ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ଋତୁ ବଦଳୁଛି । ଏଥର ଗରମ ବି ଖୁବ୍ ପଡ଼ିଲା । କିନ୍ତୁ ଭଲ କଥା ଯେ, ବର୍ଷାଋତୁ ଠିକ୍ ସମୟରେ ନିଜ ପାଦ ଚିହ୍ନ ପକାଇ ଆଗେଇ ଚାଲିଛି । ଦେଶର ଅନେକ ଅଂଚଳରେ ଭଲ ବର୍ଷା ହୋଇଥିବା ଯୋଗୁଁ ପାଗ ବେଶ୍ ଭଲ ରହିଛି । ଗତି କିଛି ଦିନ ଧରି ବର୍ଷା ପରେ ବହୁଥିବା ଥଣ୍ଡା ପବନ ଯୋଗୁ ଆରାମ ଲାଗୁଛି । ଆମେ ସମସ୍ତେ ଜାଣିଛୁ ଯେ, ଜୀବନରେ ଯେତେ କର୍ମ ଚଞ୍ଚଳତା ଥାଉ, ଯେତେ ମାନସିକ ଚାପ ଥାଉ, ତାହା ବ୍ୟକ୍ତିଗତ କିମ୍ବା ସାର୍ବଜନୀନ ଜୀବନରେ ହେଉ, ବର୍ଷାର ଆଗମନ ମନର ସ୍ଥିତିକୁ ବଦଳାଇ ଦିଏ ।
ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଦେଶର ଅନେକ ଅଂଚଳରେ ଖୁବ୍ ଭକ୍ତି ଏବଂ ଉତ୍ସାହର ସହିତ ଦେଶବାସୀ ପାଳନ କରନ୍ତି । ଏବେ ତ ବିଶ୍ୱର ଅନେକ ଅଂଚଳରେ ମଧ୍ୟ ଭଗବାନ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଉତ୍ସବ ପାଳନ କରାଯାଉଛି । ଭଗବାନ ଶ୍ରୀଜଗନ୍ନାଥଙ୍କ ସହିତ ଦେଶର ଗରିବ ଯୋଡ଼ି ହୋଇ ରହିଛନ୍ତି । ଯେଉଁମାନେ ଡା. ବାବା ସାହେବ ଆମ୍ବେଦକରଙ୍କ ଜୀବନ ସଂପର୍କରେ ଅଧ୍ୟୟନ କରିଥିବେ, ସେମାନେ ଲକ୍ଷ୍ୟ କରିଥିବେ ଯେ ସେ ଭଗବାନ ଜଗନ୍ନାଥଙ୍କ ମନ୍ଦିର ଏବଂ ଏହାର ପରମ୍ପରାଗୁଡ଼ିକୁ ଖୁବ୍ ପ୍ରଶଂସା କରୁଥିଲେ, କାରଣ ସେଠାରେ ସାମାଜିକ ନ୍ୟାୟ, ସାମାଜିକ ସମାନତା ଅନ୍ତର୍ନିହିତ । ଭଗବାନ ଶ୍ରୀଜଗନ୍ନାଥ ଗରିବମାନଙ୍କ ଠାକୁର । ଖୁବ୍ କମ ଲୋକ ଜାଣିଥିବେ ଯେ, ଇଂରାଜୀରେ ଗୋଟିଏ ଶବ୍ଦ ରହିଛି, Juggernaut ଯାହାର ଅର୍ଥ ହେଉଛି ଏଭଳି ବିଶାଳ ରଥ ଯାହାକୁ କେହି ଅଟକାଇ ପାରିବେ ନାହିଁ । ଶବ୍ଦକୋଷ ଦେଖିଲେ ଏହି Juggernaut ଶବ୍ଦର ଉତ୍ପତ୍ତି ଜଗନ୍ନାଥଙ୍କ ରଥରୁ ହିଁ ହୋଇଛି । ଏଥିରୁ ଆମେ ବୁଝିପାରିବା ଯେ ସାରା ବିଶ୍ୱ ନିଜ ନିଜ ଢଙ୍ଗରେ ଜଗନ୍ନାଥଙ୍କ ଏହି ଯାତ୍ରାର ମାହାତ୍ମ୍ୟକୁ ସ୍ୱୀକାର କରିଛି । ଭଗବାନ ଜଗନ୍ନାଥଙ୍କ ଏହି ଯାତ୍ରା ଅବସରରେ ମୁଁ ସମସ୍ତ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଉଛି ଏବଂ ଭଗବାନ ଜଗନ୍ନାଥଙ୍କ ଶ୍ରୀଚରଣରେ ପ୍ରଣାମ ମଧ୍ୟ କରୁଛି ।
ଭାରତର ବିବିଧତା ଏହାର ବିଶେଷତ୍ୱ । ଭାରତର ବିବିଧତା, ଏହା ମଧ୍ୟ ଭାରତର ଶକ୍ତି । ରମଜାନର ପବିତ୍ର ମାସ ସମସ୍ତେ ପ୍ରାର୍ଥନା ଏବଂ ପବିତ୍ର ଭାବନା ସହ ପାଳନ କରିଛନ୍ତି । ଆଉ ଏବେ ଇଦ ପର୍ବ । ଇଦ-ଉଲ୍-ଫିତର ଅବସରରେ ମୋ ତରଫରୁ ସମସ୍ତଙ୍କୁ ଇଦ୍ ର ଅନେକ ଅନେକ ଶୁଭେଚ୍ଛା । ରମଜାନ ମାସ ଦାନ ଇତ୍ୟାଦି କରିବାର ମାସ, ଖୁସି ବାଣ୍ଟିବାର ମାସ, ଆଉ ଖୁସି ଯେତେ ବାଣ୍ଟିଲେ ସେତେ ବଢ଼େ । ଆସନ୍ତୁ, ଆମେ ସମସ୍ତେ ମିଶି ଏହି ପବିତ୍ର ଉତ୍ସବରୁ ପ୍ରେରଣା ଲାଭକରି ଖୁସିର ଭଣ୍ଡାରକୁ ବାଣ୍ଟି ଚାଲିବା, ଦେଶକୁ ଆଗକୁ ବଢ଼ାଇ ଚାଲିବା ।
ରମଜାନର ଏହି ପବିତ୍ର ମାସରେ ଉତ୍ତରପ୍ରଦେଶର ବିଜନୌରର ମୁବାରକପୁର ଗାଁର ଗୋଟିଏ ଖୁବ୍ ପ୍ରେରଣାଦାୟକ ଘଟଣା ମୋ ଦୃଷ୍ଟିକୁ ଆସିଛି । ସେହି ଛୋଟ ଗାଁରେ ଆମ ମୁସଲମାନ ଭାଇ-ଭଉଣୀଙ୍କର ପ୍ରାୟ ସାଢ଼େ ତିନିହଜାର ପରିବାର ବସବାସ କରନ୍ତି । କହିବାକୁ ଗଲେ ଅଧିକ ଜନସଂଖ୍ୟା ଆମର ମୁସଲମାନ ଭାଇ ଭଉଣୀଙ୍କର । ଏହି ରମଜାନରେ ଗ୍ରାମବାସୀ ମିଶି ଶୌଚାଳୟ ତିଆରି କରିବାର ନିଷ୍ପତ୍ତି ନେଲେ । ବ୍ୟକ୍ତିଗତ ଶୌଚାଳୟର ନିର୍ମାଣ ପାଇଁ ତ ସରକାରଙ୍କ ତରଫରୁ ମଧ୍ୟ ସହାୟତା ପ୍ରଦାନ କରାଯାଉଛି, ତେଣୁ ସେମାନଙ୍କୁ ପ୍ରାୟ 17 ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଗଲା । ଆପଣଙ୍କୁ ଏହା ଜାଣି ଆଶ୍ଚର୍ଯ୍ୟ ହେବ ଏବଂ ଖୁସି ମଧ୍ୟ ଲାଗିବ – ରମଜାନ୍ ର ଏହି ପବିତ୍ର ମାସରେ ସେଠାକାର ଆମର ସମସ୍ତ ମୁସଲମାନ ଭାଇ-ଭଉଣୀ ସେହି 17 ଲକ୍ଷ ଟଙ୍କା ସରକାରଙ୍କୁ ଫେରାଇ ଦେଲେ ଏବଂ କହିଲେ ଯେ ଆମେ ଆମ ଶୌଚାଳୟ ଆମ ପରିଶ୍ରମରେ, ଆମ ଟଙ୍କାରେ ତିଆରି କରିବୁ । ଏହି 17 ଲକ୍ଷ ଟଙ୍କା ଆପଣ ଗାଁର ଅନ୍ୟାନ୍ୟ ସୁବିଧା ପାଇଁ ଖର୍ଚ୍ଚ କରନ୍ତୁ । ରମଜାନର ଏହି ପବିତ୍ର ଅବସରକୁ ସମାଜ ମଙ୍ଗଳର ସୁଜୋଗ ଭାବେ ପରିଣତ କରିଦେଇଥିବାରୁ ମୁଁ ମୁବାରକପୁରର ସମସ୍ତ ଗ୍ରାମବାସୀଙ୍କୁ ଅଭିନନ୍ଦନ ଜଣାଉଛି । ସେମାନଙ୍କ ପ୍ରତ୍ୟେକ କଥା ଖୁବ୍ ପ୍ରେରଣାଦାୟକ । ସବୁଠାରୁ ବଡ଼ କଥା ହେଲା ଯେ ସେମାନେ ମୁବାରକପୁରକୁ ଖୋଲା ଶୌଚମୁକ୍ତ କରିଦେଲେ । ଆମେ ଜାଣିଛୁ ଯେ, ଆମ ଦେଶର ତିନୋଟି ରାଜ୍ୟ ସିକ୍କିମ୍, ହିମାଚଳ ପ୍ରଦେଶ ଏବଂ କେରଳ ଆଗରୁ ଖୋଲା ଶୌଚମୁକ୍ତ ଘୋଷିତ ହୋଇସାରିଛନ୍ତି । ଚଳିତ ସପ୍ତାହରେ ଉତ୍ତରାଖଣ୍ଡ ଏବଂ ହରିୟାଣା ମଧ୍ୟ ODF ଘୋଷିତ ହେଲେ । ଏହି କାର୍ଯ୍ୟ ପରିପୂର୍ଣ୍ଣ କରିଥିବାରୁ ମୁଁ ଏହି ପାଂଚଟି ରାଜ୍ୟର ପ୍ରଶାସନ, ଶାସନ ଏବଂ ଜନତା-ଜନାର୍ଦ୍ଦନଙ୍କ ପ୍ରତି ବିଶେଷ ଭାବରେ କୃତଜ୍ଞତା ପ୍ରକାଶ କରୁଛି ।
ଆମେ ଭଲ ଭାବେ ଜାଣୁ ଯେ, ବ୍ୟକ୍ତିର ଜୀବନରେ, ସମାଜର ଜୀବନରେ କିଛି ଭଲ କରିବାକୁ ହେଲେ କଠିନ ପରିଶ୍ରମ କରିବାକୁ ପଡ଼େ । ଯଦି ଆମ ହାତଲେଖା ଖରାପ, ତା'ହେଲେ ତାକୁ ସୁଧାରିବା ପାଇଁ ଦୀର୍ଘ ଦିନ ଧରି ଖୁବ୍ ସତର୍କତାର ସହିତ ଚେଷ୍ଟା କରିବାକୁ ପଡ଼େ । ପରିଶ୍ରମ ଦ୍ୱାରା ହିଁ ଶରୀର ଏବଂ ମନର ଅଭ୍ୟାସରେ ପରିବର୍ତ୍ତନ ହୁଏ । ସ୍ୱଚ୍ଛତାର ବିଷୟ ମଧ୍ୟ ଏହିଭଳି । ଏଭଳି ବଦଭ୍ୟାସ ଆମର ସ୍ୱଭାବର ଅଂଶ ପାଲଟିଯାଇଛି । ଆମର ଅଭ୍ୟାସରେ ପରିଣତ ହୋଇଯାଇଛି । ଏଥିରୁ ମୁକ୍ତ ହେବାପାଇଁ ଆମକୁ ଅନବରତ ଭାବେ ଚେଷ୍ଟା କରିବାକୁ ପଡ଼ିବ । ପ୍ରତ୍ୟେକଙ୍କ ଧ୍ୟାନ ଆକର୍ଷିତ କରିବାକୁ ପଡ଼ିବ । ଭଲ ପ୍ରେରଣାଦାୟୀ ଘଟଣାଗୁଡ଼ିକୁ ବାରମ୍ବାର ମନେ ପକାଇବାକୁ ପଡ଼ିବ । ମୋତେ ଖୁସି ଲାଗୁଛି ଯେ ସ୍ୱଚ୍ଛତା ଆଜି କେବଳ ସରକାରୀ କାର୍ଯ୍ୟକ୍ରମ ହୋଇ ରହିନାହିଁ । ଏହା ସମାଜର, ଜନସାଧାରଣଙ୍କର ଗୋଟିଏ ଆନ୍ଦୋଳନ ହୋଇଚାଲିଛି । ପ୍ରଶାସନରେ ବସିଥିବା ଲୋକେ ଯେତେବେଳେ ଜନ ସହଯୋଗ ଦ୍ୱାରା ଏହି କାର୍ଯ୍ୟକୁ ଆଗେଇ ନେଉଛନ୍ତି, ସେତେବେଳେ ଏହାର ଶକ୍ତି କେତେ କ'ଣ ବୃଦ୍ଧି ପାଉଛି ।
ବିଗତ ଦିନରେ ଗୋଟିଏ ଖୁବ୍ ଉତ୍ତମ ଘଟଣା ମୋ ଦୃଷ୍ଟିକୁ ଆସିଲା, ଯାହା ମୁଁ ଆପଣମାନଙ୍କ ଆଗରେ ନିଶ୍ଚୟ କହିବାକୁ ଚାହିଁବି । ଏହା ଆନ୍ଧ୍ର ପ୍ରଦେଶର ବିଜୟନଗରମ୍ ଜିଲ୍ଲାର ଘଟଣା । ସେଠାକାର ପ୍ରଶାସନ ଜନ ସହଯୋଗରେ ଗୋଟିଏ ଖୁବ୍ ବଡ଼ କାମ ହାତକୁ ନେଲେ । ମାର୍ଚ୍ଚ 10 ତାରିଖ ସକାଳ 6ଟାରୁ ମାର୍ଚ୍ଚ 14 ତାରିଖ ସକାଳ 10ଟା ପର୍ଯ୍ୟନ୍ତ 100 ଘଣ୍ଟାର ନିରବଚ୍ଛିନ୍ନ ଅଭିଯାନ । ହେଲେ ଲକ୍ଷ୍ୟ କ'ଣ ଥିଲା ? ଶହେ ଘଣ୍ଟାରେ 71ଟି ଗ୍ରାମ ପଞ୍ଚାୟତରେ ଦଶ ହଜାର ବ୍ୟକ୍ତିଗତ ଶୌଚାଳୟର ନିର୍ମାଣ । ମୋର ପ୍ରିୟ ଦେଶବାସୀଗଣ ! ଆପଣମାନେ ଜାଣି ଖୁସି ହୋଇଯିବେ ଯେ, ଜନତା-ଜନାର୍ଦ୍ଦନ ଏବଂ ପ୍ରଶାସନ ମିଶି ଶହେ ଘଣ୍ଟାରେ 10,000ଶୌଚାଳୟ ନିର୍ମାଣ କାମ ସଫଳତାର ସହ ଶେଷ କରିଦେଲେ । 71 ଟି ଗାଁ ODF (Open Defecation Free) ହୋଇଗଲା । ମୁଁ ଶାସନରେ ଥିବା ଲୋକଙ୍କୁ, ସରକାରୀ ଅଧିକାରୀମାନଙ୍କୁ ଏବଂ ବିଜୟନଗରମ୍ ଜିଲ୍ଲାର ସେହି ଗ୍ରାମଗୁଡ଼ିକର ନାଗରିକମାନଙ୍କୁ ନିଜ ପରିଶ୍ରମର ପରାକାଷ୍ଠା ପ୍ରଦର୍ଶନ କରି ଗୋଟିଏ ପ୍ରେରଣାଦାୟୀ ଉଦାହରଣ ସୃଷ୍ଟି କରିଥିବାରୁ ଅନେକ ଅନେକ ଅଭିନନ୍ଦନ ଜଣାଉଛି ।
ଆଜିକାଲି "ମନ୍ କି ବାତ୍'' ପାଇଁ ଜନତା ଜନାର୍ଦ୍ଦନଙ୍କ ତରଫରୁ ନିରନ୍ତର ଭାବେ ମୋ ପାଖକୁ ପ୍ରସ୍ତାବମାନ ଆସୁଛି । NarendraModiApp ରେ ଆସୁଛି । MyGov.in ରେ ଆସୁଛି । ଚିଠିରେ ଆସୁଛି । ଆକାଶବାଣୀ ମାଧ୍ୟମରେ ଆସୁଛି ।
ଶ୍ରୀଯୁକ୍ତ ପ୍ରକାଶ ତ୍ରିପାଠୀ Emergency ବା ଜରୁରୀକାଳିନ ପରିସ୍ଥିତିକୁ ମନେ ପକାଇ ଲେଖିଛନ୍ତି ଯେ, ଜୁନ୍ 25 ତାରିଖ ଗଣତନ୍ତ୍ରର ଇତିହାସରେ ଗୋଟିଏ କଳା ଦିନ । ଶ୍ରୀମାନ ପ୍ରକାଶ ତ୍ରିପାଠୀଙ୍କ ଗଣତନ୍ତ୍ର ପ୍ରତି ଏହି ସଚେତନତା ପ୍ରଶଂସନୀୟ । ଗଣତନ୍ତ୍ର କେବଳ ଗୋଟିଏ ବ୍ୟବସ୍ଥା ନୁହେଁ, ଏହା ଗୋଟିଏ ସଂସ୍କାର । "Internal Vigilance is Price of Liberty" । ଗଣତନ୍ତ୍ର ପ୍ରତି ନିତ୍ୟ ସଚେତନତା ଜରୁରୀ । ତେଣୁ ଗଣତନ୍ତ୍ରକୁ ଆଘାତ କରୁଥିବା କଥାଗୁଡ଼ିକୁ ମଧ୍ୟ ମନେ ପକାଇ ଗଣତନ୍ତ୍ରର ଭଲ ଦିଗ ପ୍ରତି ଅଗ୍ରସର ହେବାକୁ ହୋଇଥାଏ । 1975 ମସିହା ଜୁନ୍ 25 ତାରିଖ ଏଭଳି ଏକ କାଳରାତ୍ରୀ ଥିଲା, ଯାହାକୁ କୌଣସି ଗଣତନ୍ତ୍ରପ୍ରେମୀ ଭୁଲି ପାରିବେନି । କୌଣସି ଭାରତବାସୀ ଭୁଲି ପାରିବେନି । ଦେଶକୁ ଏକ ପ୍ରକାର ପାଇଖାନାରେ ପରିବର୍ତ୍ତିତ କରିଦିଆଯାଇଥିଲା । ବିରୋଧୀ ସ୍ୱରକୁ ଦମନ କରି ଦିଆଯାଇଥିଲା । ଜୟପ୍ରକାଶ ନାରାୟଣଙ୍କ ସମେତ ଦେଶର ଗଣ୍ୟମାନ୍ୟ ନେତାମାନଙ୍କୁ ଜେଲ୍ ରେ ବନ୍ଦୀ କରି ଦିଆଯାଇଥିଲା । ନ୍ୟାୟ ବ୍ୟବସ୍ଥା ମଧ୍ୟ ସେହି ଜରୁରୀକାଳୀନ ପରିସ୍ଥିତିର ଭୟଙ୍କର ରୂପର ଛାୟାରୁ ରକ୍ଷା ପାଇପାରି ନଥିଲା । ସମ୍ବାଦପତ୍ର ଗୁଡ଼ିକ ତ ସମ୍ପୂର୍ଣ୍ଣ ରୂପେ ବେକାର କରି ଦିଆଯାଇଥିଲା । ଆଜିର ଗଣମାଧ୍ୟମର ଛାତ୍ରଛାତ୍ରୀ, ଗଣତନ୍ତ୍ରରେ କାର୍ଯ୍ୟ କରୁଥିବା ଲୋକ, ସେହି କଳା ସମୟକୁ ବାରମ୍ବାର ମନେ ପକାଇ ଗଣତନ୍ତ୍ର ପ୍ରତି ସଚେତନତା ବୃଦ୍ଧି କରିବାକୁ ଅନବରତ ଭାବରେ ଚେଷ୍ଟା ଚଳାଇ ଆସିଛନ୍ତି ଏବଂ ଆଗକୁ କରିଚାଲିବା ଉଚିତ ।
ସେତେବେଳେ ଅଟଳ ବିହାରୀ ବାଜପେୟୀ ଜୀ ମଧ୍ୟ ଜେଲ୍ ରେ ଥିଲେ । ଜରୁରୀକାଳୀନ ପରିସ୍ଥିତି ଜାରି ହେବାର ଏକ ବର୍ଷ ପୁର୍ତ୍ତି ବେଳେ ଅଟଳଜୀ ଗୋଟିଏ କବିତା ଲେଖିଥିଲେ ଏବଂ ନିଜର ସେହି କବିତାରେ ସେ ସମୟର ମନର ସ୍ଥିତିକୁ ବର୍ଣ୍ଣନା କରିଛନ୍ତି ।
“ଦେହ ଜାଳିଦିଏ ଜ୍ୟେଷ୍ଠ ମାସ
ଶରତର ଜହ୍ନ ଦିଶେ ହତାଶ
ଦେହ ଜାଳିଦିଏ ଜ୍ୟେଷ୍ଠ ମାସ
ଶରତର ଜହ୍ନ ଦିଶେ ହତାଶ
କୋହଭରା ଶ୍ରାବଣର
ଅନ୍ତର୍ମନ ଭିଜିଗଲା
ଗୋଟିଏ ବରଷ ବିତିଗଲା
ଗୋଟିଏ ବରଷ ବିତିଗଲା ।
ସଂସାର ତେଣେ ବନ୍ଦୀ କାରାଗାରେ
ବିହଙ୍ଗ ପ୍ରାଣ ବିକଳେ ଝୁରେ
ସଂସାର ତେଣେ ବନ୍ଦୀ କାରାଗାରେ
ବିହଙ୍ଗ ପ୍ରାଣ ବିକଳେ ଝୁରେ
ଧରା ପୃଷ୍ଠରୁ ଗଗନକୁ
ମୁକ୍ତିଗୀତ ଗୁଞ୍ଜରିତ ହେଲା
ଗୋଟିଏ ବରଷ ବିତିଗଲା
ଗୋଟିଏ ବରଷ ବିତିଗଲା ।
ବାଟ ଚାହିଁ ରହିଥିବା ନୟନ
ଗଣୁଥା'ନ୍ତି ବାକି ଦିନ-କ୍ଷଣ
ବାଟ ଚାହିଁ ରହିଥିବା ନୟନ
ଗଣୁଥା'ନ୍ତି ବାକି ଦିନ-କ୍ଷଣ
ଚାହିଁ ରହିଥାନ୍ତି ଫେରିବା ବାଟକୁ
ମନର ମଣିଷ ଯିଏ ଗଲା
ଗୋଟିଏ ବରଷ ବିତିଗଲା
ଗୋଟିଏ ବରଷ ବିତିଗଲା ।”
ଗଣିତନ୍ତ୍ରପ୍ରେମୀମାନେ ବହୁତ ସଂଗ୍ରାମ କଲେ । ଭାରତ ଭଳି ଦେଶ, ଏତେ ବିଶାଳ ଦେଶ, ଯେତେବେଳେ ବି ସୁଯୋଗ ମିଳିଲା, ସେତେବେଳେ ଭାରତର ଜନ ଜନଙ୍କ ଶିରା ପ୍ରଶିରାରେ ଗଣତନ୍ତ୍ର କିଭଳି ପରିବ୍ୟାପ୍ତ, ନିର୍ବାଚନ ମାଧ୍ୟମରେ ସେମାନେ ସେହି ଶକ୍ତିକୁ ପ୍ରଦର୍ଶନ କରିଛନ୍ତି । ଜନ ଜନଙ୍କ ଶିରା ପ୍ରଶିରାରେ ପରିବ୍ୟାପ୍ତ ଗଣତନ୍ତ୍ରର ଏହି ଭାବନା ଆମର ପରମ୍ପରା । ଏହି ପରମ୍ପରାକୁ ଆହୁରି ସଶକ୍ତ କରିବାକୁ ହେବ ଆମକୁ ।
ମୋର ପ୍ରିୟ ଦେଶବାସୀଗଣ ! ପ୍ରତ୍ୟେକ ଭାରତୀୟ ଆଜି ବିଶ୍ୱରେ ମୁଣ୍ଡ ଟେକି ଗର୍ବ ଅନୁଭବ କରୁଛି । 21 ଜୁନ୍ 2017 ସଂପୂର୍ଣ୍ଣ ବିଶ୍ୱ ଯୋଗମୟ ହୋଇଗଲା । ପାଣିରୁ ପର୍ବତଯାଏ ଲୋକେ ସକାଳେ ସକାଳେ ସୂର୍ଯ୍ୟ କିରଣର ସ୍ୱାଗତ ଯୋଗ ମାଧ୍ୟମରେ କରିଥିଲେ । କେଉଁ ଭାରତୀୟ ବା ଏଥିରେ ଗର୍ବିତ ନ ହେବ । ଏକଥା ନୁହେଁ ଯେ, ଆଗରୁ ଯୋଗ ହେଉ ନଥିଲା, କିନ୍ତୁ ଆଜି ଯେତେବେଳେ ଯୋଗସୂତ୍ରରେ ବନ୍ଧା ହୋଇଯାଇଛୁ, ଯୋଗ ବିଶ୍ୱକୁ ଯୋଡ଼ିବାର କାରଣ ପାଲଟିଯାଇଛି । ପ୍ରାୟତଃ ବିଶ୍ୱର ସମସ୍ତ ଦେଶ ଯୋଗର ଏହି ଅବସରକୁ ନିଜର ଅବସରରେ ପରିଣତ କରିଦେଲେ । ଚୀନର The Great Wall ଉପରେ ଲୋକେ ଯୋଗାଭ୍ୟାସ କଲେ ତ ପେରୁରେ ବିଶ୍ଵ ଐତିହ୍ୟ ସ୍ଥଳୀ “ମାଚୁ ପିଚ୍ଚୁ”ରେ ସମୁଦ୍ର ପତନର 2400 ମିଟର ଉର୍ଦ୍ଧ୍ଵରେ ଲୋକେ ଯୋଗାଭ୍ୟାସ କଲେ । ଫ୍ରାନ୍ସର ଆଇଫେଲ୍ ଟାୱାର ପାଦଦେଶରେ ଲୋକେ ଯୋଗାଭ୍ୟାସ କଲେ । ସଂଯୁକ୍ତ ଆରବ ଅମିରତନ୍ତ୍ରର ଆବୁଧାବୀଠାରେ 4000 ରୁ ଅଧିକ ଲୋକ ମିଳିତ ଭାବରେ ଯୋଗାଭ୍ୟାସ କଲେ । ଆଫଗାନିସ୍ଥାନର ହେରାତ୍ ଠାରେ ଭାରତ-ଆଫଗାନ ମୈତ୍ରୀ ଡେମ – ସଲମା ବନ୍ଧ ଉପରେ ଯୋଗାଭ୍ୟାସ କରି ଭାରତର ବନ୍ଧୁତ୍ୱକୁ ଗୋଟିଏ ନୂଆ ରୂପ ପ୍ରଦାନ କଲେ । ସିଙ୍ଗାପୁର ଭଳି ଛୋଟ ସ୍ଥାନରେ 70ଟି ଜାଗାରେ କାର୍ଯ୍ୟକ୍ରମ ଆୟୋଜିତ ହେଲା ଏବଂ ସେମାନେ ଗୋଟିଏ ସପ୍ତାହବ୍ୟାପୀ ଅଭିଯାନ ଚଳାଇଛନ୍ତି । ମିଳିତ ଜାତିସଂଘ ଆନ୍ତର୍ଜାତିକ ଯୋଗ ଦିବସ ଉପଲକ୍ଷେ 10ଟି ଡାକଟିକଟ ଜାରି କରିଛନ୍ତି । ମିଳିତ ଜାତିସଂଘର ମୁଖ୍ୟାଳୟରେ Yoga Session with Yoga Masters ର ଆୟୋଜନ କରାଗଲା । ମିଳିତ ଜାତିସଂଘର କର୍ମଚାରୀମାନେ, ବିଶ୍ୱର କୂଟନୀତିଜ୍ଞ ପ୍ରତ୍ୟେକେ ଏଥିରେ ସାମିଲ ହେଲେ ।
ଏଥର ପୁଣିଥରେ ଯୋଗ ବିଶ୍ୱରେକର୍ଡ଼ ସୃଷ୍ଟି କରିବାରେ ସହାୟକ ହୋଇଛି । ଗୁଜରାଟର ଅହମ୍ମଦାବାଦରେ ପ୍ରାୟ 55,000 ଲୋକ ଏକ ସଙ୍ଗେ ଯୋଗ କରି ବିଶ୍ୱରେକର୍ଡ଼ ସୃଷ୍ଟି କରିଛନ୍ତି । ମୋତେ ମଧ୍ୟ ଲକ୍ଷ୍ନୌରେ ଯୋଗ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାର ସୁଯୋଗ ମିଳିଲା । କିନ୍ତୁ ପ୍ରଥମଥର ମୋତେ ବର୍ଷାରେ ଯୋଗ କରିବାର ସୌଭାଗ୍ୟ ମିଳିଲା । ଆମର ସୈନିକମାନେ, ଯେଉଁଠି ତାପମାତ୍ରା ବିଯୁକ୍ତ (minus) 20, 25, 40, ଡିଗ୍ରୀ ସେଲସିଅସ ହୋଇଥାଏ, ସେହି ସିଆଚିନରେ ମଧ୍ୟ ଯୋଗାଭ୍ୟାସ କଲେ । ଆମର ସେନା ବାହିନୀ ହୁଅନ୍ତୁ, BSF ହୁଅନ୍ତୁ, ITBP ହୁଅନ୍ତୁ, CRPF ହୁଅନ୍ତୁ, CISF ହୁଅନ୍ତୁ, ପ୍ରତ୍ୟେକେ ନିଜର ଡ୍ୟୁଟି ସହ ଯୋଗକୁ ନିଜର ଏକ ଅଂଶ କରି ଦେଇଛନ୍ତି । ଏହି ଯୋଗ ଦିବସ ଉପଲକ୍ଷେ ମୁଁ କହିଥିଲି ଯେ, ତିନି ପିଢ଼ି କାରଣ ଏହା ତୃତୀୟ ଆନ୍ତର୍ଜାତିକ ଯୋଗ ଦିବସ ଥିଲା । ସେଥିପାଇଁ ମୁଁ କହିଥିଲି ଯେ ପରିବାରର ତିନି ପିଢ଼ି ଏକାଠି ଯୋଗ କରୁଥିବା ଫଟୋ Share କରନ୍ତୁ । କିଛି ଟି.ଭି. ଚ୍ୟାନେଲ ମଧ୍ୟ ଏ କଥାକୁ ଆଗକୁ ବଢ଼ାଇଥିଲେ । ଏଥିରେ ମୋତେ ଅନେକ ଫଟୋ ମିଳିଲା । ସେଥିରୁ କିଛି ବଛା ବଛା ଫଟୋ NarendraModiApp ରେ ସଂକଳିତ କରି ରଖାଯାଇଛି । ସମଗ୍ର ବିଶ୍ୱରେ ଯୋଗ ବିଷୟରେ ଯେମିତି ଆଲୋଚନା, ସେଥିରୁ କିଛି ଭଲ କଥା ଆଗକୁ ଆସୁଛି ଯେ, ଯୋଗ ଦ୍ୱାରା ଆଜିର ସ୍ୱାସ୍ଥ୍ୟ ସଚେତନଶୀଳ ସମାଜ, ଏବେ Fitness ରୁ Wellness ଦିଗକୁ ପାଦ ବଢ଼ାଉଛି, Fitness ର ଗୁରୁତ୍ୱ ତ ନିଶ୍ଚୟ ରହିଛି, କିନ୍ତୁ Wellness ପାଇଁ ଯୋଗ ଉତ୍ତମ ମାର୍ଗ ।
(ଡଃ ଅନିଲ ସୋନାରାଙ୍କ ସ୍ଵର)
"Respected Prime Minister Sir, ଅହମ୍ମଦାବାଦ, ଗୁଜରାଟରୁ ମୁଁ ଡଃ ଅନୀଲ ସୋନାରା କହୁଛି । ସାର୍ ମୋର ଗୋଟିଏ ପ୍ରଶ୍ନ ଅଛି । ନିକଟରେ କେରଳରେ ଆପଣ କହିଥିଲେ ଯେ ବିଭିନ୍ନ ସ୍ଥାନରେ ଉପହାର ସ୍ୱରୂପ ଆମେ ଯେଉଁ ଫୁଲତୋଡ଼ା ଦେଉଛୁ, ତା ବଦଳରେ ଆମେ ଭଲ ବହିଟିଏ ଦେଲେ ଠିକ୍ ହୁଅନ୍ତା । ଆପଣ ଗୁଜୁରାଟରେ ମଧ୍ୟ ଏହି କାର୍ଯ୍ୟ ଆରମ୍ଭ କରିଥିଲେ । କିନ୍ତୁ ସାର୍, ଆଜିକାଲି ଆଉ ସେମିତି ଦେଖିବାକୁ ମିଳୁନି । ଆମେ କ'ଣ ଏ ଦିଗରେ କିଛି କରିପାରିବାନି - ଯାହାଫଳରେ ସାରାଦେଶରେ ଏହାର ପ୍ରଚଳନ ହୋଇପାରନ୍ତା ?''
କିଛିଦିନ ତଳେ ମୋତେ ମୋର ଏକ ଅତି ପ୍ରିୟ କାର୍ଯ୍ୟକ୍ରମରେ ଯୋଗଦେବାର ସୁଯୋଗ ମିଳିଲା । କେରଳରେ ଗତ କିଛିବର୍ଷ ହେଲା ଗୋଟିଏ ଭଲ କାର୍ଯ୍ୟକ୍ରମ ଚାଲିଛି । ସେଠାରେ ଏହି କାର୍ଯ୍ୟକ୍ରମ P.N. Panicker Foundation ପ୍ରତିଷ୍ଠାନ ଦ୍ୱାରା ଚାଲିଛି । ଲୋକମାନଙ୍କ ମଧ୍ୟରେ ବହି ପଢ଼ିବାର ଅଭ୍ୟାସ ବଢ଼ାଇବା ତଥା ବହି ପଢ଼ିବା ପ୍ରତି ଆଗ୍ରହ ସୃଷ୍ଟି କରିବା ଉଦ୍ଦେଶ୍ୟରେ reading day, reading month celebration (ପଠନ ଦିବସ, ପଠନ ମାସ) ପାଳନ କରାଯାଉଛି । ମୋତେ ତାର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯିବାକୁ ସୁଯୋଗ ମିଳିଥିଲା । ଆଉ ମତେ ସେଠି କୁହାଗଲା ଯେ ଆମେ ଫୁଲତୋଡ଼ା ନୁହେଁ, ପୁସ୍ତକ ଦେଉଛୁ । ମୋତେ ଭଲ ଲାଗିଲା । ଏ ଯେଉଁ କଥା ମୋ ମନରୁ ଉଭେଇ ଯାଇଥିଲା, ଏବେ ମୋର ପୁଣି ମନେ ପଡ଼ିଗଲା । କାରଣ ଯେତେବେଳେ ମୁଁ ଗୁଜରାଟରେ ଥିଲି, ସେତେବେଳେ ଆମେ ଗୋଟିଏ ପରମ୍ପରା ସୃଷ୍ଟି କରିଥିଲୁ ଯେ ଆମେ ଫୁଲତୋଡ଼ା ବଦଳରେ ବହିଟିଏ କିମ୍ବା ରୁମାଲଟିଏ ଦେଇ ସ୍ୱାଗତ କରିବା । ସେ ମଧ୍ୟ ଖଦିର ରୁମାଲ ହୋଇଥିବ, ଯାହାଦ୍ୱାରା ଖଦି ବ୍ୟବସାୟକୁ ପ୍ରୋତ୍ସାହନ ମିଳିବ । ଯେ ପର୍ଯ୍ୟନ୍ତ ମୁଁ ଗୁଜରାଟରେ ଥିଲି ସେ ପର୍ଯ୍ୟନ୍ତ ଏହା ଆମମାନଙ୍କର ଅଭ୍ୟାସ ହୋଇଯାଇଥିଲା । କିନ୍ତୁ ଏଠିକି ଆସିବା ପରେ ମୋର ସେ ଅଭ୍ୟାସ ଛାଡ଼ିଯାଇଥିଲା । କିନ୍ତୁ କେରଳ ଗଲାପରେ ସେ ଅଭ୍ୟାସ ପୁଣିଥରେ ଜାଗ୍ରତ ହୋଇଗଲା । ଆଉ ଏବେ ତ ମୁଁ ପୁଣି ସରକାରୀ ସ୍ତରରେ ସୂଚନା ଦେବା ଆରମ୍ଭ କରିଛି । ଆମେ ବି ଧିରେ ଧିରେ ଅଭ୍ୟାସ କରିପାରିବା । ଫୁଲତୋଡ଼ାର ଆୟୁଷ ବହୁତ କମ୍ । ଥରେ ହାତରେ ନେଲେ ଆଉ ପୁଣି ତାକୁ ସେଇଠି ପକେଇଦେଲେ । କିନ୍ତୁ ଯଦି ବହିଟିଏ ଦିଆଯାଏ, ତେବେ ସେ ଘରର ବା ପରିବାରର ଅଙ୍ଗ ହୋଇ ରହିଯାଏ । ଖଦିର ରୁମାଲଟିଏ ଦେଇ ଯଦି ସ୍ୱାଗତ କରାଯାଏ, ତେବେ ପ୍ରକାରାନ୍ତରେ କେତେ ଗରିବ ଲୋକ/ବୁଣାକାରଙ୍କୁ ମଧ୍ୟ ସାହାଯ୍ୟ ମିଳିବ । ଖର୍ଚ୍ଚ ବି କମ୍ ହେବ ଆଉ ଜିନିଷର ପ୍ରକୃତ ଉପଯୋଗ ବି ହୋଇପାରିବ । ମୁଁ ଯେତେବେଳେ ଏକଥା କହୁଛି ତ ଏହି ଜିନିଷର ଏକ ଐତିହାସିକ ମହତ୍ୱ ଆସିଯାଉଛି । ମୁଁ ଗତବର୍ଷ ଯେତେବେଳେ ବ୍ରିଟେନ ଯାଇଥିଲି, ବ୍ରିଟେନର ରାଣୀ ଏଲିଜାବେଥ ମୋତେ ଭୋଜନ ପାଇଁ ଆମନ୍ତ୍ରିତ କରିଥିଲେ । ଗୋଟିଏ ମାତୃସୁଲଭ ବାତାବରଣ ଥିଲା । ଅତି ଆଦରର ସହିତ ସେ ଭୋଜନ କରେଇଲେ । ତା'ପରେ ସେ ଅତ୍ୟନ୍ତ ଭାବପ୍ରବଣ ସ୍ୱରରେ ଏବଂ ଅତି ଆଦର ଭାବରେ ଖଦିରେ ବୁଣା ହୋଇଥିବା ଗୋଟିଏ ଛୋଟ ରୁମାଲ ମତେ ଦେଖେଇଲେ । ତାଙ୍କ ଆଖିରେ ଚମକ ଥିଲା । ରୁମାଲଟି ଦେଖାଇ ସେ ମୋତେ କହିଲେ ଯେ, "ଯେତେବେଳେ ତାଙ୍କର ବିଭାଘର ହୋଇଥିଲା, ମହାତ୍ମାଗାନ୍ଧୀ ବିବାହର ଶୁଭ କାମନା ସହ ତାଙ୍କୁ ଏହି ଖଦି ରୁମାଲଟି ଉପହାର ଦେଇଥିଲେ । କେତେବର୍ଷ ହୋଇଗଲାଣି । କିନ୍ତୁ ମହାରାଣୀ ଏଲିଜାବେଥ୍, ଗାନ୍ଧୀଙ୍କ ଠାରୁ ପାଇଥିବା ସେଇ ରୁମାଲଟିକୁ ସାଇତି ରଖିଛନ୍ତି । ଆଉ ମୁଁ ଯେତେବେଳେ ଗଲି ବଡ଼ ଆନନ୍ଦର ସହିତ ମୋତେ ସେ ଦେଖାଇଲେ । ମୁଁ ଯେତେବେଳେ ତାକୁ ଦେଖୁଥିଲି, ସେ ମତେ ରୁମାଲଟିକୁ ଛୁଇଁକରି ଦେଖିବାର ଆଗ୍ରହ ପ୍ରକାଶ କଲେ । ମହାତ୍ମା ଗାନ୍ଧୀଙ୍କର ଏଇ ଛୋଟିଆ ଉପହାରଟି ତାଙ୍କ ଜୀବନର ଗୋଟିଏ ଅଙ୍ଗ ହୋଇଗଲା, ତାଙ୍କ ଜୀବନ ଇତିହାସରେ ସ୍ମୃତିର ଏକ ଖିଅ ହୋଇ ରହିଗଲା । ମୁଁ ଜାଣେ ଯେ ପ୍ରଚଳିତ ଅଭ୍ୟାସ ରାତାରାତି ବଦଳି ପାରିବନି - ଆଉ ଯେତେବେଳେ ପରମ୍ପରାଟିଏ ବଦଳାଇବାର କଥା ହୁଏ, ସେତେବେଳେ ସମାଲୋଚନାର ଶିକାର ହେବାକୁ ପଡ଼େ । ଏବେ ମୁଁ ତ ଏକଥା କହିପାରିବିନି ଯେ ମୁଁ ଯେଉଁଠିକି ଯିବି ଯଦି କେହି ଫୁଲତୋଡ଼ାଟିଏ ଦେଲା ମୁଁ ତାକୁ ଗ୍ରହଣ କରିବିନି ବୋଲି । ଫୁଲତୋଡ଼ା ନେବାକୁ ତାକୁ ମନା କରିଦେବି – ଏକଥା ତ ମୁଁ କରିପାରିବିନି । କିନ୍ତୁ ସମାଲୋଚନା ହେଲେ ମଧ୍ୟ ଏ ବିଷୟରେ ଚର୍ଚ୍ଚା ଜାରି ରଖିଲେ ଧିରେ ଧିରେ ପରିବର୍ତ୍ତନ ବି ହେବ ।
ମୋର ପ୍ରିୟ ଦେଶବାସୀଗଣ ! ପ୍ରଧାନମନ୍ତ୍ରୀ ହୋଇଥିବାରୁ ମୋର ଅନେକ କାମ ଥାଏ । ଫାଇଲ ଗଦା ଭିତରେ ବୁଡ଼ି ରହିବାକୁ ପଡ଼େ । କିନ୍ତୁ ମୁଁ ଗୋଟିଏ ଅଭ୍ୟାସ ସୃଷ୍ଟି କରିଛି, ମୋ ପାଖକୁ ଯେତେ ଚିଠି ଆସେ, ତା ଭିତରୁ ପ୍ରତିଦିନ କିଛି ଚିଠି ମୁଁ ପଢ଼େ । ଫଳସ୍ୱରୂପ ମୋତେ ସାଧାରଣ ଜନତାଙ୍କ ସହ ସଂପୃକ୍ତ ହେବାର ଅବସର ମିଳେ । ବିଭିନ୍ନ ପ୍ରକାରର ଚିଠି ଆସେ । ଭିନ୍ନ ଭିନ୍ନ ପ୍ରକାରର ଲୋକମାନେ ଚିଠି ଲେଖନ୍ତି । ଏଇ କେତେଦିନ ତଳେ ମୋତେ ଏଭଳି ଏକ ଚିଠି ମିଳିଲା – ମୁଁ ଭାବୁଛି ମୋର ସେଇଟା ଆପଣମାନଙ୍କୁ ଜଣାଇଦେବା ଉଚିତ । ସୁଦୂର ଦକ୍ଷିଣରେ ତାମିଲନାଡ଼ୁ ରାଜ୍ୟ ମଦୁରାଇର ଜଣେ ଗୃହିଣୀ ଅରୁଲମୋଝି ଶରବଣନ୍ – ସେ ମୋତେ ଗୋଟିଏ ଚିଠି ଲେଖିଲେ । ଚିଠିଟି କ'ଣ ଥିଲା – ସେ ମତେ ଲେଖିଲେ ଯେ ମୁଁ ପରିବାରରେ ପିଲାମାନଙ୍କ ପାଠପଢ଼ା ପ୍ରତି ଧ୍ୟାନ ଦେବା ସଂଗେ ସଂଗେ କିଛି ନା କିଛି ଆର୍ଥିକ ଦୃଷ୍ଟିରୁ ଲାଭପ୍ରଦ କରିବାକୁ ଭାବିଲି ଯାହାଫଳର ପରିବାରକୁ କିଛି କିଛି ଆର୍ଥିକ ସାହାଯ୍ୟ ହୋଇପାରିବ । ମୁଁ ମୁଦ୍ରା ଯୋଜନାରେ ବ୍ୟାଙ୍କରୁ କିଛି ଟଙ୍କା ନେଲି ଏବଂ ବଜାରରୁ କିଛି ଜିନିଷ କିଣି ସପ୍ଲାଇ ଦିଗରେ କାମ ଆରମ୍ଭ କଲି । ଏଇ ଭିତରେ ମୁଁ ଜାଣିଲି ଯେ ଭାରତ ସରକାର Government E-Marketplace ନାମରେ ଯୋଜନାଟିଏ ଆରମ୍ଭ କରିଛନ୍ତି । ଏଇଟା କ'ଣ ଜାଣିବାକୁ ମୁଁ ଚେଷ୍ଟା କଲି, କିଛି ଲୋକଙ୍କୁ ବି ପଚାରିଲି । ତା'ପରେ ମୁଁ ନିଜକୁ ସେଥିରେ ପଂଜୀକୃତ କରିନେଲି । ମୁଁ ଦେଶବାସୀମାନଙ୍କୁ କହିବାକୁ ଚାହେଁ ଯେ ଆପଣଙ୍କୁ ଯଦି ସୁବିଧା ମିଳେ, ତେବେ ଆପଣ ଇଣ୍ଟରନେଟ ରେ E-GEM ଦେଖନ୍ତୁ । ଗୋଟେ ନୂଆ ପ୍ରକାରର ବ୍ୟବସ୍ଥା । ଯିଏ ବି ସରକାରଙ୍କୁ କୌଣସି ଜିନିଷ ସପ୍ଲାଇ କରିବାକୁ ଚାହାଁନ୍ତି – ବିଜୁଳି ବଲ୍ବ ବିକିବାକୁ ଚାହାଁନ୍ତି, ଡଷ୍ଟବିନ୍ ପଠାଇବାକୁ ଚାହାଁନ୍ତି, ଝାଡ଼ୁ, ଚେୟାର, ଟେବୁଲ ଆଦି ସପ୍ଲାଇ କରିବାକୁ ଚାହାଁନ୍ତି, ସେ ସେଥିରେ ନିଜ ନାମ ପଂଜୀକୃତ କରିପାରନ୍ତି । କେଉଁ କ୍ୱାଲିଟିର ମାଲ ସେ କେତେ ଦାମ୍ ରେ ଦେଇପାରିବେ, ସେଗୁଡ଼ିକ ସେଥିରେ ସେ ଉଲ୍ଲେଖ କରି ରଖିବେ । ସରକାରୀ ବିଭାଗଗୁଡ଼ିକ ପାଇଁ ଏଇ ସାଇଟ୍ E-GEM ଦେଖିବା ବାଧ୍ୟତାମୂଳକ ଅଟେ । ସେମାନେ ଦେଖିବେ ଯେ ଗୁଣବତ୍ତା ଠିକ୍ ଥାଇ କେଉଁ ସପ୍ଲାଏର କେଉଁ ଜିନିଷ ଶସ୍ତାରେ ଦେଇପାରୁଛି । ତାକୁ ସପ୍ଲାଇ ପାଇଁ ଅର୍ଡ଼ର ଦେବାକୁ ହେବ । ଏଥିଯୋଗୁଁ ଦଲାଲି ଶେଷ ହୋଇଯିବ, ଆଉ ପାରଦର୍ଶିତା ଆସିଯିବ । ତେଣୁ E-GEM ରେ ଯେଉଁମାନେ ପଂଜୀକୃତ ହୁଅନ୍ତି, ସମସ୍ତ ସରକାରୀ ବିଭାଗ ତାକୁ ଦେଖୁଥାନ୍ତି । ମଝିରେ ଦଲାଲ ନ ହେବା ଯୋଗୁଁ ଜିନିଷ ବହୁ ଶସ୍ତାରେ ମିଳେ । ଅରୁଲମୋଝି ମାଡ଼ାମ ସରକାରଙ୍କ ଏହି ସାଇଟ୍ ରେ ଯାହା ଯାହା ଦେଇପାରିବେ, ସେସବୁ ପଞ୍ଜିକରଣ କରିଦେଲେ । କିନ୍ତୁ ମଜାର କଥା ହେଲା, ସେ ମୋତେ ଯେଉଁ ଚିଠି ଲେଖିଛନ୍ତି, ସେଇଟା ବଡ଼ ଆଗ୍ରହପ୍ରଦ । ସେ ଲେଖିଛନ୍ତି – ଏକ ପକ୍ଷରେ ମୋତେ ମୁଦ୍ରା ଯୋଜନାରେ ପଇସା ମିଳିଗଲା, ମୋର କାରବାର ଆରମ୍ଭ ହୋଇଗଲା – E-GEM ରେ ମୁଁ କ'ଣ ଦେଇପାରିବି, ତା'ର ସୂଚୀ ଦେଇଦେଲି ଏବଂ ମୋତେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରୁ ଅର୍ଡର ମିଳିଗଲା PMO ରୁ । ମୋ ପାଇଁ ଇଏ ଗୋଟିଏ ନୂଆ ଖବର ଥିଲା, PMO ମୋ ଠାରୁ କ'ଣ ମଗେଇଥିବ – ସେ ଲେଖିଛନ୍ତି ଯେ PMO ତାଙ୍କ ଠାରୁ ଦୁଇଟି ଥର୍ମୋସ୍ କିଣିଲା, ଆଉ ତା'ର ଦାମ୍ 1600 ଟଙ୍କା । ମୋତେ ଦେୟ ମଧ୍ୟ ମିଳିଗଲା । ଇଏ ହେଉଛି ସଶକ୍ତିକରଣ । ଇଏ ହେଉଛି ଉଦଯୋଗକୁ ପ୍ରୋତ୍ସାହିତ କରିବାର ଅବସର । ଯଦି ଅରୁଲ-ମୋଝି ମାଡ଼ାମ୍ ମୋତେ ଚିଠି ଲେଖିନଥାନ୍ତେ, ହୁଏତ ମୁଁ ବି ଜାଣିପାରି ନଥାନ୍ତି ଯେ E-GEM ବ୍ୟବସ୍ଥାରେ ଦୂରଦୂରାନ୍ତର ଗୃହିଣୀ ଛୋଟିଆ କାମଟିଏ କରିପାରୁଛି ଆଉ ତାଙ୍କ ମାଲ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ବି କିଣିପାରୁଛି । ଏହାହିଁ ହେଉଛି ଦେଶର ଶକ୍ତି । ଏଥିରେ ସ୍ଵଚ୍ଛତା ଅଛି, ଏଥିରେ ସଶକ୍ତିକରଣ ବି ଅଛି ଆଉ ଏଥିରେ ଉଦଯୋଗ ବି ଅଛି । Minimum Government and Maximum Governance । ମୁଁ ନିଶ୍ଚିତ ଭାବରେ ଚାହିଁବି ଯେ ଯେଉଁମାନେ ସରକାରଙ୍କୁ ନିଜର ମାଲ୍ ବିକିବାକୁ ଚାହାଁନ୍ତି, ସେମାନେ ଏହା ସହିତ ଅଧିକରୁ ଅଧିକ ସଂଯୁକ୍ତ ହୁଅନ୍ତୁ । ମୋ ମତରେ ୟାର ଲକ୍ଷ୍ୟ ହେଉଛି ସର୍ବନିମ୍ନ ମୂଲ୍ୟ ଓ ସର୍ବାଧିକ ସୁବିଧାର ଏହାହିଁ ପ୍ରକୃଷ୍ଟ ଉଦାହରଣ । ତା ସହିତ ପାରଦର୍ଶିତା ଓ ସ୍ଵଚ୍ଛତା ମଧ୍ୟ ଯୋଡି ହୋଇ ରହିଛି ।
ମୋର ପ୍ରିୟ ଦେଶବାସୀଗଣ ! ଗୋଟିଏ ପକ୍ଷରେ ଆମେ ଯୋଗକୁ ନେଇ ଗର୍ବ କରୁଛୁ ତ ଅନ୍ୟପକ୍ଷରେ ମହାକାଶ ବିଜ୍ଞାନକୁ ନେଇ ଆମର ଯେଉଁ ଉପଲବ୍ଧି ଅଛି, ତା ପାଇଁ ମଧ୍ୟ ଗର୍ବ କରିପାରିବା । ଆଉ ଇଏ ହେଉଛି ଭାରତର ବିଶେଷତ୍ୱ । ଆମର ପାଦ ଯୋଗ ସହିତ ଜଡ଼ିତ ଭୂମି ଉପରେ ଅଛି, ତ ଦୂର ଆକାଶର ସୁଦୂର ଦିଗ୍ବଳୟ ପାର କରିବାର ସ୍ୱପ୍ନ ବି ଆମର ଅଛି । ଅତୀତରେ ଖେଳରେ ଆଉ ବିଜ୍ଞାନରେ ମଧ୍ୟ ଭାରତ ବହୁତ କିଛି କରି ଦେଖାଇଛି । ଆଜି ଭାରତ କେବଳ ପୃଥିବୀ ପୃଷ୍ଠରେ ନୁହେଁ, ଦୂର ଅନ୍ତରୀକ୍ଷରେ ବି ନିଜର ବିଜୟ ପତାକା ଉଡ଼ାଇ ଚାଲିଛି । ଏହି ଦୁଇଦିନ ପୂର୍ବରୁ ଇସ୍ରୋ ଦ୍ୱାରା କାର୍ଟୋସାଟ-2 ଶୃଙ୍ଖଳାର ଉପଗ୍ରହ ସହିତ 30 ଟି ଅତି କ୍ଷୁଦ୍ର ଉପଗ୍ରହ ପ୍ରକ୍ଷେପଣ କରାଗଲା । ଆଉ ଏହି ଉପଗ୍ରହଗୁଡ଼ିକ ମଧ୍ୟରେ ଭାରତ ବ୍ୟତୀତ ଫ୍ରାନ୍ସ, ଜର୍ମାନୀ, ଇଟାଲି, ଜାପାନ, ବ୍ରିଟେନ୍, ଆମେରିକା ଭଳି ପ୍ରାୟ 14ଟି ଦେଶର ସାଟେଲାଇଟ୍ ସାମିଲ ଅଛି । ଭାରତର ଏହି ନାନୋ ସାଟେଲାଇଟ୍ (କ୍ଷୁଦ୍ର ଉପଗ୍ରହ) ଅଭିଯାନ ଦ୍ୱାରା ଚାଷବାସ କ୍ଷେତ୍ରରେ, କୃଷକଙ୍କ କାମରେ ତଥା ପ୍ରାକୃତିକ ବିପର୍ଯ୍ୟୟ ସମୟରେ ବହୁତ କିଛି ହିତ ସାଧନ ହେବ । ଆମର ମନେଅଛି, ଇସ୍ରୋ କିଛିଦିନ ପୂର୍ବେ GSAT-19 ର ସଫଳ ପ୍ରକ୍ଷେପଣ କରିଥିଲା । ଆଉ ଆଜିଯାଏ ଭାରତ ଯେତେ ଉପଗ୍ରହ ପ୍ରେରଣ କରିଛି, ଇଏ ସବୁଠାରୁ ଓଜନଦାର ଉପଗ୍ରହ ଥିଲା । ଆମ ଦେଶର ସମ୍ବାଦପତ୍ର ଗୁଡ଼ିକ ଏହାକୁ ହାତୀ ସହିତ ତୁଳନା କରିଛନ୍ତି । ଏଇଥିରୁ ଅନୁମାନ କରିପାରୁଥିବେ, ମହାକାଶ ବିଜ୍ଞାନ କ୍ଷେତ୍ରରେ ଇଏ ଆମର କେତେବଡ଼ ସଫଳତା - ଯାହା ଆମର ବୈଜ୍ଞାନିକମାନେ କରି ଦେଖାଇଛନ୍ତି । ଜୁନ୍ 19 ତାରିଖରେ ମଙ୍ଗଳ ଅଭିଯାନ (Mars Mission) ପାଇଁ ଆମେମାନେ ମଙ୍ଗଳ ଗ୍ରହର କକ୍ଷରେ ସ୍ଥାନଟିଏ ଦଖଲ କଲେ, ସେତେବେଳେ ଏହା ଛଅମାସ ପାଇଁ କରାଯାଇଥିଲା ଅର୍ଥାତ୍ ତା'ର ପରମାୟୁ 6 ମାସ ପାଇଁ ଥିଲା । କିନ୍ତୁ ମୁଁ ଖୁସି ଯେ ଆମ ବୈଜ୍ଞାନିକମାନଙ୍କ ପ୍ରୟାସ ଏତେ ଶକ୍ତିଶାଳୀ ଥିଲା ଯେ - 6 ମାସ ତ ପାରିହୋଇଗଲା - ଆଜି ହଜାର ଦିନ ବିତିଗଲା ପରେ ବି “ମଙ୍ଗଳଯାନ” କାମ କରୁଛି, ଫଟୋ ପଠାଉଛି, ସୂଚନା ଦେଉଛି ଏବଂ ବୈଜ୍ଞାନିକ ତଥ୍ୟ ଆସୁଛି । ଏହା ଧାର୍ଯ୍ୟ ସମୟ ଠାରୁ ବି ଅଧିକ, ନିଜ ପରମାୟୁ ଠାରୁ ବି ଅଧିକ ଦିନ କାମ କରୁଛି । ହଜାର ଦିନ ପୂରଣ ହେବା ଆମ ବୈଜ୍ଞାନିକ ଯାତ୍ରା, ଆମ ଅନ୍ତରୀକ୍ଷ ଯାତ୍ରା ପଥରେ ଏକ ମହତ୍ୱପୂର୍ଣ୍ଣ ଘଟଣା ।
ଆଜିକାଲି ଦେଖାଯାଉଛି – ଖେଳକୁଦ କ୍ଷେତ୍ରରେ ମଧ୍ୟ ଆମ ଯୁବକଯୁବତୀମାନଙ୍କର ରୁଚି ବଢ଼ିଚାଲିଛି । ଏବେ ଦେଖାଯାଉଛି ଯେ ପାଠପଢ଼ା ସାଥେ ସାଥେ ଖେଳକୁଦ କ୍ଷେତ୍ରରେ ମଧ୍ୟ ଆମର ଯୁବପିଢ଼ି ଭବିଷ୍ୟତ ଦେଖିବା ଆରମ୍ଭ କଲାଣି । ଆଉ ଆମ ଖେଳାଳିମାନଙ୍କ ଯୋଗୁଁ, ସେମାନଙ୍କ ପୁରୁଷାର୍ଥ ଯୋଗୁଁ ତଥା ତାଙ୍କର ସିଦ୍ଧି ଯୋଗୁଁ ଦେଶର ସୁନାମ ବଢ଼ୁଛି । ଏହି କେତେଦିନ ତଳେ ବ୍ୟାଡ଼ମିଂଟନ ଖେଳାଳି କିଦାମ୍ବି ଶ୍ରୀକାନ୍ତ ଇଣ୍ଡୋନେସିଆ ଓପନ ଜିତି ଦେଶର ସୁନାମ ବଢ଼ାଇଛନ୍ତି । ଏହି ଉପଲବ୍ଧି ପାଇଁ ମୁଁ ତାଙ୍କୁ ତଥା ତାଙ୍କର କୋଚ୍ ଙ୍କୁ ଅଭିନନ୍ଦନ ଜଣାଉଛି । ମୋତେ କିଛିଦିନ ପୂର୍ବେ ଆଥଲେଟ୍ ପି.ଟି. ଉଷାଙ୍କର "Usha School of Athletics" ର "Synthetic Track" ଉଦ୍ଘାଟନୀ ଉତ୍ସବରେ ସାମିଲ ହେବାର ଅବସର ମିଳିଥିଲା । ଆମେ ଖେଳକୁ ଯେତେ ପ୍ରୋତ୍ସାହିତ କରିବା, ତାହା କ୍ରୀଡା ଆଉ କ୍ରୀଡା ଉତ୍ସାହ ନେଇ ଆସିବ । ବ୍ୟକ୍ତିତ୍ୱର ବିକାଶରେ ମଧ୍ୟ ବହୁତ ଖେଳର ମହତ୍ୱପୂର୍ଣ୍ଣ ଭୂମିକା ରହିଛି । ସାମଗ୍ରିକ ବ୍ୟକ୍ତିତ୍ୱ ବିକାଶ କ୍ଷେତ୍ରରେ ମଧ୍ୟ ଖେଳର ମାହାତ୍ମ୍ୟ ରହିଛି । ଦେଶରେ ପ୍ରତିଭାର ଅଭାବ ନାହିଁ, ଯଦି ଆମ ପରିବାରରେ ପିଲାଙ୍କର ଖେଳପ୍ରତି ଆଗ୍ରହ ଅଛି, ତେବେ ସେମାନଙ୍କୁ ସୁଯୋଗ ଦିଆଯିବା ଉଚିତ । ସେମାନଙ୍କୁ ଖେଳପଡ଼ିଆରୁ ଉଠାଇ ଆଣି, କୋଠରୀରେ ବନ୍ଦ କରି ପାଠ ପଢ଼ିବାକୁ ବାଧ୍ୟ କରିବା ଉଚିତ ନୁହେଁ । ସେମାନେ ପଢ଼ନ୍ତୁ, ସେଥିରେ ବି ଉନ୍ନତି କରନ୍ତୁ । କିନ୍ତୁ ଯଦି ଖେଳରେ ବି ସେମାନଙ୍କ ସାମର୍ଥ୍ୟ ରହିଛି, ଆଗ୍ରହ ରହିଛି, ତେବେ ସ୍କୁଲ, କଲେଜ, ପରିବାର, ଆଖପାଖର ଲୋକ ସମସ୍ତେ ଏଥିପ୍ରତି ଗୁରୁତ୍ୱ ଦେବା ଉଚିତ । ସେମାନଙ୍କୁ ପ୍ରୋତ୍ସାହିତ କରିବା ଉଚିତ । ଆଗାମୀ ଅଲମ୍ପିକ୍ ଖେଳ ପାଇଁ ସମସ୍ତେ ସ୍ୱପ୍ନ ଦେଖିବା ଉଚିତ ।
ମୋର ପ୍ରିୟ ଦେଶବାସୀଗଣ, ବର୍ଷାଋତୁ, ଲଗାତାର ଉତ୍ସବର ପରିବେଶ, ଏ ସମୟର ଅନୁଭୂତିରେ ଏକ ନୂତନତ୍ୱ ଥାଏ । ମୁଁ ପୁଣିଥରେ ଆପଣମାନଙ୍କୁ ଶୁଭେଚ୍ଛା ଜଣାଉଛି । ଆଗାମୀ "ମନ୍ କି ବାତ୍”ରେ ପୁଣି କିଛି ନୂଆ କଥା କହିବି । ନମସ୍କାର ।
Weather is changing. The monsoon seems to be on time, bringing a relief from the heat: PM @narendramodi #MannKiBaat https://t.co/v6iZChCkDH
— PMO India (@PMOIndia) June 25, 2017
Greetings to everyone on Rath Yatra. The poor of India are attached to Lord Jagannath: PM @narendramodi #MannKiBaat
— PMO India (@PMOIndia) June 25, 2017
The poor relate with Lord Jagannath. Greetings on Rath Yatra. #MannKiBaat pic.twitter.com/ki9nqVJ07L
— PMO India (@PMOIndia) June 25, 2017
July 1818 :: Painting of Procession (Jagannath Yatra) At Temple of Jagannath Puri , Orissa
— indianhistorypics (@IndiaHistorypic) June 25, 2017
(Photo- @britishlibrary ) pic.twitter.com/EdkYxjmeDv
My SandArt at Puribeach on world famous #RathaJatra of Lord Jagannath with message "Let us all immerse in the spirit of unity & brotherhood" pic.twitter.com/Aoa6hLlcSG
— Sudarsan Pattnaik (@sudarsansand) June 25, 2017
Greetings to everyone on Eid: PM @narendramodi during #MannKiBaat
— PMO India (@PMOIndia) June 25, 2017
रमज़ान के इस पवित्र महीने में उत्तर प्रदेश के बिजनौर के मुबारकपुर गाँव की एक बड़ी प्रेरक घटना मेरे सामने आयी : PM @narendramodi #MannKiBaat
— PMO India (@PMOIndia) June 25, 2017
People in a village in Bijnor did not accept money from the administration to build toilets. They did it themselves. This is heartening: PM
— PMO India (@PMOIndia) June 25, 2017
They said, instead spend the money on other development works. We will build the toilets through our own resources: PM @narendramodi
— PMO India (@PMOIndia) June 25, 2017
We have to work together for a clean India. #MannKiBaat pic.twitter.com/NuzNC3m3Bk
— PMO India (@PMOIndia) June 25, 2017
The movement to clean India is a mass movement. It is no longer restricted to Governments alone: PM @narendramodi #MannKiBaat pic.twitter.com/Lg7jhzVurW
— PMO India (@PMOIndia) June 25, 2017
Eternal vigilance is the price of liberty. #MannKiBaat pic.twitter.com/pkhbiwoES7
— PMO India (@PMOIndia) June 25, 2017
Prakash Triparhi wrote to me, asked me to talk about the Emergency during #MannKiBaat. pic.twitter.com/gCWCUVh3cT
— PMO India (@PMOIndia) June 25, 2017
The Emergency will be remembered for the way in which people of India came together and safeguarded the democratic values. #MannKiBaat pic.twitter.com/Rqhgb5gzyD
— PMO India (@PMOIndia) June 25, 2017
On 21st June, the rays of the sun were welcomed with people practising Yoga. #MannKiBaat pic.twitter.com/hK6sbe5zgi
— PMO India (@PMOIndia) June 25, 2017
Yoga is about fitness and wellness. #MannKiBaat pic.twitter.com/zSmu0MTX5p
— PMO India (@PMOIndia) June 25, 2017
Dr. Anil Sonara from Ahmedabad asks the Prime Minister on reading and giving books as gifts. #MannKiBaat
— PMO India (@PMOIndia) June 25, 2017
Giving a book or a Khadi product always helps. It is long lasting. #MannKiBaat pic.twitter.com/ffRYqIlMX3
— PMO India (@PMOIndia) June 25, 2017
Government E-Marketplace - about transparency, empowerment and enterprise. #MannKiBaat pic.twitter.com/ESGaoGFl31
— PMO India (@PMOIndia) June 25, 2017
PM @narendramodi congratulates @srikidambi for his accomplishments during #MannKiBaat.
— PMO India (@PMOIndia) June 25, 2017
Sports has several benefits. Those who play, shine. #MannKiBaat pic.twitter.com/1meSI1Rb9k
— PMO India (@PMOIndia) June 25, 2017