With efforts of every Indian over last 7-8 months, India is in a stable situation we must not let it deteriorate: PM Modi
Lockdown may have ended in most places but the virus is still out there: PM Modi
Government is earnestly working towards developing, manufacturing and distribution of Covid-19 vaccine to every citizen, whenever it is available: PM

ମୋର ପ୍ରିୟ ଦେଶବାସୀଗଣ!

ନମସ୍କାର!

କରୋନା ବିରୁଦ୍ଧରେ ଲଢ଼େଇରେ ଜନତା କର୍ଫ୍ୟୁଠାରୁ ଆରମ୍ଭ କରି ଆମେ ସମସ୍ତେ ଭାରତୀୟମାନେ ବହୁତ ଲମ୍ବା ରାସ୍ତା ଅତିକ୍ରମ କରିସାରିଛୁ । ସମୟ ସହିତ ତାଳ ଦେଇ ଆର୍ଥିକ ଗତିବିଧିରେ ମଧ୍ୟ ଦ୍ରୁତ ଉନ୍ନତି ପରିଲକ୍ଷିତ ହେଉଛି । ଆମ୍ଭମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ, ନିଜର ଦାୟିତ୍ୱକୁ ସୂଚାରୁ ରୂପେ ତୁଲାଇବା ପାଇଁ, ପୁଣିଥରେ ଜୀବନକୁ ଗତି ପ୍ରଦାନ କରିବା ପାଇଁ, ପ୍ରତିଦିନ ଘରୁ ବାହାରକୁ ବାହାରୁଛନ୍ତି । ପାର୍ବଣର ଏହି ଋୁତୁରେ ବଜାରଗୁଡ଼ିକରେ ମଧ୍ୟ ଧୀରେ ଧୀରେ ଚମକ ଫେରୁଛି । କିନ୍ତୁ ଆମେ ଏହାକୁ ଭୁଲି ଯିବା ନାହିଁ ଯେ ଲକ ଡାଉନ୍ ହୁଏତ ଚାଲି ଯାଇଛି, କିନ୍ତୁ ଭୂତାଣୁ ଯାଇନାହିଁ । ବିଗତ 7-8 ମାସରେ, ପ୍ରତ୍ୟେକ ଭାରତୀୟଙ୍କ ପ୍ରୟାସ ଯୋଗୁଁ, ଭାରତ ଆଜି ଯେଉଁ ନିୟନ୍ତ୍ରଣାଧୀନ ସ୍ଥିତିରେ ରହିଛି, ଆମେ ତାହାକୁ ବିଗାଡ଼ିବାକୁ ଦେବାନାହିଁ, ଆହୁରି ଅଧିକ ସୁଧାର ଆଣିବାକୁ ହେବ ।

ଆଜି ଦେଶରେ ଆରୋଗ୍ୟଙ୍କ ସଂଖ୍ୟା ଭଲ ଅଛି, ମୃତ୍ୟୁ ହାର କମ୍ ଅଛି । ଭାରତରେ ଯେଉଁଠି ପ୍ରତି ଦଶ ଲକ୍ଷ ଜନସଂଖ୍ୟାରେ ପ୍ରାୟ 5500 ଲୋକଙ୍କୁ କରୋନା ହୋଇଛି, ସେଠି ଆମେରିକା ଏବଂ ବ୍ରାଜିଲ ଭଳି ଦେଶରେ ଏହି ସଂଖ୍ୟା 25 ହଜାର ପାଖାପାଖି ଅଛି । ଭାରତରେ ପ୍ରତି ଦଶ ଲକ୍ଷ ଲୋକରେ ମୃତ୍ୟୁହାର ହେଉଛି 83, ଯେତେବେଳେ କି ଆମେରିକା, ବ୍ରାଜିଲ, ସ୍ପେନ୍, ବ୍ରିଟେନ ଭଳି ଅନେକ ଦେଶରେ ଏହି ସଂଖ୍ୟା 600 ଅତିକ୍ରମ କରିଛି । ବିଶ୍ୱରେ ବିକଶିତ ଏବଂ ସମ୍ପନ୍ନ ଦେଶଗୁଡ଼ିକ ତୁଳନାରେ ଭାରତ ନିଜର ଅଧିକରୁ ଅଧିକ ନାଗରିକଙ୍କ ଜୀବନ ରକ୍ଷା କରିବାରେ ସଫଳ ହୋଇଛି । ଆଜି ଆମ ଦେଶରେ କରୋନା ରୋଗୀଙ୍କ ପାଇଁ 90 ଲକ୍ଷରୁ ଅଧିକ ଶଯ୍ୟା ସୁବିଧା ଉପଲବ୍ଧ ହେଉଛି । 12,000 କ୍ୱାରେଂଟାଇନ କେନ୍ଦ୍ର ରହିଛି । କରୋନା ପରୀକ୍ଷଣ ପାଇଁ ପ୍ରାୟ 2000 ପରୀକ୍ଷାଗାର କାର୍ଯ୍ୟ କରୁଛି । ଦେଶରେ ନମୁନା ପରୀକ୍ଷଣ ଖୁବ ଶୀଘ୍ର 10 କୋଟି ସଂଖ୍ୟାକୁ ଅତିକ୍ରମ କରିଯିବ । କୋଭିଡ଼ ମହାମାରୀ ବିରୁଦ୍ଧରେ ଲଢ଼େଇରେ ନମୁନା ପରୀକ୍ଷଣର ଏହି ବୃଦ୍ଧି ପାଉଥିବା ସଂଖ୍ୟା ହେଉଛି ଆମର ଏକ ବଡ଼ ଶକ୍ତି ।

ସେବା ପରୋମୋ ଧର୍ମ: ଏହି ମନ୍ତ୍ର ଆଧାରରେ ଅଗ୍ରସର ହୋଇ ଆମର ଡାକ୍ତର, ସେବିକା, ସ୍ୱାସ୍ଥ୍ୟକର୍ମୀ, ଆମର ସୁରକ୍ଷାକର୍ମୀ, ଆହୁରି ମଧ୍ୟ ସେବା ଭାବ ସହିତ କାର୍ଯ୍ୟ କରୁଥିବା ଲୋକ ଏତେ ବଡ଼ ଜନ ସଂଖ୍ୟାର ନିଃସ୍ୱାର୍ଥପର ଭାବେ ସେବା କରୁଛନ୍ତି । ଏହି ସମସ୍ତ ପ୍ରୟାସ ମଧ୍ୟରେ ଏହି ସମୟରେ ଅବହେଳା କରିବା ଠିକ୍ ହେବନାହିଁ । ଏହି ସମୟରେ ଏହା ଧରି ନେବା ଠିକ୍ ନୁହେଁ ଯେ କରୋନା ଚାଲିଗଲା, ଅବା ପୁଣି କରୋନା ଯୋଗୁଁ କୌଣସି ବିପଦ ନାହିଁ । ନିକଟରେ ଆମେ ସମସ୍ତେ ବହୁତ ଫଟୋ, ଭିଡିଓ ଦେଖିଛେ, ଯେଉଁଥିରେ ସ୍ପଷ୍ଟ ଦେଖାଯାଉଛି କି ଅନେକ ଲୋକ ଏବେ ସତର୍କତା ଅବଲମ୍ବନ କରିବା ବନ୍ଦ କରି ଦେଇଛନ୍ତି ଅବା କୋହଳ ହୋଇ ଯାଇଛନ୍ତି । ଏହା କଦାପି ଠିକ୍ ନୁହେଁ । ଯଦି ଆପଣମାନେ ଅବହେଳା କରୁଛନ୍ତି, ବିନା ମାସ୍କ ପିନ୍ଧି ବାହାରକୁ ଯାଉଛନ୍ତି, ତେବେ ଆପଣ ନିଜେ ନିଜକୁ, ନିଜ ପରିବାରକୁ, ନିଜ ପରିବାରର ଛୋଟ ପିଲାମାନଙ୍କୁ, ବୟସ୍କ ଲୋକମାନଙ୍କୁ ସେତିକି ବିପଦରେ ପକାଉଛନ୍ତି । ଆପଣ ଧ୍ୟାନ ରଖନ୍ତୁ, ଆଜି ଆମେରିକା ହେଉ, ଅବା ପୁଣି ୟୁରୋପର ଅନ୍ୟାନ୍ୟ ଦେଶ, ଏହି ଦେଶଗୁଡ଼ିକରେ କରୋନା ସଂକ୍ରମଣ କମ୍ ହେଉଥିଲା, କିନ୍ତୁ ଅଚାନକ ପୁଣି ବଢ଼ିବାରେ ଲାଗିଲା ଏବଂ ଚିନ୍ତାଜନକ ଭାବେ ବୃଦ୍ଧି ପାଉଛି ।

ସାଥୀଗଣ, ସନ୍ଥ କବିର ଦାସଜୀ କହିଥିଲେ- ପକି ଖେତି ଦେଖିକେ, ଗରବ କିୟା କିଷାନ । ଅଜହୁଁ ଝୋଲା ବହୁତ ହୈ, ଘର ଆୱେ ତବ୍ ଜାନ୍ । ଅର୍ଥାତ, ଅନେକ ଥର ଆମେ ଅମଳ ଉପଯୋଗୀ ଫସଲ ଦେଖି ଅତି ଆତ୍ମବିଶ୍ୱାସର ସହିତ ଆନନ୍ଦିତ ହୋଇ ଯାଇଥାଉ ଯେ, ଏବେ କାମ ହୋଇଗଲା । କିନ୍ତୁ ଯେତେବେଳ ପର୍ଯ୍ୟନ୍ତ ଫସଲ ଘରକୁ ଆସି ନଥାଏ, ସେ ପର୍ଯ୍ୟନ୍ତ କାର୍ଯ୍ୟ ପୂରା ହୋଇନାହିଁ ମାନିବା ଉଚିତ । ଏହା କବିର ଦାସ କହି ଯାଇଛନ୍ତି । ଅର୍ଥାତ ଯେ ପର୍ଯ୍ୟନ୍ତ ସଂପୂର୍ଣ୍ଣ ଭାବେ ସଫଳତା ହାସଲ ହୋଇ ନାହିଁ, ସେ ପର୍ଯ୍ୟନ୍ତ ଅବହେଳା କରିବା ଉଚିତ ନୁହେଁ ।

ସାଥୀଗଣ, ଯେ ପର୍ଯ୍ୟନ୍ତ ଏହି ମହାମାରୀର ଟୀକା ଆସି ନାହିଁ, ଆମେ କରୋନା ବିରୁଦ୍ଧରେ ନିଜ ଲଢ଼େଇକୁ ସମାନ୍ୟତମ ଦୁର୍ବଳ ହେବାକୁ ଦେବାନାହିଁ । ଅନେକ ବର୍ଷ ପରେ ଆମେ ଏଭଳି ହେବା ଦେଖୁଛୁ ଯେ ମାନବ ସମାଜକୁ ବଂଚାଇବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ସମଗ୍ର ବିଶ୍ୱରେ କାର୍ଯ୍ୟ ହେଉଛି । ଅନେକ ଦେଶ ଏଥିପାଇଁ କାର୍ଯ୍ୟ କରୁଛନ୍ତି । ଆମ ଦେଶର ବୈଜ୍ଞାନିକମାନେ ମଧ୍ୟ ଟୀକାର ବିକାଶ ପାଇଁ ମନ-ପ୍ରାଣ ଦେଇ ଲାଗି ରହିଛନ୍ତି । ଭାରତରେ ଏବେ କରୋନାର ଅନେକ ଟୀକା ଉପରେ କାର୍ଯ୍ୟ ଚାଲୁ ରହିଛି । ଏଥିମଧ୍ୟରୁ କେତେକ ଅଗ୍ରଣୀ ବା ଆଡଭାନ୍ସ ସ୍ତରରେ ଅଛି । ଆଶ୍ୱସ୍ତ ସ୍ଥିତି ଦେଖିବାକୁ ମିଳୁଛି ।

ସାଥୀଗଣ, କରୋନା ଟୀକା ଯେତେବେଳେ ମଧ୍ୟ ଆସିବ, ତାକୁ ଯେତେ ଶୀଘ୍ର ସମ୍ଭବ ପ୍ରତ୍ୟେକ ଭାରତୀୟଙ୍କ ପାଖରେ କିଭଳି ପହଂଚାଯିବ, ଏଥିପାଇଁ ମଧ୍ୟ ସରକାରଙ୍କ ପ୍ରସ୍ତୁତି ଜାରି ରହିଛି । ପ୍ରତ୍ୟେକ ନାଗରିକଙ୍କ ପାଖରେ ଟୀକା ପହଂଚୁ, ସେଥିପାଇଁ ଦ୍ରୁତ ଗତିରେ କାର୍ଯ୍ୟ ହେଉଛି । ସାଥୀଗଣ, ରାମଚରିତ ମାନସରେ, ବହୁତ ଶିକ୍ଷାପ୍ରଦ କଥା କୁହା ଯାଇଛି, ଶିଖିବା ଭଳି କଥା କୁହାଯାଇଛି । କିନ୍ତୁ ଏହା ସହିତ ଅନେକ ପ୍ରକାରର ସତର୍କତା ମଧ୍ୟ ଅଛି, ଯେଭଳି ରାମଚରିତ ମାନସରେ ବହୁତ ବଡ଼ କଥା କୁହା ଯାଇଛି । ରିପୁ ରୁଜ ପାୱକ ପାପ, ପ୍ରଭୁ ଅହି ଗନିଅ ନ ଛୋଡ଼୍ କରି । ଅର୍ଥାତ, ଅଗ୍ନି, ଶତ୍ରୁ, ପାପ, ଭୁଲ ଏବଂ ରୋଗ, ଏମାନଙ୍କୁ କେବେ ଛୋଟ ଭାବିବା ଉଚିତ ନୁହେଁ । ଯେ ପର୍ଯ୍ୟନ୍ତ ଏହାର ସଂପୂର୍ଣ୍ଣ ଚିକିତ୍ସା ନ ହୋଇ ଯାଇଛି, ଏହାକୁ ହାଲୁକା ଭାବେ ଧରି ନେବା ଉଚିତ ନୁହେଁ । ଏଥିପାଇଁ ମନେ ରଖନ୍ତୁ, ଯେ ପର୍ଯ୍ୟନ୍ତ ଔଷଧ ନାହିଁ, ସେ ପର୍ଯ୍ୟନ୍ତ କୋହଳ ହେବା ନାହିଁ । ପର୍ବପର୍ବାଣୀ ଓ ଉତ୍ସବର ସମୟ, ଆମ ଜୀବନରେ ହେଉଛି ଖୁସିର ସମୟ, ଉଲ୍ଲାସର ସମୟ ।

ଏକ କଠିନ ସମୟରୁ ବାହାରି ଆମେ ଆଗକୁ ବଢ଼ୁଛେ, ତିଳେମାତ୍ର ଅବହେଳା ଆମର ଗତିକୁ ରୋକି ଦେଇପାରେ, ଆମର ଖୁସିକୁ ମଳିନ କରି ଦେଇପାରେ । ଜୀବନର ଦାୟିତ୍ୱବୋଧକୁ ତୁଲାଇବା ଏବଂ ସତର୍କତା ଅବଲମ୍ବନ କରିବା, ଏହି ଦୁଇଟି ଏକ ସଙ୍ଗେ ଚାଲିବ, ତେବେ ଜୀବନରେ ଆନନ୍ଦ ଲାଗି ରହିବ । ଦୁଇ ଗଜର ଦୂରତା, ସମୟ-ସମୟରେ ସାବୁନରେ ହାତ ଧୋଇବା, ଏବଂ ମାସ୍କ ପିନ୍ଧିବା ଏହାର ଧ୍ୟାନ ରଖନ୍ତୁ । ଆଉ ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ହାତ ଯୋଡ଼ି ପ୍ରାର୍ଥନା କରୁଛି ଆପଣମାନଙ୍କୁ ମୁଁ ସୁରକ୍ଷିତ ଦେଖିବା ପାଇଁ ଚାହୁଁଛି, ଆପଣଙ୍କ ପରିବାରକୁ ସୁଖୀ ଦେଖିବାକୁ ଚାହିଁଛି । ଏହି ପାର୍ବଣ ଆପଣଙ୍କ ଜୀବନରେ ଉତ୍ସାହ ଏବଂ ଉଦ୍ଦୀପନା ବଢ଼ାଉ, ଏଭଳି ବାତାବରଣ ଚାହୁଁଛି ଆଉ ଏଥିପାଇଁ ମୁଁ ବାରମ୍ବାର ପ୍ରତ୍ୟେକ ଦେଶବାସୀଙ୍କୁ ଅନୁରୋଧ କରୁଛି ।

ମୁଁ ଆଜି ନିଜର ମିଡିଆ ବନ୍ଧୁମାନଙ୍କୁ ଓ ସାମାଜିକ ଗଣମାଧ୍ୟମରେ ଯେଉଁମାନେ ସକ୍ରିୟ ଅଛନ୍ତି, ସେମାନଙ୍କୁ ମଧ୍ୟ ବଡ଼ ଅନୁରୋଧ କରିବାକୁ ଚାହୁଁଛି ଯେ ଆପଣ ସଚେତନତା ଆଣିବା ପାଇଁ ଏହି ନିୟମଗୁଡ଼ିକୁ ପାଳନ କରିବା ଲାଗି ଯେତେ ଜନ-ଜାଗରଣ ଅଭିଯାନ କରିବେ, ଏହା ଆପଣଙ୍କ ତରଫରୁ, ଦେଶ ପାଇଁ ବହୁତ ବଡ଼ ସେବା ହେବ । ଆପଣ ନିଶ୍ଚିତ ଭାବେ ଆମକୁ ସହଯୋଗ କରନ୍ତୁ, ଦେଶର କୋଟି-କୋଟି ଲୋକଙ୍କର ସହାୟତା କରନ୍ତୁ ।

ମୋର ପ୍ରିୟ ଦେଶବାସୀଗଣ, ସୁସ୍ଥ ରୁହନ୍ତୁ, ଦ୍ରୁତ ଗତିରେ ଆଗକୁ ବଢ଼ନ୍ତୁ ଏବଂ ଆମେ ସମସ୍ତେ ମିଳିମିଶି ଦେଶକୁ ଆଗକୁ ବଢ଼ାଇବା, ଏହି ଶୁଭକାମନା ସହିତ ନବରାତ୍ର, ଦଶହରା, ଇଦ୍, ଦୀପାବଳୀ, ଛଠ୍ ପୂଜା, ଗୁରୁ ନାନକ ଜୟନ୍ତୀ ସମେତ ସମସ୍ତ ଉତ୍ସବ ଓ ପର୍ବପର୍ବାଣୀ ପାଇଁ ସମସ୍ତ ଦେଶବାସୀଙ୍କୁ ପୁଣିଥରେ ବହୁତ-ବହୁତ ଶୁଭେଚ୍ଛା ଜଣାଉଛି ।

ଧନ୍ୟବାଦ!

Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
India produced record rice, wheat, maize in 2024-25, estimates Centre

Media Coverage

India produced record rice, wheat, maize in 2024-25, estimates Centre
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମାର୍ଚ୍ଚ 10, 2025
March 10, 2025

Appreciation for PM Modi’s Efforts in Strengthening Global Ties