2019 ମସିହା ମେ’ 30 ତାରିଖ ଦିନ ଶ୍ରୀ ନରେନ୍ଦ୍ର ମୋଦି ଭାରତର ପ୍ରଧାନମନ୍ତ୍ରୀ ରୂପେ ନିଜର ଦ୍ୱିତୀୟ କାର୍ଯ୍ୟକାଳ ପାଇଁ ଶପଥ ଗ୍ରହଣ କରିଛନ୍ତି । ଦେଶ ସ୍ୱାଧୀନତା ଲାଭ ପରେ ଜନ୍ମଗ୍ରହଣ କରିଥିବା ବ୍ୟକ୍ତିଭାବେ ଏହି ପଦ ଅଳଙ୍କୃତ କରିବାରେ ସେ ପ୍ରଥମ । ଶହେ କୋଟିରୁ ଉର୍ଦ୍ଧ୍ଵ ଭାରତୀୟଙ୍କ ଆଶା ଓ ଆକାଂକ୍ଷାକୁ ସାକାର କରିବା ଦିଗରେ ସକ୍ରିୟ, ସମର୍ପିତ ତଥା ସଂକଳ୍ପବଦ୍ଧ ଭାବେ ଶ୍ରୀ ନରେନ୍ଦ୍ର ମୋଦୀ କାର୍ଯ୍ୟରତ ।
୨୦୧୪ ମେ ମାସରେ ଦାୟିତ୍ୱ ଗ୍ରହଣ କରିବା ଦିନଠାରୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଦେଶର ସାମଗ୍ରିକ ଏବଂ ସମନ୍ୱିତ ବିକାଶ ଯାତ୍ରା ଆରମ୍ଭ କରିଛନ୍ତି, ଯଦ୍ୱାରା ପ୍ରତ୍ୟେକ ଭାରତୀୟ ଯେଭଳି ସେମାନଙ୍କର ଆଶା ଓ ଆକାଂକ୍ଷାକୁ ପୂରଣ କରିପାରିବେ ଅନ୍ତ୍ୟୋଦୟ ନୀତିରେ ଗଭୀର ଭାବେ ପ୍ରଭାବିତ ଶ୍ରୀ ମୋଦୀ ଉନ୍ନତି ଅପେକ୍ଷାର ଧାଡ଼ିରେ ଥିବା ଶେଷ ବ୍ୟକ୍ତିଙ୍କୁ ସେବା ଯୋଗାଇ ଦେବାକୁ ସଂକଳ୍ପବଦ୍ଧ ।
ଅଭିନବ ଚିନ୍ତାଧାରା ଓ ଉଦ୍ୟମ ମାଧ୍ୟମରେ ସରକାର ଏକଥାକୁ ସୁନିଶ୍ଚିତ କରିଛନ୍ତି ଯେ ପ୍ରଗତିର ଚକ ଯେପରି ଦ୍ରୁତଗତିରେ ଆଗେଇ ଚାଲିବ ଏବଂ ବିକାଶର ସୁଫଳ ଦେଶର ପ୍ରତ୍ୟେକ ନାଗରିକଙ୍କ ନିକଟରେ ପହଞ୍ଚିବ ସେଥିପାଇଁ ସରକାର ମୁକ୍ତ, ସହଜ ଓ ସ୍ୱଚ୍ଛ ହୋଇଛନ୍ତି ।
ପ୍ରଥମ ସଫଳତା ସ୍ୱରୂପ, ପ୍ରଧାନମନ୍ତ୍ରୀ ଜନଧନ ଯୋଜନା, ଦେଶରେ ବ୍ୟାପକ ପରିବର୍ତ୍ତନ ଘଟାଇଛି ଏବଂ ଦେଶର ଆର୍ଥିକ ବ୍ୟବସ୍ଥାରେ ପ୍ରତ୍ୟେକ ନାଗରିକଙ୍କୁ ସମନ୍ୱିତ ଓ ସମ୍ପୃକ୍ତ କରିବାରେ ସୁନିଶ୍ଚିତ ହୋଇପାରିଛି । ମେକ୍-ଇନ୍-ଇଣ୍ଡିଆ ପାଇଁ ତାଙ୍କର ଆହ୍ୱାନ ଦେଶରେ ବ୍ୟବସାୟ ପ୍ରକ୍ରିୟାକୁ ସହଜ ଓ ସରଳ କରିଛି । ଯଦ୍ୱାରା ନିବେଶକ ଓ ଉଦ୍ୟୋଗୀମାନେ ଅସୀମ ନୂତନ ଉତ୍ସାହ ଓ ଉଦ୍ଦୀପନାରେ ଏଥିରେ ସାମିଲ ହୋଇଛନ୍ତି । ସରକାରଙ୍କ “ଶ୍ରମ ଏବ ଜୟତେ” କାର୍ଯ୍ୟକ୍ରମ ମାଧ୍ୟମରେ ଶ୍ରମ ଆଇନରେ ସଂସ୍କାର ଘଟାଯାଇଛି ଓ ଶ୍ରମିକମାନଙ୍କ ମର୍ଯ୍ୟାଦାର ସୁରକ୍ଷା କରାଯାଇଛି । ଏହାଦ୍ୱାରା କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ସଂସ୍ଥାର ଶ୍ରମିକମାନେ ସଶକ୍ତ ହୋଇଛନ୍ତି । ପୁନଶ୍ଚ ଆମର କୁଶଳୀ ଯୁବ ଶ୍ରମଶକ୍ତିଙ୍କୁ ଏହା ପ୍ରୋତ୍ସାହନ ପ୍ରଦାନ କରୁଛି । ପ୍ରଥମ ଥରପାଇଁ ଭାରତ ସରକାର ଦେଶବାସୀଙ୍କ ସକାଶେ ତିନୋଟି ସାମଗ୍ରିକ ସୁରକ୍ଷା ଯୋଜନାର ଶୁଭାରମ୍ଭ କରିଛନ୍ତି ଏବଂ ଏଥିରେ ବୟୋବୃଦ୍ଧମାନଙ୍କୁ ପେନସନ୍ ପ୍ରଦାନ ଓ ଗରିବ ଲୋକଙ୍କୁ ବୀମା ସୁରକ୍ଷା ପ୍ରଦାନ ଉପରେ ଗୁରୁତ୍ୱାରୋପ କରାଯାଇଛି । ୨୦୧୫ ଜୁଲାଇ ମାସରେ ପ୍ରଧାନମନ୍ତ୍ରୀ “ଡିଜିଟାଲ ଇଣ୍ଡିଆ ଅଭିଯାନ” କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି, ଯାହା ମାଧ୍ୟମରେ ଲୋକମାନଙ୍କ ଜୀବନରେ ଗୁଣାତ୍ମକ ପରିବର୍ତ୍ତନ ଘଟାଇବା ସକାଶେ ପ୍ରଯୁକ୍ତି ବିଦ୍ୟାର ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ ସକାଶେ ଡିଜିଟାଲ ଇଣ୍ଡିଆ ସୃଷ୍ଟି କରାଯାଇଛି ।
୨୦୧୪ ଅକ୍ଟୋବର ୨ ତାରିଖ ଦିନ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ “ସ୍ୱଚ୍ଛ ଭାରତ ଅଭିଯାନ” ର ଶୁଭାରମ୍ଭ କରିଥିଲେ । ଦେଶବ୍ୟାପୀ ବ୍ୟାପକ ସ୍ୱଚ୍ଛତା ସଚେତନତା ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ । ଏହି କାର୍ଯ୍ୟକ୍ରମର ପ୍ରଭାବ ଓ ବ୍ୟାପ୍ତି ବାସ୍ତବିକ ଉଲ୍ଲେଖନୀୟ ।
ଶ୍ରୀ ନରେନ୍ଦ୍ର ମୋଦୀଙ୍କ ବୈଦେଶିକ ନୀତି ପଦକ୍ଷେପ ବିଶ୍ୱର ସର୍ବବୃହତ ଗଣତନ୍ତ୍ର ଭାରତର ବାସ୍ତବ ସାମର୍ଥ୍ୟ ଏବଂ ଭୂମିକାକୁ ପ୍ରତିପାଦିତ ଓ ସାକାର କରିଛି । ଭାରତ ଏବେ ବିଶ୍ୱସ୍ତରରେ ନିଜର ସ୍ଥିତିକୁ ପ୍ରତିପାଦିତ କରିପାରିଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସାର୍କ ଦେଶର ସଦସ୍ୟ ରାଷ୍ଟ୍ରର ମୁଖ୍ୟଙ୍କ ଉପସ୍ଥିତିରେ ନିଜର ପଦଭାର ଗ୍ରହଣ କରିଥିଲେ । ମିଳିତ ଜାତିସଂଘର ସାଧାରଣ ପରିଷଦରେ ପ୍ରଧାନମନ୍ତ୍ରୀ ଦେଇଥିବା ଅଭିଭାଷଣକୁ ବିଶ୍ୱ ନେତୃବର୍ଗ ଭୂୟସୀ ପ୍ରଶଂସା କରିଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ହେଉଛନ୍ତି ପ୍ରଥମ ପ୍ରଧାନମନ୍ତ୍ରୀ ଯିଏ ଦୀର୍ଘ ୧୭ବର୍ଷ ବ୍ୟବଧାନରେ ନେପାଳକୁ ଏବଂ ୨୮ ବର୍ଷ ବ୍ୟବଧାନରେ ଅଷ୍ଟ୍ରେଲିଆକୁ ଦ୍ୱିପାକ୍ଷିକ ଗସ୍ତରେ ଯାଇଥିଲେ । ସେହିଭଳି ଫିଜିକୁ ୩୧ ବର୍ଷ ବ୍ୟବଧାନରେ ଏବଂ ସିସିଲିକୁ ୩୪ ବର୍ଷ ବ୍ୟବଧାନରେ ଗସ୍ତ କରିବାରେ ସେ ହେଉଛନ୍ତି ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବାପରେ ସେ ମିଳିତ ଜାତିସଂଘ, ବ୍ରିକ୍ସ, ସାର୍କ ଏବଂ ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେଇଛନ୍ତି, ଯେଉଁଠାରେ ବିଶ୍ୱର ବିଭିନ୍ନ ଅର୍ଥନୈତିକ ଓ ରାଜନୈତିକ ପ୍ରସଙ୍ଗ ଉପରେ ଭାରତର ମତ ଓ ଯୁକ୍ତିକୁ ବ୍ୟାପକଭାବେ ପ୍ରଶଂସା କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ ଜାପାନ ଗସ୍ତ ଭାରତ-ଜାପାନ ସଂପର୍କରେ ଏକ ନୂତନ ଅଧ୍ୟାୟ ଆରମ୍ଭ କରିଛି । ମଙ୍ଗୋଲିଆ ଗସ୍ତରେ ଯାତ୍ରା କରିବାରେ ଶ୍ରୀ ମୋଦୀ ହେଉଛନ୍ତି ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ । ସେହିଭଳି ତାଙ୍କର ଚୀନ ଓ ଦକ୍ଷିଣ କୋରିଆ ଗସ୍ତ ଭାରତରେ ପୁଞ୍ଜିନିବେଶ ପାଇଁ ପର୍ଯ୍ୟାପ୍ତ ନିବେଶକଙ୍କୁ ଆକୃଷ୍ଟ କରିଛି । ତାଙ୍କର ଫ୍ରାନ୍ସ ଏବଂ ଜର୍ମାନୀ ଗସ୍ତକୁ ୟୁରୋପ ସହ ଭାରତର ନିରବଚ୍ଛିନ୍ନ ସଂପର୍କ ବୃଦ୍ଧି ଓ ଆଲୋଚନାକୁ ପ୍ରତିପାଦିତ କରିଛି ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆରବ ରାଷ୍ଟ୍ରସମୂହ ସହ ସୁଦୃଢ ସଂପର୍କ ସ୍ଥାପନ ଉପରେ ଗୁରୁତ୍ୱ ଆରୋପ କରିଛନ୍ତି । ୨୦୧୫ ଅଗଷ୍ଟ ମାସରେ ସେ ସଂଯୁକ୍ତ ଆରବ ଏମିରେଟ୍ସ ଗସ୍ତରେ ଯାଇଥିଲେ, ଯାହାକି ଦୀର୍ଘ ୩୪ ବର୍ଷ ପରେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପାଇଁ ଏହାଥିଲା ପ୍ରଥମ ଗସ୍ତ । ଏହା ଉପସାଗରୀୟ ରାଷ୍ଟ୍ରଙ୍କ ସହ ଭାରତର ଅର୍ଥନୈତିକ ସଂପର୍କ ବୃଦ୍ଧିକୁ ଯଥେଷ୍ଟ ମାତ୍ରାରେ ବୃଦ୍ଧି କରିବାରେ ସହାୟକ ହୋଇଛି । ପାଞ୍ଚଟି କେନ୍ଦ୍ର ଏସୀୟ ରାଷ୍ଟ୍ରକୁ ପ୍ରଧାନମନ୍ତ୍ରୀ କରିଥିବା ଗସ୍ତ ଏକ ଯୁଗାନ୍ତକାରୀ ଘଟଣା ବୋଲି ଅଭିହିତ କରାଯାଇଛି । ଏହି ଗସ୍ତ କାଳରେ ଭାରତ ଓ କେନ୍ଦ୍ର ଏସୀୟ ରାଷ୍ଟ୍ରଙ୍କ ମଧ୍ୟରେ ଶକ୍ତି, ବାଣିଜ୍ୟ, ସଂସ୍କୃତି ଓ ଆର୍ଥିକ କ୍ଷେତ୍ରରେ ଅନେକଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ରାଜିନାମା ସ୍ୱାକ୍ଷରିତ ହୋଇଛି । ୨୦୧୫ ଅକ୍ଟୋବର ମାସରେ ନୂଆଦିଲ୍ଲୀଠାରେ ଆୟୋଜିତ ହୋଇଥିଲା ଭାରତ-ଆଫ୍ରିକା ଶିଖର ସମ୍ମିଳନୀ । ଯେଉଁଥିରେ ୫୪ଟି ଆଫ୍ରିକୀୟ ରାଷ୍ଟ୍ର ଅଂଶଗ୍ରହଣ କରିଥିଲେ । ଏହି ସମ୍ମିଳନୀରେ ୪୧ଟି ଆଫ୍ରିକୀୟ ରାଷ୍ଟ୍ରର ନେତୃବର୍ଗ ଯୋଗ ଦେଇଥିଲେ ଯେଉଁଥିରେ ଭାରତ-ଆଫ୍ରିକା ଘନିଷ୍ଠ ସଂପର୍କ ବୃଦ୍ଧି ଦିଗରେ ବ୍ୟାପକ ବିଚାରବିମର୍ଶ କରାଯାଇଥିଲା । ସ୍ୱୟଂ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଏହି ସମ୍ମିଳନୀକୁ ଆସିଥିବା ଅନେକ ଆଫ୍ରିକୀୟ ନେତୃବର୍ଗଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ ।
୨୦୧୫ ଅକ୍ଟୋବର ମାସରେ ପ୍ରଧାନମନ୍ତ୍ରୀ ପ୍ୟାରିସଠାରେ ଆୟୋଜିତ ବିଶ୍ୱ ଜଳବାୟୁ ସମ୍ମିଳନୀ ସିଓପି-୨୧ରେ ଯୋଗଦାନ କରିଥିଲେ । ସେଠାରେ ସେ ଅନ୍ୟ ବିଶ୍ୱ ନେତୃବର୍ଗଙ୍କ ସହ ମିଶି ଜଳବାୟୁ ପରିବର୍ତ୍ତନ ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଥିଲେ । ଶ୍ରୀ ମୋଦୀ ଏବଂ ଫ୍ରାନ୍ସର ରାଷ୍ଟ୍ରପତି ଫ୍ରାଂସୁଆଁ ହୋଲାଁ ଉଭୟ ମିଶି ଅନ୍ତରାଷ୍ଟ୍ରୀୟ ସୌର ସଂଗଠନର ଶୁଭାରମ୍ଭ କରିଛନ୍ତି, ଯାହା ସୌରଶକ୍ତିରୁ ବିଜୁଳିଶକ୍ତି ଉତ୍ପାଦନ ଉପରେ ଗୁରୁତ୍ୱାରୋପ କରେ ।
୨୦୧୬ ଏପ୍ରିଲ ମାସରେ ପ୍ରଧାନମନ୍ତ୍ରୀ ଯୋଗ ଦେଇଥିଲେ ଆଣବିକ ସୁରକ୍ଷା ସମ୍ମିଳନୀରେ । ଏହି ସମ୍ମିଳନୀରେ ବିଶ୍ୱରେ ଏବେ ଆଣବିକ ନିରାପତ୍ତା ଘେନି ଏକ ସୁଦୃଢ ବ୍ୟବସ୍ଥାର ଆବଶ୍ୟକତା ରହିଛି ବୋଲି ସେ ଦୃଢ ଯୁକ୍ତି ଉପସ୍ଥାପନ କରିଥିଲେ । ସାଉଦି ଆରବ ଗସ୍ତରେ ଯାତ୍ରା କରିଥିବା ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କୁ ସେ ଦେଶର ସାହୀ ଶାସକ ଅବଦୁଲ ଅଜିଜ୍ ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରିଥିଲେ ।
ନିକଟ ଅତୀତରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଟୋନି ଆବୋଟ୍, ପିପୁଲ୍ସ ରିପବ୍ଲିକ ଅଫ ଚୀନର ରାଷ୍ଟ୍ରପତି ସି. ଜିନପିଙ୍ଗ୍, ଶ୍ରୀଲଙ୍କା ରାଷ୍ଟ୍ରପତି ମୈତ୍ରୀପାଳ ଶିରିସେନା, ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ, ଜର୍ମାନୀ ଚାନସେଲର ଆଞ୍ଜେଲା ମର୍କେଲଙ୍କ ଭଳି ବହୁ ବିଶ୍ୱ ନେତୃବର୍ଗ ଭାରତ ଗସ୍ତରେ ଆସିଛନ୍ତି । ସେମାନଙ୍କ ଗସ୍ତ ଭାରତ ସହ ସେହିସବୁ ରାଷ୍ଟ୍ରମାନଙ୍କ ସହଯୋଗ ବୃଦ୍ଧି ଦିଗରେ ଯୁଗାନ୍ତକାରୀ ସଫଳତା ହାସଲ କରିଛି । ୨୦୧୫ର ଗଣତନ୍ତ୍ର ଦିବସ ପରେଡରେ ମୁଖ୍ୟ ଅତିଥିଭାବେ ଆମେରିକା ରାଷ୍ଟ୍ରପତି ବାରାକ ଓବାମା ଯୋଗ ଦେଇଥିଲେ । ଭାରତ-ଆମେରିକା ସଂପର୍କରେ ଏହା ଥିଲା ପ୍ରଥମ ଘଟଣା । ୨୦୧୫ ଅଗଷ୍ଟ ମାସରେ ଭାରତ ଆୟୋଜନ କରିଥିଲା ଏଫ.ଆଇ.ପି.ଆଇ.ସି ଶିଖର ସମ୍ମିଳନୀ । ଯେଉଁଥିରେ ପ୍ରଶାନ୍ତ ମହାସାଗରୀୟ ଦ୍ୱୀପ ରାଷ୍ଟ୍ରଗୁଡ଼ିକର ପ୍ରମୁଖ ରାଷ୍ଟ୍ରମୁଖ୍ୟମାନେ ଯୋଗ ଦେଇଥିଲେ । ଏହି ସମ୍ମିଳନୀରେ ସେହିସବୁ ରାଷ୍ଟ୍ରମାନଙ୍କ ସହ ଭାରତର ସଂପର୍କ ବୃଦ୍ଧି ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଅନୁଷ୍ଠିତ ହୋଇଥିଲା ।
ବର୍ଷର ଗୋଟିଏ ଦିନକୁ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ରୂପେ ପାଳିବାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନକୁ ମିଳିତ ଜାତିସଂଘରେ ଅଶାତୀତ ସମର୍ଥନ ମିଳିଥିଲା । ପ୍ରଥମ ଥରପାଇଁ ବିଶ୍ୱର ୧୭୭ଟି ରାଷ୍ଟ୍ର ସହମତ ହୋଇ ଏହି ପ୍ରସ୍ତାବକୁ ଗୃହୀତ କରିବା ସହ ପ୍ରତିବର୍ଷ ଜୁନ୍ ୨୧ ତାରିଖକୁ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ରୂପେ ପାଳନ କରିବାକୁ ସହମତ ହୋଇଥିଲେ ।
1950 ମସିହା ସେପ୍ଟେମ୍ବର 17 ତାରିଖ ଦିନ ଗୁଜରାଟର ଏକ କ୍ଷୁଦ୍ର ସହରରେ ଜନ୍ମଗ୍ରହଣ କରିଥିଲେ । ପରିବାର ଅନ୍ୟାନ୍ୟ ପଛୁଆ ବର୍ଗରେ ଆସୁଥିଲା ଯାହା ସମାଜର ପଛୁଆ ବର୍ଗମାନଙ୍କ ମଧ୍ୟରୁ ଗୋଟିଏ । ଏକ ଗରିବ ଅଥଚ ସ୍ନେହପୂର୍ଣ୍ଣ ପରିବାରରେ ଟଙ୍କାଟିଏ ନଥାଇ ସୁଦ୍ଧା ବଡ଼ ହୋଇଥିଲେ । ଏହି ପ୍ରାରମ୍ଭିକ ଜଟିଳାବସ୍ଥା ତାଙ୍କୁ କେବଳ କଠିନ ପରିଶ୍ରମର ମୂଲ୍ୟ ସଂପର୍କରେ ସଚେତନ କରିନଥିଲା, ପରନ୍ତୁ ସାଧାରଣ ଲୋକ ଭୋଗ କରୁଥିବା ଦୁଃଖକଷ୍ଟ ସହ ସୁପରିଚିତ କରାଇଥିଲା । ଏହା ହିଁ ତାଙ୍କୁ ଖୁବ୍ କମ୍ ବୟସରୁ ଜନ ଓ ଦେଶସେବାରେ ବ୍ରତୀ ହେବାକୁ ଗଭୀର ଭାବେ ପ୍ରଭାବିତ କରିଥିଲା । ପ୍ରାରମ୍ଭିକ ବୟସରୁ ସେ ଏକ ଜାତୀୟତାବାଦୀ ସଂଗଠନ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ)ରେ କାର୍ଯ୍ୟ କରିଥିଲେ, ଯାହାକି ରାଷ୍ଟ୍ର ନିର୍ମାଣ ପାଇଁ ଉଦ୍ଦିଷ୍ଟ । ପରବର୍ତ୍ତୀ ଅବସ୍ଥାରେ ସେ ଭାରତୀୟ ଜନତାପାର୍ଟିରେ ଯୋଗଦେଇ ରାଜନୀତି କ୍ଷେତ୍ରରେ ପାଦ ଥାପିବା ସହ ଉଭୟ ରାଜ୍ୟ ଓ ଜାତୀୟ ସ୍ତରରେ କାର୍ଯ୍ୟ କରି ଆସୁଛନ୍ତି । ଗୁଜରାଟ ବିଶ୍ୱବିଦ୍ୟାଳୟରୁ ଶ୍ରୀ ମୋଦୀ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି ।’
୨୦୦୧ ମସିହାରେ ସେ ତାଙ୍କ ନିଜ ରାଜ୍ୟ ଗୁଜରାଟର ମୁଖ୍ୟମନ୍ତ୍ରୀ ହୋଇଥିଲେ ଏବଂ କ୍ରମାନ୍ୱୟରେ ଚାରିଥର ସେହି ପଦବୀ ଅଳଙ୍କୃତ କରିଥିଲେ । ପ୍ରଳୟଙ୍କରୀ ଭୂମିକମ୍ପ ପ୍ରଭାବରେ ପ୍ରଭାବିତ ଗୁଜରାଟକୁ ସେ ଭାରତର ବିକାଶ ମାନଚିତ୍ରରେ ଏକ ଅଗ୍ରଣୀ ରାଜ୍ୟଭାବେ ଉପସ୍ଥାପନ କରିପାରିଥିଲେ । ଏଥିରେ ତାଙ୍କର ଯଥେଷ୍ଟ ଯୋଗଦାନ ରହିଛି ।
ଶ୍ରୀ ନରେନ୍ଦ୍ର ମୋଦୀ ଜଣେ ଜନନେତା, ଯିଏ ଲୋକମାନଙ୍କ ସମସ୍ୟା ସମାଧାନ ଏବଂ ସେମାନଙ୍କ ସକଳ କଲ୍ୟାଣ ପାଇଁ ଶତତ ଚେଷ୍ଟିତ । ଲୋକମାନଙ୍କ ସହ ମିଶି କାର୍ଯ୍ୟ କରିବାରେ ତାଙ୍କର ସବୁଠାରୁ ବେଶୀ ଆନନ୍ଦ । ସେମାନଙ୍କ ସୁଖଦୁଃଖରେ ସହଭାଗୀ ହେବାରେ ସେ ଆତ୍ମସନ୍ତୋଷ ଲାଭ କରିଥାନ୍ତି । ସକ୍ରିୟ ଅନଲାଇନ୍ ଉପସ୍ଥିତି ତାଙ୍କୁ ସୁଦୃଢ ଭାବେ ବ୍ୟକ୍ତିଗତ ସ୍ତରରେ ସାଧାରଣ ଲୋକଙ୍କ ସହ ଯୋଡ଼ି ରଖିଛି । ତେଣୁ ସେ ଦେଶର ସବୁଠାରୁ ଅଧିକ ପ୍ରଯୁକ୍ତିପ୍ରେମୀ ନେତାଭାବେ ସୁପରିଚିତ । ୱେବ୍ ମାଧ୍ୟମରେ ସେ ଲୋକମାନଙ୍କ ନିକଟରେ ପହଞ୍ଚିବା ସହ ସେମାନଙ୍କ ଜୀବନରେ ପରିବର୍ତ୍ତନ ଘଟାଇବାରେ ସକ୍ଷମ ହୋଇପାରିଛନ୍ତି । ସାମାଜିକ ଗଣମାଧ୍ୟମରେ ତାଙ୍କର ସକ୍ରିୟତା ସର୍ବଜନବିଦିତ ଓ ଫେସବୁକ୍, ଗୁଗୁଲ, ଇନଷ୍ଟାଗ୍ରାମ୍, ସାଉଣ୍ଡ ବ୍ଲାଉଡ୍, ଲିଙ୍କଡ ଇନ୍, ୱେଇବୋ ଏବଂ ଅନ୍ୟ ଫୋରମର ପ୍ଲାଟଫର୍ମରେ ସେ ସଦାସର୍ବଦା ଉପଲବ୍ଧ ।
ରାଜନୀତି ବ୍ୟତିରେକେ ଶ୍ରୀ ନରେନ୍ଦ୍ର ମୋଦୀ ଲେଖାପଢାରେ ମଧ୍ୟ ରୁଚି ରଖନ୍ତି । କବିତା ସଂକଳନ ସମେତ ଅନେକ ପୁସ୍ତକର ସେ ରଚୟିତା । ଯୋଗାଭ୍ୟାସରୁ ଆରମ୍ଭ ହୁଏ ତାଙ୍କର ପ୍ରାଣହିକ କାର୍ଯ୍ୟ, ଯାହା ତାଙ୍କ ମନ ଓ ଶରୀରକୁ ଏକୀକୃତ କରିବାରେ ସହାୟକ ହୋଇଥାଏ । ପୁଣି ଏହା ତାଙ୍କର କାର୍ଯ୍ୟବ୍ୟସ୍ତ ମନକୁ ପ୍ରଶାନ୍ତି ଯୋଗାଇଥାଏ ।
ଏହି ହେଉଛନ୍ତି ସେ ବ୍ୟକ୍ତି, ଯିଏ ସାହସ, ଅନୁକମ୍ପା ଏବଂ ଦୃଢସଂକଳ୍ପ ଜୀବନର ଏକ ପ୍ରତୀକ, ଯାହାଙ୍କ ଉପରେ ରାଷ୍ଟ୍ର ନିଜର ଅଯାଚିତ ସମର୍ଥନ, ଅଜାଡ଼ି ଦେଇଛୁ ସେହି ଆଶାରେ ଯେ ସେ ଭାରତକୁ ପୁନରୁଜ୍ଜୀବିତ କରି ବିଶ୍ୱର ଏକ ଉଜ୍ୱଳ ତାରକାରେ ପରିଣତ କରିବେ ।