ମିଷ୍ଟର ମାଇକେଲ ବ୍ଲୁମ୍ବର୍ଗ, ବ୍ଲୁମ୍ବର୍ଗ ନୂଆ ଆର୍ଥିକ ଫୋରମରେ ଭାଗ ନେଇଥିବା ଅଗ୍ରଚିନ୍ତକଗଣ, ଉଦ୍ୟୋଗପତି ଏବଂ ଅନ୍ୟାନ୍ୟ ବିଶିଷ୍ଟ ଅତିଥିବୃନ୍ଦ ।
ମାଇକେଲ ଏବଂ ତାଙ୍କ ବ୍ଲୁମ୍ବର୍ଗ ଫିଲାନଥ୍ରୋପିଜ (ଲୋକହିତୈଷୀ ସଂସ୍ଥା) ଦ୍ୱାରା ଅନୁଷ୍ଠିତ ହେଉଥିବା ଏଭଳି ଏକ ମହାନ କାର୍ଯ୍ୟକୁ ପ୍ରଶଂସା କରି ମୁଁ ମୋର ବକ୍ତବ୍ୟ ଆରମ୍ଭ କରୁଛି । ଏହି ଟିମ୍ଦ୍ୱାରା ଭାରତର ସ୍ମାର୍ଟସିଟି ମିଶନର ଡିଜାଇନ ପ୍ରସ୍ତୁତି ଅତ୍ୟନ୍ତ ସୁନ୍ଦର ହୋଇଛି ।
ବନ୍ଧୁଗଣ, ଆମେ ଇତିହାସର ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିନ୍ଦୁରେ ଉପନୀତ । ବିଶ୍ୱର ଅର୍ଦ୍ଧାଧିକ ନାଗରିକ ଏବେ ସହରାଞ୍ଚଳରେ ବସବାସ କରୁଛନ୍ତି । ଆଉ ଦୁଇ ଦଶନ୍ଧି ପରେ ଭାରତ ଏବଂ କେତେକ ଆଫ୍ରିକୀୟ ରାଷ୍ଟ୍ର ଏକ ବଡ଼ ଧରଣର ସହରାୟନ ଢେଉ ଦେଖିବେ; କିନ୍ତୁ କରୋନା ମହାମାରୀ ଏବେ ସମଗ୍ର ବିଶ୍ୱ ପାଇଁ ଏକ ବିରାଟ ଆହ୍ୱାନ ସୃଷ୍ଟି କରିଛି । ଏହା ଆମକୁ ଦେଖାଇ ଦେଇଛି ଯେ ନଗର ସମୂହ ଯାହା ଅଭିବୃଦ୍ଧିର ଇଂଜିନ ଭାବେ କାର୍ଯ୍ୟ କରୁଥିଲେ, ସେସବୁ ମଧ୍ୟ ଏବେ ବିପଦପ୍ରବଣ ହୋଇପଡିଛି । କରୋନା ଯୋଗୁଁ ବିଶ୍ୱର ଅନେକ ସହର ଓ ନଗର ଗୁରୁତର ଆର୍ଥିକ ସଂକଟର ସମ୍ମୁଖୀନ ହୋଇଛନ୍ତି । ସେମାନଙ୍କ ଆର୍ଥିକ ସ୍ଥିତି ଏତେ ଖରାପ ହୋଇଯାଇଛି ଯେ ତାହା କଳ୍ପନା କରିବା କଷ୍ଟ । ଗ୍ରେଟ ଡିପ୍ରେସନ ବା ପ୍ରଚଣ୍ଡ ମାନ୍ଦାବସ୍ଥା ପରେ ବିଶ୍ୱ ଅର୍ଥନୀତି କ୍ଷେତ୍ରରେ ଏଭଳି ଅବସ୍ଥା କେବେ ସୃଷ୍ଟି ହୋଇ ନ ଥିଲା । ସହରରେ ରହିବାର ସମସ୍ତ ସୁଖସୁବିଧା ଉପରେ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଗୋଷ୍ଠୀ ସମାବେଶ, ଖେଳକୁଦର ଆୟୋଜନ, ଶିକ୍ଷା ଏବଂ ମନୋରଂଜନ ଆଦି ବିଷୟ ପୂର୍ବରୁ ଯାହା ଥିଲା ଏବେ ତାହା ସେଇଆ ହୋଇନାହିଁ । ସମଗ୍ର ବିଶ୍ୱ ଆଗରେ ସବୁଠୁ ବଡ଼ ପ୍ରଶ୍ନ ହେଉଛି ଏହାର ପୁନରାରମ୍ଭ କିପରି ହେବ ? ଏହି ପୁନରାରମ୍ଭ ଆମ ମାନସିକତା ଓ ଦୃଷ୍ଟିକୋଣର ପୁନଃ ସଂଯୋଜନ ବିନା ସମ୍ଭବ ନୁହେଁ । ମାନସିକତା ସହିତ ଆମ ପ୍ରକ୍ରିୟା ଏବଂ ଅଭ୍ୟାସକୁ ମଧ୍ୟ ପୁନଃ ସଂଯୋଜିତ କରିବାକୁ ହେବ ।
ବନ୍ଧୁଗଣ, ମୋ ବିଚାରରେ ଦୁଇଟି ବିଶ୍ୱଯୁଦ୍ଧ ପରେ ଯେଉଁ ଐତିହାସିକ ପୁନନିର୍ମାଣ ଆରମ୍ଭ ହୋଇଥିଲା ସେଥିରୁ ଆମକୁ ଅନେକ ଶିକ୍ଷା ମିଳିପାରିବ । ବିଶ୍ୱଯୁଦ୍ଧ ପରେ ସମଗ୍ର ପୃଥିବୀ ଏକ ନୂଆ ବିଶ୍ୱ ବ୍ୟବସ୍ଥାରେ କାର୍ଯ୍ୟ କରିଥିଲା । ନୂଆ ନୀତିନିୟମ ବିକଶିତ ହେବା ସହ ବିଶ୍ୱ ନିଜକୁ ବଦଳାଇ ଦେଇଥିଲା । କୋଭିଡ୍-19 ମଧ୍ୟ ଆମକୁ ସେହିଭଳି ଏକ ସୁଯୋଗ ଦେଇଛି । ଆମକୁ ନୂଆ ନୀତିନିୟମ ପ୍ରତ୍ୟେକ କ୍ଷେତ୍ରରେ ତିଆରି କରିବାକୁ ସୁଯୋଗ ସୃଷ୍ଟି କରିଛି । ଭବିଷ୍ୟତ ପାଇଁ ସମଗ୍ର ବିଶ୍ୱ ଏକ ପ୍ରତିରୋଧୀ ଓ ସ୍ଥିତିସ୍ଥାପକ ବ୍ୟବସ୍ଥା ନିର୍ମାଣ କରିବାକୁ ଯଦି ଚାହେଁ, ତେବେ ଏହି ସୁଯୋଗକୁ ହାତଛଡା କରିବା ଅନୁଚିତ । ଆମକୁ କୋଭିଡ୍ ପରବର୍ତ୍ତୀ ବିଶ୍ୱର ଆବଶ୍ୟକତା କଥା ଚିନ୍ତା କରିବାକୁ ପଡିବ । ସେଥିପାଇଁ ଅର୍ବାନ ସେଣ୍ଟରଗୁଡିକର ନବକଳେବର ଏକ ପ୍ରାରମ୍ଭବିନ୍ଦୁ ହେବ ।
ବନ୍ଧୁଗଣ, ଏଠାରେ ମୁଁ ଭାରତୀୟ ନଗରୀଗୁଡିକର ଏକ ଅସ୍ଥିବାଚକ ଦିଗ ଆପଣଙ୍କୁ ଜଣାଇବାକୁ ଚାହୁଁଛି । ଏହି କଠୋର ସମୟରେ ଭାରତୀୟ ନଗରୀଗୁଡିକ ଏକ ଅସାଧାରଣ ଉଦାହରଣ ଉପସ୍ଥାପନ କରିଥିଲେ । ଲକ୍ଡାଉନ ବିରୋଧରେ ବିଶ୍ୱବ୍ୟାପୀ ବିରୋଧ ସୃଷ୍ଟି ହୋଇଥିଲା । ଭାରତୀୟ ସହରଗୁଡିକ କିନ୍ତୁ ଏହି ନିବାରଣମୂଳକ ପଦକ୍ଷେପକୁ ନିଷ୍ଠାର ସହ ପାଳନ କରିଥିଲେ । କାରଣ ଆମ ପାଇଁ ଆମ ସହରଗୁଡିକର ସବୁଠୁ ବୃହତ୍ ଅଟ୍ଟାଳିକା, କଂକ୍ରିଟ ନୁହେଁ, ଏହା କମ୍ୟୁନିଟି ବା ସଂପ୍ରଦାୟ । ଏହି ମହାମାରୀ ପୁନଃ ପ୍ରମାଣିତ କରିଛି ଯେ ସମାଜ ଓ ବ୍ୟବସାୟ ନିର୍ବିଶେଷରେ ଆମର ସବୁଠୁ ବଡ଼ ସମ୍ବଳ ହେଉଛି ଆମର ଜନତା । କରୋନା ପରବର୍ତ୍ତୀ ବିଶ୍ୱର ପୁନଃନିର୍ମାଣ ପ୍ରକ୍ରିୟା ଏହି ମୌଳିକ ସମ୍ବଳ ବିନିଯୋଗ ଦ୍ୱାରା ହିଁ ସମ୍ଭବ ହେବ । ନଗରୀଗୁଡିକ ଅଭିବୃଦ୍ଧିର ଇଂଜିନ । ଏହି ଅତ୍ୟାବଶ୍ୟକ ପରିବର୍ତ୍ତନ ପାଇଁ ଏହି ସହର ସବୁରେ ଚାଳକର ଶକ୍ତି ନିହିତ ।
ସହରରେ କାମ ମିଳୁଥିବାରୁ ଲୋକେ ଘରଛାଡି ସହରମୁହାଁ ହୁଅନ୍ତି ; କିନ୍ତୁ ଏହା ସେହି ସମୟ ନୁହେଁ । ଆମେ ଏପରି ସହର ଗଠନ କରିବା, ଯାହା ଲୋକଙ୍କ ପାଇଁ କାମ କରିବ ? ସହରଗୁଡିକୁ ଅଧିକ ବସବାସ ଉପଯୋଗୀ କରିବା ନିମନ୍ତେ କରୋନା ଆମକୁ ସୁଯୋଗ ଦେଇଛି । ସେଥିପାଇଁ ଉତ୍ତମ ଆବାସ ସୁବିଧା, ଉତ୍ତମ କାର୍ଯ୍ୟ ପରିବେଶ, ସ୍ୱଳ୍ପକାଳୀନ ଏବଂ ଦକ୍ଷ ଯାତ୍ରା ବ୍ୟବସ୍ଥା ଆବଶ୍ୟକ । ଲକ୍ଡାଉନ କାଳରେ ଅନେକ ସହରର ନଦନଦୀ, ହ୍ରଦ ପ୍ରଦୂଷଣମୁକ୍ତ ହେବା ସହିତ ବାୟୁ ମଧ୍ୟ ନିର୍ମଳ ଥିଲା । ସେତେବେଳେ ସହରାଞ୍ଚଳରେ ପକ୍ଷୀଙ୍କ କଳରବ ଶୁଣିବାକୁ ମିଳୁଥିଲା, ଯାହା ସାଧାରଣତଃ ସହରରେ କ୍ୱଚିତ ଶୁଣାଯାଏ । ଆମେ କ’ଣ ସେଭଳି ସହର ନିର୍ମାଣ କରିପାରିବା ନାହିଁ, ଯେଉଁଠି ଏହି ପ୍ରାକୃତିକ ପରିବେଶ ରହିପାରିବ ? ଆମେ ଭାରତରେ ଅର୍ବାନ ସେଣ୍ଟରମାନ ନିର୍ମାଣ କରିବାକୁ କାର୍ଯ୍ୟ କରୁଛୁ । ଆମେ ଯେଉଁ ଅର୍ବାନ ସେଣ୍ଟରମାନ ନିର୍ମାଣ କରିବାକୁ ଚେଷ୍ଟା କରୁଛୁ ସେଥିରେ ସହରର ସୁଖସୁବିଧା ସହିତ ଗ୍ରାମର ପ୍ରାକୃତିକତା ଓ ଚେତନା ରହିବ ।
ବନ୍ଧୁଗଣ, କରୋନା ମହାମାରୀ ସମୟରେ ଆମର କାମକୁ ଅବ୍ୟାହତ ରଖିବା ପାଇଁ ଟେକ୍ନୋଲଜି ଆମକୁ ବେଶ୍ ସହାୟକ ହୋଇଛି । ଭିଡିଓ କନ୍ଫରେନ୍ସ ଭଳି ସାଧନ ସେଥି ମଧ୍ୟରୁ ଅନ୍ୟତମ । ଏହା ମାଧ୍ୟମରେ ମୁଁ ଅନେକ ବୈଠକରେ ଭାଗ ନେଇପାରିବି । ଏହା ମଧ୍ୟ ମୋତେ ବହୁ ଦୂର ଯାତ୍ରା କରି ଆପଣମାନଙ୍କ ସହ କଥାବର୍ତ୍ତା ହେବା ଜଞ୍ଜାଳରୁ ମୁକ୍ତ କରିଛି । ଏହା ଦୂରତ୍ୱ ହ୍ରାସରେ ସହାୟକ ହୋଇଛି । ତେବେ କୋଭିଡ୍ ପରବର୍ତ୍ତୀ ବିଶ୍ୱ ପାଇଁ ଏହା ମଧ୍ୟ ଏକ ମଜାଦାର ପ୍ରଶ୍ନବାଚୀ ସୃଷ୍ଟି କରିପାରେ । ଆପଣ କ’ଣ ଚାହିଁବେ କୋଭିଡ୍ ସମୟର ଏହି ଭିଡିଓ କନ୍ଫରେନ୍ସିଂ ବ୍ୟବସ୍ଥା ଜାରି ରହୁ ? ଆପଣ କ’ଣ ଚାହିଁବେ ଗୋଟିଏ ମହାଦେଶରୁ ଆଉ ଗୋଟିଏ ମହାଦେଶକୁ ଯାଇ ଏକ ସମ୍ମିଳନୀରେ ଆପଣ ସଶରୀରେ ଯୋଗଦେବେ ? ଅତଏବ ସହରାଞ୍ଚଳ ବ୍ୟବସ୍ଥାରେ ଚାପ ହ୍ରାସ ଆମ ରୁଚି ଉପରେ ନିର୍ଭର କରେ । ଏହି ରୁଚି ମଧ୍ୟ ଆମକୁ ଉତ୍ତମ କାର୍ଯ୍ୟ ଓ ଜୀବନ ଭାରସାମ୍ୟ ରକ୍ଷାରେ ସହାୟକ ହେବ । ଆଜିର ଯୁଗରେ ଯେକୌଣସି ସ୍ଥାନରେ ରହି କାର୍ଯ୍ୟ କରିବାକୁ ଲୋକଙ୍କୁ ସକ୍ଷମ କରିବା, ଯେକୌଣସି ସ୍ଥାନରେ ବସବାସ କରିବା, ବୈଶ୍ୱିକ ଯୋଗାଣ ପ୍ରକ୍ରିୟାରେ ସାମିଲ ହେବା ଏକ ଚରମ ଆବଶ୍ୟକତା ପାଲଟିଛି । ସେଥିପାଇଁ ଆମେ ଟେକ୍ନୋଲଜି ଓ ଜ୍ଞାନଭିତ୍ତିକ କ୍ଷେତ୍ର ପାଇଁ ସରଳ ନିର୍ଦ୍ଦେଶାବଳୀ ଘୋଷଣା କରିଛୁ । ଏହାଦ୍ୱାରା ୱାର୍କ ଫ୍ରମ୍ ହୋମ୍ ଏବଂ ୱାର୍କ ଫ୍ରମ ଏନିହେୟାର ସୁବିଧା ସହଜରେ କାର୍ଯ୍ୟକାରୀ ହୋଇପାରିବ ।
ବନ୍ଧୁଗଣ, ସୁଲଭ ମୂଲ୍ୟର ଗୃହ ବିନା ଆମ ନଗରୀଗୁଡିକ ସମୃଦ୍ଧ ହୋଇପାରିବେ ନାହିଁ । ଏହା ଅନୁଭବ କରି ଆମେ 2015ରୁ ସମସ୍ତଙ୍କ ପାଇଁ ଘର ଯୋଜନା ଆରମ୍ଭ କରିଥିଲୁ । ମୁଁ ଆନନ୍ଦର ସହିତ ଜଣାଇବାକୁ ଚାହେଁ ଯେ ଏ କ୍ଷେତ୍ରରେ ଆମର ପ୍ରଗତି ସନ୍ତୋଷଜନକ ରହିଛି । 2022ର ଧାର୍ଯ୍ୟଲକ୍ଷ୍ୟ ସମୟ ପୂର୍ବରୁ ଆମେ 1 କୋଟିରୁ ଅଧିକ ଘର ସହରାଞ୍ଚଳରେ ଘରଖଣ୍ଡିଏ ପାଇଁ ଆଶାୟୀ ଥିବା ଲୋକଙ୍କୁ ଯୋଗାଇଦେବୁ । ମହାମାରୀ ଦ୍ୱାରା ସୃଷ୍ଟ ସ୍ଥିତିକୁ ନଜରରେ ରଖି ଆମେ ମଧ୍ୟ ସୁଲଭ ଭଡାଘର ଯୋଜନା ଆରମ୍ଭ କରିଛୁ । ଆମେ ମଧ୍ୟ ରିଏଲ ଇଷ୍ଟେଟ ନିୟନ୍ତ୍ରଣ ଆଇନକୁ କାର୍ଯ୍ୟକାରୀ କରିଛୁ । ଏହା ଫଳରେ ରିଏଲ ଇଷ୍ଟେଟ କ୍ଷେତ୍ରର ଗତିଶୀଳତାରେ ପରିବର୍ତ୍ତନ ଆସିଛି । ଏହାଦ୍ୱାରା ଏହି କ୍ଷେତ୍ର ଅଧିକ ଖାଉଟି କୈନ୍ଦ୍ରିକ ଓ ସ୍ୱଚ୍ଛ ହୋଇପାରିଛି ।
ବନ୍ଧୁଗଣ, ନିରନ୍ତର ଆତଯାତ ସ୍ଥିତିସ୍ଥାପକ ନଗରୀଗୁଡିକର ଏକ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା । ଏଥିପାଇଁ ଯାନବାହନ ଓ ଯିବା ଆସିବାର ବ୍ୟବସ୍ଥା ବିଶେଷ ଗୁରୁତ୍ୱ ରଖେ । ଭାରତରେ 27ଟି ନଗରୀରେ ମେଟ୍ରୋ ରେଳ କାର୍ଯ୍ୟ ଚାଲିଛି । 2022 ସୁଦ୍ଧା ଭାରତରେ ପ୍ରାୟ 1000 କିମି ମେଟ୍ରୋରେଲ ବ୍ୟବସ୍ଥା କାର୍ଯ୍ୟକ୍ଷମ ହୋଇପାରିବ । ଆମର ମେକ୍ ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମ, ଦେଶୀ ପରିବହନ ବ୍ୟବସ୍ଥାରେ ଉନ୍ନତି ଆଣିବାରେ ସହାୟକ ହୋଇଛି । ଦେଶ ଭିତରେ ନୂଆ ନୂଆ ଯାନବାହନ ନିର୍ମାଣ ଓ ବ୍ୟବସ୍ଥା ତିଆରି ହେଉଛି । ପରିବହନ କ୍ଷେତ୍ରରେ ଆମର ଯେଉଁ ନିରନ୍ତର ବିକାଶ ଯୋଜନା ରହିଛି ମେକ ଇନ୍ ଇଣ୍ଡିଆ ତାହାକୁ ବେଶ୍ ସହାୟକ ହେଉଛି ।
ବନ୍ଧୁଗଣ, ଏକ ସ୍ମାର୍ଟ, ସମୃଦ୍ଧ ଓ ସ୍ଥିତିସ୍ଥାପକ ନଗରୀ ପାଇଁ ଟେକ୍ନୋଲଜିର ଗୁରୁତ୍ୱ ବହୁ ଅଧିକ । ଏଥିରେ ଟେକ୍ନୋଲଜି ହିଁ ଚାଳକର ଭୂମିକା ନିର୍ବାହ କରିଥାଏ ଏବଂ ସହରର ଦକ୍ଷ ପରିଚାଳନା ଓ ସଂପ୍ରଦାୟକୁ ଯୋଡିବାରେ ବିଶେଷ ଭୂମିକା ନିର୍ବାହ କରେ । ଆମେ ଏଭଳି ଏକ ଭବିଷ୍ୟତକୁ ନଜରରେ ରଖିଛୁ ଯେଉଁଠି ଶିକ୍ଷା, ସ୍ୱାସ୍ଥ୍ୟସେବା, ସପିଂ, ଖାଦ୍ୟପେୟ ଆଦି ସମସ୍ତ କଥା ଅନ୍ଲାଇନରେ ମିଳିବ । ଭୌତିକ ଓ ଡିଜିଟାଲ ବିଶ୍ୱର ସମ୍ମିଶ୍ରଣରେ ଆମେ ଆମ ନଗରୀଗୁଡିକୁ ପ୍ରସ୍ତୁତ କରିବାକୁ ଉଦ୍ୟମ ଚଳାଇଛୁ । ଆମର ଡିଜିଟାଲ ଇଣ୍ଡିଆ, ଷ୍ଟାର୍ଟଅପ୍ ଇଣ୍ଡିଆ ମିଶନ ଏ ଦିଗରେ ଆବଶ୍ୟକ ଦକ୍ଷତା ନିର୍ମାଣରେ ସହାୟକ ହେଉଛି । ଦୁଇ ପର୍ଯ୍ୟାୟ ପ୍ରକ୍ରିୟାରେ ଆମେ ଦେଶରେ 100ଟି ସ୍ମାର୍ଟସିଟି ବାଛିଛୁ । ରାଷ୍ଟ୍ରବ୍ୟାପୀ ପ୍ରତିଯୋଗିତା ମାଧ୍ୟମରେ ଏହା କରାଯାଇଛି । ଏଥିରେ ସହଯୋଗ ଓ ପ୍ରତିଯୋଗିତାମୂଳକ ସଂଘବାଦର ଦର୍ଶନ ପ୍ରତିଫଳିତ ହୋଇଛି ।
ଏହିସବୁ ନଗରୀ 30 ବିଲିୟନ ଡଲାର ବା 2 ଲକ୍ଷ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ପ୍ରସ୍ତୁତ କରିଛନ୍ତି । ସେଥିମଧ୍ୟରୁ 1 ଲକ୍ଷ 40 ହଜାର କୋଟି ଟଙ୍କା ବା 20 ବିଲିୟନ ଡଲାର ମୂଲ୍ୟର ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ କିମ୍ବା ସଂପୂର୍ଣ୍ଣ ହେବା ଉପରେ । ଟେକ୍ନୋଲଜିର ସଂପୂର୍ଣ୍ଣ କ୍ଷମତାକୁ ଉପଯୋଗ କରିବା ପାଇଁ ଅନେକ ନଗରୀରେ ଇଣ୍ଟିଗ୍ରେଟେଡ କମାଣ୍ଡ ଏଣ୍ଡ କଣ୍ଟ୍ରୋଲ ସେଣ୍ଟର ସ୍ଥାପନ କରାଯାଇଛି । ବିଭିନ୍ନ ନଗରୀରେ ଏବେ ଏହିସବୁ କେନ୍ଦ୍ରକୁ କରୋନା ସ୍ଥିତିର ମୁକାବିଲା ପାଇଁ ୱାରରୁମ୍ ଭାବେ ବ୍ୟବହାର କରାଯାଉଛି । ଶେଷରେ ମୁଁ ଆପଣମାନଙ୍କୁ ସ୍ମରଣ କରାଇଦେବାକୁ ଚାହେଁ ଯେ ଆପଣମାନେ ଯଦି ସହରାୟନ କ୍ଷେତ୍ରରେ ପୁଞ୍ଜି ନିବେଶ କରିବାକୁ ଚାହୁଁଥାନ୍ତି ତାହାହେଲେ ଭାରତରେ ସେଥିପାଇଁ ଅତି ଉତ୍ତମ ସୁଯୋଗ ଆପଣଙ୍କ ପାଇଁ ରହିଛି । ଆପଣ ଯଦି ପରିବହନ ବା ମବଲିଟି କ୍ଷେତ୍ରରେ ପୁଞ୍ଜି ନିବେଶ କରିବାକୁ ଚାହୁଁଥାନ୍ତି ତାହାହେଲେ ଭାରତ ସେଥିପାଇଁ ଆପଣଙ୍କୁ ଆକର୍ଷୀଣୟ ସୁଯୋଗ ଯୋଗାଇ ଦେବାକୁ ପ୍ରସ୍ତୁତ । ଇନୋଭେସନ କ୍ଷେତ୍ରରେ ଯଦି ଆପଣ ପୁଞ୍ଜି ଲଗାଇବାକୁ ଚାହୁଁଛନ୍ତି ଭାରତରେ ମଧ୍ୟ ସେଥିପାଇଁ ଆପଣଙ୍କ ନିମନ୍ତେ ଚମତ୍କାର ସୁଯୋଗ ରହିଛି । ସଷ୍ଟେନେବୁଲ ସଲୁସନ୍ସ କ୍ଷେତ୍ରରେ ଆପଣ ଯଦି ପୁଞ୍ଜି ନିବେଶ କରିବାକୁ ଚାହୁଁଥାନ୍ତି ତେବେ ଭାରତ ସେଥିପାଇଁ ଉତ୍ତମ ସୁଯୋଗ ଯୋଗାଇ ଦେବାକୁ ପ୍ରସ୍ତୁତ । ଏହିସବୁ ସୁଯୋଗ ସହିତ ଭାରତରେ ଏକ ଦୃଢ ଗଣତନ୍ତ୍ର ରହିଛି । ଏଠାରେ ଏକ ବ୍ୟବସାୟ ଅନୁକୂଳ ପରିବେଶ, ଏକ ବିରାଟ ବଜାର ଉପଲବ୍ଧ । ସର୍ବୋପରି ଏକ ସରକାର ରହିଛି, ଯାହା ଭାରତକୁ ବିଶ୍ୱର ଏକ ପସନ୍ଦଯୋଗ୍ୟ ନିବେଶ ଲକ୍ଷ୍ୟସ୍ଥଳୀରେ ପରିଣତ କରିବାକୁ କୌଣସି କାମ ବାକି ରଖିବ ନାହିଁ ।
ବନ୍ଧୁଗଣ, ଭାରତ ସହରାଞ୍ଚଳ ପରିବର୍ତ୍ତନ ପଥରେ ବେଶ୍ ଅଗ୍ରଗାମୀ । ସମସ୍ତ ସଂପୃକ୍ତ ପକ୍ଷ, ନାଗରିକ ସମାଜ, ଶିକ୍ଷାନୁଷ୍ଠାନ, ଉଦ୍ୟୋଗ ଏବଂ ସର୍ବୋପରି ନାଗରିକ ଓ ସଂପ୍ରଦାୟ ସମୂହର ସହଯୋଗରେ ଆମେ ସ୍ଥିତିସ୍ଥାପକ ଏବଂ ସମୃଦ୍ଧ ବୈଶ୍ୱିକ ନଗରୀ ସମୂହର ସ୍ୱପ୍ନ ସାକାର କରିବାରେ ସମର୍ଥ ହେବୁ । ମୋର ଏ ଦୃଢ ବିଶ୍ୱାସ ରହିଛି ।