ସର୍ବପ୍ରଥମେ ଆପଣମାନେ ସମସ୍ତେ ମୋ ସହିତ ସ୍ଲୋଗାନ ଦିଅନ୍ତୁ, ମୁଁ କହିବି ସର୍ଦ୍ଦାର ପଟେଲ, ଆପଣମାନେ କହିବେ ଅମର ରହେ, ଅମର ରହେ ।
ସର୍ଦ୍ଦାର ପଟେଲ, ଅମର ରହେ, ଅମର ରହେ ।
ସର୍ଦ୍ଦାର ପଟେଲ, ଅମର ରହେ, ଅମର ରହେ ।
ସର୍ଦ୍ଦାର ପଟେଲ, ଅମର ରହେ, ଅମର ରହେ ।
ଆଜି ସାରା ଦେଶ ସର୍ଦ୍ଦାର ସାହେବଙ୍କ ଜୟନ୍ତୀ ପାଳନ କରୁଛି । ଆଜି ଅମେ ଯେଉଁ ହିନ୍ଦୁସ୍ତାନରେ ତ୍ରିରଙ୍ଗା ତଳେ କାଶ୍ମୀର ରୁ କନ୍ୟାକୁମାରୀ, ଅଟକରୁ କଟକ, ହିମାଳୟରୁ ସାଗର ପର୍ଯ୍ୟନ୍ତ ଯେଉଁ ଗୋଟିଏ ହିନ୍ଦୁସ୍ତାନ ଦେଖୁଛେ, ଗୋଟିଏ ତ୍ରିରଙ୍ଗା ତଳେ ହିନ୍ଦୁସ୍ତାନକୁ ଦେଖୁଛେ ତାର ଶ୍ରେୟ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କୁ ଯାଏ । ଇଂରେଜମାନେ ଦେଶ ଛାଡିବା ସମୟରେ ଏଭଳି ଷଡଯନ୍ତ୍ର ରଚନା କରିଥିଲେ ଯେ, ଇଂରେଜମାନେ ଯିବା ପରେ ଦେଶ ୫୦୦ରୁ ଅଧିକ ଛୋଟ ରାଜ୍ୟରେ ଖଣ୍ଡବିଖଣ୍ଡିତ ହୋଇଯାଉ । ଛୋଟ ଛୋଟ ଭାଗରେ ଖଣ୍ଡବିଖଣ୍ଡିତ ହୋଇଯାଉ । ରାଜା-ରାଜୁଡାମାନେ ନିଜ ନିଜ ମଧ୍ୟରେ ଲଢେଇ କରି ମରନ୍ତୁ । ଦେଶରେ ରକ୍ତର ନଦୀ ବହୁ, ଏଭଳି ଷଡଯନ୍ତ୍ର ଇଂରେଜମାନେ ଗଲାବେଳେ ରଚନା କରି ଯାଇଥିଲେ । କିନ୍ତୁ ଇଏ ସେହି ଲୌହପୁରୁଷ ସର୍ଦ୍ଦାର ପଟେଲ ଥିଲେ ଯିଏ ସ୍ୱାଧୀନତା ଆନ୍ଦୋଳନରେ ଗାନ୍ଧିଜୀଙ୍କ ସହିତ ଛାଇ ପରି ରହି, ଜନଆନ୍ଦୋଳନ ଜାଗ୍ରତ କରି, ଗାନ୍ଧିଜୀଙ୍କର ପ୍ରତ୍ୟେକ ବିଚାରକୁ ଜନଶକ୍ତି ପ୍ରଦାନ କରିବାର ପ୍ରୟାସ କରିଥିଲେ । ସ୍ୱାଧୀନତା ରେ ଇଂରେଜମାନଙ୍କୁ ଦିନରେ ତାରା ଦେଖାଇବା ଭଳି ଶକ୍ତି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଦେଖାଇଥିଲେ । ସେହି ସର୍ଦ୍ଦାର ସାହେବ ସ୍ୱାଧୀନତା ପରେ ସଙ୍ଗେ ସଙ୍ଗେ ଇଂରେଜମାନଙ୍କ ଚିନ୍ତାଧାରାକୁ ହିନ୍ଦୁସ୍ତାନର ଧରାପୃଷ୍ଠରେ କବର ଦେଇ ଦେଇ ଥିଲେ । ରାଜା ରାଜୁଡାଙ୍କୁ ଏକାଠି କରିଦେଲେ ଏବଂ ଆଜି ଆମେ ଗୋଟିଏ ଭାରତରେ ସମସ୍ତେ ବଞ୍ଚି ରହିଛୁ ।
ଆମ ଦେଶରେ କାଶ୍ମୀରରୁ କନ୍ୟାକୁମାରୀ ହିମସାଗର ଟ୍ରେନ ଚାଲୁଛି, ସବୁଠାରୁ ଦୀର୍ଘ ଟ୍ରେନ । ହିମାଳୟର କୋଳରୁ ବାହାରୁଛି ଏବଂ କନ୍ୟାକୁମାରୀ ସାଗରରେ ଯାଇ ପହଞ୍ଚୁଛି । ଆମେ ଯେବେ ଏହି ଟ୍ରେନରେ ଯାତ୍ରା କରୁ, ତ ରାସ୍ତାରେ ଅନେକ ରାଜ୍ୟ ଆସିଥାଏ । କିନ୍ତୁ ନା ଆମକୁ କେଉଁ ରାଜ୍ୟର ପରମିଟ୍ ନେବାକୁ ପଡିଥାଏ, ନା କୌଣସି ରାଜ୍ୟରୁ ଭିସା ନେବାକୁ ପଡିଥାଏ, ନା କେଉଁ ରାଜ୍ୟକୁ ଟିକସ ଦେବାକୁ ପଡିଥାଏ । ଥରେ କାଶ୍ମୀରରୁ ବାହାରିଲେ କନ୍ୟାକୁମାରୀ ପର୍ଯ୍ୟନ୍ତ ବିନା କୌଣସି ବାଧାବିଘ୍ନରେ ପହଞ୍ଚି ଯାଉଛୁ । ଏହି କାମ ସର୍ଦ୍ଦାର ସାହେବଙ୍କ ଯୋଗୁଁ ହୋଇଥିଲା, ତେବେ ଯାଇ ଏହା ସମ୍ଭବ ହୋଇଥିଲା ।
ଭାଇ ଓ ଭଉଣୀମାନେ, ଆପଣ ମତେ କୁହନ୍ତୁ, ହିନ୍ଦୁସ୍ତାନକୁ ଶକ୍ତିଶାଳୀ ହେବା ଦରକାର କି ଦରକାର ନାହିଁ? ହିନ୍ଦୁସ୍ତାନକୁ ଅଧିକ ମଜବୁତ୍ ହେବା ଦରକାର କି ଦରକାର ନାହିଁ? ହିନ୍ଦୁସ୍ତାନକୁ ଦୁନିଆରେ ନିଜର ଶକ୍ତି ପ୍ରଦର୍ଶନ କରିବା ଆବଶ୍ୟକ କି ଆବଶ୍ୟକ ନୁହେଁ? କ’ଣ ଏ ଦୁନିଆ ଭାରତକୁ ସ୍ୱୀକାର କରିବ ଏଭଳି ହିନ୍ଦୁସ୍ତାନ ହେବା ଦରକାର କି ନୁହେଁ? ଭାଇ ଓ ଭଉଣୀମାନେ ଏ ସ୍ୱପ୍ନ ୧୨୫ କୋଟି ଭାରତୀୟଙ୍କର । ଏଠାରେ ମୋ ସାମ୍ନାରେ ଗୋଟିଏ ପ୍ରକାରରେ ଛୋଟ ହିନ୍ଦୁସ୍ତାନ ଅଛି । ସବୁ ଭାଷାଭାଷୀର ଲୋକ ମୋ ସାମ୍ନାରେ ଅଛନ୍ତି । ପ୍ରତ୍ୟେକଙ୍କର ସ୍ୱପ୍ନ ଯେ ହିନ୍ଦୁସ୍ତାନ ମଜବୁତ ହେବା ଦରକାର, ହିନ୍ଦୁସ୍ତାନ ଶକ୍ତିଶାଳୀ ହେବା ଦରକାର; ହିନ୍ଦୁସ୍ତାନ ବଳବାନ ହେବା ଦରକାର; ହିନ୍ଦୁସ୍ତାନ ସାମର୍ଥ୍ୟବାନ ହେବା ଦରକାର; ହିନ୍ଦୁସ୍ତାନ ସମୃଦ୍ଧ ହେବା ଦରକାର; କିନ୍ତୁ ଭାଇ ଓ ଭଉଣୀମାନେ ଏହି ସ୍ୱପ୍ନ ସାକାର କରିବାରେ ପ୍ରଥମ ସର୍ତ୍ତ, ହେଉଛି ହିନ୍ଦୁସ୍ତାନରେ ଏକତା ରହିବା ଦରକାର । ସଂପ୍ରଦାୟ ନାମରେ ଜାତିବାଦର ବିଷରେ, ଉଚ୍ଚନିଚ୍ଚର ବିକୃତ ମାନସିକ ପ୍ରଥାରେ, ଧନୀ ଆଉ ଗରିବ ମଧ୍ୟରେ ଥିବା ବିଭେଦ ମଧ୍ୟରେ, ଗାଁ ଆଉ ସହର ମଧ୍ୟରେ ଏହି ଦେଶକୁ ଏକତାକୁ ଅନୁଭବ କରିପାରିବ ନାହିଁ । ଆଉ ଏଇଥି ପାଇଁ ମୋର ପ୍ରିୟ ଭାଇ ଓ ଭଉଣୀମାନେ ସର୍ଦ୍ଦାର ପଟେଲଙ୍କ ଜନ୍ମ ଜୟନ୍ତୀରେ ଏକତାର ସନ୍ଦେଶ, ଯେଉଁ ମହାପୁରୁଷ ନିଜ ସାମର୍ଥ୍ୟ ଦ୍ୱାରା, ନିଜର ବୌଦ୍ଧିକ କୁଶଳତା ଦ୍ୱାରା, ନିଜର ରାଜନୈତିକ ଇଚ୍ଛା ଶକ୍ତି ଦ୍ୱାରା ଦେଶକୁ ଏକ କରିଥିଲେ । ପ୍ରତ୍ୟେକ ହିନ୍ଦୁସ୍ତାନୀ ମଧ୍ୟ ରାଷ୍ଟ୍ରଭକ୍ତିର ଭାବନାରେ ଭାରତର ଏକତାକୁ ମଜବୁତ କରିବା ପାଇଁ ନିଜ ନିଜର ଦାୟିତ୍ୱ ତୁଲାଇବା ଦରକାର । ଦେଶକୁ ଭାଙ୍ଗିବା ପାଇଁ, ଦେଶରେ ଭେଦଭାବ ସୃଷ୍ଟି କରିବା ପାଇଁ, ଦେଶରେ ଅନ୍ତର୍ବିରୋଧ ଜାଗ୍ରତ କରିବା ପାଇଁ ବହୁତ ଗୁଡିଏ ଶକ୍ତି କାମ କରୁଅଛି । ଏହି ସମୟରେ ଏକତା ପାଇଁ ସଚେତନତା ଜାଗ୍ରତ କରିବାର ପ୍ରୟାସ ସୃଷ୍ଟି କରିବା ଆବଶ୍ୟକ, ସତର୍କ ରହିବା ଆବଶ୍ୟକ । ଆମକୁ ଯୋଡିବା ପାଇଁ ଯେତେଗୁଡିଏ ଜିନିଷ ଅଛି, ତାହାଙ୍କୁ ବାରମ୍ବାର ସ୍ମରଣ କରିବା ଆବଶ୍ୟକ । ଇଏ ଭାରତମାତା, ଏହି ଭାରତମାତାର ଗଳାରେ ୧୨୫ କୋଟି ହିନ୍ଦୁସ୍ତାନ ରୂପରେ ଫୁଲର ମାଳା ଭଳି ସଜେଇ ହୋଇଛନ୍ତି । ୧୨୫ କୋଟି ଦେଶବାସୀ ପୁଷ୍ପ ରୂପରେ ଏହି ମାଳାରେ ବାନ୍ଧି ହୋଇଛନ୍ତି, ଆଉ ଏଇ ୧୨୫ କୋଟି ପୁଷ୍ପକୁ ଯୋଡୁଥିବା ଯେଉଁ ସୂତାଟି ଅଛି, ସେହି ସୂତାଟି ହେଉଛି ଆମ ମାନଙ୍କର ଭାରତୀୟତାର ଭାବନା । ଆମ ଭାରତୀୟତାର ଭାବନା, ଏହି ଭାରତୀୟତାର ଭାବନାର ସେହି ସୂତା ୧୨୫ କୋଟି ହୃଦୟକୁ, ୧୨୫ କୋଟି ମସ୍ତିଷ୍କକୁ, ୧୨୫ କୋଟି ଜନ ସଂଖ୍ୟାକୁ ମା’ ଭାରତୀର ମାଳା ରୂପରେ ଗୁନ୍ଥେ ଏବଂ ଏହି ୧୨୫ କୋଟି ପୁଷ୍ପଙ୍କର ସୁଗନ୍ଧ, ଏହି ୧୨୫ କୋଟି ଫୁଲର ସୁଗନ୍ଧ, ଏହି ସୁଗନ୍ଧ ଅଟେ ଆମ ରାଷ୍ଟ୍ର ଭକ୍ତି । ଏହି ରାଷ୍ଟ୍ରଭକ୍ତିର ମହକ ଆମକୁ ପ୍ରତି କ୍ଷଣ ଶକ୍ତି ଦିଏ, ପ୍ରେରଣା ଦିଏ, ଚେତନା ଦେଇଥାଏ । ତାହାକୁ ବାରମ୍ବାର ସ୍ମରଣ କରି ଦେଶରେ ଏକତା ଆଉ ଅଖଣ୍ଡତାର ବାତାବରଣ ସୃଷ୍ଟି କରିବା ପାଇଁ ଆମକୁ ସଂକଳ୍ପବଦ୍ଧ ହେବାକୁ ପଡିବ ।
ମୋର ପ୍ରିୟ ଯୁବ ବନ୍ଧୁଗଣ, ଆଜି ୩୧ ଅକ୍ଟୋବର ଦିଲ୍ଲୀର ମାଟିକୁ, ଦେଶର ଜନତାଙ୍କୁ ଭାରତ ସରକାରଙ୍କ ତରଫରୁ ଏକ ବହୁମୂଲ୍ୟ ଉପହାର ମିଳିବାକୁ ଯାଉଛି । ଏଇ କିଛି ସମୟ ପରେ ମୁଁ ଦିଲ୍ଲୀରେ ସର୍ଦ୍ଦାର ସାହେବଙ୍କ ଜୀବନୀ ଉପରେ ଏକ ଡିଜିଟାଲ ସଂଗ୍ରହାଳୟର ଲୋକାର୍ପଣ କରିବାକୁ ଯାଉଛି । ମୋର ଆପଣମାନଙ୍କୁ ଅନୁରୋଧ ଯେ, ଅତିକମ୍ରେ ଦୁଇଘଣ୍ଟା ବାହାର କରି, ଅତିକମ୍ ରେ, ଅଧିକ ହେଲେ ପୁରାଦିନ ବାହାର କରି ପାରନ୍ତି, ପୁରା ସପ୍ତାହ ବାହାର କରି ପାରନ୍ତି । ଏଭଳି ସବୁ ଜିନିଷ ସେଠାରେ ଦେଖିଲା ଭଳି, ବୁଝିବା ଭଳି, ଅଧ୍ୟୟନ କରିବା ଭଳି ଅଛି । ପ୍ରଗତି ମୈଦାନ ପାଖରେ ହିଁ ଏହି ସ୍ଥାୟୀ ଡିଜିଟାଲ ସଂଗ୍ରହାଳୟ ତିଆରି ହୋଇଛି ।
ସ୍ୱାଧୀନତାର ଏତେ ବର୍ଷ ପରେ, ସର୍ଦ୍ଦାର ସାହେବଙ୍କର ପରଲୋକ ଗମନର ଏତେ ବର୍ଷ ପରେ ଆଜି ଦିଲ୍ଲୀରେ ସର୍ଦ୍ଦାର ସାହେବଙ୍କୁ ଏହି ରୂପରେ ଉପସ୍ଥାପିତ କରାଯାଉଛି । ହୁଏତ ! ଏହି କାମ ୪୦, ୫୦, ୬୦ ବର୍ଷ ପୂର୍ବରୁ ହୋଇ ଯାଇଥାନ୍ତା, କିନ୍ତୁ ଜଣା ନାହିଁ, କାହିଁକି ହେଲା ନାହିଁ । ନ କରିଥିବା ଲୋକମାନଙ୍କୁ ଇତିହାସ ଜବାବ୍ ମାଗିବ । ଆମେ ତ କିଛି କରି ଚାଲିଯିବା ଏହି ଏକ ଭାବନାକୁ ନେଇ କରି ଚାଲିବାକୁ ଚାହୁଁଛୁ ।
ସର୍ଦ୍ଦାର ସାହେବଙ୍କ ଏକତାର ମନ୍ତ୍ରକୁ ଜୀବନର ସାଧାରଣ ଅଂଶ କରିବା ପାଇଁ, ପ୍ରତ୍ୟେକ ଭାରତୀୟର ସାଧାରଣ ସ୍ୱଭାବ କରିବା ପାଇଁ ଆଜି ମୁଁ ଏହି କାର୍ଯ୍ୟକ୍ରମରେ ଏକ ନୂଆ ଯେଜନାର ଶୁଭାରମ୍ଭ କରିବାକୁ ଯାଉଛି –‘ଏକ ଭାରତ, ଶ୍ରେଷ୍ଠ ଭରତ’ । ସେହି ଯୋଜନା ମଧ୍ୟ ଦେଶକୁ ଏକତାର ବଳ ଦେଉଥିବା ଯୋଜନା ହେବ ଏବଂ ସେହି ପ୍ରଦର୍ଶନୀକୁ ଲୋକାର୍ପଣ କରିବା ସମୟରେ ଆଜି ମୁଁ ମଧ୍ୟ ତାହାର ଶୁଭାରମ୍ଭ କରିବାକୁ ଯାଉଛି । ମୁଁ ପୁଣି ଥରେ ପୁରା ଦେଶରେ ଏହି ଯେଉଁ ‘ରନ୍ ଫର ୟୁନିଟି ‘ଏକତା ପାଇଁ ଦୌଡ’ ୩୧ ଅକ୍ଟୋବରରୁ ପୁରା ସପ୍ତାହ ଧରି ହିନ୍ଦୁସ୍ତାନର ଭିନ୍ନ ଭିନ୍ନ ପ୍ରାନ୍ତରେ ଆୟୋଜନ କରାଯାଇଛି, ମୁଁ ଦେଶବାସୀଙ୍କୁ ଅନୁରୋଧ କରିବି କି, ଆମେ ସର୍ଦ୍ଦାର ସାହେବଙ୍କୁ କେବେବି ନ ଭୁଲିବା ଉଚିତ । ଆମେ ସର୍ଦ୍ଦାର ସାହେବଙ୍କର ଏକତାର ମନ୍ତ୍ରକୁ ମଧ୍ୟ କେବେବି ନ ଭୁଲିବା ଉଚିତ । ଆମେ ଯେଉଁଭଳି ହିନ୍ଦୁସ୍ତାନ ଗଠନ କରିବାକୁ ଚାହୁଁଛେ, ସେହି ହିନ୍ଦୁସ୍ତାନ ଗଢିବାର ପ୍ରଥମ ସର୍ତ୍ତ ହେଲା ଦେଶର ଏକତା, ଜନ-ଜନଙ୍କ ମଧ୍ୟରେ ଏକତା, ପ୍ରତ୍ୟେକ ମନର ଏକତା, ପ୍ରତ୍ୟେକ ମନର ଏକ ସଂକଳ୍ପ, ଆମ ଭାରତ ମାତା ମହାନ ହେଉ, ତାକୁ ନେଇ ଆଗକୁ ବଢିବାର ଅଛି । ମୁଁ ପୁଣି ଥରେ ଆପଣମାନଙ୍କୁ ଏତେ ଅଧିକ ସଂଖ୍ୟାରେ ତା’ହା ପୁଣି ଦିପାବଳୀ ଉତ୍ସବ ମଧ୍ୟରେ ଆପଣମାନଙ୍କୁ ପାଇ ସତରେ ମୁଁ ଆନନ୍ଦ ଅନୁଭବ କରୁଛି,
ବହୁତ ବହୁତ ଧନ୍ୟବାଦ ।