ପୋଷ୍ଟ ହୋଇଛି : ୨୩ ଅଗଷ୍ଟ ୨୦୨୩, ଅପରାହ୍ନ ୪:୨୩, ପିଆଇବି , ଦିଲ୍ଲୀ
ମହାମହିମ ରାଷ୍ଟ୍ରପତି ରାମାଫୋସା,
ମହାମହିମ ରାଷ୍ଟ୍ରପତି ଲୁଲା ଡି ସିଲଭା,
ମହାମହିମ ରାଷ୍ଟ୍ରପତି ପୁଟିନ,
ମହାମହିମ ରାଷ୍ଟ୍ରପତି ସି,
ଭଦ୍ର ମହିଳା ଓ ଭଦ୍ର ବ୍ୟକ୍ତିଗଣ,
ପଞ୍ଚଦଶ ବ୍ରିକ୍ସ ଶିଖର ସମ୍ମିଳନୀର ଭବ୍ୟ ଆୟୋଜନ ଏବଂ ଆତିଥେୟତା ପାଇଁ ମୁଁ ପୁଣି ଥରେ ମୋର ପ୍ରିୟ ବନ୍ଧୁ ରାଷ୍ଟ୍ରପତି ରାମାଫୋସାଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଏବଂ ଧନ୍ୟବାଦ ଜଣାଉଛି ।
ଜୋହାନ୍ସବର୍ଗ ଭଳି ଏକ ସୁନ୍ଦର ସହରକୁ ପୁଣି ଥରେ ଆସିବା ମୋ ପାଇଁ ଏବଂ ମୋର ପ୍ରତିନିଧି ଦଳ ନିମନ୍ତେ ଅତ୍ୟନ୍ତ ଆନନ୍ଦର ବିଷୟ ।
ଭାରତର ଜନସାଧାରଣ ଏବଂ ଭାରତର ଇତିହାସ ସହିତ ଏହି ସହରର ଗଭୀର ସମ୍ପର୍କ ରହିଛି ।
ଏଠାରୁ କିଛି ଦୂରରେ ରହିଛି ଟଲଷ୍ଟୟ ଫାର୍ମ, ଯାହା୧୧୦ ବର୍ଷ ପୂର୍ବେ ମହାତ୍ମା ଗାନ୍ଧୀଙ୍କ ଦ୍ୱାରା ନିର୍ମିତ ହୋଇଥିଲା ।
ଭାରତ, ୟୁରେସିଆ ଏବଂ ଆଫ୍ରିକାର ମହାନ ଚିନ୍ତାଧାରାକୁ ଏକତ୍ର କରି ମହାତ୍ମା ଗାନ୍ଧୀ ଆମର ଏକତା ଏବଂ ପାରସ୍ପରିକ ସୌହାର୍ଦ୍ଦ୍ୟ ପାଇଁ ଏକ ମଜଭୁତ ଭିତ୍ତିଭୂମି ସ୍ଥାପନ କରିଥିଲେ ।
ମହାମହିମ,
ଗତ ପ୍ରାୟ ଦୁଇ ଦଶନ୍ଧି ମଧ୍ୟରେ ବ୍ରିକ୍ସ ଏକ ବହୁତ ଲମ୍ବା ଏବଂ ଗୌରବମୟ ଯାତ୍ରା ଅତିକ୍ରମ କରିଛି ।
ଏହି ଯାତ୍ରାରେ ଆମେ ଅନେକ ମାଇଲଖୁଣ୍ଟ ହାସଲ କରିଛୁ ।
ଆମର ନ୍ୟୁ ଡେଭଲପମେଣ୍ଟ ବ୍ୟାଙ୍କ ଦକ୍ଷିଣ ବିଶ୍ୱର ଦେଶ ଗୁଡ଼ିକର ବିକାଶରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ।
ଆକସ୍ମିକ ରିଜର୍ଭ ବ୍ୟବସ୍ଥା ଜରିଆରେ ଆମେ ଏକ ଆର୍ଥିକ ନିରାପତ୍ତା ବଳୟ ସୃଷ୍ଟି କରିଛୁ ।
ବ୍ରିକ୍ସ ଉପଗ୍ରହ ମଣ୍ଡଳ, ଟିକା ଗବେଷଣା ଓ ବିକାଶ କେନ୍ଦ୍ର, ଫାର୍ମା ଉତ୍ପାଦ ଗୁଡିକର ପାରସ୍ପରିକ ସ୍ୱୀକୃତି ଭଳି ପଦକ୍ଷେପ ମାଧ୍ୟମରେ ଆମେ ବ୍ରିକ୍ସ ଦେଶର ସାଧାରଣ ନାଗରିକ ମାନଙ୍କର ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିଛୁ ।
ଯୁବ ସମ୍ମିଳନୀ, ବ୍ରିକ୍ସ କ୍ରୀଡ଼ା, ଥିଙ୍କଟ୍ୟାଙ୍କ୍ ପରିଷଦ ଭଳି ପଦକ୍ଷେପ ମାଧ୍ୟମରେ ଆମେ ସବୁ ଦେଶ ମଧ୍ୟରେ ଲୋକମାନଙ୍କ ଭିତରେ ସମ୍ପର୍କକୁ ସୁଦୃଢ଼ କରୁଛୁ ।
ବ୍ରିକ୍ସ କାର୍ଯ୍ୟସୂଚୀକୁ ଏକ ନୂଆ ଦିଗ ଦେବା ପାଇଁ ଭାରତ ରେଳ ଗବେଷଣା ନେଟୱାର୍କ, ଏମଏସଏମଇ ମଧ୍ୟରେ ଘନିଷ୍ଠ ସହଯୋଗ, ଅନଲାଇନ ବ୍ରିକ୍ସ ଡାଟାବେସ, ଷ୍ଟାର୍ଟଅପ୍ ଫୋରମ ଭଳି କିଛି ପରାମର୍ଶ ଦେଇଥିଲା ।
ମୁଁ ଖୁସି ଯେ ଏହି ବିଷୟ ଗୁଡ଼ିକରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି ।
ମହାମହିମ,
ଆମର ଘନିଷ୍ଠ ସହଯୋଗକୁ ଆହୁରି ବ୍ୟାପକ କରିବା ପାଇଁ ମୁଁ ଆପଣଙ୍କ ସହିତ କିଛି ପରାମର୍ଶ ବାଣ୍ଟିବାକୁ ଚାହୁଁଛି ।
ପ୍ରଥମଟି ହେଉଛି ମହାକାଶ କ୍ଷେତ୍ରରେ ସହଯୋଗ । ବ୍ରିକ୍ସ ଉପଗ୍ରହ ମଣ୍ଡଳ ଉପରେ ଆମେ କାର୍ଯ୍ୟ କରୁଛୁ ।
ଆଉ ଏକ ପାଦ ଆଗକୁ ଯାଇ , ଆମେ ବ୍ରିକ୍ସ ମହାକାଶ ଅନୁସନ୍ଧାନ କନସୋର୍ଟିୟମ ଗଠନ କରିବାକୁ ବିଚାର କରି ପାରିବା ।
ଏହା ଅଧୀନରେ ଆମେ ମହାକାଶ ଗବେଷଣା, ପାଣିପାଗ ନିରୀକ୍ଷଣ ଭଳି କ୍ଷେତ୍ରରେ ବିଶ୍ୱସ୍ତରୀୟ ଉନ୍ନତି ପାଇଁ କାର୍ଯ୍ୟ କରି ପାରିବା ।
ମୋର ଦ୍ୱିତୀୟ ପରାମର୍ଶ ହେଉଛି ଶିକ୍ଷା, ଦକ୍ଷତା ବିକାଶ ଏବଂ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ସହଯୋଗ ।
ବ୍ରିକ୍ସକୁ ଭବିଷ୍ୟତ ପାଇଁ ପ୍ରସ୍ତୁତ ସଂଗଠନ କରିବାକୁ ହେଲେ ଆମକୁ ଆମ ସମାଜକୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବାକୁ ପଡ଼ିବ । ଏଥିରେ ବୈଷୟିକ ଜ୍ଞାନକୌଶଳ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।
ଭାରତରେ, ଆମେ ଦୁର୍ଗମ ଅଂଚଳର ଏବଂ ଗ୍ରାମାଞ୍ଚଳର ପିଲାମାନଙ୍କୁ ଶିକ୍ଷା ପ୍ରଦାନ କରିବା ପାଇଁ ଜ୍ଞାନ ଅଂଶୀଦାର ମଂଚ ନିମନ୍ତେ ଦୀକ୍ଷା ଅର୍ଥାତ୍ ଡିଜିଟାଲ ଭିତ୍ତିଭୂମି ସୃଷ୍ଟି କରିଛୁ ।
ଏଥିସହ ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅଭିନବତାକୁ ପ୍ରୋତ୍ସାହିତ କରିବା ପାଇଁ ଆମେ ସାରା ଦେଶରେ ୧୦ ହଜାର ଅଟଳ ଟିଙ୍କରିଂ ଲ୍ୟାବ୍ ସୃଷ୍ଟି କରିଛୁ ।
ଭାଷା ସମ୍ବନ୍ଧୀୟ ପ୍ରତିବନ୍ଧକକୁ ଦୂର କରିବା ପାଇଁ ଭାରତରେ ଏଆଇ ଭିତ୍ତିକ ଭାଷା ପ୍ଲାଟଫର୍ମ ଭାଷିଣୀ ବ୍ୟବହାର କରାଯାଉଛି ।
ଟିକାକରଣ ପାଇଁ କୋୱିନ୍ ପ୍ଲାଟଫର୍ମ ସୃଷ୍ଟି କରାଯାଇଛି ।
ଡିଜିଟାଲ ପବ୍ଲିକ ଇନଫ୍ରାଷ୍ଟ୍ରକଚର ଅର୍ଥାତ୍ ଇଣ୍ଡିଆ ଷ୍ଟେକ୍ ଜରିଆରେ ଜନସେବା ପ୍ରଦାନରେ ବୈପ୍ଳବିକ ପରିବର୍ତ୍ତନ କରାଯାଉଛି ।
ବିବିଧତା ହେଉଛି ଭାରତର ଏକ ମହାନ ଶକ୍ତି ।
ଭାରତର ଯେ କୌଣସି ସମସ୍ୟାର ସମାଧାନ ଏହି ବିବିଧତାର ପରୀକ୍ଷାରୁ ହିଁ ହୋଇଥାଏ ।
ତେଣୁ ଏହି ସମାଧାନକୁ ବିଶ୍ୱର ଯେ କୌଣସି କୋଣରେ ସହଜରେ କାର୍ଯ୍ୟକାରୀ କରାଯାଇପାରିବ ।
ଏହି ପରିପ୍ରେକ୍ଷୀରେ ଭାରତରେ ବିକଶିତ ଏହି ସବୁ ପ୍ଲାଟଫର୍ମକୁ ବ୍ରିକ୍ସ ସହଯୋଗୀଙ୍କ ସହ ବାଣ୍ଟିବାକୁ ଆମେ ଆନନ୍ଦ ଅନୁଭବ କରିବୁ ।
ମୋର ତୃତୀୟ ପରାମର୍ଶ ହେଉଛି ଯେ ଆମେ ପରସ୍ପରର ଶକ୍ତିକୁ ଚିହ୍ନଟ କରିବା ପାଇଁ ଏକାଠି ସ୍କିଲ୍ ମ୍ୟାପିଂ କରି ପାରିବା ।
ଏହା ମାଧ୍ୟମରେ ଆମେ ବିକାଶ ଯାତ୍ରାରେ ପରସ୍ପରର ପରିପୂରକ ହୋଇ ପାରିବା । ମୋର ଚତୁର୍ଥ ପରାମର୍ଶ ହେଉଛି ବିଗ୍ କ୍ୟାଟ୍ସ (ବଡ ବିଲେଇ) ବିଷୟରେ ।
ବ୍ରିକ୍ସର ପାଞ୍ଚଟି ଦେଶରେ ବହୁ ସଂଖ୍ୟକ ବଡ଼ ପ୍ରଜାତିର ବଡ଼ ବିଲେଇ ଦେଖିବାକୁ ମିଳେ ।
ଆନ୍ତର୍ଜାତିକ ବିଗ୍ କ୍ୟାଟ୍ ଆଲାଏନ୍ସ (ବୃହତ୍ ବିରାଡି ସଙ୍ଗଠନ) ଅଧୀନରେ ଆମେ ସେମାନଙ୍କ ସୁରକ୍ଷା ପାଇଁ ମିଳିତ ପ୍ରୟାସ କରି ପାରିବା ।
ପାରମ୍ପରିକ ଔଷଧ ବିଷୟକୁ ନେଇ ରହିଛି ମୋର ପଞ୍ଚମ ପରାମର୍ଶ ।
ଆମ ସମସ୍ତଙ୍କର ଦେଶରେ ପାରମ୍ପରିକ ଔଷଧର ଏକ ପାରିବେଶିକ ବ୍ୟବସ୍ଥା ରହିଛି ।
ଆମେ ମିଳିତ ଭାବେ ପାରମ୍ପରିକ ଔଷଧର ଭଣ୍ଡାର ସୃଷ୍ଟି କରିପାରିବା କି?
ମହାମହିମ,
ଦକ୍ଷିଣ ଆଫ୍ରିକାର ଅଧ୍ୟକ୍ଷତାରେ ବ୍ରିକ୍ସରେ ଦକ୍ଷିଣ ବିଶ୍ୱର ଦେଶ ମାନଙ୍କୁ ବିଶେଷ ଗୁରୁତ୍ୱ ଦିଆଯାଇଛି ।
ଆମେ ଏହାକୁ ହୃଦୟରୁ ସ୍ୱାଗତ କରୁଛୁ ।
ଏହା କେବଳ ବର୍ତ୍ତମାନର ଆଶା ନୁହେଁ ବରଂ ଆବଶ୍ୟକତା ମଧ୍ୟ ।
ଜି-୨୦ ଅଧ୍ୟକ୍ଷତାରେ ଭାରତ ଏହି ପ୍ରସଙ୍ଗକୁ ସର୍ବୋଚ୍ଚ ପ୍ରାଥମିକତା ଦେଇଛି ।
'ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ' ଉଦ୍ଦେଶ୍ୟରେ ଆମେ ସବୁ ଦେଶ ସହ ମିଶି ଆଗକୁ ବଢ଼ିବାକୁ ଚେଷ୍ଟା କରୁଛୁ ।
ଚଳିତ ବର୍ଷ ଜାନୁଆରୀ ମାସରେ ଅନୁଷ୍ଠିତ ଭଏସ୍ ଅଫ୍ ଗ୍ଲୋବାଲ୍ ସାଉଥ୍ (ଦକ୍ଷିଣ ବିଶ୍ୱର ସ୍ୱର) ଶିଖର ସମ୍ମିଳନୀରେ ୧୨୫ଟି ଦେଶ ଅଂଶଗ୍ରହଣ କରିଥିଲେ ଏବଂ ନିଜର ଚିନ୍ତା ଓ ପ୍ରାଥମିକତା ଗୁଡିକ ସମ୍ପର୍କରେ ଜଣାଇଥିଲେ ।
ଆଫ୍ରିକୀୟ ସଂଘକୁ ଜି- ୨୦ର ସ୍ଥାୟୀ ସଦସ୍ୟତା ଦେବାକୁ ମଧ୍ୟ ଆମେ ପ୍ରସ୍ତାବ ଦେଇଛୁ ।
ମୋର ବିଶ୍ୱାସ ଯେ ଜି- ୨୦ରେ ସମସ୍ତ ବ୍ରିକ୍ସ ସହଯୋଗୀ ମଧ୍ୟ ଏକାଠି ଅଛନ୍ତି । ଏବଂ ସମସ୍ତେ ଆମର ପ୍ରସ୍ତାବକୁ ସମର୍ଥନ କରିବେ ।
ବ୍ରିକ୍ସରେ ଏହି ସବୁ ପ୍ରୟାସକୁ ସ୍ୱତନ୍ତ୍ର ସ୍ଥାନ ଦେବା ଦ୍ୱାରା ଦକ୍ଷିଣ ବିଶ୍ୱର ଦେଶ ମାନଙ୍କର ଆତ୍ମବିଶ୍ୱାସ ଆହୁରି ବୃଦ୍ଧି ପାଇବ ।
ମହାମହିମ,
ବ୍ରିକ୍ସ ସଦସ୍ୟତା ସମ୍ପ୍ରସାରଣକୁ ଭାରତ ସମ୍ପୂର୍ଣ୍ଣ ସମର୍ଥନ କରୁଛି । ଏବଂ ଏଥିରେ ସହମତି ଆଧାରରେ ଆଗକୁ ବଢିବାକୁ ସ୍ୱାଗତ ଜଣାଊଛି ।
୨୦୧୬ରେ, ଭାରତର ଅଧ୍ୟକ୍ଷତା ସମୟରେ ଆମେ ବ୍ରିକ୍ସକୁ ଉତ୍ତରଦାୟୀ, ଅନ୍ତର୍ଭୁକ୍ତି ଏବଂ ସାମୂହିକ ସମାଧାନ ନିର୍ମାଣ ଭାବରେ ବ୍ୟାଖ୍ୟା କରିଥିଲୁ ।
ସାତ ବର୍ଷ ପରେ ଆମେ କହିପାରିବା ଯେ, ବ୍ରିକ୍ସ ପ୍ରତିବନ୍ଧକ ଗୁଡିକୁ ଭାଙ୍ଗିବା, ଅର୍ଥନୀତିକୁ ପୁନର୍ଜୀବିତ କରିବା, ଉଦ୍ଭାବନକୁ ପ୍ରେରଣା ଦେବା, ସୁଯୋଗ ସୃଷ୍ଟି କରିବା ଏବଂ ଭବିଷ୍ୟତକୁ ଆକାର ଦେବା ଭଳି କାର୍ଯ୍ୟ କରୁଛି ।
ଆମେ ସମସ୍ତ ବ୍ରିକ୍ସ ସହଯୋଗୀଙ୍କ ସହ ମିଶି ଏହି ନୂତନ ସଂଜ୍ଞାକୁ ଅର୍ଥପୂର୍ଣ୍ଣ କରିବା ଦିଗରେ ସକ୍ରିୟ ଭାବରେ ଯୋଗଦାନ ଜା
ରି ରଖିବୁ ।
ଆପଣ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ ।