ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୂଆ ବର୍ଷ ଏବଂ ନୂଆ ଦଶନ୍ଧିର ପ୍ରଥମ ମନ କୀ ବାତ କାର୍ଯ୍ୟକ୍ରମରେ ‘ଗଗନଯାନ ମିଶନ’ ବିଷୟରେ ଆଲୋଚନା କରିଛନ୍ତି ।
ସେ କହିଥିଲେ ଯେ ଭାରତ 2022ରେ ସ୍ୱାଧୀନତାର 75 ବର୍ଷ ପୂର୍ତ୍ତି ପାଳନ କରିବ ଏବଂ ଗଗନଯାନ ମିଶନ ଜରିଆରେ ପ୍ରଥମ ଥର ଲାଗି ସ୍ୱଦେଶୀ ମହାକାଶଯାନରେ ଜଣେ ଭାରତୀୟଙ୍କୁ ମହାକାଶ ପଠାଇବାର ସଂକଳ୍ପ ପୂରଣ କରିବ ।
ସେ କହିଥିଲେ ଯେ ଗଗନଯାନ ମିଶନ ଏକବିଂଶ ଶତାବ୍ଦୀରେ ଭାରତ ଲାଗି ବିଜ୍ଞାନ ଓ ପ୍ରଯୁକ୍ତି କ୍ଷେତ୍ରର ଏକ ଐତିହାସିକ ଉପଲବ୍ଧି । ଏହା ନୂଆ ଭାରତ ଲାଗି ଏକ ମାଇଲଖୁଂଟ ସାବ୍ୟସ୍ତ ହେବ ।
ପ୍ରଧାନମନ୍ତ୍ରୀ ଭାରତୀୟ ବାୟୁସେନାର ସେହି 4 ଜଣ ପାଇଲଟଙ୍କୁ ପ୍ରଶଂସା କରିଥିଲେ, ଯେଉଁମାନଙ୍କୁ ମିଶନ ପାଇଁ ମହାକାଶ ଯାତ୍ରୀ ଭାବେ ଚୟନ କରାଯାଇଛି । ଏମାନଙ୍କୁ ରୁଷରେ ପ୍ରଶିକ୍ଷଣ ଦିଆଯିବ ।
ଏହି ପ୍ରତିଭାସମ୍ପନ୍ନ ଯୁବକ ଭାରତର ଦକ୍ଷତା, ପ୍ରତିଭା, କ୍ଷମତା, ସାହସ ଓ ସ୍ୱପ୍ନର ପ୍ରତୀକ ଅଟନ୍ତି । ଆମର ଚାରି ଜଣ ମିତ୍ର ଆଉ ମାତ୍ର କିଛିଦିନ ମଧ୍ୟରେ ପ୍ରଶିକ୍ଷଣ ନେବା ଲାଗି ରୁଷ ଯିବେ । ମୋର ବିଶ୍ୱାସ ଯେ ଏମାନଙ୍କର ଏହି ପ୍ରୟାସ ଫଳରେ ଭାରତ ଓ ରୁଷ ବନ୍ଧୁତ୍ୱ ଓ ସହଯୋଗ କ୍ଷେତ୍ରରେ ଏକ ନୂତନ ସ୍ୱର୍ଣ୍ଣିମ ଅଧ୍ୟାୟ ଭାବେ ଲିପିବଦ୍ଧ ହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଗୋଟିଏ ବର୍ଷ ପ୍ରଶିକ୍ଷଣ ନେବା ପରେ ଏହି ମହାକାଶଚାରୀଙ୍କ କାନ୍ଧରେ ଦେଶର ଆଶା ଓ ଆକାଂକ୍ଷା ତଥା ମହାକାଶରେ ଉଡ଼ିବାର ଉତ୍ତରଦାୟିତ୍ୱ ରହିବ ।
ସେ କହିଥିଲେ, ଗଣତନ୍ତ୍ର ଦିବସର ଶୁଭ ଅବସରରେ ଏହି ଚାରି ଜଣ ଯୁବକ, ଭାରତୀୟ ତଥା ରୁଷ ବୈଜ୍ଞାନିକ ଏବଂ ଏହି ମିଶନ ସହ ଜଡ଼ିତ ଇଞ୍ଜିନିୟରମାନଙ୍କୁ ଅଭିନନ୍ଦନ ଜଣାଉଛି ।