ଭାରତ ମାତା କୀ- ଜୟ,

ଭାରତ ମାତା କୀ- ଜୟ,

ଭାରତ ମାତା କୀ-ଜୟ।

ଧେମାଜିର ହାରୁଓ୍ବା ଭୂମିର ପରା ଅଖମବାଖିକ ଏଇ ବିଖେଖ ଦିନଟୋଟ ମଇ ହୁଭେଚ୍ଛା ଆରୁ ଅଭିନନ୍ଦନ ଜନାଇଚ୍ଛୋ!

ମଞ୍ଚରେ ଉପସ୍ଥିତ ଆସାମ ରାଜ୍ୟପାଳ ପ୍ରଫେସର ଜଗଦୀଶ ମୁଖୀଜୀ, ଏଠାକାର ଲୋକପ୍ରିୟ ଯଶସ୍ବୀ ମୁଖ୍ୟମନ୍ତ୍ରୀ ଶ୍ରୀମାନ ସର୍ବାନନ୍ଦ ସୋନୋଓ୍ବାଲ ଜୀ, କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜୀ, ଶ୍ରୀ ରାମେଶ୍ବର ତେଲି ଜୀ, ଆସାମ ସରକାରରେ ମନ୍ତ୍ରୀ ଡକ୍ଟର ହିମନ୍ତା ବିଶ୍ବ ସରମା ଜୀ, ରାଜ୍ୟ ସରକାରଙ୍କ ଅନ୍ୟ ମନ୍ତ୍ରୀଗଣ, ସାଂସଦଗଣ, ବିଧାୟକଗଣ ଓ ବିଶାଳ ସଂଖ୍ୟାରେ ଏଠାରେ ଉପସ୍ଥିତ ଆସାମର ମୋର ପ୍ରିୟ ଭାଇ ଓ ଭଉଣୀମାନେ, ଏହାର ମୋର ସୌଭାଗ୍ୟ ଯେ ଆଜି ମୋତେ ତୃତୀୟ ଥର ଧେମାଜୀ ଆସିବା ଏବଂ ଆପଣମାନଙ୍କୁ ସମସ୍ତଙ୍କୁ ଦର୍ଶନ କରିବାର ସୌଭାଗ୍ୟ ମିଳିଛି। ପ୍ରତ୍ୟେକଥର ଏଠାକାର ଲୋକମାନଙ୍କର ଆତ୍ମୀୟତା, ଆପଣାରପଣ, ଆଶୀର୍ବାଦ ମୋତେ ଆହୁରି ଅଧିକ ପରିଶ୍ରମର ସହ ଆସାମ, ଉତ୍ତର ପୂର୍ବାଞ୍ଚଳ ପାଇଁ କାମ କରିବା ଲାଗି ଅନୁପ୍ରାଣିତ କରିଛି। ଯେତେବେଳେ ମୁଁ ଗୋଗାମୁଖ ଠାରେ ଇଣ୍ଡିଆନ ଏଗ୍ରୀକଲଚର ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ଶିଳାନ୍ୟାସ କରିବା ଲାଗି ଆସିଥିଲି, ମୁଁ କହିଥିଲି ଯେ ଉତ୍ତର ପୂର୍ବାଞ୍ଚଳ ଭାରତର ଅଭିବୃଦ୍ଧିର ନୂଆ ଇଞ୍ଜିନ ପାଲଟିବ। ଆଜି ଆମେ ଏହି ବିଶ୍ବାସକୁ ଆମ ଆଖି ସାମ୍ନାରେ ବାସ୍ତବ ରୂପ ନେଉଥିବା ଦେଖିପାରୁଛୁ।

ଭାଇ ଓ ଭଉଣୀମାନେ,

ବ୍ରହ୍ମପୁତ୍ରର ଏହି ଉତ୍ତର ତଟରୁ, ଆଠ ଦଶନ୍ଧି ପୂର୍ବରୁ ଅହମିୟା ସିନେମା ନିଜର ଯାତ୍ରା, ଜୟମତୀ ଚଳଚ୍ଚିତ୍ରରୁ ଆରମ୍ଭ କରିଥିଲା। ଏହି କ୍ଷେତ୍ର ଆସାମ ସଂସ୍କୃତିର ଗୌରବ ବଢ଼ାଇ ଥିବା ଅନେକ ବ୍ୟକ୍ତିତ୍ବକୁ ଜନ୍ମ ଦେଇଛି। ରୂପକୁଓଁର ଜ୍ୟୋତିପ୍ରସାଦ ଅଗ୍ରଓ୍ବାଲ, କଳାଗୁରୁ ବିଷ୍ଣୁ ପ୍ରସାଦ ରାଭା, ନଚସୂର୍ଯ୍ୟ ଫଣି ସରମା, ଏମାନେ ସମସ୍ତେ ଆସାମର ପରିଚୟକୁ ନୂତନ ଉଚ୍ଚତାକୁ ନେଇଯାଇଛନ୍ତି। ଭାରତ ରତ୍ନ ଡ. ଭୂପେନ ହଜାରିକା ଜୀ ଏକଦା ଲେଖିଥିଲେ-ଲୁଇତୁର ପାର ଦୁଟି ଜିଲିକ ଉଠିବ ରାତି, ଜ୍ବଲି ହତ ଦେବାଲିର ବନ୍ତି। ବ୍ରହ୍ମପୁତ୍ରର ଦୁଇ କୂଳ ଦୀପାବଳିରେ ଜଳୁଥିବା ଦୀପରେ ଆଲୋକିତ ହେବ ଏବଂ କାଲି ମୁଁ ବିଶେଷ କରି ସୋଶାଲ ମିଡିଆରେ ଦେଖିଲି ମଧ୍ୟ, ଆପଣମାନେ ଏହି କ୍ଷେତ୍ରରେ କିଭଳି ଭାବେ ଦୀପାବଳି ପାଳନ କରିଥିଲେ, କିପରି ହଜାର ହଜାର ହଜାର ଦୀପ ଜଳାଇଥିଲେ । ଦୀପାବଳିର ସେହି ଆଲୋକ, ଶାନ୍ତି ଓ ସ୍ଥାୟିତ୍ବ ମଧ୍ୟରେ ଆସାମରେ ହେଉଥିବା ବିକାଶର ଚିତ୍ରକୁ ମଧ୍ୟ ପ୍ରତିଫଳିତ କରୁଛି। କେନ୍ଦ୍ର ଓ ଆସାମ ସରକାର ମିଶି ରାଜ୍ୟର ସନ୍ତୁଳିତ ବିକାଶରେ ଲିପ୍ତ ରହିଛନ୍ତି। ଆହୁରି ଏହି ବିକାଶର ଏକ ବଡ଼ ଆଧାର ହେଉଛି ଆସାମର ଭିତ୍ତିଭୂମି।

ସାଥୀଗଣ,

ଉତ୍ତର ତଟରେ ଭରପୂର ସାମର୍ଥ୍ୟ ଥିବା ସତ୍ତ୍ବେ ପୂର୍ବ ସରକାର ଏହି କ୍ଷେତ୍ର ପ୍ରତି ବୈମାତୃକ ମନୋଭାବ ପୋଷଣ କରି ଆସିଥିଲେ। ଏଠାରେ ସଡ଼କ ଯୋଗାଯୋଗ ହେଉ, ଡାକ୍ତରଖାନା ହେଉ, ଶିକ୍ଷାନୁଷ୍ଠାନ କିମ୍ବା ଶିଳ୍ପ ସଂସ୍ଥା ପ୍ରତିଷ୍ଠା କରିବା ଲାଗି ପୂର୍ବର ସରକାର ପ୍ରାଥମିକତା ଦେଉନଥିଲେ। ସବକା ସାଥ-ସବକା ବିକାଶ ଓ ସବକା ବିଶ୍ବାସ ଏହି ମନ୍ତ୍ରରେ ଆମ ସରକାର କାମ କରୁଛି। ସର୍ବାନନ୍ଦ ଜୀଙ୍କ ସରକାର ଏହି ଭେଦଭାବକୁ ଦୂର କରିଛନ୍ତି। ଯେଉଁ ବୋଗୀବୀଲ ସେତୁକୁ ଏହି କ୍ଷେତ୍ର ବହୁ ବର୍ଷ ଧରି ଅପେକ୍ଷା କରି ରହିଥିଲା, ସେହି ସେତୁର କାମ ଆମ ସରକାର ଦ୍ରୁତ ଗତିରେ ପୂରଣ କରାଇଥିଲେ। ଉତ୍ତର ତଟରେ ବ୍ରଡ ଗଜ ରେଳ ଲାଇନ ଆମ ସରକାର ଆସିବା ପରେ ପହଞ୍ଚିପାରିଥିଲା। ବ୍ରହ୍ମପୁତ୍ରରେ ଦ୍ବିତୀୟ କାଲିୟାଭୁମୁରା ସେତୁ ଏଠାକାର ଯୋଗାଯୋଗ ବ୍ୟବସ୍ଥାକୁ ଆହୁରି ଅଧିକ ବଢ଼ାଇ ଦେବ। ଏହାକୁ ମଧ୍ୟ ଦ୍ରୁତ ଗତିରେ ସମ୍ପୂର୍ଣ୍ଣ କରାଯାଉଛି। ଉତ୍ତର ତଟରେ ଚାରି ଲେନ୍ ବିଶିଷ୍ଟ ଜାତୀୟ ରାଜପଥ କାମ ଖୁବ ଦ୍ରୁତ ଗତିରେ ଚାଲୁଛି। ବିଗତ ସପ୍ତାହରେ ହିଁ ମହାବାହୁ ବ୍ରହ୍ମପୁତ୍ର ଠାରୁ ଏଠାକୁ ଜଳମାର୍ଗ ଯୋଗାଯୋଗକୁ ନେଇ ନୂଆ କାର୍ଯ୍ୟ ଆରମ୍ଭ ହୋଇଛି। ବେଙ୍ଗାଇଗାଓଁର ଜୋଗୀଧୋପାରେ ଏକ ବଡ଼ ଟର୍ମିନାଲ ଏବଂ ଲଜିଷ୍ଟିକ୍ସ ପାର୍କରେ ମଧ୍ୟ କାମ ହୋଇସାରିଛି।

ସାଥୀଗଣ,

ଏହି ଅଧ୍ୟାୟରେ ଆଜି ଆସାମକୁ 3 ହଜାର କୋଟିରୁ ଅଧିକ ଶକ୍ତି ଏବଂ ଶିକ୍ଷା ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକର ଏକ ନୂତନ ଉପହାର ମିଳିଛି। ଧେମାଜୀ ଓ ସୁଆଲକୁଚିରେ ଇଞ୍ଜିନିୟରିଂ କଲେଜ, ବେଙ୍ଗାଇଗାଓଁରେ ବିଶୋଧନାଗାରର ସମ୍ପ୍ରସାରଣ, ଦିବ୍ରଗୁଡ଼ରେ ସେକେଣ୍ଡାରୀ ଟ୍ୟାଙ୍କ ଫାର୍ମ ଏବଂ ତିନସୁଖିଆରେ ଗ୍ୟାସ କମ୍ପ୍ରେସର ଷ୍ଟେସନ, ଏସବୁ ପ୍ରକଳ୍ପ ଇନ୍ଧନ ଓ ଶିକ୍ଷା କେନ୍ଦ୍ର ଭାବେ ଏହି କ୍ଷେତ୍ରର ପରିଚୟକୁ ସଶକ୍ତ କରିବ। ଏସବୁ ପ୍ରକଳ୍ପ ଆସାମ ସହିତ ଦ୍ରୁତ ଗତିରେ ସୁଦୃଢ଼ ହେଉଥିବା ଉତ୍ତର ପୂର୍ବ ଭାରତର ଏକ ପ୍ରତୀକ ମଧ୍ୟ।

ସାଥୀଗଣ,

ଆତ୍ମନିର୍ଭରଶୀଳ ହେବା ଲାଗି ଭାରତ ପାଇଁ ନିରନ୍ତର ନିଜ ସାମର୍ଥ୍ୟ, କ୍ଷମତାରେ ମଧ୍ୟ ବୃଦ୍ଧି କରିବାର ଅଛି, ଏହା ଅତ୍ୟନ୍ତ ଆବଶ୍ୟକ ଅଟେ। ବିଗତ ବର୍ଷଗୁଡ଼ିକରେ, ଭାରତରେ ବିଶୋଧନ ଏବଂ ଜରୁରିକାଳୀନ ସ୍ଥିତି ପାଇଁ ତୈଳ ସଂରକ୍ଷଣ କ୍ଷମତାକୁ ଆମେ ଖୁବ ଅଧିକ ବୃଦ୍ଧି କରିଛୁ। ବେଙ୍ଗଇଗାଓଁ ରିଫାଇନାରୀରେ ମଧ୍ୟ ବିଶୋଧନ କ୍ଷମତା ଯଥେଷ୍ଟ ଅଧିକ ବୃଦ୍ଧି କରାଯାଇଛି। ଆଜି ଯେଉଁ ଗ୍ୟାସ ୟୁନିଟର ଲୋକାର୍ପଣ କରାଯାଇଛି, ତାହା ଏଠାକାର ଏଲପିଜି ଉତ୍ପାଦନ କ୍ଷମତାକୁ ବୃଦ୍ଧି କରିବ। ଏହିସବୁ ପ୍ରକଳ୍ପ ଫଳରେ ଆସାମ ଏବଂ ଉତ୍ତରପୂର୍ବାଞ୍ଚଳରେ ଲୋକମାନଙ୍କର ଜୀବନ ସହଜ ହେବ ଏବଂ ଯୁବକମାନଙ୍କୁ ରୋଜଗାରର ନୂତନ ଅବସର ମିଳିବ।

ଭାଇ ଓ ଭଉଣୀମାନେ,

ଯେତେବେଳେ କୌଣସି ବ୍ୟକ୍ତିଙ୍କୁ ମୌଳିକ ସୁବିଧା ମିଳିଥାଏ, ତାଙ୍କର ଆତ୍ମବିଶ୍ବାସ ଖୁବ ଅଧିକ ବୃଦ୍ଧି ପାଇଥାଏ। ଏହି ବୃଦ୍ଧି ପାଉଥିବା ଆତ୍ମବିଶ୍ବାସ କ୍ଷେତ୍ର ଏବଂ ଦେଶର ବିକାଶ କରିଥାଏ। ଆଜି ଆମ ସରକାର ସୁବିଧା ପହଞ୍ଚିନଥିବା କ୍ଷେତ୍ର ଓ ଲୋକମାନଙ୍କ ନିକଟରେ ସୁବିଧା ପହଞ୍ଚାଇବା ଦିଗରେ କାର୍ଯ୍ୟ କରୁଛି। ଏବେକାର ବ୍ୟବସ୍ଥାରେ ସେମାନଙ୍କୁ ସୁବିଧା ଦେବା ଲାଗି ଜୋର ଦିଆଯାଉଛି। ଆପଣମାନେ ଚିନ୍ତା କରନ୍ତୁ, 2014 ପୂର୍ବରୁ ଦେଶର ପ୍ରତ୍ୟେକ 100 ପରିବାର ମଧ୍ୟରୁ ମାତ୍ର 50-55 ପରିବାର ନିକଟରେ ଅର୍ଥାତ୍ ପାଖାପାଖି ଅଧା ଘରେ ହିଁ କେବଳ ଏଲପିଜି ଗ୍ୟାସ ସଂଯୋଗ ରହିଥିଲା। ଆସାମରେ ବିଶୋଧନାଗାର ଏବଂ ଅନ୍ୟ ସୁବିଧା ଥିଲେ ସୁଦ୍ଧା 100ରୁ ମାତ୍ର 40 ଜଣ ଲୋକଙ୍କ ପାଖରେ ଗ୍ୟାସ ସଂଯୋଗ ଉପଲବ୍ଧ ରହିଥିଲା। 60 ଜଣ ଲୋକଙ୍କ ପାଖରେ ନଥିଲା। ଗରିବ ମା’-ଭଉଣୀମାନେ ରୋଷେଇର ଧୂଆଁ ଏବଂ ରୋଗର ଜାଲରେ ରହୁଥିଲେ। ଏହା ସେମାନଙ୍କ ଜୀବନର ବହୁତ ବଡ଼ ବାଧ୍ୟବାଧକତା ଥିଲା। ଆମେ ଉଜ୍ଜ୍ବଳା ଯୋଜନା ମାଧ୍ୟମରେ ଏହି ସ୍ଥିତିକୁ ବଦଳାଇ ଦେଇଛୁ। ଆସାମରେ ଆଜି ଗ୍ୟାସ ସଂଯୋଗର ପ୍ରସାର ପାଖାପାପାଖି ଶତପ୍ରତିଶତ ହୋଇଯାଇଛି। ଏଠାରେ, ବୋଙ୍ଗଇଗାଓଁ ବିଶୋଧନାଗାର ନିକଟବର୍ତ୍ତୀ ଜିଲ୍ଲାରେ ହିଁ 2014 ପରେ ତିନି ଗୁଣାରୁ ଅଧିକ ଏଲପିଜି ସଂଯୋଗ ବୃଦ୍ଧି ପାଇଛି। ଚଳିତ ଥର କେନ୍ଦ୍ରୀୟ ବଜେଟରେ ଏକ କୋଟି ଅଧିକ ଗରିବ ଭଉଣୀମାନଙ୍କୁ ଉଜ୍ଜ୍ବଳା ଯୋଜନାରେ ମାଗଣା ଏଲପିଜି କନେକ୍ସନ ଦେବାକୁ ବ୍ୟବସ୍ଥା କରାଯାଇଛି।

ସାଥୀଗଣ,

ଗ୍ୟାସ ସଂଯୋଗ, ବିଦ୍ୟୁତ ସଂଯୋଗ, ସାର ଉତ୍ପାଦନ, ଏସବୁଥିରେ ରହୁଥିବା ଅଭାବର ସବୁଠୁ ଅଧିକ କ୍ଷତି ଆମ ଦେଶର ଗରିବଙ୍କୁ, ଆମ ଦେଶର ଛୋଟ କୃଷକମାନଙ୍କୁ ହିଁ ହୋଇଥାଏ। ସ୍ବାଧୀନତାର ବହୁ ଦଶନ୍ଧି ପରେ ମଧ୍ୟ ଯେଉଁ 18 ହଜାର ଗ୍ରାମରେ ବିଦ୍ୟୁତ ପହଞ୍ଚିନଥିଲା, ସେସବୁ ଗ୍ରାମଗୁଡ଼ିକ ମଧ୍ୟରୁ ଅଧିକାଂଶ ଆସାମ, ଉତ୍ତରପୂର୍ବାଞ୍ଚଳରେ ଥିଲା। ପୂର୍ବ ଭାରତର ଅନେକ ସାର କାରଖାନାକୁ ଗ୍ୟାସ ଅଭାବରୁ ବନ୍ଦ କରି ଦିଆଯାଇଥିଲା କିମ୍ବା ରୁଗ୍ଣ ଘୋଷିତ କରି ଦିଆଯାଇଥିଲା। ଏହାର ଫଳ କିଏ ଭୋଗିଲା? ଏଠାକାର ଗରିବ, ମଧ୍ୟବିତ୍ତ, ଯୁବକମାନଙ୍କୁ ଏହାର ପରିଣାମ ଭୋଗିବାକୁ ପଡ଼ିଥିଲା। ଆମ ସରକାର ପୂର୍ବର ଭୁଲକୁ ସୁଧାରିବା କାମ କରୁଛି। ଆଜି ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା ଯୋଜନା ଅନ୍ତର୍ଗତ ପୂର୍ବ ଭାରତକୁ ବିଶ୍ବର ସବୁଠୁ ବଡ଼ ଗ୍ୟାସ ପାଇପ ଲାଇନଗୁଡ଼ିକ ମଧ୍ୟରୁ ଗୋଟିଏ ସହିତ ଯୋଡ଼ାଯାଉଛି। ସଠିକ ନୀତି, ସଚ୍ଚୋଟ ଆଭିମୁଖ୍ୟ ରହିଲେ ସ୍ବଭାବ ଓ ଭାଗ୍ୟ ବଦଳି ଯାଇଥାଏ। ଖରାପ ଆଭିମୁଖ୍ୟ ବଦଳିଯାଇଥାଏ ଏବଂ ସଚ୍ଚୋଟ ଉଦ୍ଦେଶ୍ୟ ନେଇ ଜନସାଧାରଣଙ୍କ ଭାଗ୍ୟ ବଦଳାଇବା କାମ କରି ହୋଇଥାଏ। ଆଜି ଦେଶରେ ଯେଉଁ ଗ୍ୟାସ ପାଇପଲାଇନ ନେଟଓ୍ବର୍କ ପ୍ରସ୍ତୁତ ହେଉଛି, ଦେଶର ପ୍ରତ୍ୟେକ ଗ୍ରାମ ପର୍ଯ୍ୟନ୍ତ ଅପ୍ଟିକାଲ ଫାଇଭର ବିଛା ଯାଉଛି, ପ୍ରତ୍ୟେକ ଘରେ ଜଳ ପହଞ୍ଚାଇବା ଲାଗି ପାଇପ ସଂଯୋଗ କରାଯାଉଛି, ଭାରତ ମାତାର କୋଳରେ ପ୍ରସାରିତ ହେଉଥିବା ଏ ସମସ୍ତ ଭିତ୍ତିଭୂମି କେବଳ ଲୁହା ପାଇପ କିମ୍ବା ଫାଇବର ନୁହେଁ। ଏସବୁ ଭାରତ ମାତାର ନୂତନ ଭାଗ୍ୟ ରେଖା।

ଭାଇ ଓ ଭଉଣୀମାନେ,

ଆତ୍ମନିର୍ଭର ଭାରତକୁ ତ୍ବରାନ୍ବିତ କରିବା ଲାଗି ଆମର ବୈଜ୍ଞାନିକ, ଇଞ୍ଜିନିୟର, ବୈଷୟିକ ପେସାଦାରମାନଙ୍କର ସଶକ୍ତ ପ୍ରତିଭା ଭଣ୍ଡାରର ବଡ଼ ଭୂମିକା ରହିଛି। ଏଇ କିଛିବର୍ଷ ହେବ ଆମେ ଦେଶରେ ଏପରି ଏକ ପରିବେଶ ସୃଷ୍ଟି କରିବା ଲାଗି କାମ କରି ଆସୁଛୁ ଯାହାଫଳରେ ଦେଶର ଯୁବକମାନେ ନୂଆ ଅଭିନବ ଢଙ୍ଗରେ, ଷ୍ଟାର୍ଟଅପ୍ସ ଜରିଆରେ ସମସ୍ୟାଗୁଡ଼ିକର ସମାଧାନ କରିପାରିବେ। ଆଜି ସାରା ଦୁନିଆ ଭାରତର ଇଞ୍ଜିନିୟର୍ସ, ଟେକ୍ନୋକ୍ରାଟ୍ସମାନଙ୍କୁ ଉଚ୍ଚ ପ୍ରଶଂସା କରୁଛି। ଆସାମର ଯୁବକମାନଙ୍କ ନିକଟରେ ଅଦ୍ଭୂତ କ୍ଷମତା ରହିଛି। ଏହି କ୍ଷମତାକୁ ବଢ଼ାଇବା ଲାଗି ରାଜ୍ୟ ସରକାର ପ୍ରାଣପଣେ ଉଦ୍ୟମ କରୁଛନ୍ତି। ଆସାମ ସରକାରଙ୍କ ପ୍ରୟାସ କାରଣରୁ ହିଁ ଆଜି ଏଠାରେ 20ରୁ ଅଧିକ ଇଞ୍ଜିନିୟରିଂ କଲେଜ ଖୋଲିସାରିଛି। ଆଜି ଧେମାଜୀ ଇଞ୍ଜିନିୟରିଂ କଲେଜର ଉଦଘାଟନ ଏବଂ ସୁଆଲକୁଚି ଇଞ୍ଜିନିୟରିଂ କଲେଜର ଶିଳାନ୍ୟାସ ଫଳରେ ଏହି କ୍ଷମତା ଆହୁରି ବିସ୍ତାରିତ ହୋଇଛି। ଧେମାଜୀ ଇଞ୍ଜିନିୟରିଂ କଲେଜ ଉତ୍ତର ତଟର ପ୍ରଥମ ଇଞ୍ଜିନିଅରିଂ କଲେଜ ଅଟେ। ମୁଁ ଜାଣିବାକୁ ପାଇଛି ଯେ ଏପରି ଆହୁରି ତିନୋଟି ଇଞ୍ଜିନିୟରିଂ କଲେଜ ନିର୍ମାଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଝିଅମାନଙ୍କ ପାଇଁ ସ୍ବତନ୍ତ୍ର କଲେଜ, ପଲିଟେକ୍ନିକ କଲେଜ, ଅନ୍ୟ ଶିକ୍ଷାନୁଷ୍ଠାନଗୁଡ଼ିକ ପ୍ରତିଷ୍ଠା ଲାଗି ଆସାମ ସରକାର ବ୍ୟାପକ ସ୍ତରରେ କାମ କରୁଛନ୍ତି।

ଭାଇ ଓ ଭଉଣୀମାନେ,

ଆସାମ ସରକାର ଏଠାରେ ନୂତନ ଶିକ୍ଷା ନୀତିକୁ ମଧ୍ୟ ଯଥାଶୀଘ୍ର ଲାଗୁ କରିବା ଲାଗି ପ୍ରୟାସ କରୁଛନ୍ତି। ଏହି ନୂଆ ଜାତୀୟ ଶିକ୍ଷା ନୀତିର ଅଧିକ ଲାଭ ଆସାମ, ଏଠାକାର ଜନଜାତୀୟ ସମାଜ, ଚା’ ବଗିଚାରେ କାମ କରୁଥିବା ମୋର ଶ୍ରମିକ ଭାଇ-ଭଉଣୀମାନଙ୍କର ପିଲାମାନେ ପାଇପାରିବେ। ଏହାର କାରଣ ହେଉଛି ଏଥିରେ ସ୍ଥାନୀୟ ଭାଷାରେ ପାଠପଢ଼ା ଏବଂ ସ୍ଥାନୀୟ ବ୍ୟବସାୟ ସହ ଜଡ଼ିତ କୌଶଳ ବିକାଶ ଉପରେ ଜୋର ଦିଆଯାଇଛି। ସ୍ଥାନୀୟ ଭାଷାରେ ଡାକ୍ତରୀ ପାଠପଢ଼ା, ସ୍ଥାନୀୟ ଭାଷାରେ ବୈଷୟିକ ଶିକ୍ଷା ଦିଆଗଲେ, ଅତି ଗରିବ ପିଲାମାନେ ମଧ୍ୟ ଡାକ୍ତର ହୋଇପାରିବେ, ଇଞ୍ଜିନିୟର ହୋଇପାରିବେ ଏବଂ ଦେଶର କଲ୍ୟାଣ କରିପାରିବେ। ଗରିବ ମା’ବାପାଙ୍କ ସ୍ବପ୍ନ ପୂରଣ କରିପାରିବେ। ଆସାମ ଭଳି ରାଜ୍ୟରେ ଚା’, ପର୍ଯ୍ୟଟନ, ହସ୍ତତନ୍ତ ଓ ହସ୍ତଶିଳ୍ପ ଆଦି ଆତ୍ମନିର୍ଭରଶୀଳତାର ବହୁତ ବଡ଼ ଶକ୍ତି ଅଟେ। ଏଭଳି ସ୍ଥିତିରେ ଏଠାକାର ଯୁବକମାନେ ଯେତେବେଳେ ଏହି ଦକ୍ଷତାକୁ ସ୍କୁଲ ଓ କଲେଜରେ ହିଁ ଶିଖିବେ, ଏଥିରୁ ଅଧିକ ଲାଭ ପାଇପାରିବେ। ଆତ୍ମନିର୍ଭରଶୀଳତାର ମୂଳଦୁଆ ସେଠାରୁ ଯୋଡ଼ି ହେବ। ଚଳିତ ବର୍ଷ ବଜେଟରେ ମଧ୍ୟ ଜନଜାତି କ୍ଷେତ୍ରରେ 100ଟି ନୂଆ ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ଖୋଲିବା ଲାଗି ବ୍ୟବସ୍ଥା କରାଯାଇଛି, ଯାହାର ଲାଭ ମଧ୍ୟ ଆସାମକୁ ମିଳିବ।

ସାଥୀଗଣ,

ବ୍ରହ୍ମପୁତ୍ରର ଆଶୀର୍ବାଦ ବଳରେ, ଏହି କ୍ଷେତ୍ରର ଜମି ଅତ୍ୟନ୍ତ ଉର୍ବର ରହିଆସିଛି। ଏଠାକାର ଚାଷୀମାନେ କିଭଳି ନିଜ ସାମର୍ଥ୍ୟକୁ ବଢ଼ାଇପାରିବେ, ସେମାନଙ୍କୁ ଚାଷର ଆଧୁନିକ ସୁବିଧା ମିଳିପାରିବ, ଆୟ ବୃଦ୍ଧି ପାଇପାରିବ, ସେଥିପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ମିଳିମିଶି କାମ କରୁଛନ୍ତି। କୃଷକମାନଙ୍କ ବ୍ୟାଙ୍କ ଖାତାରେ ସିଧାସଳଖ ଟଙ୍କା ସ୍ଥାନାନ୍ତର କରିବା ହେଉ, ସେମାନଙ୍କ ପାଇଁ ପେନସନ ଯୋଜନା ଆରମ୍ଭ କରିବା, ସେମାନଙ୍କୁ ବିହନ ଦେବା, ମୃର୍ତ୍ତିକା ସ୍ବାସ୍ଥ୍ୟକାର୍ଡ ପ୍ରଦାନ କରିବା ଆଦି ସମେତ ସେମାନଙ୍କର ସମସ୍ତ ଆବଶ୍ୟକତାକୁ ପୂରଣ କରିବା ଲାଗି ସର୍ବାଧିକ ପ୍ରାଥମିକତା ଦେଇ ପଦକ୍ଷେପ ନିଆଯାଉଛି। ମତ୍ସ୍ୟଚାଷ ଉପରେ ବିଶେଷ ଜୋର ଦେଇ ଆମ ସରକାର ମତ୍ସ୍ୟଚାଷ ସହ ଜଡ଼ିତ ଏକ ଭିନ୍ନ ମନ୍ତ୍ରଣାଳୟ ଆରମ୍ଭରୁ ସ୍ଥାପନ କରିସାରିଛି। ମତ୍ସ୍ୟଚାଷକୁ ପ୍ରୋତ୍ସାହନ ଦେବା ଲାଗି ସ୍ବାଧୀନତା ପରେ ଯେତିକି ଖର୍ଚ୍ଚ କରାଯାଇନଥିଲା, ତା’ଠାରୁ ବହୁ ଅଧିକ ଆମ ସରକାର ଏବେ ଖର୍ଚ୍ଚ କରୁଛନ୍ତି। ମତ୍ସ୍ୟ ବ୍ୟବସାୟ ସହ ଜଡ଼ିତ କୃଷକମାନଙ୍କ ପାଇଁ 20 ହଜାର କୋଟି ଟଙ୍କାର ଏକ ବହୁତ ବଡ଼ ଯୋଜନା ପ୍ରସ୍ତୁତ କରାଯାଇଛି ଯାହାର ଲାଭ ଆସାମରେ ମତ୍ସ୍ୟ ଉଦ୍ୟୋଗ ସହ ଜଡ଼ିତ ମୋର ଭାଇମାନଙ୍କୁ ମିଳିବ। ଆସାମର କୃଷକ, ଦେଶର କୃଷକମାନେ ଯେଉଁ ଫସଲ ଉତ୍ପାଦନ କରୁଛନ୍ତି, ତାହା ଅନ୍ତର୍ଜାତୀୟ ବଜାର ପର୍ଯ୍ୟନ୍ତ କିଭଳି ପହଞ୍ଚିପାରିବ ସରକାର ସେ ଦିଗରେ ଉଦ୍ୟମ କରୁଛନ୍ତି। ଏଥିପାଇଁ କୃଷି ସହ ଜଡ଼ିତ ଆଇନରେ ସଂସ୍କାର ଅଣାଯାଇଛି।

ସାଥୀଗଣ,

ଆସାମର ଅର୍ଥବ୍ୟବସ୍ଥାରେ ଉତ୍ତର ତଟର ଚା’ବଗିଚାର ଏକ ବହୁତ ବଡ଼ ଭୂମିକା ରହିଛି। ଏସବୁ ଚା’ ବଗିଚାରରେ କାମ କରୁଥିବା ଆମର ଭାଇ-ଭଉଣୀମାନଙ୍କ ଜୀବନ କିପରି ସହଜ ହେବ ଏହା ମଧ୍ୟ ଆମ ସରକାରଙ୍କର ସର୍ବୋଚ୍ଚ ପ୍ରାଥମିକତା ମଧ୍ୟରୁ ଗୋଟିଏ। ଛୋଟ ଚା’ ଉତ୍ପାଦକମାନଙ୍କୁ ଜମି ପଟ୍ଟା ଦେବାର ଅଭିଯାନ ଚଳାଇଥିବାରୁ ମୁଁ ଆସାମ ସରକାରଙ୍କୁ ପ୍ରଶଂସା କରିବାକୁ ଚାହୁଁଛି।

ଭାଇ ଓ ଭଉଣୀମାନେ,

ଯେଉଁ ଲୋକମାନେ ବହୁଦଶନ୍ଧି ଧରି ଦେଶ ଉପରେ ରାଜୁତି କରୁଥିଲେ ସେମାନେ ଦିସପୁରକୁ ଦିଲ୍ଲୀଠାରୁ ଖୁବ ଅଧିକ ଦୂର ବୋଲି ଗ୍ରହଣ କରି ନେଇଥିଲେ। ଏହି ଚିନ୍ତାଧାରା କାରଣରୁ ଆସାମର ଅନେକ କ୍ଷତି ହେଲା। କିନ୍ତୁ ଏବେ ଦିଲ୍ଲୀ ଆପଣମାନଙ୍କ ଠାରୁ ଦୂରରେ ନାହିଁ। ଦିଲ୍ଲୀ ଆପଣଙ୍କ ଦ୍ବାରରେ ଛିଡ଼ା ହୋଇଛି। ବିଗତ ବର୍ଷଗୁଡ଼ିକରେ ଶତାଧିକ ବାର କେନ୍ଦ୍ର ସରକାରଙ୍କର ମନ୍ତ୍ରୀମାନଙ୍କୁ ପଠାଯାଇଛି ଯାହାଫଳରେ ସେମାନେ ଆପଣମାନଙ୍କ ସମସ୍ୟା ଜାଣିବେ ଏବଂ ଭୂମିଗତ ସ୍ତରରେ ଯେଉଁ ହେଉଛି ତାହା ଦେଖିପାରିବେ। ଆପଣମାନଙ୍କର ଆବଶ୍ୟକତାକୁ ଧ୍ୟାନରେ ରଖି ଯୋଜନା ପ୍ରସ୍ତୁତ ହେବା ଉଚିତ ଏବଂ ସେହି ଦିଗରେ ଆମେ ପ୍ରୟାସ କରିଛୁ। ମୁଁ ମଧ୍ୟ ଅନେକ ଥର ଆସାମ ଆସିଛି ଯାହାଫଳରେ ଆପଣମାନଙ୍କ ଗହଣରେ ଉପସ୍ଥିତ ହୋଇ ଆପଣମାନଙ୍କର ବିକାଶ ଯାତ୍ରାରେ ଏକ ସହଭାଗୀ ହୋଇପାରିବି। ଆସାମ ପାଖରେ ସବୁକିଛି ଅଛି, ଯାହା ଏଠାକାର ନାଗରିକମାନଙ୍କର ଉନ୍ନତ ଜୀବନଧାରଣ ପାଇଁ ଆବଶ୍ୟକ। ଏବେ ଆବଶ୍ୟକତା ହେଉଛି, ବିକାଶ ଓ ପ୍ରଗତିର ଯେଉଁ ଡବଲ ଇଞ୍ଜିନ ଏବେ ଚାଲିଛି ସେହି ଡବଲ ଇଞ୍ଜିନକୁ ଆହୁରି ମଜବୁତ କରିବା ଲାଗି ଆଉ ଏକ ସୁଯୋଗ ଆପଣମାନଙ୍କ ପାଖକୁ ପୁଣିଥରେ ଆସୁଛି। ମୁଁ ଆସାମର ଲୋକମାନଙ୍କୁ ବିଶ୍ବାସ ଦେବାକୁ ଚାହୁଁଛି, ଆପଣମାନଙ୍କ ସହଯୋଗ ବଳରେ, ଆପଣମାନଙ୍କର ଆଶୀର୍ବାଦ ବଳରେ ଆସାମର ବିକାଶ ଆହୁରି ତ୍ବରାନ୍ବିତ ହେବ, ନୂତନ ଉଚ୍ଚତାରେ ପହଞ୍ଚିବ।

ଭାଇ ଓ ଭଉଣୀମାନେ,

ମୁଁ ଜାଣିଛି ଯେ ଏବେ ଆପଣମାନେ ନିର୍ବାଚନ ଅପେକ୍ଷାରେ ଥିବେ। ପୂର୍ବ ନିର୍ବାଚନ ଯେବେ ଘୋଷଣା କରାଯାଇଥିଲା ସେ ବିଷୟରେ ମୋର ମନେ ପଡ଼ୁଛି। ବୋଧହୁଏ ନିର୍ବାଚନ ମାର୍ଚ୍ଚ ୪ରେ ଏହି ଘୋଷଣା କରାଯାଇଥିଲା। ଏଥର ମଧ୍ୟ ମୁଁ ସେହି ସମ୍ଭାବନା ଦେଖୁଛି, ମାର୍ଚ୍ଚ ପ୍ରଥମ ସପ୍ତାହରେ ଯେକୌଣସି ସମୟରେ ନିର୍ବାଚନ ଘୋଷଣା କରାଯାଇପାରେ। ନିର୍ବାଚନ କମିଶନ ତାଙ୍କର ଦାୟିତ୍ବ ସମ୍ପାଦନ କରିବେ। କିନ୍ତୁ ମୁଁ ଚେଷ୍ଟା କରିବି, ନିର୍ବାଚନ ଘୋଷଣା ପୂର୍ବରୁ କେତେଥର ଆସାମ, ପଶ୍ଚିମବଙ୍ଗ, କେରଳ, ତାମିଲନାଡ଼ୁ, ପୁଡୁଚେରୀ ଯାଇପାରିବି। ଧରାଯାଉ ଯଦି ମାର୍ଚ୍ଚ 7 ତାରିଖରେ ନିର୍ବାଚନ ଘୋଷଣା କରାଯାଏ ତା’ହେଲେ ଏହି ଯେଉଁ ସମୟ ମିଳିବ ସେଥିରେ ଆସିବା ଲାଗି ମୁଁ ସମ୍ପୂର୍ଣ୍ଣ ଚେଷ୍ଟା କରିବି। ପୂର୍ବଥର 4 ମାର୍ଚ୍ଚରେ ନିର୍ବାଚନ ଘୋଷଣା କରାଯାଇଥିଲା। ସେହି ପାଖାପାଖି ତାରିଖରେ କେବେ ବି ନିର୍ବାଚନ ଘୋଷଣା କରାଯାଇପାରେ। ଯାହା ବି ହେଉ ମୁଁ ଆପଣମାନଙ୍କ ଗହଣକୁ ଆସିବା ଲାଗି ନିରନ୍ତର ପ୍ରୟାସ କରିବି। ଭାଇ ଓ ଭଉଣୀମାନେ ଏତେ ଅଧିକ ସଂଖ୍ୟାରେ ଆପଣମାନେ ଏଠାକୁ ଆସି ଆମକୁ ଆଶୀର୍ବାଦ ଦେଲେ। ବିକାଶ ଯାତ୍ରା ପାଇଁ ଆପଣମାନେ ଆମର ବିଶ୍ବାସକୁ ଆହୁରି ମଜବୁତ କରିଛନ୍ତି। ସେଥିପାଇଁ ମୁଁ ଆପଣମାନଙ୍କୁ ହାର୍ଦ୍ଦିକ କୃତଜ୍ଞତା ଜ୍ଞାପନ କରୁଛି। ଏହି ବିଶ୍ବାସ ସହିତ ମୁଁ ପୁଣିଥରେ ଏ ସମସ୍ତ ବିକାଶ ଯୋଜନା ଆତ୍ମନିର୍ଭର ଆସାମ ନିର୍ମାଣ, ଭାରତ ନିର୍ମାଣ ଲାଗି ଆସାମର ଯୋଗଦାନ, ଆସାମର ଯୁବପିଢ଼ିଙ୍କ ଉଜ୍ଜ୍ବଳ ଭବିଷ୍ୟତ ନିର୍ମାଣରେ ସହାୟକ ହେବ ବୋଲି ଆଶା କରୁଛି। ଆସାମର ମତ୍ସ୍ୟଜୀବୀ, କୃଷକ, ମା’-ଭଉଣୀ, ଆଦିବାସୀ ଭାଇ-ଭଉଣୀ ପ୍ରତ୍ୟେକଙ୍କ କଲ୍ୟାଣ ଲାଗି ଏସବୁ ଯୋଜନାର ଲୋକାର୍ପଣ, ଶିଳାନ୍ୟାସ ହୋଇଛି। ସେଥିପାଇଁ ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ଅନେକ ଅନେକ ଅଭିନନ୍ଦନ ଜଣାଉଛି। ଅନେକ ଶୁଭକାମନା ଜଣାଉଛି। ଦୁଇ ହାତ ମୁଠା କରି ଉପରକୁ ଉଠାଇ କୁହନ୍ତୁ ଭାରତ ମାତା କୀ-ଜୟ, ଭାରତ ମାତା କୀ-ଜୟ, ଭାରତ ମାତା କୀ-ଜୟ।

Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
PLI, Make in India schemes attracting foreign investors to India: CII

Media Coverage

PLI, Make in India schemes attracting foreign investors to India: CII
NM on the go

Nm on the go

Always be the first to hear from the PM. Get the App Now!
...

Prime Minister Shri Narendra Modi paid homage today to Mahatma Gandhi at his statue in the historic Promenade Gardens in Georgetown, Guyana. He recalled Bapu’s eternal values of peace and non-violence which continue to guide humanity. The statue was installed in commemoration of Gandhiji’s 100th birth anniversary in 1969.

Prime Minister also paid floral tribute at the Arya Samaj monument located close by. This monument was unveiled in 2011 in commemoration of 100 years of the Arya Samaj movement in Guyana.