ୟାରେ ଏଠାରେ ଉପସ୍ଥିତ ପୁଣେର ସମସ୍ତ ଭାଇ ଓ ଭଉଣୀମାନେ ।
ଆମ ଦେଶରେ ଦ୍ରୁତଗତିରେ ସହରୀକରଣ ହେଉଛି । ଆପଣ ଯେତେ ବ୍ୟବସ୍ଥା କରନ୍ତୁନା କାହିଁକି, କିନ୍ତୁ ଯେଉଁ ଗତିରେ ସହରୀକରଣ ହେଉଛି, ସେ ଦିଗରେ କାମ କରିବା ଆମ ପାଇଁ ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି । ଗାଁରେ ଆମକୁ ଏସବୁ ପ୍ରକାରର କାର୍ଯ୍ୟ ବିକଶିତ କରିବାକୁ ପଡ଼ିବ । ରୋଜଗାର ଅବସର ସୃଷ୍ଟି କରିବାକୁ ହେବ । ଜୀବନଶୈଳୀର ଗୁଣାତ୍ମକ ପରିବର୍ତ୍ତନ କରିବାକୁ ପଡ଼ିବ, ଯେଉଁ ସୁବିଧା ସହରରେ ଅଛି । ସେ ସୁବିଧା ଗାଁରେ ମିଳିବ । ଯେଉଁ ସମ୍ଭାବନା ସହରରେ ରହିଛି ତାହା ଗାଁରେ ମଧ୍ୟ ହେବ । ଯେଉଁ ସୁଯୋଗ ସହରରେ ଉପଲବ୍ଧ ହେଉଛି, ସେଭଳି ସୁଯୋଗ ଗାଁରେ ମଧ୍ୟ ଉପଲବ୍ଧ ହେବ । ତା’ହେଲେ ଯାଇ ଗାଁରୁ ସହର ଆଡ଼କୁ ମୁହାଁଇଥିବା ଲୋକଙ୍କ ସଂଖ୍ୟାରେ ହ୍ରାସ ହୋଇପାରିବ । ଅନ୍ୟପକ୍ଷରେ ଆମେ ଏବେ ଏବେ ଜିତିକି ଆସିଛେ । 5ବର୍ଷ ପରେ କିଭିଳ ପୁଣିଥରେ ଜିତିକି ଆସିବା ଯଦି ସେଭଳି ଚିନ୍ତା କରିବା ତା’ହେଲେ ଆମେ କେବେ ମଧ୍ୟ ସହର ସମ୍ମୁଖରେ ଯେଉଁ ସମସ୍ୟା ହେଉଛି ତାକୁ ସମାଧାନ କରିପାରିବା ନାହିଁ । ଏହି ଚାଲେଞ୍ଜକୁ କେବେ ବି ଦୂର କରିପାରିବା ନାହିଁ । ତେଣୁ ତତ୍କାଳ ରାଜନୀତିକ ଲାଭ ହେଉ ଅବା ନହେଉ 25-30 ବର୍ଷ ପରେ ଆମର ସହର କିଭଳି ହେବ, କେତେ ପରିମାଣର ଜଳର ଆବଶ୍ୟକତା ଥିବ, କେତେ ସ୍କୁଲ, ହସ୍ପିଟାଲ ଓ ଟ୍ରାଫିକ୍ କେତେ ବଢ଼ିବ ଏଭଳି ଚିନ୍ତାକୁ ନେଇ ଯଦି ଆମେ ସହରର ବିକାଶ ଯୋଜନା କରିବା, ତା’ହେଲେ ଯାଇ ଦ୍ରୁତ ଗତିରେ ଯେଉଁ ସହରୀକରଣ ହେଉଛି, ସେହି ଚାଲେଞ୍ଜକୁ ଅତିକ୍ରମ କରିପାରିବା । ଦିଲ୍ଲୀରେ ଯେଉଁ ସରକାର ଅଛି, ଯାହାକୁ ଆପଣମାନେ ଦାୟିତ୍ୱ ଦେଇଛନ୍ତି ଆଉ ଏଇଥିପାଇଁ ଆମେ ଆମର କାର୍ଯ୍ୟଶୈଳୀ ତତ୍କାଳୀନ ଲାଭ ପରିବର୍ତ୍ତେ ଏକ ସ୍ଥାୟୀ ପରିବର୍ତ୍ତନ ଉପରେ ଗୁରୁତ୍ୱ ଦେଇ କାର୍ଯ୍ୟ କରୁଛୁ । ଆମେ ଗାଁ ପାଇଁ ଯୋଜନା କରୁଛୁ । “ରୁର୍ବାନ” ମିଶନ ଏଭଳି ଯେଉଁଥିରେ ଗାଁ ଧୀରେ ଧୀରେ ସହର ପାଲଟିବ । ଦେଖୁ ଦେଖୁ ଜନସଂଖ୍ୟା ବଢ଼ୁଛି । ବଡ଼ ସହରର ପରିସୀମା 20ରୁ 25କିମି ବ୍ୟାପିବାରେ ଲାଗିଛି । ଆମେ ଦେଶର ସବୁ ରାଜ୍ୟକୁ କହିଛୁ କି ଏଭଳି ଗାଁ ଖୋଜି ବାହାର କରନ୍ତୁ ଓ ସେହି ଗାଁକୁ ରୁର୍ବାନ ଯୋଜନା ଆଧାରରେ ବିକଶିତ କରିବାର ଏକ ବିସ୍ତୃତ କାର୍ଯ୍ୟ ଚାଲିଛି । ଯେଉଁ ରୁର୍ବାନ ମିଶନର ସିଧାସଳଖ ଅର୍ଥ ହେଉଛି ଆତ୍ମା ଗାଁର ହେବ, ଆଉ ସୁବିଧା ସହରର ହେବ । ଗାଁର ଆତ୍ମା ମରିବା ଉଚିତ୍ ନୁହେଁ । ତାହା ସୁରକ୍ଷିତ ରହିବା ଉଚିତ୍, ବିକଶିତ ହେବା ଉଚିତ୍, କିନ୍ତୁ ଗାଁ ଲୋକଙ୍କୁ ଆଉ ଅଷ୍ଟାଦଶ ଶତାବ୍ଦୀରେ ବଂଚିବା ପାଇଁ ବାଧ୍ୟ କରାଯାଇ ପାରିବ ନାହିଁ । ତେଣୁ ଆମେ ରୁର୍ବାନ ମିଶନ ଆଧାରରେ ସମଗ୍ର ଦେଶରେ ଶତାଧିକ ଗାଁ ଉପରେ ଧ୍ୟାନକେନ୍ଦ୍ରିତ କରିଛୁ ଓ ସୁବିଧା ବୃଦ୍ଧିର ପ୍ରୟାସ କରିଛୁ । ଯାହାଫଳରେ ସହରର ବୋଝକୁ ହ୍ରାସ କରାଯାଇପାରିବ । ଅନ୍ୟପକ୍ଷରେ ସହରରେ ବଡ଼ ପରିବର୍ତ୍ତନର କାମ ଓ ପରିବର୍ତ୍ତନମୂଳକ ପଦକ୍ଷେପ ଆବଶ୍ୟକତା ରହିଛି । ଆମ ଦେଶରେ ସହରର ଭିତ୍ତିଭୂମି କ୍ଷେତ୍ରରେ ଆମେ ଉଦାସୀନ ରହିଛୁ । ଏବେ ଏତିକି ହେଲେ ଚଳିଯିବ, ଏବେ ଏତିକି ରାସ୍ତା ତିଆରି କରିଦେବା । ଆଉ ପରେ ଯେତେବେଳେ ସେହି ରାସ୍ତାକୁ ଚଉଡ଼ା କରିବାକୁ ପଡ଼ିବ, ସେତେବେଳକୁ ଲୋକମାନେ ତାକୁ ଜବରଦଖଲ କରିସାରିବେଣି । ପୁଣି କୋର୍ଟକଚେରୀ ମାମଲା ଚାଲିବ । 25-30 ବର୍ଷ ପର୍ଯ୍ୟନ୍ତ କିଛି ଫାଇଦା ହେବ ନାହିଁ । ଆମେମାନେ ବ୍ୟବସ୍ଥାକୁ ଏଭଳି କରିଦେଇଛେ । ପାଣିର ପାଇପ ବିଛାଇବା, ଆଉ ପାଣିର ପାଇପ୍ ବିଛାଇବା କାର୍ଯ୍ୟ ସରିବା ବେଳକୁ ସେଠାରେ ଜନସଂଖ୍ୟା ଏତେ ବଢ଼ିଯିବ ଯେ ପାଇପ ଲାଇନର ସାଇଜ୍ ଛୋଟ ପଡ଼ିଯିବ । ତା’ପରେ ପ୍ରଶ୍ନ ଉଠିବ ବଡ଼ ପାଇପ ଲାଇନ କିଭଳି ପକାଇବା । ଅର୍ଥାତ ଆମେ ବିକାଶର ଏଭଳି ମଡେଲ୍ କୁ ନେଇ ଚାଲିଛୁ, ଯାହା ଆମକୁ ତତ୍କାଳ ଲାଭ ଓ ଅନୁଭବ କରାଇଥାଏ । କିନ୍ତୁ ଏଭଳି ବ୍ୟବସ୍ଥା ବିକଶିତ କରୁନାହିଁ, ଯାହା ଆଗାମୀ ଦିନରେ କେତେ ବୋଝ ପଡ଼ିବ, ଏହାର ମଧ୍ୟ ସମାଧାନ ବାହାର କରିବାକୁ ହେବ ।
ଆମର ପ୍ରୟାସ ହେଉଛି ଏବେ ସମଗ୍ର ଦେଶରେ ଏକ ସଙ୍ଗେ 50ରୁ ଅଧିକ ସହରରେ ମେଟ୍ରୋ ଟ୍ରେନ୍ ଦିଗରେ ଆଗେଇବା । ଆପଣମାନେ କଳ୍ପନା କରିପାରୁଥିବେ, କେତେ ଅଧିକ ପରିମାଣର ଆର୍ଥିକ ବୋଝ ଉଠଇବା ନିମନ୍ତେ ଆମେ ନିଷ୍ପତ୍ତି ନେଇଛୁ । କିନ୍ତୁ ଯଦି ଆମେ ଖଣ୍ଡେ-ଅଧେ କଥା ଚିନ୍ତା କରିଥାନ୍ତେ, ତା’ହେଲେ ଏକଥାକୁ ଏଡ଼ାଇ ଯାଇଥାନ୍ତୁ । ଏମିତି କରିଥିଲେ ଯେଉଁ ଗୋଟିଏ ପ୍ରୋଜେକ୍ଟ ଥାନ୍ତା ତାହା ମହଙ୍ଗା ହୋଇଯାଇଥାନ୍ତା ଓ ସେହି ସହରର ସମସ୍ୟା ମଧ୍ୟ ବଢ଼ି ଯାଇଥାନ୍ତା । ଆଉ ପୁଞ୍ଜି ଲଗାଇବା ପରେ ବି ଆବଶ୍ୟକତା ପୂରଣ କରିବାର ସ୍ଥିତିରେ ଆମେ ନଥାନ୍ତେ । ତେଣୁ ଆମର ଅନ୍ୟ ପ୍ରୟାସ ହେଉଛି, ଯେଉଁ କାମବି ହାତକୁ ନେବା, ତାକୁ ସମୟସୀମା ମଧ୍ୟରେ ପୂରଣ କରିବା । ଯଦି ସମ୍ଭବପର ହେଉଛି, ତାକୁ 25-30ବର୍ଷର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଯୋଜନା କରିବାର ପ୍ରୟାସ ହେଉଛି । ଏବେ ସେଗୁଡ଼ିକ ଆର୍ଥିକ ଦୃଷ୍ଟିରୁ ସଫଳ ହେଉ କି ନହେଉ କିନ୍ତୁ ଥରେ ଯଦି ଏହା ଆରମ୍ଭ ହୋଇଯିବ, ତା’ହେଲେ 2-4 ବର୍ଷରେ ଆର୍ଥିକ ଦୃଷ୍ଟିରୁ ଫାଇଦା ମିଳୁଛି ବୋଲି ଆମେ ଅନୁଭବ କରିପାରିବା । ଆମେ ଜୀବନ ଶୈଳୀର ଗୁଣାତ୍ମକ ମାନରେ ପରିବର୍ତ୍ତନ ଆଣିବାକୁ ଚାହୁଁଛୁ ।
ଏବେ ସମଗ୍ର ଦେଶରେ ଅଢ଼େଇ ଲକ୍ଷ ପଂଚାୟତକୁ ଅପ୍ଟିକାଲ ଫାଇବର ନେଟ୍ୱାର୍କରେ ଯୋଡ଼ିବାର ଏକ ବହୁତ ବଡ଼ କାର୍ଯ୍ୟ ଚାଲିଛି । ଏହି ଡିଜିଟାଲ ଇଣ୍ଡିଆ କେବଳ ସହର ପାଇଁ ନୁହେଁ । ସମ୍ପୂର୍ଣ୍ଣ ହିନ୍ଦୁସ୍ତାନକୁ ଆମେ ଯେପର୍ଯ୍ୟନ୍ତ ଆଧୁନିକ ବ୍ୟବସ୍ଥା ଓ ବିଜ୍ଞାନ ସହ ନ ଯୋଡ଼ିଛୁ, ଦେଶକୁ ଆଗେଇ ନେଇ ହେବ ନାହିଁ । ଏକଦା ସମୟ ଥିଲା ଯେତେବେଳେ ଭିତ୍ତିଭୂମିର ଆଲୋଚନା ହେଉଥିଲା, ସେତେବେଳେ ରାସ୍ତା, ରେଳ, ଅତିବେଶୀରେ ବିମାନ ବନ୍ଦର କଥା ଆସୁଥିଲା । କିନ୍ତୁ ଏବେ ସମୟ ବଦଳି ଯାଇଛି । ଲୋକଙ୍କୁ ହାଇୱେ ବି ଦରକାର, ଆଇୱେ ବି ଦରକାର । ହାଇୱେଗୁଡ଼ିକ ସୂଚନାଭିତ୍ତିକ ହାଇୱେ ହେବା ଉଚିତ୍ । ଆଇୱେ ବି ଦରକାର । ଯଦି ଆଇୱେଜ୍ ଦରକାର ତା’ହେଲେ ଆମକୁ ସମଗ୍ର ଦେଶରେ ଅପ୍ଟିକାଲ ଫାଇବର ନେଟ୍ୱାର୍କ ପ୍ରସ୍ତୁତ କରିବାକୁ ପଡ଼ିବ । ପ୍ରଥମେ ପାଣିର ପାଇପ୍ ବିଛାଇଯାଉଥିଲା । ପାଣି ପାଇପ୍ ଲାଗିଲେ ଖୁସି ହୋଇଯାଉଥିଲେ । ଏବେ ଲୋକ କହୁଛନ୍ତି ସାହେବ ଆମର ଏଠି ଗ୍ୟାସ ପାଇପ ଲାଇନ ଦରକାର । ସମୟ ବଦଳି ଗଲାଣି । ତେଣୁ ପରିବର୍ତ୍ତିତ ସମୟରେ ଆମେ ବିକାଶର ମାନସିକତାକୁ ବି ଆଧୁନିକ କରିବାକୁ ପଡ଼ିବ । ଆଉ ତା’ହେଲେ ଯାଇ ସାଧାରଣ ମଣିଷକୁ ଆଗାମୀ ଦିନରେ କ’ଣ ଆବଶ୍ୟକ ପଡ଼ିବ, ତାକୁ ଆମେ ପୂରଣ କରିପାରିବା । ଭିତ୍ତିଭମି ପରିସରକୁ ରେଳ ଓ ରାସ୍ତାରୁ ବଢ଼ାଇ ସରକାର ଏବେ ୱାଟର୍ ଗ୍ରୀଡ୍, ଡିଜିଟାଲ ନେଟୱାର୍କ, ଗ୍ୟାସ୍ ଗ୍ରୀଡ୍, ମହାକାଶକୁ ସିଧାସଳଖ ଯୋଗାଯୋଗରେ ପହଂଚିଲାଣି । ଯଦି ଆମର ଚାଷୀଙ୍କ ବୀମା ବାହାରୁଛି ତା’ହେଲେ ତା’ର ଫସଲ କେତେ ଥିଲା, କେତେ ଫସଲ ନଷ୍ଟ ହୋଇଛି, ତାହା ମହାକାଶ ଜ୍ଞାନକୌଶଳରୁ ଜଣାପଡ଼ୁଛି । ଆଉ ଚାଷୀକୁ ତା’ର ହକ୍ ର ପଇସା ମିଳିବା ବି ଉଚିତ୍ । ଏଭଳି ନେଟୱାର୍କ ହେଉଛି ସମୟର ଦାବି । ଆଉ ସେପରି ଭାବେ ଦେଶ ଆଧୁନିକ ଭାରତ ପାଲଟିବ । ବ୍ୟବସ୍ଥା ଓ ସୁବିଧାଯୁକ୍ତ ଦେଶ ହେଉ, ସେହି ସ୍ୱପ୍ନ ନେଇ ଆମେ ଆଗେଇ ଚାଲିଛୁ ।
ପୁଣେରେ ମେଟ୍ରୋର ଏହି ପ୍ରକଳ୍ପ, ଏଠି ଲୋକଙ୍କୁ ଅସନ୍ତୁଷ୍ଟ କରିବା ସ୍ୱାଭାବିକ କଥା । ଯଦି ଏହି କାମ ବହୁତ ପୂର୍ବରୁ ହୋଇଥିଲେ, କମ୍ ଖର୍ଚ୍ଚ ହୋଇଥାନ୍ତା । ଏତେ ବର୍ଷ ପର୍ଯ୍ୟନ୍ତ ଯେଉଁ ସମସ୍ୟା ହେଲା ତାହା ହୋଇନଥାନ୍ତା । ଯେଉଁ ଲୋକମାନେ ସମସ୍ୟା ଯୋଗୁ ଗାଡ଼ି କିଣିଲେ, ସେମାନେ କିଣିନଥାନ୍ତେ । ଭାବିଥାନ୍ତେ ମେଟ୍ରୋ ଆସିଗଲାଣି କାହିଁକି ଗାଡ଼ି କିଣି ଖର୍ଚ୍ଚାନ୍ତ ହେବି । ପାର୍କିଂ ପାଇଁ ଜାଗା ନାହିଁ । କିନ୍ତୁ ବିଳମ୍ବରେ ହେଲେ ବି ତ ଆସିଛି । ମୋର ପୁଣେର ଭାଇଭଉଣୀମାନେ ପୂର୍ବର ସରକାର ମୋ’ ପାଇଁ ଅନେକ ଭଲଭଲ କାମ ବାକି ରଖି ଯାଇଛନ୍ତି । ତେଣୁ ଏହି ଭଲ କାମ କରିବାର ସୁଯୋଗ ମୋତେ ମିଳିଛି । ମୋତେ ଆଜି ପୁଣେରେ ଏହି କାର୍ଯ୍ୟ ପାଇଁ ଆପଣମାନଙ୍କ ପାଖକୁ ଆସିବାର ସୌଭାଗ୍ୟ ମିଳିଛି । ମୁଁ ଜାଣିନି ଜଗତାପ ଜୀ କେତେ ଖୁସି ହେବେ । କାରଣ ରାଜନୀତିକ କାରଣରୁ ବେଳେବେଳେ ଖୁସି ହେଲେ ବି ଜାହିର କରିବା କଷ୍ଟକର ହୋଇପଡ଼େ । ଏବେ ଭେଙ୍କୟାଜୀ କହୁଥିଲେ କି ପୁଣେକୁ 28କୋଟି ଟଙ୍କା ପରିବର୍ତ୍ତେ 160 କୋଟି ଟଙ୍କା ମିଳିଛି । ଏବେ ନିର୍ବାଚନ ଆସିବାର ଅଛି । ମ୍ୟୁନିସିପାଲଟି ପାଖରେ 160କୋଟି ଟଙ୍କା ଆସିଗଲେ, ଅନେକ କିଛି ସେମାନେ କରିପାରିବେ । କିନ୍ତୁ ଏସବୁ ନଭେମ୍ବର 8ତାରିଖ ରାତି 8ଟାରେ ମୁଁ କରିଥିବା ଘୋଷଣା ଯୋଗୁ ହେଲା । ଆଉ ଏ କେବଳ ପୁଣେରେ ନୁହେଁ ହିନ୍ଦୁସ୍ତାନର ସବୁ ସରକାରର ସହରାଂଚଳ ସଂସ୍ଥାରେ 200ରୁ 300 ପ୍ରତିଶତ ଆୟ ବଢ଼ିଛି । କାରଣ ସମସ୍ତେ ଭାବିଲେ କି ମୋଦୀ ନେଇଯିବ, ତା’ଠୁ ଭଲ ଏଥିରେ ଦେଇଦେବା । ଏ ବି ଭଲ ହେଲା । କାରଣ କେବେ ସହରାଂଚଳ ସଂସ୍ଥାରେ ଟିକସ 50 ପ୍ରତିଶତ, 60 ପ୍ରତିଶତ, 70 ପ୍ରତିଶତରୁ ଅଧିକ ହେଉନଥିଲା । ଆଉ ଦେବା ଲୋକ କେଉଁମାନେ ଥିଲେ । ସାଧାରଣ ବ୍ୟକ୍ତି ହିଁ ଦେଉଥିଲେ । ଆଉ ନଦେବାବାଲା କିଏ ଥିଲେ । ଯେଉଁମାନଙ୍କର ଅଧିକ ପ୍ରଭାବ ଥିଲା । ସେମାନେ ଆଇନ କାନୁନ୍ ଭାଙ୍ଗିବାରେ ଅଭ୍ୟସ୍ତ ଥିଲେ । କିନ୍ତୁ ଏମାନେ ସମସ୍ତଙ୍କୁ ଲାଇନରେ ଛିଡ଼ା ହେବାକୁ ପଡ଼ିଛି । ଦେଶରେ ପ୍ରତ୍ୟେକ ନାଗରିକ ସାଧାରଣ ବ୍ୟକ୍ତି । ପ୍ରତ୍ୟେକଙ୍କୁ ଆଇନ କାନୁନ୍ ପାଳନ କରିବା ଉଚିତ୍ । ଆଉ ଦେଶରେ ସରକାର କେମିତି ଚାଲେ ତାହା ମୁଁ ଦେଶବାସୀଙ୍କୁ ଅବଗତ କରାଇବି । ମୁଁ ଏଠି କାହାରି ବିରୋଧରେ କହିବାକୁ ଆସିନି । ହୃଦୟରେ କଷ୍ଟ ହୁଏ, ଯନ୍ତ୍ରଣା ହୁଏ । କ’ଣ କରି ରଖିଦେଇଛନ୍ତି ଆମର ଦେଶକୁ । ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି ଭାରତୀୟ ସଂସଦ 1988 ମସିହାରେ ବେନାମୀ ସମ୍ପତ୍ତିର ଆଇନ ଗୃହୀତ କରିଥିଲା । ସଂସଦରେ ବିତର୍କ ହୋଇଥିଲା । ବିରୋଧୀ-ଶାସକ ଆଲୋଚନା ମଧ୍ୟ କରିଥିଲେ । ଆଇନ ଗୃହୀତ ହେଲା । ଖବରକାଗଜରେ ପ୍ରକାଶିତ ମଧ୍ୟ ହେଲା । ଆଉ ଯେଉଁମାନଙ୍କର ଜୟ ଜୟକାର ହେଲା, ସେମାନେ ଫୁଲମାଳା ବି ପିନ୍ଧିଲେ । ବହୁତ ବଡ଼ ସଚ୍ଚୋଟ କାମ କରିଛନ୍ତି । କିନ୍ତୁ ସଂସଦରୁ ସେ ଯେଉଁ କାଗଜ ବାହାରିଲା, ତାହା ଫାଇଲ୍ ଗଦା ଭିତରେ ଚାପି ହୋଇ ରହିଯାଇଥିଲା । ମୁଁ ଆସିବା ପରେ ତାକୁ ବାହାର କଲି । ତା’ର ବିଜ୍ଞପ୍ତି ହୋଇନଥିଲା । ଆଇନତଃ ଲାଗୁ କରାଯାଇ ନଥିଲା । ଯଦି 1988 ମସିହାରେ ସଂସଦ ଯେଉଁ ମହତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିଲା, ତାକୁ ଏହି ସରକାର ଲାଗୁ କରିଥାନ୍ତା ତା’ହେଲେ ଆଜି ବେନାମି ସମ୍ପତ୍ତି ନାଁରେ ଦେଶରେ ଯେଉଁ ପାପ ବଢ଼ିଛି ତାହା ବଢ଼ିନଥାନ୍ତା । ଦେଶ ରକ୍ଷା ପାଇଥାନ୍ତା କି ନାହିଁ କୁହନ୍ତୁ । ଏଭଳି ସବୁ ପାପ କରିଯାଇଛନ୍ତି ସେମାନେ । ଏବେ ଆପଣମାନେ କୁହନ୍ତୁ ତ ମୁଁ ସେପରି ଜାରି ରଖିବି ନା ଯାହା ଚାଲିଥିଲା ତାକୁ ଠିକ୍ କରିବି । ଟିକେ ଜୋର୍ ଦେଇ କୁହନ୍ତୁ କି ଠିକ୍ କରିଛି । ଠିକ୍ କରିବା ଉଚିତ୍ କି ନୁହେଁ । ଦେଶକୁ ଧ୍ୱଂସ କରିବାର ଯେଉଁ କଥା ଚାଲିଛି, ତାକୁ ରୋକିବା ଉଚିତ୍ କି ନୁହେଁ । ତେଣୁ ଭାଇ ଓ ଭଉଣୀମାନେ ଯଦି ଠିକ୍ ସମୟରେ ଦେଶରେ ରୋଗର ଉପଚାର ହୋଇଥାନ୍ତା ତା’ହେଲେ ଆଜି ମୋତେ ଏଭଳି କଠୋର ପଦକ୍ଷେପ ଉଠାଇବାକୁ ପଡ଼ିନଥାନ୍ତା । ଆଜିଠୁ 40ବର୍ଷ ପୂର୍ବରୁ ଯେଉଁ କାମ କରିବା ଉଚିତ୍ ଥିଲା, ସେ କାମ ହୋଇଥିଲେ ଆଜି ମୋର ଦେଶର 125 କୋଟି ସଚ୍ଚୋଟ ଲୋକଙ୍କୁ ଧାଡ଼ିରେ ଛିଡ଼ା ହେବାକୁ ପଡ଼ିନଥାନ୍ତା । ଦେଶବାସୀଙ୍କୁ ଯେଉଁ ଧାଡ଼ିରେ ଛିଡ଼ା ହେବାର ସମସ୍ୟା ଉଠାଇବାକୁ ପଡ଼ିଲା, ଯେତିକି କଷ୍ଟ ଦେଶବାସୀଙ୍କୁ ହେଲା, ସେତିକି ମୋତେ ମଧ୍ୟ ହୋଇଛି । କିନ୍ତୁ ଏ ସମସ୍ୟା ଦେଶ ପାଇଁ କରିବାକୁ ପଡ଼ିଛି । ଯେଉଁ ଲୋକମାନେ ଏହି ନିଷ୍ପତ୍ତି କରିନଥିଲେ ସେମାନେ ଦେଶକୁ ବହୁ ପରିମାଣରେ କ୍ଷତି ପହଂଚାଇଛନ୍ତି । ମୁଁ ଦେଶକୁ ରକ୍ଷା କରିବାର ପ୍ରତିଶ୍ରୁତି ଆପଣମାନଙ୍କୁ ଦେଇଛି । ତେଣୁ ମୁଁ ଆପଣମାନଙ୍କ ଆଶୀର୍ବାଦରେ ଆଜି ଏହି କଠୋର ପଦକ୍ଷେପ ଉଠାଇଛି ।
ଭାଇଭଉଣୀମାନେ ପୁଣେରୁ ବିଶେଷ ଆଶା ରଖୁଛି । ଏହା ହେଉଛି ଦେଶର ଔଦ୍ୟୋଗିକ ପରମ୍ପରା ବିଶିଷ୍ଟ ସହର । ଏହା ଶିକ୍ଷାର ବି ଧାମ । ବହୁତ ପୂର୍ବରୁ କାଶୀରେ ବିଦ୍ୱାନ ଥିଲେ ଓ ପୁଣେ ବି ବିଦ୍ୟାକ୍ଷେତ୍ର ଓ ବିଦବତ୍ତା ପାଇଁ ପରିଚିତ ଥିଲା । ଆଇ॰ଟି ପ୍ରଫେସନ୍ ପୁଣେର ଜୀବନ ସହ ଜଡ଼ିତ ହୋଇଛି । କ’ଣ ଏ ପୁଣେ ସହର ଅନ୍-ଲାଇନ୍ ପେମେଂଟ ଦିଗରେ ଅଧିକ ଗତିରେ ଆଗକୁ ବଢ଼ିପାରିବ ନାହିଁ । କ’ଣ ଆମର ମୋବାଇଲ ଫୋନ୍ ମୋବାଇଲ ବ୍ୟାଙ୍କ ହୋଇପାରିବ ନାହିଁ । ଏହି ବ୍ୟାଙ୍କ ଆମର ହାତରେ ହୋଇପାରିବ କି ନାହିଁ । ଯେତେବେଳେ ଇଚ୍ଛା ନିଜର କାରବାର ଚଳାଇପାରିବା କି ନାହିଁ । ବ୍ୟାଙ୍କରେ ଧାଡ଼ିରେ ଛିଡ଼ା ହେବାର ଆବଶ୍ୟକତା ଆଉ କ’ଣ ଅଛି । କ’ଣ ଏଟିଏମ୍ ବାହାରେ ଛିଡ଼ା ରହିବାର ଆବଶ୍ୟକତା ଅଛି । ସମସ୍ତ ବ୍ୟବସ୍ଥା ଉପଲବ୍ଧ ଅଛି କି ନାହିଁ । ପୁଣେବାସୀ ମୋର ସହାୟତା କରିବେ କି ନାହିଁ । କରିବେ ନିଶ୍ଚୟ କରିବେ ତ । ଆମକୁ ନିର୍ଦ୍ଧାରଣ କରିବାକୁ ପଡ଼ିବ କି ଆମେ ଇ-ୱାଲେଟ୍ ଦ୍ୱାରା ଅବା ଡେବିଟ୍ କାର୍ଡ ଦ୍ୱାରା କାରବାର କରିବା । ଏବେତ ଆଧାର ସେବା ବି ସକ୍ଷମ ହେଲାଣି । ଯଦି ଆପଣଙ୍କ ଆଧାର ନମ୍ବର ଥିବ, ଏକାଉଂଟ୍ ନମ୍ବର ଥିବ, ତା’ହେଲେ କେବଳ ଆଙ୍ଗୁଳି ଛାପ ଲଗାଇବା ମାତ୍ରେ ପେମେଂଟ୍ ହୋଇ ଯାଇଥାଏ । ଏତେ ବ୍ୟବସ୍ଥା ହୋଇଯାଇଛି । ଏଠି ଚାଷୀ ନେତା ଶ୍ରୀମାନ ଶରଦ ରାଓ ଅଛନ୍ତି । ମୋତେ କୁହନ୍ତୁ ତ ଆଖୁ ଉତ୍ପାଦନ ଅଧିକ ହେଲେ ଆଖୁର ଦାମ କମିଯାଏ କି ନାହିଁ । ପିଆଜ ଅଧିକ ଉତ୍ପାଦନ ହେଲେ ପିଆଜ ଦର କମେ କି ନାହିଁ । ଆଳୁ ଅଧିକ ଅମଳ ହେଲେ ଦାମ କମେ କି ନାହିଁ । ସେହିପରି ନୋଟ୍ ଅଧିକ ଉତ୍ପାଦନ ହେଲେ ନୋଟ୍ ଦାମ ବି କମିଯାଏ । ଯେତେ ଅଧିକ ନୋଟ୍ ଛାପିବ, ମୂଲ୍ୟ ସେତେ କମିବ । ନଭେମ୍ବର 8 ପୂର୍ବରୁ ଶହେ ଟଙ୍କାକୁ କେହି ପଚାରୁ ନଥିଲେ । ଘରର ପିଲାମାନେ ହଜାର ଓ 500 ନୋଟ୍ ଆଡ଼କୁ ଦେଖୁଥିଲେ, 100ଟଙ୍କା ଆଡ଼କୁ ଅନାଉ ନଥିଲେ । 8 ତାରିଖ ପରେ ଶହେ ଟଙ୍କାର ଭାଉ ବଢ଼ିଯାଇଛି କି ନାହିଁ । ଛୋଟ ମୁଦ୍ରାର ଶକ୍ତି ବଢ଼ିଛି କି ନାହିଁ । ନଭେମ୍ବର 8ତାରିଖ ପରେ ହିନ୍ଦୁସ୍ତାନରେ ମଧ୍ୟ ବଡ଼ ନୁହେଁ ଛୋଟଙ୍କର ମଧ୍ୟ ଶକ୍ତି ବଢ଼ିଯାଇଛି ବନ୍ଧୁଗଣ । ଏ ମୋର ଲଢ଼େଇ ତଳସ୍ତରର ଲୋକଙ୍କ ଶକ୍ତି ବୃଦ୍ଧି ପାଇ । ଗରିବଙ୍କୁ ସାମର୍ଥ୍ୟ ଦେବା ପାଇଁ ।
କିନ୍ତୁ ଆପଣମାନେ ଦେଖିଥିବେ, କିଛି ଲୋକଙ୍କୁ ଲାଗିଛି କି ସବୁ ସରକାର ତ ଏମିତି ହୋଇଥାନ୍ତି । ପୂର୍ବରୁ ଯାହା ଥିବ ତାହା ହେବ । ଠିକ୍ ଅଛି ମୋଦୀ ଚାରିଦିନ କହିବ, ତା’ପରେ କ’ଣ ହେବ । ଆମେ ଯାହା ଅଛେ ସେୟା ରହିବା । ବର୍ଷ ବର୍ଷ ଧରି କରୁଥିଲେ ଏବେ କରିବା । ଏଭଳି ମାନସିକତାରେ ସେମାନେ ଭାବିଥିଲେ ବ୍ୟାଙ୍କରେ ରଖିଦେଲେ ସବୁ କଳାଟଙ୍କା ଧଳା ହୋଇଯିବ । ନୋଟ୍ ତ କଳାରୁ ଧଳା ହେଲାନି କିନ୍ତୁ ସେମାନଙ୍କର ଚେହେରା କଳା ହୋଇଗଲା । କେତେକ ଲୋକ ବ୍ୟାଙ୍କକୁ ପ୍ରଭାବିତ କରି ଓ ଭାଗିଦାରୀ କରାଇ ଖେଳ ଖେଳିଲେ । କିନ୍ତୁ ସେମାନେ ବି ମୁହଁ ଦେଖାଇବା ସ୍ଥିତିରେ ରହିପାରିଲେ ନାହିଁ । ଏବେ ଟେକ୍ନୋଲଜି ଏତେ ବଢ଼ିଆ ହେଲା କି ସେ ଘରୁ ବାହାରିଛି କି ନାହିଁ ତାହା ନିକଟରେ ଆୟକର ବାଲା ପହଂଚି ଯାଉଛନ୍ତି । ମାସ, ଦୁଇମାସ, ତିନିମାସ ପରେ ସମସ୍ତଙ୍କ ପିଛା କରାଯିବ । ପୂର୍ବରୁ ତ ଏମିତି ନଥିଲା କି ଟଙ୍କା କେଉଁଠି ଆସିଲା, କହିବାକୁ ପଡ଼ିବ । ଯେଉଁମାନେ ଭାବୁଛନ୍ତି କି ବ୍ୟାଙ୍କକୁ ଯାଇଥିବା କଳାଟଙ୍କା ଧଳା ହୋଇଯାଇଛି, ସେମାନଙ୍କୁ ଜଣାଇବାକୁ ଚାହୁଁଛି ଯେ ଟିକେ ସତର୍କ ହୋଇଯାଆନ୍ତୁ । ଏବେ ବି ସୁଯୋଗ ଅଛି । ଆଇନ କାନୁନ ପାଳନ କରନ୍ତୁ । ଗରିବଙ୍କ ହକ୍ ଯାହା ତାହା ଫେରାଇ ଦିଅନ୍ତୁ । ଏବେ ଖସିବାର ସମ୍ଭାବନା ଆଉ ନାହିଁ । ତେଣୁ ପୁଣେର ମାଟିରୁ ପ୍ରତ୍ୟେକଙ୍କୁ କହିବାକୁ ଚାହୁଁଛି ଯେ ଏବେବି ସମୟ ରହିଛି । ଏବେ ନିୟମ ଏଭଳି ଅଛି, ଯାହା ଆପଣଙ୍କୁ ସହାୟକ ହେବ । ସଠିକ୍ ମାର୍ଗରେ ଆସିଯାଆନ୍ତୁ, ଜୀବନ ତମାମ ଶାନ୍ତିର ନିଦ ଶୋଇବେ । କିଛି ଚିନ୍ତା କରିବାର ବିଷୟ ନାହିଁ । ଯଦି ନଆସିବେ, ତା’ହେଲେ ଅତିକମ୍ ରେ ମୁଁ ତ ଶୋଇବାର ନାହିଁ । ଭାଇ ଓ ଭଉଣୀମାନେ ଦୁର୍ନୀତି, କଳାଟଙ୍କା, ଜାଲି ନୋଟ୍, ଆତଙ୍କବାଦ, ନକ୍ସଲବାଦ ଆଦି ବିରୋଧରେ ଲଢ଼େଇ କେବଳ କୁହାଯାଏ ବୋଲି କହୁନି ବନ୍ଧୁଗଣ । ବଡ଼ ସାହାସର ସହ ଲଢ଼େଇ ଆରମ୍ଭ କରିଛି । ଆଉ 125 କୋଟି ଦେଶବାସୀଙ୍କ ମାନସିକତାକୁ ଦେଖି ବିଶ୍ୱାସର ସହ କହୁଛି କି, ଏ ଯେଉଁ ହାତଗଣତି କ୍ଷମତାଶାଳୀ ଶକ୍ତି ଦେଶକୁ ବନ୍ଧା ପକାଇ ନିଜ ମର୍ଜିରେ ଯାହାଇଚ୍ଛା କରୁଥିଲେ ସେମାନଙ୍କର ସମୟ ପଳାଇଛି । ଏବେ ଦେଶରେ ଯେଉଁ କଥା ହେବ ତାହା 125 କୋଟି ଲୋକଙ୍କର ହେବ । ଯଦି ଏ ଦେଶରେ ସ୍ୱର ଉଠିବ ତା’ହେଲେ 125କୋଟି ଲୋକଙ୍କ ସ୍ୱର ଶୁଣାଇ ଦେବ । ସେହି ସ୍ୱରକୁ ଏବେ ହାତଗଣତି ଲୋକମାନେ ଆଉ ଚାପି ପାରିବେ ନାହିଁ । ଏକଥାକୁ ନେଇ ମୁଁ ବାହାରିଛି ବନ୍ଧୁଗଣ । ତେଣୁ ମୁଁ ଦେଶବାସୀଙ୍କ ନିକଟରେ କୃତଜ୍ଞ । ଆଉ ମୁଁ ପ୍ରଥମ ଦିନ ହିଁ କହିଦେଇଥିଲି କି 50ଦିନ କଷ୍ଟ କରିବାକୁ ପଡ଼ିବ । ମୁଁ ଆହୁରି ମଧ୍ୟ କହିଥିଲି କି କଷ୍ଟ ଟିକେ ଅଧିକ ହେବ । କିନ୍ତୁ 50ଦିନ ପରେ ସଚ୍ଚୋଟ ଲୋକଙ୍କ ସମସ୍ୟା କମିବା ଆରମ୍ଭ ହେବ ଓ ବେଇମାନ ଲୋକଙ୍କ ସମସ୍ୟା ବଢ଼ିବ । ଆପଣମାନେ ଦେଖୁଥିବେ ଏବେ ବଡ଼ ବଡ଼ ବାବୁମାନେ ଜେଲ୍ ଯାଉଛନ୍ତି । ବଡ଼ ବଡ଼ ଲୋକମାନେ ଜେଲ୍ ଯାଉଛନ୍ତି । ବ୍ୟାଙ୍କର ଅନେକ ଲୋକ ଚାକିରିରୁ ବିଦା ହୋଇଛନ୍ତି । କିଛି ଲୋକ ଜେଲ୍ ଯାଇଛନ୍ତି । ଭାଇ ଓ ଭଉଣୀମାନେ, ବହୁତ ଭାବିଚିନ୍ତି ଦେଶବାସୀଙ୍କ ପ୍ରତି ପୁରା ବିଶ୍ୱାସର ସହ ଯେଉଁ ପଦକ୍ଷେପ ନେଇଛି ସେଥିରେ ଦେଶ ସଫଳ ହେବ । ମୋର ବିଶ୍ୱାସ ଯେ ମେଟ୍ରୋର କାମ ଦ୍ରୁତ ଗତିରେ ଆଗକୁ ବଢ଼ିବ । ଯେତେବେଳେ ମହାରାଷ୍ଟ୍ରର ନିର୍ବାଚନ ଚାଲିଥିଲା, ସେତେବେଳେ ମୁଁ କହିଥିଲି ଯେ, 15ବର୍ଷ ଧରି ମହାରାଷ୍ଟ୍ରର ଗାଡ଼ି ଗାତରେ ଫସି ଯାଇଥିଲା । ଯଦି ତାକୁ ବାହାର କରିବାର ଅଛି ତା’ହେଲେ ଡବଲ ଇଞ୍ଜିନର ଆବଶ୍ୟକତା ପଡ଼ିବ । ଗୋଟିଏ ଦିଲ୍ଲୀର ଇଞ୍ଜିନ ଆଉ ଗୋଟିଏ ମହାରାଷ୍ଟ୍ର ସରକାରର ଇଞ୍ଜିନ । ଆପଣମାନେ ଆମ ଉପରେ ଭରସା କରିଛନ୍ତି । ଡବଲ ଇଞ୍ଜିନ ଲଗାଯାଇଛି । ମେଟ୍ରୋ ଆସିଲା କି ନାହିଁ । ଏତେ ତ ଡବଲ ଇଞ୍ଜିନର ଶକ୍ତି । ଆପଣମାନେ ଡବଲ ଇଞ୍ଜିନକୁ ସୁଯୋଗ ଦେଲେ ସେଥିପାଇଁ ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ !