ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା 13 ତାରିଖ ଦିନ ଜାମନଗରଠାରେ ଆୟୁର୍ବେଦ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ (ଆଇଟିଆରଏ) ଏବଂ ଜୟପୁରଠାରେ ଜାତୀୟ ଆୟୁର୍ବେଦ ପ୍ରତିଷ୍ଠାନ (ଏନଆଇଏ)ର ଉଦଘାଟନ କରିବେ । ପଞ୍ଚମ ଆୟୁର୍ବେଦ ଦିବସ ଅବସରରେ ଭିଡିଓ କନଫରେନ୍ସ ଜରିଆରେ ଉଦଘାଟିତ ହେବାକୁ ଥିବା ଏହି ଦୁଇଟି ପ୍ରତିଷ୍ଠାନ ଏକବିଂଶ ଶତାବ୍ଦୀରେ ଆୟୁର୍ବେଦ କ୍ଷେତ୍ରରେ ସମଗ୍ର ବିଶ୍ଵକୁ ନେତୃତ୍ଵ ଦେବାର ସମ୍ଭାବନା ରହିଛି ।
ପୃଷ୍ଠଭୂମି
ଧନ୍ଵନ୍ତରୀ ଜୟନ୍ତୀକୁ 2016ରୁ ଆୟୁର୍ବେଦ ଦିବସ ଭାବେ ପାଳନ କରାଯାଇ ଆସୁଛି । ଚଳିତ ବର୍ଷ ଏହା ଆସନ୍ତା 13 ତାରିଖରେ ପଡିବ । ଆୟୁର୍ବେଦ ଦିବସ ଏହି ପେଶା ଓ ସମାଜ ନିମନ୍ତେ ଉତ୍ସର୍ଗୀକୃତ । ଏହା କୌଣସି ଉତ୍ସବ ବା ସମାବେଶ ପାଇଁ ଉଦ୍ଦିଷ୍ଟ ନୁହେଁ । ଚଳିତ ବର୍ଷ ଆୟୁର୍ବେଦ ଦିବସ ପାଳନ ଅବସରରେ କୋଭିଡ-19 ବୈଶ୍ଵିକ ମହାମାରୀ ପାଇଁ ଆୟୁର୍ବେଦର ଭୂମିକା ମୁଖ୍ୟ ବିଷୟ ରହିବ ।
ଆୟୁଷ ପଦ୍ଧତିରେ ଅନ୍ତର୍ନିହିତ ଅନେକ ସ୍ଵାସ୍ଥ୍ୟସେବା ଓ ଅଳ୍ପ ବ୍ୟୟଯୁକ୍ତ ବିଷୟଗୁଡ଼ିକୁ ଲୋକଲୋଚନାକୁ ଆଣି ଏହା ଜନସ୍ୱାସ୍ଥ୍ୟ ଦିଗରେ କିପରି ଉପାଦେୟ ହେବ ତାହା ସରକାରଙ୍କ ଏକ ପ୍ରାଥମିକତା । ସେ ଦୃଷ୍ଟିରୁ ଆୟୁଷ ଶିକ୍ଷାର ଆଧୁନିକରଣ ମଧ୍ୟ ଖୁବ ଗୁରୁତ୍ୱପୂର୍ଣ୍ଣ । ଗତ 3-4 ବର୍ଷ ମଧ୍ୟରେ ଏଦିଗରେ ବହୁବିଧ ପଦକ୍ଷେପମାନ ନିଆଯାଇଛି । ଏଦିଗରେ ଜାମନଗରସ୍ଥିତ ଆଟିଆରଏ ଏବଂ ଜୟପୁରର ଏନଆଇଏ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ଓ ଏହାକୁ ଡିମ୍ଡ଼ ବିଶ୍ଵବିଦ୍ୟାଳୟର ମାନ୍ୟତା ଦେବା ଆୟୁର୍ବେଦ ଶିକ୍ଷାର ଆଧୁନିକରଣ ଦିଗରେ ଏକ ଐତିହାସିକ ପଦକ୍ଷେପ କହିଲେ ଅତ୍ୟୁକ୍ତି ହେବ ନାହିଁ । ଏହାଛଡା ଔଷଧପତ୍ରର ଉପଯୋଗ କ୍ଷେତ୍ରରେ ମଧ୍ୟ ଏହା ଏକ ବିରାଟ ପଦକ୍ଷେପ । ସେଦୃଷ୍ଟିରୁ ଏହି ପ୍ରତିଷ୍ଠାନ ଦୁଇଟିକୁ ଆୟୁର୍ବେଦ ଶିକ୍ଷା ଦିଗରେ ସ୍ଵୟଂଶାସିତ କ୍ଷମତା ଦିଆଯିବ ଓ ଜାତୀୟ ଓ ଆନ୍ତର୍ଜାତୀୟ ସ୍ଵାସ୍ଥ୍ୟସେବାର ଆୟୁର୍ବେଦିକ ଚିକିତ୍ସା ଓ ଗବେଷଣା କ୍ଷେତ୍ରରେ ଏକ ବଳିଷ୍ଠ ଭୂମିକା ତୁଲାଇପାରିବ ।