ନମସ୍କାର,
ଏମିତି ତ ଆପଣମାନେ ସମସ୍ତେ ଜାଣିଥିବେ ଯେ ବଜେଟ ପରେ ଭାରତ ସରକାର କିଭଳି ଏହାକୁ ଖୁବଶୀଘ୍ର କାର୍ଯ୍ୟକାରୀ କରିବା ପାଇଁ ଭିନ୍ନ ଭିନ୍ନ କ୍ଷେତ୍ରର ଲୋକମାନଙ୍କ ସହ ୱେବିନାର ମାଧ୍ୟମରେ ଆଲୋଚନା କରୁଛନ୍ତି । ବଜେଟ ଲାଗୁ କରିବା ସମୟରେ ଘରୋଇ କମ୍ପାନୀଗୁଡିକୁ କିଭଳି ଭାଗୀଦାର କରାଯିବ ଏବଂ ବଜେଟର କାର୍ଯ୍ୟାନ୍ୱୟନ କରିବା ପାଇଁ କିପରି ଏକତ୍ରିତ ହୋଇ କାର୍ଯ୍ୟଖସଡା ପ୍ରସ୍ତୁତ କରାଯିବ, ସେନେଇ ଚର୍ଚ୍ଚା ଜାରି ରହିଛି । ଆଜି ପ୍ରତିରକ୍ଷା ମନ୍ତ୍ରଣାଳୟର ୱେବିନାରରେ ଭାଗନେଉଥିବା ସବୁ ଅଂଶୀଦାର ଓ ସମସ୍ତ ସମ୍ପୃକ୍ତ ପକ୍ଷଙ୍କ ସହ ଭେଟିବାର ସୁଯୋଗ ମିଳିଥିବାରୁ ମୁଁ ବହୁତ ଆନନ୍ଦିତ । ଆପଣ ସମସ୍ତଙ୍କୁ ମୋ ତରଫରୁ ଅଶେଷ ଶୁଭକାମନା ।
ପ୍ରତିରକ୍ଷା କ୍ଷେତ୍ରରେ ଭାରତ କିପରି ଆତ୍ମନିର୍ଭରଶୀଳ ହୋଇପାରିବ, ଏହି ପ୍ରସଙ୍ଗ ଉପରେ ଆଜିର ଏହି ଆଲୋଚନା ମୋ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ । ବଜେଟ ପରେ ପ୍ରତିରକ୍ଷା କ୍ଷେତ୍ରରେ କ’ଣ ସବୁ ନୂତନ ସମ୍ଭାବନା ସୃଷ୍ଟି ହୋଇଛି, ଆମର ଭବିଷ୍ୟତର ମାର୍ଗ କ’ଣ ରହିଛି, ଏ ସମ୍ପର୍କରେ ଜାଣିବା ଏବଂ ମନ୍ଥନ କରିବା ଉଭୟ ଗୁରୁତ୍ୱପୂର୍ଣ୍ଣ । ଆମ ବୀର ଯବାନ୍ମାନେ ଯେଉଁଠାରେ ପ୍ରଶିକ୍ଷଣ ନିଅନ୍ତି ସେଠାରେ ଆମେ ଅନେକ ସମୟରେ ଏଭଳି କିଛି ଲେଖାହୋଇଥିବା ଦେଖୁ ଯେ, ଶାନ୍ତି ସମୟରେ ବୁହାଯାଇଥିବା ଝାଳ, ଯୁଦ୍ଧ ସମୟରେ ରକ୍ତପାତରୁ ରକ୍ଷା କରିଥାଏ । ଅର୍ଥାତ୍, ଶାନ୍ତିର ପ୍ରାକ୍ ସର୍ତ ହେଉଛି ବିରତ୍ୱ, ବିରତ୍ୱର ପ୍ରାକ୍ ସର୍ତ ହେଉଛି ସାମର୍ଥ୍ୟ ଏବଂ ସାମର୍ଥ୍ୟର ପ୍ରାକ୍ ସର୍ତ ହେଉଛି ପୂର୍ବପ୍ରସ୍ତୁତି, ଏବଂ ଅନ୍ୟସବୁ କଥା ଏହା ପରେ ହିଁ ଆସିଥାଏ । ଆମର ଏଠାରେ ଏଭଳି ମଧ୍ୟ କୁହାଯାଇଛି ଯେ, “ସହନଶୀଳତା, କ୍ଷମା, ଦୟାକୁ ବିଶ୍ୱ ସେତେବେଳେ ପୂଜା କରିଥାଏ, ଯେତେବେଳେ ଏହା ପଛରେ ଚମକୁଥିବା ଶକ୍ତିର ଦର୍ପ ଝଲସୁଥାଏ ।”
ବନ୍ଧୁଗଣ,
ଅସ୍ତ୍ରଶସ୍ତ୍ର ଏବଂ ସାମରିକ ଉପକରଣ ପ୍ରସ୍ତୁତ କରିବା ପାଇଁ ଭାରତ ନିକଟରେ ବହୁ ବର୍ଷର ଅଭିଜ୍ଞତା ରହିଛି । ସ୍ୱାଧୀନତା ପୂର୍ବରୁ ଆମର ଏଠାରେ ବହୁସଂଖ୍ୟାରେ ଗୋଳାବାରୁଦ କାରଖାନା ଥିଲା । ଦୁଇଟିଯାକ ବିଶ୍ୱଯୁଦ୍ଧ ସମୟରେ ଭାରତରୁ ବହୁସଂଖ୍ୟାରେ ଅସ୍ତ୍ରଶସ୍ତ୍ର ପ୍ରସ୍ତୁତ କରି ପଠାଯାଇଥିଲା । କିନ୍ତୁ ସ୍ୱାଧୀନତା ପରେ ବହୁବିଧ କାରଣରୁ ଏହି ବ୍ୟବସ୍ଥାକୁ ଯେତେଟା ମଜବୁତ କରାଯିବା କଥା ସେତେଟା କରାଯାଇନଥିଲା । ପରିସ୍ଥିତି ଏପରି ହୋଇଛି ଯେ କ୍ଷୁଦ୍ର ଅସ୍ତ୍ର ପାଇଁ ମଧ୍ୟ ଆମକୁ ଅନ୍ୟ ଦେଶ ଉପରେ ନିର୍ଭର କରିବାକୁ ପଡୁଛି । ଭାରତ ଆଜି ବିଶ୍ୱର ସବୁଠାରୁ ବଡ ପ୍ରତିରକ୍ଷା ଆମଦାନୀ ଦେଶ ମଧ୍ୟରୁ ଅନ୍ୟତମ ଏବଂ ଏହା କୌଣସି ଗୌରବର ବିଷୟ ନୁହେଁ । ଏପରି ନୁହେଁ ଯେ ଭାରତର ଜନସାଧାରଣଙ୍କ ନିକଟରେ ପ୍ରତିଭା ନାହିଁ, ଏପରି ନୁହେଁ ଯେ ଭାରତର ଲୋକଙ୍କ ନିକଟରେ ସାମର୍ଥ୍ୟ ନାହିଁ ।
ଆପଣମାନେ ଦେଖନ୍ତୁ, ଯେତେବେଳେ କରୋନା ଆରମ୍ଭ ହେଲା ସେତେବେଳେ ଭାରତ ଗୋଟିଏ ମଧ୍ୟ ଭେଂଟିଲେଟର ତିଆରି କରୁନଥିଲା । ଆଜି ଭାରତ ହଜାର ହଜାର ଭେଂଟିଲେଟର ନିର୍ମାଣ କରୁଛି । ମଙ୍ଗଳ ପର୍ଯ୍ୟନ୍ତ ପହଂଚିବାର କ୍ଷମତା ରଖୁଥିବା ଭାରତ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ମଧ୍ୟ ନିର୍ମାଣ କରିପାରିଥାଆନ୍ତା । କିନ୍ତୁ, ବାହାରୁ ଅସ୍ତ୍ରଶସ୍ତ୍ର ଆମଦାନୀ କରିବା ସହଜିଆ ଲାଗିଲା । ଆଉ ମଣିଷର ସ୍ୱଭାବ ମଧ୍ୟ ଏପରି ଯେ, ଯାହା ସରଳ, ଯାହା ସହଜରେ ମିଳିଥାଏ, ଚାଲ ଭାଇ ସେହି ରାସ୍ତାରେ ଚାଲିବା ଆରମ୍ଭ କରିଦେବା । ଆପଣ ବି ଆଜି ନିଜ ଘରକୁ ଯାଇ ଯଦି ଗଣିବେ ତେବେ ଦେଖିବେ ଜାଣତରେ ବା ଅଜାଣତରେ ଆପଣ ବର୍ଷ ବର୍ଷ ଧରି କେତେ ସଂଖ୍ୟାରେ ବିଦେଶୀ ଜିନିଷ ବ୍ୟବହାର କରୁଛନ୍ତି । ପ୍ରତିରକ୍ଷା କ୍ଷେତ୍ରରେ ମଧ୍ୟ ଏହା ହିଁ ଘଟିଛି । କିନ୍ତୁ ଏବେ ଆଜିର ଭାରତ, ଏହି ପରିସ୍ଥିତିକୁ ପରିବର୍ତନ କରିବା ପାଇଁ ଅଂଟା ଭିଡି କାମରେ ଲାଗିପଡିଛି ।
ଏବେ ଭାରତ ନିଜର କ୍ଷମତା ଓ ଦକ୍ଷତାକୁ ଦୃତଗତିରେ ବୃଦ୍ଧି କରିବା ପାଇଁ ସ୍ଥିର କରିଛି । ଗୋଟିଏ ସମୟ ଥିଲା ଯେତେବେଳେ ଆମ ନିଜସ୍ୱ ଯୁଦ୍ଧ ବିମାନ ତେଜସକୁ ଫାଇଲ୍ ଭିତରେ ବନ୍ଦ କରିବାର ବେଳା ଆସିଯାଇଥିଲା । କିନ୍ତୁ ଆମ ସରକାର ଆମ ନିଜର ଇଞ୍ଜିନିୟର-ବୈଜ୍ଞାନିକ ଏବଂ ତେଜସର କ୍ଷମତା ଉପରେ ଭରସା କଲେ ଏବଂ ଆଜି ତେଜସ୍ ଗର୍ବର ସହ ଆକାଶରେ ଉଡୁଛି । କିଛି ସପ୍ତାହ ପୂର୍ବରୁ ହିଁ ତେଜସ୍ ପାଇଁ ୪୮ହଜାର କୋଟି ଟଙ୍କାର ବରାଦ ଦିଆଯାଇଛି । ଏହାଦ୍ୱାରା କେତେ ଏମଏସଏମଇ କ୍ଷେତ୍ର ଦେଶ ସହ ସଂଯୁକ୍ତ ହେବେ, କେତେ ବଡ କାରବାର ହେବ । ଆମ ଯବାନମାନଙ୍କୁ ବୁଲେଟ ପ୍ରୁଫ୍ ଜ୍ୟାକେଟ୍ ପାଇଁ ମଧ୍ୟ ଦୀର୍ଘ ସମୟର ଅପେକ୍ଷା କରିବାକୁ ପଡୁଥିଲା । ଆଜି ଆମେ କେବଳ ଭାରତରେ ଭାରତ ପାଇଁ ବୁଲେଟ ପ୍ରୁଫ୍ ଜ୍ୟାକେଟ୍ ପ୍ରସ୍ତୁତ କରୁନାହୁଁ ବରଂ ଅନ୍ୟଦେଶକୁ ମଧ୍ୟ ଏହା ରପ୍ତାନୀ କରିବା ପାଇଁ ଆମର କ୍ଷମତା ବୃଦ୍ଧି କରୁଛୁ ।
ବନ୍ଧୁଗଣ,
ଚିଫ୍ ଅଫ୍ ଡିଫେନସ ଷ୍ଟାଫ(ସିଡିଏସ୍) ପଦର ସୃଷ୍ଟି ହେବା ଦ୍ୱାରା କ୍ରୟ ପ୍ରକ୍ରିୟା, ପରୀକ୍ଷା ଏବଂ ପରୀକ୍ଷଣ, ଉପକରଣଗୁଡିକର ଅନ୍ତର୍ଭୁକ୍ତି ସ୍ଥାପନା, ସେବା ପ୍ରକ୍ରିୟାଗୁଡିକରେ ମଧ୍ୟ ସମାନତା ଆଣିବା ଖୁବ୍ ସହଜ ହୋଇଯାଇଛି ଏବଂ ପ୍ରତିରକ୍ଷା ବଳର ସମସ୍ତ ବିଭାଗର ସହଯୋଗରେ ଏହି କାର୍ଯ୍ୟ ଖୁବ୍ ଦୃତ ଗତିରେ ଆଗକୁ ବଢୁଛି । ଚଳିତ ବର୍ଷର ବଜେଟରେ ସେନାର ଆଧୁନିକୀକରଣର ଏହି ପ୍ରତିବଦ୍ଧତା ଆହୁରି ଦୃଢ ହୋଇଛି । ପାଖାପାଖି ଦେଢ ଦଶନ୍ଧି ପରେ ପ୍ରତିରକ୍ଷା କ୍ଷେତ୍ରରେ ପୁଞ୍ଜି ବିନିଯୋଗକୁ ୧୯ ପ୍ରତିଶତ ବୃଦ୍ଧି କରାଯାଇଛି । ସ୍ୱାଧୀନତା ପରେ ପ୍ରଥମଥର ପାଇଁ ପ୍ରତିରକ୍ଷା କ୍ଷେତ୍ରରେ ଘରୋଇ କ୍ଷେତ୍ରର ଅଂଶଗ୍ରହଣ ବୃଦ୍ଧି କରିବା ଉପରେ ଏତେ ଗୁରୁତ୍ୱ ଦିଆଯାଉଛି । ଘରୋଇ କ୍ଷେତ୍ରକୁ ପ୍ରୋତ୍ସାହିତ କରିବା ଆଣିବା ପାଇଁ, ସେମାନଙ୍କର କାର୍ଯ୍ୟକୁ ଆହୁରି ସହଜ କରିବା ପାଇଁ, ସରକାର, ସେମାନେ କିପରି ସହଜରେ ବ୍ୟବସାୟ କରିପାରିବେ ସେଥିପ୍ରତି ଗୁରୁତ୍ୱ ଦେଉଛନ୍ତି ।
ବନ୍ଧୁଗଣ,
ପ୍ରତିରକ୍ଷା କ୍ଷେତ୍ରକୁ ଆସୁଥିବା ବେସରକାରୀ କ୍ଷେତ୍ରର ଚିନ୍ତା ବିଷୟରେ ମୁଁ ଅବଗତ ଅଛି । ଅର୍ଥ ବ୍ୟବସ୍ଥାର ଅନ୍ୟ କ୍ଷେତ୍ରଗୁଡିକ ତୁଳନାରେ ପ୍ରତିରକ୍ଷା କ୍ଷେତ୍ରରେ ସରକାରଙ୍କ ହସ୍ତକ୍ଷେପ ଅନେକ ଗୁଣ ଅଧିକ । ସରକାର ହିଁ ଏକମାତ୍ର କ୍ରେତା, ସରକାର ସ୍ୱୟଂ ନିର୍ମାଣକାରୀ ମଧ୍ୟ, ଏବଂ ସରକାରଙ୍କ ବିନା ଅନୁମତିରେ ରପ୍ତାନୀ ମଧ୍ୟ ସମ୍ଭବ ନୁହେଁ । ଏବଂ ଏହା ମଧ୍ୟ ସ୍ୱାଭାବିକ ଅଟେ, କାରଣ ଏହି କ୍ଷେତ୍ର ରାଷ୍ଟ୍ରୀୟ ସୁରକ୍ଷା ସହିତ ଜଡିତ । କିନ୍ତୁ ଏଥିସହିତ ଘରୋଇ କ୍ଷେତ୍ରର ଭାଗିଦାରୀ ବିନା ଏକବିଂଶ ଶତାଦ୍ଦୀର ପ୍ରତିରକ୍ଷା ନିର୍ମାଣ ପରିବେଶ ମଜବୁତ ହୋଇପାରିବ ନାହିଁ, ଏକଥା ମଧ୍ୟ ମୁଁ ଭଲଭାବରେ ଜାଣିଛି ଏବଂ ଏବେ ସରକାରଙ୍କ ପ୍ରତିଟି ବିଭାଗ ମଧ୍ୟ ଏ ବିଷୟରେ ଅବଗତ । ଏବଂ ଏଥିପାଇଁ, ଆପଣମାନେ ଦେଖିଥିବେ, ୨୦୧୪ରେ ହିଁ ଆମର ପ୍ରୟାସ ଥିଲା ଯେ ପାରଦର୍ଶିତା, ପୂର୍ବାନୁମାନତା ଏବଂ ସହଜରେ ବ୍ୟବସାୟ ସହିତ ଆମେ ଏହି କ୍ଷେତ୍ରରେ କ୍ରମାଗତ ଭାବେ ଗୋଟିଏ ପରେ ଗୋଟିଏ ପଦକ୍ଷେପ ସହିତ ଆଗକୁ ବଢିଚାଲିଛୁ । ଲାଇସେନ୍ସରୁ ମୁକ୍ତି, ନିୟନ୍ତ୍ରଣରୁ ମୁକ୍ତି, ରପ୍ତାନି ପ୍ରୋତ୍ସାହନ, ବିଦେଶୀ ପୁଞ୍ଜିନିବେଶ, ଉଦାରୀକରଣ, ଏଭଳି ଅନେକ ଉପାୟ ସହ ଆମେ ଏହି କ୍ଷେତ୍ରରେ ଗୋଟିଏ ପରେ ଗୋଟିଏ ମଜବୁତ୍ ପଦକ୍ଷେପ ନେଇଛୁ । ଏବଂ ମୁଁ ଏକଥା ମଧ୍ୟ କହିବି ଯେ, ଏହିସବୁ ପ୍ରୟାସ ପାଇଁ ମତେ ସବୁଠୁ ଅଧିକ ସହଯୋଗ, ସବୁଠୁ ଅଧିକ ସହାୟତା, ସେନା ନେତୃତ୍ୱ ନିକଟରୁ ମିଳିପାରୁଛି । ସେମାନେ ମଧ୍ୟ ଏକ ପ୍ରକାର ସେହିସବୁ ବିଷୟ ଉପରେ ଗୁରୁତ୍ୱ ଦେଉଛନ୍ତି ଏବଂ ଆଗକୁ ବଢାଉଛନ୍ତି ।
ବନ୍ଧୁଗଣ,
ଯେତେବେଳେ ପ୍ରତିରକ୍ଷା ବାହିନୀର ପୋଷାକ ପିନ୍ଧିଥିବା ବ୍ୟକ୍ତି ଯଦି ସେହି କଥାକୁ କୁହେ, ତାହେଲେ ସେହି କଥାକୁ ବଳ ମିଳିଥାଏ କାରଣ ଯିଏ ୟୁନିଫର୍ମ ପିନ୍ଧି ଛିଡାହୋଇଛି, ତାପାଇଁ ତ ଏହା ଜୀବନ ଓ ମରଣର ଲଢେଇ ସଦୃଶ ହୋଇଥାଏ । ସେ ଯେତେବେଳେ ଆତ୍ମନିର୍ଭର ଭାରତ ପାଇଁ ଆଗକୁ ଆସିଛି ତାହେଲେ କେତେ ସକାରାତ୍ମକତା ଏବଂ ଉତ୍ସାହରେ ପରିପୂର୍ଣ୍ଣ ବାତାବରଣ ମଧ୍ୟରେ ରହିଥିବ ଆପଣମାନେ ନିଶ୍ଚୟ ସେ ବିଷୟରେ କଳ୍ପନା କରିପାରୁଥିବେ । ଆପଣମାନେ ଏକଥା ମଧ୍ୟ ଜାଣନ୍ତି ଯେ ଭାରତ ପ୍ରତିରକ୍ଷା ସହିତ ସାମିଲ ଥିବା ଏଭଳି ୧୦୦ଟି ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା ଉପକରଣ ତାଲିକା ପ୍ରସ୍ତୁତ କରିଛି, ଯାହାକୁ ନେଗେଟେିଭ ଲିଷ୍ଟ କୁହାଯାଏ, ଯେଉଁଗୁଡିକୁ ଆମେ ନିଜର ସ୍ଥାନୀୟ ଶିଳ୍ପର ସହାୟତାରେ ହିଁ ନିର୍ମାଣ କରିପାରିବା । ଏଥିପାଇଁ ସମୟ ନିର୍ଘଂଟ ଏହି କାରଣରୁ ରଖାଯାଇଛି ଯେ ଯାହାଫଳରେ ଆମର ଶିଳ୍ପସଂସ୍ଥା ଏହିସବୁ ଆବଶ୍ୟକତାକୁ ପୂରଣ କରିବା ପାଇଁ ସାମର୍ଥ୍ୟ ହାସଲ କରିବା ନିମନ୍ତେ ଯୋଜନା ପ୍ରସ୍ତୁତ କରିପାରିବ ।
ସରକାରୀ ଭାଷାରେ ଏହା ନେଗେଟିଭ ଲିଷ୍ଟ ଅଟେ । କିନ୍ତୁ ମୁଁ ଏହାକୁ ଏକ ଭିନ୍ନ ଦୃଷ୍ଟିକୋଣରୁ ଦେଖୁଛି । ଯାହାକୁ ଦୁନିଆ ନେଗେଟିଭ ଲିଷ୍ଟ ନାଁରେ ଜାଣିଛି । ମୋ ଭାଷାର ଆତ୍ମନିର୍ଭରତାର ଭାଷାରେ ଏହା ପଜିଟିଭ ଲିଷ୍ଟ ଅଟେ । ଇଏ ସେହି ପଜିଟିଭ ଲିଷ୍ଟ ଅଟେ ଯାହାର ସାମର୍ଥ୍ୟକୁ ଭିତିକରି ଆମର ନିର୍ମାଣ କ୍ଷମତା ବୃଦ୍ଧି ପାଇବାକୁ ଯାଉଛି । ଏହା ସେହି ପଜିଟିଭ ଲିଷ୍ଟ ଅଟେ ଯାହା ଭାରତରେ ହିଁ ରୋଜଗାର ସୃଷ୍ଟିର କାର୍ଯ୍ୟ କରିବ । ଏହା ସେହି ପଜିଟିଭ ଲିଷ୍ଟ ଅଟେ ଯାହା ନିଜର ପ୍ରତିରକ୍ଷା ଆବଶ୍ୟକତାର ପୂରଣ ପାଇଁ ବିଦେଶୀ ରାଷ୍ଟ୍ର ଉପରେ ଆମର ନିର୍ଭରତାକୁ ହ୍ରାସ କରିବାକୁ ଯାଉଛି । ଏହା ସେହି ପଜିଟିଭ ଲିଷ୍ଟ ଅଟେ ଯାହା ଯୋଗୁଁ ଭାରତରେ ପ୍ରସ୍ତୁତ ସାମଗ୍ରୀ ଗୁଡିକର ଭାରତ ଭିତରେ ବିକ୍ରୀ ହେବାର ଗ୍ୟାରେଂଟି ମଧ୍ୟ ରହିଛି । ଏବଂ ଏହା ସେହିଭଳି ଜିନିଷ ଭାରତର ଆବଶ୍ୟକତା ମୁତାବକ, ଆମର ଜଳବାୟୁ ମୁତାବକ, ଆମର ଲୋକମାନଙ୍କ ସ୍ୱଭାବ ଅନୁଯାୟୀ ନିରନ୍ତର ଅଭିନବତା ସୃଷ୍ଟିର ସମ୍ଭାବନା ଯାହା ମଧ୍ୟରେ ସମାହିତ ଅଟେ ।
ଆମର ସେନା ହେଉ କିମ୍ବା ଆମର ଆର୍ଥିକ ଭବିଷ୍ୟତ, ଇଏ ଆମ ପାଇଁ ଗୋଟିଏ ପ୍ରକାର ପଜିଟିଭ ଲିଷ୍ଟ ହିଁ ଅଟେ । ଏବଂ ଆପଣମାନଙ୍କ ପାଇଁ ତ ଏହା ସବୁଠୁ ଅଧିକ ପଜିଟିଭ ଲିଷ୍ଟ । ଏବଂ ମୁଁ ଆଜି ଏହି ବୈଠକରେ ଆପଣ ସମସ୍ତଙ୍କୁ ଏହି ଭରସା ଦେଉଛି ଯେ ପ୍ରତିରକ୍ଷା କ୍ଷେତ୍ର ସହିତ ସମ୍ପୃକ୍ତ ପ୍ରତିଟି ସାମଗ୍ରୀ ଯାହାର ଢାଂଚା ପ୍ରସ୍ତୁତ କରିବା ଏବଂ ଯାହାକୁ ତିଆରି କରିବାର ସାମର୍ଥ୍ୟ ଦେଶରେ ରହିଛି, କୌଣସି ସରକାରୀ ହେଉ ବା ଘରୋଇ କମ୍ପାନୀ ହେଉ, ସେହି ସାମଗ୍ରୀକୁ ଆମଦାନୀ କରିବାର ଆଭିମୁଖ୍ୟ ଆଉ ରହିବ ନାହିଁ । ଆପଣମାନେ ଦେଖିଥିବେ, ପ୍ରତିରକ୍ଷା କ୍ଷେତ୍ର ପାଇଁ ବଜେଟ ବ୍ୟୟ ବରାଦରେ ମଧ୍ୟ ଘରୋଇ କ୍ରୟ ନିମନ୍ତେ ଗୋଟିଏ ଭାଗକୁ ସଂରକ୍ଷିତ କରି ରଖାଯାଇଛି, ଏହା ମଧ୍ୟ ଆମର ନୂଆ ପଦକ୍ଷେପ । ମୁଁ ଘରୋଇ କ୍ଷେତ୍ରକୁ ଅନୁରୋଧ କରିବି ଯେ, ନିର୍ମାଣ ସହିତ ଢାଂଚା ପ୍ରସ୍ତୁତି ଓ ବିକାଶ କ୍ଷେତ୍ରରେ ମଧ୍ୟ ଆପଣମାନେ ଅଗ୍ରଣୀ ଭୂମିକା ଗ୍ରହଣ କରନ୍ତୁ, ସମଗ୍ର ବିଶ୍ୱରେ ଭାରତର ବିଜୟ କେତନ ଉଡାନ୍ତୁ, ସୁଯୋଗ ଅଛି, ହାତଛଡା କରନ୍ତୁ ନାହିଁ । ସ୍ୱଦେଶୀ ଢାଂଚା ଏବଂ ବିକାଶ କ୍ଷେତ୍ରରେ ଡିଆରଡିଓର ଯେଉଁ ଅନୁଭବ ରହିଛି ଦେଶର ଘରୋଇ କ୍ଷେତ୍ରମାନେ ମଧ୍ୟ ତାହାର ଉପଯୋଗ କରିବା ଉଚିତ୍ । ଏଥିରେ ନିୟମ କାନୁନ୍ ପ୍ରତିବନ୍ଧକ ନ ସାଜୁ, ଏଥିପାଇଁ ଡିଆରଡିଓରେ କ୍ଷୀପ୍ର ଗତିରେ ସଂସ୍କାର କରାଯାଉଛି । ଏବେ ପ୍ରକଳ୍ପଗୁଡିକର ଆରମ୍ଭରୁ ହିଁ ଘରୋଇ କ୍ଷେତ୍ରକୁ ସାମିଲ କରିନିଆଯିବ ।
ବନ୍ଧୁଗଣ,
ବିଶ୍ୱର ବହୁ ଛୋଟ ଛୋଟ ଦେଶ, ପୂର୍ବରୁ କେତେବେଳେ ବି ନିଜର ସୁରକ୍ଷା ପାଇଁ ଏତେ ଚିନ୍ତା କରୁ ନଥିଲେ । କିନ୍ତୁ ପରିବର୍ତିତ ବୈଶ୍ୱିକ ପରିସ୍ଥତିରେ ନୂଆ ନୂଆ ଆହ୍ୱାନ ସାମନାକୁ ଆସିବା କାରଣରୁ ଏବେ ଏହିଭଳି ଦେଶଗୁଡିକୁ ମଧ୍ୟ ନିଜର ସୁରକ୍ଷା ବିଷୟରେ ଚିନ୍ତା କରିବାକୁ ପଡୁଛି, ସୁରକ୍ଷା ସେମାନଙ୍କ ପାଇଁ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେବାରେ ଲାଗିଛି । ଏହା ବହୁତ ସ୍ୱାଭାବିକ ଯେ ଏଭଳି ଦରିଦ୍ର ଓ ଛୋଟ ଛୋଟ ଦେଶ ନିଜର ସୁରକ୍ଷା ଆବଶ୍ୟକତା ନିମନ୍ତେ ସାଧାରଣ ଭାବରେ ଭାରତ ଆଡକୁ ଦେଖିବେ କାରଣ ଆମେ ସ୍ୱଳ୍ପ ବ୍ୟୟରେ ନିର୍ମାଣର କ୍ଷମତା ରଖିଛୁ । ଆମେ ଗୁଣାତ୍ମକ ଉତ୍ପାଦର ସାମର୍ଥ୍ୟ ରଖିଛୁ, କେବଳ ଆଗକୁ ବଢିବାର ଆବଶ୍ୟକତା ରହିଛି । ଏହି ଦେଶଗୁଡିକର ସହାୟତା କରିବାରେ ମଧ୍ୟ ଭାରତର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି, ଭାରତରେ ବିକଶିତ ହେଉଥିବା ପ୍ରତିରକ୍ଷା କ୍ଷେତ୍ରର ମଧ୍ୟ ବହୁତ ବଡ ଭୂମିକା ରହିଛି, ବହୁତ ବଡ ସୁଯୋଗ ମଧ୍ୟ ରହିଛି । ଆଜି ଆମେ ୪୦ରୁ ଅଧିକ ଦେଶକୁ ପ୍ରତିରକ୍ଷା ଉପକରଣ ରପ୍ତାନୀ କରୁଛୁ । ଆମଦାନୀ ଉପରେ ନିର୍ଭରଶୀଳ ଦେଶର ପରିଚିତିରୁ ବାହାରି ଆସି ଆମେ ବିଶ୍ୱର ଅଗ୍ରଣୀ ପ୍ରତିରକ୍ଷା ରପ୍ତାନିକାରୀ ରାଷ୍ଟ୍ର ଭାବରେ ନିଜର ପରିଚୟ ତିଆରି ପରିବାକୁ ପଡିବ ଏବଂ ଆପଣମାନଙ୍କୁ ସାଥିରେ ନେଇ ହିଁ ଆମକୁ ଏହି ପରିଚୟକୁ ଆହୁରି ମଜବୁତ୍ କରିବାକୁ ପଡିବ ।
ଆମକୁ ଏକଥା ମଧ୍ୟ ମନେ ରଖିବାକୁ ହେବ ଯେ ଏକ ସୁସ୍ଥ ପ୍ରତିରକ୍ଷା ନିର୍ମାଣ ପରିବେଶ ନିମନ୍ତେ ବୃହତ୍ ଉଦ୍ୟୋଗ ସହିତ କ୍ଷୁଦ୍ର ଓ ମଧ୍ୟମ ନିର୍ମାଣ ଉଦ୍ୟୋଗର ମଧ୍ୟ ଖୁବ୍ ଆବଶ୍ୟକତା ରହିଛି । ଆମର ଷ୍ଟାର୍ଟ ଅପ୍ ଗୁଡିକ ପରିବର୍ତନଶୀଳ ସମୟ ସହିତ ତାଳ ଦେଇ ଦୃତ ପରିବର୍ତନ ନିମନ୍ତେ ଆବଶ୍ୟକ ଅଭିନବତା ଆମକୁ ପ୍ରଦାନ କରୁଛନ୍ତି, ଆମର ପ୍ରତିରକ୍ଷା ପ୍ରସ୍ତୁତି କ୍ଷେତ୍ରରେ ମଧ୍ୟ ଆମକୁ ଆଗରେ ରହିବାରେ ସହାୟତା ଯୋଗାଉଛନ୍ତି । ଏମଏସଏମଇଗୁଡିକ ମଧ୍ୟ ସମ୍ପୁର୍ଣ୍ଣ ନିର୍ମାଣ କ୍ଷେତ୍ରର ମେରୁଦଣ୍ଡ ସଦୃଶ କାର୍ଯ୍ୟ କରୁଛନ୍ତି । ଆଜି ଯେଉଁସବୁ ସଂସ୍କାର ଅଣାଯାଉଛି, ସେଥିରେ ଏମଏସଏମଇଗୁଡିକୁ ଅଧିକ ସ୍ୱାଧୀନତା ମିଳୁଛି, ସେମାନଙ୍କ ସମ୍ପ୍ରସାରଣ ପାଇଁ ପ୍ରୋତ୍ସାହନ ମଧ୍ୟ ଯୋଗାଇ ଦିଆଯାଉଛି ।
ଏହି ଏମଏସଏମଇଗୁଡିକ ମଧ୍ୟମ ଓ ବୃହତ୍ ନିର୍ମାଣ ସଂସ୍ଥାକୁ ସହାୟତା ଯୋଗାଇ ଦେଉଛନ୍ତି, ଯାହା ସମଗ୍ର ପରିବେଶକୁ ଆଗ୍ନେୟ ଶକ୍ତିଯୁକ୍ତ କରୁଛି । ଏହି ନୂତନ ବିଚାରଧାରା ଓ ନୂତନ ଆଭିମୁଖ୍ୟ ଆମ ଦେଶର ଯୁବପିଢୀ ପାଇଁ ମଧ୍ୟ ମହତ୍ୱପୂର୍ଣ୍ଣ ଅଟେ । ଆଇଡିଇଏକ୍ସ ଭଳି ମଂଚ ଆମର ଷ୍ଟାର୍ଟ ଅପ୍ କମ୍ପାନୀ ଏବଂ ଯୁବ ଉଦ୍ୟମୀମାନଙ୍କୁ ଏ ଦିଗରେ ପ୍ରୋତ୍ସାହନ ଯୋଗାଇ ଦେଉଛନ୍ତି । ଆଜି ଦେଶରେ ଯେଉଁ ପ୍ରତିରକ୍ଷା କରିଡର ନିର୍ମାଣ କରାଯାଉଛି, ସେସବୁ ମଧ୍ୟ ସ୍ଥାନୀୟ ଉଦ୍ୟମୀ, ସ୍ଥାନୀୟ ନିର୍ମାଣକୁ ସହାୟତା ପ୍ରଦାନ କରୁଛି । ଅର୍ଥାତ୍ ଆଜି ଆମର ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରତାକୁ ‘ଯବାନ ବି ଏବଂ ଯୁବକ ବି’, ଏହି ଦୁଇ ଗୋଷ୍ଠୀର ସଶକ୍ତିକରଣ ରୂପରେ ଆମକୁ ଦେଖୁବାକୁ ପଡିବ ।
ବନ୍ଧୁଗଣ,
ଗୋଟିଏ ସମୟ ଥିଲା ଯେତେବେଳେ ଦେଶର ସୁରକ୍ଷା ଜଳ, ସ୍ଥଳ ଓ ଆକାଶର ସୁରକ୍ଷା ମଧ୍ୟରେ ହିଁ ସିମୀତ ଥିଲା । ଏବେ ସୁରକ୍ଷାର ପରିସର, ଜୀବନର ପ୍ରତ୍ୟେକ କ୍ଷେତ୍ର ସହିତ ଯୋଡି ହୋଇ ଯାଇଛି । ଏବଂ ଏହାର ହୁତ ବଡ କାରଣ ହେଉଛି ଆତଙ୍କବାଦ ଭଳି ଘଟଣା । ଏହି ପ୍ରକାର ସାଇବର ଆକ୍ରମଣ ଭଳି ନୂଆ ବିପତି କ୍ଷେତ୍ର ଉନ୍ମୁକ୍ତ ହୋଇଯାଇଛି ଯାହା ସୁରକ୍ଷାର ଦୃଷ୍ଟିକୋଣକୁ ସମ୍ପୁର୍ଣ୍ଣ ରୂପେ ବଦଳାଇ ଦେଇଛି । ଗୋଟିଏ ଯୁଗ ଥିଲା ଯେତେବେଳେ ସୁରକ୍ଷା ନିମନ୍ତେ ବଡ ବଡ ଅସ୍ତ୍ରଶସ୍ତ୍ର ଆମଦାନୀ କରିବାକୁ ପଡୁଥିଲା । ଏବେ ଗୋଟିଏ ଛୋଟ ଘର ଭିତରେ, ଛୋଟିଆ କମ୍ପ୍ୟୁଟରରୁ ମଧ୍ୟ ଦେଶର ସୁରକ୍ଷାର ଏକ କ୍ଷେତ୍ରକୁ ସମ୍ଭାଳିବାକୁ ପଡିବ, ଏହିଭଳି ପରିସ୍ଥିତି ଉପନୀତ ହୋଇସାରିଛି । ଏବଂ ଏଥିପାଇଁ ଆମକୁ ପରମ୍ପରାଗତ ପ୍ରତିରକ୍ଷା ଉପକରଣ ସହିତ ଏକବିଂଶ ଶତାଦ୍ଦୀର ଜ୍ଞାନକୌଶଳ ଏବଂ ସେହି ଜ୍ଞାନକୌଶଳ ଦ୍ୱାରା ପରିଚାଳିତ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆମକୁ ଏକ ଭବିଷ୍ୟୋନ୍ମୁଖୀ ଲକ୍ଷ୍ୟ ସହିତ କାର୍ଯ୍ୟ କରିବାକୁ ପଡିବ । ଏବଂ ଏବେ ହିଁ ପୁଞ୍ଜିନିବେଶ କରିବାକୁ ପଡିବ ।
ଏଥିପାଇଁ ଆଜି ଏକଥା ମଧ୍ୟ ଜରୁରୀ ଯେ ଆମର ଉଚ୍ଚଶିକ୍ଷା ପ୍ରଦାନକାରୀ ପ୍ରତିଷ୍ଠାନଗୁଡିକରେ, ଗବେଷଣା ପ୍ରତିଷ୍ଠାନଗୁଡିକରେ, ବିଶ୍ୱବିଦ୍ୟାଳୟରେ, ଆମର ଶୈକ୍ଷିକ ଜଗତରେ ପ୍ରତିରକ୍ଷା ସହ ଜଡିତ, ପ୍ରତିରକ୍ଷା କୌଶଳ ସହ ଜଡିତ ପାଠ୍ୟକ୍ରମରେ ମଧ୍ୟ ଦକ୍ଷତା ବିକାଶ, ମାନବ ସମ୍ବଳ ବିକାଶ ଏସବୁ ଉପରେ ମଧ୍ୟ ଧ୍ୟାନ ଦେବାକୁ ପଡିବ । ଗବେଷଣା ଓ ନବସୃଜନ ପ୍ରତି ମଧ୍ୟ ଧ୍ୟାନ ଦେବାକୁ ପଡିବ । ଏହି ପାଠ୍ୟକ୍ରମଗୁଡିକୁ ଭାରତର ଆବଶ୍ୟକତା ଅନୁଯାୟୀ ପ୍ରସ୍ତୁତ କରିବା ସମୟର ଆହ୍ୱାନ ଅଟେ । ଏଥିପାଇଁ ପାରମ୍ପରିକ ପ୍ରତିରକ୍ଷା ପାଇଁ ଯେପରି ଜଣେ ପୋଷାକଧାରୀ ଯବାନ ଥାଆନ୍ତି, ସେହିଭଳି ଏହି ଶୈକ୍ଷିକ ଜଗତର ବ୍ୟକ୍ତି, ଗବେଷଣା କରୁଥିବା ବ୍ୟକ୍ତି, ସୁରକ୍ଷା ବିଶେଷଜ୍ଞମାନଙ୍କୁ ମଧ୍ୟ ଦେଖିବାକୁ ପଡିବ । ଆମକୁ ଏହି ଆବଶ୍ୟକତାକୁ ହୃଦୟଙ୍ଗମ କରି ମଧ୍ୟ ପଦକ୍ଷେପ ନେବାକୁ ପଡିବ । ମୁଁ ଆଶାକରୁଛି, ଏବେ ଆପଣମାନେ ଏହି ଦିଗରେ ଆଗକୁ ବଢିବେ ।
ବନ୍ଧୁଗଣ,
ମୁଁ ପ୍ରତିରକ୍ଷା ମନ୍ତ୍ରଣାଳୟ ଏବଂ ଆପଣ ସମସ୍ତଙ୍କୁ ଅନୁରୋଧ କରିବି ଯେ ଆଜିର ଏହି ଆଲୋଚନା ଆଧାରରେ ଏକ ସମୟାନୁବର୍ତୀ ଯୋଜନା ଏବଂ ଏକ ଉପଯୁକ୍ତ କାର୍ଯ୍ୟଖସଡା ପ୍ରସ୍ତୁତ କରାଯାଉ ଏବଂ ତାକୁ ଉଭୟ ସରକାର ଓ ବେସରକାରୀ ସଂସ୍ଥାର ଭାଗିଦାରୀରେ କାର୍ଯ୍ୟକାରୀ କରାଯାଉ । ଆପଣମାନଙ୍କ ଚର୍ଚ୍ଚା, ଆପଣମାନଙ୍କ ପରାମର୍ଶ, ଦେଶକୁ ପ୍ରତିରକ୍ଷା କ୍ଷେତ୍ରରେ ନୂତନ ଶିଖରରେ ପହଂଚାଉ, ଏହି କାମନା ସହିତ ମୁଁ ଆଜିର ଏହି ୱେବିନାର ପାଇଁ, ଆପଣଙ୍କ ମହତ ବିଚାର ପାଇଁ ଏବଂ ଦେଶକୁ ସୁରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର କରିବା ପାଇଁ ନେଇଥିବା ସଙ୍କଳ୍ପ ନିମନ୍ତେ ଅଶେଷ ଅଶେଷ ଶୁଭକାମନା ଦେଉଛି ।
ବହୁତ ବହୁତ ଧନ୍ୟବାଦ ।