ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ସ୍ୱାଧୀନତା ସଂଗ୍ରାମ ଶହୀଦଙ୍କ ଶବ୍ଦାବଳୀ ଲୋକ କଲ୍ୟାଣ ମାର୍ଗ, ନୂଆଦିଲ୍ଲୀ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉନ୍ମୋଚନ କରିଛନ୍ତି ।
ଏହି ଅବସରରେ ସେ କହିଛନ୍ତି ଯେ, ପାଞ୍ଚ ଖଣ୍ଡର ଏହି ଶବ୍ଦାବଳିରେ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ, 1857ରୁ ଭାରତର ସ୍ୱାଧୀନତା, 1947 ପର୍ଯ୍ୟନ୍ତ ହୋଇଥିବା ଶହୀଦମାନଙ୍କ ସଂପର୍କରେ ସୂଚନା ମିଳିପାରିବ । ଜାଲିଆନାୱାଲାବାଗ ନରସଂହାର, ଅସହଯୋଗ ଆନ୍ଦୋଳନ, ଭାରତଛାଡ଼ ଆନ୍ଦୋଳନ ଏବଂ ଆଜାଦ ହିନ୍ଦ ଫୌଜର ଶହୀଦ ହୋଇଥିବା ସୈନିକଙ୍କ ସଂପର୍କରେ ଶବ୍ଦାବଳିରେ ଉଲ୍ଲେଖ ରହିଛି । ଶହୀଦମାନଙ୍କ ନାମକୁ ତାଲିକାଭୁକ୍ତ କରିବା ପାଇଁ ପ୍ରଥମ ଥର ପାଇଁ ଏପରି ଉଦ୍ୟମ ହୋଇଛି । ଶବ୍ଦାବଳି ପ୍ରସ୍ତୁତିରେ ଜଡ଼ିତ ବ୍ୟକ୍ତିମାନଙ୍କୁ ସେ ପ୍ରଶଂସା କରିଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେଉଁ ଦେଶ ନିଜ ସ୍ରଷ୍ଟା ତଥା ଦେଶ ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ବ୍ୟକ୍ତିଙ୍କୁ ସମ୍ମାନ ଦିଏ ନାହିଁ କିମ୍ବା ମନେ ପକାଏ ନାହିଁ ସେ ଦେଶର ଭବିଷ୍ୟତ ସୁରକ୍ଷିତ ନୁହେଁ । ଏହି ପରିପ୍ରେକ୍ଷୀରେ ସେ କହିଛନ୍ତି, ଶହୀଦ ଶବ୍ଦାବଳି କେବଳ ବିଗତ ଦିନକୁ ମନେ ପକାଇ ଦେବା ନାହିଁ ବରଂ ଭବିଷ୍ୟତକୁ ସୁରକ୍ଷିତ ରଖିବାର ମାଧ୍ୟମ ପାଲଟିବ । ଯୁବ ବର୍ଗ ଶହୀଦମାନଙ୍କ ସଂପର୍କରେ ଜାଣିବା ଜରୁରି ବୋଲି ସେ କହିଛନ୍ତି ।
କେନ୍ଦ୍ର ସରକାର ସ୍ୱାଧୀନତା ସଂଗ୍ରାମର ବୀରମାନଙ୍କ ବୀରତ୍ୱପୂର୍ଣ୍ଣ ଗାଥାକୁ ସାଇତି ରଖିବା ତଥା ମନେ ପକାଇବାକୁ ଉଦ୍ୟମ ଜାରି ରଖିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସେ କହିଛନ୍ତି ଯେ, ଏହା ପରବର୍ତ୍ତୀ ପିଢ଼ି ଉପରେ ଅନୁକୂଳ ପ୍ରଭାବ ପକାଇବ ଓ ସେମାନେ ଭାରତ ପ୍ରଥମ ବୋଲି ଚିନ୍ତା କରିବାକୁ ପ୍ରୋତ୍ସାହିତ ହେବେ ।
ପ୍ରଧାନମନ୍ତ୍ରୀ କହିଥିଲେ ସ୍ୱାଧୀନତାର ଏତେ ବର୍ଷ ପରେ ମଧ୍ୟ ଭାରତରେ ଯୁଦ୍ଧ ସ୍ମାରକଟିଏ ନଥିଲା । ନିକଟରେ ଜାତୀୟ ଯୁଦ୍ଧ ସ୍ମାରକକୁ ଜାତି ଉଦ୍ଦେଶ୍ୟରେ ସମର୍ପଣ ହୋଇଛି । ସେହିଭଳି ଜାତୀୟ ପୁଲିସ ସ୍ମାରକ ନିର୍ମିତ ହୋଇଛି । ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ସ୍ମୃତିରେ ବିଶ୍ୱର ଦୀର୍ଘତମ ଷ୍ଟାଚ୍ୟୁ, ଷ୍ଟାଚ୍ୟୁ ଅଫ ୟୁନିଟି ନିର୍ମାଣ ହୋଇଛି । ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ଆଜାଦ ହିନ୍ଦ ଫୌଜ ସ୍ମୃତିରେ ଲାଲ କିଲ୍ଲାରେ କ୍ରାନ୍ତି ମନ୍ଦିର ସ୍ଥାପିତ ହୋଇଛି । ସ୍ୱାଧୀନତା ସଂଗ୍ରାମରେ ଭାଗ ନେଇଥିବା ଆଦିବାସୀ ବୀରମାନଙ୍କ ବୀରତ୍ୱପୂର୍ଣ୍ଣ ଗାଥା ସ୍ମରଣ କରିବା ପାଇଁ ମ୍ୟୁଜିୟମ ନିର୍ମାଣ ହେଉଛି ବୋଲି ସେ କହିଛନ୍ତି ।
କେନ୍ଦ୍ର ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଡଃ ମହେଶ ଶର୍ମା ଏହି ଅବସରରେ ଉପସ୍ଥିତ ଥିଲେ ।
ପୃଷ୍ଠଭୂମି
ସଂସ୍କୃତି ମାନ୍ୟତାପ୍ରାପ୍ତ ଶହୀଦ ଶବ୍ଦାବଳି ସଂଯୋଜନା ପ୍ରକଳ୍ପ 1857 ବିପ୍ଳବର 150 ବର୍ଷ ପୂର୍ତ୍ତି ଉପଲକ୍ଷେ ଇଣ୍ଡିଆନ କାଉନସିଲ ଅଫ ହିଷ୍ଟୋରିକାଲ ରିସର୍ଚ (ଆଇସିଏଚଆର)ଦ୍ୱାରା ସଂପାଦିତ ହୋଇଛି । ଶବ୍ଦାବଳିରେ ଦେଶର ମୁକ୍ତି ପାଇଁ ଆନ୍ଦୋଳନରତ ଅବସ୍ଥା, ଜେଲରେ, କିମ୍ବା ମୃତ୍ୟୁ ଦଣ୍ଡ ପାଇଥିବା ବ୍ୟକ୍ତିଙ୍କୁ ଶହୀଦ ସଂଜ୍ଞା ପ୍ରଦାନ କରାଯାଇଛି । ବ୍ରିଟିଶଙ୍କ ସହ ଲଢ଼ି ପ୍ରାଣ ହରାଇଥିବା ପୂର୍ବ ଆଇଏନଏ ଓ ପୂର୍ବ ସୈନିକ ଏଥିରେ ସ୍ଥାନ ପାଇଛନ୍ତି ।
1857 ବିଦ୍ରୋହ, 1919 ଜାଲିଆନାୱାଲାବାଗ ନରସଂହାର, ଅସହଯୋଗ ଆନ୍ଦୋଳନ (1920-22), ଆଇନ ଅମାନ୍ୟ ଆନ୍ଦୋଳନ (1930-34), ଭାରତଛାଡ ଆନ୍ଦୋଳନ (1942-44), ବିପ୍ଲବୀ ଆନ୍ଦୋଳନ (1915-34), କୃଷକ ଆନ୍ଦୋଳନ, ଆଦିବାସୀ ଆନ୍ଦୋଳନ, ପ୍ରଜାମଣ୍ଡଳ ଆନ୍ଦୋଳନ, ଆଇଏନଏ (1943-45), ରୟାଲ ଇଣ୍ଡିଆନ ଆର୍ମି ବିଦ୍ରୋହ (1946)ର ଶହୀଦଙ୍କ ସମେତ 13,500 ଶହୀଦଙ୍କ ସଂପର୍କରେ ଶବ୍ଦାବଳିରେ ଉଲ୍ଲେଖ ରହିଛି ।
ପାଞ୍ଚଟି ଖଣ୍ଡରେ ଏହା ପ୍ରକାଶିତ ହେବ ।
1. ଶହୀଦ ଶବ୍ଦାବଳି : ଭାରତୀୟ ସ୍ୱାଧୀନତା ସଂଗ୍ରାମ (1857-1947) ଖଣ୍ଡ-1, ଭାଗ-1 ଓ 2 । ଏଥିରେ ଦିଲ୍ଲୀ, ହରିଆନା, ପଞ୍ଜାବ, ହିମାଚଳ ପ୍ରଦେଶର 4400ରୁ ଅଧିକ ଶହୀଦଙ୍କ ବିବରଣୀ ରହିଛି ।
2. ସହିଦ୍ ଶବ୍ଦାବଳି : ଭାରତୀୟ ସ୍ୱାଧୀନତା ସଂଗ୍ରାମ (1857-1947) ଖଣ୍ଡ-2, ଭାଗ-1 ଓ 2 । ଏଥିରେ ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ, ଜାମ୍ମୁ ଓ କାଶ୍ମୀରର 3500ରୁ ଅଧିକ ଶହୀଦଙ୍କ ବିବରଣୀ ରହିଛି ।
3. ଶହୀଦ ଶବ୍ଦାବଳି : ଭାରତୀୟ ସ୍ୱାଧୀନତା ସଂଗ୍ରାମ (1857-1947) ଖଣ୍ଡ-3 । ଏଥିରେ ମହାରାଷ୍ଟ୍ର, ଗୁଜୁରାଟ ଓ ସିନ୍ଧର 1400ରୁ ଅଧିକ ଶହୀଦଙ୍କ ବିବରଣୀ ରହିଛି ।
4. ଶହୀଦ ଶବ୍ଦାବଳି : ଭାରତୀୟ ସ୍ୱାଧୀନତା ସଂଗ୍ରାମ (1857-1947) ଖଣ୍ଡ-4 । ଏଥିରେ ବେଙ୍ଗଲ, ବିହାର, ଝାଡ଼ଖଣ୍ଡ, ଓଡ଼ିଶା, ଆସାମ, ଅରୁଣାଚଳ ପ୍ରଦେଶ, ମଣିପୁର, ମେଘାଳୟ, ନାଗାଲାଣ୍ଡ, ତ୍ରିପୁରାର 3300ରୁ ଅଧିକ ଶହୀଦଙ୍କ ବିବରଣୀ ରହିଛି ।
5. ଶହୀଦ ଶବ୍ଦାବଳି : ଭାରତୀୟ ସ୍ୱାଧୀନତା ସଂଗ୍ରାମ (1857-1947) ଖଣ୍ଡ-5 । ଏଥିରେ ଆନ୍ଧ୍ର ପ୍ରଦେଶ, ତେଲଙ୍ଗାନା, କର୍ଣ୍ଣାଟକ, ତାମିଲନାଡୁ ଓ କେରଳର 1450ରୁ ଅଧିକ ଶହୀଦଙ୍କ ବିବରଣୀ ରହିଛି ।