ରିଓ ଡି ଜେନେରୋରେ ନଭେମ୍ବର ୧୯ ତାରିଖରେ ଜି-୨୦ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିଜ୍ ଦ୍ୱିତୀୟ ଭାରତ-ଅଷ୍ଟ୍ରେଲିଆ ବାର୍ଷିକ ଶିଖର ସମ୍ମିଳନୀ କରିଛନ୍ତି । ୨୦୨୩ ମାର୍ଚ୍ଚ ୧୦ରେ ପ୍ରଧାନମନ୍ତ୍ରୀ ଆଲବାନିଜଙ୍କ ଭାରତ ଗସ୍ତ ଅବସରରେ ନୂଆଦିଲ୍ଲୀ ଠାରେ ପ୍ରଥମ ବାର୍ଷିକ ଶିଖର ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ।
ଦୁଇ ଦେଶର ପ୍ରଧାନମନ୍ତ୍ରୀ ଭାରତ-ଅଷ୍ଟ୍ରେଲିଆ ବ୍ୟାପକ ରଣନୀତିକ ସହଭାଗିତାକୁ ସୁଦୃଢ଼ କରିବା ପାଇଁ ନିଜର ନିଜର ପ୍ରତିବଦ୍ଧତାକୁ ଦୋହରାଇଥିଲେ । ରକ୍ଷା ଏବଂ ସୁରକ୍ଷା, ବ୍ୟବସାୟ ଏବଂ ନିବେଶ, ଶିକ୍ଷା, କୌଶଳ ଓ ଗତିଶୀଳତା,ନବୀକରଣୀୟ ଶକ୍ତି, ଅନ୍ତରୀକ୍ଷ, ଖେଳ ଏବଂ ଲୋକଙ୍କ ସହ ଲୋକଙ୍କ ସମ୍ପର୍କ ଆଦି କ୍ଷେତ୍ରରେ ସହଯୋଗ ନେଇ ଦୁଇ ନେତା ଆଲୋଚନା କରିଥିଲେ । ଏହି ଅବସରରେ ଏକ ଯୁଗ୍ମ ଘୋଷଣାନାମା ପ୍ରକାଶ ପାଇଥିଲା । ଦୁଇ ନେତା ଅକ୍ଷୟ ଶକ୍ତି କ୍ଷେତ୍ରରେ ସହଭାଗିତାର ଶୁଭାରମ୍ଭ କରିଥିଲେ ।
ଦୁଇ ନେତା ପାରସ୍ପରିକ ହିତ ପାଇଁ କ୍ଷେତ୍ରୀୟ ଏବଂ ବୈଶ୍ୱିକ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କଲେ । ଉଭୟ ନେତା ଆନ୍ତର୍ଜାତିକ ଆଇନର ସମ୍ମାନ ଆଧାରରେ ଏକ ଶାନ୍ତିପୂର୍ଣ୍ଣ, ସ୍ଥିର ଏବଂ ସମୃଦ୍ଧ ହିନ୍ଦ-ପ୍ରଶାନ୍ତ କ୍ଷେତ୍ର ପାଇଁ ନିଜର ପ୍ରତିବଦ୍ଧତାକୁ ମଧ୍ୟ ଦୋହରାଇଥିଲେ ।