ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 29 ଡିସେମ୍ବର 2018ରେ ଉତ୍ତର ପ୍ରଦେଶର ବାରଣାସୀ ଓ ଘାଜିପୁର ଗସ୍ତ କରିବେ । ଏହି ସମୟରେ ସେ ବାରଣାସୀଠାରେ ଷଷ୍ଠ ଆନ୍ତର୍ଜାତିକ ଧାନ ଗବେଷଣା ପ୍ରତିଷ୍ଠାନର ଦକ୍ଷିଣ-ଏସିଆ ଆଞ୍ଚଳିକ କେନ୍ଦ୍ରକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ବାରଣାସୀ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ଦୀନଦୟାଲ ହସ୍ତ କଳା ସଙ୍କୁଳଠାରେ ଏକ ଜିଲ୍ଲା ଏକ ସାମଗ୍ରୀ ଶୀର୍ଷକ ଏକ ଆଞ୍ଚଳିକ ଶିଖର ସମ୍ମିଳନୀରେ ଯୋଗଦେବେ । ପରେ ଘାଜିପୁରଠାରେ ପ୍ରଧାନମନ୍ତ୍ରୀ ମହାରାଜା ସୁହେଲଦେଓଙ୍କ ସ୍ମୃତିରେ ଏକ ଡାକଟିକଟ ଉନ୍ମୋଚନ କରିବା ସହ ସେଠାରେ ଜନ ସମାବେଶକୁ ସମ୍ବୋଧନ କରିବେ ।
ଗସ୍ତ ପ୍ରାରମ୍ଭରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବିହନ ଗବେଷଣା ଓ ତାଲିମ କେନ୍ଦ୍ର ପରିସରେ ନିର୍ମିତ ଆନ୍ତର୍ଜାତିକ ଧାନ ଗବେଷଣା ପ୍ରତିଷ୍ଠାନର ଦକ୍ଷିଣ-ଏସିଆ ଆଞ୍ଚଳିକ ସଂସ୍ଥାନ ରାଷ୍ଟ୍ରକୁ ସମର୍ପିତ କରିବେ । ଏହି କେନ୍ଦ୍ର ଦକ୍ଷିଣ-ଏସିଆ ଓ ସାର୍କ ଅଞ୍ଚଳରେ ଧାନ ଗବେଷଣା ଓ ପ୍ରଶିକ୍ଷଣର ଏକ ପ୍ରମୁଖ କେନ୍ଦ୍ର ରୂପେ ଉଭା ହେବ । ପ୍ରଥମକରି ପ୍ରତିଷ୍ଠା କରାଯାଇଥିବା ଏହି କେନ୍ଦ୍ର ପୂର୍ବ-ଭାରତରେ ମଧ୍ୟ ପୋଷଣୀୟ ଧାନ ଉତ୍ପାଦନ ଓ ଏହାର ଉପଯୋଗ ଉପରେ ପ୍ରମୁଖ ଭୂମିକା ଗ୍ରହଣ କରିବ ।
ମାନିଲାଠାରେ ପ୍ରତିଷ୍ଠା କରାଯାଇଥିବା ଆନ୍ତର୍ଜାତିକ ଧାନ ଗବେଷଣା ପ୍ରତିଷ୍ଠାନ ସହ ଭାରତର ସମ୍ବନ୍ଧ 1960 ମସିହାରୁ ଆରମ୍ଭ ହୋଇଛି । ତେବେ ଶ୍ରୀ ନରେନ୍ଦ୍ର ମୋଦୀ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ହିସାବରେ ଏହି ପ୍ରତିଷ୍ଠାନର ମୁଖ୍ୟାଳୟକୁ ନଭେମ୍ବର 2017ରେ ଗସ୍ତ କରିଥିଲେ । ଯେଉଁଠାରେ କି ସେ କୃଷି ସଂକ୍ରାନ୍ତ ନବସୃଜନ ଏବଂ ଧାନ ଉତ୍ପାଦନ କ୍ଷେତ୍ରରେ ଆଧୁନିକ ଗବେଷଣାର ପ୍ରଗତି ନେଇ ବିଶେଷଜ୍ଞମାନଙ୍କ ସହ ବିସ୍ତୃତ ଭାବେ ଆଲୋଚନା କରିଥିଲେ ।
ଶ୍ରୀ ମୋଦୀ ବାରଣାସୀଠାରେ ଦୀନଦୟାଲ ହସ୍ତକଳା ସଙ୍କୁଳ ପରିସରରେ ଏକ ଜିଲ୍ଲା ଏକ ସାମଗ୍ରୀ ସଂକ୍ରାନ୍ତ ଆଞ୍ଚଳିକ ଶିଖର ସମ୍ମିଳନରେ ଅଂଶଗ୍ରହଣ କରିବେ । “ଏକ ଜିଲ୍ଲା ଏକ ସାମଗ୍ରୀ” ସ୍କିମର ଲକ୍ଷ୍ୟ ହେଲା ସ୍ଥାନୀୟ ଲୋକଙ୍କ ଦକ୍ଷତା ବୃଦ୍ଧି ଏବଂ ନିଜ ଅଞ୍ଚଳର ପାରମ୍ପରିକ ହସ୍ତକଳା ସାମଗ୍ରୀ ଓ ବ୍ୟବସାୟକୁ ବୃଦ୍ଧି କରିବା । ଯାହାଫଳରେ ଛୋଟ ଛୋଟ ସହର ଓ ଜିଲ୍ଲାରୁ ପ୍ରସ୍ତୁତ ସାମଗ୍ରୀ ରାଜ୍ୟର ବିଭିନ୍ନ ସ୍ଥାନରେ ପହଞ୍ଚି ପାରିବ । ଏହିସବୁ ସାମଗ୍ରୀ ମଧ୍ୟରେ ରହିଛି ହସ୍ତଶିଳ୍ପ ସାମଗ୍ରୀ, ଖାଦ୍ୟ ପ୍ରକ୍ରିୟାକରଣ ସାମଗ୍ରୀ, ଇଞ୍ଜିନିୟରିଂ ସାମଗ୍ରୀ, ଗାଲିଚା, ରେଡିମେଡ ପୋଷାକ, ଚମଡା ସାମଗ୍ରୀ ଆଦି ଅନ୍ତର୍ଭୁକ୍ତ । ଏହିସବୁ ସାମଗ୍ରୀ ପାଇଁ ଦେଶ ବିଦେଶରେ ବଜାର ସୃଷ୍ଟି କରାଗଲେ ବିପୁଳ ବୈଦେଶିକ ମୁଦ୍ରା ଉପାର୍ଜନ ସହ ନିଯୁକ୍ତ ସୁଯୋଗ ମଧ୍ୟ ସୃଷ୍ଟି ହେବ ।