ମହାମହିମ, ଇସ୍ରାଏଲର ପ୍ରଧାନମନ୍ତ୍ରୀ ଶ୍ରୀମାନ ବେଞ୍ଜାମିନ ନେତାନ୍ୟାହୁ,
ଶ୍ରୀମତୀ ସାରା ନେତାନ୍ୟାହୁ,
ଗୁଜରାଟର ମୁଖ୍ୟମନ୍ତ୍ରୀ ଶ୍ରୀମାନ ବିଜୟ ରୂପାଣୀ ମହାଶୟ,
ଉପମୁଖ୍ୟମନ୍ତ୍ରୀ ଶ୍ରୀ ନିତିନ ପଟେଲ ମହାଶୟ,
ଆଇ-କ୍ରିଏଟ ସହିତ ଯୋଡ଼ି ହୋଇଥିବା ସମସ୍ତ ବୁଦ୍ଧିଜୀବୀ, ନବସୃଜନକାରୀ, ଗବେଷକ ଛାତ୍ର, ଅଧିକାରୀବୃନ୍ଦ ଏବଂ ଏଠାରେ ଉପସ୍ଥିତ ଭାଇ ଓ ଭଉଣୀମାନେ ଏବଂ ମୋର ଯୁବକ ବନ୍ଧୁଗଣ ।
ମୁଁ ଖୁସି ଅନୁଭବ କରୁଛି କି ଆଜି ଇସ୍ରାଏଲର ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ଦେଶର ଯୁବ ନବସୃଜନକାରୀମାନଙ୍କୁ ସମର୍ପିତ ଏହି ସଂସ୍ଥାନର ଲୋକାର୍ପଣ ହେଉଛି । ମୁଁ ଶ୍ରୀ ନେତାନ୍ୟାହୁଙ୍କ ନିକଟରେ ବହୁତ କୃତଜ୍ଞ । ସେ ଗୁଜରାଟ ଆସିବାର ନିମନ୍ତ୍ରଣ ସ୍ୱୀକାର କଲେ ଆଉ ପରିବାର ସହିତ ଆସିଲେ । ଏହି କାର୍ଯ୍ୟକ୍ରମକୁ ଆସିବା ପୂର୍ବରୁ ଆମେ ସାବରମତୀ ଆଶ୍ରମ ଯାଇଥିଲୁ, ଯେଉଁଠାରେ ପୂଜ୍ୟ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଦେବାର ସୁଯୋଗ ମିଳିଲା ।
ଯେତେବେଳେ ମୁଁ ଗତବର୍ଷ ଇସ୍ରାଏଲ ଯାଇଥିଲି, ସେତେବେଳେ ଏହି ମନୋଭାବ ନେଇ କରି ଯାଇଥିଲି ଏହି ସଂସ୍ଥାର ଇସ୍ରାଏଲ ସହିତ ଆହୁରି ଅଧିକ ଦୃଢ଼ ସମ୍ପର୍କ ହେବା ଦରକାର, ଆଉ ସେତେବେଳରୁ ହିଁ ମୁଁ ମୋର ବନ୍ଧୁ ଶ୍ରୀ ନେତାନ୍ୟାହୁଙ୍କ ଭାରତ ଆସିବାର ପ୍ରତିକ୍ଷା କରୁଥିଲି । ମୁଁ ଖୁସି ଯେ ସେ ନା କେବଳ ଗୁଜରାଟ ଆସିଲେ ବରଂ ଆଜି ଆମେ ତାଙ୍କ ଉପସ୍ଥିତିରେ ଏହି ସଂସ୍ଥାର କେମ୍ପସ୍ କୁ ଲୋକାର୍ପଣ କରୁଛେ । ମୁଁ ଶ୍ରୀ ନେତାନ୍ୟାହୁ ଏବଂ ତାଙ୍କ ସହିତ ପ୍ରତିନିଧି ମଣ୍ଡଳୀରେ ଆସିଥିବା ଅନ୍ୟ ସଦସ୍ୟଙ୍କୁ ଆଉ ଥରେ ସ୍ୱାଗତ କରୁଛି ଏବଂ ସେମାନଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରୁଛି ।
ଆଜି ଆମେ ଯେତେବେଳେ ଏହି ଆଇ-କ୍ରିଏଟ ଲୋକାର୍ପଣ କରୁଛେ ତ ମୁଁ ସ୍ୱର୍ଗୀୟ ପ୍ରଫେସର ଏନ.ବି.ବସାନୀଙ୍କୁ ସ୍ୱରଣ କରିବାକୁ ଚାହିଁବି । ମୋର ସ୍ପଷ୍ଟଭାବେ ମନେ ଅଛି କି ଯେତେବେଳେ ଏଠାରେ ଆଇ-କ୍ରିଏଟର ପରିକଳ୍ପନା କରାଗଲା ତ ତାହାକୁ ସମ୍ପୁର୍ଣ୍ଣ ସ୍ୱରୂପ ଦେବାର ଦାୟିତ୍ୱ ପ୍ରାରମ୍ଭରେ ପ୍ରଫେସର ବସାନୀଙ୍କ ପାଖକୁ ଆସିଥିଲା । କିନ୍ତୁ ଦୁର୍ଭାଗ୍ୟବଶତଃ ଦୀର୍ଘ ସମୟ ପର୍ଯ୍ୟନ୍ତ ସେ ଅଚେତ ରହିଲେ, ଆମକୁ ଛାଡ଼ି ଚାଲିଗଲେ । ଆଜି ସେ ଆମମାନଙ୍କ ମଧ୍ୟରେ ନାହାଁନ୍ତି, କିନ୍ତୁ ପ୍ରାରମ୍ଭିକ ସମୟରେ ତାଙ୍କର ଯେଉଁ ପ୍ରୟାସ ଥିଲା ଆଉ ପରବର୍ତ୍ତୀ ସମୟରେ କାର୍ଯ୍ୟକ୍ରମ ଯୋଡି ହୋଇଗଲା କି ଆଜି ଆମେ ସମସ୍ତେ ଆଇ-କ୍ରିଏଟକୁ ଏହି ଭବ୍ୟ ରୂପରେ ଦେଖିପାରୁଛେ ।
କୃଷକ ଏକ ଛୋଟିଆ ଚାରା ଲଗାଇଥାଏ ତ ଆଗାମୀ କେତେ ପିଢି ସେହି ବିଶାଳ ବୃକ୍ଷର ଫଳ ପାଇ ଚାଲନ୍ତି ଆଉ କୃଷକର ଆତ୍ମା ଯେ କୌଣସି ଜାଗାରେ ଥାଏ, ଏହା ଦେଖିକରି ନିଶ୍ଚିତ ଭାବେ ଆନନ୍ଦିତ ହୋଇଥାଏ । ଆଜି ଆଇ-କ୍ରିଏଟର ଲୋକାର୍ପଣରେ ଆମ ସମସ୍ତେ ସେହି ଖୁସି ଅନୁଭବ କରିପାରୁଛେ କି ଯେଉଁ ଛୋଟିଆ ଚାରା ଲାଗିଥିଲା, ଆଜି ତାହା ବଟବୃକ୍ଷ ଭାବେ ଉଭା ହୋଇଥିବା ଦେଖିବାକୁ ମିଳୁଛି ।
କୌଣସି ଅନୁଷ୍ଠାନର ମହତ୍ୱ ତାହାର ଜନ୍ମ ସମୟରେ ଆକଳନ କରାଯାଇ ନପାରେ । ଆମେ ସମସ୍ତେ ଜାଣୁ କି ଆଜି ଭାରତ ନୁହେଁ, ସମଗ୍ର ବିଶ୍ୱରେ ଔଷଧ କ୍ଷେତ୍ରରେ ଭାରତର ଗୁଜରାଟର ନାଁ ରହିଛି, ଗୁଜରାଟୀମାନଙ୍କର ନାଁ ରହିଛି । କିନ୍ତୁ ବହୁତ କମ ଲୋକଙ୍କୁ ଏହାର ପୃଷ୍ଠଭୂମି କଥା ଜଣାଥିବ । ଆଜିଠାରୁ ପାଖାପାଖି 50-60 ବର୍ଷ ପୂର୍ବେ ଅହମ୍ମଦାବାଦର କିଛି ଦୂରଦ୍ରଷ୍ଟା ଉଦ୍ୟୋଗପତିଙ୍କ ପ୍ରୟାସରେ ଗୋଟିଏ ଫାର୍ମାସୀ କଲେଜ ପ୍ରାରମ୍ଭ ହୋଇଥିଲା, ତାହାର ଶୁଭାରମ୍ଭ ହୋଇଥିଲା; ଆଉ ତାହା ଦେଶର ପ୍ରଥମ ଫାର୍ମାସୀ କଲେଜ ଥିଲା । ଆଉ ସେହି ଫାର୍ମାସୀ କଲେଜ ଅହମ୍ମଦାବାଦ ଆଉ ସଂପୂର୍ଣ୍ଣ ଗୁଜରାଟରେ ଫାର୍ମାସୀ କ୍ଷେତ୍ରରେ ଏକ ସୁନ୍ଦର ବାତାବରଣ ଠିଆ କରିଦେଲା । ଆମେ ସମସ୍ତେ ଏହି ଆଶା ଆଇ-କ୍ରିଏଟ ଆଉ ଏଠାରୁ ବାହାରୁଥିବା ମୋର ଯୁବକଙ୍କଠାରୁ, ବିଦ୍ୟାର୍ଥୀମାନଙ୍କଠାରୁ ଆଜି ଦେଶ ଆଶା ରଖୁଛି କି ସେମାନେ ନବସୃଜନ କ୍ଷେତ୍ରରେ ଭାରତର ନାମ ସମଗ୍ର ବିଶ୍ୱରେ ଉଜ୍ଜ୍ୱଳ କରିବେ ।
ମୋର ମନେ ଅଛି ଯେତେବେଳେ କିଛି ବର୍ଷ ପୂର୍ବରୁ ଆଇ-କ୍ରିଏଟ ଆରମ୍ଭ କରାଯାଇଥିଲା ତ ସେହି ସମୟରେ ମଧ୍ୟ ମୁଁ କହିଥିଲି କି ଇସ୍ରାଏଲକୁ ଆଇ-କ୍ରିଏଟ ସହିତ ଯୋଡ଼ିବାକୁ ଚାହୁଁଛି । ମୋର ଉଦ୍ଦେଶ୍ୟ ଏହା ଥିଲା କି ଇସ୍ରାଏଲର ଅନୁଭବର ଲାଭ, ତାହାର ଷ୍ଟାର୍ଟଅପ୍ ପରିବେଶର ଲାଭ ଏହି ସଂସ୍ଥାନକୁ, ଦେଶର ଯୁବକମାନଙ୍କୁ ମିଳୁ । ଇସ୍ରାଏଲର କୌଶଳ ସୃଜନଶୀଳତା ସମଗ୍ର ବିଶ୍ୱକୁ ପ୍ରଭାବିତ କରିଥାଏ; ବିଶେଷ କରି ଏଭଳି କ୍ଷେତ୍ର ଯାହା ଭାରତର ଆବଶ୍ୟକତା ସହ ଜଡ଼ିତ, ସେଥିରେ ଇସ୍ରାଏଲ ସହିତ ଜଡ଼ିତ ହୋଇ ଭାରତର ନିବେଶକ ମଧ୍ୟ ଲାଭ ଉଠାଇ ପାରିବେ ।
ଜଳ ସଂରକ୍ଷଣ, କୃଷି ଉତ୍ପାଦନ, କୃଷି ଉତ୍ପାଦର ଦୀର୍ଘ ସମୟ ପର୍ଯ୍ୟନ୍ତ ରକ୍ଷଣାବେକ୍ଷଣ, ଖାଦ୍ୟ ପ୍ରକ୍ରିୟାକରଣ, ମରୁଭୂମିର ଖୁବ କମ୍ ପାଣି ଥିବା ଅଂଚଳରେ ଚାଷ, ସାଇବର ସୁରକ୍ଷା–ଏଭଳି କେତେ ହିଁ ବିଷୟ ରହିଛି, ଯେଉଁଥିରେ ଭାରତ ଆଉ ଇସ୍ରାଏଲର ସହଭାଗିତା ରହିପାରେ ।
ସାଥୀଗଣ, ଇସ୍ରାଏଲର ଲୋକମାନେ ସମଗ୍ର ଦୁନିଆରେ ପ୍ରମାଣିତ କରିଛନ୍ତି ଯେ ଦେଶର ଆକାର ନୁହେଁ, ଦେଶବାସୀଙ୍କର ସଂକଳ୍ପ ଦେଶକୁ ଆଗକୁ ନେଇଯାଏ, ଉପରକୁ ଉଠାଏ ।
ମୋତେ ଥରେ ଇସ୍ରାଏଲର ପୂର୍ବ ରାଷ୍ଟ୍ରପତି ଏବଂ ମହାନ ରାଜନୀତିଜ୍ଞ, ଶ୍ରୀମାନ ଶିମୋନ ପେରେଜଙ୍କ ସହିତ ସାକ୍ଷାତ କରିବାର ସୌଭାଗ୍ୟ ପ୍ରାପ୍ତ ହୋଇଥିଲା ଆଉ ତାଙ୍କର ଗୋଟିଏ କଥା ଆଜି ମଧ୍ୟ ମୋର ମନେ ଅଛି । ଶ୍ରୀମାନ ଶିମୋନ ପେରେଜ କହୁଥିଲେ, “ଆମେ ପ୍ରମାଣିତ କରିଦେବୁ ଯେ ନବସୃଜନର କୌଣସି ସୀମା ନାହିଁ ଏବଂ ପ୍ରତିବନ୍ଧକ ନାହିଁ । ନବସୃଜନ ରାଷ୍ଟ୍ର ଏବଂ ବ୍ୟକ୍ତି ମଧ୍ୟରେ ଆଲୋଚନାକୁ ସମ୍ଭବ କରିଥାଏ ।” ତାଙ୍କର ଏହି କଥା ଆଜି 100 ପ୍ରତିଶତ ସତ ପ୍ରମାଣିତ ହୋଇଛି । ଭାରତ ଏବଂ ଇସ୍ରାଏଲର ଲୋକମାନଙ୍କୁ ଆହୁରି ନିକଟକୁ ଆଣିବାରେ ନବସୃଜନର ବହୁତ ବଡ଼ ଭୂମିକା ରହିଛି ।
ଭାଇ ଓ ଭଉଣୀମାନେ, ଶ୍ରୀମାନ ଶିମୋନ ପେରେଜ କହିଥିବା ଆଉ ଗୋଟିଏ କଥାକୁ ମୁଁ ଆଜି ଦୋହରାଇବାକୁ ଚାହୁଁଛି । ସେ କହୁଥିଲେ, “ଯେତେ ବଡ଼ ସ୍ୱପ୍ନ ହେବ, ତା’ର ଫଳାଫଳ ମଧ୍ୟ ସେତିକି ବଡ଼ ହେବ ।” ଇସ୍ରାଏଲର ଏହି ଚିନ୍ତାଧାରା ନୋବେଲ ପୁରସ୍କାର ସହିତ ତାହାର ସମ୍ବନ୍ଧକୁ ଦୃଢ଼ କରୁଛି । ଇସ୍ରାଏଲର ବୈଜ୍ଞାନିକଙ୍କୁ ଭିନ୍ନ-ଭିନ୍ନ କ୍ଷେତ୍ରରୁ ମିଳିଥିବା ନୋବେଲ ପୁରସ୍କାର ହେଉଛି ଏହି କଥାର ପ୍ରମାଣ ।
ଭାଇ ଓ ଭଉଣୀମାନେ, ପ୍ରସିଦ୍ଧ ବୈଜ୍ଞାନିକ ଆଲବର୍ଟ ଆଇନଷ୍ଟାଇନଙ୍କର ସେତିକି ହିଁ ପ୍ରସିଦ୍ଧ କଥା ରହିଛି “କଳ୍ପନା ହେଉଛି ଜ୍ଞାନ ଅପେକ୍ଷା ମହତ୍ୱପୂର୍ଣ୍ଣ ।” ଏହି କଳ୍ପନା-ଏଇ ସ୍ୱପ୍ନ, ଏହି କଳ୍ପନା ହିଁ ଆମକୁ ନୂତନ ଶିଖରକୁ ନେଇଯାଏ । ଏହି ସ୍ୱପ୍ନଗୁଡ଼ିକୁ, ଆଉ ଏହି ସ୍ୱପ୍ନଗୁଡ଼ିକୁ କେବେ ହେଲେ ମଧ୍ୟ ମରିବାକୁ ଦେବା ନାହିଁ । ଏହି ସ୍ୱପ୍ନଗୁଡ଼ିକୁ କେବେ ହେଲେ ସ୍ଥାଣୁ ହେବାକୁ ଦେବା ନାହିଁ । ପିଲାମାନଙ୍କର ଜିଜ୍ଞାସୁ ମନୋବୃତ୍ତି ପୋଷଣର ଦାୟିତ୍ୱ ହେଉଛି ଆମ ସମସ୍ତଙ୍କର । ସଙ୍କୋଚ, ଏ ହେଉଛି ନବସୃଜନର ଶତ୍ରୁ । ଆପଣ ଆପଣଙ୍କ ଆଖପାଖରେ ଛୋଟ ପିଲାମାନଙ୍କୁ ଧ୍ୟାନର ସହ ଦେଖନ୍ତୁ । ଯଦି ଆପଣ ତାଙ୍କୁ କହିବେ କି ଶୀଘ୍ର ଶୋଇବାର ଅଛି, ସେ ସଙ୍ଗେସଙ୍ଗେ ପଚାରନ୍ତି, କାହିଁକି ଶୋଇବା ଦରକାର? ଯଦି ଆପଣ ତାଙ୍କୁ କହିବେ କି ମୋତେ ଏହି ସଙ୍ଗୀତ ପସନ୍ଦ ତ ସେ ସଙ୍ଗେସଙ୍ଗେ ପଚାରନ୍ତି, ଆପଣଙ୍କୁ ଏହି ସଙ୍ଗୀତ କାହିଁକି ପସନ୍ଦ? ଥରେ ଗଣିତର ଗୋଟିଏ ଶ୍ରେଣୀରେ ଅଧ୍ୟାପକ ବୁଝାଇଲେ କି ଯଦି ତିନୋଟି ଫଳ ଅଛି ଆଉ ତିନି ଜଣ ଛାତ୍ରଙ୍କୁ ଦିଆଯାଏ ତ ପ୍ରତ୍ୟେକଙ୍କୁ ଗୋଟିଏ ଫଳ ମିଳିବ, ଆଉ ଯଦି ଛଅଟି ଫଳ ଅଛି ଆଉ ଛଅଜଣ ଛାତ୍ରଙ୍କୁ ଦିଆଯାଏ, ତା’ହେଲେ ମଧ୍ୟ ପ୍ରତ୍ୟେକଙ୍କୁ ଗୋଟିଏ ଫଳ ମିଳିବ । ପୁଣି ଶିକ୍ଷକ କହିଲେ କି ଅର୍ଥାତ ଯେତିକି ଫଳ ଥିବ ସେତିକି ହିଁ ଛାତ୍ର ଥିବେ ତ ପ୍ରତ୍ୟେକଙ୍କୁ ଗୋଟିଏ ଫଳ ମିଳିବ । ସେତିକି ବେଳେ ଗୋଟିଏ ଛାତ୍ର ଠିଆ ହେଲା ଆଉ ସେ ଶିକ୍ଷକଙ୍କ ଆଖିରେ ଆଖି ମିଶାଇ ତାଙ୍କୁ ପଚାରିଲା କି ଯଦି ଛାତ୍ର ଶୂନ ଅଛନ୍ତି ଆଉ ଫଳ ମଧ୍ୟ ଶୂନ ଅଛି ତା’ହେଲେ ମଧ୍ୟ କ’ଣ ପ୍ରତ୍ୟେକ ଛାତ୍ରଙ୍କୁ ଗୋଟିଏ ଫଳ ମିଳିବ? ଏହା ଶୁଣି ପୂରା ଶ୍ରେଣୀ ହସିବାକୁ ଲାଗି ପଡ଼ିଲେ । ଶିକ୍ଷକ ମଧ୍ୟ ସେହି ପିଲାକୁ ଦେଖିବାକୁ ଲାଗିଲେ । କିନ୍ତୁ ଆପଣ ଜାଣି ଖୁସି ହେବେ ସେହି ପିଲା ଆଉ କେହି ନଥିଲେ । କହନ୍ତି କି ସେ ଛାତ୍ର ଗଣିତର ଜ୍ଞାନୀ, ମହାନ ଜ୍ଞାନୀ, ଶ୍ରୀନିବାସ ରାମାନୁଜନ ଥିଲେ ଆଉ ସେହି ଗୋଟିଏ ପ୍ରଶ୍ନ ଗଣିତର ଏକ ମହତ୍ୱପୂର୍ଣ୍ଣ ପ୍ରଶ୍ନକୁ ସ୍ପଷ୍ଟ କରିଥିଲା ଯେ କ’ଣ ଶୂନକୁ ଶୂନ ସହିତ ହରଣ କଲେ ଉତ୍ତର ଏକ ହୋଇ ପାରିବ କି?
ଆମର ଯୁବକଙ୍କ ପାଖରେ ଶକ୍ତି ମଧ୍ୟ ଅଛି, ଉତ୍ସାହ ମଧ୍ୟ ଅଛି । ତାଙ୍କୁ ଦରକାର ସାମାନ୍ୟ ପ୍ରୋତ୍ସାହନ, ସାମାନ୍ୟ ସହଭାଗିତା, ସମାନ୍ୟ ନେଟୱର୍କ, ସାମାନ୍ୟ ଆନୁଷ୍ଠାନିକ ସହଯୋଗ । ଯେତେବେଳେ ଏହି ଟିକେ-ଟିକେ ଯୁବକମାନଙ୍କ ନବସୃଜନ ଦ୍ୱାରା ମିଳିଥାଏ ତ ବଡ଼-ବଡ଼ ଫଳାଫଳ ମିଳିବା ସୁନିଶ୍ଚିତ ହୋଇଥାଏ । ଆଜି ଆମେ ଦେଶରେ ସମସ୍ତ ବ୍ୟବସ୍ଥାକୁ ନବସୃଜନ ଅନୁକୂଳ କରିବା ଦିଗରେ କାମ କରୁଛୁ । ଆମର ମନ୍ତ୍ର ହେଉଛି ଉତ୍ସୁକତାରୁ ଜନ୍ମ ନେଇଥିବା ବୁଦ୍ଧିମତା, ବୁଦ୍ଧିମତାର ଶକ୍ତିରୁ ସୃଷ୍ଟି ହୋଇଥିବା ଚିନ୍ତାଧାରା, ଚିନ୍ତାଧାରାର ଶକ୍ତିରୁ ହେବ ନବସୃଜନ ଆଉ ନବସୃଜନର ଶକ୍ତିରୁ ତିଆରି ହେବ ଆମର ନିଉ ଇଣ୍ଡିଆ ।
ସାଥୀଗଣ, ପ୍ରତ୍ୟେକ ବ୍ୟକ୍ତିଙ୍କ ମନରେ, ପ୍ରତ୍ୟେକ ଯୁବକଙ୍କ ମନରେ କିଛି ନା କିଛି ନୂଆ କରିବାର, ନବସୃଜନ କରିବାର ଇଚ୍ଛା ହୋଇଥାଏ । ତାହାର ମନରେ ବିଚାର ଆସେ ଆଉ ଚାଲିଯାଏ । ଯେଉଁ ବିଚାର ଆସେ ତାହା ହେଉଛି ଆପଣଙ୍କର ସମ୍ପତ୍ତି । କିନ୍ତୁ ସେହି ବିଚାର ଚାଲିଯିବା, ହଜିଯିବା, କୌଣସି ଧରଣୀ ଉପରେ ନ ଓହ୍ଲାଇବା; ମୁଁ ବୁଝୁଛି ତାହା ସମାଜର, ସରକାରଙ୍କର, ବ୍ୟବସ୍ଥାର ହେଉଛି ଅଭାବ । ମୁଁ ଏହି ବ୍ୟବସ୍ଥାକୁ ପରିବର୍ତ୍ତନ କରୁଛି । ଯୁବକମାନଙ୍କର ଚିନ୍ତାଧାରା ଏମିତି ହିଁ ଶେଷ ହୋଇ ନଯାଉ, ଏହାକୁ ଦେଖିବା ହେଉଛି ଆମ ସମସ୍ତଙ୍କର ଦାୟିତ୍ୱ । ଯୁବକମାନେ ନିଜର ସ୍ୱପ୍ନକୁ ସତ କରି ପାରିବେ, ନିଜର ଶକ୍ତିର ପରିଚୟ ସମଗ୍ର ବିଶ୍ୱକୁ ଦେଇ ପାରିବେ ଆଉ ଏଥିପାଇଁ ସାହାଯ୍ୟକାରୀ ସଂସ୍ଥା ଠିଆ କରିବା, ଏହା ହେଉଛି ସରକାର ଆଉ ସମାଜର ଦାୟିତ୍ୱ । ଏହି ଚିନ୍ତାଧାରା ସହିତ ଏହି ଆଇ-କ୍ରିଏଟର ଜନ୍ମ ହୋଇଛି ।
ମୁଁ ଖୁସି ଯେ ଆଇ-କ୍ରିଏଟ ଦେଶର ଯୁବକମାନଙ୍କୁ ତାଙ୍କର ସ୍ୱପ୍ନ ପୂରଣ କରିବାରେ, ତାଙ୍କର ନବସୃଜନ ଧାରଣାକୁ ସାକାର କରିବା ପାଇଁ ବହୁତ ବଡ଼ ସାହାଯ୍ୟ କରିଛି । ଆଇ-କ୍ରିଏଟର ନବସୃଜନ ଉତ୍ପାଦ ବିଷୟରେ ଯେତେବେଳେ ମୁଁ ଜାଣିଲି, ଆଜି ଦେଖିଲି ମଧ୍ୟ, ମୋତେ ବହୁତ ଆନନ୍ଦ ଲାଗୁଛି । ମୋତେ ଅବଗତ କରାଯାଇଛି କି Bio scan labour କେନ୍ଦ୍ର , spectrums part, Icon ଭଳି ଅନେକ ନବସୃଜନ, ଆଇ-କ୍ରିଏଟ ସାହାଯ୍ୟରେ ସମ୍ଭବ ହୋଇ ପାରିଛି । ଆଉ ସଫଳତାର ପ୍ରଥମ ସର୍ତ୍ତ ହେଉଛି –ସାହସ । ଯିଏ ସାହସ କରିପାରେ ସେ କୌଣସି ମଧ୍ୟ ନିର୍ଣ୍ଣୟ ନେଇ ପାରେ । ଆପଣ ସହମତ ଅଛନ୍ତି ନା ମୋ କଥାରେ? ସହମତ ଅଛନ୍ତି ନା ଯୁବକମାନେ? ଯଦି ସାହସ ନାହିଁ ତ ମଣିଷ ନୀତି ନିଷ୍ପତ୍ତି ନିର୍ଣ୍ଣୟ କରି ପାରି ନଥାଏ । ଆଇକ୍ରିଏଟ ମାଧ୍ୟମରେ ନବସୃଜନ କରୁଥିବା ସାହସୀ ଯୁବକମାନଙ୍କୁ ମୁଁ ବହୁତ-ବହୁତ ଶୁଭେଚ୍ଛା ଜଣାଉଛି ।
ପ୍ରଚଳିତ ପ୍ରଥା ଏବଂ ନବସୃଜନ ମଧ୍ୟରେ ସବୁବେଳେ ଟଣାଓଟରା ଲାଗି ରହିଥାଏ । ଯେତେବେଳେ ମଧ୍ୟ କେହି କିଛି ନୂଆ କରିବାକୁ ଚାହିଁଥାଏ ତ ଗୋଟିଏ ବର୍ଗ ତାହାକୁ ଥଟ୍ଟା କରିଥାଏ, ବିରୋଧ କରିଥାଏ । ଅଧିକାଂଶ ଲୋକ କାଳିଦାସଙ୍କ ‘ମେଘଦୂତ’ ଆଉ ‘ଶକୁନ୍ତଳା’ ବିଷୟରେ ତ ଜାଣନ୍ତି । କିନ୍ତୁ ବହୁତ କମ ଲୋକଙ୍କୁ ଜଣାଥିବ ଯେ କାଳିଦାସ ପ୍ରଚଳିତ ପ୍ରଥା ଏବଂ ନବସୃଜନ ବିଷୟରେ ଗୋଟିଏ ମଜାଦାର କଥା କହିଛନ୍ତି – ମାଳ ବିକ୍ରାଗିନମିତ୍ରମ୍– ଯାହାକୁ ସେ ଲେଖିଛନ୍ତି । ସେହି ମାଳ ବିକ୍ରାଗିନମିତ୍ରମ୍ ରେ କାଳିଦାସ କହିଛନ୍ତି-
ପୁରାଣମିତ୍ୟେବ ନ ସାଧୁ ସର୍ବଂ ନ ଚପି କାବ୍ୟଂ ନବମିତ୍ୟବଦୟମ ।
ସନ୍ଥଃ ପରୀକ୍ଷାନ୍ୟତରୁଦ୍ରଜନ୍ତୋ ମୂଢଃ ପରପ୍ରତ୍ୟୟନେୟବୁଦ୍ଧିଃ । ।
ଅର୍ଥାତ କେବଳ ଏଥିପାଇଁ କୌଣସି ଜିନିଷ ପୁରୁଣା ହୁଏ, ଆବଶ୍ୟକ ନୁହେଁ କି ସେ ଭଲ ହୋଇଥିବ । ଏହି ପ୍ରକାରରେ କୌଣସି ଜିନିଷ ନୂଆ ହୋଇଥିବ ତ ଜରୁରୀ ନୁହେଁ କି ସେ ଖରାପ ହୋଇଥିବ । ବୁଦ୍ଧିମାନ ବ୍ୟକ୍ତି ପ୍ରତ୍ୟକ ଜିନିଷର ଗୁଣ ଆଧାରରେ ତଉଲିଥାଏ ଆଉ ମୁର୍ଖ, ଅନ୍ୟମାନଙ୍କର କହିବା ଆଧାରରେ ନିଜ ମନକୁ ସ୍ଥିର କରିଥାଏ । ଶତାବ୍ଦୀ ପୂର୍ବରୁ କାଳିଦାସ ଏହା କହିଯାଇଛନ୍ତି ଆଉ କେତେ ସୁନ୍ଦର ଭାବେ ପଚଳିତ ପ୍ରଥା ଏବଂ ନବସୃଜନ ମଧ୍ୟରେ ଥିବା ଟଣାଓଟରାର ସମାଧାନ କରି ଦେଇଛନ୍ତି ।
ସାଥୀଗଣ, ଏହା ହେଉଛି ଆମର ବୈଜ୍ଞାନିକଙ୍କ କ୍ଷମତା କି ଯେତେ ଟଙ୍କାରେ ହଲିଉଡରେ ବିଜ୍ଞାନ ଆଧାରିତ କାଳ୍ପନିକ ଚଳଚ୍ଚିତ୍ର ତିଆରି ହେଉଛି, ସେଥିରୁ ମଧ୍ୟ କମ୍ ଅର୍ଥ ଖର୍ଚ୍ଚରେ ଆମେ ବାସ୍ତବ ମଙ୍ଗଳଯାନ, ବାସ୍ତବ ମଙ୍ଗଳଗ୍ରହରେ ମଧ୍ୟ ପଂହଚିଯାଇ ପାରୁଛେ, ତାହା ଆମର ବୈଜ୍ଞାନିକମାନେ ସିଦ୍ଧ କରିଛନ୍ତି । ଏବେ ଚାରି ଦିନ ପୂର୍ବରୁ ହିଁ ଇସ୍ରୋ ଉପଗ୍ରହ ଉତକ୍ଷେପଣ କ୍ଷେତ୍ରରେ ଶତକ ହାସଲ କରିଛନ୍ତି, ଆଉ ଏଭଳି ସଫଳତା ଏପରି ହିଁ ଆସି ନଥାଏ । ଏହା ପଛରେ ନିଷ୍ଠା ଦରକାର, ପରିଶ୍ରମ ଦରକାର, ଯେଉଁ ସ୍ୱପ୍ନର ଉଚ୍ଚତାକୁ ଉଡିବା ଦରକାର, ସେହି ଉର୍ଜ୍ଜା ଭାରତୀୟ ଯୁବକଙ୍କ ଭିତରେ ଖୁନ୍ଦି ହୋଇ ରହିଛି ଆଉ ଏହା ମୁଁ ଦିନ-ରାତି ଅନୁଭବ କରୁଛି ।
ଭାଇ ଓ ଭଉଣୀମାନେ, ଆପଣମାନେ ଦେଖିଛନ୍ତି ଆଇ-କ୍ରିଏଟର ଯେଉଁ ‘ଆଇ’ ରହିଛି ତାହା ଛୋଟ ଅକ୍ଷରରେ ରହିଛି । ଯେତେବେଳେ ଆଇ-କ୍ରିଏଟର ନାମ ସ୍ଥିର ହେଉଥିଲା ତ ଆଇକୁ ଛୋଟ କାହିଁକି ରଖାଗଲା, ତାହା ପଛରେ ଏକ କାରଣ ରହିଛି । ସାଥୀଗଣ, ସୃଜନଶୀଳତାର ସବୁଠାରୁ ବଡ଼ ପ୍ରତିବନ୍ଧକ ହୋଇଥାଏ ଆଇ ବଡ଼ ହେବା । ସୃଜନଶୀଳତା ସହିତ ଯଦି ଆଇ କେପିଟାଲ(ବଡ଼ ଅକ୍ଷର) ହୋଇଥାଏ, ବଡ଼ ହୋଇଥାଏ, ତ ତାହାର ଅର୍ଥ ହେଉଛି ଅହମ୍ ଆଉ ଅହଂକାର ପ୍ରତିବନ୍ଧକ ସାଜି ଆସିଥାଏ ଆଉ ଏଥିପାଇଁ ଆରମ୍ଭରୁ ହିଁ ଏହି ସଂସ୍ଥାକୁ, ଏଠାର ସୃଜନଶୀଳତାକୁ ଅହମ୍ ଆଉ ଅହଂକାରରୁ ମୁକ୍ତ ରଖାଯାଇଛି । କିନ୍ତୁ ଏଥିରେ ଆଉ ଗୋଟିଏ କଥା ମହତ୍ୱପୂର୍ଣ୍ଣ ଥିଲା । ସୃଜନଶୀଳତାର ଆରମ୍ଭ ଛୋଟ ଆଇରୁ ହେଲା କିନ୍ତୁ ସ୍ୱପ୍ନ ବଡ଼ ଆଇ ର ରଖାଗଲା ଅର୍ଥାତ ବ୍ୟକ୍ତିଗତରୁ ଆରମ୍ଭ କରି ଆଇ ରୁ ଇଣ୍ଡିଆ ପର୍ଯ୍ୟନ୍ତ ପହଂଚିବା । ଆମର ଲକ୍ଷ୍ୟ ଥିଲା ଛୋଟ ଆଇରୁ ବଡ଼ ଆଇ ପର୍ଯ୍ୟନ୍ତ ବହୁତ ବଡ଼ ଲମ୍ଫ ଲଗାଇବା । ଗୋଟିଏ ମଣିଷରୁ ଆରମ୍ଭ ହୋଇ ସମଗ୍ର ହିନ୍ଦୁସ୍ଥାନରେ ଖେଳାଇ ହୋଇଯିବା ।
ଆଜି ଆବଶ୍ୟକତା ହେଉଛି କି ଆମର ଯୁବକ ଦେଶର ସାମ୍ନାରେ ଛୋଟ ସମସ୍ୟାଗୁଡ଼ିକରୁ ମୁକ୍ତି ପାଇଁ ନବସୃଜନ କରିବା । ନିର୍ବିକାର ଭାବେ ନବସୃଜନ ହେବା ଦରକାର । ସାଧାରଣ ମନୁଷ୍ୟର ଜୀବନରେ ଗୁଣବତାକୁ ଅତି କମ୍ ଖର୍ଚ୍ଚରେ କିଭଳି ଉନ୍ନତ କରାଯାଇ ପାରୁଛି, ଏଥିପାଇଁ ନବସୃଜନ କରନ୍ତୁ । ଯଦି ମ୍ୟାଲେରିଆ ବିପଦଜ୍ଜନକ ହେଉଛି ତ ଆମକୁ ଆବିଷ୍କାର କରିବାକୁ ପଡ଼ିବ-ମ୍ୟାଲେରିଆରେ ଗରିବରୁ ଗରିବ ପରିବାର କିଭଳି ରକ୍ଷା ପାଇବେ? ଏଭଳି କେଉଁ ପ୍ରକାରର ବ୍ୟବସ୍ଥା ଠିଆ କରାଇବା? ଯଦି ଟିବି ଦ୍ୱାରା ଅସୁବିଧା ହେଉଛି, ଯଦି ରକ୍ତହୀନତା ଯୋଗୁଁ ଅସୁବିଧା ହେଉଛି, ଯଦି ଅପରିଷ୍କାର ଯୋଗୁଁ ଅସୁବିଧା ହେଉଛି । ଆମେ ଆବର୍ଜନା ଦେଖୁଛେ, ଖାଦ୍ୟ ନଷ୍ଟ ହେବା ଦେଖୁଛେ, କୃଷି ଉତ୍ପାଦନ ନଷ୍ଟ ହେବା ଦେଖୁଛେ । ମୁଁ ବୁଝି ପାରୁଛି କି ଏହି ସମସ୍ୟାଗୁଡ଼ିକର ସମାଧାନ ପାଇଁ ନବସୃଜନ ହେବା ଆବଶ୍ୟକ ।
ଆଜି ଦେଶରେ ସ୍ୱଚ୍ଛଭାରତର ଏକ ବହୁତ ବଡ଼ ଅଭିଯାନ ଚାଲୁ ରହିଛି । ସ୍ୱଚ୍ଛତାକୁ ନେଇ କରି କ’ଣ ଆମେ ନୂଆ-ନୂଆ ନବସୃଜନ କରି ପାରିବା କି? ଆବର୍ଜନାରୁ ସମ୍ପଦ, ଏହି ଗୋଟିଏ ବିଷୟରେ ନବସୃଜନର ଅପାର ସମ୍ଭାବନା ରହିଛି । ଦେଶରେ ନବସୃଜନ, ସୃଜନଶୀଳତା, ଉଦ୍ୟୋଗୀତା ଏବଂ ଟେକ୍ନୋଲଜିର ଉନ୍ନତି ପାଇଁ ଏହି ପ୍ରକାରର ଦୃଷ୍ଟିକୋଣ ଏବଂ ଆଇ-କ୍ରିଏଟ ଭଳି ସମର୍ପିତ ସଂସ୍ଥାଗୁଡ଼ିକ ହେଉଛି ଦେଶ ପାଇଁ ବହୁତ ଆବଶ୍ୟକ ।
ଏହାକୁ ଧ୍ୟାନରେ ରଖି କେନ୍ଦ୍ର ସ୍ତରରେ ଷ୍ଟାର୍ଟଅପ୍ ଇଣ୍ଡିଆ, ଷ୍ଟାଣ୍ଡ୍ ଅପ୍ ଇଣ୍ଡିଆ, ମୁଦ୍ରା ଭଳି ଅନେକ ଯୋଜନାଗୁଡ଼ିକ ଚାଲୁ ରହିଛି । ସରକାର ଅଟଳ ନବସୃଜନ ମିଶନ ଅଧୀନରେ ସାରା ଦେଶରେ 2,400ରୁ ଅଧିକ ଅଟଳ ଟିଙ୍କରିଂ ଲେବକୁ ମଞ୍ଜୁରି ଦେଇଛୁ । ଆମର ପ୍ରୟାସ ହେଉଛି କି ସ୍କୁଲ ସ୍ତରରୁ ବିଦ୍ୟାର୍ଥୀମାନଙ୍କ ମଧ୍ୟରେ ଯେଉଁ ନବସୃଜନ ଚିନ୍ତାଧାରା ଅଛି, ତାହାକୁ ପୂରଣ କରିବା ପାଇଁ ଆଧୁନିକ ପରିବେଶରେ ନୂତନ ପରୀକ୍ଷଣ କରିବା ପାଇଁ ସାରା ଦେଶରେ ଏକ ଅଭିନବ ମଞ୍ଚ ପ୍ରସ୍ତୁତ କରାଯାଉ ।
ବିଗତ ବର୍ଷ ମୋର ଇସ୍ରାଏଲ ଯାତ୍ରା ସମୟରେ ଆମେ 40 ନିୟୁତ ଆମେରିକୀୟ ଡଲାରର ଏକ ପାଣ୍ଠି ସ୍ଥାପନା କରିଛୁ ଯାହା ଭାରତ ଏବଂ ଇସ୍ରାଏଲର ଏକ ମିଳିତ ଭାଗିଦାରୀ ହେବ । ଏହାଦ୍ୱାରା ଦୁଇ ଦେଶର ବୁଦ୍ଧିମତାକୁ ବୈଷୟିକ ନବସୃଜନ ଦିଗରେ କିଛି ନୂଆ କରିବାରେ ସାହାଯ୍ୟ ମିଳିବ । ଏହି ମିଳିତ ଭାଗିଦାରୀରେ ଖାଦ୍ୟାନ୍ନ, ପାଣି, ସ୍ୱାସ୍ଥ୍ୟ ସେବା ତଥା ଶକ୍ତି କ୍ଷେତ୍ରରେ ବିଶେଷ ଧ୍ୟାନ ଦିଆଯିବ । ଆମେ ମଧ୍ୟ ନବସୃଜନ ସେତୁର ପରିକଳ୍ପନା ମଧ୍ୟ କରିଛୁ । ଯାହା ଦ୍ୱାରା ଦୁଇ ଦେଶର ଷ୍ଟାର୍ଟ ଅପ୍ ମଧ୍ୟରେ ଆଦାନ ପ୍ରଦାନ ହେବ ।
ମୁଁ ଖୁସି ଯେ ଏହି ପ୍ରକ୍ରିୟା ଦ୍ୱାରା ନବସୃଜନ ଆହ୍ୱାନର ମାଧ୍ୟମରେ କିଛି ବିଜେତା ମନୋନୀତ ହୋଇଛନ୍ତି ଆଉ ଆଜି ସେମାନଙ୍କୁ ଷ୍ଟାର୍ଟ ଅପ୍ ପୁରସ୍କାର ମଧ୍ୟ ଦିଆଯାଇଛି । ଏବେ ଆପଣମାନେ ଦେଖିଲେ-ଇସ୍ରାଏଲର ଦଳ ଆଉ ଭାରତର ଦଳ-ଉଭୟ ଏବେ ମଞ୍ଚ ଉପରକୁ ଆସିଥିଲେ । ଭାରତ-ଇସ୍ରାଏଲ ନବସୃଜନ ସେତୁ ହେଉଛି ଏକ ଅନ୍ ଲାଇନ୍ ମଞ୍ଚ । ଆଗାମୀ ଦିନରେ ଦୁଇ ଦେଶର ଷ୍ଟାର୍ଟଅପ୍ ମଧ୍ୟରେ ଏହା ବହୁତ ବଡ଼ ଯୋଗସୂତ୍ର ଭାବେ ବିକଶିତ ହେବ ।
ଦୁଇଦିନ ପୂର୍ବେ ଯେତେବେଳେ ଦିଲ୍ଲୀରେ ଦୁଇ ଦେଶର ସିଇଓ ମାନଙ୍କର ବୈଠକ ଅନୁଷ୍ଠିତ ହେଉଥିଲା, ସେତେବେଳେ ସେଠାରେ ମଧ୍ୟ ଆମେ ଏହି ପ୍ରୟାସକୁ ସମର୍ଥନ ଦେବାକୁ କହିଥିଲୁ । ସାଥୀଗଣ, ଭାରତ ପାଖରେ ଅସୀମିତ ସାମୁଦ୍ରିକ ଶକ୍ତି ରହିଛି । 7,500 କିଲୋମିଟରରୁ ଅଧିକ ଦୀର୍ଘ ଆମର ସମୁଦ୍ର ଉପକୂଳ, 1,300 ପାଖାପାଖି ଛୋଟ-ବଡ଼ ଦ୍ୱୀପ ଆଉ କେତେଗୁଡ଼ିଏ ଦ୍ୱୀପ ତ ମଧ୍ୟ ସିଙ୍ଗାପୁରଠାରୁ ମଧ୍ୟ ବଡ଼ । ପ୍ରାୟ 25ଲକ୍ଷ ବର୍ଗ କିଲୋମିଟରର ସ୍ୱତନ୍ତ୍ର ଅର୍ଥନୈତିକ ଜୋନ୍-ଏହା ହେଉଛି ଆମର ଏପରି ଏକ ଶକ୍ତି ଯାହାର କୌଣସି ମୁକାବିଲା ନାହିଁ । ଏହି ଶକ୍ତିର ବ୍ୟବହାର ଦେଶର ପ୍ରଗତିରେ ଆହୁରି ଅଧିକ ହୋଇ ପାରିବ, ଏଥିପାଇଁ ନୂଆ-ନୂଆ ନବସୃଜନର ଆବଶ୍ୟକତା ରହିଛି । ନୂତନ ନବସୃଜନ, ନୀଳ ବିପ୍ଳବ ପାଇଁ ନୂତନ ଶକ୍ତି ହୋଇ ପାରିବ । ଆମର ମତ୍ସ୍ୟଜୀବୀ ଭାଇ ମାନଙ୍କର ଜୀବନ ବଦଳି ପାରିବ ।
ମୁଁ ଇସ୍ରାଏଲର ପ୍ରଧାନମନ୍ତ୍ରୀ ମହୋଦୟଙ୍କୁ ଧନ୍ୟବାଦ ଦେଉଛି କି ସେ ଗତ ବର୍ଷ ମୋ ଯାତ୍ରା ସମୟରେ ମୋତେ ସମୁଦ୍ର ଜଳକୁ ଲବଣମୁକ୍ତ ଏବଂ ବ୍ୟବହାର ଉପଯୋଗୀ କରିବା ପାଇଁ ଏକ ମୋଟର ଚାଳିତ ମେସିନ ଦେଖାଇଥିଲେ । ସେ ନିଜେ ଏହାକୁ ଚଳାଇ ମୋତେ ନେଇ ଯାଇଥିଲେ । କେବଳ ଏତିକି ନୁହେଁ, ସେଭଳି ଏକ ଯନ୍ତ୍ର ସେ ଆଜି ନିଜ ସାଥୀରେ ଆଣିଥିଲେ, ତା’ର ପ୍ରତ୍ୟକ୍ଷ ପ୍ରଦର୍ଶନ ଏବେ ଆପଣମାନେ ସ୍କ୍ରିନ୍ ରେ ଦେଖିଥିଲେ । ବନସକାଣ୍ଟା ଜିଲ୍ଲାରେ, ସୀମାବର୍ତ୍ତୀ ଏକ ଗାଁରେ ଏହି ନୂତନ ବ୍ୟବସ୍ଥାକୁ କାମରେ ଲଗାଯାଇଛି । ଏହା ଦ୍ୱାରା ବିଏସଏଫ ଘାଟିରେ ମୁତୟନ ଯବାନ ଏବଂ ଆଖପାଖର ଗାଁ ଲୋକଙ୍କୁ ପରିଷ୍କାର ପିଇବା ପାଣି ତ ମିଳିବ, ଭାରତରେ ଏହିଭଳି ଟେକ୍ନୋଲଜିକୁ ପରୀକ୍ଷଣ କରିବାର ସୁଯୋଗ ମିଳିବ ।
ଭାଇ ଓ ଭଉଣୀମାନେ, ଆପଣମାନଙ୍କୁ ଏହା ଜଣାଇ ମୁଁ ଖୁସି ଅନୁଭବ କରୁଛି କି ଇସ୍ରାଏଲ ସହିତ କୃଷି କ୍ଷେତ୍ରରେ ସହଯୋଗରେ 25ରୁ 28ଟି ଉତ୍କର୍ଷ କେନ୍ଦ୍ର ପ୍ରସ୍ତୁତ ହୋଇଛି । ଏହା ଦ୍ୱାରା ଦକ୍ଷତା ବିକାଶ, ସୂଚନା ପ୍ରଦାନ ଏବଂ ଆନୁବଂଶିକ ସମ୍ବଳର ଆଦାନ ପ୍ରଦାନରେ ସହାୟତା ମିଳି ପାରୁଛି । ଏହି ଉତ୍କର୍ଷ କେନ୍ଦ୍ର ମଧ୍ୟରୁ ତିନୋଟି ଆମ ଗୁଜରାଟରେ ସ୍ଥାପିତ ହୋଇଛି । ଏହି କାର୍ଯ୍ୟକ୍ରମ ପରେ ମୁଁ ଏବଂ ପ୍ରଧାନମନ୍ତ୍ରୀ ମହୋଦୟ ସୀମାବର୍ତ୍ତୀ ଅଂଚଳର, ସାବରକଣ୍ଟା ଜିଲ୍ଲାର ଭଦରାଦ ଗାଁ କୁ ଯାଉଛୁ । ସେଠାରେ ମଧ୍ୟ ଇସ୍ରାଏଲର ସହାୟତାରେ କୃଷି କ୍ଷେତ୍ରରେ ଉତ୍କର୍ଷ କେନ୍ଦ୍ର ତିଆରି ହୋଇଛି । ସେଠାରୁ ଆମେ ଭିଡିଓ କନଫରେନ୍ସ ମାଧ୍ୟମରେ କଚ୍ଛରେ ଖଜୁରୀ କୋଳି ବିଷୟରେ ଯେଉଁ ଗବେଷଣା କେନ୍ଦ୍ର ଚାଲୁ ରହିଛି, ତା ସହିତ ମଧ୍ୟ ଆମେ କଥାବାର୍ତ୍ତା କରିବୁ । ଭଦରାଦ କେନ୍ଦ୍ରରେ ଗୁଜରାଟର କୃଷକମାନଙ୍କୁ ପନିପରିବାର ନୂତନ ଚାରା ବିତରଣ କରାଯାଉଛି । ଏହି କେନ୍ଦ୍ରରେ 10ହଜାର କୃଷକଙ୍କୁ ତାଲିମ ଦିଆଯାଇଛି ଏବଂ 35 ହଜାରରୁ ଅଧିକ କୃଷକ ଏହି କେନ୍ଦ୍ରକୁ ଦେଖିବାକୁ ଆସିଛନ୍ତି । ଏଠାକାର କିଛି ଲୋକଙ୍କୁ ମଧ୍ୟ ଇସ୍ରାଏଲରେ ପ୍ରଶିକ୍ଷଣ ଦିଆଯାଇଛି । ଭାରତ ଏବଂ ଇସ୍ରାଏଲ ମଧ୍ୟରେ ଏହି ସହଯୋଗ, ଏହି ପରସ୍ପର ବିକାଶ ଭାବନା, ଦୁଇ ଦେଶର ଉଜ୍ଜଳ ଭବିଷ୍ୟତ ପାଇଁ ହେଉଛି ବହୁତ ମହତ୍ୱପୂର୍ଣ୍ଣ ।
ଏକବିଂଶ ଶତାବ୍ଦୀରେ ଦୁଇ ଦେଶର ଏହି ସହଯୋଗ ମାନବସମାଜ ଇତିହାସରେ ନୂତନ ଅଧ୍ୟାୟ ଲେଖିବ । ସାଥୀଗଣ, ଜଣେ-ଅନ୍ୟଜଣଙ୍କର ସଂସ୍କୃତିକୁ ସମ୍ମାନ, ଜଣେ-ଅନ୍ୟଜଣଙ୍କର ପରମ୍ପରାକୁ ସମ୍ମାନ ଦେବା ଆମ ସମ୍ବନ୍ଧକୁ ସବୁବେଳେ ସୁଦୃଢ କରି ଚାଲିବ । କମ୍ ସଂଖ୍ୟାରେ ହେଲେ ମଧ୍ୟ, କିନ୍ତୁ ଇହୁଦୀ ସମୁଦାୟର ଲୋକ ଅହମ୍ମଦାବାଦ ଏବଂ ତା ଆଖପାଖ ଅଂଚଳରେ ଖୁସି ଓ ଆନନ୍ଦରେ ନିଜ ଜୀବନ ବିତାଉଛନ୍ତି । ସେମାନେ ଗୁଜରାଟର ଇତିହାସ ସହିତ, ଗୁଜରାଟର ସଂସ୍କୃତି ସହିତ ମିଳିମିଶି ଯାଇଛନ୍ତି । ଗୁଜରାଟର ଇହୁଦୀ ସମୁଦାୟ ଦେଶର ଅନ୍ୟ ଭାଗରେ ଏବଂ ଇସ୍ରାଏଲରେ ମଧ୍ୟ ନିଜର ସ୍ଥାନ ସୃଷ୍ଟି କରିପାରିଛନ୍ତି । ଭାରତ ଏବଂ ଇସ୍ରାଏଲ ସମ୍ବନ୍ଧର ବିସ୍ତାର ଆହୁରି ବଢୁ, ଏବଂ ସୁଦୃଢ ହେଉ, ଏହି କାମନା ସହିତ ମୁଁ ମୋ ବକ୍ତବ୍ୟ ସମାପ୍ତ କରୁଛି ଏବଂ ଆଜି ଏହି ଅବସରରେ ଆଇ-କ୍ରିଏଟକୁ ସାକାର କରିବାରେ ଯେଉଁ ଲୋକମାନେ ସହଯୋଗ ଦେଇଛନ୍ତି, ସେହି ସମସ୍ତଙ୍କୁ ମୁଁ ବିଶେଷ ଭାବେ ଧନ୍ୟବାଦ ଦେଉଛି ।
ଶ୍ରୀ ନାରାୟଣ ମୂର୍ତ୍ତି ମହୋଦୟ, ଶ୍ରୀ ଦିଲୀପ ସିଂଘୱୀ ମହୋଦୟଙ୍କ ସହିତ ସମସ୍ତ ମହାନୁଭବମାନେ ଆଇ-କ୍ରିଏଟକୁ ନିର୍ମାଣ କରିବାରେ ବଡ଼ ଭୂମିକା ତୁଲାଇଛନ୍ତି, ନିଜର ବହୁମୂଲ୍ୟ ସମୟ ଦେଇଛନ୍ତି । ମୁଁ ଆଶା କରୁଛି କି ଏହି ସଂସ୍ଥାରେ ନବସୃଜନର ଯେଉଁ ବାତାବରଣ ତିଆରି ହେବ, ତାହା ସମଗ୍ର ଦେଶର ଯୁବକମାନଙ୍କୁ ସଶକ୍ତ କରିବାରେ ବହୁତ ବଡ଼ ଭୂମିକା ତୁଲାଇବ । ଆଉ ମୁଁ ପ୍ରଧାନମନ୍ତ୍ରୀ ମହୋଦୟଙ୍କର, ଶ୍ରୀମତୀ ସାରା ମହୋଦୟାଙ୍କୁ ହୃଦୟର ସହିତ କୃତଜ୍ଞତା ଜଣାଉଛି । ମୋ ଭଲ ବନ୍ଧୁ ଭାବେ ଆମର ବନ୍ଧୁତ୍ୱ, ଦୁଇ ଦେଶ ବନ୍ଧୁତ୍ୱରେ ଏକ ନୂତନ ଶକ୍ତି ଭାବେ ବିକଶିତ ହେଉଛି । ଆଜି ସେ ଭାରତ ପାଇଁ ଯେଉଁ ଏକ ବିଶେଷ ଉପହାର ଆଣିଛନ୍ତି, ଯାହାର ଭିଡିଓ ଏବେ ଆପଣମାନେ ଦେଖିଲେ । ମୁଁ ବୁଝି ପାରୁଛି ଆପଣଙ୍କର ଏହି ଉପହାର ଭାରତର ସାଧାରଣ ମଣିଷର ହୃଦୟକୁ ଛୁଇଁ ପାରିବ । ଆଉ ଏଥିପାଇଁ ମୁଁ ହୃଦୟର ସହିତ କୃତଜ୍ଞତା ଜଣାଉଛି ।
ମୁଁ ପୁଣି ଥରେ ଆପଣ ସମସ୍ତଙ୍କୁ ବହୁତ-ବହୁତ ଧନ୍ୟବାଦ ଦେଉଛି ଏବଂ ଆଇ-କ୍ରିଏଟକୁ ଅନେକ ଅନେକ ଶୁଭକାମନା ଦେଉଛି ।
ଧନ୍ୟବାଦ ।