ମାନ୍ୟଗଣ୍ୟ,
ସର୍ବପ୍ରଥମେ, ଜି -୭ ସମ୍ମିଳନୀର ସଫଳ ଆୟୋଜନ ପାଇଁ ମୁଁ ଜାପାନର ପ୍ରଧାନମନ୍ତ୍ରୀ ମାନ୍ୟବର କିଶିଦାଙ୍କୁ ଅଭିନନ୍ଦନ ଜଣାଉଛି । ବିଶ୍ୱ ଖାଦ୍ୟ ସୁରକ୍ଷା ପ୍ରସଙ୍ଗରେ ଏହି ଫୋରମ୍ ପାଇଁ ମୋର କିଛି ପରାମର୍ଶ ଅଛି:
ଏକ ଅନ୍ତର୍ଭୂକ୍ତି ଖାଦ୍ୟ ବ୍ୟବସ୍ଥା ଗଠନ ଯାହା ବିଶ୍ୱର ସବୁଠାରୁ ଅସୁରକ୍ଷିତ ଲୋକ, ବିଶେଷକରି କ୍ଷୁଦ୍ର ଚାଷୀମାନଙ୍କ ଉପରେ ଧ୍ୟାନ ଦେଇଥାଏ, ତାହା ଆମର ପ୍ରାଥମିକତା ହେବା ଉଚିତ୍ । ବିଶ୍ୱ ସାର ଯୋଗାଣ ଶୃଙ୍ଖଳାକୁ ମଜବୁତ କରିବାକୁ ପଡିବ । ଏଥିରେ ରାଜନୈତିକ ପ୍ରତିବନ୍ଧକକୁ ହଟାଇବାକୁ ପଡିବ । ସାର ସମ୍ବଳ ଦଖଲ କରୁଥିବା ବିସ୍ତାରବାଦୀ ମାନସିକତାକୁ ବନ୍ଦ କରିବାକୁ ପଡିବ । ଏହା ଆମର ସହଯୋଗର ଉଦ୍ଦେଶ୍ୟ ହେବା ଉଚିତ୍ ।
ଅମେ ସାରା ବିଶ୍ୱରେ ସାରର ବିକଳ୍ପ ଭାବରେ ପ୍ରାକୃତିକ ଚାଷର ଏକ ନୂତନ ମଡେଲ୍ ସୃଷ୍ଟି କରିପାରିବା । ମୁଁ ବିଶ୍ୱାସ କରେ ଯେ ବିଶ୍ୱର ପ୍ରତ୍ୟେକ ଚାଷୀଙ୍କ ନିକଟରେ ଡିଜିଟାଲ୍ ଜ୍ଞାନକୌଶଳର ଲାଭ ପହଞ୍ଚାଇବା ଉଚିତ । ଜୈବିକ ଖାଦ୍ୟକୁ ଫ୍ୟାଶନ ଷ୍ଟେଟମେଣ୍ଟ ଏବଂ ବାଣିଜ୍ୟରୁ ଅଲଗା କରିବା ଏବଂ ଏହାକୁ ପୁଷ୍ଟିକର ଏବଂ ସ୍ୱାସ୍ଥ୍ୟ ସହିତ ଯୋଡିବା ଆମର ପ୍ରୟାସ ହେବା ଉଚିତ୍ ।
ଜାତିସଂଘ ୨୦୨୩ କୁ ଆନ୍ତର୍ଜାତୀୟ ମିଲେଟ ବର୍ଷ ଭାବରେ ଘୋଷଣା କରିଛି । ମିଲେଟ୍ ଏକାସାଙ୍ଗରେ ପୁଷ୍ଟିକର ଖାଦ୍ୟ, ଜଳବାୟୁ ପରିବର୍ତ୍ତନ, ଜଳ ସଂରକ୍ଷଣ ଏବଂ ଖାଦ୍ୟ ନିରାପତ୍ତାର ଆହ୍ୱାନକୁ ସମାଧାନ କରିଥାଏ । ଏହା ଉପରେ ସଚେତନତା ସୃଷ୍ଟି କରାଯିବା ଉଚିତ । ଖାଦ୍ୟ ଅପଚୟକୁ ରୋକିବା ଆମର ସାମୂହିକ ଦାୟିତ୍ୱ ହେବା ଉଚିତ୍ । ସ୍ଥାୟୀ ବିଶ୍ୱ ଖାଦ୍ୟ ସୁରକ୍ଷା ପାଇଁ ଏହା ଜରୁରୀ ଅଟେ ।
ମାନ୍ୟଗଣ୍ୟ,
କୋଭିଡ ମାନବିକତାର ସହଯୋଗ ଏବଂ ସାହାଯ୍ୟର ଦୃଷ୍ଟିକୋଣକୁ ଚ୍ୟାଲେଞ୍ଜ କରିଛି । ଟିକା ଏବଂ ଔଷଧର ଉପଲବ୍ଧତା ମାନବ କଲ୍ୟାଣ ପରିବର୍ତ୍ତେ ରାଜନୀତି ସହିତ ଜଡିତ ଥିଲା । ଭବିଷ୍ୟତରେ ସ୍ୱାସ୍ଥ୍ୟ ନିରାପତ୍ତାର କେଉଁ ପ୍ରକାର ହେବା ଉଚିତ ତାହା ଉପରେ ଆତ୍ମଚିନ୍ତନ ହେବା ଆବଶ୍ୟକ । ଏହି ବିଷୟ ଉପରେ ମୋର କିଛି ପରାମର୍ଶ ଅଛି:
ସ୍ଥାୟୀ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ପ୍ରତିଷ୍ଠା ଆମର ପ୍ରାଥମିକତା ହେବା ଉଚିତ
ଉତ୍ତମ ସ୍ୱାସ୍ଥ୍ୟସେବା ଆମର ମୂଳ ଲକ୍ଷ୍ୟ ହେବା ଉଚିତ୍ । ପାରମ୍ପାରିକ ଔଷଧର ପ୍ରସାର, ବିସ୍ତାର ଏବଂ ମିଳିତ ଗବେଷଣା ଆମର ସହଯୋଗର ଲକ୍ଷ୍ୟ ହେବା ଉଚିତ୍ ।
ଗୋଟିଏ ପୃଥିବୀ - ଗୋଟିଏ ସ୍ୱାସ୍ଥ୍ୟ ହେଉଛି ଆମର ନୀତି, ଏବଂ ଡିଜିଟାଲ୍ ସ୍ୱାସ୍ଥ୍ୟ, ସାର୍ବଜନିନ ସ୍ୱାସ୍ଥ୍ୟ ସେବା ପ୍ରଦାନ ଆମର ଲକ୍ଷ୍ୟ ହେବା ଉଚିତ୍ ।
ଆମର ପ୍ରାଥମିକତା ମାନବ ସେବାରେ ଡାକ୍ତର ଏବଂ ନର୍ସମାନଙ୍କର ଗତିଶୀଳତା ରହିବା ଉଚିତ ।
ମାନ୍ୟଗଣ୍ୟ,
ମୁଁ ବିଶ୍ୱାସ କରେ ବିକାଶର ମଡେଲ ବିକାଶ ପାଇଁ ବାଟ ଖୋଲିବା ଉଚିତ ଏବଂ ବିକାଶଶୀଳ ଦେଶଗୁଡିକର ପ୍ରଗତିରେ ବାଧା ସୃଷ୍ଟି କରିବା ଉଚିତ୍ ନୁହେଁ । ଖାଉଟି ବ୍ୟବସ୍ଥା ଦ୍ୱାରା ଅନୁପ୍ରାଣିତ ବିକାଶ ମଡେଲକୁ ପରିବର୍ତ୍ତନ କରିବାକୁ ପଡିବ । ପ୍ରାକୃତିକ ସମ୍ପଦର ସାମଗ୍ରିକ ବ୍ୟବହାର ଉପରେ ଧ୍ୟାନ ଦେବାର ଆବଶ୍ୟକତା ଅଛି । ଆମକୁ ଏକତ୍ର ବିକାଶ, ପ୍ରଯୁକ୍ତିବିଦ୍ୟା ଏବଂ ଗଣତନ୍ତ୍ର ଉପରେ ଧ୍ୟାନ ଦେବାକୁ ପଡିବ । ଜ୍ଞାନକୌଶଳକୁ ଗଣତାନ୍ତ୍ରିକରଣ କରିବା ଆବଶ୍ୟକ । ଜ୍ଞାନକୌଶଳ ବିକାଶ ଏବଂ ଗଣତନ୍ତ୍ର ମଧ୍ୟରେ ଏକ ସେତୁ ହୋଇପାରେ ।
ମାନ୍ୟଗଣ୍ୟ,
ଆଜି ମହିଳା ବିକାଶ ଭାରତରେ ଆଲୋଚନାର ବିଷୟ ନୁହେଁ, କାରଣ ଆଜି ଆମେ ମହିଳା ଭିତ୍ତିକ ବିକାଶରେ ଅଗ୍ରଣୀ ଅଟୁ । ଭାରତର ରାଷ୍ଟ୍ରପତି ଜଣେ ମହିଳା ଯିଏ ଏକ ଆଦିବାସୀ ଅଞ୍ଚଳରୁ ଆସିଛନ୍ତି । ତୃଣମୂଳ ସ୍ତରରେ ୩୩ ପ୍ରତିଶତ ଆସନ ମହିଳାମାନଙ୍କ ପାଇଁ ସଂରକ୍ଷିତ । ସେଗୁଡ଼ିକ ଆମର ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାର ଏକ ଅବିଚ୍ଛେଦ୍ୟ ଅଙ୍ଗ । କିନ୍ନର ବ୍ୟକ୍ତିଙ୍କ ଅଧିକାର ନିଶ୍ଚିତ କରିବାକୁ ଆମେ ଆଇନ ପ୍ରସ୍ତୁତ କରିଛୁ । ଆପଣ ଜାଣି ଖୁସି ହେବେ ଯେ ଭାରତରେ ଏକ ରେଳ ଷ୍ଟେସନ ଅଛି ଯାହା ସଂପୂର୍ଣ୍ଣ ରୂପେ କିନ୍ନରମାନଙ୍କ ଦ୍ୱାରା ପରିଚାଳିତ ।
ମାନ୍ୟଗଣ୍ୟ,
ମୁଁ ନିଶ୍ଚିତ ଯେ ଆଜି ଆମର ଆଲୋଚନା ଜି୨୦ ଏବଂ ଜି୭ ର ଏଜେଣ୍ଡା ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ସମ୍ପର୍କ ସୃଷ୍ଟି କରିବାରେ ଉପଯୋଗୀ ହେବ ଏବଂ ଗ୍ଲୋବାଲ୍ ସାଉଥ୍ ର ଆଶା ଏବଂ ଆଙ୍କାକ୍ଷାକୁ ପ୍ରାଥମିକତା ଦେବାରେ ସଫଳ ହେବ ।
ଧନ୍ୟବାଦ ।