QuoteInnovation, integrity and inclusion have emerged as key mantras in the field of management: PM
QuoteFocus is now on collaborative, innovative and transformative management, says PM
QuoteTechnology management is as important as human management: PM Modi

ଜୟ ଜଗନ୍ନାଥ!

ଜୟ ମା’ ସମଲେଶ୍ୱରୀ !

ଓଡ଼ିଶାର ଭାଇ ଓ ଭଉଣୀମାନଙ୍କୁ ମୋର ଜୁହାର

ନୂଆ ବର୍ଷ ସମସ୍ତଙ୍କ ପାଇଁ ମଙ୍ଗଳମୟ ହେଉ।

ଓଡ଼ିଶାର ମାନନୀୟ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମହୋଦୟ, ମୁଖ୍ୟମନ୍ତ୍ରୀ ମୋର ବନ୍ଧୁ ଶ୍ରୀମାନ ନବୀନ ପଟ୍ଟନାୟକ ମହାଶୟ, କେନ୍ଦ୍ର କ୍ୟାବିନେଟରେ ମୋର ସହଯୋଗୀ ଡ. ରମେଶ ପୋଖରିୟାଲ ନିଶଙ୍କ ଜୀ, ଓଡ଼ିଶାର ରତ୍ନ ଭାଇ ଧର୍ମେନ୍ଦ୍ର ପ୍ରଧାନ, ଶ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ଓଡ଼ିଶା ସରକାରରେ ମନ୍ତ୍ରୀ, ସାଂସଦ ଓ ବିଧାୟକଗଣ, ଆଇଆଇଏମ ସମ୍ବଲପୁର ଅଧ୍ୟକ୍ଷା ଶ୍ରୀମତୀ ଅରୁନ୍ଧତୀ ଭଟ୍ଟାଚାର୍ଯ୍ୟ ମହୋଦୟା, ନିର୍ଦ୍ଦେଶକ ପ୍ରଫେସର ମହାଦେବ ଜୟସୱାଲ, ଅଧ୍ୟାପକ କର୍ମଚାରୀ ଗଣ ଏବଂ ମୋର ସମସ୍ତ ଯୁବ ସାଥୀଗଣ!

ଆଜି ଆଇଆଇଏମ କ୍ୟାମ୍ପସର ଶିଳାନ୍ୟାସ ସହିତ ଓଡ଼ିଶାର ଯୁବା ସାମର୍ଥ୍ୟକୁ ଦୃଢ଼ତା ପ୍ରଦାନ କରୁଥିବା ଏକ ନୂତନ ସ୍ତମ୍ଭ ମଧ୍ୟ ସ୍ଥାପନ କରାଯାଇଛି। ଆଇଆଇଏମ ସମ୍ବଲପୁରର ସ୍ଥାୟୀ କ୍ୟାମ୍ପସ, ଓଡ଼ିଶାର ମହାନ ସଂସ୍କୃତି ଏବଂ ସମ୍ପଦକୁ ପରିଚୟ ଦେବା ସହିତ ଓଡ଼ିଶାକୁ ମ୍ୟାନେଜମେଣ୍ଟ ଦୁନିଆରେ ଏକ ନୂତନ ପରିଚୟ ପ୍ରଦାନ କରିବ। ନୂତନ ବର୍ଷର ଆରମ୍ଭରେ, ଏହି ଶୁଭାରମ୍ଭ ଆମ ସମସ୍ତଙ୍କ ଆନନ୍ଦକୁ ଦୁଇ ଗୁଣିତ କରି ଦେଇଛି।

ସାଥୀଗଣ,

ବିଗତ ଦଶନ୍ଧିରେ ଏକ ନୂଆ ଧାରା ଦେଶ ଦେଖିଥିଲା। ବାହାରେ ପ୍ରସ୍ତୁତି ବହୁରାଷ୍ଟ୍ରୀୟ କମ୍ପାନୀଗୁଡ଼ିକ ବୃହତ ସଂଖ୍ୟାରେ ଭାରତକୁ ଆସୁଥିଲେ ଏବଂ ଏହି ମାଟିରେ ଆଗକୁ ବଢ଼ିଥିଲେ। କିନ୍ତୁ ଚଳିତ ଦଶନ୍ଧି ଏବଂ ଏହି ଶତାବ୍ଦୀ ହେଉଛି ଭାରତରେ ବହୁରାଷ୍ଟ୍ରୀୟ ସଂସ୍ଥା ଗଢ଼ି ଉଠିବାର ସମୟ। ଭାରତର ସାମର୍ଥ୍ୟକୁ ବିଶ୍ୱରେ ପ୍ରସାରିତ କରିବା ଲାଗି ଏହା ହେଉଛି ସର୍ବୋତ୍ତମ ସମୟ। ଆଜିର ଷ୍ଟାର୍ଟଅପ ଆସନ୍ତାକାଲି ବହୁରାଷ୍ଟ୍ରୀୟ ସଂସ୍ଥାର ରୂପ ନେବ। ଆହୁରି ଏହି ସବୁ ଷ୍ଟାର୍ଟଅପ କେଉଁ ସହରରେ ନିର୍ମିତ ହେଉଛି? ସେହିସବୁ ସହର ଯାହାକୁ ଆମେ ଟିୟର-2, ଟିୟର-3 ସହର କହିଥାଉ, ଆଜିର ଷ୍ଟାର୍ଟଅପର ପ୍ରଭାବ ସେହିସବୁ ସ୍ଥାନରେ ଦେଖିବାକୁ ମିଳୁଛି। ଏହି ଷ୍ଟାର୍ଟଅପ୍ସଗୁଡ଼ିକୁ, ଭାରତୀୟ ଯୁବକମାନଙ୍କର ନୂଆ କମ୍ପାନୀଗୁଡ଼ିକୁ ଆହୁରି ଆଗକୁ ବଢ଼ିବା ଲାଗି ଭଲ ମ୍ୟାନେଜରମାନଙ୍କର ଆବଶ୍ୟକତା ରହିଛି। ଦେଶର ନୂଆ କ୍ଷେତ୍ରରୁ, ନୂଆ ଅଭିଜ୍ଞତା ନେଇ ବାହାରୁଥିବା ମ୍ୟାନେଜମେଣ୍ଟ ବିଶେଷଜ୍ଞ, ଭାରତର କମ୍ପାନୀଗୁଡ଼ିକୁ ନୂତନ ଶିଖର ପ୍ରଦାନ କରିବାରେ ବଡ଼ ଭୂମିକା ନିର୍ବାହ କରିବେ।

ସାଥୀଗଣ,

ମୁଁ କୌଣସି ଏକ ସ୍ଥାନରେ ପଢ଼ି ଜାଣିଲି ଯେ ଚଳିତ ବର୍ଷ କୋଭିଡ ସଙ୍କଟ ଥିବା ସତ୍ତ୍ୱେ ଭାରତ ବିଗତ ବର୍ଷ ତୁଳନାରେ ଅଧିକ ୟୁନିକର୍ଣ୍ଣ ଦେଇପାରିଛି। ଆଜି କୃଷି ଠାରୁ ଆରମ୍ଭ କରି ମହାକାଶ କ୍ଷେତ୍ର ପର୍ଯ୍ୟନ୍ତ ଯେଉଁ ଅଭୂତପୂର୍ବ ସଂସ୍କାର ଅଣାଯାଉଛି, ସେଥିରେ ଷ୍ଟାର୍ଟଅପ୍ସଗୁଡ଼ିକ ପାଇଁ ପରିସର ଲଗାତାର ବଢ଼ୁଛି। ଆପଣମାନଙ୍କୁ ଏହି ନୂତନ ସମ୍ଭାବନା ଲାଗି ନିଜକୁ ପ୍ରସ୍ତୁତ କରିବାକୁ ହେବ। ଆପଣମାନଙ୍କୁ ନିଜ କ୍ୟାରିଅରକୁ ଭାରତର ଆଶା ଓ ଆକାଂକ୍ଷା ସହିତ ଯୋଡ଼ିବାକୁ ହେବ। ଏହି ନୂଆ ଦଶକରେ ବ୍ରାଣ୍ଡ ଇଣ୍ଡିଆକୁ ନୂଆ ବୈଶ୍ୱିକ ପରିଚୟ ଦେବାର ଦାୟିତ୍ୱ ଆମ ସମସ୍ତଙ୍କ ଉପରେ ରହିଛି। ବିଶେଷ କରି ଆମର ଯୁବକମାନଙ୍କ ଉପରେ ରହିଛି।.

|

ବନ୍ଧୁଗଣ,

ଆଇଆଇଏମ ସମ୍ବଲପୁରର ଧ୍ୟେୟ ମନ୍ତ୍ର ହେଉଛି-ନବସର୍ଜନମ ଶୁଚିତା ସମାବେଶତ୍ୱମ। ଅର୍ଥାତ୍ ନବୋନ୍ମେଷ, ବିଶ୍ୱସନୀୟତା ଏବଂ ସମାବେଶୀତା। ଆପଣମାନଙ୍କୁ ଏହି ମନ୍ତ୍ରର ଶକ୍ତି ସହିତ ଦେଶକୁ ନିଜ ମ୍ୟାନେଜମେଣ୍ଟ ସ୍କିଲ ଦେଖାଇବାର ଅଛି। ଆପଣମାନଙ୍କୁ ନୂତନ ନିର୍ମାଣକୁ ପ୍ରୋତ୍ସାହିତ କରିବା ସହିତ, ସମସ୍ତଙ୍କର ସମାବେଶୀତା ଉପରେ ମଧ୍ୟ ଜୋର ଦେବାକୁ ହେବ, ଯେଉଁମାନେ ବିକାଶର ଦୌଡ଼ରେ ପଛରେ ପଡ଼ିଯାଇଛନ୍ତି, ସେମାନଙ୍କୁ ମଧ୍ୟ ସାଥୀରେ ଆଣିବାକୁ ହେବ। ଯେଉଁସ୍ଥାନରେ ଆଇଆଇଏମର ସ୍ଥାୟୀ କ୍ୟାମ୍ପସ ନିର୍ମାଣ ହେବାକୁ ଯାଉଛି, ସେଠାରେ ପୂର୍ବରୁ ମେଡ଼ିକାଲ ବିଶ୍ୱବିଦ୍ୟାଳୟ ରହିଛି, ଇଞ୍ଜିନିୟରିଂ ବିଶ୍ୱବିଦ୍ୟାଳୟ ରହିଛି, ତିନୋଟି ଅନ୍ୟ ବିଶ୍ୱବିଦ୍ୟାଳୟ ମଧ୍ୟ ରହିଛି। ଏହାଛଡ଼ା ସୈନିକ ସ୍କୁଲ, ସିଆରପିଏଫ ଏବଂ ପୁଲିସ ଟ୍ରେନିଂ ଇନଷ୍ଟିଚ୍ୟୁଟ ମଧ୍ୟ ରହିଛି। ଯେଉଁମାନେ ସମ୍ବଲପୁର ସମ୍ପର୍କରେ ଅଧିକ ଜାଣନ୍ତି ନାହିଁ, ସେମାନେ ମଧ୍ୟ ଏବେ ଅନୁମାନ ଲଗାଇପାରିବେ ଯେ ଆଇଆଇଏମ ଭଳି ପ୍ରତିଷ୍ଠିତ ସଂସ୍ଥାନ ନିର୍ମାଣ ହେବା ପରେ ଏହି କ୍ଷେତ୍ର ଏକ ବୃହତ ଶିକ୍ଷାକେନ୍ଦ୍ରରେ ପରିଣତ ହେବ। ସମ୍ବଲପୁର ଆଇଆଇଏମ ଏବଂ ଏହି କ୍ଷେତ୍ରରେ ପଢ଼ୁଥିବା ଛାତ୍ରଛାତ୍ରୀ-ପେସାଦାରଙ୍କ ଲାଗି ସବୁଠୁ ବଡ଼ ବିଶେଷତା ହେଉଛି ଯେ ଏହି ସମ୍ପୂର୍ଣ୍ଣ ଇଲାକା ଆପଣମାନଙ୍କ ପାଇଁ ଏକ ପ୍ରାକ୍ଟିକାଲ ଲ୍ୟାବ ଭଳି କାର୍ଯ୍ୟ କରିବ। ଏହି ସ୍ଥାନ ପ୍ରାକୃତିକ ରୂପରେ ଅତ୍ୟନ୍ତ ଭବ୍ୟ ହୋଇଥିବା ବେଳେ ଏଠାରେ ଓଡ଼ିଶାର ଗୌରବ ହୀରାକୁଦ ନଦୀବନ୍ଧ, ଆପଣମାନଙ୍କ ଠାରୁ ଖୁବ ନିକଟରେ ରହିଛି। ନଦୀବନ୍ଧ ନିକଟରେ ଥିବା ଦେବ୍ରୀଗଡ଼ ଅଭୟାରଣ୍ୟର ନିଜସ୍ୱ ସ୍ୱାତନ୍ତ୍ର୍ୟ ରହିଛି, ତା’ଛଡ଼ା ଏହା ମଧ୍ୟରେ ସେହି ପୂଣ୍ୟ ସ୍ଥାନ ମଧ୍ୟ ରହିଛି ଯାହାକୁ ବୀର ସୁରେନ୍ଦ୍ର ସାଏ ଜୀ ନିଜର ବେସ ଭାବେ ସ୍ଥାପନ କରିଥିଲେ। ଏହି ଅଞ୍ଚଳର ପର୍ଯ୍ୟଟନ ସମ୍ଭାବନାକୁ ଆହୁରି ବଢ଼ାଇବା ଲାଗି ଏଠାକାର ଛାତ୍ରଛାତ୍ରୀଙ୍କର ବିଚାର ଏବଂ ମ୍ୟାନେଜମେଣ୍ଟ ଦକ୍ଷତା ଖୁବ କାମରେ ଆସିପାରିବ। ସେହିପରି ସମ୍ବଲପୁରୀ ବସ୍ତ୍ର ମଧ୍ୟ ଦେଶବିଦେଶରେ ଲୋକପ୍ରିୟ। ଏହାର ଅଭିନବ କାରିଗରୀ, ଡିଜାଇନ ଏବଂ ସଂରଚନା ବେଶ ସ୍ୱତନ୍ତ୍ର। ସେହିପରି ଏହି କ୍ଷେତ୍ରରେ ହସ୍ତତନ୍ତ ଉପରେ ଅନେକ କାମ ହୋଇଥାଏ, ରୂପା ତାରକସୀ, ପଥର ଖୋଦେଇ, କାଠ ନାମ, ବ୍ରାସ କାମରେ ଆମର ଆଦିବାସୀ ଭାଇ-ଭଉଣୀମାନେ ଅତ୍ୟନ୍ତ ପାରଙ୍ଗମ। ଆଇଆଇଏମର ଛାତ୍ରଛାତ୍ରୀଙ୍କ ଲାଗି ସମ୍ବଲପୁରର ଲୋକାଲକୁ ଭୋକାଲ କରିବା, ସେମାନଙ୍କ ପାଇଁ ଏକ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ।

ସାଥୀଗଣ,

ଆପଣମାନେ ଏହା ଭଲ ଭାବେ ଜାଣିଛନ୍ତି ଯେ ସମ୍ବଲପୁର ଏବଂ ଏହାର ଆଖପାଖର ଅଞ୍ଚଳ ନିଜର ଖଣି ଏବଂ ଖଣି ଶକ୍ତି ପାଇଁ ମଧ୍ୟ ପ୍ରସିଦ୍ଧ। ଉଚ୍ଚମାନର ଲୁହାପଥର, ବକ୍ସାଇଟ, କ୍ରୋମାଇଟ, ମାଙ୍ଗାନିଜ, କୋଇଲା, ଚୂନପଥର ଠାରୁ ଆରମ୍ଭ କରି ସୁନା, ଧାତୁପଥର, ହୀରା ଏଠାକାର ପ୍ରାକୃତିକ ସମ୍ପଦକୁ ଅନେକଗୁଣା ବଢ଼ାଇ ଦେଇଥାଏ। ଦେଶର ଏହି ପ୍ରାକୃତିକ ସମ୍ପଦଗୁଡ଼ିକର ଉନ୍ନତ ପରିଚାଳନା କିପରି ହେବ, ଏହି ସମ୍ପୂର୍ଣ୍ଣ କ୍ଷେତ୍ରର ବିକାଶ, ଲୋକମାନଙ୍କର ବିକାଶ ପାଇଁ ଆପଣମାନଙ୍କୁ ଅଭିନବ ବିଚାର ନେଇ କାର୍ଯ୍ୟ କରିବାକୁ ହେବ।

ସାଥୀଗଣ,

ମୁଁ ଆପଣମାନଙ୍କୁ ଏଇ କେତୋଟି ଉଦାହରଣ ଦେଲି। ଓଡ଼ିଶାରେ ଜଙ୍ଗଲ ସମ୍ପଦ, ଖଣିଜ, ରଙ୍ଗବତୀ-ସଙ୍ଗୀତ, ଆଦିବାସୀ କଳା ଏବଂ ଶିଳ୍ପ, ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ କବିତା, କ’ଣ ନାହିଁ ଓଡ଼ିଶା ପାଖରେ! ଆପଣମାନଙ୍କ ମଧ୍ୟରୁ ଅନେକ ସାଥୀମାନେ ଯେତେବେଳେ ସମ୍ବଲପୁରୀ ବସ୍ତ୍ର ଉଦ୍ୟୋଗ କିମ୍ବା କଟକର ରୂପା ତାରକସୀ କାମକୁ ବିଶ୍ୱସ୍ତରରେ ପରିଚୟ ଦେବା ଲାଗି ନିଜର କୌଶଳକୁ ଉପଯୋଗ କରିବେ, ଏଠାକାର ପର୍ଯ୍ୟଟନକୁ ବଢ଼ାଇବା ଲାଗି କାମ କରିବେ, ତା’ହେଲେ ଆତ୍ମନିର୍ଭର ଭାରତ ଅଭିଯାନ ସହିତ ଓଡ଼ିଶାର ବିକାଶ ଆହୁରି ତ୍ୱରାନ୍ୱିତ କରାଯାଇପାରିବ ଏବଂ ରାଜ୍ୟ ଆହୁରି ଉଚ୍ଚକୁ ଉଠିପାରିବ।

ବନ୍ଧୁଗଣ,

ଲୋକାଲକୁ ଗ୍ଲୋବାଲ କରିବା ଲାଗି ଆପଣମାନେ ସମସ୍ତେ ଆଇଆଇଏମର ଯୁବସାଥୀମାନଙ୍କୁ ନୂତନ ଏବଂ ଅଭିନବ ସମାଧାନ ଖୋଜିବାର ଅଛି। ମୋର ବିଶ୍ୱାସ ରହିଛି, ଆମର ଆଇଆଇଏମ ଦେଶର ଆତ୍ମନିର୍ଭରଶୀଳତା ଅଭିଯାନରେ ସ୍ଥାନୀୟ ଉତ୍ପାଦ ଏବଂ ଅନ୍ତର୍ଜାତୀୟ ସହଯୋଗ ମଧ୍ୟରେ ସେତୁ ଭଳି କାମ କରିପାରିବ। ସାରା ଦୁନିଆରେ ବ୍ୟାପି ରହିଥିବା ଆପଣମାନଙ୍କର ଆଲୁମ୍ନି (ପୂର୍ବତନ ଛାତ୍ରଛାତ୍ରୀ) ନେଟୱାର୍କ ମଧ୍ୟ ଏଥିରେ ଅତ୍ୟନ୍ତ ସହାୟକ ହୋଇପାରିବ। ବର୍ଷ 2014 ସୁଦ୍ଧା ଆମ ଦେଶରେ 13ଟି ଆଇଆଇଏମ ଥିଲା। ଏବେ ଦେଶରେ 20ଟି ଆଇଆଇଏମ ରହିଛି। ଏତେ ବଡ଼ ପ୍ରତିଭା ଭଣ୍ଡାର, ଆତ୍ମନିର୍ଭର ଭାରତ ଅଭିଯାନକୁ ଅଧିକ ବିସ୍ତାର ଦେଇପାରିବ।

ବନ୍ଧୁଗଣ,

ଆଜିର ଦୁନିଆରେ ନୂତନ ସୁଯୋଗ ରହିଛି, ମ୍ୟାନେଜମେଣ୍ଟ ଦୁନିଆ ଆଗରେ ନୂଆ ଆହ୍ୱାନ ମଧ୍ୟ ରହିଛି। ଏହି ଆହ୍ୱାନଗୁଡ଼ିକୁ ମଧ୍ୟ ଆପଣମାନଙ୍କୁ ବୁଝିବାକୁ ହେବ। ଉଦାହରଣ ଭାବେ ଦେଖିଲେ ଏବେ ଯେପରି ଆଡିଟିଭ ପ୍ରିଣ୍ଟିଂ ବା ଥ୍ରୀଡି ପ୍ରିଣ୍ଟିଂ ସାରା ଉତ୍ପାଦନ ଅର୍ଥବ୍ୟବସ୍ଥାକୁ ବଦଳାଇ ଦେଇଛି। ଏବେ ଆପଣ ଖବରରୁ ଜାଣିବାକୁ ପାଇଥିବେ, ବିଗତ ମାସରେ ହିଁ ଗୋଟିଏ କମ୍ପାନୀ ଚେନ୍ନାଇ ନିକଟରେ ଏକ ସମ୍ପୂର୍ଣ୍ଣ ଦୁଇ ମହଲା ଅଟ୍ଟାଳିକୁ ଥ୍ରୀଡି ପ୍ରିଣ୍ଟ କରି ଦେଇଥିଲା। ଏବେ ଉତ୍ପାଦନର ପଦ୍ଧତି ବଦଳୁଥିବାରୁ ଲଜିଷ୍ଟିକ୍ସ ଏବଂ ଯୋଗାଣ ଶୃଙ୍ଖଳ ସହ ଜଡ଼ିତ ବ୍ୟବସ୍ଥାକୁ ମଧ୍ୟ ବଦଳାଇବାକୁ ପଡ଼ିବ। ସେହିପରି ଟେକ୍ନୋଲୋଜି ଆଜି ପ୍ରତ୍ୟେକ ଭୌଗଳିକ ସୀମାକୁ ଦୂର କରି ଦେଇଛି। ବିମାନ ଯୋଗାଯୋଗ ବିଂଶ ଶତାବ୍ଦୀର ବ୍ୟବସାୟକୁ ବାଧାମୁକ୍ତ କରିଥିଲା, ଏବେ ଡିଜିଟାଲ ସଂଯୋଗ ଏକବିଂଶ ଶତାବ୍ଦୀର ବ୍ୟବସାୟକୁ ବଦଳାଇଦେବ। ଯେକୌଣସି ସ୍ଥାନରୁ କାମ କରିବାର ବିଚାର ଫଳରେ ସାରା ଦୁନିଆ ବୈଶ୍ୱିକ ଗ୍ରାମରୁ ବୈଶ୍ୱିକ କାର୍ଯ୍ୟସ୍ଥଳୀରେ ପରିଣତ ହୋଇଯାଇଛି। ଭାରତ ମଧ୍ୟ ଏଥିପାଇଁ ପ୍ରତ୍ୟେକ ଜରୁରି ସଂସ୍କାର ବିଗତ କିଛି ମାସରେ ଦ୍ରୁତ ଗତିରେ କରିବା ଆରମ୍ଭ କରିଛି। କେବଳ ସମୟ ସହିତ ନୁହେଁ ସମୟ ଠାରୁ ଆଗକୁ ବଢ଼ିବା ଲାଗି ମଧ୍ୟ ଆମକୁ ଚେଷ୍ଟା କରିବାକୁ ହେବ।

ବନ୍ଧୁଗଣ,

କାର୍ଯ୍ୟପଦ୍ଧତି ବଦଳିବା ସହିତ ମ୍ୟାନେଜମେଣ୍ଟ ଦକ୍ଷତାର ଚାହିଦା ମଧ୍ୟ ବଦଳୁଅଛି। ଏବେ ଟପଡାଉନ କିମ୍ବା ଟପ ହେଭି ମ୍ୟାନେଜମେଣ୍ଟ ପରିବର୍ତ୍ତେ ସହଭାଗୀ, ଅଭିନବ ଏବଂ ପରିବର୍ତ୍ତନଶୀଳ ମ୍ୟାନେଜମେଣ୍ଟର ସମୟ ଆସିଛି। ଏହି ସହଭାଗିତା ଆମର ସାଥୀମାନଙ୍କର ପାଇଁ ଜରୁରି ହୋଇଥିବା ବେଳେ ବୋଟ୍ସ ଏବଂ ଆଲଗୋରିଦିମ ଏବେ ଦଳର ସଦସ୍ୟ ରୂପରେ ଆମ ସହିତ ରହିଛି। ସେଥିପାଇଁ ଆଜି ମାନବ ପ୍ରବନ୍ଧନ ଯେତେ ଜରୁରି ବୈଷୟିକ ପ୍ରବନ୍ଧନ ମଧ୍ୟ ସେତିକି ଜରୁରି। ମୁଁ ଆପଣମାନଙ୍କୁ, ଦେଶର ସମସ୍ତ ଆଇଆଇଏମକୁ ଏବଂ ବିଜନେସ ମ୍ୟାନେଜମେଣ୍ଟ ସହ ଜଡ଼ିତ ଅନ୍ୟ ଶିକ୍ଷାନୁଷ୍ଠାନଗୁଡ଼ିକୁ ଗୋଟିଏ ଅନୁରୋଧ କରିବି। କରୋନା ସଂକ୍ରମଣର ଏହି ସମୟରେ ପ୍ରଯୁକ୍ତି ଓ ଦଳଗତ କାର୍ଯ୍ୟ କରିବାର ଭାବନା ନେଇ ଦେଶ କିପରି କାମ କଲା, କିପରି ଭାବେ 130 କୋଟି ଦେଶବାସୀଙ୍କ ସୁରକ୍ଷା ଲାଗି ପଦକ୍ଷେପ ନିଆଗଲା, ଦାୟିତ୍ୱ ନେଇ ସହଭାଗିତା ଜରିଆରେ ଜନଭାଗିଦାରୀ ଅଭିଯାନ କାର୍ଯ୍ୟକାରୀ କରାଗଲା, ଏ ସମସ୍ତ ବିଷୟ ଉପରେ ଗବେଷଣା କରାଯିବା ଓ ଡକ୍ୟୁମେଣ୍ଟ ପ୍ରସ୍ତୁତ କରାଯିବା ଉଚିତ। ଦକ୍ଷତା ଏବଂ କ୍ଷମତା ବଢ଼ାଇବା ଲାଗି ଖୁବ କମ ସମୟରେ କିପରି କାର୍ଯ୍ୟ କରାଗଲା, ତାହା ମ୍ୟାନେଜମେଣ୍ଟ ପାଇଁ ବହୁତ ବଡ଼ ଶିକ୍ଷା। କୋଭିଡ କାଳରେ ଦେଶ ପିପିଇ କିଟ, ମାସ୍କ, ଭେଣ୍ଟିଲେଟରର ସ୍ଥାୟୀ ସମାଧାନ ବାହାର କରିଦେଲା।

|

ବନ୍ଧୁଗଣ,

ପୂର୍ବରୁ ଆମ ଦେଶରେ ସମସ୍ୟାଗୁଡ଼ିକର କ୍ଷଣସ୍ଥାୟୀ ସମାଧାନ କରାଯାଉଥିଲା। କିନ୍ତୁ ଏବେ ସେହି ପରମ୍ପରା ବଦଳିଯାଇଛି। ଏବେ ଆମେ ତତ୍କାଳ ଆବଶ୍ୟକତା ଠାରୁ ଆଗକୁ ବଢ଼ି ଦୀର୍ଘକାଳୀନ ସମାଧାନ ଉପରେ ଜୋର ଦେଉଛୁ। ଏଥିରୁ ମ୍ୟାନେଜମେଣ୍ଟ ପାଇଁ ଶିଖିବାର ଏକ ବହୁତ ଭଲ ଦିଗ ସାମ୍ନାକୁ ଆସିଛି। ଆମ ଗହଣରେ ଅରୁନ୍ଧତି ମହୋଦୟା ଉପସ୍ଥିତ ଅଛନ୍ତି। ଦେଶରେ ଗରିବଙ୍କ ଲାଗି ଜନଧନ ବ୍ୟାଙ୍କ ଖାତା ଖୋଲିବା ପାଇଁ କିପରି ଯୋଜନା କରାଗଲା, ଏହାକୁ କିପରି ଭାବେ କାର୍ଯ୍ୟକାରୀ କରାଗଲା ଏବଂ ଏହାକୁ କିପରି ଭାବେ ପରିଚାଳନା କରାଗଲା, ଏ ସମସ୍ତ ପ୍ରକ୍ରିୟାରେ ସେ ପ୍ରତ୍ୟକ୍ଷ ଭାବେ ସାକ୍ଷୀ ରହିଛନ୍ତି, କାରଣ ସେ ସମୟରେ ସେ ବ୍ୟାଙ୍କର ଦାୟିତ୍ୱରେ ଥିଲେ। ଏକଦା ବ୍ୟାଙ୍କର ଦୁଆର ମାଡ଼ୁନଥିବା ଗରିବଙ୍କ ପାଇଁ 40 କୋଟିରୁ ଅଧିକ ବ୍ୟାଙ୍କ ଆକାଉଣ୍ଟ ଖୋଲିବା ସେତେଟା ସହଜ ନଥିଲା। ମୁଁ ଏସବୁ କଥା ଆପଣମାନଙ୍କୁ ଏଥିପାଇଁ କହୁଛି ଯେ ମ୍ୟାନେଜମେଣ୍ଟର ଅର୍ଥ କେବଳ ବଡ଼ କମ୍ପାନୀ ଚଳାଇବା ନୁହେଁ। ଏହାର ପ୍ରକୃତ ଅର୍ଥ ହେଉଛି ଭାରତ ଭଳି ବଡ଼ ଦେଶର ଜନଜୀବନରେ ସୁଧାର ଆଣିବା ଦିଗରେ କାର୍ଯ୍ୟ କରିବା। ମୁଁ ଆପଣମାନଙ୍କୁ ଆଉ ଏକ ଉଦାହରଣ ଦେଉଛି ଏବଂ ଏହା ଏଥିପାଇଁ ଜରୁରି କାରଣ ଓଡ଼ିଶା ମାଟିର ସନ୍ତାନ ଭାଇ ଧର୍ମେନ୍ଦ୍ରଙ୍କର ଏଥିରେ ବଡ଼ ଭୂମିକା ରହିଛି।

ସାଥୀଗଣ,

ଆମ ଦେଶରେ ରୋଷେଇ ଗ୍ୟାସ, ସ୍ୱାଧୀନତାର ପାଖାପାଖି 10 ବର୍ଷ ପରେ ଆସିଯାଇଥିଲା। କିନ୍ତୁ ପରବର୍ତ୍ତୀ ଦଶନ୍ଧିଗୁଡ଼ିକରେ ରୋଷେଇ ଗ୍ୟାସ କେବଳ ସଉକ ପାଲଟିଯାଇଥିଲା। ଧନୀ ଲୋକମାନଙ୍କର ପ୍ରତିଷ୍ଠା ପାଲଟିଯାଇଥିଲା। ଲୋକମାନଙ୍କୁ ଗୋଟିଏ ଗ୍ୟାସ ସଂଯୋଗ ପାଇଁ କେତେ ଚକ୍କର ଲଗାଇବାକୁ ପଡ଼ୁଥିଲା, ତଥାପି ସେମାନଙ୍କୁ ଗ୍ୟାସ ମିଳୁନଥିଲା। ପରିସ୍ଥିତି ଏପରି ହୋଇଥିଲା ଯେ ବର୍ଷ 2014 ପର୍ଯ୍ୟନ୍ତ ଆଜକୁ 6 ବର୍ଷ ପୂର୍ବେ, 2014 ପର୍ଯ୍ୟନ୍ତ ଦେଶରେ ରୋଷେଇ ଗ୍ୟାସର କଭରେଜ ମାତ୍ର 55 ପ୍ରତିଶତ ଥିଲା। ଏପରି ଆଭିମୁଖ୍ୟରେ ପରିବର୍ତ୍ତନ ହେଉନଥିବା କାରଣରୁ ସମସ୍ୟାର ସମାଧାନ ହୋଇପାରୁନଥିଲା। 60 ବର୍ଷରେ ରୋଷେଇ ଗ୍ୟାସର କଭରେଜ ମାତ୍ର 55 ପ୍ରତିଶତ। ଏହି ଗତିରେ ଦେଶ ଚାଲିଥିଲେ ସମସ୍ତଙ୍କ ନିକଟରେ ଗ୍ୟାସ ପହଞ୍ଚାଇବା ଲାଗି ଆହୁରି ଅର୍ଦ୍ଧଶତାବ୍ଦୀ ବିତିଯାଇଥାନ୍ତା। 2014ରେ ଆମ ସରକାର ଗଠନ ହେବା ପରେ ଆମେ ସ୍ଥିର କଲୁ ଏହାର ସ୍ଥାୟୀ ସମାଧାନ ମଧ୍ୟ କରିବାକୁ ହେବ। ଆପଣମାନେ ଜାଣନ୍ତି ଆଜି ଦେଶରେ ଗ୍ୟାସ କଭରେଜ କେତେ ରହିଛି? 98 ପ୍ରତିଶତରୁ ମଧ୍ୟ ଅଧିକ। ଏବଂ ଏଠାରେ ମ୍ୟାନେଜମେଣ୍ଟ ସହିତ ଜଡ଼ିତ ଆପଣମାନେ ସମସ୍ତେ ଜାଣନ୍ତି ଯେ ଆରମ୍ଭ କରିବା ପରେ ଅଳ୍ପବହୁତ ଆଗକୁ ବଢ଼ିବା ସହଜ ହୋଇପାରେ। କିନ୍ତୁ ସବୁଠୁ ବଡ଼ ଚ୍ୟାଲେଞ୍ଜ ହେଉଛି ଏହି କଭରେଜକୁ ଶତପ୍ରତିଶତ କରିବା।

ବନ୍ଧୁଗଣ,

ଏଠାରେ ପ୍ରଶ୍ନ ଉଠୁଛି ଆମେ ଏହା କିପରି ଭାବେ ପ୍ରାପ୍ତ କଲୁ, କିପରି ଲକ୍ଷ୍ୟ ହାସଲ କଲୁ? ଆପଣମାନଙ୍କ ଭଳି ମ୍ୟାନେଜମେଣ୍ଟର ସାଥୀମାନଙ୍କ ପାଇଁ ଏହା ବହୁତ ବଡ଼ କେସ ଷ୍ଟଡି।

|

ବନ୍ଧୁଗଣ,

ଆମେ ଗୋଟିଏ ପଟେ ସମସ୍ୟାକୁ ରଖିଲୁ ଏବଂ ଆଉ ଗୋଟିଏ ପଟେ ସ୍ଥାୟୀ ସମାଧାନକୁ। ତେବେ ସମସ୍ୟା ଥିଲା ନୂଆ ବିତରକଙ୍କୁ ନେଇ। ଆମେ ଦଶ ହଜାର ନୂଆ ଗ୍ୟାସ ବିତରକମାନଙ୍କୁ ନିଯୁକ୍ତି ଦେଲୁ। ସମସ୍ୟା ଥିଲା ବଟଲିଂ ପ୍ଲାଣ୍ଟ କ୍ଷମତାକୁ ନେଇ। ଆମେ ସାରା ଦେଶରେ ନୂଆ ବଟଲିଂ ପ୍ଲାଣ୍ଟ ସ୍ଥାପନ କଲୁ, ଦେଶର କ୍ଷମତା ବଢ଼ାଇଲୁ। ଆହୁରି ଇମ୍ପୋର୍ଟ ଟର୍ମିନାଲ କ୍ଷମତାକୁ ନେଇ ସମସ୍ୟା ଥିଲା। ଆମେ ସେଥିରେ ମଧ୍ୟ ସୁଧାର ଆଣିଲୁ। ପାଇପ ଲାଇନ କ୍ଷମତାକୁ ନେଇ ସମସ୍ୟା ଥିଲା। ଆମେ ସେଥିରେ ମଧ୍ୟ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କଲୁ ଏବଂ ଆଜି ମଧ୍ୟ କରୁଛୁ। ସମସ୍ୟା ଥିଲା ଗରିବ ହିତାଧିକାରୀଙ୍କ ଚୟନକୁ ନେଇ। ଆମେ ସମ୍ପୂର୍ଣ୍ଣ ପାରଦର୍ଶିତା ସହିତ ସେହି କାମ ମଧ୍ୟ ପୂରଣ କଲୁ। ବିଶେଷ କରି ଉଜ୍ଜ୍ୱଳା ଯୋଜନା ଆରମ୍ଭ କରାଯାଇ ଏହି କାର୍ଯ୍ୟକୁ ସଫଳ ରୂପ ଦିଆଗଲା।

ବନ୍ଧୁଗଣ,

ସ୍ଥାୟୀ ସମାଧାନ ଦେବାର ଏହି ଉଦ୍ଦେଶ୍ୟ ଫଳରେ ଆଜି ଦେଶରେ 28 କୋଟିରୁ ଅଧିକ ଗ୍ୟାସ ସଂଯୋଗ ହୋଇପାରିଛି। 2014ରେ ଗ୍ୟାସ ସଂଯୋଗ ମାତ୍ର 14 କୋଟି ଥିଲା। ଚିନ୍ତାକରନ୍ତୁ, 60 ବର୍ଷରେ 14 କୋଟି ଗ୍ୟାସ ସଂଯୋଗ ଏବଂ ବିଗତ ମାତ୍ର 6 ବର୍ଷରେ ଦେଶରେ 14 କୋଟିରୁ ଅଧିକ ଗ୍ୟାସ ସଂଯୋଗ ଦିଆଗଲା। ଏବେ ଲୋକମାନଙ୍କୁ ରୋଷେଇ ଗ୍ୟାସ ପାଇଁ ଦୌଡ଼ିବାକୁ ପଡ଼ୁନାହିଁ, ଏଣେତେଣେ ବୁଲିବାକୁ ପଡ଼ୁନାହିଁ। ଏଠାରେ ଓଡ଼ିଶାରେ ମଧ୍ୟ ଉଜ୍ଜ୍ୱଳା ଯୋଜନା କାରଣରୁ ପାଖାପାଖି 50 ଲକ୍ଷ ଗରିବ ପରିବାରକୁ ଗ୍ୟାସ ସଂଯୋଗ ମିଳିପାରିଛି। ଏହି ସମ୍ପୂର୍ଣ୍ଣ ଅଭିଯାନ ସମୟରେ ଦେଶରେ ଯେଉଁ କ୍ଷମତା ବିକାଶ କରାଗଲା, ସେହି କାରଣରୁ ଓଡ଼ିଶାର 19ଟି ଜିଲ୍ଲାରେ ସିଟି ଗ୍ୟାସ ଡିଷ୍ଟ୍ରିବ୍ୟୁସନ ନେଟୱାର୍କ ପ୍ରସ୍ତୁତ ହେଉଛି।

ବନ୍ଧୁଗଣ,

ଏସବୁ ଉଦାହରଣ ମୁଁ ଆଣମାନଙ୍କୁ ଏଥିପାଇଁ ବୁଝାଇଲି କାରଣ ଆପଣମାନେ ଯେତେ ଅଧିକ ଦେଶର ଆବଶ୍ୟକତା, ସମସ୍ୟାକୁ ବୁଝିପାରିବେ, ଆପଣ ସେତେ ଭଲ ମ୍ୟାନେଜର ହୋଇପାରିବେ ଏବଂ ସେତେ ଭଲ ସମାଧାନ ମଧ୍ୟ ଦେଇପାରିବେ। ମୁଁ ଭାବୁଛି, ଉଚ୍ଚ ଶିକ୍ଷା ସହ ଜଡ଼ିତ ଶିକ୍ଷାନୁଷ୍ଠାନଗୁଡ଼ିକ କେବଳ ନିଜର ବିଶେଷଜ୍ଞତା ମଧ୍ୟରେ ସୀମିତ ରହିବା ଅନୁଚିତ। ସେମାନଙ୍କର ପରିଧି ବ୍ୟାପକ ହେବା ଉଚିତ। ଏଠାରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କର ଏଥିରେ ବଡ଼ ଭୂମିକା ରହିପାରିବ। ନୂଆ ଶିକ୍ଷା ନୀତିରେ ବିସ୍ତୃତ, ବହୁବିଷୟକ, ସାମଗ୍ରିକ ଦୃଷ୍ଟିକୋଣ ଉପରେ ଜୋର ଦିଆଯାଇଛି। ପେସାଦାର ଶିକ୍ଷା କ୍ଷେତ୍ରରେ ଯେଉଁସବୁ ବାଧା ଉତ୍ପନ୍ନ ହେଉଛି ସେଗୁଡ଼ିକୁ ଦୂର କରିବା ଲାଗି ପ୍ରୟାସ କରାଯାଉଛି। ଆମେ ଦେଶର ବିକାଶ ଲାଗି ପ୍ରତ୍ୟେକଙ୍କୁ ମୁଖ୍ୟଧାରାକୁ ଆଣିବା ଲାଗି ଚାହୁଁଛୁ। ଏହା ମଧ୍ୟ ସମାବେଶୀ ପ୍ରକୃତି। ମୋର ଭରସା ରହିଛି, ଆପଣମାନେ ଏହି ସଂକଳ୍ପକୁ ପୂରଣ କରିବେ। ଆପଣମାନଙ୍କର ପ୍ରୟାସ ଏବଂ ଆଇଆଇଏମ ସମ୍ବଲପୁରର ପ୍ରୟାସ, ଆତ୍ମନିର୍ଭର ଭାରତ ଅଭିଯାନକୁ ସିଦ୍ଧ କରିପାରିବ। ଏହି ଶୁଭକାମନା ସହିତ, ଆପଣମାନଙ୍କୁ ଅନେକ ଅନେକ ଧନ୍ୟବାଦ। ନମସ୍କାର!

  • शिवकुमार गुप्ता February 26, 2022

    जय भारत
  • शिवकुमार गुप्ता February 26, 2022

    जय हिंद
  • शिवकुमार गुप्ता February 26, 2022

    जय श्री राम
  • शिवकुमार गुप्ता February 26, 2022

    जय श्री सीताराम
Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
Centre approves direct procurement of chana, mustard and lentil at MSP

Media Coverage

Centre approves direct procurement of chana, mustard and lentil at MSP
NM on the go

Nm on the go

Always be the first to hear from the PM. Get the App Now!
...
PM speaks with HM King Philippe of Belgium
March 27, 2025

The Prime Minister Shri Narendra Modi spoke with HM King Philippe of Belgium today. Shri Modi appreciated the recent Belgian Economic Mission to India led by HRH Princess Astrid. Both leaders discussed deepening the strong bilateral ties, boosting trade & investment, and advancing collaboration in innovation & sustainability.

In a post on X, he said:

“It was a pleasure to speak with HM King Philippe of Belgium. Appreciated the recent Belgian Economic Mission to India led by HRH Princess Astrid. We discussed deepening our strong bilateral ties, boosting trade & investment, and advancing collaboration in innovation & sustainability.

@MonarchieBe”