ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମାର୍ଚ୍ଚ ୧୩ ତାରିଖ ଅପରାହ୍ନ ୪ଟାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପଛୁଆ ବର୍ଗଙ୍କ ପାଇଁ ଋଣ ସହାୟତା ପାଇଁ ଦେଶବ୍ୟାପୀ ପହଂଚ କାର୍ଯ୍ୟକ୍ରମରେ ଯୋଗ ଦେବେ । ଶ୍ରୀ ମୋଦୀ ପ୍ରଧାନମନ୍ତ୍ରୀ ସାମାଜିକ ଉତ୍ଥାନ ଏବଂ ରୋଜଗାର ଆଧାର ଜନକଲ୍ୟାଣ (ପିଏମ୍ - ସୁରଜ) ଜାତୀୟ ପୋର୍ଟାଲର ଶୁଭାରମ୍ଭ କରିବେ ଏବଂ ଦେଶର ଅବହେଳିତ ବର୍ଗର ଏକ ଲକ୍ଷ ଉଦ୍ୟୋଗୀଙ୍କୁ ଋଣ ସହାୟତା ମଞ୍ଜୁର କରିବେ । ଏହାବ୍ୟତୀତ ପ୍ରଧାନମନ୍ତ୍ରୀ ଅନୁସୂଚିତ ଜାତି, ପଛୁଆ ବର୍ଗ ଏବଂ ସଫେଇ କର୍ମଚାରୀଙ୍କ ସମେତ ଅବହେଳିତ ବର୍ଗର ବିଭିନ୍ନ ସରକାରୀ ଯୋଜନାର ହିତାଧିକାରୀଙ୍କ ସହ ଆଲୋଚନା କରିବେ । ଏହି ଅବସରରେ ସେ ସମାବେଶକୁ ସମ୍ବୋଧିତ କରିବେ ।
ପଛୁଆ ବର୍ଗଙ୍କୁ ଋଣ ସହାୟତା ପାଇଁ ପିଏମ୍ - ସୁରଜ ଜାତୀୟ ପୋର୍ଟାଲ ଗରିବ ଲୋକଙ୍କୁ ପ୍ରାଥମିକତା (ବଞ୍ଚିତ କୋ ବରିୟତା) ଦେବା ନିମନ୍ତେ ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ । ଏହା ଏକ ପରିବର୍ତ୍ତନମୂଳକ ପଦକ୍ଷେପ, ଯାହାର ଉଦ୍ଦେଶ୍ୟ ହେଉଛି ସମାଜର ସବୁଠାରୁ ଅବହେଳିତ ବର୍ଗର ଉନ୍ନତି କରିବା । ବ୍ୟାଙ୍କ, ଏନ୍ବିଏଫ୍ସି -ଏମ୍ଏଫ୍ଆଇ ଏବଂ ଅନ୍ୟାନ୍ୟ ଅନୁଷ୍ଠାନ ମାଧ୍ୟମରେ ସମଗ୍ର ଦେଶରେ ଯୋଗ୍ୟ ବ୍ୟକ୍ତିମାନଙ୍କୁ ଏହି ଋଣ ସହାୟତା ପ୍ରଦାନ କରାଯିବ ।
ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନ୍ୟାସନାଲ ଆକ୍ସନ ଫର ମେକାନାଇଜ୍ଡ ସାନିଟେସନ୍ ଇକୋସିଷ୍ଟମ (ନମସ୍ତେ) ଯୋଜନା ଅଧୀନରେ ସଫେଇ ମିତ୍ର (ନର୍ଦ୍ଦମା ଏବଂ ସେପ୍ଟି ଟ୍ୟାଙ୍କ କର୍ମଚାରୀ)ଙ୍କୁ ଆୟୁଷ୍ମାନ ସ୍ୱାସ୍ଥ୍ୟ କାର୍ଡ ଏବଂ ପିପିଇ କିଟ୍ ବଣ୍ଟନ କରିବେ । ଆହ୍ୱାନପୂର୍ଣ୍ଣ ପରିସ୍ଥିତିରେ ସେବା କରୁଥିବା ଆଗଧାଡ଼ିର କର୍ମଚାରୀଙ୍କ ସ୍ୱାସ୍ଥ୍ୟ ଏବଂ ନିରାପତ୍ତାକୁ ସୁରକ୍ଷିତ ରଖିବା ଦିଗରେ ଏହା ହେଉଛି ଆଉ ଏକ ପଦକ୍ଷେପ ।
ଏହି କାର୍ଯ୍ୟକ୍ରମରେ ଦେଶର ପଛୁଆ ବର୍ଗର ଲୋକମାନଙ୍କ ମଧ୍ୟରୁ ୫୦୦ରୁ ଅଧିକ ଜିଲ୍ଲାରୁ ବିଭିନ୍ନ ସରକାରୀ ଯୋଜନାର ପ୍ରାୟ ୩ ଲକ୍ଷ ହିତାଧିକାରୀ ଅଂଶଗ୍ରହଣ କରିବେ ।