ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଲୁଆଙ୍ଗ୍ ପ୍ରବାଙ୍ଗର ପ୍ରତିଷ୍ଠିତ ରୟାଲ ଥିଏଟର୍ ଦ୍ୱାରା ପରିବେଷଣ କରାଯାଇଥିବା ଲାଓ ରାମାୟଣର ଏକ ଏପିସୋଡ ଦେଖିଛନ୍ତି - ଯାହାକୁ ଫଲକ ଫାଲମ କିମ୍ବା ଫ୍ରା ଲାକ ଫ୍ରା ରାମ କୁହାଯାଇଥାଏ । ଲାଓସରେ ଆଜି ମଧ୍ୟ ରାମାୟଣ ପ୍ରତି ଲୋକମାନଙ୍କ ମଧ୍ୟରେ ଉତ୍ସାହ ରହିଛି । ଏହି ମହାକାବ୍ୟ ଦୁଇ ଦେଶ ମଧ୍ୟରେ ଭାଗିଦାରୀ ଐତିହ୍ୟ ଏବଂ ପୁରୁଣା ସଭ୍ୟତା ସଂଯୋଗକୁ ପ୍ରତିଫଳିତ କରିଛି । ଭାରତୀୟ ସଂସ୍କୃତି ଏବଂ ପରମ୍ପରାର ଅନେକ ଦିଗ ଲାଓସରେ ଶତାବ୍ଦୀ ଧରି ଅନୁପ୍ରୟୋଗ ଏବଂ ସଂରକ୍ଷିତ କରାଯାଇ ଆସୁଛି । ଦୁଇ ଦେଶ ସେମାନଙ୍କର ଭାଗିଦାରୀ ଐତିହ୍ୟକୁ ଅଧିକ ଆଲୋକିତ କରିବା ପାଇଁ ଘନିଷ୍ଠ ଭାବରେ କାର୍ଯ୍ୟ କରୁଛନ୍ତି । ଭାରତୀୟ ପ୍ରତ୍ନତ୍ତତ୍ୱ ସର୍ବେକ୍ଷଣ ଲାଓସରେ ଭାଟ୍ ଫୁ ମନ୍ଦିର ଏବଂ ଆନୁଷଙ୍ଗିକ ସ୍ମାରକୀ ପୁନରୁଦ୍ଧାରରେ ଜଡିତ ରହିଛି । ଏହି ଅବସରରେ ଗୃହ ମନ୍ତ୍ରୀ, ଶିକ୍ଷା ଓ କ୍ରୀଡା ମନ୍ତ୍ରୀ, ବ୍ୟାଙ୍କ ଅଫ୍ ଲାଓ ପିଡିଆର ଏବଂ ଭିଏନ୍ଟିଆନ୍ର ମେୟରଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।
ରାମାୟଣ ପ୍ରଦର୍ଶନ ପୂର୍ବରୁ, ପ୍ରଧାନମନ୍ତ୍ରୀ ଲାଓ ପିଡିଆର୍ର କେନ୍ଦ୍ରୀୟ ବୌଦ୍ଧ ଫେଲୋସିପ୍ ସଂଗଠନର ବରିଷ୍ଠ ବୌଦ୍ଧ ଭିକ୍ଷୁମାନଙ୍କ ଦ୍ୱାରା ଆୟୋଜିତ ଏକ ଆଶୀର୍ବାଦ ସମାରୋହରେ ଯୋଗଦେଇଥିଲେ । ଏହି ସମାରୋହର ନେତୃତ୍ୱ ଭିଏଣ୍ଟିଆନ୍ ସ୍ଥିତ ସି ସାକେଟ ମନ୍ଦିରର କେନ୍ଦ୍ରୀୟ ମଠାଧୀଶ ସମ୍ମାନିତ ମହାଭେଥ ମାସେନାଇ ନେଇଥିଲେ । ଭାରତ ଏବଂ ଲାଓସ୍ ମଧ୍ୟରେ ଅଂଶୀଦାର ବୌଦ୍ଧ ଐତିହ୍ୟ ଘନିଷ୍ଠ ସଭ୍ୟତା ବନ୍ଧନର ଆଉ ଏକ ଦିଗକୁ ପ୍ରତିନିଧିତ୍ୱ କରେ ।