ମହାମହିମଗଣ, ନମସ୍କାର !
ପ୍ରେସିଡେଣ୍ଟ ରହମନ ଏସ୍ସିଓ କାଉନସିଲର ଅଧ୍ୟକ୍ଷପଦ ସଫଳତାର ସହିତ ପରିଚାଳନା କରିଥିବାରୁ ପ୍ରାରମ୍ଭରେ ମୁଁ ତାଙ୍କୁ ଅଭିନନ୍ଦନ ଜଣାଉଛି । ଏକ ଅତ୍ୟନ୍ତ ଆହ୍ୱାନମୂଳକ ଆଞ୍ଚଳିକ ଓ ଆନ୍ତର୍ଜାତିକ ପରିସ୍ଥିତିରେ ତାଜିକ୍ସ୍ଥାନର ରାଷ୍ଟ୍ରପତି ଏହି ସଂଗଠନର ଦାୟିତ୍ୱ ଅତ୍ୟନ୍ତ ସୂଚାରୁରୂପେ ପରିଚାଳନାକରିଛନ୍ତି । ଚଳିତବର୍ଷ ତାଜିକସ୍ଥାନ ତାର ସ୍ୱାଧୀନତାର ୩୦ବର୍ଷ ପୂର୍ତ୍ତି ପାଳନ କରୁଥିବାରୁ ମୁଁ ଭାରତ ପକ୍ଷରୁ ତାଜିକବାସୀ ଭାଇଭଉଣୀ ଏବଂ ଏହାର ପ୍ରେସିଡେଣ୍ଟ ରହମନଙ୍କୁ ଶୁଭେଚ୍ଛା ଜଣାଉଛି ।
ମହାମହିମଗଣ,
ଚଳିତବର୍ଷ ଆମେ ମଧ୍ୟ ଏସସିଓର ବିଂଶପ୍ରତିଷ୍ଠା ଦିବସ ପାଳନ କରୁଛନ୍ତି । ଏହି ଶୁଭ ଅବସରରେ ଆମ ସହିତ ନୂଆ ନୂଆ ବନ୍ଧୁ ଯୋଗଦେବା ନିଶ୍ଚିତ ଆନନ୍ଦର ବିଷୟ । ଏସ୍ସିଓରେ ନୂଆ ସଦସ୍ୟ ରାଷ୍ଟ୍ରଭାବେ ଯୋଗଦେଇଥିବା ଇରାନକୁ ମୁଁ ଏହି ଅବସରରେ ଅଭିନନ୍ଦନ ଜଣାଉଛି । ଆମ ଅନୁଷ୍ଠାନ ସହ ବାର୍ତ୍ତା ଅଂଶୀଦାର ହୋଇଥିବା ତିନିରାଷ୍ଟ୍ର ସାଉଦିଆରବ, ଇଜପ୍ଟ ଓ କାତାରକୁ ମଧ୍ୟ ମୁଁ ସ୍ୱାଗତ କରୁଛି । ଏସ୍ସିଓରେ ସମ୍ପ୍ରସାରଣ ଏହି ସଂଗଠନର ବର୍ଦ୍ଧିଷ୍ଣ ପ୍ରଭାବକୁ ପ୍ରମାଣିତ କରୁଛି । ନୂଆ ସଦସ୍ୟ ଓ ବାର୍ତ୍ତା ଅଂଶୀଦାରଙ୍କ ଯୋଗଦାନ ଫଳରେ ଏସ୍ସିଓ ଅଧିକ ଦୃଢ ହେବା ସହିତ ଏହାର ବିଶ୍ୱସନୀୟତା ବଢିବ ।
ମହାମହିମଗଣ,
ଏସ୍ସିଓ ଏହାର ପ୍ରତିଷ୍ଠାର ୨୦ବର୍ଷ ପୂରଣ କରିବା ଏହି ଅନୁଷ୍ଠାନର ଭବିଷ୍ୟତ ସମ୍ପର୍କରେ ବିଚାର କରିବାକୁ ଉତ୍ତମ ଅବସର ଯୋଗାଉଛି । ମୋ ବିଚାରରେ ଏହି ଅଞ୍ଚଳର ସବୁଠୁ ବଡ ଆହ୍ୱାନ ହେଲା ଶାନ୍ତି, ନିରାପତ୍ତା ଓ ସ୍ଥିରତା ରକ୍ଷା ଏବଂ ବିଶ୍ୱାସର ଅଭାବଜନିତ ପରିସ୍ଥିତି । ଏହି ଅଞ୍ଚଳର ସମସ୍ୟାବଳୀର ମୂଳକାରଣ ହେଲା କ୍ରମବର୍ଦ୍ଧିଷ୍ଣୁ କଟ୍ଟରବାଦୀ ବିଚାର । ଆଫଗାନିସ୍ଥାନର ସାଂପ୍ରତିକ ଘଟଣାବଳୀ ଏହି ଆହ୍ୱାନକୁ ଅଧିକ ଗୁରୁତର କରିଛି । ଏସ୍ସିଓ ଏ ଦିଗରେ କିଛି ଉଦ୍ୟମ କରିବା ଆବଶ୍ୟକ ।
ଇତିହାସ ଉପରେ ଦୃଷ୍ଟିପାତ କଲେ ଆମେ ଦେଖିବା ଯେ କେନ୍ଦ୍ର ଏସିଆ ସର୍ବଦା ଉଦାରବାଦୀ ପ୍ରଗତିଶୀଳ ବିଚାରର ଏକ ଦୁର୍ଗ ହୋଇଆସିଛି । ଅନେକ ଶତାବ୍ଦୀ ତଳେ ଏହି ଅଞ୍ଚଳରେ ସୁଫି ପରମ୍ପରା ସୃଷ୍ଟି ହୋଇ ସମଗ୍ର ଅଞ୍ଚଳ ଓ ବିଶ୍ୱକୁ ପ୍ରସାରିତ ହୋଇଥିଲା । ଏହି ଅଞ୍ଚଳର ସାଂସ୍କୃତିକ ଐତିହ୍ୟରେ ଆମେ ତାହାର ପ୍ରଭାବ ଦେଖିବାକୁ ପାଉ । କେନ୍ଦ୍ର ଏସିଆର ଏହି ଐତିହାସିକ ଐତିହ୍ୟ ଭିତ୍ତିରେ ଉଗ୍ରବାଦକୁ ରୋକିବା ପାଇଁ ଏସ୍ସିଓ ଏକ ସାଧାରଣ କାର୍ଯ୍ୟସୂଚୀ ଓ ପ୍ରତିକାର ବ୍ୟବସ୍ଥା ପ୍ରସ୍ତୁତ କରିବା ଉଚିତ ।
ଭାରତ ଓ ସବୁ ଏସ୍ସିଓ ରାଷ୍ଟ୍ରରେ ଇସ୍ଲାମ ସହିତ ସମ୍ପୃକ୍ତ ଅନେକ ଉଦାର, ସହନଶୀଳ ଓ ଅନ୍ତର୍ନିବେଶୀ ତଥା ସମାବେଶୀ ଅନୁଷ୍ଠାନ ଏବଂ ପରମ୍ପରା ରହିଛି । ଏସ୍ସିଓ ଏସବୁ ସଂସ୍ଥାଙ୍କ ଦୃଢ ଯୋଗସୂତ୍ର ବ୍ୟବସ୍ଥା ତିଆରି କରିବା ଦିଗରେ କାମ କରିବା ଉଚିତ । ଏହି ପ୍ରସଙ୍ଗରେ ସ୍କୋ-ରାଟ୍ସ() ଯେଉଁ ଗୁରୁତ୍ୱପୂର୍ଣ୍ଣ କାମ କରୁଛି ମୁଁ ତାହାକୁ ପ୍ରଶଂସା କରୁଛି । ଭାରତ ସ୍କୋ-ରାଟ୍ସର ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିବ । ଏହି ଅବସରରେ ଏଥି ନିମନ୍ତେ ଯେଉଁ କାର୍ଯ୍ୟକ୍ରମର କ୍ୟାଲେଣ୍ଡର ପ୍ରସ୍ତୁତ ହୋଇଛି ସେଥିରେ ସବୁ ଏସ୍ସିଓ ଅଂଶୀଦାରଙ୍କ ଠାରୁ ମୁଁ ଉପଯୁକ୍ତ ସହଯୋଗ କାମନା କରୁଛି ।
ମହାମହିମଗଣ,
ପାରସ୍ପରିକ ବିଶ୍ୱାସ ଓ ଆଞ୍ଚଳିକ ନିରାପତ୍ତା ପାଇଁ କେବଳ ଧାର୍ମିକ କଟ୍ଟରତା ବିରୋଧରେ ଲଢେଇ ଯଥେଷ୍ଟ ନୁହେଁ ; ଏହା ମଧ୍ୟ ଆମ ଯୁବପିଢିର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ବିଶେଷ ଜରୁରୀ । ଉନ୍ନତ ଦେଶଗୁଡିକ ସହ ପ୍ରତିଯୋଗିତା କରିବା ପାଇଁ ଆମ ଅଞ୍ଚଳରେ ନୂଆ ଟେକ୍ନୋଲୋଜିର ପ୍ରବେଶ ଓ ପ୍ରସାର ହେବା ଆବଶ୍ୟକ । ଏଥିପାଇଁ ଆମକୁ ଆମ ମେଧାବୀ ଯୁବଶକ୍ତିକୁ ଉତ୍ସାହିତ କରିବାକୁ ହେବ ଏବଂ ସେମାନଙ୍କ ମଧ୍ୟରେ ବିଜ୍ଞାନ ଓ ଯୁକ୍ତି ସଙ୍ଗତ ବିଚାର, ଭାବନା ସୃଷ୍ଟି କରିବାକୁ ପଡିବ ।
ଆମର ଯୁବ ଉଦ୍ୟମୀ ଏବଂ ଷ୍ଟାର୍ଟଅପ୍ଗୁଡିକୁ ସଂଯୁକ୍ତ କରି ଆମେ ଏହି ପ୍ରକାରର ବିଚାର ଓ ଅଭିନବ ଉଚ୍ଛ୍ୱାସକୁ ପ୍ରୋତ୍ସାହିତ କରିପାରିବା । ଏହି ଦୃଷ୍ଟିକୋଣ ନେଇ ଭାରତ ଗତବର୍ଷ ପ୍ରଥମ ଏସସିଓ ଷ୍ଟାର୍ଟଅପ ଫୋରମ୍ ଏବଂ ଯୁବ ବୈଜ୍ଞାନିକ ସମ୍ମଳିନୀ ଆୟୋଜନ କରିଥିଲା ।ବିଗତ ବର୍ଷଗୁଡିକରେ ଭାରତ ତାହାର ବିକାଶଯାତ୍ରାରେ ସଫଳତାର ସହ ଟେକ୍ନୋଲେଜିର ବ୍ୟବହାର କରିଛି ।
ଆର୍ଥିକ ସଶକ୍ତୀକରଣରେ ୟୁପିଆଇ, ରୁପେକାର୍ଡଠାରୁ ଆରମ୍ଭ କରି କରୋନା ମୁକାବିଲା କ୍ଷେତ୍ରରେ କୋୱିନ ପର୍ଯ୍ୟନ୍ତ ଭାରତ ବିଭିନ୍ନ ପ୍ରକାର ଟେକ୍ନୋଲୋଜି ବ୍ୟବହାର କରିବା ସହ ସ୍ୱେଚ୍ଛାକୃତଭାବେ ଅନ୍ୟ ଦେଶକୁ ଏହାର ସେବା ପାଇବାର ସୁଯୋଗ ଯୋଗାଇଛି । ଆମେ ମଧ୍ୟ ଆମର ଏହି ମୁକ୍ତଉତ୍ସ ଟେକ୍ନୋଲୋଜିର ଲାଭ ଏସ୍ସିଓ ଅଂଶୀଦାର ରାଷ୍ଟ୍ରଙ୍କୁ ଯୋଗାଇ ସେମାନଙ୍କର ଦକ୍ଷତା ବିକାଶରେ ସହାୟକ ହେବାକୁ ଆଗ୍ରହୀ ।
ମହାମହିମଗଣ,
ଏହି ଅଞ୍ଚଳରେ ଯେଉଁ ବ୍ୟାପକ ଅର୍ଥନୈତିକ ସାମର୍ଥ୍ୟ ରହିଛି ତାହା ଚରିତାର୍ଥ ହୋଇନାହିଁ । ଏଥିପାଇଁ ସୁରକ୍ଷା ଏବଂ କଟ୍ଟରପନ୍ଥୀ କାମ ଓ ବିଚାର ଦାୟୀ । ଖଣିଜ ସମ୍ପଦର ଉତ୍ତୋଳନଠାରୁ ଆରମ୍ଭ କରି ଅଞ୍ଚଳର ବିଭିନ୍ନ ରାଷ୍ଟ୍ରଙ୍କ ମଧ୍ୟରେ ବହୁପାକ୍ଷିକ ବାଣିଜ୍ୟ କାରବାରର ଯେଉଁ ଅପାର ସମ୍ଭାବନା ରହିଛି ଏସ୍ସିଓ ସେ ଦିଗରେ କାମ କରିବା ଆବଶ୍ୟକ । ଆମକୁ ପରସ୍ପର ମଧ୍ୟରେ ପ୍ରଥମେ ସମ୍ପୃକ୍ତ ହେବାକୁ ପଡିବ । ଇତିହାସରେ କେନ୍ଦ୍ର ଏସିଆ ସର୍ବଦା ବିଭିନ୍ନ ବୃହତ ଆଞ୍ଚଳିକ ବଜାର ସହ ଏକ ସଂଯୋଗକାରୀ ସେତୁର ଭୂମିକା ନିର୍ବାହ କରିଆସିଛି । ଏକ ସଂଯୋଗକାରୀ ଭୂମିକା ମଧ୍ୟ ଏହି ଅଞ୍ଚଳର ସମୃଦ୍ଧିର କାରଣ ପାଲଟିଛି । କେନ୍ଦ୍ର ଏସିଆ ସହିତ ନିଜର ସଂଯୋଗ ବୃଦ୍ଧି ପାଇଁ ଭାରତ ଅଙ୍ଗୀକୃତ ।
ଆମର ବିଶ୍ୱାସ ଯେ ଭୂବେଷ୍ଟିତ କେନ୍ଦ୍ର ଏସୀୟ ରାଷ୍ଟ୍ରମାନେ ଭାରତର ବିରାଟ ବଜାର ସହିତ ସଂଯୁକ୍ତ ହୋଇ ବିଶେଷ ଉପକୃତ ହୋଇପାରିବେ । ଦୁର୍ଭାଗ୍ୟର ବିଷୟ, ପାରସ୍ପରିକ ବିଶ୍ୱାସର ଅଭାବ ଯୋଗୁ ଏ ଯାଏ ସେମାନଙ୍କ ପାଇଁ ଅନେକ ସଂଯୋଗ ବିକଳ୍ପ ଖୋଲିପାରିନାହିଁ । ଇରାନ୍ର ଚବାହର ବନ୍ଦରରେ ଆମର ପୁଞ୍ଜିନିବେଶ ଏବଂ ଆର୍ନ୍ତଜାତିକ ଉତ୍ତର-ଦକ୍ଷିଣ କରିଡର ନିର୍ମାଣରେ ଆମର ଉଦ୍ୟମ ଏହି ବାସ୍ତବତା ଦ୍ୱାରା ପରିଚାଳିତ ।
ମହାମହିମଗଣ,
ସଂଯୋଗ କ୍ଷେତ୍ରରେ ଯେକୌଣସି ଉଦ୍ୟମ ଏକତରଫା ରାସ୍ତା ହୋଇ ନ ପାରେ । ସଂଯୋଗ ପ୍ରକଳ୍ପ ବିଚାର ଆଲୋଚନା, ସ୍ୱଚ୍ଛତା ଓ ସହଯୋଗ ଭିତ୍ତିରେ ନିର୍ମିତ ହେଲେ ପାରସ୍ପରିକ ବିଶ୍ୱାସ ବଢେ । ଏ କ୍ଷେତ୍ରରେ ସବୁ ଦେଶର ଆଞ୍ଚଳିକ ଅଖଣ୍ଡତା ପ୍ରତି ଯତ୍ନବାନ ହେବାକୁ ପଡିବ । ଅତଏବ ଏସବୁକୁ ବିଚାରକୁ ନେଇ ଏସ୍ସିଓ ଏହି ଅଞ୍ଚଳରେ ଉପଯୁକ୍ତ ସଂଯୋଗ ପ୍ରକଳ୍ପ ନୀତି ପ୍ରସ୍ତୁତ କରିବା ଆବଶ୍ୟକ । ଏହାଦ୍ୱାରା ଆମେ ଏହି ଅଞ୍ଚଳର ପାରମ୍ପରିକ ସଂଯୋଗ ବ୍ୟବସ୍ଥାକୁ ପୁନରୁଦ୍ଧାର କରିପାରିବା । ଏହାଦ୍ୱାରା ଆମେ ଏହି ଅଞ୍ଚଳର ପାରମ୍ପରିକ ସଂଯୋଗ ବ୍ୟବସ୍ଥାକୁ ପୁନରୁଦ୍ଧାର କରିପାରିବା । ତା’ ପରେ ଯାଇ ଆମେ ପରସ୍ପର ସହିତ ସଂଯୁକ୍ତ ହେବା । ଏହାଦ୍ୱାରା ଆମ ମଧ୍ୟରେ ଥିବା ଦୂରତ୍ୱ କମିବ । ଏଥିପାଇଁ ଯେକୌଣସି ସହଯୋଗ ଯୋଗାଇ ଦେବାକୁ ଭାରତ ପ୍ରସ୍ତୁତ ।
ମହାମହିମଗଣ,
ଏସ୍ସିଓ ସଫଳ ହେବାର ପ୍ରମୁଖ କାରଣଟି ହେଲା ଏହା ଅଞ୍ଚଳର ଆବଶ୍ୟକତାକୁ ସବୁଠୁ ଅଧିକ ଗୁରୁତ୍ୱ ଦେଇଛି। ଧାର୍ମିକ କଟ୍ଟରବାଦ, ସଂଯୋଗ ଓ ଲୋକ -ଲୋକ ସ୍ତରୀୟ ସମ୍ପର୍କ ରକ୍ଷା ନେଇ ମୋର ପ୍ରସ୍ତାବ ଏସ୍ସିଓର ଭୂମିକାକୁ ଆହୁରି ଦୃଢ କରିବ । ବକ୍ତବ୍ୟ ଶେଷ କରିବା ପୂର୍ବରୁ ମୁଁ ଆଉ ଥରେ ଆମର ଆୟୋଜକ ଓ ସମ୍ମିଳନୀର ଅଧ୍ୟକ୍ଷ ପ୍ରେସିଡେଣ୍ଟ ରହମନ୍ଙ୍କୁ ଧନ୍ୟବାଦ ଜଣାଉଛି ।
ଏହି ସମାବେଶ ମିଶ୍ରିତ ବ୍ୟବସ୍ଥାରେ ହେଉଛି । ସେଥିପାଇଁ ଅସୁବିଧା ରହିଛି । ଏହା ସତ୍ତ୍ୱେ ପ୍ରେସିଡେଣ୍ଟ ରହମନ୍ ଏହି ଶୀର୍ଷ ସମ୍ମିଳନୀକୁ ସଫଳତାର ସହ ଆୟୋଜିତ ଓ ପରିଚାଳିତ କରିଛନ୍ତି । ଏହି ଅବସରରେ ମୁଁ ଏସ୍ସିଓର ପରବର୍ତ୍ତୀ ଅଧ୍ୟକ୍ଷ ଉଜ୍ବେକିସ୍ଥାନକୁ ଶୁଭେଚ୍ଛା ଜ୍ଞାପନ କରୁଛି ଏବଂ ଭାରତ ପକ୍ଷରୁ ସବୁ ସମ୍ଭାବ୍ୟ ସହଯୋଗ ଯୋଗାଇ ଦେବାର ପ୍ରତିଶ୍ରୁତି ଦେଉଛି ।
ଧନ୍ୟବାଦ ।