ନମସ୍କାର,
ଲୋକସଭା ବାଚସ୍ପତି ଶ୍ରୀ ଓମ ବିର୍ଲା ଜୀ, ମୋର କ୍ୟାବିନେଟ ସହଯୋଗୀ ଶ୍ରୀ ପ୍ରହ୍ଲାଦ ଯୋଶୀ ଜୀ, ଶ୍ରୀ ହରଦୀପ ସିଂ ପୁରୀ ଜୀ, ଏହି ସମିତିର ଅଧ୍ୟକ୍ଷ ଶ୍ରୀ ସି.ଆର. ପାଟିଲ ଜୀ, ସାଂସଦ, ଭାଇ ଓ ଭଉଣୀମାନେ!! ଦିଲ୍ଲୀରେ ଜନ ପ୍ରତିନିଧିମାନଙ୍କ ପାଇଁ ଏହି ନୂଆ ଆବାସିକ ସୁବିଧାର ଉଦଘାଟନ ଅବସରରେ ଆପଣମାନଙ୍କୁ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା। ଆଜି ଆଉ ଏକ ସୁଖଦ ସଂଯୋଗ ମଧ୍ୟ। ଆଜି ଆମର ସଂକଳ୍ପବଦ୍ଧ ଏବଂ ସ୍ୱଳ୍ପଭାଷୀ ବାଚସ୍ପତି ଶ୍ରୀ ଓମ ବିର୍ଲା ଜୀଙ୍କ ଜନ୍ମଦିନ ମଧ୍ୟ। ଓମ ଜୀଙ୍କୁ ଅନେକ ଅନେକ ଶୁଭେଚ୍ଛା। ମୁଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି ଯେ ଆପଣ ସୁସ୍ଥ ଏବଂ ଦୀର୍ଘଜୀବୀ ହୁଅନ୍ତୁ ଏବଂ ଦେଶ ସେବା ଜାରି ରଖନ୍ତୁ ।
ବନ୍ଧୁଗଣ,
ଗତ ବର୍ଷ ଉତ୍ତର ଆଭେନ୍ୟୁରେ ସାଂସଦମାନଙ୍କ ପାଇଁ ଉଦ୍ଦିଷ୍ଟ ଆବାସ ପ୍ରସ୍ତୁତ ହୋଇସାରିଥିଲା। ଏବେ ବି.ଡି. ରୋଡ ଠାରେ ଥିବା ଏହି ତିନୋଟି ବହୁତଳ ଅଟ୍ଟାଳିକା ଆବଣ୍ଟନ ପାଇଁ ପ୍ରସ୍ତୁତ । ମୁଁ ଆଶା କରୁଛି ଯେ ଏହି ତିନୋଟି ବହୁତଳ ଅଟ୍ଟାଳିକା–ଗଙ୍ଗା, ଯମୁନା ଓ ସରସ୍ୱତୀ–ଜନପ୍ରତିନିଧିମାନଙ୍କୁ ସୁସ୍ଥ, ସମ୍ପୃକ୍ତ ଏବଂ ସନ୍ତୁଷ୍ଟ ରଖିବ । ଏସବୁ ଫ୍ଲାଟରେ ସମସ୍ତ ପ୍ରକାରର ସୁବିଧା ଯୋଗାଇ ଦିଆଯାଇଛି ଯାହାକି ସେମାନଙ୍କ କର୍ତ୍ତବ୍ୟ ସମ୍ପାଦନ କରିବାରେ ସହାୟକ ହୋଇପାରିବ। ଏହା ସଂସଦ ଭବନ ନିକଟରେ ରହିଥିବାରୁ ସାଂସଦମାନଙ୍କ ପାଇଁ ସୁବିଧାଜନକ ହେବ।
ବନ୍ଧୁଗଣ,
ଦିଲ୍ଲୀରେ ସାଂସଦମାନଙ୍କୁ ବାସସ୍ଥାନ ଯୋଗାଇ ଦେବା ଦୀର୍ଘଦିନ ଧରି ଏକ ସମସ୍ୟା ହୋଇ ରହିଆସିଥିଲା। ଯେପରିକି କିଛି ସମୟ ପୂର୍ବରୁ ବିର୍ଲାଜୀ କହୁଥିଲେ ସାଂସଦମାନଙ୍କୁ ଦୀର୍ଘ ଦିନ ଧରି ହୋଟେଲରେ ରହିବାକୁ ପଡ଼ିଥିଲା। ଏହା ମଧ୍ୟ ଆର୍ଥିକ ଚାପ ବଢ଼ାଉଥିଲା। ସେମାନଙ୍କ ପାଇଁ ମଧ୍ୟ ଏହା ସହଜ ନଥିଲା, କିନ୍ତୁ ବାଧ୍ୟ ହୋଇ ସେମାନେ ଏଠାରେ ରହୁଥିଲେ। ମାତ୍ର 2014 ପରଠାରୁ ଏହି ସମସ୍ୟାକୁ ଦୂର କରିବା ଲାଗି ଗମ୍ଭୀରତା ପୂର୍ବକ ପ୍ରୟାସ କରାଗଲା । ଦଶନ୍ଧି ଧରି ଚାଲି ଆସିଥିବା ସମସ୍ୟା ଟାଳିବା ଦ୍ୱାରା ନୁହେଁ, ବରଂ ସେଗୁଡ଼ିକର ସମାଧାନ କରିବା ମାଧ୍ୟମରେ ସମାପ୍ତ ହୋଇଥାଏ। କେବଳ ସାଂସଦଙ୍କ ବାସସ୍ଥାନ ନୁହେଁ, ବରଂ ଏଠାରେ ଦିଲ୍ଲୀରେ ଏପରି ଅନେକଗୁଡ଼ିଏ ପ୍ରକଳ୍ପ ରହିଛି, ଯାହା ଅନେକ ବର୍ଷ ଧରି ଅଧୁରା ପଡ଼ି ରହିଥିଲା, ଅଟକି ରହିଥିଲା। ଏହି ସରକାରଙ୍କ ଅମଳରେ ଅନେକଗୁଡ଼ିଏ ଅଟ୍ଟାଳିକାର ନିର୍ମାଣ ଆରମ୍ଭ ହେଲା ଏବଂ ନିର୍ଦ୍ଧାରିତ ସମୟରେ ଏବଂ ଧାର୍ଯ୍ୟ ସମୟ ପୂର୍ବରୁ ଶେଷ କରାଗଲା। ଅଟଳ ବିହାରୀ ବାଜପେୟୀଙ୍କ ସରକାର ସମୟରେ, ଆମ୍ବେଦକର ନ୍ୟାସନାଲ ମେମୋରିଆଲ ସମ୍ପର୍କରେ ଆଲୋଚନା ଆରମ୍ଭ ହୋଇଥିଲା। କିନ୍ତୁ ଏହାର ନିର୍ମାଣ ପାଇଁ ବର୍ଷ ବର୍ଷ ଲାଗିଲା। ଏହି ସରକାର ଆସିବା ପରେ ଯାଇ ପ୍ରକଳ୍ପ କାମ ସମ୍ପୂର୍ଣ୍ଣ ହୋଇଥିଲା। ଦୀର୍ଘ 23 ବର୍ଷର ପ୍ରତୀକ୍ଷା ପରେ ଏହି ସରକାରଙ୍କ ଅମଳରେ ହିଁ ଡ. ଆମ୍ବେଦକର ଇଣ୍ଟରନେସନାଲ ସେଣ୍ଟର ନିର୍ମାଣ କରାଯାଇଥିଲା। ଏ ସରକାରଙ୍କ ଅମଳରେ ହିଁ ଜାତୀୟ ସୂଚନା କମିଶନର ନୂଆ କୋଠା ନିର୍ମାଣ କରାଯାଇଥିଲା। ବହୁଦିନ ଧରି ଦେଶରେ ଯୁଦ୍ଧ ସ୍ମାରକୀକୁ ନେଇ ଚର୍ଚ୍ଚା ହେଉଥିଲା। ଆମ ଦେଶର ସାହସୀ ଯବାନମାନେ ଏ ନେଇ ଆଶାବାଦୀ ଥିଲେ ଏବଂ ଏଥିପାଇଁ ଦାବି ମଧ୍ୟ କରି ଆସୁଥିଲେ । ଦେଶର ବୀର ଶହୀଦଙ୍କ ଉଦ୍ଦେଶ୍ୟରେ ଇଣ୍ଡିଆ ଗେଟ ନିକଟରେ ଜାତୀୟ ଯୁଦ୍ଧ ସ୍ମାରକୀ ନିର୍ମାଣ କରିବାର ସୌଭାଗ୍ୟ ଆମ ସରକାର ପାଇଥିଲା। ଆଇନ ଶୃଙ୍ଖଳା ରକ୍ଷା ଲାଗି ଆମ ଦେଶର ହଜାର ହଜାର ପୋଲିସ କର୍ମୀ ସେମାନଙ୍କର ଜୀବନ ବଳିଦାନ ଦେଇଛନ୍ତି। ହଜାର ହଜାର ପୋଲିସ କର୍ମୀ ସହିଦ ହୋଇଛନ୍ତି । ସେମାନଙ୍କ ସ୍ମୃତିରେ ଜାତୀୟ ପୋଲିସ ସ୍ମାରକୀ ମଧ୍ୟ ଏ ସରକାରଙ୍କ ଦ୍ୱାରା ନିର୍ମାଣ କରାଯାଇଛି । ଆଜି ସାଂସଦମାନଙ୍କ ପାଇଁ ନୂଆ ଆବାସଗୁଡ଼ିକର ଉଦଘାଟନ ଏହି କ୍ରମରେ ଏକ ଜରୁରି ଓ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଆମର ଲୋକସଭା ବାଚସ୍ପତି ସାଧାରଣତଃ କ୍ୱାଲିଟି ଓ ସଞ୍ଚୟରେ ବିଶ୍ୱାସ କରିଥାନ୍ତି । ସଦନ ମଧ୍ୟରେ ସେ ସମୟ ସଞ୍ଚୟ ଏବଂ ଉନ୍ନତ ବିତର୍କ ସୁନିଶ୍ଚିତ କରିଥାନ୍ତି । ଏହାର ନିର୍ମାଣ ସମୟରେ ମଧ୍ୟ ଏସବୁ କଥା ପ୍ରତି ଭଲ ଭାବେ ସଫଳତାପୂର୍ବକ ପ୍ରୟୋଗ କରାଯାଇଛି । ଆପଣମାନଙ୍କର ମନେ ଥିବ ଏବେ ଆମେ ମୌସୁମୀ ଅଧିବେଶନରେ ମଧ୍ୟ ବାଚସ୍ପତିଙ୍କ ଏହି କାର୍ଯ୍ୟଶୈଳୀର ଝଲକ ଦେଖିଥିଲୁ। କରୋନା ସମୟରେ ଅନେକ ପ୍ରକାରର ସତର୍କତା ମଧ୍ୟରେ, ନୂଆ ବ୍ୟବସ୍ଥା ସହିତ ସଂସଦ ଅଧିବେଶନ ଚାଲିଥିଲା । ସରକାର ଓ ବିପକ୍ଷର ସମସ୍ତ ସାଥୀମାନଙ୍କର ପ୍ରତ୍ୟେକ ମୁହୂର୍ତ୍ତର ସଦୁପଯୋଗ କରାଗଲା। ଉଭୟ ସଦନ ପର୍ଯ୍ୟାୟ କ୍ରମେ କାମ କରିଥିଲା ଏବଂ ଶନିବାର ଓ ରବିବାରରେ ମଧ୍ୟ ଅଧିବେଶନ ଚାଲିବାରେ ସହଯୋଗ ମିଳିଥିଲା। ସବୁ ଦଳ ସହଯୋଗ କରିଥିଲେ।
ସାଥୀଗଣ,
ଆମ ସଂସଦର ଏ ଯେଉଁ ଶକ୍ତି ବୃଦ୍ଧି ପାଇଛି, ଏହା ପଛରେ ଆଉ ଏକ ବଡ଼ କାରଣ ରହିଛି । ଏହାର ଆରମ୍ଭ 2014ରେ ଏକପ୍ରକାର ଆରମ୍ଭ ହୋଇଥିଲା। ସେତେବେଳେ ଦେଶ ନୂଆ ଦିଗ ଆଡ଼କୁ ବଢ଼ିବାକୁ ଚାହୁଁଥିଲା, ପରିବର୍ତ୍ତନ ଚାହୁଁଥିଲା । ଦେଶର ସଂସଦରେ 300ରୁ ଅଧିକ ସାଂସଦ ପ୍ରଥମ ଥର ଲାଗି ନିର୍ବାଚିତ ହୋଇ ଆସିଥିଲେ, ମୁଁ ମଧ୍ୟ ପ୍ରଥମ ଥର ନିର୍ବାଚିତ ହୋଇଥିବା ଲୋକଙ୍କ ମଧ୍ୟରୁ ଜଣେ ଥିଲି। ଚଳିତ ସପ୍ତଦଶ ଲୋକସଭାରେ ମଧ୍ୟ ଏପରି 260 ଜଣ ସାଂସଦ ଅଛନ୍ତି, ଯେଉଁମାନେ ପ୍ରଥମ ଥର ଲାଗି ନିର୍ବାଚିତ ହୋଇ ଆସିଛନ୍ତି । ସେହିପରି 400ରୁ ଅଧିକ ଏପରି ସାଂସଦ ଅଛନ୍ତି ଯେଉଁମାନେ ପ୍ରଥମ ଥର କିମ୍ବା ଦ୍ୱିତୀୟ ଥର ସଂସଦକୁ ନିର୍ବାଚିତ ହୋଇ ଆସିଛନ୍ତି । କେବଳ ସେତିକି ନୁହେଁ ସପ୍ତଦଶ ଲୋକସଭା ସବୁଠୁ ଅଧିକ ସଂଖ୍ୟକ ମହିଳା ସାଂସଦଙ୍କୁ ନିର୍ବାଚିତ କରିବାର ରେକର୍ଡ ବହନ କରିଛି । ଦେଶର ଏହି ଯୁବ ଚିନ୍ତାଧାରା, ଏହି ନୂଆ ମନୋବୃତ୍ତି ସଂସଦର ଢାଞ୍ଚାରେ ମଧ୍ୟ ପରିଲକ୍ଷିତ ହୋଇଥାଏ । ଏହି କାରଣରୁ ଆଜି ଦେଶର କାର୍ଯ୍ୟ ପ୍ରଣାଳୀରେ, ପ୍ରଶାସନରେ ଏକ ନୂଆ ଚିନ୍ତାଧାରା ଏବଂ ଏକ ନୂଆ କାର୍ଯ୍ୟପଦ୍ଧତି ଦେବାକୁ ମିଳୁଛି । ଏହି କାରଣରୁ ଦେଶର ସଂସଦ ଆଜି ଏକ ନୂଆ ଭାରତ ନିର୍ମାଣ ଦିଗରେ ଆଗକୁ ପାଦ ବଢ଼ାଉଛି । ଖୁବ ଦ୍ରୁତ ଗତିରେ ନିଷ୍ପତ୍ତି ନେଉଛି । ବିଗତ ଷୋଢ଼ଶ ଲୋକସଭାରେ ପୂର୍ବ ତୁଳନାରେ 15 ପ୍ରତିଶତ ଅଧିକ ବିଲ ପାରିତ ହୋଇଛି । ସପ୍ତଦଶ ଲୋକସଭାର ପ୍ରଥମ ଅଧିବେଶନରେ ନିର୍ଦ୍ଧାରିତ ସମୟ ମଧ୍ୟରେ 135 ପ୍ରତିଶତ କାମ ହୋଇଛି । ରାଜ୍ୟସଭା ମଧ୍ୟ ଶତପ୍ରତିଶତ କାମ କରିଛି । ଏହି ପ୍ରଦର୍ଶନ ବିଗତ ଦୁଇ ଦଶନ୍ଧି ମଧ୍ୟରୁ ସବୁଠୁ ଅଧିକ । ବିଗତ ଶୀତ ଅଧିବେଶନରେ ମଧ୍ୟ ଲୋକସଭାର କାର୍ଯ୍ୟଦକ୍ଷତା 110 ପ୍ରତିଶତରୁ ଅଧିକ ଥିଲା ।
ବନ୍ଧୁଗଣ,
ସଂସଦର ଏହି କାର୍ଯ୍ୟଦକ୍ଷତାରେ ଆପଣମାନେ ସମସ୍ତେ ସାଂସଦଗଣ କାର୍ଯ୍ୟଦକ୍ଷତା ଓ କାର୍ଯ୍ୟପଦ୍ଧତି ଉଭୟକୁ ଧ୍ୟାନରେ ରଖିଛନ୍ତି । ଆମର ଲୋକସଭା ଏବଂ ରାଜ୍ୟ ସଭା ଉଭୟର ସାଂସଦମାନେ ଏ ଦିଗରେ ଏକ ନୂତନ ଉଚ୍ଚତା ହାସଲ କରିଛନ୍ତି । ନିଶ୍ଚିତ ଭାବେ ଏଥିରେ ସେ ସାଂସଦମାନଙ୍କର ମଧ୍ୟ ଯୋଗଦାନ ରହିଛି ଯେଉଁମାନେ ଏବେ ସଂସଦର ଅଂଶବିଶେଷ ହୋଇନାହାନ୍ତି । ଆପଣମାନେ ଦେଖନ୍ତୁ, ଆମେ କେତେ କ’ଣ ହାସଲ କରିଛୁ । ସାଥୀ ହୋଇ ମିଶି କେତେ କ’ଣ ନୂଆ କରିଛୁ । କେବଳ ବିଗତ ଏକ ଦେଢ଼ ବର୍ଷର କଥା କହିଲେ, ଦେଶର କୃଷକମାନଙ୍କୁ ଦଲାଲଙ୍କ କବଳରୁ ମୁକ୍ତ କରିବାର କାମ କରିଛୁ । ଦେଶ ଐତିହାସିକ ଶ୍ରମ ସଂସ୍କାର ଆଣିଛି, ଶ୍ରମଜୀବୀଙ୍କ ସ୍ୱାର୍ଥକୁ ସୁରକ୍ଷିତ ରଖିଛୁ । ଦେଶ ଜମ୍ମୁ ଓ କଶ୍ମୀର ଲୋକମାନଙ୍କୁ ମଧ୍ୟ ବିକାଶର ମୁଖ୍ୟଧାରା ଏବଂ ଅନେକ ଆଇନ ସହ ଯୋଡ଼ିବାର କାମ କାମ କରିଛି । ପ୍ରଥମ ଥର ଜମ୍ମୁ କଶ୍ମୀରରେ ଏବେ ଦୁର୍ନୀତି ବିରୋଧରେ ପଦକ୍ଷେପ ଗ୍ରହଣ କରିବା ଲାଗି ଆଇନ ପ୍ରଣୟନ କରାଯାଇଛି ।
ଦେଶ ମହିଳାମାନଙ୍କୁ ତିନି ତଲାକ ଭଳି ସାମାଜିକ କୁପ୍ରଥାରୁ ମଧ୍ୟ ମୁକ୍ତି ଦେଇଛି । ଏଥିପୂର୍ବରୁ ନିଆଯାଇଥିବା ପଦକ୍ଷେପ ବିଷୟରେ ଆଲୋଚନା କଲେ, ନିରୀହ ଶିଶୁଙ୍କ ବଳାକ୍ରାର କରୁଥିବା ଦୋଷୀଙ୍କୁ ମୃତ୍ୟୁଦଣ୍ଡର ବ୍ୟବସ୍ଥା ମଧ୍ୟ ଏହି ସମୟରେ କରାଯାଇଥିଲା । ଆଧୁନିକ ଅର୍ଥବ୍ୟବସ୍ଥା ଲାଗି ଜିଏସଟି, ଦେବାଳିଆ ଓ ଦେବାଳିଆପଣ ସଂହିତା ଭଳି ଅନେକଗୁଡ଼ିଏ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି । ସେହିପରି ଭାବେ ଭାରତର ଯେଉଁ ସମ୍ବେଦନଶୀଳ ପରିଚୟ ରହିଛି, ସେହି ପ୍ରତିବଦ୍ଧତାକୁ ପୂରଣ କରି ଆମେ ସମସ୍ତେ ମିଶି ନାଗରିକତା ସଂଶୋଧନ ଆଇନକୁ ପାସ କରିଛୁ । ଆମର ଏହି କାମ, ଏହି ସଫଳତା ଯଦି ଆମର ଉତ୍ପାଦ ତା’ହେଲେ ଏହାକୁ ନିର୍ମାଣ କରିବାର ପ୍ରକ୍ରିୟା ମଧ୍ୟ ଚମତ୍କାର ରହିଛି । ସମ୍ଭବତଃ ଅନେକ ଲୋକ ଧ୍ୟାନ ଦେଇନଥିବେ, କିନ୍ତୁ ଶୋଢ଼ଷ ଲୋକସଭାରେ ଏପରି 60 ପ୍ରତିଶତ ବିଲ ରହିଛି ଯାହାକୁ ପାସ କରିବା ଲାଗି ହାରାହାରୀ 2ରୁ 3 ଘଣ୍ଟା ଧରି ବିତର୍କ ହୋଇଛି । ଆମେ ବିଗତ ଲୋକସଭାରେ ଅଧିକ ବିଲ ପାସ କରିଛୁ, ତଥାପି ଆମେ ଅଧିକ ବିତର୍କ କରିଛୁ ।
ଏହା ଦର୍ଶାଉଛି ଯେ ଆମେ ଉତ୍ପାଦ ଉପରେ ମଧ୍ୟ ଫୋକସ କରିଛୁ ଏବଂ ପ୍ରକ୍ରିୟାକୁ ମଧ୍ୟ ଆହୁରି ମାର୍ଜିତ କରିଛୁ । ଆପଣମାନେ ସମସ୍ତେ ସାଂସଦମାନେ ଏହା କରିଛନ୍ତି । ଏହା ଆପଣମାନଙ୍କ କାରଣରୁ ସମ୍ଭବ ହୋଇପାରିଛି । ମୁଁ ଏଥିପାଇଁ ଆପଣମାନଙ୍କୁ ସମସ୍ତ ସାଂସଦମାନଙ୍କୁ ସାର୍ବଜନୀନ ଭାବେ ଧନ୍ୟବାଦ ଦେଉଛି, ଅଭିନନ୍ଦନ ଜଣାଉଛି ।
ବନ୍ଧୁଗଣ,
ସାଧାରଣତଃ ଏହା କୁହାଯାଇଥାଏ ଯେ ଯୁବକମାନଙ୍କ ଲାଗି 16-17-18 ବର୍ଷର ବୟସ, ସେମାନେ ଦଶମ ଓ ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିବା ସମୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । 16-17-18 ବର୍ଷର ଆୟୁ କୌଣସି ଯୁବ ଲୋକତନ୍ତ୍ର ପାଇଁ ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଆପଣମାନେ ଦେଖନ୍ତୁ, ନିକଟରେ 2019ରେ ନିର୍ବାଚନ ସହିତ ଆମେ ଷୋଢ଼ଶ ଲୋକସଭାର କାର୍ଯ୍ୟକାଳ ପୂରଣ କରିଛୁ । ଏ ସମୟ ଦେଶର ପ୍ରଗତି, ଦେଶର ବିକାଶ ଲାଗି ଅତ୍ୟନ୍ତ ଐତିହାସିକ ରହିଛି । 2019 ପରେ ସପ୍ତଦଶ ଲୋକସଭାର କାର୍ଯ୍ୟ ଆରମ୍ଭ ହୋଇଛି । ଏହି ଅବସରରେ ମଧ୍ୟ ଦେଶ ଯେଉଁ ନିଷ୍ପତ୍ତି ଗ୍ରହଣ କରିଛି, ଯେଉଁ ପଦକ୍ଷେପ ନେଇଛି, ସେଥିରୁ ଏହି ଲୋକସଭା ଏବେ ଇତିହାସ ପୃଷ୍ଠାରେ ଲିପିବଦ୍ଧ ହୋଇ ରହିବ । ଏହାପରେ ଅଷ୍ଟାଦଶ ଲୋକସଭା ଆସିବ । ମୋର ବିଶ୍ୱାସ, ଆସନ୍ତା ଲୋକସଭା ମଧ୍ୟ ଦେଶକୁ ନୂଆ ଦଶକରେ ଆଗକୁ ନେଇ ଯିବା ଲାଗି ଅତ୍ୟନ୍ତ ଗୁରୁତ୍ୱ ଭୂମିକା ନିର୍ବାହ କରିବ । ସେଥିପାଇଁ ମୁଁ ଏହି 16-17-18 ବର୍ଷର ମହତ୍ୱ ଆପଣଙ୍କ ସାମ୍ନାରେ ବିଶେଷ ଭାବେ ଉପସ୍ଥାପନ କଲି । ଦେଶ ସାମ୍ନାରେ ଅନେକ କିଛି ଲକ୍ଷ୍ୟ ରହିଛି, ଆମ ସମସ୍ତଙ୍କୁ ଏହି ସମୟ ମଧ୍ୟରେ ସେଗୁଡ଼ିକୁ ହାସଲ କରିବାକୁ ପଡ଼ିବ । ଆତ୍ମନିର୍ଭର ଭାରତ ଅଭିଯାନ ହେଉ, ଅର୍ଥବ୍ୟବସ୍ଥା ସହ ଜଡ଼ିତ ଲକ୍ଷ୍ୟ ହେଉ, କିମ୍ବା ପୁଣି ଆହୁରି କେତେକ ସଂକଳ୍ପ, ଏସବୁ ଆମକୁ ଏହି ସମୟରେ ହିଁ ସିଦ୍ଧ କରିବାକୁ ହେବ ଏବଂ ସେଥିପାଇଁ ଷୋଢ଼ଶ, ସପ୍ତଦଶ, ଅଷ୍ଟାଦଶ ଲୋକସଭାର ଏହି କାଳଖଣ୍ଡ ଆମର ଯୁବ ଦେଶ ଲାଗି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଦେଶ ପାଇଁ ଏତେ ଗୁରୁତ୍ୱପୂର୍ଣ୍ଣ ସମୟରେ ଆମ ସମସ୍ତଙ୍କୁ ଏହାର ଅଂଶବିଶେଷ ହେବାର ସୌଭାଗ୍ୟ ମିଳିଛି । ସେଥିପାଇଁ ଆମ ସମସ୍ତଙ୍କର ଉତ୍ତରଦାୟିତ୍ୱ ହେଉଛି ଯେତେବେଳେ ଇତିହାସରେ ଲୋକସଭାର ଭିନ୍ନ ଭିନ୍ନ କାର୍ଯ୍ୟକାଳ ବିଷୟରେ ଅଧ୍ୟୟନ କରାଯିବ, ଏହି କାର୍ଯ୍ୟକାଳଗୁଡ଼ିକୁ ଦେଶର ପ୍ରଗତିରେ ସ୍ୱର୍ଣ୍ଣିମ ଅଧ୍ୟାୟ ଭାବେ ପରିଗଣିତ ହେବ ।
ବନ୍ଧୁଗଣ,
ଆମର ପ୍ରାଚୀନ ଶାସ୍ତ୍ରରେ କୁହାଯାଇଛି– “କ୍ରିୟାସିଦ୍ଧିଃ ସତ୍ୱେ ଭବତି ମହତାମ ନୋପକରଣେ”
ଅର୍ଥାତ, କର୍ମର ସିଦ୍ଧି ଆମର ସତ୍ୟ ସଂକଳ୍ପ ଉପରେ, ଆମର ସ୍ୱଭାବ ଉପରେ ହିଁ ନିର୍ଭର କରିଥାଏ ।
ଆଜି ଆମ ପାଖରେ ସାଧନ ଅଛି, ଏବଂ ଦୃଢ଼ ସଂକଳ୍ପ ମଧ୍ୟ ରହିଛି । ଆମେ ନିଜ ସଂକଳ୍ପ ଲାଗି ଯେତେ ଅଧିକ ପରିଶ୍ରମ କରିବା, ସିଦ୍ଧି ସେତେ ଅଧିକ ଓ ବଡ଼ ହେବ । ମୋର ବିଶ୍ୱାସ ଯେ ଆମେ ସମସ୍ତେ ମିଶି 130 କୋଟି ଦେଶବାସୀଙ୍କ ସ୍ୱପ୍ନକୁ ନିଶ୍ଚିତ ଭାବେ ପୂରଣ କରିବୁ । ଆତ୍ମନିର୍ଭର ଭାରତର ଲକ୍ଷ୍ୟ ପୂରଣ କରିବୁ । ଏହି ଶୁଭକାମନା ସହିତ ଆପଣମାନଙ୍କୁ ସମସ୍ତେ ଅନେକ ଅନେକ ଶୁଭ କାମନା ।
ଅନେକ ଅନେକ ଧନ୍ୟବାଦ!