ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୮ ମାର୍ଚ୍ଚ ୨୦୨୩ ପୂର୍ବାହ୍ନ ୧୧ ଟା ସମୟରେ ସୁବ୍ରମଣ୍ୟମ ହଲ୍, ଆଇଏଆରଆଇ କ୍ୟାମ୍ପସ, ଏନଏଏସ୍ସି କମ୍ପ୍ଲେକ୍ସ, ପୁସା ନୂଆଦିଲ୍ଲୀ ଠାରେ ଗ୍ଲୋବାଲ ମିଲେଟସ (ଶ୍ରୀ ଅନ୍ନ) ସମ୍ମିଳନୀକୁ ଉଦଘାଟନ କରିବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମଧ୍ୟ ସମାବେଶକୁ ସମ୍ବୋଧିତ କରିବେ ।
ଭାରତର ପ୍ରସ୍ତାବକୁ ଆଧାର କରି ୨୦୨୩ ବର୍ଷକୁ ମିଳିତ ଜାତିସଂଘ ମହାସଭା (ୟୁଏନଜିଏ) ଦ୍ୱାରା ଅନ୍ତର୍ଜାତୀୟ ମିଲେଟ ବର୍ଷ (ଆଇୱାଇଏମ୍) ଭାବରେ ଘୋଷଣା କରାଯାଇଥିଲା । ଆଇୱାଇଏମ୍ ୨୦୨୩ ର ସମାରୋହକୁ ଏକ ‘ଜନ ଆନ୍ଦୋଳନ'ରେ ପରିଣତ କରିବା ଏବଂ ଭାରତକୁ ‘ମିଲେଟର ଗ୍ଲୋବାଲ୍ ହବ୍' ବା ଜାଗତିକ କେନ୍ଦ୍ର ଭାବରେ ପରିଣତ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ସଂକଳ୍ପ ଅନୁଯାୟୀ, ସମସ୍ତ କେନ୍ଦ୍ର ସରକାରୀ ମନ୍ତ୍ରଣାଳୟ / ବିଭାଗ, ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳ, କୃଷକ, ଷ୍ଟାର୍ଟ ଅପ୍, ରପ୍ତାନିକାରୀ, ଖୁଚୁରା ବ୍ୟବସାୟୀ ଏବଂ ଅନ୍ୟାନ୍ୟ ହିତାଧିକାରୀ ମାନଙ୍କୁ ଚାଷୀ, ଉପଭୋକ୍ତା ଏବଂ ଜଳବାୟୁ ପାଇଁ ମିଲେଟ (ଶ୍ରୀ ଅନ୍ନ)ର ଲାଭ ବିଷୟରେ ସଚେତନତା ଏବଂ ପ୍ରୋତ୍ସାହନର ପ୍ରସାର ପାଇଁ ନିୟୋଜିତ ଅଛନ୍ତି । ଭାରତରେ ଗ୍ଲୋବାଲ୍ ମିଲେଟ୍ସ (ଶ୍ରୀ ଅନ୍ନ) ସଂଗଠନର ସମ୍ମିଳନୀ ଏହି ପ୍ରସଙ୍ଗରେ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ।
ଦୁଇ ଦିନିଆ ବିଶ୍ୱସ୍ତରୀୟ ସମ୍ମିଳନୀରେ ଉତ୍ପାଦକ, ଗ୍ରାହକ ଏବଂ ଅନ୍ୟାନ୍ୟ ହିତାଧିକାରୀଙ୍କ ମଧ୍ୟରେ ମିଲେଟର ପ୍ରୋତ୍ସାହନ ଏବଂ ସଚେତନତା ଭଳି ମିଲେଟ (ଶ୍ରୀ ଅନ୍ନ) ସହ ଜଡିତ ସମସ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଅଧିବେଶନ ହେବ ।ଏଥିରେ ମିଲେଟଗୁଡିକର ମୂଲ୍ୟ ଶୃଙ୍ଖଳା ବିକାଶ; ମିଲେଟର ସ୍ୱାସ୍ଥ୍ୟ ଏବଂ ପୁଷ୍ଟିକର ଦିଗ; ବଜାର ସଂଯୋଗ; ଗବେଷଣା ଏବଂ ବିକାଶ ଇତ୍ୟାଦି ଦିଗ ସ୍ଥାନ ପାଇବ । ଏହି ସମ୍ମିଳନୀରେ ବିଭିନ୍ନ ଦେଶର କୃଷି ମନ୍ତ୍ରୀ, ଅନ୍ତର୍ଜାତୀୟ ବୈଜ୍ଞାନିକ, ପୁଷ୍ଟି ବିଶେଷଜ୍ଞ, ସ୍ୱାସ୍ଥ୍ୟ ବିଶେଷଜ୍ଞ, ଷ୍ଟାର୍ଟ ଅପ୍ ମୁଖ୍ୟ ଏବଂ ଅନ୍ୟାନ୍ୟ ହିତାଧିକାରୀ ଯୋଗଦେବେ ।