ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଜାନୁଆରୀ 22, 2020ରେ ସୂଚନା ଏବଂ ସଂଚାର ପ୍ରଯୁକ୍ତି ଆଧାରିତ ସକ୍ରିୟ ପ୍ରଶାସନ ଏବଂ ସମୟବଦ୍ଧ କାର୍ଯ୍ୟାନ୍ୱୟନ ପାଇଁ ବହୁ ଉଦ୍ଦେଶ୍ୟ ମଞ୍ଚ-ପ୍ରଗତି ଜରିଆରେ 32ତମ ସମୀକ୍ଷା କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିବେ ।
ପ୍ରଗତିର ଗତ 31ତମ ସମୀକ୍ଷା କାର୍ଯ୍ୟକ୍ରମ ସମୟରେ ପ୍ରଧାନମନ୍ତ୍ରୀ 12 ଲକ୍ଷ କୋଟି ଟଙ୍କାରୁ ଅଧିକ ନିବେଶ ପ୍ରକଳ୍ପର ଗୁଡ଼ିକର ସମୀକ୍ଷା କରିଥିଲେ । 2019ର ବିଗତ ପ୍ରଗତି ବୈଠକରେ 16ଟି ରାଜ୍ୟ ତଥା ଜମ୍ମୁ ଓ କଶ୍ମୀର କେନ୍ଦ୍ରଶାସିତ ଅଂଚଳରେ କାର୍ଯ୍ୟକାରୀ ହେବାକୁ ଥିବା 61,000 କୋଟି ଟଙ୍କାରୁ ଅଧିକ 9ଟି ପ୍ରକଳ୍ପ ସମ୍ବନ୍ଧରେ ଆଲୋଚନା କରାଯାଇଥିଲା । ବିଦେଶରେ କାମ କରୁଥିବା ଭାରତୀୟ ନାଗରିକଙ୍କ ଅଭିଯୋଗ, ରାଷ୍ଟ୍ରୀୟ କୃଷି ବଜାର, ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ଏବଂ ଭିତ୍ତିଭୂମି ବିକାଶ କାର୍ଯ୍ୟକ୍ରମ ଭଳି ବିଭିନ୍ନ ବିଷୟ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା ।
ପ୍ରଧାନମନ୍ତ୍ରୀ ମାର୍ଚ୍ଚ 25, 2015ରେ ବହୁ ଉଦ୍ଦେଶ୍ୟ ସମ୍ପନ୍ନ ଏବଂ ବହୁମୁଖି ପ୍ରଶାସନ ମଞ୍ଚ ପ୍ରଗତିର ଶୁଭାରମ୍ଭ କରିଥିଲେ । ପ୍ରଗତି ହେଉଛି ଏକ ସମନ୍ୱିତ ଭାବ ବିନିମୟର ମଞ୍ଚ ଯାହାର ଉଦ୍ଦେଶ୍ୟ ହେଉଛି ଜନ ସାଧାରଣଙ୍କ ଅଭିଯୋଗର ସମାଧାନ କରିବା । ପ୍ରଗତି ଜରିଆରେ ଭାରତ ସରକାରଙ୍କ ବିଭିନ୍ନ ମହତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ଓ ପ୍ରକଳ୍ପ ତଥା ବିଭିନ୍ନ ରାଜ୍ୟ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଉଥିବା ପ୍ରକଳ୍ପଗୁଡ଼ିକର ପରିଚାଳନା ଓ ସମୀକ୍ଷାରେ ସହାୟତା ମିଳିଥାଏ ।