ଏକ ଐତିହାସିକ ଉଦ୍ୟମକ୍ରମେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି (୨୭ସେପ୍ଟେମ୍ବର)ଦିନ ୧୧ଟା ସମୟରେ ଭିଡିଓ କନ୍ଫରେନ୍ସିଂ ବ୍ୟବସ୍ଥାରେ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନର ଶୁଭାରମ୍ଭ କରିବେ । ଏହା ପରେ ସେ ଏଥିରେ ଉଦ୍ବୋଧନ ଦେବେ ।
୨୦୨୦ ଅଗଷ୍ଟ ୧୫ ତାରିଖରେ ଲାଲକିଲ୍ଳାର ପ୍ରାଚୀର ଉପରୁ ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନର ପାଇଲଟ ପ୍ରୋଜେକ୍ଟ ବିଷୟରେ ଘୋଷଣା କରିଥିଲେ । ସମ୍ପ୍ରତି ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ଏକ ଆଗୁଆ ପ୍ରକଳ୍ପ (ପାଇଲଟ୍ ପ୍ରକଳ୍ପ) ଭାବେ ଛ’ଟି କେନ୍ଦ୍ରଶାସିତ ଅଞ୍ଚଳରେ କାର୍ଯ୍ୟକାରୀ ହେଉଛି ।
ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ ବା ଏନ୍ଏଚ୍ଏ ଏହାର ପ୍ରତିଷ୍ଠାର ତୃତୀୟ ବର୍ଷ ପୂର୍ତ୍ତିପାଳନ କରିବା ଅବସରରେ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ଦେଶବ୍ୟାପୀ କାର୍ଯ୍ୟକାରୀ ହେବ । ଏହା ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ଏବିପିଏମ୍-ଜେଏୱାଇ)କୁ ତ୍ୱରାନ୍ୱିତ କରିବ । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ ।
ଏହି ମିଶନର ରୂପରେଖ- ଜନଧନ, ଆଧାର ଓ ମୋବାଇଲ (ଜାମ୍) ଅଧୀନରେ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ କେନ୍ଦ୍ର ସରକାରଙ୍କ ଆଉ ଏକ ନୂଆ ପ୍ର୍ରୟାସ । ଏହା ମାଧ୍ୟମରେ ଏକ ସିମ୍ଲେସ୍ (ବାଧାରହିତ) ଅନଲାଇନ ପ୍ଳାଟଫର୍ମ ସୃଷ୍ଟି କରାଯିବ ଯାହା ହିତାଧିକାରୀଙ୍କୁ ବିଭିନ୍ନ ପ୍ରକାର ଡାଟା, ସୂଚନା, ଭିତ୍ତିଭୂମି, ସେବା ଯୋଗାଇଦେବ । ଏହା ମଧ୍ୟ ଡିଜିଟାଲ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ମଧ୍ୟରେ ଇଣ୍ଟରପୋଟେବିଲିଟ ସୁବିଧା ଯୋଗାଇଦେବ । ଏହି ପ୍ଲାଟଫର୍ମ ହିତାଧିକାରୀଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବ୍ୟକ୍ତିଗତ ସୂଚନା ଓ ଅନ୍ୟ ସମସ୍ତ ତଥ୍ୟ ଗୁପ୍ତ ରଖିବ । ଏହାର ନିରାପତ୍ତା ବ୍ୟବସ୍ଥା ଓ ଗୋପନୀୟତାକୁ ସୁନିଶ୍ଚିତ କରାଯାଇଛି । ଏହି ମିଶନ ମାଧ୍ୟମରେ ହିତାଧିକାରୀଙ୍କ ବିଭିନ୍ନ ସ୍ୱାସ୍ଥ୍ୟଗତ ତଥ୍ୟାବଳୀ ରେକର୍ଡକୁ ସେମାନଙ୍କ ଅନୁମତିକ୍ରମେ ଆକ୍ସେସ୍ କରିହେବ ।
ଏହି ମିଶନରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଶେଷତ୍ୱ ହେଲା ପ୍ରତ୍ୟେକ ନାଗରିକଙ୍କୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଆଇଡି ପ୍ରଦାନ କରାଯିବ । ଏହି ଆଇଡି ସେମାନଙ୍କ ସ୍ୱାସ୍ଥ୍ୟ ଆକାଉଣ୍ଟଭାବେ କାର୍ଯ୍ୟକରିବ । ଆବଶ୍ୟକସ୍ଥଳେ ସେମାନଙ୍କ ବ୍ୟକ୍ତିଗତ ସ୍ୱାସ୍ଥ୍ୟ ବିବରଣୀକୁ ମୋବାଇଲ ଆପ୍ଲିକେଶନ ଦ୍ୱାରା ଲିଙ୍କ କରିହେବ କିମ୍ବା ଦେଖି ହେବ । ଆହୁରି ମଧ୍ୟ ଏଥିପାଇଁ ହେଲ୍ଥ କେୟାର ପ୍ରଫେସନାଲସ୍ ରେଜିଷ୍ଟ୍ରୀ (ଏଚପିଆର) ଓ ସ୍ୱାସ୍ଥ୍ୟ ସୁବିଧା ରେଜିଷ୍ଟ୍ରୀ (ଏଚଏଫଆର) ତିଆରି କରାଯିବ ଯାହା ଏ କ୍ଷେତ୍ରରେ ସବୁ ଆଧୁନିକ ଓ ପାରମ୍ପରିକ ଚିକିତ୍ସା ଏବଂ ଔଷଧ ବ୍ୟବସ୍ଥା ପ୍ରଦାନକାରୀଙ୍କର ଏକ ରିପୋଜିଟରୀଭାବେ କାମ କରିବ । ସଂକ୍ଷେପରେ ଏହି ରିପୋଜିଟରୀରେ ଚିକିତ୍ସକ, ହସ୍ପିଟାଲ, ଚିକିତ୍ସାସେବା ଯୋଗାଣ ସଂକ୍ରାନ୍ତ ସବୁ ତଥ୍ୟ ରହିବ ଏବଂ ଏହା ସାହାଯ୍ୟରେ ଚିକିତ୍ସା ସେବା ବ୍ୟବସ୍ଥା ଅଧିକ ବ୍ୟାପକ ତଥା ସଫଳ କରାଯାଇପାରିବ ।
ଏ ମିଶନର ଅଂଶସ୍ୱରୂପ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ସ୍ୟାଣ୍ଡବକ୍ସ ତିଆରି କରାଯାଇଛି । ଏହା ସାମଗ୍ରୀ ଓ ଟେକ୍ନୋଲୋଜି୍ ଟେଷ୍ଟିଂର ଏକ ଢାଞ୍ଚାଭାବେ କାମ କରିବ । ଏହାଦ୍ୱାରା ଘରୋଇ କ୍ଷେତ୍ର ସମେତ ବିଭିନ୍ନ ପ୍ରତିଷ୍ଠାନ ଉପକୃତ ହେବେ । ସେମାନେ ଚାହିଁଲେ ଜାତୀୟ ଡିଜିଟାଲ ସ୍ୱାସ୍ଥ୍ୟମିଶନରେ ସହଜରେ ସାମିଲ ହୋଇପାରିବ ।
ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ ଭଳି ଏହି ମିଶନ ଏହାର ଡିଜିଟାଲ ସ୍ୱାସ୍ଥ୍ୟ ବ୍ୟବସ୍ଥା ମଧ୍ୟରେ ଏକ ବୈପ୍ଲବିକ ପରିବର୍ତ୍ତିତ ଆଣିପାରିବ । ଗୋଟିଏ କ୍ଲିକ୍ରେ ନାଗରିକ ସ୍ୱାସ୍ଥ୍ୟସେବା ସୁବିଧା ଏହା ମାଧ୍ୟମରେ ଆକ୍ସେସ୍ କରିପାରିବେ ।