ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର ୮, ୨୦୨୨ ସନ୍ଧ୍ୟା ୭ଟା ବେଳେ କର୍ତ୍ତବ୍ୟ ପଥ ଉଦଘାଟନ କରିବେ । କ୍ଷମତାର ପ୍ରତୀକ ତତ୍କାଳୀନ ରାଜପଥକୁ କର୍ତ୍ତବ୍ୟ ପଥ ଭାବେ ନାମିତ କରିବା ଜନ ଅଧିକାର ଓ ସଶକ୍ତିକରଣର ଏହା ଏକ ଉଦାହରଣ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଇଣ୍ଡିଆ ଗେଟ ଠାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ଅନାବରଣ କରିବେ । ନୂଆ ଭାରତର ଅମୃତ କାଳରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱିତୀୟ ପଞ୍ଚ ପ୍ରାଣ ଔପନିବେଶିକ ମାନସିକତାର ଚିହ୍ନ ହଟାଇବା ଅନୁଯାୟୀ ଏହି ପଦକ୍ଷେପ ନିଆଯାଇଛି ।
ବର୍ଷ ବର୍ଷ ଧରି ରାଜପଥ ଓ ସେଣ୍ଟ୍ରାଲ ଭିଷ୍ଟା ଆଭେନ୍ୟୁ ଆଖପାଖ ଅଞ୍ଚଳରେ ପର୍ଯ୍ୟଟକଙ୍କ ପ୍ରବଳ ଭିଡ ପରିଲକ୍ଷିତ ଯୋଗୁଁ ଏହାର ଭିତ୍ତିଭୂମି ପ୍ରଭାବିତ ହେଉଥିଲା । ଶୌଚାଳୟ, ପିଇବା ପାଣି, ଷ୍ଟ୍ରିଟ ଫର୍ଣ୍ଣିଚର ଓ ଆବଶ୍ୟକ ପାର୍କିଂ ସ୍ଥାନ ଭଳି ମୌଳିକ ସୁବିଧା ସୁଯୋଗ ନଥିଲା । ଏହାବ୍ୟତୀତ ରାସ୍ତାରେ କମ ସାଇନ ବୋର୍ଡ, ଅନୁନ୍ନତ ଜଳ ପରିଚାଳନା ଓ ଅବ୍ୟବସ୍ଥିତ ପାର୍କିଂ ଭଳି ସମସ୍ୟା ଥିଲା । ସେହିପରି ଗଣତନ୍ତ୍ର ଦିବସ ପ୍ୟାରେଡ ଓ ଅନ୍ୟ ଜାତୀୟ କାର୍ଯ୍ୟକ୍ରମଗୁଡିକୁ ସୂଚାରୁ ରୂପେ ତଥା ଲୋକଙ୍କ ଯାତାୟତକୁ ପ୍ରଭାବିତ ନକରି ଆୟୋଜନ କରିବାର ଆବଶ୍ୟକତା ପରିଲକ୍ଷିତ ହୋଇଥିଲା । ଏସବୁ ପ୍ରସଙ୍ଗକୁ ଧ୍ୟାନରେ ରଖି ତଥା ସ୍ଥାପତ୍ୟ କଳାର ଚରିତ୍ର ଅତୁଟ ରଖିବା ସହ ଏହାର ଧାରାବାହିକତା ବଜାୟ ରଖି ପୁନଃବିକାଶ ହୋଇଥିଲା ।
କର୍ତ୍ତବ୍ୟ ପଥ ସୁଦୃଶ୍ୟ ଲ୍ୟାଣ୍ଡସ୍କେପ, ଚଲାପଥ ସହ ଲନ, ଅଧିକ ସବୁଜିମା, ନବୀକୃତ କେନାଲ, ଉନ୍ନତ ସାଇନବୋର୍ଡ, ନୂଆ ସୁବିଧା ଥିବା ବ୍ଲକ ଓ ଭେଣ୍ଡିଂ କିଓସ୍କ ଆଦି ରହିବ । ସେହିପରି ପଦଯାତ୍ରୀଙ୍କ ପାଇଁ ନୂଆ ଅଣ୍ଡରପାସ, ଉନ୍ନତ ପାର୍କିଂ ସ୍ଥାନ, ନୂଆ ପ୍ରଦର୍ଶନ ପ୍ୟାନେଲ ଓ ଉନ୍ନୀତ ରାତ୍ରି ଆଲୋକ ବ୍ୟବସ୍ଥା ଲୋକଙ୍କୁ ସୁଖଦ ଅନୁଭୂତି ପ୍ରଦାନ କରିବ । ଏଥିରେ କଠିନ ବର୍ଜ୍ୟ ପ୍ରବନ୍ଧନ, ବ୍ୟବହୃତ ଜଳ ପ୍ରକ୍ରିୟାକରଣ, ବର୍ଷାଜଳ ଅମଳ ଓ ବିଦ୍ୟୁତ ସଞ୍ଚୟକାରୀ ଆଲୋକ ବ୍ୟବସ୍ଥା ଭଳି ଅନେକ ଚିରସ୍ଥାୟୀ ସୁବିଧା ସାମିଲ ରହିଛି ।
ପ୍ରଧାନମନ୍ତ୍ରୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ଅନାବରଣ କରିବେ । ଚଳିତ ବର୍ଷ ସେହି ସ୍ଥାନରେ ପରିକ୍ରମା ଦିବସ (ଜାନୁୟାରୀ ୨୩) ଅବସରରେ ପ୍ରଧାନମନ୍ତ୍ରୀ ନେତାଜୀଙ୍କ ହଲୋଗ୍ରାମ ପ୍ରତିମୂର୍ତ୍ତି ଅନାବରଣ କରିଥିଲେ । ଗ୍ରାନାଇଟରେ ନିର୍ମିତ ଏହି ପ୍ରତିମୂର୍ତ୍ତି ସ୍ୱାଧୀନତା ସଂଗ୍ରାମରେ ଅତୁଳନୀୟ ଯୋଗଦାନ ପାଇଁ ନେତାଜୀଙ୍କୁ ଉପଯୁକ୍ତ ଶ୍ରଦ୍ଧାଞ୍ଜଳି ହେବା ସହିତ ଦେଶ ତାଙ୍କ ନିକଟରେ ଋଣୀ ହେବାର ପ୍ରତୀକ ପାଲଟିବ । ମୁଖ୍ୟ ସ୍ଥପତି ଶ୍ରୀ ଆଦିତ୍ୟ ଯୋଗୀରାଜଙ୍କ ଦ୍ୱାରା ମନୋଲିଥିକ ଗ୍ରାନାଇଟ ପଥରରେ ନିର୍ମିତ ଏହି ପ୍ରତିମୂର୍ତ୍ତିର ଉଚ୍ଚତା ୨୮ ଫୁଟ ଓ ଓଜନ ୬୫ ମେଟ୍ରିକ ଟନ ।