ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ଏମିତି କୌଣସି ଭାରତୀୟ ନ ଥିବ, ଯିଏ ଆମ ସେନାବାହିନୀ, ଆମ ସେନାର ଯବାନମାନଙ୍କୁ ନେଇ ଗର୍ବ କରୁନଥିବ । ପ୍ରତ୍ୟେକ ଭାରତୀୟ –ସେ ଯେକୌଣସି ଅଂଚଳ, ଜାତି, ଧର୍ମ, ସମ୍ପ୍ରଦାୟ ବା ଭାଷାର ହୋଇଥାଉ ନା କାହିଁକି – ଆମ ସୈନିକମାନଙ୍କ ପ୍ରତି ନିଜର ଆନନ୍ଦର ପରିପ୍ରକାଶ ଏବଂ ସମର୍ଥନ ଦର୍ଶାଇବା ପାଇଁ ସର୍ବଦା ତତ୍ପର ହୋଇରହିଥାଏ । ଗତକାଲି ଭାରତର ଶହେ ପଚିଶ କୋଟି ଦେଶବାସୀ ପରାକ୍ରମ ପର୍ବପାଳନ କଲେ । ଆମେ 2016ରେ ହୋଇଥିବା ସେହି ସର୍ଜିକାଲ ଷ୍ଟ୍ରାଇକ୍କୁ ସ୍ମରଣ କଲୁ ଯେଉଁଥିରେ ଆମ ସୈନିକମାନେ ଆମ ଦେଶ ଉପରେ ଆତଙ୍କବାଦ ଆଢୁଆଳରେ ଛାୟା ଯୁଦ୍ଧ (Proxy War)ର ଦୁଃସାହସ କରୁଥିବା ଲୋକଙ୍କୁ କଡ଼ା ଜବାବ ଦେଇଥିଲେ । ଦେଶର ଭିନ୍ନ ଭିନ୍ନ ସ୍ଥାନରେ ଆମର ସେନାବାହିନୀ ଦ୍ୱାରା ପ୍ରଦର୍ଶନୀମାନ ଆୟୋଜିତ ହେଲା, ଯାହାଫଳରେ ଦେଶର ଅଧିକରୁ ଅଧିକ ନାଗରିକ ବିଶେଷକରି ଯୁବପିଢ଼ି ଆମର ଶକ୍ତି ସହ ପରିଚିତ ହୋଇପାରିବେ । ଆମେ କେତେ ସକ୍ଷମ ଆଉ ଆମ ସୈନିକମାନେ କିଭଳି ନିଜ ଜୀବନକୁ ବିପଦରେ ପକାଇ ଆମ ଦେଶବାସୀଙ୍କୁ ସୁରକ୍ଷା ପ୍ରଦାନ କରୁଛନ୍ତି । ପରାକ୍ରମ ପର୍ବ ଭଳି ଦିବସ ଯୁବବର୍ଗଙ୍କୁ ଆମର ସଶସ୍ତ୍ର ସେନାବାହିନୀର ଗୌରବପୂର୍ଣ୍ଣ ପରମ୍ପରାକୁ ସ୍ମରଣ କରାଇ ଦେଇଥାଏ ଆଉ ଦେଶର ଏକତା ଓ ଅଖଣ୍ଡତା ସୁନିଶ୍ଚିତ କରିବା ପାଇଁ ଆମକୁ ପ୍ରେରଣା ମଧ୍ୟ ଯୋଗାଇଥାଏ । ମୁଁ ମଧ୍ୟ ବୀରମାନଙ୍କ ଭୂମି ରାଜସ୍ଥାନର ଯୋଧପୁରରେ ଗୋଟିଏ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲି । ତେବେ ଏକଥା ଏବେ ନିଶ୍ଚିତ ଯେ, ଯିଏ ଆମ ଦେଶର ଶାନ୍ତି ଏବଂ ଉନ୍ନତିର ବାତାବରଣକୁ ନଷ୍ଟ କରିବାର ପ୍ରଚେଷ୍ଟା କରିବେ, ଆମ ସୈନ୍ୟମାନେ ତାଙ୍କୁ ଉଚିତ ଜବାବ ଦେବେ । ଆମେ ଶାନ୍ତିରେ ବିଶ୍ୱାସ କରୁ ଏବଂ ଏହାକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ । କିନ୍ତୁ ସମ୍ମାନ ସହ ସାଲିସ୍ ଏବଂ ଦେଶର ସାର୍ବଭୌମତ୍ୱ ବଦଳରେ ଏହା କଦାପି ସମ୍ଭବ ନୁହେଁ । ଭାରତ ସର୍ବଦା ଶାନ୍ତି ପାଇଁ ପ୍ରତିଶ୍ରୁତିବଦ୍ଧ ଏବଂ ସମର୍ପିତ ହୋଇ ରହିଆସିଛି । ବିଂଶ ଶତାବ୍ଦୀରେ ଦୁଇଟି ବିଶ୍ୱଯୁଦ୍ଧ ସହ ଆମର କୌଣସି ସମ୍ପର୍କ ନ ଥିବା ସତ୍ତ୍ୱେ ଆମର ଏକ ଲକ୍ଷରୁ ଅଧିକ ସୈନ୍ୟ ପ୍ରାଣବଳି ଦେଇଥିଲେ । ଅନ୍ୟ କାହାରି ଭୂମି ଉପରେ ଆମର ଦୃଷ୍ଟି କେବେହେଲେ ନ ଥିଲା । ଏହା କେବଳ ଥିଲା ଶାନ୍ତି ପ୍ରତି ଆମ ପ୍ରତିବଦ୍ଧତା । ମାତ୍ର କିଛିଦିନ ତଳେ ସେପ୍ଟେମ୍ବର 23 ତାରିଖ ଦିନ ଆମେ ଇସ୍ରାଏଲରେ ହାଇଫା (Haifa) ଯୁଦ୍ଧର ଶହେ ବର୍ଷ ପୂର୍ତ୍ତି ଅବସରରେ ମହୀଶୂର, ହାଇଦ୍ରାବାଦ ଓ ଯୋଧପୁର ଲାନ୍ସର୍ସ’ର ବୀର ସୈନିକମାନଙ୍କୁ ସ୍ମରଣ କଲୁ ଯେଉଁମାନେ ଆକ୍ରମଣକାରୀଙ୍କ କବଳରୁ ହାଇଫାକୁ ମୁକ୍ତ କରିଥିଲେ । ଏହା ମଧ୍ୟ ଶାନ୍ତି ପାଇଁ ଆମ ସୈନିକମାନଙ୍କ ଦ୍ୱାରା ପ୍ରଦର୍ଶିତ ଗୋଟିଏ ପରାକ୍ରମ ଥିଲା । ଆଜି ମଧ୍ୟ ମିଳିତ ଜାତିସଂଘର ବିଭିନ୍ନ ଶାନ୍ତିରକ୍ଷା ସେନାବାହିନୀରେ ସର୍ବାଧିକ ସୈନ୍ୟ ପଠାଉଥିବା ଦେଶମାନଙ୍କ ମଧ୍ୟରେ ଭାରତ ଅନ୍ୟତମ । ଅନେକ ଦଶନ୍ଧି ଧରି ଆମ ବୀର ସୈନିକଗଣ ନୀଳ ହେଲମେଟ୍ ପିନ୍ଧି ବିଶ୍ୱରେ ଶାନ୍ତି ବଜାୟ ରଖିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି ।
ମୋର ପ୍ରିୟ ଦେଶବାସୀଗଣ, ଆକାଶର କଥା ତ ସବୁବେଳେ ନିଆରା । ଆକାଶରେ ନିଜର ଶକ୍ତିର ପରିଚୟ ଦେଇ ଭାରତୀୟ ବାୟୁସେନା ପ୍ରତ୍ୟେକ ଦେଶବାସୀଙ୍କ ଧ୍ୟାନ ନିଜ ଆଡ଼କୁ ଆକୃଷ୍ଟ କରିପାରିଛନ୍ତି ଏଥିରେ କୌଣସି ଆଶ୍ଚର୍ଯ୍ୟର କଥା ନାହିଁ । ସେମାନେ ଆମକୁ ସୁରକ୍ଷାର ଅନୁଭୂତି ପ୍ରଦାନ କରିଛନ୍ତି । ଗଣତନ୍ତ୍ର ଦିବସ ସମାରୋହ ପରେଡରେ ଲୋକେ ଯେଉଁ ଅଂଶ ପାଇଁ ଉକ୍ରଣ୍ଠାର ସହ ପ୍ରତୀକ୍ଷା କରିଥାନ୍ତି ସେଥିରୁ ଗୋଟିଏ ହେଉଛି ଫ୍ଲାଇ-ପାଷ୍ଟ, ଯେଉଁଥିରେ ଆମ ବାୟୁସେନା ଲୋମହର୍ଷଣକାରୀ କୌଶଳ ସହ ନିଜର ଶକ୍ତି ପ୍ରଦର୍ଶନ କରିଥାନ୍ତି । ଅକ୍ଟୋବର 8 ତାରିଖ ଦିନ ଆମେ ବାୟୁସେନା ଦିବସ ପାଳନ କରିଥାଉଁ । 1932ରେ 6 ଜଣ ପାଇଲଟ ଏବଂ 19 ଜଣ ବାୟୁସୈନିକଙ୍କୁ ନେଇ ଛୋଟ ଆକାରରେ ଆରମ୍ଭ ହୋଇଥିବା ଆମର ବାୟୁସେନା ଆଜି ଏକବିଂଶ ଶତାବ୍ଦୀରେ ଏହାର ଆକାର ବୃଦ୍ଧିହୋଇ ସବୁଠାରୁ ସାହସୀ ଏବଂ ଶକ୍ତିଶାଳୀ ବାୟୁସେନାଗୁଡ଼ିକ ମଧ୍ୟରେ ସାମିଲ ହୋଇସାରିଲାଣି । ଏହା ଏକ ସ୍ମରଣୀୟ ଯାତ୍ରା । ଦେଶକୁ ନିଜର ସେବା ପ୍ରଦାନ କରୁଥିବା ସମସ୍ତ ବାୟୁସୈନିକ ଏବଂ ସେମାନଙ୍କ ପରିବାରକୁ ଅନ୍ତରର ଗଭୀରତମ ପ୍ରଦେଶରୁ ଅଭିନନ୍ଦନ ଜଣାଉଛି । 1947ରେ ଯେତେବେଳେ ପାକିସ୍ତାନର ଆକ୍ରମଣକାରୀମାନେ ଅତର୍କିତ ଭାବରେ ଆକ୍ରମଣ ଆରମ୍ଭ କରିଦେଲେ ସେତେବେଳେ ଶ୍ରୀନଗରକୁ ଆକ୍ରମଣକାରୀଙ୍କ କବଳରୁ ରକ୍ଷା କରିବା ପାଇଁ ଯୁଦ୍ଧଭୂମିକୁ ଉଚିତ ସମୟରେ ସୈନ୍ୟ ଏବଂ ଉପକରଣ ଆମ ବାୟୁସେନା ହିଁ ପହଂଚାଇଥିଲା । ବାୟୁସେନା 1965ରେ ମଧ୍ୟ ଶତ୍ରୁଙ୍କୁ କଡ଼ା ଜବାବ ଦେଇଥିଲା । 1971ର ବାଂଲାଦେଶର ସ୍ୱାଧୀନତା ସଂଗ୍ରାମ କଥା କିଏ ବା ନ ଜାଣେ? 1999ରେ କାରଗିଲକୁ ଅନୁପ୍ରବେଶକାରୀଙ୍କ କବଳରୁ ମୁକ୍ତ କରାଇବାରେ ମଧ୍ୟ ବାୟୁସେନାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ଟାଇଗର ହିଲ୍ସରେ ଶତ୍ରୁପକ୍ଷର ଶିବିର ଉପରେ ଦିନରାତି ବୋମାବର୍ଷଣ କରି ବାୟୁସେନା ସେମାନଙ୍କୁ ପରାଜୟର ସ୍ୱାଦ ଚଖାଇଥିଲା । ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ହେଉ କିମ୍ବା ବିପର୍ଯ୍ୟୟ ପରିଚାଳନା, ଆମ ବାୟୁସେନାର ପ୍ରଶଂସନୀୟ କାର୍ଯ୍ୟ ପାଇଁ ଦେଶ ସେମାନଙ୍କ ନିକଟରେ କୃତଜ୍ଞ । ଝଡ଼ବାତ୍ୟା, ବନ୍ୟାଠାରୁ ଆରମ୍ଭ କରି ଜଙ୍ଗଲରେ ଲାଗିଥିବା ନିଆଁ ଭଳି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରି ଦେଶବାସୀଙ୍କୁ ସାହାଯ୍ୟ କରିବାରେ ସେମାନଙ୍କ ଭାବନା ବାସ୍ତବିକ ଚମତ୍କାର । ଦେଶରେ ଲିଙ୍ଗଗତ ସମାନତା ଅର୍ଥାତ ପୁରୁଷ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମାନତା ସୁନିଶ୍ଚିତ କରିବାରେ ବାୟୁସେନା ଗୋଟିଏ ଉଦାହରଣ ସୃଷ୍ଟି କରିଛି ଏବଂ ଏହାର ପ୍ରତ୍ୟେକ ବିଭାଗର ଦ୍ୱାରଦେଶ ଝିଅମାନଙ୍କ ପାଇଁ ଉନ୍ମୁକ୍ତ କରିଦେଇଛି । ଏବେ ତ ବାୟୁସେନା ମହିଳାମାନଙ୍କୁ ସର୍ଟ ସର୍ଭିସେସ କମିଶନ ସହ ସ୍ଥାୟୀ କମିଶନ’ର ବିକଳ୍ପ ମଧ୍ୟ ପ୍ରଦାନ କରୁଛି, ଯାହାର ଘୋଷଣା ଚଳିତ ବର୍ଷ ଅଗଷ୍ଟ 15 ତାରିଖରେ ମୁଁ ଲାଲକିଲ୍ଲାର ପ୍ରାଚୀର ଉପରୁ କରିଥିଲି । ଭାରତୀୟ ସେନାରେ, ସଶସ୍ତ୍ର ବାହିନୀରେ କେବଳ ପୁରୁଷ ଶକ୍ତି ନୁହେଁ, ସ୍ତ୍ରୀ ଶକ୍ତିର ମଧ୍ୟ ସେତିକି ଯୋଗଦାନ ରହିଛି । ନାରୀ ସଶକ୍ତ, କିନ୍ତୁ ଏବେ ସେ ସଶସ୍ତ୍ର ମଧ୍ୟ ହେବାକୁ ଯାଉଛି ।
ମୋର ପ୍ରିୟ ଦେଶବାସୀଗଣ, ବିଗତ ଦିନରେ ଆମ ନୌବାହିନୀର ଜଣେ ଅଧିକାରୀ ଅଭିଳାଷ ଟମି ମୃତ୍ୟୁ ସହ ସଂଗ୍ରାମ କରୁଥିଲେ । ତାଙ୍କ ଜୀବନରକ୍ଷା ପାଇଁ ସାରା ଦେଶ ବ୍ୟସ୍ତ ଥିଲା । ଆପଣ ଜାଣିଛନ୍ତି? ଅଭିଳାଷ ଟମି ଜଣେ ଖୁବ୍ ସାହସୀ – ବୀର ନୌବାହିନୀ ଅଧିକାରୀ । କୌଣସି ଆଧୁନିକ ଜ୍ଞାନକୌଶଳ ବିନା, ଗୋଟିଏ ଛୋଟିଆ ନୌକାରେ ବିଶ୍ୱ ଭ୍ରମଣ କରିବାରେ ସେ ପ୍ରଥମ ଭାରତୀୟ ଥିଲେ । ବିଗତ 80 ଦିନ ଧରି ସେ ଦକ୍ଷିଣ ହିନ୍ଦ ମହାସାଗରରେ ଗୋଲ୍ଡେନ ଗ୍ଲୋବ ପ୍ରତିଯୋଗିତା(Race)ରେ ଅଂଶଗ୍ରହଣ କରିବା ପାଇଁ ସମୁଦ୍ରରେ ନିଜ ଗତିକୁ ସ୍ଥିର ରଖି ଆଗକୁ ମାଡ଼ିଚାଲିଥିଲେ । କିନ୍ତୁ ଭୟଙ୍କର ସାମୁଦ୍ରିକ ଝଡ଼ ତାଙ୍କପାଇଁ ବାଧା ସୃଷ୍ଟି କଲା । ହେଲେ ଭାରତୀୟ ନୌବାହିନୀର ଏହି ବୀର ସମୁଦ୍ର ମଧ୍ୟରେ ଅନେକ ଦିନ ଧରି ବଂଚିବା ପାଇଁ ସଂଗ୍ରାମ କରିଚାଲିଥିଲେ । ବିଶାଳ ଜଳରାଶି ମଧ୍ୟରେ ନ ଖାଇ – ନ ପିଇ ସେ ମୃତ୍ୟୁ ସହ ସଂଗ୍ରାମ କରିଚାଲିଲେ । ମୃତ୍ୟୁ ଆଗରେ ପରାଜୟ ସ୍ୱୀକାର କଲେନାହିଁ । ସାହସ, ସଂକଳ୍ପଶକ୍ତି,ପରାକ୍ରମର ଗୋଟିଏ ଅଦ୍ଭୁତ ଉଦାହରଣ । କିଛିଦିନ ତଳେ ଅଭିଳାଷଙ୍କୁ ସମୁଦ୍ରରୁ ଉଦ୍ଧାର କରାଯିବା ପରେ ମୁଁ ଟେଲିଫୋନ ମାଧ୍ୟମରେ ତାଙ୍କ ସହ କଥା ହୋଇଥିଲି । ଆଗରୁ ମଧ୍ୟ ଟମିଙ୍କ ସହ ମୋର ସାକ୍ଷାତ ହୋଇଥିଲା । ଏବେ ଏହି ବିପଦରୁ ଉଦ୍ଧାର ପାଇବା ପରେ ମଧ୍ୟ ତାଙ୍କ ସାହସ ତିଳେମାତ୍ର ଊଣା ହୋଇନଥିଲା । ବରଂ ପୁଣିଥରେ ଏଭଳି କିଛି ଦୁଃସାହସିକ କାର୍ଯ୍ୟ କରି ଦେଖାଇବାର ଯେଉଁ ସାହସ ଓ ସଂକଳ୍ପଶକ୍ତି ମୋତେ ଦେଖାଇଲେ ତାହା ଦେଶର ଯୁବପିଢ଼ି ପାଇଁ ପ୍ରେରଣାଦାୟକ । ମୁଁ ଅଭିଳାଷ ଟମିଙ୍କ ଉତମ ସ୍ୱାସ୍ଥ୍ୟଲାଭ ପାଇଁ ପ୍ରାର୍ଥନା କରୁଛି । ତାଙ୍କର ସାହସ, ପରାକ୍ରମ, ସଂକଳ୍ପଶକ୍ତି ଆମ ଦେଶର ଯୁବପିଢ଼ିକୁ ଲଢ଼ିବା ଏବଂ ଜିତିବାର ଶକ୍ତି ସହ ନିଶ୍ଚୟ ପ୍ରେରଣା ଯୋଗାଇବ ।
ମୋର ପ୍ରିୟ ଦେଶବାସୀଗଣ, ଆମ ଦେଶରେ ଏଭଳି କୌଣସି ଦିନ ନାହିଁ ଯାହାର କିଛି ମହାତ୍ମ୍ୟ ନ ଥିବ, କୌଣସି ପର୍ବ ନ ଥିବ । ପ୍ରତ୍ୟେକ ଦିନ ଭାରତର କୌଣସି ନା କୌଣସି କୋଣରେ କିଛି ନା କିଛି ଚାଲିଥାଏ । ମାତ୍ର କିଛିଦିନ ତଳେ ଗଣେଶୋତ୍ସବ ଶେଷ ହୋଇଛି ଏବଂ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଆରମ୍ଭ ହେବାକୁ ଯାଉଛି । ଏହାର ଠିକ୍ ପରେ ପରେ ଦୀପାବଳୀର ଜାକଜମକ ଦେଖିବାକୁ ମିଳିବ । ଏହି ଉତ୍ସବଗୁଡ଼ିକ ପାଳନ ପାଇଁ ଲୋକେ ଛୁଟି ମଧ୍ୟ ନେଇଥାନ୍ତି । ଅବଶ୍ୟ, ଆମ ଆଖପାଖରେ ଆମେ ଏଭଳି ଲୋକଙ୍କୁ ମଧ୍ୟ ଦେଖୁଁ, ଯେଉଁମାନେ ପର୍ବପର୍ବାଣୀ ଦିନମାନଙ୍କରେ ମଧ୍ୟ ନିଜ ଡୁ୍ୟଟି କରୁଥାନ୍ତି । ନିଜ ପରିବାରର ଆବଶ୍ୟକତା, ପରିବାରର ଖୁସି,ସୁଖ-ଦୁଃଖ, ପର୍ବପର୍ବାଣୀରେ ଅଂଶଗ୍ରହଣ କରିବାର ସୁଯୋଗ ସେମାନଙ୍କୁ ଖୁବ୍ କମ ମିଳିଥାଏ । ପ୍ରବଳ ବର୍ଷା ହେଉ କି ପ୍ରଚଣ୍ଡ ରୌଦ୍ରତାପ – ଯେକୌଣସି ସ୍ଥାନରେ କିଛି ସଙ୍କଟଜନକ ପରିସ୍ଥିତି ସୃଷ୍ଟି ହେଲେ, ଏମାନେ ସର୍ବପ୍ରଥମେ ଆମକୁ ସାହାଯ୍ୟ କରିବାକୁ ଆଗେଇ ଆସିଥାନ୍ତି । ଆମେ ସେମାନଙ୍କୁ ଦେଖୁ କିନ୍ତୁ ଏ କଥା ଆଡ଼କୁ ଆମର ଦୃଷ୍ଟି ଯାଏନି – ଏମାନେ ହେଉଛନ୍ତି ଆମର ସାହସୀ ପୁଲିସ କର୍ମଚାରୀ । ମୁଁ ଆଜି ଗୌରବର ସହ ଆମର ସାହସୀ ପୁଲିସ କର୍ମୀମାନଙ୍କୁ ସ୍ମରଣ କରିବାକୁ ଚାହୁଁଛି । ସମସ୍ତ ଦେଶବାସୀ ତାଙ୍କୁ ସର୍ବଦା ଗର୍ବର ସହ ସ୍ମରଣ କରନ୍ତୁ ଏଥିପାଇଁ ମୁଁ ଧୀରେ ଧୀରେ ଦେଶବାସୀଙ୍କୁ ଅଭ୍ୟସ୍ତ କରିବାକୁ ଚାହୁଁଛି । ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରୀୟ ପୁଲିସ ବାହିନୀରେ କାର୍ଯ୍ୟରତ ସେହି ଲକ୍ଷ ଲକ୍ଷ ପୁଲିସ କର୍ମୀମାନଙ୍କୁ ମୁଁ ସଲାମ କରିବା ସଙ୍ଗେ ସଙ୍ଗେ ସେମାନଙ୍କ ପରିବାରବର୍ଗଙ୍କୁ ମଧ୍ୟ ପ୍ରଣାମ କରୁଛି । ଦେଶ ପାଇଁ ନିଜର ସର୍ବସ୍ୱ ସମର୍ପଣ କରିଥିବା ପୁଲିସ କର୍ମଚାରୀମାନଙ୍କ ସମ୍ମାନାର୍ଥେ ପ୍ରତିବର୍ଷ ଅକ୍ଟୋବର 21 ତାରିଖକୁ ‘ପୁଲିସ ସ୍ମୃତି ଦିବସ’ ରୂପେ ପାଳନ କରାଯାଏ । 1959 ମସିହା ଅକ୍ଟୋବର 21 ତାରିଖରେ ଲଦ୍ଦାଖରେ ଭାରତ-ଚୀନ ସୀମାରେ ହୋଇଥିବା ଗୁଳିକାଣ୍ଡରେ ଆମର ଦଶଜଣ ପୁଲିସ କର୍ମଚାରୀ ସହିଦ ହୋଇଥିଲେ । ଏହି ଦିବସ ସେମାନଙ୍କ ସ୍ମୃତି ଉଦେ୍ଦଶ୍ୟରେ ପାଳିତ ହୁଏ । ଆପଣମାନେ ଏହା ଜାଣନ୍ତି କି, ସ୍ୱତନ୍ତ୍ରତା ପ୍ରାପ୍ତି ପରଠାରୁ ଏବେଯାଏ ପ୍ରାୟ 35,000 ପୁଲିସ କର୍ମଚାରୀ ଦେଶ ପାଇଁ, ସମାଜ ଓ ସାଧାରଣ ଜନତାଙ୍କ ଜୀବନରକ୍ଷା ପାଇଁ ନିଜର ପ୍ରାଣ ବିସର୍ଜନ କରିସାରିଛନ୍ତି । ମୁଁ ଦେଶର ସେହି ମହାନ ବରପୁତ୍ରମାନଙ୍କୁ ସେମାନଙ୍କର ସର୍ବୋଚ୍ଚ ବଳିଦାନ ନିମନ୍ତେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି ସେମାନଙ୍କର ପରିଜନଙ୍କର ମହନୀୟ ତ୍ୟାଗ – ତପସ୍ୟାରେ ବହୁମୂଲ୍ୟ ଯୋଗଦାନ ବି ରହିଛି; ଯାହାପାଇଁ ଦେଶ ଗର୍ବ କରେ । ଭାରତର ସୁରକ୍ଷା ଓ ଶାନ୍ତି ନିମନ୍ତେ ଆମର ପୁଲିସ କର୍ମଚାରୀଗଣ ପ୍ରତିକୂଳ ପରିସ୍ଥିତିରେ ପ୍ରତିଟି ଆହ୍ୱାନର ମୁକାବିଲା କରି ନିଜର କର୍ତବ୍ୟ ସମ୍ପାଦନ କରିଥାନ୍ତି । ଏମାନେ ଆତଙ୍କବାଦର ମୁକାବିଲା କରୁଥିବା ଜାମ୍ମୁ କାଶ୍ମୀର ପୁଲିସ ସାହସୀ କର୍ମଚାରୀ ହୁଅନ୍ତୁ କି ଅର୍ଦ୍ଧସାମରିକ ବାହିନୀର ସୈନିକ କିମ୍ବା ଛତିଶଗଡ଼ରେ ନକ୍ସଲମାନଙ୍କର ମୁକାବିଲା କରୁଥିବା ପୁଲିସ କର୍ମଚାରୀ । ଅପରାଧ ଉପରେ କଠୋର ପଦକ୍ଷେପ ନେବାର କଥା ହେଉ କିମ୍ବା ଟ୍ରାଫିକ୍ ଦାୟିତ୍ୱ ନିର୍ବାହ କାର୍ଯ୍ୟ ହେଉ କୁମ୍ଭମେଳା ହେଉ ବା ଜଗନ୍ନାଥଙ୍କ ରଥଯାତ୍ରା ହେଉ ବା ଅମରନାଥ ଯାତ୍ରା ବା ସବୀରମାଲାଙ୍କ ଯାତ୍ରା ହେଉ ଅଥବା ମୁହରମର ଶୋଭାଯାତ୍ରା ହେଉ । ଏ ଦେଶର ଏପରି କୌଣସି ଧାର୍ମିକ ପର୍ବ ନାହିଁ; ଏପରି କୌଣସି ଧାର୍ମିକ ଆୟୋଜନ ନାହିଁ, ଯେଉଁଠାରେ କୋଟି କୋଟି ଶ୍ରଦ୍ଧାଳୁମାନଙ୍କର ସାହାଯ୍ୟ ସହଯୋଗର ଆହ୍ୱାନମୂଳକ କାର୍ଯ୍ୟଗୁଡ଼ିକୁ ଆମ ପୁଲିସ କର୍ମଚାରୀମାନେ ଦୃଢ଼ତାର ସହ ନିର୍ବାହ କରିନଥାନ୍ତି । ଲକ୍ଷ ଲକ୍ଷ ସଂଖ୍ୟାରେ ଆମ ଗହଣରେ ଏପରି ପ୍ରଚ୍ଛଦ ନାୟକ (ଟଦ୍ଭଗ୍ଦଙ୍କଦ୍ଭଶ ଐରକ୍ସକ୍ଟ) ଅଛନ୍ତି, ଯେଉଁମାନଙ୍କୁ କେହି କେବେ ସାବାସୀ ଦେଇନଥାନ୍ତି । କେବେବି କୌଣସି ବ୍ୟକ୍ତି ପ୍ରଶ୍ନ ବି କରେନାହିଁ, ‘ଭାଇ, ଟ୍ରାଫିକ୍ ଦାୟିତ୍ୱ ତୁଲାଇବା ପାଇଁ କେତେ ଘଂଟା ହେଲା ଛିଡ଼ା ହୋଇଛ? ବର୍ଷାରେ ଭିଜି-ଭିଜି ବି କାମ କରୁଛ କ’ଣ ରୋଗରେ ପଡ଼ିବାର ଭୟ ନାହିଁ?’ ଆପଣମାନେ ଏହା ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଆମର ପୁଲିସ କର୍ମଚାରୀ ଚୀନ୍,ନେପାଳ, ଭୁଟାନ ଏବଂ ବାଂଲାଦେଶ ସହ ସଂଲଗ୍ନ ପ୍ରାୟ 12500 କିଲୋମିଟର ଦୀର୍ଘ ସୀମାକୁ ସୁରକ୍ଷା ଦେବାରେ ସବୁଠାରୁ ଆଗରେ । ଏଥିରେ ଆଇଟିବିପି ମଧ୍ୟ ସମ୍ପୃକ୍ତ ଯିଏକି 24 ଅକ୍ଟୋବର ଦିନ ପ୍ରତିଷ୍ଠା ଦିବସ ପାଳନ କରିବ । ଏହି ଦିବସ ଉପଲକ୍ଷେ ମୁଁ ସେମାନଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଉଛି । ଅକ୍ଟୋବର 21 ତାରିଖରେ ପୁଲିସ ସ୍ମାରକୀର ଉଦ୍ଘାଟନ କରିବାକୁ ଯାଉଛି ଯେଉଁଠାରେ ଦେଶବାସୀ ଆମର ସୁରକ୍ଷାରେ ନିୟୋଜିତ ପୁଲିସ କର୍ମଚାରୀମାନଙ୍କ ପ୍ରତି ନିଜର କୃତଜ୍ଞତା ପ୍ରକଟ କରିପାରିବେ । ଅନେକ ସମୟରେ ଆମର ପୁଲିସ କର୍ମଚାରୀ ଅସାମାଜିକ ତତ୍ୱଗୁଡ଼ିକୁ ତ ସହଜରେ ମୁକାବିଲା କରିଥାନ୍ତି କିନ୍ତୁ ସମାଜ ମଧ୍ୟରେ ନିଜର ଛବିକୁ ସୁଧାରିବା ପାଇଁ ସେମାନଙ୍କୁ ବହୁ ସଂଘର୍ଷ କରିବାକୁ ପଡ଼ିଥାଏ । ମୁଁ ଭାରତର ନାଗରିକମାନଙ୍କୁ ନିବେଦନ କରୁଛି ଯେ ପୁଲିସ ବାହିନୀ ଆମମାନଙ୍କ ସୁରକ୍ଷା ନିମନ୍ତେ କେତେ କ’ଣ କରୁଛନ୍ତି, ଆମେ ମଧ୍ୟ ସେମାନଙ୍କ ପାଇଁ କିଛି କରିବା । ଯଦି କୌଣସି ପୁଲିସ ଅଧିକାରୀ କି କୌଣସି ପୁଲିସ କର୍ମଚାରୀ ସମ୍ପର୍କରେ ଆପଣଙ୍କ ଭଲ ଅନୁଭୂତି ରହିଛି, ତା’ହେଲେ Social Mediaରେ ଏବଂ ନିଜ ପରିବାରର ବନ୍ଧୁବାନ୍ଧବଙ୍କ ସହ ତାହାକୁ ବାରମ୍ବାର ସେୟାର କରନ୍ତୁ, ଲୋକମାନଙ୍କୁ ଜଣାନ୍ତୁ ପ୍ରତ୍ୟେକ ନାଗରିକର କେବେ-ନା-କେବେ ତ ପୁଲିସ ସହ ଭଲ ଅନୁଭୂତି ରହିଅଛି । ଆମ ପୁଲିସ କର୍ମଚାରୀମାନଙ୍କ ପାଇଁ ଆମମାନଙ୍କୁ ଗର୍ବ କରିବା ଦରକାର ଯେଉଁମାନେ ଥକି ନ ଯାଇ,ରହି ନ ଯାଇ ସାହସର ସହିତ ନିଜ ନିଜର କର୍ତ୍ତବ୍ୟ ସମ୍ପାଦନ କରିଥାନ୍ତି ଯଦ୍ୱାରା ଦେଶବାସୀ ଆନନ୍ଦ ସହକାରେ ଜୀବନଯାପନ କରିପାରନ୍ତି ।
ମୋ ପ୍ରିୟ ଦେଶବାସୀଗଣ! ଆମ ଦେଶ ପାଇଁ ଅକ୍ଟୋବର 2 ର କ’ଣ ବିଶେଷତ୍ୱ ରହିଛି, ତାହା ପ୍ରତ୍ୟେକ ପିଲା ଜାଣେ । ଏ ବର୍ଷର ଅକ୍ଟୋବର 2 ତାରିଖର ବିଶେଷ ମହତ୍ୱ ଅଛି । ଏବେଠାରୁ 2 ବର୍ଷ ପର୍ଯ୍ୟନ୍ତ ଆମେମାନେ ମହାତ୍ମାଗାନ୍ଧୀଙ୍କର 150ତମ ଜୟନ୍ତୀ ନିମନ୍ତେ ସମଗ୍ର ବିଶ୍ୱରେ ଅନେକ କାର୍ଯ୍ୟକ୍ରମର ଯୋଜନା କରିଛୁ । ମହାତ୍ମାଗାନ୍ଧୀଙ୍କର ବିଚାରଧାରା ସମଗ୍ର ସଂସାରକୁ ପ୍ରେରଣା ଦେଇଛି । ଡ. ମାର୍ଟିନ ଲୁଥର କିଙ୍ଗ ଜୁନିୟର ହୁଅନ୍ତୁ ବା ନେଲସନ୍ ମାଣ୍ଡେଲାଙ୍କ ପରି ମହାନ ବ୍ୟକ୍ତି, ସମସ୍ତେ ଗାନ୍ଧିଜୀଙ୍କର ବିଚାରଧାରାର ପ୍ରେରଣା ଓ ଶକ୍ତି ପାଇଛନ୍ତି ତଥା ନିଜର ଲୋକମାନଙ୍କୁ ସମାନତା ଓ ସମ୍ମାନର ଅଧିକାର ପ୍ରଦାନ ନିମନ୍ତେ ଦୀର୍ଘ ସଂଗ୍ରାମ କରିପାରିଛନ୍ତି । ଆଜିର ‘ମନ୍ କି ବାତ୍’ରେ ମୁଁ ଆପଣମାନଙ୍କ ସହ ପୂଜ୍ୟ ବାପୁଜୀଙ୍କର ଆଉ ଏକ ମହତ୍ୱପୂର୍ଣ୍ଣ କାର୍ଯ୍ୟର ଆଲୋଚନା କରିବାକୁ ଚାହୁଁଛି ଯାହାକୁ ଅଧିକରୁ ଅଧିକ ଦେଶବାସୀ ଜାଣିବା ଆବଶ୍ୟକ । 1941ରେ ମହାତ୍ମାଗାନ୍ଧୀ Constructive Program ଅର୍ଥାତ୍ ଗଠନମୂଳକ କାର୍ଯ୍ୟକ୍ରମ ଭାବରେ କେତେକ ବିଚାରଧାରାକୁ ଲେଖିବା ଆରମ୍ଭ କଲେ । ପରବର୍ତ୍ତୀ ସମୟରେ 1945ରେ ଯେତେବେଳେ ସ୍ୱାଧୀନତା ସଂଗ୍ରାମ ଅଧିକ ଦୃଢ଼ ହେବାକୁ ଲାଗିଲା, ସେତେବେଳେ ସେ ସେହି ବିଚାରଧାରାର ସଂଶୋଧିତ ପ୍ରତିଲିପି ପ୍ରସ୍ତୁତ କଲେ । ପରମପୂଜ୍ୟ ବାପୁଜୀ କୃଷକମାନଙ୍କର,ଗ୍ରାମଗୁଡ଼ିକର, ଶ୍ରମିକମାନଙ୍କର ଅଧିକାରର ସୁରକ୍ଷା, ସ୍ୱଚ୍ଛତା, ଶିକ୍ଷାର ପ୍ରଚାର ପ୍ରସାର ଆଦି ଅନେକ ବିଷୟ ଉପରେ ନିଜର ବିଚାରଧାରାକୁ ଦେଶବାସୀଙ୍କ ସମ୍ମୁଖରେ ରଖିଛନ୍ତି । ଏହାକୁ‘ଗାନ୍ଧୀ ଚାର୍ଟର’ ମଧ୍ୟ କୁହାଯାଏ । ପୂଜ୍ୟ ବାପୁ ଲୋକସଂଗ୍ରାହକ ଥିଲେ । ଲୋକମାନଙ୍କ ସହ ମିଶିଯିବା ଏବଂ ସେମାନଙ୍କୁ ନିଜ ସହିତ ସାମିଲ କରିବାର ଗୁଣ ବାପୁଙ୍କର ସ୍ୱଭାବ ଥିଲା । ଏହା ତାଙ୍କ ବ୍ୟକ୍ତିତ୍ୱର ସବୁଠାରୁ ଅଦ୍ୱିତୀୟ ବିଶେଷତ୍ୱ ଭାବେ ପ୍ରତ୍ୟେକ ବ୍ୟକ୍ତି ଅନୁଭବ କରନ୍ତି । ସେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଏହା ଅନୁଭବ କରାଇପାରିଲେ ଯେ ସେ ହିଁ ଦେଶ ପାଇଁ ସବୁଠାରୁ ମହତ୍ୱପୂର୍ଣ୍ଣ ଏବଂ ନିତାନ୍ତ ଆବଶ୍ୟକ । ସ୍ୱାଧୀନତା ସଂଗ୍ରାମରେ ତାଙ୍କର ସବୁଠାରୁ ମହାନ ଯୋଗଦାନ ଏହା ଥିଲା ଯେ ସେ ଏହାକୁ ଏକ ବଡ଼ ଜନଆନ୍ଦୋଳନର ରୂପ ଦେଲେ । ସ୍ୱାଧୀନତା ଆନ୍ଦୋଳନରେ ମହାତ୍ମାଗାନ୍ଧୀଙ୍କ ଆହ୍ୱାନରେ ସମାଜର ପ୍ରତିଟି ଅଂଚଳର ଓ ପ୍ରତିଟି ସମ୍ପ୍ରଦାୟର ଲୋକମାନେ ନିଜକୁ ସମର୍ପିତ କରିଦେଲେ । ବାପୁ ଆମ ସମସ୍ତଙ୍କୁ ଗୋଟିଏ ପ୍ରେରଣାଦାୟୀ ମନ୍ତ୍ର ପ୍ରଦାନ କରିଥିଲେ ଯାହା ‘ଗାନ୍ଧିଜୀଙ୍କର ତଲିସମାନ’(Gandhi’s Talisman) ନାମରେ ସୁପରିଚିତ । ସେଥିରେ ଗାନ୍ଧିଜୀ କହିଥିଲେ – “ମୁଁ ଆପଣମାନଙ୍କୁ ଗୋଟିଏ ମନ୍ତ୍ର ଦେଉଅଛି, ଯେତେବେଳେ ବି ତୁମମାନଙ୍କୁ ସନେ୍ଦହ ହେବ ବା ତୁମର ଅହଂକାର ତୁମ ଉପରେ ପ୍ରଭାବ ବିସ୍ତାର କରିବାରେ ଲାଗିବ, ସେତେବେଳେ ଏହି ମନ୍ତ୍ରକୁ ପ୍ରୟୋଗ କର – ଯିଏ ସବୁଠୁ ଗରିବ ଓ ଦୁର୍ବଳ ବ୍ୟକ୍ତି,ଯାହାକୁ ତୁମେ ଦେଖିଛ, ତା’ର ଚେହେରା ମନେପକାଅ ଏବଂ ନିଜ ହୃଦୟକୁ ପ୍ରଶ୍ନ କର ଯେ ଯେଉଁ ପଦକ୍ଷେପ ନେବାପାଇଁ ତୁମେ ଚିନ୍ତା କରୁଛ, ତାହା ସେ ବ୍ୟକ୍ତି ନିମନ୍ତେ କେତେ ମାତ୍ରାରେ ଉପଯୋଗୀ । କ’ଣ ତା’ଦ୍ୱାରା ତାକୁ କିଛି ଲାଭ ମିଳିବ? କ’ଣ ସେଥିରୁ ସେ ନିଜ ଜୀବନ ଓ ଭାଗ୍ୟ ଉପରେ କିଛି ଅଙ୍କୁଶ ଲଗାଇପାରିବ? ଅର୍ଥାତ୍ କ’ଣ ତଦ୍ୱାରା ସେହି କୋଟି-କୋଟି ଲୋକମାନଙ୍କୁ ସ୍ୱରାଜ ମିଳିପାରିବ ଯାହାଙ୍କର ପେଟ ଭୋକିଲା ଏବଂ ଆତ୍ମା ଅତୃପ୍ତ । ସେତେବେଳେ ତୁମେ ଦେଖିବ ଯେ ତୁମର ସନ୍ଦେହ ଦୂର ହେବାରେ ଲାଗୁଛି ଏବଂ ଅହଂକାର ସମାପ୍ତ ହେଉଅଛି ।”
ମୋ ପ୍ରିୟ ଦେଶବାସୀଗଣ! ଗାନ୍ଧିଜୀଙ୍କର ଏହି ମନ୍ତ୍ର ଆଜି ବି ସେତିକି ମହତ୍ୱପୂର୍ଣ୍ଣ । ଆଜି ଆମ ଦେଶରେ ମଧ୍ୟମ ବର୍ଗର ଶକ୍ତି, ଆର୍ଥିକ କ୍ଷମତା ଓ କ୍ରୟଶକ୍ତି ବୃଦ୍ଧି ହେବାରେ ଲାଗିଛି । ଯେତେବେଳେ ଆମେ କିଛି ବି କିଣିବାକୁ ଯାଉଛନ୍ତି, କ’ଣ କିଛି ମୁହୂର୍ତ୍ତ ପାଇଁ ପୂଜ୍ୟବାପୁଙ୍କୁ ସ୍ମରଣ କରିପାରିବା? କିଣାକିଣି କରିବା ସମୟରେ କ’ଣ ଆମେ ଏହା ଚିନ୍ତା କରିପାରିବା ଯେ ମୁଁ ଯେଉଁ ଜିନିଷ ସବୁ କିଣୁଅଛି, ତଦ୍ୱାରା ମୋ ଦେଶର କେଉଁ ନାଗରିକକୁ ଲାଭ ମିଳିବ? କାହା ମୁହଁରେ ହସ ଦେଖାଦେବ? କିଏ ଭାଗ୍ୟଶାଳୀ ହେବ, ଯାହାକୁ ଆପଣଙ୍କର ଜିନିଷ କିଣିବା ଦ୍ୱାରା ପ୍ରତ୍ୟକ୍ଷ ବା ପରୋକ୍ଷ ଲାଭ ମିଳିବ? ଆଉ ଯଦି ଗରିବରୁ ଗରିବ ବ୍ୟକ୍ତିକୁ ଲାଭ ମିଳିବ, ତା’ହେଲେ ମୋ ଆନନ୍ଦ ଅଧିକରୁ ଅଧିକ ହେବ । ଗାନ୍ଧିଜୀଙ୍କର ଏହି ମନ୍ତ୍ରକୁ ସ୍ମରଣ କରି ଆଗାମୀ ଦିନଗୁଡ଼ିକରେ ଆମେ ଯେତେବେଳେ ବି କିଛି କିଣିବା, ସେତେବେଳେ ଆମେ ନିଶ୍ଚୟ ଧ୍ୟାନଦେବା ଯେ ଆମର ପ୍ରତିଟି ଜିନିଷ କିଣିବା ଦ୍ୱାରା କୌଣସି ନା କୌଣସି ଦେଶବାସୀଙ୍କ ମଙ୍ଗଳ ହେବା ଆବଶ୍ୟକ । ଆଉ ସେଥିରେ ମଧ୍ୟ ଯିଏ ନିଜର ଝାଳ ବୁହାଇଛି, ଯିଏ ନିଜର ପଇସା ବିନିଯୋଗ କରିଛି, ଯିଏ ନିଜର ପ୍ରତିଭାର ଉପଯୋଗ କରିଛି; ସେ ସମସ୍ତଙ୍କୁ କିଛି ନା କିଛି ଲାଭ ମିଳିବା ଦରକାର । ଏହାହିଁ ତ ଗାନ୍ଧିଜୀଙ୍କର ମନ୍ତ୍ର; ଏହାହିଁ ଗାନ୍ଧିଜୀଙ୍କର ସନ୍ଦେଶ ଏବଂ ଏହା ମୋର ବିଶ୍ୱାସ ଯେ ଯିଏ ସବୁଠୁ ଗରିବ ଓ ଦୁର୍ବଳ ବ୍ୟକ୍ତି, ତା’ର ଜୀବନରେ ଆପଣଙ୍କର ଗୋଟିଏ ଛୋଟ ପଦକ୍ଷେପ ବହୁତ ବଡ଼ ପରିଣାମ ଆଣିପାରେ ।
ମୋ ପ୍ରିୟ ଦେଶବାସୀଗଣ! ଯେତେବେଳେ ଗାନ୍ଧିଜୀ କହିଥିଲେ ଯେ ‘ପରିଷ୍କାର ପରିଚ୍ଛନ୍ନ କରିବ ତ ସ୍ୱାଧୀନତା ମିଳିବ’, ବୋଧହୁଏ ତାଙ୍କୁ ଏହା ଜଣା ବି ନ ଥିବ ଯେ ଏହା କିପରି ହେବ?କିନ୍ତୁ ଏହାହିଁ ହେଲା ଆଉ ଭାରତକୁ ସ୍ୱାଧୀନତା ମିଳିଲା । ଏହିପରି ଆଜି ମଧ୍ୟ ଆମମାନଙ୍କୁ ଲାଗିପାରେ ଯେ ମୋର ଏହି ଛୋଟିଆ କାର୍ଯ୍ୟ ଦ୍ୱାରା ମଧ୍ୟ ମୋ ଦେଶର ଆର୍ଥିକ ବିକାଶରେ,ଆର୍ଥିକ ସଶକ୍ତିକରଣରେ, ଗରିବକୁ ଦାରିଦ୍ର୍ୟ ବିରୁଦ୍ଧରେ ସଂଗ୍ରାମ କରିବାର କ୍ଷମତା ପ୍ରଦାନରେ ମୋର ବହୁତ ବଡ଼ ଯୋଗଦାନ ହୋଇପାରେ ଏବଂ ମୁଁ ଭାବୁଛି ଯେ ଆଜିର ଯୁଗରେ ଏହାହିଁ ସଚ୍ଚା ଦେଶଭକ୍ତି, ଏହାହିଁ ପୂଜ୍ୟବାପୁଙ୍କୁ କାର୍ଯ୍ୟାଞ୍ଜଳି । ଯେପରିକି, ବିଶେଷ ଅବସରଗୁଡ଼ିକରେ ଖଦୀ ଓ ହସ୍ତତନ୍ତ ସାମଗ୍ରୀ କିଣିବା ବିଷୟରେ ଚିନ୍ତା କରନ୍ତୁ; ଏହାଦ୍ୱାରା ବୁଣାକାରମାନଙ୍କୁ ସହାୟତା ମିଳିବ । କୁହାଯାଏ, ଲାଲ୍ ବାହାଦୁର ଶାସ୍ତ୍ରୀ ଖଦିର ପୁରାତନ ବା ଚିରାଫଟା ବସ୍ତ୍ରଗୁଡ଼ିକୁ ମଧ୍ୟ ଏଥିପାଇଁ ଯତ୍ନ ସହକାରେ ରଖୁଥିଲେ କାହିଁକି ନା ସେଥିରେ କୌଣସି ଲୋକର ପରିଶ୍ରମ ସନ୍ନିହିତ । ସେ କହୁଥିଲେ – ଏସବୁ ଖଦୀବସ୍ତ୍ର ବହୁତ ପରିଶ୍ରମ ଦ୍ୱାରା ତିଆରି ହୋଇଛି, ଏହାର ପ୍ରତିଟି ସୂତା କାମରେ ଆସିବା ଦରକାର । ନିଜ ଦେଶ ସହିତ ସମ୍ପର୍କ ଏବଂ ଦେଶବାସୀମାନଙ୍କୁ ଭଲପାଇବାର ଏହି ମନୋଭାବ ସେହି କ୍ଷୁଦ୍ର ଶରୀରଧାରୀ ମହାମାନବଙ୍କ ପ୍ରତିଟି ରକ୍ତବିନ୍ଦୁରେ ନିହିତ ଥିଲା । ଦୁଇଦିନ ପରେ ପୂଜ୍ୟବାପୁଙ୍କ ସହ ଆମେ ଶାସ୍ତ୍ରୀଜୀଙ୍କର ମଧ୍ୟ ଜୟନ୍ତୀ ପାଳନ କରିବା । ଶାସ୍ତ୍ରୀଜୀଙ୍କର ନାମ ସ୍ମରଣମାତ୍ରେ ହିଁ ପ୍ରତିଟି ଭାରତବାସୀଙ୍କ ମନରେ ଅସୀମ ଶ୍ରଦ୍ଧାଭାବ ଉତ୍ପନ୍ନ ହୁଏ । ତାଙ୍କର ସୌମ୍ୟ ବ୍ୟକ୍ତିତ୍ୱ ପ୍ରତ୍ୟେକ ଦେଶବାସୀକୁ ସର୍ବଦା ଗର୍ବିତ ଓ ଗୌରବାନ୍ୱିତ କରିଥାଏ ।
ଲାଲ ବାହାଦୁର ଶାସ୍ତ୍ରୀଙ୍କର ଏହା ବିଶେଷତ୍ୱ ଥିଲା ଯେ ବାହାରକୁ ସେ ଅତ୍ୟନ୍ତ ବିନମ୍ର ଲାଗୁଥିଲେ କିନ୍ତୁ ଭିତରେ ସେ ଚଟାଣ ପରି ଦୃଢ଼ ନିଶ୍ଚୟୀ ଥିଲେ । ତାଙ୍କର ‘ଜୟ ଜବାନ୍ ଜୟ କିସାନ୍’ର ସ୍ଲୋଗାନ୍ ତାଙ୍କର ଏହି ବିରାଟ ବ୍ୟକ୍ତିତ୍ୱର ପରିଚାୟକ । ରାଷ୍ଟ୍ର ନିମନ୍ତେ ତାଙ୍କର ନିଃସ୍ୱାର୍ଥ ତପସ୍ୟାର ପରିଣାମ ଥିଲା ଯେ ପ୍ରାୟଃ ଦେଢ଼ବର୍ଷର ସଂକ୍ଷିପ୍ତ କାର୍ଯ୍ୟକାଳରେ ସେ ଦେଶର ଜୱାନ ଓ କିସାନମାନଙ୍କୁ ସଫଳତାର ଶିଖରରେ ପହଂଚିବାର ମନ୍ତ୍ର ଦେଇଗଲେ ।
ମୋ ପ୍ରିୟ ଦେଶବାସୀଗଣ, ଆଜି ଯେତେବେଳେ ଆମେ ପୂଜ୍ୟବାପୁଙ୍କୁ ସ୍ମରଣ କରୁଛେ ଏହା ମଧ୍ୟ ସ୍ୱାଭାବିକ ଯେ ସ୍ୱଚ୍ଛତାର କଥା ନ କହି ରହିପାରିବାନି । ସେପ୍ଟେମ୍ବର 15ରୁ ‘ସ୍ୱଚ୍ଛତା ହିଁ ସେବା’ ଅଭିଯାନର ଆରମ୍ଭ ହେଲା । କୋଟି କୋଟି ଲୋକ ଏହି ଅଭିଯାନରେ ସାମିଲ ହେଲେ ଏବଂ ମୁଁ ମଧ୍ୟ ଦିଲ୍ଲୀର ଆମ୍ବେଦକର ସ୍କୁଲରେ ପିଲାମାନଙ୍କ ସହିତ ସ୍ୱଚ୍ଛତା ଶ୍ରମଦାନ କରିବାର ସୌଭାଗ୍ୟ ପାଇଲି । ମୁଁ ସେହି ସ୍କୁଲକୁ ଗଲି ଯେଉଁ ସ୍କୁଲର ମୂଳଦୁଆ ସ୍ୱୟଂ ପୂଜ୍ୟ ବାବାସାହେବ ସ୍ଥାପିତ କରିଥିଲେ ।
ସାରା ଦେଶରେ ସବୁବର୍ଗର ଲୋକମାନେ ଏଇମାସ 15 ତାରିଖରେ ଆୟୋଜିତ ଶ୍ରମଦାନ କାର୍ଯ୍ୟକ୍ରମରେ ଭାଗନେଲେ । ବିଭିନ୍ନ ଅନୁଷ୍ଠାନ ମଧ୍ୟ ଉତ୍ସାହର ସହିତ ଏହି କାର୍ଯ୍ୟକ୍ରମରେ ଯୋଗଦାନ କଲେ । ସ୍କୁଲ କଲେଜର ଛାତ୍ରଛାତ୍ରୀ, ଏନସିସି, ଏନଏସଏସ, ଯୁବ ସଂଗଠନ,ଗଣମାଧ୍ୟମ, କର୍ପୋରେଟ ଜଗତ ଆଦି ସମସ୍ତ ସଂଗଠନ ବହୁ ସଂଖ୍ୟାରେ ସ୍ୱଚ୍ଛତା ଶ୍ରମଦାନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କଲେ । ଏହି ଯୋଗଦାନ ପାଇଁ ମୁଁ ଦେଶର ସମସ୍ତ ସ୍ୱଚ୍ଛତାପ୍ରେମୀ ଜନସାଧାରଣଙ୍କୁ ବହୁତ ବହୁତ ଅଭିନନ୍ଦନ ଜଣାଉଛି । ଆସନ୍ତୁ ଏବେ ଗୋଟିଏ ଫୋନ୍ କଲ ଶୁଣିବା – “ନମସ୍କାର, ମୋ ନାଁ ସଇତାନ ସିଂହ, ମୁଁ ରାଜସ୍ଥାନର ବିକାନେର୍ ଜିଲ୍ଲା ‘ପୁଗଲ’ତହସିଲରୁ କହୁଛି । ମୁଁ ଜଣେ ଦୃଷ୍ଟିହୀନ ବ୍ୟକ୍ତି । ଦୁଇଟିଯାକ ଆଖିରେ ମୁଁ ଦେଖିପାରୁନାହିଁ । ମୁଁ ସମ୍ପୂର୍ଣ୍ଣ ଦୃଷ୍ଟିହୀନ । ମୁଁ କହିବାକୁ ଚାହେଁ ଯେ ‘ମନ୍ କି ବାତ୍’ରେ ମୋଦୀଜୀ ସ୍ୱଚ୍ଛତା ପାଇଁ ଯେଉଁ ପଦକ୍ଷେପ ନେଇଛନ୍ତି ତାହା ଖୁବ୍ ଭଲ । ଆମେ ଦୃଷ୍ଟିହୀନ ଲୋକମାନେ ଶୌଚକ୍ରିୟା ପାଇଁ ବହୁତ ହଇରାଣ ହେଉଥିଲୁ । ଏବେ ପ୍ରତ୍ୟେକ ଘରେ ଶୌଚାଳୟ ତିଆରି ହେବାରୁ ଆମମାନଙ୍କୁ ବହୁତ ସୁବିଧା ହେଲା । ଏ ପଦକ୍ଷେପ ଏକ ସୁନ୍ଦର ପଦକ୍ଷେପ ଏବଂ ଭବିଷ୍ୟତରେ ମଧ୍ୟ ଏହା ଚାଲୁରହିବା ଦରକାର ।”
ବହୁତ ବହୁତ ଧନ୍ୟବାଦ, ଆପଣ ବହୁତ ବଡ଼ କଥାଟିଏ କହିଲେ । ପ୍ରତ୍ୟେକଙ୍କ ଜୀବନରେ,ସ୍ୱଚ୍ଛତାର ବହୁତ ମହତ୍ୱ ଅଛି । ‘ସ୍ୱଚ୍ଛ ଭାରତ ଅଭିଯାନ’ କାର୍ଯ୍ୟକ୍ରମରେ ଆପଣଙ୍କ ଘରେ ଶୌଚାଳୟ ନିର୍ମିତ ହେଲା ଏବଂ ତଦ୍ୱାରା ଆପଣଙ୍କର ସୁବିଧା ହେଲା । ଆମପାଇଁ ୟା’ଠାରୁ ବଳି ଖୁସିର କଥା ଆଉ କ’ଣ ହୋଇପାରେ । ଏହି ଅଭିଯାନ ସହିତ ସମ୍ପୃକ୍ତ ଥିବା ଲୋକମାନେ ହୁଏତ ଜାଣିପାରିନଥିବେ ଯେ ଜଣେ ପ୍ରଜ୍ଞାଚକ୍ଷୁ ହୋଇଥିବାରୁ ଆପଣ ଦେଖପାରୁନାହାଁନ୍ତି, ତା’ ସାଥିରେ ଶୌଚାଳୟଟିଏ ନ ଥିବାରୁ ଆପଣ କିଭଳି ଅସୁବିଧାରେ ଜୀବନ କାଟୁଥିବେ । ଏବେ ଶୌଚାଳୟଟିଏ ନିର୍ମିତ ହେବା ଆପଣଙ୍କ ପାଇଁ କିଭଳି ଏକ ବରଦାନ ହେଲା – ଯଦି ଆପଣ ଏ ବିଷୟରେ ଫୋନ୍ କରିନଥାନ୍ତେ, ତେବେ ହୁଏତ ଏହି ସମ୍ବେଦନଶୀଳ ବିଷୟଟି ସ୍ୱଚ୍ଛତା ଆନ୍ଦୋଳନ ସହ ଜଡ଼ିତ ଲୋକମାନଙ୍କର ଧ୍ୟାନକୁ ଆସିପାରିନଥାନ୍ତା । ଏହି ଫୋନକଲ୍ ପାଇଁ ମୁଁ ଆପଣଙ୍କୁ ଧନ୍ୟବାଦ ଜଣାଉଛି ।
ମୋର ପ୍ରିୟ ଦେଶବାସୀଗଣ, ‘ସ୍ୱଚ୍ଛ ଭାରତ ମିଶନ’ ଖାଲି ଦେଶରେ ନୁହେଁ ବରଂ ସାରା ବିଶ୍ୱରେ ଏକ ସଫଳ କାହାଣୀ ଭାବେ ପରିଚିତ ହେଲାଣି ଯାହା ବିଷୟରେ ପ୍ରାୟ ସମସ୍ତେ ଚର୍ଚ୍ଚା କରୁଛନ୍ତି । ଭାରତ ଏଥର ବିଶ୍ୱର ସବୁଠାରୁ ବଡ଼ ସ୍ୱଚ୍ଛତା ସମ୍ମିଳନୀ ଆୟୋଜିତ କରିବାକୁ ଯାଉଛି ଯାହା ଏକ ଐତିହାସିକ ପଦକ୍ଷେପ ହେବ । ‘ମହାତ୍ମାଗାନ୍ଧୀ ଅନ୍ତର୍ଜାତୀୟ ସ୍ୱଚ୍ଛତା ସମ୍ମିଳନୀ’ ବା‘Mahatma Gandhi International Sanitation Convention’ । ଏହି ସମ୍ମିଳନୀରେ ସାରା ବିଶ୍ୱର ସ୍ୱଚ୍ଛତା ମନ୍ତ୍ରୀ (Minister of Sanitation)ମାନେ ତଥା ଏହି କ୍ଷେତ୍ରର ବିଶେଷଜ୍ଞମାନେ ଆସି ସ୍ୱଚ୍ଛତା ବିଷୟରେ ନିଜ ନିଜର ଅନୁଭୂତି ଏବଂ ପ୍ରୟୋଗ ବିଷୟରେ ଆଲୋଚନା କରିବେ । ମହାତ୍ମାଗାନ୍ଧୀ ଅନ୍ତର୍ଜାତୀୟ ସ୍ୱଚ୍ଛତା ସମ୍ମିଳନୀ 2018 ମସିହା ଅକ୍ଟୋବର 2 ତାରିଖ ଦିନ ବାପୁଙ୍କ 150ତମ ଜୟନ୍ତୀ ସମାରୋହରେ ଶୁଭାରମ୍ଭ ସହିତ ସମାହିତ ହେବ ।
ମୋର ପ୍ରିୟ ଦେଶବାସୀଗଣ, ସଂସ୍କୃତରେ ଗୋଟିଏ ଉକ୍ତି ଅଛି – “ନ୍ୟାୟମୂଳଂ ସ୍ୱରାଜ୍ୟଂ ସ୍ୟାତ୍” ଅର୍ଥାତ୍ ସ୍ୱରାଜ୍ୟର ମୂଳରେ ନ୍ୟାୟ ଥାଏ । ଯେତେବେଳେ ନ୍ୟାୟ ସମ୍ବନ୍ଧରେ ଚର୍ଚ୍ଚା ହୁଏ,ସେଥିରେ ମାନବିକ ଅଧିକାର କଥା ସମ୍ପୂର୍ଣ୍ଣ ସମାହିତ ହୋଇଥାଏ । ଶୋଷିତ, ପୀଡ଼ିତ ଏବଂ ବଂଚିତମାନଙ୍କର ସ୍ୱତନ୍ତ୍ରତା ତଥା ସେମାନଙ୍କ ପାଇଁ ଶାନ୍ତି ଓ ନ୍ୟାୟ ସୁନିଶ୍ଚିତ କରିବା ପାଇଁ ଏହା ଅନିବାର୍ଯ୍ୟ । ବାବାସାହେବ ଆମ୍ବେଦକରଙ୍କ ଦ୍ୱାରା ନିର୍ମିତ ସମ୍ବିଧାନରେ ଗରିବମାନଙ୍କର ମୂଳ ଅଧିକାର ରକ୍ଷା ପାଇଁ ବିଭିନ୍ନ ପ୍ରାବଧାନ ରହିଛି । ତାଙ୍କରି ଦୂରଦୃଷ୍ଟି ଦ୍ୱାରା ପ୍ରେରିତ ହୋଇ 1993 ମସିହା ଅକ୍ଟୋବର 12 ତାରିଖ ଦିନ ‘ଜାତୀୟ ମାନବିକ ଅଧିକାର ଆୟୋଗ’ ଗଠିତ ହୋଇଥିଲା । କିଛିଦିନ ପରେ ଜାତୀୟ ମାନବିକ ଅଧିକାର ଆୟୋଗ ଗଠନର 25 ବର୍ଷ ପୂର୍ତି ହେବ । ଏହି ଆୟୋଗ ଖାଲି ମାନବ ଅଧିକାର ରକ୍ଷା କରିଛି ତା’ନୁହେଁ ବରଂ ତା’ର ମାନବୀୟ ଗରିମାକୁ ବଢ଼ାଇବାର ପ୍ରୟାସ ମଧ୍ୟ କରିଛି । ଆମର ପ୍ରାଣପ୍ରିୟ ନେତା ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀ ସ୍ପଷ୍ଟ ଭାବରେ କହିଥିଲେ ଯେ ମାନବ ଅଧିକାର ଆମମାନଙ୍କ ପାଇଁ ଅନ୍ୟ ଦ୍ୱାରା ପ୍ରଦତ କୌଣସି ଅବଧାରଣା ନୁହେଁ । ଆମର ‘ଜାତୀୟ ମାନବିକ ଅଧିକାର ଆୟୋଗ’ର ପ୍ରତୀକ ଚିହ୍ନରେ ବୈଦିକ କାଳର ଆଦର୍ଶସୂତ୍ର ‘ସର୍ବେ ଭବନ୍ତୁ ସୁଖିନଃ’ ଅଙ୍କିତ ହୋଇରହିଛି । ‘ଆମ ଜାତୀୟ ମାନବିକ ଅଧିକାର ଆୟୋଗ’ ମାନବ ଅଧିକାର ସମ୍ବନ୍ଧରେ ବ୍ୟାପକ ସଚେତନତା ଜାଗୃତ କରିବା ସଙ୍ଗେ ସଙ୍ଗେ ତା’ର ଅପବ୍ୟବହାରକୁ ନିବାରଣ କରବା ଦିଗରେ ପ୍ରଶଂସନୀୟ କାର୍ଯ୍ୟ କରିଆସିଛି । 25 ବର୍ଷର ଏହି ଯାତ୍ରା ଭିତରେ ଏହା ଦେଶବାସୀମାନଙ୍କ ମନରେ ଏକ ଆଶା ଓ ବିଶ୍ୱାସର ବାତାବରଣ ସୃଷ୍ଟି କରିପାରିଛି । ମୁଁ ଭାବୁଛି ଗୋଟିଏ ସୁସ୍ଥ ସମାଜ ଗଠନ ଏବଂ ଲୋକତାନ୍ତ୍ରିକ ମୂଲ୍ୟବୋଧ ପାଇଁ ଏହା ଏକ ଆଶାଜନକ ବିଷୟ । ଆଜି ଜାତୀୟ ସ୍ତରରେ ମାନବିକ ଅଧିକାର ଆୟୋଗ ସମେତ 26ଟି ରାଜ୍ୟରେ ମଧ୍ୟ ପ୍ରାଦେଶିକ ମାନବିକ ଅଧିକାର ଆୟୋଗ ଗଠନ କରାଯାଇଛି । ଏକ ସମାଜ ଭାବରେ ଆମମାନଙ୍କ ପାଇଁ ମାନବିକ ଅଧିକାରର ମହତ୍ୱକୁ ବୁଝିବା ଏବଂ ତାକୁ ନିଜର ଆଚରଣରେ କାର୍ଯ୍ୟକାରୀ କରିବାର ଆବଶ୍ୟକତା ଅଛି । ଏହାହିଁ ‘ସବ୍କା ସାଥ୍ – ସବ୍କା ବିକାଶ’ର ଆଧାର ।
ମୋର ପ୍ରିୟ ଦେଶବାସୀଗଣ, ଅକ୍ଟୋବର ମାସରେ ହିଁ ଜୟପ୍ରକାଶ ନାରାୟଣଙ୍କ ଜୟନ୍ତୀ,ରାଜମାତା ବିଜୟାରାଜେ ସିନ୍ଧିୟାଙ୍କର ଜନ୍ମଶତାବ୍ଦୀ ବର୍ଷର ଆରମ୍ଭ । ଏହି ସମସ୍ତ ମହାପୁରୁଷମାନେ ଆମମାନଙ୍କୁ ପ୍ରେରଣା ଦେଇ ଆସିଥିଲେ – ମୁଁ ସେମାନଙ୍କୁ ପ୍ରଣାମ ଜଣାଉଛି । ଅକ୍ଟୋବର 31 ତାରିଖ ସର୍ଦ୍ଦାର ପଟେଲଙ୍କ ଜନ୍ମଦିନ । ଏ ସମସ୍ତ ବିଷୟରେ ମୁଁ ଆଗାମୀ ‘ମନ୍ କି ବାତ୍’ରେ ସବିସ୍ତାର ଚର୍ଚ୍ଚା କରିବି । କିନ୍ତୁ ଆଜି ମୁଁ ଏ ବିଷୟରେ ଏତିକି କହିବାକୁ ଚାହେଁ ଯେ ଗତ କେତେବର୍ଷ ହେଲା – ସର୍ଦ୍ଦାର ପଟେଲଙ୍କ ଜନ୍ମଦିନରେ ଅକ୍ଟୋବର 31 ତାରିଖ ଦିନ ହିନ୍ଦୁସ୍ଥାନର ପ୍ରତ୍ୟେକ ଛୋଟବଡ଼ ସହର, ପଡ଼ା ଓ ଗାଁମାନଙ୍କରେ ‘Run for Unity’, ‘ଏକତା ପାଇଁ ଦୌଡ଼’ ଆୟୋଜିତ ହୋଇଆସୁଛି । ଏ ବର୍ଷ ମଧ୍ୟ ଆମେମାନେ ଆଗ୍ରହର ସହିତ ନିଜର ଗ୍ରାମ, ସହର, ମହାନଗରଗୁଡ଼ିକରେ ‘ଏକତା ପାଇଁ ଦୌଡ଼’ ଆୟୋଜନ କରିବା । ‘ଏକତା ପାଇଁ ଦୌଡ’ – ଏହି କାର୍ଯ୍ୟକ୍ରମ ସର୍ଦ୍ଦାର ପଟେଲଙ୍କୁ ସ୍ମରଣ କରିବାର ଏକ ଉତମ ଉପାୟ । କାରଣ ସର୍ଦ୍ଦାର ପଟେଲ ସାରାଜୀବନ ଦେଶର ଏକତା ପାଇଁ କାମ କରିଥିଲେ । ମୁଁ ଆପଣ ସମସ୍ତଙ୍କୁ ଅନୁରୋଧ କରୁଛି ଯେ ଅକ୍ଟୋବର 31 ତାରିଖ ଦିନ ‘ଏକତା ପାଇଁ ଦୌଡ’ ଆୟୋଜନ ମାଧ୍ୟମରେ ସମାଜର ସବୁ ଶ୍ରେଣୀର ଲୋକଙ୍କୁ, ଦେଶର ପ୍ରତ୍ୟେକ ଏକକକୁ ଏକତା ସୂତ୍ରରେ ବାନ୍ଧିବାର ପ୍ରୟାସକୁ ଆମେମାନେ ଗୁରୁତ୍ୱ ଦେବା । ଏହାହିଁ ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ।
ମୋର ପ୍ରିୟ ଦେଶବାସୀଗଣ, ନବରାତ୍ରୀ ହେଉ, ଦୁର୍ଗାପୂଜା ବା ବିଜୟାଦଶମୀ ହେଉ, ଏହି ପବିତ୍ର ପର୍ବ ପାଇଁ ଆପଣମାନଙ୍କୁ ଅନ୍ତରର ବହୁତ ବହୁତ ଶୁଭକାମନା ଜଣାଉଛି । ଧନ୍ୟବାଦ ।
India is committed to world peace. #MannKiBaat pic.twitter.com/aya4A7U1mf
— PMO India (@PMOIndia) September 30, 2018
Remembering the brave Indian soldiers who fought in Haifa. #MannKiBaat pic.twitter.com/16ugHqvSxM
— PMO India (@PMOIndia) September 30, 2018
India is among the highest contributors to @UN peacekeeping forces. #MannKiBaat pic.twitter.com/ObTPqNHlrk
— PMO India (@PMOIndia) September 30, 2018
Saluting our air warriors. #MannKiBaat pic.twitter.com/cOnLsysofs
— PMO India (@PMOIndia) September 30, 2018
Time and again, the Indian Air Force has protected the nation. #MannKiBaat pic.twitter.com/JPYTcynXqC
— PMO India (@PMOIndia) September 30, 2018
The Indian Air Force is at the forefront of relief and rescue work during times of disasters. #MannKiBaat pic.twitter.com/xwMXF7aDsZ
— PMO India (@PMOIndia) September 30, 2018
Furthering equality and empowerment of women. #MannKiBaat pic.twitter.com/RFAiI1K8iK
— PMO India (@PMOIndia) September 30, 2018
2nd October will be special this year- it marks the start of Gandhi Ji's 150th birth anniversary celebrations. #MannKiBaat pic.twitter.com/gvwIqiy1Or
— PMO India (@PMOIndia) September 30, 2018
The Gandhi charter that continues to inspire us all. #MannKiBaat pic.twitter.com/8Gsob77TYJ
— PMO India (@PMOIndia) September 30, 2018
Gandhi Ji was a Lok Sangrahak. He endeared himself to people across all sections of society. #MannKiBaat pic.twitter.com/nq5YjUsYPt
— PMO India (@PMOIndia) September 30, 2018
Bapu gave an inspirational mantra to all of us which is known as Gandhi Ji’s Talisman. This Mantra is extremely relevant today: PM @narendramodi #MannKiBaat
— PMO India (@PMOIndia) September 30, 2018
Making a difference in the lives of others through our actions. #MannKiBaat pic.twitter.com/vNE18ceMZC
— PMO India (@PMOIndia) September 30, 2018
A grateful nation pays homage to Lal Bahadur Shastri Ji. #MannKiBaat pic.twitter.com/thgEfFxGjS
— PMO India (@PMOIndia) September 30, 2018
PM @narendramodi congratulates the people of India on the success of the 'Swachhata Hi Seva' movement. pic.twitter.com/uaOFR5EyEa
— PMO India (@PMOIndia) September 30, 2018
During #MannKiBaat today, PM @narendramodi speaks about the importance of human rights.
— PMO India (@PMOIndia) September 30, 2018
He congratulates the National Human Rights Commission on completing 25 years. pic.twitter.com/rWAAOpVIoT
This October, let us mark Sardar Patel's Jayanti and the 'Run for Unity' in a memorable way. #MannKiBaat pic.twitter.com/AqPm17bDih
— PMO India (@PMOIndia) September 30, 2018