ଦକ୍ଷିଣ ଆଫ୍ରିକା ଅଧ୍ୟକ୍ଷତାରେ ଜୋହାନ୍ସବର୍ଗଠାରେ ଆୟୋଜିତ ୧୫ତମ ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ମହାମହିମ ଶ୍ରୀ ସିରିଲ ରାମାଫୋସାଙ୍କ ନିମନ୍ତ୍ରଣକ୍ରମେ ମୁଁ ୨୨-୨୪ ଅଗଷ୍ଟ ୨୦୨୩ ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକା ଗସ୍ତ କରୁଛି ।
ବ୍ରିକ୍ସ ବିଭିନ୍ନ କ୍ଷେତ୍ରରେ ଏକ ଦୃଢ଼ ସହଯୋଗ ଏଜେଣ୍ଡାକୁ ଅନୁସରଣ କରୁଛି । ଆମେ ଗୁରୁତ୍ୱ ଦେଉଛୁ ଯେ ବ୍ରିକ୍ସ ସମଗ୍ର ଦକ୍ଷିଣ ବିଶ୍ୱ ପାଇଁ ବିକାଶର ଆବଶ୍ୟକତା ଏବଂ ବହୁପାକ୍ଷିକ ବ୍ୟବସ୍ଥାର ସଂସ୍କାର ସମେତ ଚିନ୍ତାଜନକ ପ୍ରସଙ୍ଗ ଉପରେ ଆଲୋଚନା ଏବଂ ବିଚାର ବିମର୍ଶ ପାଇଁ ଏକ ପ୍ଲାଟଫର୍ମ ପାଲଟିଛି । ଏହି ଶିଖର ସମ୍ମିଳନୀ ବ୍ରିକ୍ସ କୁ ସହଯୋଗର ଭବିଷ୍ୟତ କ୍ଷେତ୍ର ଚିହ୍ନଟ କରିବା ଏବଂ ସଂସ୍ଥାଗତ ବିକାଶର ସମୀକ୍ଷା କରିବା ପାଇଁ ଏକ ଉପଯୋଗୀ ସୁଯୋଗ ପ୍ରଦାନ କରିବ ।
ଜୋହାନ୍ସବର୍ଗରେ ଅବସ୍ଥାନ ସମୟରେ ମୁଁ ବ୍ରିକ୍ସ-ଆଫ୍ରିକା ଆଉଟରିଚ୍ ଏବଂ ବ୍ରିକ୍ସ ପ୍ଲସ୍ ଆଲୋଚନା କାର୍ଯ୍ୟକ୍ରମରେ ମଧ୍ୟ ଅଂଶଗ୍ରହଣ କରିବି ଯାହା ବ୍ରିକ୍ସ ଶିଖର ସମ୍ମିଳନୀ କାର୍ଯ୍ୟକଳାପର ଏକ ଅଂଶ ଭାବରେ ଆୟୋଜିତ ହେବ । ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ନିମନ୍ତ୍ରିତ ହୋଇଥିବା ଅନେକ ଅତିଥି ଦେଶ ସହ ଆଲୋଚନା କରିବାକୁ ମୁଁ ଉତ୍ସାହିତ ।
ମୁଁ ଜୋହାନ୍ସବର୍ଗରେ ଉପସ୍ଥିତ କିଛି ନେତାଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବାକୁ ମଧ୍ୟ ଆଗ୍ରହୀ ।
ଗ୍ରୀସର ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀ କିରିଆକୋସ୍ ମିଟସୋଟାକିସଙ୍କ ନିମନ୍ତ୍ରଣକ୍ରମେ ମୁଁ ୨୫ ଅଗଷ୍ଟ ୨୦୨୩ରେ ଦକ୍ଷିଣ ଆଫ୍ରିକାରୁ ଗ୍ରୀସର ଏଥେନ୍ସ ଗସ୍ତ କରିବି । ଏହି ପ୍ରାଚୀନ ଭୂମିକୁ ଏହା ମୋର ପ୍ରଥମ ଗସ୍ତ ହେବ । ୪୦ ବର୍ଷ ପରେ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ଗ୍ରୀସ ଗସ୍ତ କରିବାର ସୌଭାଗ୍ୟ ପାଇଛି।
ଆମର ଦୁଇ ସଭ୍ୟତା ମଧ୍ୟରେ ସମ୍ପର୍କ ଦୁଇ ହଜାର ବର୍ଷ ରୁ ଅଧିକ ପୁରୁଣା । ଆଧୁନିକ ଯୁଗରେ ଗଣତନ୍ତ୍ର, ଆଇନର ଶାସନ ଏବଂ ବହୁଳବାଦର ମିଳିତ ମୂଲ୍ୟବୋଧ ଦ୍ୱାରା ଆମର ସମ୍ପର୍କ ସୁଦୃଢ଼ ହୋଇଛି । ବାଣିଜ୍ୟ ଏବଂ ପୁଞ୍ଜିନିବେଶ, ପ୍ରତିରକ୍ଷା ଏବଂ ସାଂସ୍କୃତିକ ଏବଂ ଲୋକମାନଙ୍କ ମଧ୍ୟରେ ସମ୍ପର୍କ ଭଳି ବିଭିନ୍ନ କ୍ଷେତ୍ରରେ ସହଯୋଗ ଆମ ଦୁଇ ଦେଶକୁ ନିକଟତର କରୁଛି ।
ମୁଁ ମୋର ଗ୍ରୀସ୍ ଗସ୍ତକୁ ଅପେକ୍ଷା କରିଛି ଯାହା ଆମର ବହୁମୁଖୀ ସମ୍ପର୍କରେ ଏକ ନୂତନ ଅଧ୍ୟାୟ ଆରମ୍ଭ କରିବ |