‘Mann Ki Baat’ has become a wonderful medium for expression of public participation: PM Modi
A few days ago, ‘Ustad Bismillah Khan Yuva Puraskar’ was conferred. These awards were given away to emerging, talented artists in the field of music and performing arts: PM Modi
In our fast-moving country, the power of Digital India is visible in every corner: PM Modi
Tele-consultants using e-Sanjeevani app has crossed the figure of 10 crores: PM Modi
Many countries of the world are drawn towards India’s UPI. Just a few days ago, UPI-PayNow Link has been launched between India and Singapore: PM Modi
'Tribeni Kumbho Mohotshav' was organized in Bansberia of Hooghly district in West Bengal: PM Modi in Mann Ki Baat
Swachh Bharat Abhiyan has changed the meaning of public participation in our country: PM Modi
'Waste to Wealth' is also an important dimension of the Swachh Bharat Abhiyan: PM Modi

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ‘ମନ୍ କି ବାତ୍‌’ର ଏହି ୯୮ତମ ଅଧ୍ୟାୟରେ ଆପଣ ସମସ୍ତଙ୍କ ସାଙ୍ଗରେ ମିଶି ମୋତେ ବହୁତ ଖୁସି ଲାଗୁଛି । ଶତକ ଦିଗକୁ ଅଗ୍ରସର ହେଉଥିବା ଏହି ଯାତ୍ରାରେ ‘ମନ୍ କି ବାତ୍‌’କୁ ଆପଣ ସମସ୍ତେ ଜନସହଭାଗିତାର ପରିପ୍ରକାଶର ଅଦ୍ଭୁତ ମଞ୍ଚ କରିଦେଇଛନ୍ତି । ପ୍ରତି ମାସ, ଲକ୍ଷ ଲକ୍ଷ ବାର୍ତା ମାଧ୍ୟମରେ ଅନେକ ଲୋକଙ୍କ ମନର କଥା ମୋ ପାଖକୁ ପହଞ୍ଚୁଛି। ନିଜର ମନର ଶକ୍ତିକୁ ତ ଆପଣମାନେ ଜାଣନ୍ତି, ଠିକ ସେହିପରି, ସମାଜର ଶକ୍ତିରେ ଦେଶର ଶକ୍ତି କିଭଳି ବୃଦ୍ଧି ପାଇଥାଏ, ଏହା ଆମେ ‘ମନ୍ କି ବାତ୍‌’ର ବିଭିନ୍ନ ଅଧ୍ୟାୟରେ ଦେଖିଛୁ, ବୁଝିଛୁ ଆଉ ମୋର ଅନୁଭୂତି ହେଲା ଆମେ ଏହାକୁ ଗ୍ରହଣ ମଧ୍ୟ କରିଛୁ । ମୋର ସେହି ଦିନଟି ମନେଅଛି, ଯେବେ ଆମେ ‘ମନ୍ କି ବାତ୍‌’ରେ ଭାରତର ପାରମ୍ପରିକ ଖେଳଗୁଡ଼ିକୁ ପ୍ରୋତ୍ସାହିତ କରିବା ବିଷୟରେ କଥା ହୋଇଥିଲୁ । ଆଉ ସଙ୍ଗେ ସଙ୍ଗେ ଏହି ଭାରତୀୟ ଖେଳଗୁଡ଼ିକ ସହିତ ଯୋଡ଼ି ହେବା ପାଇଁ, ସେଗୁଡ଼ିକୁ ଶିଖିବା ପାଇଁ ଏବଂ ସେଥିରେ ହଜିଯିବା ପାଇଁ ସମଗ୍ର ଦେଶରେ ଗୋଟିଏ ଲହରି ସୃଷ୍ଟି ହୋଇଥିଲା । ‘ମନ୍ କି ବାତ୍‌’ରେ ଯେତେବେଳେ ଭାରତୀୟ ଖେଳଣାଗୁଡ଼ିକ ବିଷୟରେ ଆଲୋଚନା ହେଲା, ସେତେବେଳେ ଦେଶର ଲୋକେ ତୁରନ୍ତ ଏହାକୁ ଆଗେଇନେଲେ । ଏବେ ତ ଭାରତୀୟ ଖେଳଣାଗୁଡ଼ିକ ପାଇଁ ଏମିତି ଏକ ଆକର୍ଷଣ ସୃଷ୍ଟି ହୋଇଛି ଯେ, ବିଦେଶରେ ମଧ୍ୟ ଏସବୁର ଚାହିଦା ବଢ଼ିଚାଲିଛି। ‘ମନ୍ କି ବାତ୍‌’ରେ ଆମେ ଯେତେବେଳେ କାହାଣୀ କହିବାର ଭାରତୀୟ ଢଙ୍ଗ ସମ୍ପର୍କରେ କଥା ହେଲୁ, ସେତେବେଳେ ଏହାର ଖ୍ୟାତି ମଧ୍ୟ ଦୂର-ଦୂରାନ୍ତକୁ ବ୍ୟାପିଗଲା । ଲୋକେ କାହାଣୀ କହିବାର ଭାରତୀୟ ଢଙ୍ଗ ଆଡ଼କୁ ଅଧିକରୁ ଅଧିକ ଆକର୍ଷିତ ହେବାକୁ ଲାଗିଲେ ।

ବନ୍ଧୁଗଣ, 

ଆପଣମାନଙ୍କର ମନେଥିବ, ସର୍ଦ୍ଦାର ପଟେଲଙ୍କ ଜୟନ୍ତୀ ଅର୍ଥାତ ଏକତା ଦିବସ ଅବସରରେ ‘ମନ୍ କି ବାତ୍‌’ରେ ଆମେ ତିନୋଟି ପ୍ରତିଯୋଗିତା କଥା କହିଥିଲୁ । ଏହି ପ୍ରତିଯୋଗିତାଗୁଡ଼ିକ ଦେଶଭକ୍ତି ଗୀତ ରଚନା, ନାନାବାୟା ଗୀତ ରଚନା ଏବଂ ରଙ୍ଗୋଲି ଅଙ୍କନ ଉପରେ ଆଧାରିତ ଥିଲା । ଏ କଥା କହିବାରେ ମୋତେ ଖୁସି ଲାଗୁଛି ଯେ, ସମଗ୍ର ଦେଶର ୭୦୦ରୁ ଅଧିକ ଜିଲ୍ଲାରୁ ୫ ଲକ୍ଷରୁ ଅଧିକ ଲୋକେ ଏଥିରେ ଉତ୍ସାହର ସହିତ ଅଂଶଗ୍ରହଣ କରିଛନ୍ତି । ପିଲା, ବୟସ୍କ ବ୍ୟକ୍ତି, ବରିଷ୍ଠ ଲୋକେ, ସମସ୍ତେ ଉତ୍ସାହର ସହିତ ଏଥିରେ ଅଂଶଗ୍ରହଣ କରି ୨୦ରୁ ଅଧିକ ଭାଷାରେ ନିଜର କୃତିମାନ ପଠାଇଛନ୍ତି । ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ସମସ୍ତ ଅଂଶ ଗ୍ରହଣକାରୀ ମାନଙ୍କୁ ମୁଁ ଅଭିନନ୍ଦନ ଜଣାଉଛି । ଆପଣମାନଙ୍କ ମଧ୍ୟରୁ ପ୍ରତ୍ୟେକେ ଜଣେ ଜଣେ ଚମ୍ପିଆନ୍‌, କଳାର ସାଧକ । ନିଜ ଦେଶର ବିବିଧତା ଏବଂ ସଂସ୍କୃତି ପ୍ରତି ଆପଣମାନଙ୍କ ହୃଦୟରେ କେତେ କେତେ ପ୍ରେମ ଭରି ରହିଛି, ତାହା ଆପଣମାନେ ଦର୍ଶାଇଛନ୍ତି ।

ବନ୍ଧୁଗଣ, 

ଆଜି ଏହି ଅବସରରେ ମୋତେ ଲତା ମଙ୍ଗେଶକର, ଲତା ଦିଦିଙ୍କ କଥା ମନେପଡ଼ିବା ବହୁତ ସ୍ୱାଭାବିକ । କାରଣ, ଯେଉଁଦିନ ଏହି ପ୍ରତିଯୋଗିତାମାନ ଆରମ୍ଭ ହୋଇଥିଲା, ସେହିଦିନ ଲତା ଦିଦି ଟ୍ୱିଟ୍ କରି ଏହି ପ୍ରଥାଗୁଡ଼ିକ ସହ ନିଶ୍ଚିତ ଭାବେ ଯୋଡ଼ି ହେବା ପାଇଁ ଦେଶବାସୀଙ୍କୁ ଅନୁରୋଧ କରିଥିଲେ ।

ବନ୍ଧୁଗଣ,

ନାନାବାୟା ଗୀତ ରଚନାରେ ପ୍ରଥମ ପୁରସ୍କାରର ବିଜେତା ହେଉଛନ୍ତି, କର୍ଣ୍ଣାଟକର ଚାମରାଜନଗର ଜିଲ୍ଲାର ବି.ଏମ. ମଞ୍ଜୁନାଥ । ତାଙ୍କୁ ଏହି ପୁରସ୍କାର କନ୍ନଡ଼ ଭାଷାରେ ତାଙ୍କଦ୍ୱାରା ରଚିତ ନାନାବାୟା ଗୀତ ମଲଗୁ କନ୍ଦା ପାଇଁ ମିଳିଛି । ତାଙ୍କ ମାଆ ଓ ଜେଜେମା’ ଗାଉଥିବା ନାନାବାୟା ଗୀତଗୁଡ଼ିକରୁ ଏହାକୁ ଲେଖିବା ପାଇଁ ତାଙ୍କୁ ପ୍ରେରଣା ମିଳିଛି । ଏହାକୁ ଶୁଣିଲେ ଆପଣଙ୍କୁ ମଧ୍ୟ ଖୁସି ଲାଗିବ ।

ଶୋଇପଡ଼, ଶୋଇପଡ଼ ମୋ ଧନ,

ଶୋଇପଡ଼ ମୋ କୁଳ ନନ୍ଦନ ।

ହେଲାଣି ଅନ୍ଧାର, ଗଲାଣି ଦିନ,

ନିଦ୍ରାଦେବୀଙ୍କ ହେବ ଆଗମନ । ।

 

ତାରାଭରା ବଗିଚାରୁ ସିଏ

ଆଣିବେ ସପନ ତୋଳି

ଶୋଇପଡ଼ ଧନ ଶୋଇପଡ଼

ତୁ ଆଉ ନ କର ଅଳି । ।

ଆସାମର କାମରୂପ୍ ଜିଲ୍ଲାର ବାସିନ୍ଦା ଦିନେଶ ଗୋୱାଲା ଏହି ପ୍ରତିଯୋଗିତାରେ ଦ୍ୱିତୀୟ ପୁରସ୍କାର ଲାଭ କରିଛନ୍ତି । ସେ ଯେଉଁ ନାନାବାୟା ଗୀତଟି ଲେଖିଛନ୍ତି, ସେଥିରେ ସେଠାକାର ମାଟି ଏବଂ ଧାତୁ ପାତ୍ର ତିଆରି କରୁଥିବା କାରିଗରମାନଙ୍କ ଲୋକପ୍ରିୟ ଶିଳ୍ପକଳାର ଛାପ ରହିଛି । 

କୁମ୍ଭାର ଦାଦା ଆସିଛନ୍ତି, ହାତେ ଧରି ତାଙ୍କ ମୁଣି,

ଆସ ଦେଖିବା ଆସ ଦେଖିବା, ଆସିଛନ୍ତି କିସ ଆଣି?

ମୁଣିରେ ଥିଲା ତାଙ୍କ ହାତଗଢ଼ା, ସୁନ୍ଦର ଏକ ଗିନା

ଆମ ଝିଅ ପଚାରେ, ଦାଦା, ଇଏ ଗଢ଼ିଲ କେମିତିକିନା?

ଗୀତ ଏବଂ ନାନାବାୟା ଗୀତ ଭଳି ରଙ୍ଗୋଲି ଅଙ୍କନ ପ୍ରତିଯୋଗିତା ମଧ୍ୟ ଲୋକଙ୍କ ଦ୍ୱାରା ବହୁତ ଆଦୃତ ହେଲା। ଏଥିରେ ଅଂଶଗ୍ରହଣ କରିଥିବା ପ୍ରତିଯୋଗୀମାନେ ଏକରୁ ବଳି ଆରେକ ସୁନ୍ଦର ରଙ୍ଗୋଲି ଆଙ୍କି ପଠାଇଲେ । ଏଥିରେ ପୁରସ୍କାର ପାଇଥିବା ପ୍ରତିଯୋଗୀ ହେଲେ ପଞ୍ଜାବର କମଲ୍ କୁମାର । ସେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏବଂ ଅମର ବୀର ଶହିଦ ଭଗତ ସିଂଙ୍କ ସୁନ୍ଦର ରଙ୍ଗୋଲି ଆଙ୍କିଥିଲେ । ମହାରାଷ୍ଟ୍ରର ସାଙ୍ଗ୍‌ଲିର ସଚିନ୍ ନରେନ୍ଦ୍ର ଅବସାରୀ ନିଜ ରଙ୍ଗୋଲିରେ ଜାଲିଆନାୱାଲାବାଗ୍‌, ସେଠାରେ ଘଟିଥିବା ନରସଂହାର ଏବଂ ଶହିଦ ଉଧମ୍ ସିଂହଙ୍କ ବୀରତ୍ୱକୁ ଦର୍ଶାଇଲେ । ଗୋଆ ନିବାସୀ ଗୁରୁଦତ ୱାଂଟେକର୍ ରଙ୍ଗୋଲିରେ ଗାନ୍ଧିଜୀଙ୍କ ଚିତ୍ର ଆଙ୍କିଥିବାବେଳେ ପୁଡୁଚେରୀର ମାଲାତିସେଲ୍ଭମ୍ ମଧ୍ୟ ସ୍ୱାଧୀନତା ସଂଗ୍ରାମର ଅନେକ ମହାନ ସଂଗ୍ରାମୀମାନଙ୍କୁ ନିଜ ଚିତ୍ରାଙ୍କନର କେନ୍ଦ୍ରରେ ରଖିଥିଲେ ।

ଦେଶାତ୍ମବୋଧକ ଗୀତ ରଚନା ପ୍ରତିଯୋଗିତାରେ ବିଜୟ ଲାଭ କରିଥିବା ପ୍ରତିଯୋଗୀ ହେଉଛନ୍ତି ଆନ୍ଧ୍ରପ୍ରଦେଶର ଟି.ବିଜୟ ଦୁର୍ଗା । ସେ ତେଲୁଗୁ ଭାଷାରେ ନିଜ ରଚନା ପଠାଇଥିଲେ । ସେ ନିଜ ଅଂଚଳର ସୁବିଖ୍ୟାତ ସ୍ୱାଧୀନତା ସଂଗ୍ରାମୀ ନରସିମା ରେଡ୍ଡି ଗାରୁଙ୍କ ଠାରୁ ଅନେକ ପ୍ରେରଣା ଲାଭ କରିଛନ୍ତି । ବିଜୟ ଦୁର୍ଗା ପଠାଇଥିବା ଗୀତର ଏହି ଅଂଶ ଆପଣମାନେ ମଧ୍ୟ ଶୁଣନ୍ତୁ । 

ରେନାଡ଼ୁ ପ୍ରାନ୍ତର ସୂରୁଜ

ହେ ବୀର ନରସିଂହ !

ଭାରତୀୟ ସ୍ୱାଧୀନତା ସଂଗ୍ରାମର ଅଙ୍କୁର ତୁମେ, ଅଙ୍କୁଶ ତୁମେ,

ଇଂରେଜମାନଙ୍କ ଅନ୍ୟାୟ ଅତ୍ୟାଚାର ଦେଖି ତୁମେ,

ତାତିଲା ରକତ ତୁମର !

ରେନାଡ଼ୁ ପ୍ରାନ୍ତର ସୂରୁଜ

ହେ ବୀର ନରସିଂହ !

ତେଲୁଗୁ ପରେ ଏବେ ମୁଁ ଆପଣମାନଙ୍କୁ ମୈଥିଲି ଭାଷାର ଗୋଟିଏ ସଙ୍ଗୀତାଂଶ ଶୁଣାଉଛି । ଏହାକୁ ପଠାଇଛନ୍ତି ଦୀପକ ବତ୍ସ । ସେ ମଧ୍ୟ ଏହି ପ୍ରତିଯୋଗିତାରେ ପୁରସ୍କାର ଲାଭ କରିଛନ୍ତି ।

ଭାରତ ବିଶ୍ୱର ଗୌରବ, ହେ ଭାଇ

ଆମ ଏହି ଦେଶ ମହାନ,

ତିନି ପଟେ ସାଗର ଘେରିଛି

ଉତରେ କୈଳାଶ ଶକ୍ତିମାନ ।

 

ଗଙ୍ଗା, ଯମୁନା, କୃଷ୍ଣ, କାବେରୀ,

କୋଶୀ, କମଳା ବଲାନ୍ 

ଆମ ଏହି ଦେଶ ମହାନ,

ତ୍ରିରଙ୍ଗାରେ ଆମ ପ୍ରାଣ . . .

ବନ୍ଧୁଗଣ, ଆଶା କରୁଛି, ଆପଣମାନଙ୍କୁ ଏହା ଭଲ ଲାଗିଥିବ । ପ୍ରତିଯୋଗିତାରେ ଅଂଶଗ୍ରହଣକାରୀମାନଙ୍କ ତାଲିକା ବହୁତ ଲମ୍ବା । ଆପଣମାନେ ସଂସ୍କୃତି ମନ୍ତ୍ରଣାଳୟର ୱେବ୍‌ସାଇଟ୍‌କୁ ଯାଇ, ଏସବୁକୁ ସପରିବାରେ ଦେଖନ୍ତୁ ଓ ଶୁଣନ୍ତୁ । ଆପଣମାନଙ୍କୁ ବହୁତ ପ୍ରେରଣା ମିଳିବ ।

ମୋର ପ୍ରିୟ ଦେଶବାସୀଗଣ, ଯଦି ବନାରସ୍ କଥା ପଡ଼େ, ସେହେନାଈ କଥା ପଡ଼େ, ଉସ୍ତାଦ ବିସମିଲ୍ଲାହ୍ ଖାଁଙ୍କ କଥା ଉଠେ, ତାହେଲେ ସେ ଦିଗକୁ ମୋ ଦୃଷ୍ଟି ପଡ଼ିବା ସ୍ୱାଭାବିକ । କିଛି ଦିନ ପୂର୍ବେ ଉସ୍ତାଦ ବିସମିଲ୍ଲାହ୍ ଖାନ୍ ଯୁବ ପୁରସ୍କାର ପ୍ରଦାନ କରାଗଲା । ଏହି ପୁରସ୍କାର ସଙ୍ଗୀତ ଏବଂ ପର୍ଫର୍ମିଂ ଆର୍ଟ୍‌ସ କ୍ଷେତ୍ରରେ ଉଦୀୟମାନ ପ୍ରତିଭାଶାଳୀ କଳାକାରମାନଙ୍କୁ ଦିଆଯାଇଥାଏ । ଏହା କଳା ଏବଂ ସଙ୍ଗୀତ ଜଗତର ଲୋକପ୍ରିୟତା ବୃଦ୍ଧିକରିବା ସହିତ ଏହାର ସମୃଦ୍ଧିରେ ନିଜର ଯୋଗଦାନ ଦେଉଛନ୍ତି । ଏଥିରେ ସେହି କଳାକାରମାନେ ମଧ୍ୟ ରହିଛନ୍ତି, ଯେଉଁମାନେ ସେହି ବାଦ୍ୟଯନ୍ତ୍ରଗୁଡ଼ିକୁ ନୂତନ ଜୀବନଦାନ ଦେଇଛନ୍ତି, ଯେଉଁଗୁଡ଼ିକର ଲୋକପ୍ରିୟତା ସମୟ ସହ ହ୍ରାସ ହୋଇଚାଲିଥିଲା । ଏବେ ଆପଣମାନେ ଏହି ଟ୍ୟୁନ୍ (ସ୍ୱର) କୁ ମନ ଦେଇ ଶୁଣନ୍ତୁ . . .

(ଜୟଦୀପ ମୁଖାର୍ଜୀଙ୍କ ସୂରସିଙ୍ଗାର୍ ବାଦନ)

ଏହା କେଉଁ ବାଦ୍ୟଯନ୍ତ୍ରର ଧ୍ୱନି, ଆପଣମାନେ ଜାଣିଛନ୍ତି କି? ହୁଏତ ଆପଣ ଜାଣିନଥାଇପାରନ୍ତି । ଏହି ବାଦ୍ୟଯନ୍ତ୍ରର ନାମ ହେଉଛି ସୂର୍‌ସିଙ୍ଗାର୍ ଏବଂ ଏହାର ସ୍ୱର ସଂଯୋଜନା କରିଛନ୍ତି ଜୟଦୀପ୍ ମୁଖାର୍ଜୀ । ଉସ୍ତାଦ ବିସମିଲ୍ଲାହ୍ ଖାନ ପୁରସ୍କାରରେ ସମ୍ମାନିତ ଯୁବକମାନଙ୍କ ମଧ୍ୟରୁ ଜୟଦୀପ ଅନ୍ୟତମ । ବିଗତ ୫୦ ଓ ୬୦ ଦଶନ୍ଧି ପରବର୍ତୀ ସମୟରୁ ଏହି ବାଦ୍ୟଯନ୍ତ୍ରର ଧ୍ୱନି ଶୁଣିପାରିବା ଦୁର୍ଲ୍ଲଭ ହୋଇଯାଇଥିଲା । କିନ୍ତୁ ଜୟଦୀପ ସୂରସିଙ୍ଗାରକୁ ପୁଣିଥରେ ଲୋକପ୍ରିୟ କରାଇବାରେ ପ୍ରାଣପଣେ ଲାଗିଛନ୍ତି । ସେହିଭଳି ଭଉଣୀ ଉପ୍ପଲପୁ ନାଗମଣିଙ୍କ ଉଦ୍ୟମ ମଧ୍ୟ ବହୁତ ପ୍ରେରଣାଦାୟୀ, ଯାହାଙ୍କୁ ମେଣ୍ଡୋଲିନ୍‌ରେ କର୍ଣ୍ଣାଟକୀ ବାଦ୍ୟସଙ୍ଗୀତ ପାଇଁ ଏହି ପୁରସ୍କାର ଦିଆଯାଇଛି । ସେହିଭଳି, ସଂଗ୍ରାମ ସିଂ ସୁହାସ ଭଣ୍ଡାରେଙ୍କୁ ୱାର୍‌କରୀ କୀର୍ତନ ପାଇଁ ଏହି ପୁରସ୍କାର ମିଳିଛି । ଏହି ତାଲିକାରେ କେବଳ ସଙ୍ଗୀତ ଶିଳ୍ପୀ ନାହାନ୍ତି, ବରଂ ଭି. ଦୁର୍ଗା ଦେବୀ ନୃତ୍ୟର ଗୋଟିଏ ପ୍ରାଚୀନ ଶୈଳୀ କରକଟ୍ଟମ୍ ପାଇଁ ଏହି ପୁରସ୍କାର ପାଇଛନ୍ତି । ଏହି ପୁରସ୍କାରର ଅନ୍ୟ ଜଣେ ବିଜେତା ରାଜକୁମାର ନାୟକ ତେଲେଙ୍ଗାନାର ୩୧ଟି ଜିଲ୍ଲାରେ ୧୦୧ ଦିନ ଧରି ଚାଲୁଥିବା ପେରିନି ଓଡିସିର ଆୟୋଜନ କରିଥିଲେ। ଆଜି ଲୋକେ ତାଙ୍କୁ ପେରିନି ରାଜକୁମାର ନାମରେ ଚିହ୍ନିବାରେ ଲାଗିଛନ୍ତି । ପେରିନି ନାଟ୍ୟମ୍ ଭଗବାନ ଶିବଙ୍କୁ ସମର୍ପିତ ଏକ ନୃତ୍ୟ, ଯାହା କାକତିୟ ବଂଶର ରାଜତ୍ୱ ସମୟରେ ଖୁବ ଲୋକପ୍ରିୟ ଥିଲା । ଆଜିର ତେଲେଙ୍ଗାନା ସହିତ ଏହି ରାଜବଂଶର ସମ୍ପର୍କ ରହିଛି । ଅନ୍ୟ ଜଣେ ପୁରସ୍କାର ବିଜେତା ହେଉଛନ୍ତି ସାଇଖୌମ୍ ସୂରଚନ୍ଦ୍ର ସିଂ । ସେ ମୈତେଇ ପୁଙ୍ଗ୍ ବାଦ୍ୟଯନ୍ତ୍ର ତିଆରି କରିବାରେ ତାଙ୍କର ନୈପୁଣ୍ୟ ପାଇଁ ବେଶ ପରିଚିତ । ଏହା ମଣିପୁରର ଏକ ବାଦ୍ୟଯନ୍ତ୍ର । ପୂରଣ ସିଂ ଜଣେ ଦିବ୍ୟାଙ୍ଗ କଳାକାର, ଯିଏ ରାଜୁଲା-ମଲୁଶାହି, ନ୍ୟୌଲି, ହୁଡ଼୍‌କା ବୋଲ୍‌, ଜାଗର୍ ଭଳି ବିଭିନ୍ନ ସଙ୍ଗୀତକୁ ଲୋକପ୍ରିୟ କରୁଛନ୍ତି । ସେ ଏସବୁର ଅନେକ ଅଡିଓ ରେକର୍ଡ଼ିଂ ମଧ୍ୟ ପ୍ରସ୍ତୁତ କରିଛନ୍ତି । ଉତରାଖଣ୍ଡର ଲୋକସଙ୍ଗୀତରେ ନିଜର ପ୍ରତିଭା ପ୍ରଦର୍ଶିତ କରି ପୂରଣ ସିଂ ଅନେକ ପୁରସ୍କାର ମଧ୍ୟ ଲାଭ କରିଛନ୍ତି । ସମୟର ସୀମାକୁ ଦୃଷ୍ଟିରେ ରଖି ଯଦିଓ ଏଠାରେ ମୁଁ ସମସ୍ତ ପୁରସ୍କାର ବିଜେତାମାନଙ୍କ ବିଷୟରେ ଆଲୋଚନା କରିପାରୁନାହିଁ, କିନ୍ତୁ ଆପଣମାନେ ସେମାନଙ୍କ ବିଷୟରେ ନିଶ୍ଚୟ ପଢ଼ିବେ ବୋଲି ମୋର ବିଶ୍ୱାସ । ଏହି ସମସ୍ତ କଳାକାର ପର୍ଫମିଂ ଆର୍ଟସକୁ ଆହୁରି ଲୋକପ୍ରିୟ କରିବାରେ ତୃଣମୂଳ ସ୍ତରରେ ସମସ୍ତଙ୍କୁ ପ୍ରେରିତ କରିଚାଲିଥିବେ ବୋଲି ମୋର ଆଶା ।

ମୋର ପ୍ରିୟ ଦେଶବାସୀଗଣ, 

ଦୃତ ଗତିରେ ଉନ୍ନତି କରିଚାଲିଥିବା ଆମ ଦେଶରେ ଡିଜିଟାଲ ଇଣ୍ଡିଆର ଶକ୍ତି କୋଣ ଅନୁକୋଣରେ ଦେଖାଯାଉଛି । ଡିଜିଟାଲ ଇଣ୍ଡିଆର ଶକ୍ତିକୁ ଘରକୁ ଘର ପହଂଚାଇବାରେ ଭିନ୍ନ ଭିନ୍ନ ଆପ୍ ଗୁଡ଼ିକର ବଡ଼ ଭୂମିକା ରହିଥାଏ । ଏହିଭଳି ଗୋଟିଏ ଆପ୍ ହେଉଛି ଇ-ସଂଜୀବନୀ । ଏହି ଆପ୍ ମାଧ୍ୟମରେ ଟେଲି-କନ୍‌ସଲ୍‌ଟେଶନ୍‌, ଅର୍ଥାତ, ଦୂରରେ ଥାଇ ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ଡାକ୍ତରଙ୍କଠାରୁ ନିଜ ବ୍ୟାଧି ସମ୍ପର୍କରେ ପରାମର୍ଶ ପାଇପାରିବେ । ଏହି ଆପ୍ ବ୍ୟବହାରକାରୀଙ୍କ ସଂଖ୍ୟା ଏବେ ୧୦ କୋଟିରୁ ଉର୍ଦ୍ଧ୍ୱ ହେଲାଣି । ଆପଣ କଳ୍ପନା କରିପାରୁଥିବେ, ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ୧୦ କୋଟି ପରାମର୍ଶ !! ରୋଗୀ ଓ ଚିିକିତ୍ସକଙ୍କ ମଧ୍ୟରେ ଅଦ୍ଭୁତ ସମ୍ପର୍କ ! ଏହା ଏକ ବହୁତ ବଡ଼ ଉପଲବ୍ଧି । ଏହି ଉପଲବ୍ଧି ପାଇଁ ମୁଁ ସମସ୍ତ ଡାକ୍ତର ଏବଂ ଏହି ସୁବିଧାର ଲାଭ ଉଠାଉଥିବା ସମସ୍ତ ରୋଗୀମାନଙ୍କୁ ଅନେକ ଅନେକ ଅଭିନନ୍ଦନ ଜଣାଉଛି । ଭାରତର ଜନସାଧାରଣ, ଜ୍ଞାନକୌଶଳକୁ କିଭଳି ନିଜ ଜୀବନର ଅଂଶବିଶେଷ କରିନେଇଛନ୍ତି, ଏହା ଏ କଥାର ଏକ ଜୀବନ୍ତ ଉଦାହରଣ । ଆମେ ଲକ୍ଷ୍ୟ କରିଛୁ ଯେ, କରୋନା କାଳରେ ଇ-ସଂଜୀବନୀ ଆପ୍ ମାଧ୍ୟମରେ ଟେଲି-କନ୍ସଲ୍‌ଟେଶନ୍ ଜନସାଧାରଣଙ୍କ ପାଇଁ ଗୋଟିଏ ବଡ଼ ବରଦାନ ରୂପେ ପ୍ରମାଣିତ ହୋଇଥିଲା । ‘ମନ୍ କି ବାତ୍‌’ରେ ଏ ବିଷୟରେ ଜଣେ ଡାକ୍ତର ଓ ଜଣେ ରୋଗୀଙ୍କ ସହିତ କଥା ହୋଇ ସେ କଥାକୁ ଆପଣଙ୍କ ଯାଏ ପହଂଚାଇବା ପାଇଁ ମୋର ମଧ୍ୟ ଇଚ୍ଛା ହେଲା । ଆମେ ଏକଥା ଜାଣିବା ପାଇଁ ଚେଷ୍ଟା କରିବା ଯେ, ଟେଲି କନ୍ସଲ୍‌ଟେଶନ୍‌, ଲୋକଙ୍କ ପାଇଁ କେତେ ପ୍ରଭାବଶାଳୀ ହୋଇଛି । ଆମ ସହିତ ରହିଛନ୍ତି ସିକ୍କିମର ଡାକ୍ତର ମଦନମଣି । ସେ ସିକ୍କିମର ବାସିନ୍ଦା, କିନ୍ତୁ ସେ ଧାନ୍‌ବାଦରୁ ଏମ.ବି.ବି.ଏସ୍‌. ପାଶ କରିବା ପରେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରୁ ଏମ୍‌.ଡି. କରିଛନ୍ତି । ସେ ଗ୍ରାମାଂଚଳର ଅନେକ ଲୋକଙ୍କୁ Tele-consultation ମାଧ୍ୟମରେ ପରାମର୍ଶ ଦେଇସାରିଛନ୍ତି ।

ପ୍ରଧାନମନ୍ତ୍ରୀ ଜୀ - ନମସ୍କାର .... ନମସ୍କାର ମଦନମଣିଜୀ ।

ଡା. ମଦନମଣି - ନମସ୍କାର ସାର୍ ।

ପ୍ରଧାନମନ୍ତ୍ରୀ ଜୀ - ମୁଁ ନରେନ୍ଦ୍ର ମୋଦୀ କହୁଛି ......

ଡା. ମଦନମଣି - ଆଜ୍ଞା, ଆଜ୍ଞା ସାର୍ ।

ପ୍ରଧାନମନ୍ତ୍ରୀ ଜୀ - ଆପଣ ତ ବନାରସ୍‌ରେ ପଢ଼ିଛନ୍ତି ..... ।

ଡା. ମଦନମଣି - ହଁ ସାର୍ ...... ମୁଁ ବନାରସରେ ପଢ଼ିଛି ।

ପ୍ରଧାନମନ୍ତ୍ରୀ ଜୀ - ଆପଣଙ୍କର Medical Education ସେଇଠି ହେଲା?

ଡା. ମଦନମଣି - ଆଜ୍ଞା, ସାର୍ ।

ପ୍ରଧାନମନ୍ତ୍ରୀ ଜୀ - ଆପଣ ଯେତେବେଳେ ବନାରସରେ ଥିଲେ, ସେ ସମୟର ବନାରସ ତ ଦେଖିଥିଲେ, ଆଜିର ପରିବର୍ତ୍ତିତ ବନାରସ କେବେ ଦେଖିବାକୁ ଗଲେଣି କି ନାହିଁ?

ଡା. ମଦନମଣି - ପ୍ରଧାନମନ୍ତ୍ରୀ ମହୋଦୟ, ଯେବେଠୁଁ ମୁଁ ସିକ୍କିମ୍ ଆସିଲିଣି ସେବେଠୁଁ ଆଉ ଯାଇପାରିନି। କିନ୍ତୁ ଶୁଣିଛି ଯେ ବନାରସ ବହୁତ ବଦଳିଗଲାଣି ।

ପ୍ରଧାନମନ୍ତ୍ରୀ ଜୀ - ଆପଣଙ୍କର ବନାରସ ଛାଡ଼ିବା କେତେବର୍ଷ ହେଇଗଲାଣି?

ଡା. ମଦନମଣି - ୨୦୦୬ରୁ ବନାରସ ଛାଡ଼ିଲିଣି ସାର୍ ।

ପ୍ରଧାନମନ୍ତ୍ରୀ ଜୀ - ଓହୋ ..... ତାହେଲେ ତ ଆପଣ ଜରୁର ଆସିବା ଉଚିତ ।

ଡା. ମଦନମଣି - ଆଜ୍ଞା ସାର୍ ।

ପ୍ରଧାନମନ୍ତ୍ରୀ ଜୀ - ଆଚ୍ଛା, ମୁଁ କିନ୍ତୁ ଫୋନ୍ କରିଥିଲି ଯେ ଆପଣ ତ ସିକିମ୍ ଭିତରେ ଦୂର ଦୂରାନ୍ତର ପାହାଡ଼ ଅଞ୍ଚଳରେ ରହି ଲୋକମାନଙ୍କୁ Tele Consultation ମାଧ୍ୟମରେ ସେବା ଦେଇଆସୁଛନ୍ତି ।

ଡା. ମଦନମଣି - ଆଜ୍ଞା ସାର୍ ।

ପ୍ରଧାନମନ୍ତ୍ରୀ ଜୀ - ମୁଁ ‘ମନ୍ କି ବାତ୍‌’ର ଶ୍ରୋତାମାନଙ୍କୁ ଆପଣଙ୍କ ଅନୁଭୂତି ଶୁଣାଇବାକୁ ଚାହୁଁଛି ।

ଡା. ମଦନମଣି - ଆଜ୍ଞା ସାର୍ ।

ପ୍ରଧାନମନ୍ତ୍ରୀ ଜୀ - ଆପଣଙ୍କ ଅନୁଭୂତି ବିଷୟରେ ମୋତେ କିଛି କୁହନ୍ତୁ?

ଡା. ମଦନମଣି - ପ୍ରଧାନମନ୍ତ୍ରୀ ମହୋଦୟ, ମୋର ଅନୁଭୂତି ବହୁତ ଭଲ । ସିକିମ୍‌ରେ ଖୁବ୍ ନିକଟରେ ଥିବା PHCକୁ ଯିବାକୁ ହେଲେ ଗାଡ଼ିରେ ଲୋକମାନଙ୍କ ଅତିକମ୍‌ରେ ଶହେ ଦୁଇଶହ ଟଙ୍କା ଖର୍ଚ୍ଚ କରିବାକୁ ପଡ଼େ । ଯିବାପରେ ବି ଡାକ୍ତରଙ୍କ ସାକ୍ଷାତ ମିଳିବା ନ ମିଳିବାର ସମସ୍ୟା ମଧ୍ୟ ଅଛି ତେଣେ Tele Consultation ଜରିଆରେ ଲୋକମାନେ ଆମ ସହିତ ସିଧା ସମ୍ପର୍କ କରିପାରନ୍ତି । ଦୂରଦୂରାନ୍ତର ଲୋକମାନେ ମଧ୍ୟ । Health and Wellness କେନ୍ଦ୍ରଗୁଡ଼ିକରେ ଯେଉଁ CHOମାନେ ଅଛନ୍ତି ସେମାନେ ଆମ ସହିତ ଲୋକମାନଙ୍କୁ କନେକ୍ଟ କରେଇ ଦିଅନ୍ତି । ଲୋକମାନଙ୍କର ପୁରୁଣା ରୋଗ ଏବଂ ତା’ର ବର୍ତମାନର ସ୍ଥିତି ବିଷୟରେ ଆମକୁ ସବୁକଥା ଅବଗତ କରାଇଦିଅନ୍ତି ।

ପ୍ରଧାନମନ୍ତ୍ରୀ ଜୀ - ତା’ମାନେ Document transfer କରେଇ ଦିଅନ୍ତି ....?

ଡା. ମଦନମଣି - ଆଜ୍ଞା ..... Document transfer କରିଦିଅନ୍ତି, ଆଉ ଯଦି କିଛି କାରଣରୁ transfer ନ ହୋଇପାରେ ତେବେ ସେମାନେ ଆମକୁ ପଢ଼ି ଶୁଣାଇଦିଅନ୍ତି ।

ପ୍ରଧାନମନ୍ତ୍ରୀ ଜୀ - ସେଠାକାର Wellness Centre ଡାକ୍ତର ହିଁ କହିଦିଅନ୍ତି?

 

ଡା. ମଦନମଣି - ହଁ ସାର୍‌, Wellness Centreରେ ଯେଉଁ CHO ବା Community Health Officer ଥାଆନ୍ତି ।

ପ୍ରଧାନମନ୍ତ୍ରୀ ଜୀ - ଆଉ ଯେଉଁ ରୋଗୀ ସେ ଆପଣଙ୍କୁ ତା’ର ଅସୁବିଧାଗୁଡ଼ିକ ସିଧା କହିଥାଏ ନା?

ଡା. ମଦନମଣି - ଆଜ୍ଞା Patient ନିଜେ ମଧ୍ୟ ତା’ର ଅସୁବିଧାଗୁଡ଼ିକୁ ଆମକୁ କହିଥାଏ । ଆମେ ପୁରୁଣା ରେକର୍ଡ ଦେଖି, ଯଦି କିଛି ନୂଆ କଥା ଜାଣିବା ଆମପାଇଁ ଦରକାର ଥାଏ ଯେପରିକି କାହାରି Chest Auscultate କରିବାକୁ ପଡ଼ିବ ତ ତା’ର ପାଦ ଫୁଲିଛି କି ନାହିଁ । ଯଦି CHO ନ ଦେଖିଥାଏ ତେବେ ଆମେ ତାକୁ କହୁ ଯେ ପାଦ ଫୁଲିଛି କି ନାହିଁ ଯାଇ ଦେଖ ... ଆଖି ଦେଖି ଆନିମିଆ ଅଛି କି ନାହିଁ କୁହ । ଯଦି ତା’ର କାଶ ହେଉଥାଏ ତେବେ ତା’ ଛାତିକୁ Auscultate କରି ଆଉ କେମିତିକା Sound ଆସୁଛି କୁହ । ଏଇଭଳି .....

ପ୍ରଧାନମନ୍ତ୍ରୀ ଜୀ - ଆପଣ Voice କଲ୍‌ରେ କଥା ହୁଅନ୍ତି, କି Video Call ବି ଉପଯୋଗ କରନ୍ତି?

ଡା. ମଦନମଣି - Video Call ମଧ୍ୟ କରିଥାଉ ସାର୍ ।

ପ୍ରଧାନମନ୍ତ୍ରୀ ଜୀ - ତା’ହେଲେ ଆପଣ Y Patient ବି ଦେଖିପାରନ୍ତି?

ଡା. ମଦନମଣି - Patient କୁ ବି ଦେଖିପାରୁ ସାର୍ ।

ପ୍ରଧାନମନ୍ତ୍ରୀ ଜୀ - Patient କୁ ସେତେବେଳେ କେମିତି Feeling ଆସେ?

ଡା. ମଦନମଣି - Patient କୁ ଭଲ feeling ଆସେ ସାର୍ । କାରଣ ସେ ଡାକ୍ତରଙ୍କୁ ପାଖରୁ ଦେଖିଲାଭଳି ଅନୁଭବ କରେ । ତା’ର ଔଷଧ ବଢ଼େଇବାକୁ ପଡ଼ିବ କି କମେଇବାକୁ ପଡ଼ିବ ସେ ବିଷୟରେ ତା’ର Confusion ଥାଏ । ସିକିମ୍‌ରେ ସାଧାରଣତଃ ଡାଇବେଟିସ୍ ଓ Hypertension ରୋଗୀମାନେ ବେଶୀ ଆସନ୍ତି । ଡାଇବେଟିସ୍ ବା Hypertension ଗୋଟିଏ ଔଷଧକୁ ବଢ଼େଇବା ବା କମାଇବା ପାଇଁ ତାଙ୍କୁ ଡାକ୍ତର ପାଇବାକୁ ଅନେକ ଦୂର ଯିବାକୁ ପଡ଼ିଥାଏ । କିନ୍ତୁ Tele Consultation ଦ୍ୱାରା ଡାକ୍ତର ତାଙ୍କୁ ସେଇଠି ହିଁ ମିଳିଯାଇଥାନ୍ତି ଆଉ ଔଷଧ ମଧ୍ୟ Health and Wellness Centre ଉରଦ୍ଭଗ୍ଧକ୍ସର ଦ୍ୱାରା ମାଗଣାରେ ଉପଲବ୍ଧ ହୋଇଥାଏ । ସେ ସେଠାରୁ ଔଷଧ ମଧ୍ୟ ନେଇକରି ଯାଏ ।

ପ୍ରଧାନମନ୍ତ୍ରୀ ଜୀ - ଆଚ୍ଛା, ମଦନମଣି ଜୀ, ଆପଣ ତ ଜାଣିଛନ୍ତି ଯେ Patient ମାନଙ୍କର ସ୍ୱଭାବ ହେଲା ଡାକ୍ତର ନ ଦେଖିଲା ପର୍ଯ୍ୟନ୍ତ ସେ ସନ୍ତୁଷ୍ଟ ହୁଅନ୍ତି ନାହିଁ । ଆଉ ଡାକ୍ତରଙ୍କୁ ମଧ୍ୟ ଲାଗେ ଯେ Patientକୁ ଟିକେ ଦେଖିବାକୁ ପଡ଼ିବ । ଏବେ ସବୁ କାମ Tele Consultation ମାଧ୍ୟମରେ ହୋଇପାରୁଛି । ଏ କ୍ଷେତ୍ରରେ ଡାକ୍ତରଙ୍କୁ କେମିତି ଅନୁଭବ ହୁଏ ଆଉ Patient ବି କେମିତି feel କରେ?

ଡା. ମଦନମଣି - ଆମକୁ ଲାଗେ କି ଆମେ Patient କୁ ଟିକେ ଦେଖିବା ଦରକାର, ତେଣୁ ଆମକୁ ଯାହା ଯାହା ଦେଖିବା ଦରକାର ତାହା ଆମେ CHOଙ୍କୁ କହି ଠସୟରକ୍ଟ ମାଧ୍ୟମରେ ଦେଖିନେଉ । କେବେ କେବେ Video ମଧ୍ୟ Patientରେ ପାଖକୁ ଆସି ନିଜର ଅସୁବିଧା ରହିଛି ମନେକରନ୍ତୁ କାହାରି ଚର୍ମରୋଗର ସମସ୍ୟା ଅଛି ତ ସେ ଆମକୁ Video ଦ୍ୱାରା ଦେଖାଇପାରେ । ଫଳରେ ତାକୁ ମଧ୍ୟ ସନ୍ତୋଷ ଲାଗେ ।

ପ୍ରଧାନମନ୍ତ୍ରୀ ଜୀ - ଆଉ ତା’ର ଚିକିତ୍ସା କରିବା ପରେ ତାକୁ ସନ୍ତୋଷ ମିଳେ? କ’ଣ ଅନୁଭବ କରନ୍ତି? Patient ଭଲ ହେଉଛନ୍ତି?

ଡା. ମଦନମଣି - ଆଜ୍ଞା ବହୁତ ସନ୍ତୋଷ ଲାଗେ । ଆମକୁ ବି ଖୁସି ଲାଗେ ସାର୍ । କାରଣ ମୁଁ ଏବେ ସ୍ୱାସ୍ଥ୍ୟ ବିଭାଗରେ ଅଛି ଏବଂ ତା’ସଙ୍ଗେ ସଙ୍ଗେ Tele Consultation ମଧ୍ୟ କରୁଛି । ଫାଇଲ୍ କାମ ସାଥେ ସାଥେ ମୁଁ Patient ବି ଦେଖିବା ବହୁତ ଭଲ ଓ ସୁଖଦ ଅନୁଭବ ସାର୍ ।

ପ୍ରଧାନମନ୍ତ୍ରୀ ଜୀ - Tele Consultation ମାଧ୍ୟମରେ ଆପଣ ଆଭରେଜ୍ କେତେ Patient ଦେଖିପାରୁଛନ୍ତି?

ଡା. ମଦନମଣି - ଏପର୍ଯ୍ୟନ୍ତ ମୁଁ ପାଞ୍ଚ ଶହ ଛତିଶ Patient ଦେଖିଲିଣି ସାର୍ ।

ପ୍ରଧାନମନ୍ତ୍ରୀ ଜୀ - ଓହୋ ...... ତାହେଲେ ଆପଣଙ୍କୁ ଏଥିରେ ବହୁତ ଦକ୍ଷତା ହାସଲ ହୋଇଗଲାଣି ।

ଡା. ମଦନମଣି - ସାର୍‌, ଦେଖିବାକୁ ଖୁବ୍ ଭଲ ଲାଗୁଛି ।

ପ୍ରଧାନମନ୍ତ୍ରୀ ଜୀ - ଠିକ୍ ଅଛି, ମୁଁ ଆପଣଙ୍କୁ ଶୁଭକାମନା ଜଣାଉଛି । ଏହି technologyର ଉପଯୋଗ କରି ଆପଣ ସିକିମ୍‌ର ଦୂରଦୂରାନ୍ତରେ ଥିବା ଜଙ୍ଗଲ ଓ ପାହାଡ଼ରେ ରହୁଥିବା ଲୋକମାନଙ୍କର ଏତେବଡ଼ ସେବା କରୁଛନ୍ତି । ଆହୁରି ମଧ୍ୟ ଖୁସିର କଥା ଯେ ଆମ ଦେଶର ଦୂରଦୂରାନ୍ତ ଅଞ୍ଚଳରେ technologyର ଏତେ ଭଲ ଉପଯୋଗ ହୋଇପାରୁଛି । ମୋ ତରଫରୁ ଆପଣଙ୍କୁ ବହୁତ ବହୁତ ଅଭିନନ୍ଦନ ।

ଡା. ମଦନମଣି - ଧନ୍ୟବାଦ୍ ସାର୍ ।

ବନ୍ଧୁଗଣ, 

E-Sanjeevani App ଡାକ୍ତରମାନଙ୍କୁ କେତେ ସହାୟକ ହୋଇପାରୁଛି, ଡାକ୍ତର ମଦନମଣିଙ୍କ କଥାରୁ ତାହା ସ୍ପଷ୍ଟ ଜାଣିହେଲା । ଡାକ୍ତର ମଦନଙ୍କ ପରେ ପରେ ଆମେ ଏବେ ଆଉଜଣେ ମଦନଙ୍କୁ ଭେଟିବା । ଏ ହେଉଛନ୍ତି ଉତ୍ତରପ୍ରଦେଶ ଚନ୍ଦୋଲୀ ଜିଲ୍ଲାର ବାସିନ୍ଦା ମଦନମୋହନ ଲାଲ୍ । ସଂଯୋଗର କଥା ଯେ ଚନ୍ଦୋଲି ମଧ୍ୟ ବନାରସର ପାଖାପାଖି ଜାଗା । ଆସନ୍ତୁ ମଦନମୋହନଙ୍କଠାରୁ ଜାଣିବା ଜଣେ Patient ହିସାବରେ E-Sanjeevaniକୁ ନେଇ ତାଙ୍କର ଅନୁଭୂତି କ’ଣ?

ପ୍ରଧାନମନ୍ତ୍ରୀ ଜୀ - ମଦନମୋହନ ଜୀ ପ୍ରଣାମ ।

ମଦନମୋହନ - ନମସ୍କାର, ନମସ୍କାର ସାହେବ ।

ପ୍ରଧାନମନ୍ତ୍ରୀ ଜୀ - ନମସ୍କାର, ମୁଁ ଶୁଣୁଛି ଆପଣ ଜଣେ ଡାଏବେଟିସ୍ ରୋଗୀ?

ମଦନମୋହନ - ଆଜ୍ଞା ସାର୍ ।

ପ୍ରଧାନମନ୍ତ୍ରୀ ଜୀ - ଆଉ ଆପଣ Technology ସାହାଯ୍ୟରେ Tele-Consultation ଦ୍ୱାରା ନିଜ ରୋଗ ଚିକିତ୍ସା କରାଉଛନ୍ତି?

ମଦନମୋହନ - ଆଜ୍ଞା ସାର୍ ।

ପ୍ରଧାନମନ୍ତ୍ରୀ ଜୀ - ଜଣେ Patient ହିସାବରେ ତଥା ଜଣେ ପୀଡ଼ିତ ଭାବେ ମୁଁ ଆପଣଙ୍କ ଅନୁଭବ ଜାଣିବାକୁ ଚାହୁଁଛି ତଥା ଲୋକମାନଙ୍କୁ ଜଣାଇବାକୁ ଚାହୁଁଛି ଯେ କେମିତି ଗାଁ ଗହଳର ଲୋକମାନେ ମଧ୍ୟ technology ଉପଯୋଗ କରି ଉପକୃତ ହୋଇପାରୁଛନ୍ତି । ଟିକେ କୁହନ୍ତୁ ତ ଆପଣ କେମିତି ଏସବୁ କରୁଛନ୍ତି?

ମଦନମୋହନ ଜୀ-ସାର୍‌, କଥା ହେଲା ଘରଠାରୁ Hospital ଦୂରରେ । ତେଣୁ ଡାଏବେଟିସ୍ ହେଲାପରେ ମୋତେ ୫-୬ କିଲୋମିଟର ଦୂର ଯାଇ ଚିକିତ୍ସା କରାଇବାକୁ ପଡୁଥିଲା । ଆପଣଙ୍କ ଦ୍ୱାରା ଯେବେଠାରୁ ଏଇ ବ୍ୟବସ୍ଥା ପ୍ରଚଳନ ହେଲା ଏବେ ମୁଁ ଏଇ ପାଖକୁ ଯାଉଛି, ମୋର ପରୀକ୍ଷା ହେଉଛି, ବାହାରେ ରହୁଥିବା ଡାକ୍ତରଙ୍କ ସାଥିରେ ଆମକୁ କଥାବାର୍ତ୍ତା କରେଇ ଦିଆଯାଉଛି ଆଉ ଔଷଧ ବି ମିଳିଯାଉଛି । ୟା ଦ୍ୱାରା ଆମର ବଡ଼ ଉପକାର ହେଉଛି । ଅନ୍ୟ ଲୋକମାନଙ୍କର ମଧ୍ୟ ଲାଭ ହେଉଛି ।

ପ୍ରଧାନମନ୍ତ୍ରୀ ଜୀ - ଆପଣଙ୍କୁ ସବୁବେଳେ ଜଣେ ଡାକ୍ତର ଦେଖୁଛନ୍ତି ନାଁ ଡାକ୍ତର ବଦଳ ହେଉଛନ୍ତି ।

ମଦନମୋହନ ଜୀ - ସେ ଯଦି ଜାଣିପାରନ୍ତିନି ତାହେଲେ ଡାକ୍ତରଙ୍କୁ ଦେଖାଇଦିଅନ୍ତି । ସେ ହିଁ କଥା ହୋଇ ଅନ୍ୟ ଡାକ୍ତରଙ୍କୁ ଆମକୁ ଦେଖାଇଦିଅନ୍ତି ।

ପ୍ରଧାନମନ୍ତ୍ରୀ ଜୀ - ଆଉ ଡାକ୍ତର ଆପଣଙ୍କୁ ଯେଉଁ ପରାମର୍ଶ ଦିଅନ୍ତି ତାଦ୍ୱାରା ଆପଣଙ୍କର ପୁରା ଲାଭ ହୁଏ?

ମଦନମୋହନ ଜୀ - ଆମର ଉପକାର ହୁଏ । ଆମର ବହୁତ ଉପକାର ହୁଏ । ଗାଁର ଲୋକମାନଙ୍କୁ ମଧ୍ୟ ତା’ଦ୍ୱାରା ଉପକାର ମିଳେ । ସମସ୍ତେ ଯାଇ ସେଠି ପଚାରନ୍ତି, ଭାଇ! ମୋର BP ଅଛି, ମୋର Sugar ଅଛି, ଟେଷ୍ଟ କର, ଦେଖ ଆଉ ଔଷଧ ଦିଅ । ଆଗରୁ ତ ପାଞ୍ଚ ଛଅ କିଲୋମିଟର ଯାଉଥିଲୁ, ଲମ୍ବା ଲାଇନ୍ ଲାଗୁଥିଲା, Pathology ରେ ବି ଲାଇନ୍ ଲାଗିଯାଏ – ଗୋଟା ଗୋଟା ଦିନ ବି ନଷ୍ଟ ହୋଇଯାଉଥିଲା ।

ପ୍ରଧାନମନ୍ତ୍ରୀ ଜୀ - ଅର୍ଥାତ୍‌, ଆପଣଙ୍କର ସମୟ ବି ନଷ୍ଟ ହୋଇନଥାନ୍ତା ।

ମଦନମୋହନ ଜୀ - ଆଉ ଟଙ୍କା ମଧ୍ୟ ବ୍ୟୟ ହେଉଥିଲା, ଏଠାରେ କିନ୍ତୁ ନିଃଶୁଳ୍କରେ ସବୁ ସେବା ମିଳିପାରୁଛି ।

ପ୍ରଧାନମନ୍ତ୍ରୀ ଜୀ - ଆଚ୍ଛା, ଯେତେବେଳେ ଆପଣ ନିଜ ସାମ୍‌ନାରେ ଡାକ୍ତରଙ୍କ ସହ ସାକ୍ଷାତ କରନ୍ତି ତ ମନରେ ଏକ ବିଶ୍ୱାସ ଆସେ । ଚାଲ ଭାଇ, ଡାକ୍ତର ତ ଅଛନ୍ତି ସେ ମୋର ନାଡ଼ି ଦେଖିଦେଇଛନ୍ତି, ମୋର ଆଖି ଦେଖିଦେଇଛନ୍ତି, ମୋର ଜିଭକୁ ବି check କରିନେଇଛନ୍ତି । ଏସବୁ ପରେ ଏକ ଅଲଗା ପ୍ରକାରର feelings ଆସେ । ଏବେ ଏ ପ୍ରକାର Tele Consultation କଲେ ସେପ୍ରକାର ସନ୍ତୋଷ ଭାବ କ’ଣ ଆପଣଙ୍କୁ ଆସେ?

ମଦନମୋହନ ଜୀ -ହଁ, ସନ୍ତୋଷ ଲାଗେ । ସେମାନେ ଆମର ନାଡିକୁ ଧରୁଛନ୍ତି, ପରୀକ୍ଷା କରୁଛନ୍ତି, ଏଭଳି ଅନୁଭବ ତ ହୁଏ ଏବଂ ଶରୀରକୁ ମଧ୍ୟ ଖୁସି ଲାଗେ ଯେ ଭାଇ, ଏତେ ବଢ଼ିଆ ବ୍ୟବସ୍ଥା ଆପଣ ତିଆରିଛନ୍ତି ଯେ ଆଗରୁ ଆମକୁ ବହୁତ ଦୁଃଖ, କଷ୍ଟ ସହି ଦୂର ଜାଗାକୁ ଯିବାକୁ ହେଉଥିଲା, ଗାଡିଭଡା ଦେବାକୁ ପଡୁଥିଲା । ସେଠାରେ ଲାଇନ୍ ଲଗାଇବାକୁ ପଡୁଥିଲା । ଆଉ ଏବେ ତ ସବୁ ସୁବିଧା ଆମକୁ ଘରେ ବସି ହିଁ ମିଳିଯାଉଛି ।

ପ୍ରଧାନମନ୍ତ୍ରୀ ଜୀ - ଆଚ୍ଛା ଠିକ୍ ଅଛି ମଦନମୋହନ ଜୀ, ମୋ ତରଫରୁ ଆପଣଙ୍କୁ ବହୁତ ବହୁତ ଶୁଭେଚ୍ଛା। ବୟସର ଏହି ଅବସ୍ଥାରେ ପହଞ୍ଚି ମଧ୍ୟ ଆପଣ technologyକୁ ଶିଖୁଛନ୍ତି, technologyର ଉପଯୋଗ କରୁଛନ୍ତି । ଏକଥା ଅନ୍ୟମାନଙ୍କୁ ମଧ୍ୟ ଜଣାନ୍ତୁ, ଯଦ୍ଦ୍ୱାରା ଲୋକମାନଙ୍କର ଅଯଥା ସମୟ ବି ନଷ୍ଟ ହେବନାହିଁ, ଅର୍ଥ ବି ବ୍ୟୟ ହେବନାହିଁ ଏବଂ ସେମାନଙ୍କୁ ଯାହା ବି ମାର୍ଗଦର୍ଶନ ମିଳୁଛି ତହିଁରେ ଔଷଧ ଦ୍ୱାରା ସ୍ୱାସ୍ଥ୍ୟସେବାର ବ୍ୟବସ୍ଥା ଭଲ ଭାବରେ ହୋଇପାରିବ ।

ମଦନମୋହନ ଜୀ - ହଁ, ଏଇୟା ନୁହେଁ ତ ଆଉ କ’ଣ?

ପ୍ରଧାନମନ୍ତ୍ରୀ ଜୀ - ହଉ, ମଦନମୋହନ ଜୀ, ଆପଣଙ୍କୁ ମୋର ବହୁତ ବହୁତ ଶୁଭେଚ୍ଛା ।

ମଦନମୋହନ ଜୀ - ବନାରସକୁ ତ ଆପଣ କାଶୀ ବିଶ୍ୱନାଥ ଷ୍ଟେସନ କରିଦେଲେ । development କରିଦେଲେ । ଆପଣଙ୍କୁ ଆମ ତରଫରୁ ବହୁତ ବହୁତ ଶୁଭକାମନା ।

ପ୍ରଧାନମନ୍ତ୍ରୀ ଜୀ - ମୁଁ ଆପଣଙ୍କୁ ଧନ୍ୟବାଦ ଦେଉଛି । ଆରେ .... ଆମେ କ’ଣ କରୁଛୁ! ପ୍ରକୃତରେ ବନାରସର ଲୋକମାନେ ହିଁ ବନାରସକୁ ଗଢ଼ିଛନ୍ତି । ନ ହେଲେ, ମୁଁ ତ ମା’ ଗଙ୍ଗାର ସେବା ପାଇଁ ମା’ ଗଙ୍ଗା ମୋତେ ଡାକିଛି ବୋଲି ଆସିଛି । ଆଉ କିଛି ନୁହେଁ । ଠିକ୍ ଅଛି, ବହୁତ ବହୁତ ଶୁଭକାମନା ଓ ଶୁଭେଚ୍ଛା ଆପଣଙ୍କୁ । ପ୍ରଣାମ ।

ମଦନମୋହନ ଜୀ - ନମସ୍କାର ସାର୍ ।

ପ୍ରଧାନମନ୍ତ୍ରୀ ଜୀ - ନମସ୍କାର ।

ସାଥୀଗଣ, ଦେଶର ସାମାନ୍ୟ ମାନବଙ୍କ ପାଇଁ, ମଧ୍ୟମବର୍ଗଙ୍କ ପାଇଁ, ପାହାଡ଼ିଆ ତଥା ପାର୍ବତୀୟ ଅଂଚଳରେ ରହୁଥିବା ଲୋକମାନଙ୍କ ପାଇଁ “E-Sanjeevani” ନାଁରେ ଜୀବନକୁ ସୁରକ୍ଷା ଦେଉଥିବା ଗୋଟିଏ App ତିଆରି ଚାଲିଛି । ଏହାହେଉଛି ଭାରତର digital କ୍ରାନ୍ତିର ଶକ୍ତି ଏବଂ ଏହାର ପ୍ରଭାବ ଆଜି ଆମେ ପ୍ରତ୍ୟେକ କ୍ଷେତ୍ରରେ ଦେଖିବାକୁ ପାଉଛେ । ଭାରତରେ UPIର ଶକ୍ତିକୁ ମଧ୍ୟ ଆପଣ ସମସ୍ତେ ଜାଣିଛନ୍ତି । ସଂସାରର ଅନେକ ଦେଶ UPI ପ୍ରତି ଆକର୍ଷିତ ହେଉଛନ୍ତି । କିଛିଦିନ ତଳେ ହିଁ ଭାରତ ଓ ସିଙ୍ଗାପୁର ମଧ୍ୟରେ UPI Pay Now Link Lunch କରାଗଲା । ଏବେ ସିଙ୍ଗାପୁର ଓ ଭାରତର ଲୋକେ ନିଜର ମୋବାଇଲ ଫୋନ୍‌ରେ ସେହିପ୍ରକାର ଭାବେ ଟଙ୍କା ନେଣଦେଣ କରୁଛନ୍ତି ଯେମିତି ସେମାନେ ନିଜ ନିଜ ଦେଶ ଭିତରେ କରୁଛନ୍ତି । ମୋତେ ବହୁତ ଖୁସି ଲାଗୁଛି ଯେ ଲୋକେ ଏହି UPIର ଲାଭ ଉଠାଇବା ଆରମ୍ଭ କରିନେଲେଣି ।

ଭାରତର E-Sanjeevani App ହେଉ ବା UPI, ଏହା Ease of livingକୁ ପ୍ରୋତ୍ସାହିତ କରିବା ପାଇଁ ବହୁତ ସାହାଯ୍ୟକାରୀ ସାବ୍ୟସ୍ତ ହେଉଛି ।

ମୋର ପ୍ରିୟ ଦେଶବାସୀ, 

ଯେତେବେଳେ କୌଣସି ଦେଶର ବିଲୁପ୍ତ ହୋଇଯାଉଥିବା କୌଣସି ପକ୍ଷୀର ପ୍ରଜାତିକୁ, କୌଣସି ଜୀବଜନ୍ତୁଙ୍କୁ ବଞ୍ଚାଇ ଦିଆଯାଏ ତ ସାରା ଦୁନିଆରେ ଏକଥାର ଚର୍ଚ୍ଚା ହୁଏ । ଆମ ଦେଶରେ ଏମିତି ମହାନ ପରମ୍ପରାମାନ ମଧ୍ୟ ରହିଛି, ଯାହା ଲୁପ୍ତ ହୋଇଯାଇଥିଲା, ଲୋକଙ୍କର ମନ ମସ୍ତିଷ୍କରୁ ତାହା ଲିଭିଯାଇଥିଲା । କିନ୍ତୁ ବର୍ତମାନ ଏ ପ୍ରକାର ପରମ୍ପରାକୁ ଲୋକଙ୍କ ସାହାଯ୍ୟ ସହଯୋଗର ଶକ୍ତି ବଳରେ ପୁନଃଜୀବିତ କରିବାକୁ ପ୍ରଚେଷ୍ଟା କରାଯାଉଛି । ତ, ଏହାର ଚର୍ଚ୍ଚା କରିବା ପାଇଁ “ମନ୍ କି ବାତ୍‌”ଠାରୁ ଉତ୍କୃଷ୍ଟ ମଂଚ ଆଉ କ’ଣ ଆମକୁ ମିଳିପାରିବ? ଏବେ ମୁଁ ଯାହା ଆପଣଙ୍କୁ କହିବାକୁ ଯାଉଛି, ତାହା ଜାଣିବା ପରେ ସତରେ ଆପଣମାନେ ବହୁତ ଆନନ୍ଦିତ ହେବେ, ନିଜର ପରମ୍ପରା ଐତିହ୍ୟ ଉପରେ ଗର୍ବ ଅନୁଭବ କରିବେ । ଆମେରିକାରେ ରହୁଥିବା ଶ୍ରୀମାନ କଂଚନ ବାନାର୍ଜୀ ପରମ୍ପରାର ସଂରକ୍ଷଣ ପାଇଁ ଜଡ଼ିତ ହୋଇଥିବା ଏପରି ଏକ ଅଭିଯାନ ପ୍ରତି ମୋର ଧ୍ୟାନ ଆକର୍ଷଣ କରିଛନ୍ତି । ମୁଁ ତାଙ୍କୁ ଅଭିନନ୍ଦନ ଜଣାଉଛି ।

ସାଥୀଗଣ, 

ପଶ୍ଚିମବଙ୍ଗରେ ହୁଗ୍‌ଲୀ ଜିଲ୍ଲାର ବାଁସ୍‌ବେରିଆରେ ଏଇ ମାସ “ତ୍ରିବେଣୀ କୁମ୍ଭୋମହୋତ୍ସବ”ର ଆୟୋଜନ ହୋଇଥିଲା । ଏଠାରେ ଆଠଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ସାମିଲ ହୋଇଥିଲେ, ହେଲେ କ’ଣ ଆପଣ ଜାଣନ୍ତି ଯେ ଏହା ଏତେ ମହତ୍ୱପୂର୍ଣ୍ଣ କ’ଣ ପାଇଁ? ମହତ୍ୱପୂର୍ଣ୍ଣ ଏଇଥିପାଇଁ ଯେ ଏହି ପ୍ରଥାକୁ ୭୦୦ ବର୍ଷ ପରେ ପୁନଃଜୀବିତ କରାଯାଇଛି । ଏମିତିରେ ଦେଖିବାକୁ ଗଲେ ଏହି ପରମ୍ପରା ହେଉଛି ହଜାରେ ବର୍ଷର ପୁରୁଣା ପରମ୍ପରା । କିନ୍ତୁ ଦୁର୍ଭାଗ୍ୟବଶତଃ ୭୦୦ ବର୍ଷ ପୂର୍ବେ ବଙ୍ଗଳାର ତ୍ରିବେଣୀରେ ହେଉଥିବା ଏହି ମହୋତ୍ସବ ବନ୍ଦ ହୋଇଯାଇଥିଲା । ଏହି ପରମ୍ପରାକୁ ଭାରତ ସ୍ୱାଧୀନତା ପାଇବା ପରେ ପରେ ହିଁ ଆରମ୍ଭ କରାଯିବାର ଥିଲା ମାତ୍ର ତାହା ବି ସମ୍ଭବ ହୋଇପାରିଲା ନାହିଁ । ଦୁଇବର୍ଷ ପୂର୍ବେ ସ୍ଥାନୀୟ ବାସିନ୍ଦା ଓ “ତ୍ରିବେଣୀ କୁମ୍ଭ ପରିଚାଳନା ସମିତି” ମାଧ୍ୟମରେ ଏହି ମହୋତ୍ସବ ପୁଣିଥରେ ଆରମ୍ଭ ହୋଇଛି । ମୁଁ ଏହି ଆୟୋଜନରେ ଯୋଡ଼ିହୋଇଥିବା ସମସ୍ତଙ୍କୁ ବହୁତ ବହୁତ ଅଭିନନ୍ଦନ ଜ୍ଞାପନ କରୁଛି । ଆପଣମାନେ କେବଳ ଗୋଟିଏ ପରମ୍ପରାକୁ ଜୀବିତ କରୁନାହାନ୍ତି ବରଂ ଆପଣମାନେ ଭାରତର ସାଂସ୍କୃତିକ ପରମ୍ପରାକୁ ମଧ୍ୟ ରକ୍ଷା କରୁଛନ୍ତି ।

ସାଥୀଗଣ, ପଶ୍ଚିମବଙ୍ଗରେ ତ୍ରିବେଣୀକୁ ଶତାବ୍ଦୀ ଶତାବ୍ଦୀ ସମୟରୁ ଏକ ପବିତ୍ର ପୀଠସ୍ଥଳୀ ରୂପେ ସମସ୍ତେ ଜାଣିଛନ୍ତି । ଏହି ପୀଠର ଉଲ୍ଲେଖ ବିଭିନ୍ନ ମଙ୍ଗଳକାବ୍ୟ, ବୈଷ୍ଣବ ସାହିତ୍ୟ, ଶାକ୍ତ ସାହିତ୍ୟ ଏବଂ ଅନ୍ୟାନ୍ୟ ବଙ୍ଗଳା ସାହିତ୍ୟିକ କୃତିରେ ମଧ୍ୟ ଦେଖିବାକୁ ମିଳିଥାଏ । ବିଭିନ୍ନ ଐତିହାସିକ ତଥ୍ୟ ସାମଗ୍ରୀରୁ ଜଣାପଡ଼େ ଯେ ଦିନେ ଏହି କ୍ଷେତ୍ର ସଂସ୍କୃତ, ଶିକ୍ଷା ଓ ଭାରତୀୟ ସଂସ୍କୃତିର କେନ୍ଦ୍ର ଥିଲା । ଅନେକ ସାଧୁସନ୍ଥ ଏହି ସ୍ଥାନକୁ ମାଘସଂକ୍ରାନ୍ତିରେ କୁମ୍ଭସ୍ନାନ ପାଇଁ ପବିତ୍ର ସ୍ଥାନ ବୋଲି ବିଶ୍ୱାସ କରନ୍ତି । ତ୍ରିବେଣୀରେ ଆପଣମାନଙ୍କୁ ଅନେକ ଗଙ୍ଗାଘାଟ, ଶିବମନ୍ଦିର ଏବଂ ଟେରାକୋଟାର ବାସ୍ତୁଶିଳ୍ପରେ ସଜ୍ଜିତ ପ୍ରାଚୀନ ପ୍ରାସାଦ ଦେଖିବାକୁ ମିଳିଯିବ । ତ୍ରିବେଣୀର ପରମ୍ପରା ଓ ଐତିହ୍ୟକୁ ପୁନଃସ୍ଥାପନା କରିବା ଓ କୁମ୍ଭ ପରମ୍ପରାର ଗୌରବକୁ ପୁନଃଜୀବିତ କରିବା ପାଇଁ ଏଠାରେ ବିଗତ ବର୍ଷ କୁମ୍ଭମେଳାର ଆୟୋଜନ କରାଯାଇଥିଲା । ସାତ ଶତାବ୍ଦୀ ପରେ ତିନିଦିନ ଧରି ଆୟୋଜିତ ଏହି କୁମ୍ଭ ମହାସ୍ନାନ ଓ ମେଳା ଏ ଅଂଚଳରେ ଏକ ନୂତନ ଶକ୍ତି ସଂଚାର କରିଛି । ତିନିଦିନ ଧରି ପ୍ରତ୍ୟହ ଅନୁଷ୍ଠିତ ହେଉଥିବା ଗଙ୍ଗା ଆରତୀ, ରୁଦ୍ରାଭିଷେକ ଏବଂ ଯଜ୍ଞରେ ବହୁତ ସଂଖ୍ୟାରେ ଲୋକମାନେ ସାମିଲ ହେଉଥିଲେ । ଏହିଥର ଅନୁଷ୍ଠିତ ମହୋତ୍ସବରେ ବିଭିନ୍ନ ଆଶ୍ରମ, ମଠ ଏବଂ ଆଖଡ଼ା ମଧ୍ୟ ସମ୍ମିଳିତ ହୋଇଥିଲେ । ବଙ୍ଗାଳୀ ପରମ୍ପରା ସହ ଜଡ଼ିତ କୀର୍ତନ, ବାଉଲ୍‌, ଗୌଡୀୟ ନୃତ୍ୟ, ସ୍ତ୍ରୀ-ଖୋଲ, ପୋଟେର୍ ଗାନ୍‌, ଛଉ-ନାଚ ସନ୍ଧ୍ୟା କାର୍ଯ୍ୟକ୍ରମର ଆକର୍ଷଣର କେନ୍ଦ୍ର ଥିଲା । ଆମର ଯୁବସମାଜକୁ ଆମ ଦେଶର ସ୍ୱର୍ଣ୍ଣର୍ିମ ଅତୀତ ସହ ଯୋଡ଼ିବା ପାଇଁ ଏହା ଏକ ପ୍ରଶଂସନୀୟ ପ୍ରୟାସ ଥିଲା । ଭାରତରେ ଏହିଭଳି ଅନେକ ପ୍ରକାର ପ୍ରଥା ରହିଛି ଯାହାକୁ ପୁନଃଜୀବିତ କରିବାର ଆବଶ୍ୟକତା ରହିଛି । ମୋର ଆଶା, ଏହା ଉପରେ ହେଉଥିବା ଆଲୋଚନା, ଲୋକମାନଙ୍କୁ ଏ ଦିଗରେ ନିଶ୍ଚୟ ପ୍ରେରଣା ଯୋଗାଇବ ।

ମୋର ପ୍ରିୟ ଦେଶବାସୀଗଣ; 

ସ୍ୱଚ୍ଛ ଭାରତ ଅଭିଯାନରେ ଆମ ଦେଶରେ ଜନତାଙ୍କ ଅଂଶଗ୍ରହଣର ଅର୍ଥ ଏବେ ଯେମିତି ବଦଳିଗଲାଣି । ଦେଶରେ କେଉଁଠି ବି କିଛି ସ୍ୱଚ୍ଛତା ସମ୍ବନ୍ଧିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଲେ ଲୋକମାନେ ସ୍ୱତଃ ମୋ ପାଖରେ ଖବର ପହଞ୍ଚାଇଦିଅନ୍ତି । ଏମିତିରେ ମୋର ଧ୍ୟାନ ଆକର୍ଷିତ ହୋଇଛି ହରିୟାଣାର ଯୁବକମାନଙ୍କ ଦ୍ୱାରା ଆୟୋଜିତ ଏକ ସ୍ୱଚ୍ଛତା ଅଭିଯାନ ଉପରେ । ହରିୟାଣାରେ ଗୋଟିଏ ଗାଁ ନାଁ ହେଉଛି – “ଦୁଲ୍‌ହେଡୀ” । ଏଠିକାର ଯୁବକମାନେ ନିଷ୍ପତ୍ତି ନେଲେ ଯେ ଭିବାନୀ ସହରକୁ ସେମାନେ ସ୍ୱଚ୍ଛତା ଆଧାରରେ ଉଦାହରଣୀୟ କରିବେ । ସେମାନେ “ଯୁବ ସ୍ୱଚ୍ଛତା ଏବଂ ଜନସେବା ସମିତି” ନାମରେ ଏକ ସଂଗଠନ ଗଢ଼ିଲେ । ଏହି ସମିତିରେ ଜଡ଼ିତ ହୋଇଥିବା ଯୁବକମାନେ ଭୋର୍ ୪ଟାରେ ଭିବାନୀ ସହରରେ ପହଂଚିଯାନ୍ତି । ସହରର ଅଲଗା ଅଲଗା ଜାଗାରେ ଏମାନେ ସମସ୍ତେ ମିଶି ସଫେଇ ଅଭିଯାନ ଚଳେଇ ରଖନ୍ତି । ଏହି ଯୁବକମାନେ ଏପର୍ଯ୍ୟନ୍ତ ସହରର ଅଲଗା ଅଲଗା ସ୍ଥାନରୁ ଅନେକ ଟନ୍ ବର୍ଜ୍ୟବସ୍ତୁ ସଫା କରିସାରିଲେଣି ।

ବନ୍ଧୁଗଣ; 

ସ୍ୱଚ୍ଛ ଭାରତ ଅଭିଯାନର ଏକ ମହତ୍ୱପୂର୍ଣ୍ଣ ଅଙ୍ଗ ହେଉଛି Waste to Wealth.. ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲାର ଜଣେ ଭଉଣୀ କମଳା ମହାରଣା ଗୋଟିଏ ସ୍ୱୟଂ ସହାୟିକା ଗୋଷ୍ଠୀ ଚଳାନ୍ତି । ଏହି ଗୋଷ୍ଠୀର ମହିଳାମାନେ କ୍ଷୀର ପ୍ୟାକେଟ ଏବଂ ଅନ୍ୟାନ୍ୟ ପ୍ଲାଷ୍ଟିକ୍ ପ୍ୟାକିଂ ସାମଗ୍ରୀକୁ ସଂଗ୍ରହ କରି ଟୋକେଇ, ମୋବାଇଲ ଷ୍ଟାଣ୍ଡ ଆଜି ଜିନିଷ ନିର୍ମାଣ କରୁଛନ୍ତି । ଏମାନଙ୍କ ପାଇଁ ଏହା ସ୍ୱଚ୍ଛତା ସହିତ ଆମଦାନୀର ଏକ ମାଧ୍ୟମ ରୂପେ ମଧ୍ୟ ପରିଗଣିତ ହେଉଛି । ଯଦି ଆମେ ଦୃଢ଼ସଂକଳ୍ପ ନେବା, ତା’ହେଲେ ସ୍ୱଚ୍ଛ ଭାରତ ଅଭିଯାନରେ ନିଜର ବହୁତ ବଡ଼ ଯୋଗଦାନ ଦେଇପାରିବା । ଅତିକମ୍‌ରେ ପ୍ଲାଷ୍ଟିକ୍‌ର ବ୍ୟାଗ ସ୍ଥାନରେ କପଡ଼ା ବ୍ୟାଗ୍‌ର ସଂକଳ୍ପ ଆମ ସମସ୍ତଙ୍କୁ ନେବା ହିଁ ଉଚିତ୍ । ଆପଣମାନେ ଦେଖିବେ, ଆପଣଙ୍କର ଏହି ସଂକଳ୍ପ ଆପଣଙ୍କୁ କେତେ ସନ୍ତୋଷ ପ୍ରଦାନ କରିବ, ତା’ସହିତ ଅନ୍ୟମାନଙ୍କୁ ମଧ୍ୟ ପ୍ରେରଣା ଯୋଗାଇବ ।

ମୋର ପ୍ରିୟ ଦେଶବାସୀଗଣ; ଆଜି ଆମେ ଆପଣମାନଙ୍କ ସହ ମିଶି ପୁଣିଥରେ ଅନେକ ପ୍ରେରଣାଦାୟୀ ବିଷୟରେ କଥାବାର୍ତ୍ତା ହେଲେ । ପରିବାରବର୍ଗଙ୍କ ସହ ବସି ଶୁଣିଲେ ଓ ତାକୁ ମଧ୍ୟ ଦିନସାରା ଗୁଣୁଗୁଣାଇବା । ଆମେ ଦେଶ ପ୍ରତି କର୍ତ୍ତବ୍ୟ ପରାୟଣତାର ଯେତିକି ଚର୍ଚ୍ଚା କରୁଛୁ ଆମକୁ ସେତିକି ଶକ୍ତିପ୍ରାପ୍ତ ହେଉଛି । ଏହି ଶକ୍ତି ପ୍ରବାହ ସାଙ୍ଗରେ ଚାଲିଚାଲି ଆଜି ଆମେ “ମନ୍ କି ବାତ୍‌”ର ୯୮ତମ ଅଧ୍ୟାୟ ପର୍ଯ୍ୟନ୍ତ ପହଂଚିଗଲେଣି । ଆଜିଠାରୁ କିଛିଦିନ ପରେ ହିଁ ହୋଲିର ଉତ୍ସବ ଆସିବ । ଆପଣ ସମସ୍ତଙ୍କୁ ହୋଲିର ହାର୍ଦ୍ଦିକ ଶୁଭକାମନା ଜଣାଉଛି । ଆମେ ଆମର ଉତ୍ସବକୁ Vocal for Local ଆଧାରରେ ପାଳନ କରିଥାଉ । ନିଜ ନିଜର ଅନୁଭବକୁ ମୋ ସହ Share କରିବାକୁ ଆଦୌ ଭୁଲିବେ ନାହିଁ । ସେତେଦିନ ପର୍ଯ୍ୟନ୍ତ ମୋତେ ବିଦାୟ ଦିଅନ୍ତୁ । ଆସନ୍ତାଥର ଆମେମାନେ ପୁଣିଥରେ ନୂଆ ବିଷୟ ସହ କଥାବାର୍ତ୍ତା ହେବା ।

ବହୁତ ବହୁତ ଧନ୍ୟବାଦ । 

ନମସ୍କାର ।

Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
Indian economy ends 2024 with strong growth as PMI hits 60.7 in December

Media Coverage

Indian economy ends 2024 with strong growth as PMI hits 60.7 in December
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଡିସେମ୍ବର 17, 2024
December 17, 2024

Unstoppable Progress: India Continues to Grow Across Diverse Sectors with the Modi Government