ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୧୫-୦୪-୨୦୨୩) ବିଶ୍ୱ ବ୍ୟାଙ୍କ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଆଭାସୀ ଜରିଆରେ ଉଦବୋଧନ ଦେଇଛନ୍ତି । କାର୍ଯ୍ୟକ୍ରମର ବିଷୟ ହେଉଛି ଏହାକୁ ନିଜର କରିନିଅ: ବ୍ୟାବହାରିକ ପରିବର୍ତ୍ତନ କିପରି ଜଳବାୟୁ ପରିବର୍ତ୍ତନ ସମସ୍ୟାର ମୁକାବିଲା କରିପାରିବ । ପ୍ରଧାନମନ୍ତ୍ରୀ ବିଷୟବସ୍ତୁ ନେଇ ତାଙ୍କ ବ୍ୟକ୍ତିଗତ ସମ୍ପର୍କ ଥିବା ସ୍ୱୀକାର କରିବା ସହ ଏହା ଏକ ବୈଶ୍ୱିକ ଅଭିଯାନ ହୋଇ ଉଠିଥିବାରୁ ସନ୍ତୋଷ ବ୍ୟକ୍ତ କରିଥିଲେ ।
ଚାଣକ୍ୟଙ୍କ ଉକ୍ତିକୁ ଉଦ୍ଧାର କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ “ଛୋଟିଆ ଛୋଟିଆ କାମ ପୃଥିବୀ ନିମନ୍ତେ ମାମୁଲି ମନେ ହୋଇପାରେ । ମାତ୍ର ବିଶ୍ୱର କୋଟି କୋଟି ଲୋକ ଯେତେବେଳେ ସେ କାର୍ଯ୍ୟ କରନ୍ତି ତାହାର ପ୍ରଭାବ ବ୍ୟାପକ ହୋଇଥାଏ । ଆମର ବିଶ୍ୱାସ ଆମର ଗ୍ରହ ନିମନ୍ତେ ପ୍ରତ୍ୟେକ ବ୍ୟକ୍ତି କରୁଥିବା କାର୍ଯ୍ୟ ଆମର ଗ୍ରହ ପାଇଁ ଖୁବ୍ ଗୁୁରୁତ୍ୱପୂର୍ଣ୍ଣ । ଏହା ହିଁ ମିଶନ ଲାଇଫର ମୂଳମନ୍ତ୍ର ।”
ମିଶନ ଲାଇଫ ଆଂଦୋଳନର ଉତ୍ପତ୍ତି ନେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ତାଙ୍କର ମନେପଡୁଛି ୨୦୧୫ ଜାତିସଂଘ ସାଧାରଣ ଅଧିବେଶନ କାଳରେ ସେ ବ୍ୟାବହାରିକ ପରିବର୍ତ୍ତନ ଆବଶ୍ୟକତା ନେଇ ପ୍ରଶ୍ନ ଉଠାଇଥିଲେ ଓ ଅକ୍ଟୋବର ୨୦୨୨ରେ ଜାତିସଂଘ ମହାସଚିବ ଓ ସେ ମିଶନ ଲାଇଫ ଆରମ୍ଭ କରିଥିଲେ । ସିଓପି-୨୭ ଦସ୍ତାବିଜ ପ୍ରସ୍ତାବନାରେ ମଧ୍ୟ ସ୍ଥାୟୀ ଓ ନିରନ୍ତର ଜୀବନଧାରଣ ପ୍ରକ୍ରିୟା ଓ ଖାଦ୍ୟପେୟ ଉପରେ କୁହାଯାଇଛି । ଯଦି ଜନସାଧାରଣ ହୃଦୟଙ୍ଗମ କରନ୍ତି ଯେ କେବଳ ସରକାର ନୁହନ୍ତି, ସେମାନେ ମଧ୍ୟ ଏ ଦିଗରେ ଅବଦାନ ଦେଇପାରିବେ, “ସେମାନଙ୍କ ଉଦବେଗ କାର୍ଯ୍ୟରେ ପରିଣତ ହେବ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଜଳବାୟୁ ପରିବର୍ତ୍ତନ ସମସ୍ୟା କେବଳ ସମ୍ମିଳନୀର ବୈଠକଖାନାରୁ ମୁକାବିଲା କରାଯାଇ ପାରିବ ନାହିଁ । ଏହା ପ୍ରତ୍ୟେକ ଘରର ଭୋଜନ ଟେବୁଲରୁ ମୁକାବିଲା ହେବା ଦରକାର । ଯେତେବେଳେ ଗୋଟିଏ ଚିନ୍ତାଧାରା ଆଲୋଚନା ଟେବୁଲରୁ ରାତ୍ରି ଭୋଜନ ଟେବୁଲ ପର୍ଯ୍ୟନ୍ତ ଯାଏ ତାହା ଏକ ଗଣ ଆଂଦୋଳନରେ ପରିଣତ ହୁଏ । ଏହା ପ୍ରତ୍ୟେକ ପରିବାର ଓ ବ୍ୟକ୍ତିକୁ ସଚେତନ କରେ ଯେ ସେମାନଙ୍କ ମତ ଗ୍ରହକୁ ବିଭିନ୍ନ ଉପାୟରେ ସାହାଯ୍ୟ କରିପାରିବ । ମିଶନ ଲାଇଫ ହେଉଛି ଗଣତାନ୍ତ୍ରିକ ଉପାୟରେ ଜଳବାୟୁ ପରିବର୍ତ୍ତନ ସମସ୍ୟାର ମୁକାବିଲା । ଜନସାଧାରଣଙ୍କ ଯେତେବେଳେ ହୃଦବୋଧ ହେବ ଯେ ସେମାନଙ୍କ ଦୈନନ୍ଦୀନ ଜୀବନରେ ଛୋଟ ଛୋଟ ଘଟଣା ମଧ୍ୟ ଶକ୍ତିଶାଳୀ ସେତେବେଳେ ପରିବେଶ ଉପରେ ଏହାର ସକାରାତ୍ମକ ପ୍ରଭାବ ପଡ଼ିବ ।
ଭାରତର ଉଦାହରଣ ଦେଇ ତାଙ୍କ ଚିନ୍ତନର ଚିତ୍ରଣ କରି ଶ୍ରୀ ମୋଦୀ କହିଥିଲେ ଯେ “ଏପରି ଜନ ଆଂଦୋଳନ ଓ ବ୍ୟାବହାରିକ ଅବସ୍ଥାନ୍ତରରେ ଭାରତର ଜନସାଧାରଣ ଗତ କିଛି ବର୍ଷ ମଧ୍ୟରେ ଅନେକ କିଛି କରିଛନ୍ତି । ସେ ଲିଙ୍ଗଗତ ଅନୁପାତର ଉନ୍ନତି, ବ୍ୟାପକ ସ୍ୱଚ୍ଛତା କାର୍ଯ୍ୟକ୍ରମ, ଏଲଇଡି ବଲ୍ୱର ଗ୍ରହଣୀୟତା ଯାହା ପ୍ରତିବର୍ଷ ୩୯ ନିୟୁତ ଟନ ଅଙ୍ଗାରକାମ୍ଳ ଉତ୍ସରଣ ରୋକିପାରିଛି ଇତ୍ୟାଦି ଅନ୍ତର୍ଭୁକ୍ତ । ଅଣୁ ଜଳସେଚନ ଦ୍ୱାରା ପାଖାପାଖି ସାତ ଲକ୍ଷ ହେକ୍ଟର ଜମିରେ ଜଳସେଚନ କରି ଜଳ ମଧ୍ୟ ବଞ୍ଚାଯାଇ ପାରିଛି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ମିଶନ ଲାଇଫ ଅଧିନରେ ସରକାରଙ୍କ ଉଦ୍ୟମ ବିଭିନ୍ନ କ୍ଷେତ୍ରକୁ ବ୍ୟାପିଛି । ସ୍ଥାନୀୟ ସ୍ୱାୟତ୍ତଶାସନ ସଂସ୍ଥା ପରିବେଶ ଅନୁକୂଳ ହେବା ସହ ଜଳ ଓ ଶକ୍ତି ସଞ୍ଚୟ, ବର୍ଜ୍ୟବସ୍ତୁ ଓ ଇ-ବର୍ଜ୍ୟର ହ୍ରାସ, ସୁସ୍ଥ ଜୀବନଧାରଣ ପ୍ରକ୍ରିୟା, ପ୍ରାକୃତିକ କୃଷିର ଆଦର ଓ ବଗଡ଼ା ଶସ୍ୟ ପ୍ରତି ପ୍ରୋତ୍ସାହନ ଇତ୍ୟାଦି ବୃଦ୍ଧି ପାଇଛି ।
ଏହିସବୁ ଉଦ୍ୟମ ଦ୍ୱାରା ୨୨ ବିଲିଅନ ୟୁନିଟ ଶକ୍ତି ସଞ୍ଚୟ ହୋଇପାରିବ, ନଅ ଟ୍ରିଲିଅନ ଲିଟର ଜଳ ସଞ୍ଚୟ ହେବ, ୩୭୫ ନିୟୁତ ଟନ ବର୍ଜ୍ୟ ହ୍ରାସ ପାଇବ ଓ ୨୦୩୦ ସୁଦ୍ଧ ଇ-ବର୍ଜ୍ୟରୁ ପ୍ରକ୍ରିୟାକରଣ ହୋଇ ୧୭୫ ନିୟୁତ ଡଲାର ଅତିରିକ୍ତ ଖର୍ଚ୍ଚ ସଞ୍ଚୟ ହେଇପାରିବ ବୋଲି ଶ୍ରୀ ମୋଦୀ କହିଥିଲେ । “ଆହୁରି ଏହା ଆମକୁ ୧୫ ବିଲିଅନ ଟନ ଖାଦ୍ୟ ସାମଗ୍ରୀ ହ୍ରାସରେ ମଧ୍ୟ ସହାୟକ ହେବ । ଆପଣଙ୍କୁ ମୁଁ ଏହା କିପରି ବିଶାଳ ତା’ର ଏକ ତୁଳନାତ୍ମକ ବିବରଣୀ ଦେଉଛି । ବୈଶ୍ୱିକ ପ୍ରାଥମିକ ଶସ୍ୟ ଉତ୍ପାଦନ ୨୦୨୦ରେ ଏଫଏଓର ଆକଳନ ଅନୁସାରେ ୯ ବିଲିଅନ ଟନ ଥିଲା ବୋଲି ସେ ପ୍ରକାଶ କରିଥିଲେ ।
ବିଶ୍ୱବ୍ୟାପୀ ବିଭିନ୍ନ ଦେଶକୁ ଉତ୍ସାହିତ କରିବା ନେଇ ବୈଶ୍ୱିକ ପ୍ରତିଷ୍ଠାନଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ରହିଛି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଥିଲେ । ବିଶ୍ୱବ୍ୟାଙ୍କ ଗ୍ରୁପର ଜଳବାୟୁ ପରିବର୍ତ୍ତନ ମୁକାବିଲା ନେଇ ପ୍ରସ୍ତାବିତ ଆର୍ଥିକ ସହାୟତା ଶତକଡ଼ା ୨୬ରୁ ୩୫ ଭାଗକୁ ବୃଦ୍ଧି କରାଯାଇଥିଲେ ମଧ୍ୟ ତାହା ପାରମ୍ପରିକ କ୍ଷେତ୍ର ପାଇଁ ଉଦ୍ଦିଷ୍ଟ । “ବ୍ୟାବହାରିକ ପଦକ୍ଷେପ ନିମନ୍ତେ ପର୍ଯ୍ୟାପ୍ତ ଆର୍ଥିକ ପଦ୍ଧତି ଠିକ କରାଯିବା ଦରକାର । ମିଶନ ଲାଇଫ ଭଳି ବ୍ୟାବହାରିକ ପଦକ୍ଷେପ ପାଇଁ ବିଶ୍ୱ ବ୍ୟାଙ୍କ ପ୍ରଦର୍ଶନ କରିଥିବା ସମର୍ଥନର ବହୁମୁଖୀ ପ୍ରଭାବ ପରିଲକ୍ଷିତ ହେବ” ବୋଲି କହି ପ୍ରଧାନମନ୍ତ୍ରୀ ତାଙ୍କ ବକ୍ତବ୍ୟ ଶେଷ କରିଥିଲେ ।