#MannKiBaat: PM Modi extends greetings to people of Maharashtra & Gujarat on their respective Statehood days
PM Modi urges children to keep water for animals & birds during summer #MannKiBaat
During summers, many people come to our homes -postmen, milkmen, vegetable sellers. Always offer them water: PM during #MannKiBaat
Summer vacations are about new experiences, new skills and new places: PM Modi during #MannKiBaat
#MannKiBaat: PM Narendra Modi urges everyone to further the use of BHIM App
VIP culture flourished due to red beacons. We are ensuring VIP culture is removed from minds of the select few 'VIPs': PM #MannKiBaat
Sant Ramanujacharya’s contributions for society and his noble thoughts on social equality inspire us even today: PM during #MannKiBaat
Dr. Babasaheb Ambedkar ensured Shramiks lead a life of dignity: PM Modi during #MannKiBaat
New India is not about VIP. It is about EPI- every person is important: PM Modi during #MannKiBaat

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ପ୍ରତ୍ୟେକ ଥର ମନ କି ବାତ୍ ପୂର୍ବରୁ ଦେଶର କୋଣ ଅନୁକୋଣରୁ, ସବୁ ବୟସର ଲୋକମାନଙ୍କଠାରୁ, ମନ କି ବାତକୁ ନେଇ ଅନେକଗୁଡ଼ିଏ ପରାମର୍ଶ ଆସେ । ଆକାଶବାଣୀ ମାଧ୍ୟମରେ ଆସେ, Narendra Modi App ରେ ଆସେ, My Gov ଜରିଆରେ ଆସେ, ଫୋନ ଦ୍ୱାରା ଆସେ । Recorded Message ଦ୍ୱାରା ଆସେ ଏବଂ ଯେତେବେଳେ ସମୟ ବାହାର କରି ମୁଁ ସେଗୁଡ଼ିକୁ ଦେଖେ, ତାହା ମୋ ପାଇଁ ଗୋଟିଏ ସୁଖକର ଅନୁଭୂତି ହୋଇଥାଏ । ସେଥିରୁ ବିବିଧତା ପୂର୍ଣ୍ଣ ସୂଚନା ମିଳେ । ଦେଶର ପ୍ରତିଟି କୋଣରେ ଶକ୍ତିର ଭଣ୍ଡାର ରହିଛି । ଜଣେ ସାଧକ ଭଳି ସମାଜରେ ରହିଥିବା ଲୋକମାନଙ୍କର ବିପୁଳ ଯୋଗଦାନ, ଅନ୍ୟପକ୍ଷରେ ସମସ୍ୟାଗୁଡ଼ିକର ଭଣ୍ଡାର ମଧ୍ୟ ଦେଖିବାକୁ ମିଳେ ଯେଉଁ ଦିଗକୁ ହୁଏତ ସରକାରଙ୍କ ଦୃଷ୍ଟି ମଧ୍ୟ ଯାଏନି । ବୋଧହୁଏ ଶାସନ ବ୍ୟବସ୍ଥା ଏଥିସହିତ ଅଭ୍ୟସ୍ତ ହୋଇପଡ଼ିଛି, ଲୋକେ ମଧ୍ୟ ଅଭ୍ୟସ୍ତ ହୋଇପଡ଼ିଛନ୍ତି । ମୁଁ ଲକ୍ଷ୍ୟ କରିଛି ଯେ, ଏଥିରେ ପିଲାଙ୍କ ଜିଜ୍ଞାସା, ଯୁବଗୋଷ୍ଠୀର ମହତ୍ୱାଂକାଂକ୍ଷା, ବୟସ୍କମାନଙ୍କ ଅନୁଭୂତିର ସାରମର୍ମ, ଭଳିକି ଭଳି କଥା ସାମନାକୁ ଆସେ । ପ୍ରତିଥର ମନ କି ବାତ୍ ପାଇଁ ଯେତେ ସବୁ input ଆସେ, ସରକାରଙ୍କ ଦ୍ୱାରା ସେଗୁଡ଼ିକର ପୁଙ୍ଖାନୁପୁଙ୍ଖ ଭାବେ ବିଶ୍ଲେଷଣ ହୋଇଥାଏ । ବିଚାର କରାଯାଏ ଯେ, ଏହା କେଉଁଭଳି ପ୍ରସ୍ତାବ, କି ପ୍ରକାର ଅଭିଯୋଗ, ଲୋକମାନଙ୍କ ଅନୁଭୂତି କ'ଣ ? ସାଧାରଣତଃ ଦେଖିବାକୁ ଗଲେ, ଅନ୍ୟମାନଙ୍କୁ ପରାମର୍ଶ ଦେବା ମଣିଷର ପ୍ରକୃତି । ଟ୍ରେନରେ ବା ବସରେ ଗଲାବେଳେ ଯଦି ଜଣେ କାଶିଦେଲା, ତେବେ ତୁରନ୍ତ ଆଉଜଣେ ଆସି ତାକୁ ଠିକ୍ ହେବାପାଇଁ ପରାମର୍ଶ ଦେବା ଆରମ୍ଭ କରିଦେବ । ପରାମର୍ଶ ଦେବା, ପ୍ରସ୍ତାବ ଦେବା ଏସବୁ ସତେ ଯେମିତି ଆମ ପ୍ରକୃତିଗତ । ଆରମ୍ଭରେ ମନ୍ କି ବାତକୁ ନେଇ ଯେତେବେଳେ ପ୍ରସ୍ତାବମାନ ଆସୁଥିଲା, ସେଥିରେ ପରାମର୍ଶର ସ୍ୱର ଶୁଭୁଥିଲା । କିମ୍ବା ପଢ଼ିବାକୁ ମିଳୁଥିଲା, ସେତେବେଳେ ଆମ Teamକୁ ବି ଏଭଳି ଲାଗୁଥିଲା ଯେ ଏହା ଅଧିକାଂଶ ଲୋକଙ୍କ ଅଭ୍ୟାସ ହୋଇଥାଇପାରେ କିନ୍ତୁ ଟିକିଏ ସୂକ୍ଷ୍ମତାର ସହ ଦେଖିବାକୁ ଚେଷ୍ଟା କଲେ, ପ୍ରକୃତରେ ଏହା ମୋତେ ଭାବବିହ୍ୱଳ କରିଦେଲା । ପ୍ରସ୍ତାବ ଦେଉଥିବା ଅଧିକାଂଶ ଲୋକ ସେହିମାନେ, ମୋ ପର୍ଯ୍ୟନ୍ତ ପହଂଚିବାକୁ ପ୍ରଚେଷ୍ଟା କରୁଥିବା ଲୋକ ସେହିମାନେ, ଯେଉଁମାନେ ପ୍ରକୃତରେ ନିଜ ଜୀବନରେ କିଛି ନା କିଛି କରୁଛନ୍ତି । କିଛି ମଙ୍ଗଳ ହେଉ ସେଥିପାଇଁ ସେମାନେ ନିଜ ବୁଦ୍ଧି, ଶକ୍ତି, ସାମର୍ଥ୍ୟ, ପରିସ୍ଥିତି ଅନୁଯାୟୀ ପ୍ରଚେଷ୍ଟାରତ । ଏସବୁ କଥା ମନକୁ ଆସିଲା ପରେ ମୋତେ ଲାଗିଲା ଯେ, ଏଇ ପରାମର୍ଶଗୁଡ଼ିକ ସାଧାରଣ ନୁହେଁ । ଏଗୁଡ଼ିକ ଅନୁଭୂତିର ସାରମର୍ମରୁ ବାହାରିଛି । କିଛି ଲୋକ ଏଥିପାଇଁ ମଧ୍ୟ ପ୍ରସ୍ତାବ ପଠାଇଥାନ୍ତି ଯେ, ସେମାନେ ଅନୁଭବ କରନ୍ତି ଯେ, ଏହି ଚିନ୍ତାଧାରା ସେଠାରେ ଯେଉଁଠାରେ ସେ କାର୍ଯ୍ୟରତ । ସେହି ଚିନ୍ତାଧାରା ଯଦି ଅନ୍ୟମାନେ ଶୁଣନ୍ତି ଏବଂ ଏହାକୁ ଯଦି ଗୋଟିଏ ବ୍ୟାପକ ରୂପ ମିଳିଯାଏ ତେବେ ଏହାଦ୍ୱାରା ଅନେକ ଲୋକ ଉପକୃତ ହୋଇପାରିବେ । ତେଣୁ ସେମାନେ ସ୍ୱାଭାବିକ ଭାବରେ ଚାହାନ୍ତି ଯେ, ମନ କି ବାତରେ ଏକଥା ସ୍ଥାନ ପାଉ । ମୋ ଦୃଷ୍ଟିରେ ଏ ସମସ୍ତ କଥା ଅତ୍ୟନ୍ତ ସକାରାତ୍ମକ । ସର୍ବପ୍ରଥମେ ମୁଁ ସେହି ଅଧିକାଂଶ କର୍ମଯୋଗୀମାନଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରୁଛି ଯେଉଁମାନଙ୍କ ପ୍ରସ୍ତାବରେ ସମାଜ ପାଇଁ କିଛି ନା କିଛି କରିବାର ଇଚ୍ଛା ରହିଛି । କେବଳ ସେତିକି ନୁହେଁ, ମୁଁ ଯେତେବେଳେ କୌଣସି ବିଷୟର ଉଲ୍ଲେଖ କରେ ସେତେବେଳେ ଏମିତି କଥାସବୁ ମନକୁ ଆସେ, ଯାହା ଖୁବ ଆନନ୍ଦ ଦେଇଥାଏ । ଗତଥର ମନ୍ କି ବାତରେ କିଛି ଲୋକ ମୋତେ ପ୍ରସ୍ତାବ ଦେଇଥିଲେ ଯେ, ଖାଦ୍ୟଦ୍ରବ୍ୟ ନଷ୍ଟ ହେଉଛି, ସେ ସମ୍ପର୍କରେ ସେମାନେ ଉଦବେଗ ପ୍ରକାଶ କରିଥିଲେ ଏବଂ ଏ ସମ୍ପର୍କରେ ମୁଁ ଉଲ୍ଲେଖ କରିଥିଲି । ଏହି ଉଲ୍ଲେଖ ପରେ, Narendra Modi App ରେ, My Gov ରେ ଦେଶର କୋଣ ଅନୁକୋଣରୁ ଅନେକ ଲୋକ ଖାଦ୍ୟକୁ ନଷ୍ଟ ହେବାରୁ ରକ୍ଷା କରିବା ପାଇଁ କି କି ନୂତନ ଚିନ୍ତାଧାରା, କି କି ପ୍ରୟୋଗମାନ କରିଛନ୍ତି ତାହା ଜଣାଇଥିଲେ । ଆମ ଦେଶରେ ବିଶେଷକରି ଯୁବପିଢ଼ି ଅନେକ ଦିନରୁ ଏ କାମ କରି ଆସୁଛନ୍ତି ସେ କଥା ମୁଁ ମଧ୍ୟ ଭାବିନଥିଲି । କିଛି ସାମାଜିକ ସଂସ୍ଥା ଏହି କାମ କରୁଛନ୍ତି ସେ କଥା ଆମେ ଅନେକ ବର୍ଷ ହେଲା ଜାଣିଛୁ, କିନ୍ତୁ ମୋ ଦେଶର ଯୁବଗୋଷ୍ଠୀ ଏହି କାମରେ ଲାଗିଛନ୍ତି – ଏକଥା ତ ମୁଁ ପରେ ଜାଣିଲି । ଅନେକ ଲୋକ ମୋତେ Video ମାନ ପଠାଇଛନ୍ତି । ଅନେକ ଜାଗାରେ ରୁଟି ବ୍ୟାଙ୍କ ଚାଲିଛି । ଲୋକେ ରୁଟି ବ୍ୟାଙ୍କରେ ନିଜ ତରଫରୁ ରୁଟି ଜମା କରାଉଛନ୍ତି, ତରକାରୀ ଜମା କରାଉଛନ୍ତି ଏବଂ ଅଭାବଗ୍ରସ୍ତ ଲୋକ ଏହାକୁ ସେଠାରୁ ପାଇପାରୁଛନ୍ତି । ଦାନ କରୁଥିବା ବ୍ୟକ୍ତି ମଧ୍ୟ ସନ୍ତୋଷ ଲାଭ କରୁଛନ୍ତି ଏବଂ ଗ୍ରହଣ କରୁଥିବା ଲୋକର ସମ୍ମାନ ମଧ୍ୟ ରକ୍ଷା ହୋଇପାରୁଛି । ସମାଜର ସହଯୋଗରେ କେମିତି କାମ ହୋଇପାରେ – ଏହା ତାହାର ଉଦାହରଣ ।

ଆଜି ଏପ୍ରିଲ ମାସ ସରିବାକୁ ଯାଉଛି, ଆଜି ଶେଷ ଦିନ । ମଇ 1 ତାରିଖ ଦିନ ଗୁଜରାତ ଏବଂ ମହାରାଷ୍ଟ୍ରର ପ୍ରତିଷ୍ଠା ଦିବସ । ଏହି ଅବସରରେ ଉଭୟ ରାଜ୍ୟର ନାଗରିକମାନଙ୍କୁ ମୋ ତରଫରୁ ଅନେକ ଅନେକ ଶୁଭେଚ୍ଛା । ଉଭୟ ରାଜ୍ୟ ଉନ୍ନତିର ନୂତନ ଶିଖରକୁ ପାର କରିବା ପାଇଁ ଅନବରତ ଭାବରେ ପ୍ରଚେଷ୍ଟା କରିଛନ୍ତି । ଦେଶର ଉନ୍ନତିରେ ଯୋଗଦାନ କରିଛନ୍ତି । ଉଭୟ ରାଜ୍ୟର ମହାପୁରୁଷଗଣଙ୍କ ଜୀବନ ସମାଜର ପ୍ରତ୍ୟେକ କ୍ଷେତ୍ରରେ ଆମକୁ ପ୍ରେରଣା ଦେଇଚାଲିଛି । ଏହି ମହାପୁରୁଷମାନଙ୍କୁ ସ୍ମରଣ କରି ରାଜ୍ୟର ପ୍ରତିଷ୍ଠା ଦିବସରେ 2022 ରେ ଯେତେବେଳେ ଦେଶର ସ୍ୱାଧୀନତାକୁ 75 ବର୍ଷ ପୂରଣ ହେବ ସେତେବେଳେ ଆମେ ନିଜ ରାଜ୍ୟକୁ, ନିଜ ଦେଶକୁ, ନିଜ ସମାଜକୁ, ନିଜ ସହରକୁ, ନିଜ ପରିବାରକୁ କେଉଁଠି ପହଂଚାଇବା ଏହାର ସଂକଳ୍ପ ଗ୍ରହଣ କରିବା ଉଚିତ୍ । ସେହି ସଂକଳ୍ପକୁ ସାକାର କରିବା ପାଇଁ ଯୋଜନା ପ୍ରସ୍ତୁତ କରିବା ଉଚିତ ଏବଂ ସମସ୍ତ ନାଗରିକମାନଙ୍କ ସହଯୋଗରେ ଆଗକୁ ବଢ଼ିବା ଉଚିତ । ଏହି ଦୁଇ ରାଜ୍ୟକୁ ମୋର ଅନେକ ଅନେକ ଶୁଭେଚ୍ଛା ।

ଦିନ ଥିଲା, ଯେତେବେଳେ "ଜଳବାୟୁ ପରିବର୍ତ୍ତନ'' ଏହା କେବଳ ଶିକ୍ଷା କ୍ଷେତ୍ରରେ ବିଷୟବସ୍ତୁ ଥିଲା, ସେମିନାରର ବିଷୟବସ୍ତୁ ଥିଲା । ହେଲେ ଆଜି, ଆମେ ଦୈନନ୍ଦିନ ଜୀବନରେ ଏହାକୁ ଅନୁଭବ କରୁଛୁ, ଏଥିରେ ଆଶ୍ଚର୍ଯ୍ୟାନ୍ୱିତ ମଧ୍ୟ ହେଉଛୁ । ପ୍ରକୃତି ବି ଖେଳର ସବୁ ନିୟମ ବଦଳାଇ ଦେଇଛି । ଆମ ଦେଶରେ ମଇ-ଜୁନ ମାସରେ ଯେଉଁଭଳି ଗରମ ହୁଏ ତାହା ଏଥର ମାର୍ଚ୍ଚ-ଏପ୍ରିଲରେ ପଡ଼ିଲାଣି । ଏଥର ମନ୍ କି ବାତ୍ ପାଇଁ ମୁଁ ଯେତେବେଳେ ପ୍ରସ୍ତାବ ଆମନ୍ତ୍ରିତ କଲି, ସେତେବେଳେ ଅଧିକାଂଶ ଲୋକ ଖରାଦିନେ କ'ଣ କରାଯିବା ଉଚିତ ସେ ସମ୍ପର୍କରେ ପ୍ରସ୍ତାବମାନ ଦେଲେ । ଅବଶ୍ୟ ଏସବୁ କଥା ପୂର୍ବରୁ ପ୍ରଚଳିତ । କିଛି ନୂଆ କଥା ନୁହେଁ । କିନ୍ତୁ ଠିକ୍ ସମୟରେ ଏହାକୁ ପୁଣିଥରେ ସ୍ମରଣ କଲେ ଏସବୁ ଖୁବ୍ କାମରେ ଲାଗେ । ଜଣେ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମିଶ୍ର, ଟି.ଏସ୍. କାର୍ତିକ୍ ଏଭଳି ଅନେକ ବନ୍ଧୁ ପକ୍ଷୀମାନଙ୍କ ସମ୍ପର୍କରେ ଉଦବେଗ ପ୍ରକାଶ କରିଛନ୍ତି । ସେମାନେ କହିଛନ୍ତି ଯେ, ବାଲ୍କନିରେ, ଛାତ ଉପରେ ପାଣି ରଖିବା ଦରକାର । ଆଉ ମୁଁ ଲକ୍ଷ୍ୟ କରିଛି ଯେ, ପରିବାରରେ ଛୋଟ ଛୋଟ ପିଲାମାନେ ଏହି କାମ ଖୁବ୍ ସୁନ୍ଦର ଭାବରେ କରନ୍ତି । ଏହି ପାଣି କାହିଁକି ରଖାଯାଉଛି ତାହା ଥରେ ଠିକ୍ ଭାବରେ ବୁଝିଗଲେ, ସେମାନେ ଦିନକୁ ଦଶଥର ଯାଇ ଦେଖିଆସନ୍ତି ଯେ ରଖାଯାଇଥିବା ପାତ୍ରରେ ପାଣି ଅଛି କି ନାହିଁ । ଆଉ ପୁଣି ଦେଖୁଥାନ୍ତି ଯେ ପକ୍ଷୀ ଆସିଲେ ନା ନାହିଁ । ଆମକୁ ଏହା ପିଲାଖେଳ ପରି ଲାଗିପାରେ କିନ୍ତୁ ଶିଶୁ ମନରେ ସମ୍ବେଦନା ଜାଗ୍ରତ କରିବାର ଅନୁଭୂତି ଅଦ୍ଭୁତ । ଆପଣ ମଧ୍ୟ ଦେଖନ୍ତୁ - ପଶୁପକ୍ଷୀମାନଙ୍କ ସହ ଟିକିଏ ସମ୍ପର୍କ, ଏକ ନୂଆ ଆନନ୍ଦର ଅନୁଭୂତି ଦିଏ ।

କିଛିଦିନ ପୂର୍ବେ ଗୁଜରାତରୁ ଶ୍ରୀଯୁକ୍ତ ଜଗତଭାଇ ମୋତେ ନିଜର ଗୋଟିଏ ବହି ପଠାଇଛନ୍ତି – "Save the Sparrows", ଯେଉଁଥିରେ ସେ ଘରଚଟିଆମାନଙ୍କ ହ୍ରାସ ପାଉଥିବା ସଂଖ୍ୟା ଯୋଗୁଁ ତ ଉଦ୍ବେଗ ପ୍ରକାଶ କରିଛନ୍ତି, ତା'ସହିତ ସେ ନିଜେ ଏମାନଙ୍କ ସଂରକ୍ଷଣ ପାଇଁ କ'ଣ ସବୁ ପ୍ରୟୋଗ କରିଛନ୍ତି, କ'ଣ ପ୍ରଚେଷ୍ଟା କରିଛନ୍ତି, ବହିରେ ଏସବୁକୁ ଖୁବ୍ ସୁନ୍ଦର ଭାବେ ବର୍ଣ୍ଣନା କରିଛନ୍ତି । ଅବଶ୍ୟ ଆମ ଦେଶରେ ପଶୁ-ପକ୍ଷୀ, ପ୍ରକୃତି ସହ ସହାବସ୍ଥାନ ସହିତ ଆମେ ଅଭ୍ୟସ୍ତ । ତଥାପି ସାମୁହିକ ଭାବେ ଏଭଳି ପ୍ରଚେଷ୍ଟାକୁ ଗୁରୁତ୍ୱ ଦିଆଯିବା ଉଚିତ୍ । ଯେତେବେଳେ ମୁଁ ଗୁଜରାତର ମୁଖ୍ୟମନ୍ତ୍ରୀ ଥିଲି ସେତେବେଳେ "ଦାଉଦୀ ବୋହରା ସମାଜ''ର ଧର୍ମଗୁରୁ ସୈୟଦନା ସାହେବଙ୍କୁ ଶହେବର୍ଷ ବୟସ ହୋଇଥିଲା । ସେ 103 ବର୍ଷ ଜୀବିତ ରହିଥିଲେ । ତାଙ୍କୁ ଶହେ ବର୍ଷ ପୁରିବା ଅବସରରେ ବୋହରା ସମାଜ Burhaani Foundation ଜରିଆରେ ଘରଚଟିଆମାନଙ୍କୁ ସୁରକ୍ଷା ଦେବାର ଗୋଟିଏ ବହୁତ ବଡ଼ ଅଭିଯାନ ଚଳାଇଥିଲେ । ମୋତେ ଏହାର ଶୁଭାରମ୍ଭ କରିବାର ସୁଯୋଗ ମିଳିଥିଲା । ସେମାନେ ବିଶ୍ୱର କୋଣ ଅନୁକୋଣରେ ପ୍ରାୟ 52 ହଜାର bird feeder ବିତରଣ କରିଥିଲେ । ଗିନିସ୍ ବୁକ୍ ଅଫ୍ ୱାର୍ଲଡ ରେକର୍ଡସରେ ମଧ୍ୟ ଏକଥା ସ୍ଥାନ ପାଇଥିଲା । ବେଳେବେଳେ ଆମେ ଏତେ ବ୍ୟସ୍ତ ଥାଉଁ ଯେ, ଖବରକାଗଜ ଦେଉଥିବା ବ୍ୟକ୍ତି ହେଉ ବା ପରିବାବାଲା, କ୍ଷୀର ଦେଉଥିବା ଗୋପାଳ ହେଉ ବା ପୋଷ୍ଟମ୍ୟାନ, କିମ୍ବା ଅନ୍ୟ କେହି ବ୍ୟକ୍ତିବିଶେଷ, ଯେ କି ଆମ ଘରକୁ ଆସନ୍ତି, ତାଙ୍କୁ ଖରାଦିନେ ଆମେ ପାଣି ଗିଲାସେ ନିହାତି ଦେବା ଦରକାର ବୋଲି ଭୁଲିଯାଇଥାଉ ।

ହେ ମୋର "ଯୁବ ବନ୍ଧୁ'ଗଣ ମୁଁ କିଛି କଥା ଆପଣମାନଙ୍କ ସହିତ Share କରିବାକୁ ଚାହୁଁଛି । ମତେ ଏ କଥା ମଧ୍ୟ ଚିନ୍ତିତ କରେ କି, ଆମର ଅନେକ ଯୁବବନ୍ଧୁ comfort zone ମଧ୍ୟରେ ରହି ଜୀବନକୁ ଅତିବାହିତ କରିଥାନ୍ତି । ପିତା-ମାତା ମଧ୍ୟ ରକ୍ଷଣାତ୍ମକ ଢଙ୍ଗରେ ସେମାନଙ୍କର ଲାଳନ-ପାଳନ କରନ୍ତି । ଆଉ କେତେକ Extreme ବା ଅତ୍ୟଧିକ ସୁରକ୍ଷା ବଳୟରେ ରୁହନ୍ତି । ମାତ୍ର ଅଧିକାଂଶ ଆରାମଦାୟକ ପରିସରରେ ରହିବାର ନଜରକୁ ଆସନ୍ତି । ଏବେ ତ ପରୀକ୍ଷା ସରିଯାଇଛି । ଗ୍ରୀଷ୍ମ-ଅବକାଶ । ଗ୍ରୀଷ୍ମ ହେଉଥିଲେ ମଧ୍ୟ ଆରାମଦାୟକ । କିନ୍ତୁ ମୁଁ ଆପଣଙ୍କର ଜଣେ ବନ୍ଧୁ ହିସାବରେ ଆପଣମାନେ ଗ୍ରୀଷ୍ମାବକାଶ କିପରି କଟାଇବେ, ସେ ସମ୍ବନ୍ଧରେ କିଛି ପରାମର୍ଶ ଦେଉଛି । ମୋର ବିଶ୍ୱାସ ଅଛି ଯେ ଆପଣମାନଙ୍କ ମଧ୍ୟରୁ କେହି କେହି ଏହାକୁ ପ୍ରୟୋଗ କରିବେ ଏବଂ ମତେ ଚିଠି ଲେଖି ଜଣାଇବେ ।

ଗ୍ରୀଷ୍ମବକାଶକୁ ଉପଯୋଗ କରିବା ପାଇଁ ମୁଁ ତିନୋଟି କଥା କହୁଅଛି, ତିନୋଟି ଯାକ କରିଲେ ତ ଭଲ କଥା, ନ ହେଲେ ନାହିଁ, ଗୋଟିକର ପ୍ରୟୋଗ ତ ନିଶ୍ଚିତ କରିବେ । ଏକଥା ନିଶ୍ଚିତ ଯେ, ନୂତନ ଅଭିଜ୍ଞତା ହେବ, ନୂତନ କାର୍ଯ୍ୟ କରିବା ପାଇଁ ଚେଷ୍ଟା କରନ୍ତୁ ଏବଂ ଯେଉଁ ବିଷୟରେ ନା କେବେ ଶୁଣିଛନ୍ତି, ନା କେବେ ଦେଖିଛନ୍ତି ନା କେବେ ଭାବିଛନ୍ତି, ନା କେବେ କରିଛନ୍ତି, ଯଦି ମନ ଚାହୁଁଛି ସେ ଆଡ଼କୁ ନିଶ୍ଚିତ ଯାଆନ୍ତୁ । ନୂତନ ସ୍ଥାନ, ନୂତନ ଅଭିଜ୍ଞତା ଓ ନୂତନ ଦକ୍ଷତାର ଅନୁଭୂତି ସଂଗ୍ରହ କରନ୍ତୁ । କୌଣସି ଜିନିଷକୁ T.V ପରଦାରେ ଦେଖିବା, ପୁସ୍ତକରୁ ପଢ଼ିବା, ପରିଚିତ ଲୋକଙ୍କ ଠାରୁ ଶୁଣିବା ଏବଂ ତାହାକୁ ନିଜେ ଅଙ୍ଗେ ନିଭେଇବା ମଧ୍ୟରେ ଆକାଶ-ପାତାଳ ଫରକ ଥାଏ । ମୁଁ ନିଶ୍ଚିତ ଆପଣମାନଙ୍କଠାରୁ ଆଶା ରଖିବି ଯେ ଏହି ଗ୍ରାଷ୍ମାବକାଶରେ ଯେଉଁ ବିଷୟରେ ଆପଣଙ୍କର ଜିଜ୍ଞାସା ଅଛି ସେହି ବିଷୟରେ ନୂତନ ଅଭିଜ୍ଞତା ହାସଲ କରନ୍ତୁ ।

ନିଜର ପରୀକ୍ଷା ବା experiment ସକାରାତ୍ମକ ହେବା ଦରକାର ଏବଂ ଆପଣଙ୍କୁ comfort zoneରୁ ଟିକେ ବାହାରକୁ ନେବା ମଧ୍ୟ ଜରୁରୀ । ଆମେ ମଧ୍ୟବିତ ପରିବାରରୁ ଆସିଛୁ, ଏବଂ ସୁଖୀ ପରିବାରରୁ । କେତେବେଳେ କେମିତି ମନ ହୁଏ କି, ଟ୍ରେନରେ ବିନା ସଂରକ୍ଷଣରେ ଦ୍ୱିତୀୟ ଶ୍ରେଣୀରେ ଟିକେଟ ଖଣ୍ଡେ କାଟି ଚଢ଼ିବା ଏବଂ ଅତି କମରେ କଷ୍ଟରେ 24 ଘଂଟା ଯାତ୍ରା କରିବାର ଅନୁଭୂତି ସଂଗ୍ରହ କରିବା । ""କ'ଣ ଅନୁଭବ କଲେ ? ଅନୁଭୂତି କ'ଣ ? ସେମାନେ ଷ୍ଟେସନରେ ଓହ୍ଲାଇ କ'ଣ କରୁଛନ୍ତି ? ଏସବୁ ଦେଖିଲେ ହୁଏତ ବର୍ଷକ ମଧ୍ୟରେ ଯାହା ନ ଶିଖିପାରିବେ ତାହା ସେହି 24 ଘଂଟିଆ ବିନା reservationରେ ପ୍ରବଳ ଭିଡ଼ ମଧ୍ୟରେ ଅନିଦ୍ରା ହୋଇ ଯାତ୍ରା କଲେ, ଅନୁଭବ କରିପାରିବେ । ଏ ଅନୁଭବ ଅନ୍ତତଃ ଥରେ ସଂଗ୍ରହ କରନ୍ତୁ । ଦ୍ୱିପ୍ରହରର ଫୁଟବଲ କିମ୍ବା ଭଲିବଲ କିମ୍ବା ଖେଳର କୌଣସି ସାଧନ ନେଇ ଗୋଟିଏ ନିହାତି ଗରିବ ବସ୍ତି ଆଡ଼କୁ ଯାଆନ୍ତୁ । ସେହି ଗରିବ ପିଲାଙ୍କ ସହିତ ନିଜେ ଖେଳନ୍ତୁ । ଦେଖିବେ, ଜୀବନରେ ଏଭଳି ଖେଳର ଆନନ୍ଦ କେବେ ପାଇନଥିବେ । ସମାଜରେ ଏହି ବସ୍ତିବାସିନ୍ଦାଙ୍କ ପିଲାମାନଙ୍କୁ, ଯେତେବେଳେ ଆପଣଙ୍କ ସହିତ ଖେଳିବାର ସୁଯୋଗ ମିଳିବ, ଭାବିଛନ୍ତି ତାଙ୍କ ଜୀବନରେ କି ପରିବର୍ତନ ଆସିବ । ମୋର ବିଶ୍ୱାସ, ଆପଣ ଥରେ ଗଲେ ବାରମ୍ବାର ଯିବାକୁ ମନ କରିବେ ଏବଂ ଏ ଅନୁଭୂତି ଆପଣଙ୍କୁ ଅନେକ କିଛି ଶିକ୍ଷାଦେବ ।

କେତେକ ସ୍ୱେଚ୍ଛାସେବୀ ସଂଗଠନ ଅନବରତ ସେବା କାର୍ଯ୍ୟ କରିଥାନ୍ତି । ଆପଣ ତ ଏକ୍ଟକ୍ଟଶକ୍ଷର ଗୁରୁ ସହିତ ଯୋଡ଼ି ହୋଇଥିବେ! ସେହି Googleରୁ ଅନୁସନ୍ଧାନ କରନ୍ତୁ । ଏହିଭଳି ସଂଗଠନ ସହିତ 15 ରୁ 20 ଦିନ ସଂଯୋଗ ସ୍ଥାପନ କରନ୍ତୁ, ଜଙ୍ଗଲ ଆଡ଼େ ଟିକେ ବୁଲି ଆସନ୍ତୁ । କେବେ କେମିତି Summer Camp ହୁଏ, development କ୍ୟାମ୍ପ ଲାଗେ, ନିଜର ବିକାଶ ପାଇଁ ତହିଁରେ ମଧ୍ୟ ଯୋଗଦାନ କରନ୍ତୁ ।

ବେଳେବେଳେ ଆପଣଙ୍କୁ ଏକଥା ଲାଗେ କି, ଆପଣ କେବେ ବ୍ୟକ୍ତିତ୍ୱ ବିକାଶର Summer Camp କରିଛନ୍ତି । ଏକଥା କହିବାକୁ ହେଲେ ବିନା ଅର୍ଥ ଲାଳସାରେ ସେମାନଙ୍କର ନିକଟବର୍ତ୍ତୀ ହୁଅନ୍ତୁ ଯେଉଁମାନଙ୍କ ନିକଟରେ ଶିକ୍ଷା ପାଇବାର କୌଣସି ଅବସର ନାହିଁ । ଯାହା ଆପଣ ଶିଖିଛନ୍ତି ତାଙ୍କୁ ମଧ୍ୟ ଶିଖାନ୍ତୁ । ଆଉ ଏ କାର୍ଯ୍ୟ କେମିତି କରାଯାଇପାରିବ ତାହା ଆପଣ ଶିଖାଇପାରିବେ । ମୁଁ ବୁଝିପାରୁନାହିଁ technology ମନୁଷ୍ୟମାନଙ୍କ ଭିତରେ ଦୂରତା କମ୍ କରିବାକୁ ଆସିଛି, ନା ଗ୍ଧରମଷଦ୍ଭକ୍ଟକ୍ଷକ୍ଟଶଚ୍ଚ ସୀମାକୁ ସମାପ୍ତ କରିବାକୁ ଆସିଛି । ଏହାର କୁପରିଣାମ ହେଉଛି ଯେ, ଘରେ ଛ' ଜଣ ଗୋଟିଏ ବଖରାରେ ବସିଛନ୍ତି ମାତ୍ର ସେମାନଙ୍କ ମଧ୍ୟରେ ଦୂରତାର ସୀମା ଏତେ ଅଧିକ ହୋଇଛି ଯେ କଳ୍ପନା ମଧ୍ୟ କରିବା ସମ୍ଭବ ନୁହେଁ । କାହିଁକି ନା ସମସ୍ତେ Technology ଦ୍ୱାରା ହିଁ ବ୍ୟସ୍ତ ହୋଇଯାଇଛନ୍ତି । ଏକଥା ଭୁଲିବା ଉଚିତ ନୁହେଁ ସାମୁହିକ ଭାବରେ ବଂଚିବା ମଧ୍ୟ ଏକ ସଂସ୍କାର, ସାମୁହିକତା ଏକ ଶକ୍ତି । ପୁଣି ଆମେ Skill ବା କୌଶଳ କଥା କହିବା । କିଛି ନୂଆ ଶିଖିବାକୁ କ'ଣ ଆପଣଙ୍କ ମନ ହୁଏନା । ଆଜିକାଲି ସ୍ପର୍ଦ୍ଧାର ଯୁଗ । Examinationରେ ପୁରା ବୁଡ଼ିକି ରହୁଛନ୍ତି । ଭଲ ନମ୍ବର ପ୍ରାପ୍ତି ପାଇଁ ନିଜକୁ ହଜାଇ ଦେଉଛନ୍ତି । Vacationରେ ମଧ୍ୟ Coaching Class ଲାଗି ରହେ । ଆଗାମୀ examର ଚିନ୍ତା ଲାଗିରହିଛି ବେଳେବେଳେ ଡର ଲାଗୁଛି ଯେ, ଆମ ଯୁବପୀଢ଼ି ମଣିଷରୁ ରୋବର୍ଟ ହୋଇଯାଉ ନାହାନ୍ତି ତ ! ମେସିନ୍ ଭଳିଆ ନିଜର ଜୀବନକୁ କେବଳ ଗତିଶୀଳ କରିଦେଉନାହାନ୍ତି ତ ।

""ବନ୍ଧୁଗଣ'' ଜୀବନରେ କିଛି ନା କିଛି ହେବାପାଇଁ ସ୍ୱପ୍ନ ଦେଖିବା ଖୁବ୍ ଭଲ । ସମାଜ ପାଇଁ କିଛି କରିବା ଭଲ କଥା ଏବଂ କରିବା ମଧ୍ୟ ଉଚିତ । କିନ୍ତୁ ଏକଥା ମଧ୍ୟ ଦେଖନ୍ତୁ ଯେ ଆମ ଭିତରେ ଯେଉଁ ମାନବୀୟ ଗୁଣ ଅଛି ତାହା କେଉଁଠାରେ ସଂକୁଚିତ ହୋଇଯାଉନାହିଁ ତ, ଆମେ ମାନବୀୟ ଚିନ୍ତାଧାରାଠାରୁ କେବେହେଲେ ଦୂରକୁ ଚାଲିଯାଇ ନାହୁଁ ତ ।

କୌଶଳ ଦକ୍ଷତା ଉପରେ, ଏଥିରେ କିଛି ଗୁରୁତ୍ୱ ଦିଆଯାଇପାରେ । Technology ଠାରୁ ଦୂରରେ ନିଜ ସହ ଜୀବନ ବିତେଇବାର ପ୍ରୟାସ ପାଇଁ ସଂଗୀତର କୌଣସି ବାଦ୍ୟଯନ୍ତ୍ର ଶିକ୍ଷା କରନ୍ତୁ । କୌଣସି ନୂଆ ଭାଷାର 5-50 ବାକ୍ୟ ଶିକ୍ଷା କରନ୍ତୁ । ତାମିଲ ହେଉ ବା ତେଲଗୁ, ଅହମିଆ ହେଉ ବା ବଙ୍ଗଳା, ମଲୟାଲମ ହେଉ ବା ଗୁଜରାତି, ମରାଠି ହେଉ ବା ପଞ୍ଜାବୀ । କେତେ ବିବିଧତା ପୂର୍ଣ୍ଣ ଏ ଦେଶ ଦୃଷ୍ଟିନିକ୍ଷେପ କଲେ ଆମ ଘର ଆଖପାଖରେ ଏହାକୁ ଶିଖେଇବା ପାଇଁ କେହି ନା କେହି ମିଳିଯିବେ । ପହଁରିବା ଆସୁନାହିଁ ତ ପହଁରିବା ଶିଖନ୍ତୁ, ଡ୍ରଇଁ ନଆସୁଛି ତ କିଛି ଗାର ତ ପକାଇ ପାରିବା । ଆପଣଙ୍କ ମନ ଭିତରେ ଯେଉଁ ସମ୍ବେଦନା ଅଛି ତାହା ପ୍ରକଟିତ ହେବାକୁ ଲାଗିବ । କେବେ କେମିତି ଯେଉଁ କାମକୁ ଆମେ ମନେ ମନେ କହୁ ବା ଭାବୁ ତାହାକୁ କରିବା ଉଚିତ୍ । କେବେ ଆମକୁ କାର ଚଳେଇବାକୁ ମନ କହେ ତ କେବେ କେମିତି ଅଟୋ ରିକ୍ସା ଚଳାଇବାକୁ ମନ କରେ । ହଁ ଆପଣ ତ ସାଇକେଲ ଚଲାଉଥିବେ ହେଲେ କେବେ ୩ ଚକିଆ ସାଇକେଲ ରିକ୍ସା ଚଳାଇବାକୁ ଚେଷ୍ଟା କରିଛନ୍ତି କି? ଆପଣ ଦେଖିବେ ଏହି ନୂଆ ପ୍ରୟୋଗର କୌଶଳ ଶିକ୍ଷା ଏପରି ଅଛି ଯାହାକି ଆପଣଙ୍କୁ ଆନନ୍ଦ ଦେବା ସହିତ ଜୀବନରେ ଗୋଟିଏ ପରିସର ଯାହାକି ଆପଣଙ୍କୁ ବାନ୍ଧିଦେଇଛି । ସେହି ପରିସରରୁ ମୁକ୍ତ କରି ବାହାର ଦୁନିଆକୁ ନେଇଯିବ ।

ବନ୍ଧୁଗଣ, Out of the box, କିଛି କରନ୍ତୁ । ଜୀବନକୁ ଠିକ୍ ଭାବରେ ପରଖିବା ଓ ପ୍ରସ୍ତୁତି କରିବାର ଏହି ତ ଉଚିତ ସମୟ । ଆପଣ ଏକଥା ଭାବୁଥିବେ ଯେ ପରୀକ୍ଷା ସମାପ୍ତ ହୋଇଯାଉ, କ୍ୟାରିୟର ଠିକ୍ ଗଠନ ହୋଇଗଲେ ସେତେବେଳେ ଶିକ୍ଷା କରିବି, କିନ୍ତୁ ବାସ୍ତବରେ ସୁଯୋଗ ଆସିବ ନାହିଁ । ଆପଣ କୌଣସି ଏକ ନୂତନ ଅଡ଼ୁଆରେ ଫସିଯିବେ । ସେଥିପାଇଁ ମୁଁ କହିବି ଯଦି ଆପଣ ଯାଦୁବିଦ୍ୟା ଶିକ୍ଷା କରିବାକୁ ମନ କରୁଛନ୍ତି, ତେବେ ତାସ୍ ମୁଠିରୁ ଯାଦୁବିଦ୍ୟା ଶିଖିବା ଆରମ୍ଭ କରନ୍ତୁ । ନିଜର ସାଙ୍ଗମାନଙ୍କୁ ମଧ୍ୟ କୌଶଳ ଦେଖାନ୍ତୁ । କିଛି ନା କିଛି ଜିନିଷ ଆପଣ ଯାହା ଜାଣିନାହାନ୍ତି, ଶିଖିବାକୁ ଚେଷ୍ଟା କରନ୍ତୁ । ସେଥିରେ ଆପଣଙ୍କୁ ନିଶ୍ଚିତ ଲାଭ ମିଳିବ । ଆପଣଙ୍କ ଭିତରେ ମାନବୀୟ ଶକ୍ତିକୁ ଜୀବଦାନ ମିଳିବ । ବିକାଶ କରିବା ପାଇଁ ଭଲ ଅବସର ମିଳିବ, ଯାହାର କଳ୍ପନା ମଧ୍ୟ ଆମେ କେବେ କରିନଥିବା ।

ମୁଁ ମୋ ନିଜ ଅନୁଭବରୁ କହୁଛି, ଦୁନିଆକୁ ଠିକ୍ ଭାବରେ ଦେଖିଲେ, ଯେତେ ଶିଖିବା ଓ ବୁଝିବାକୁ ମିଳେ ଯାହାର କଳ୍ପନା ମଧ୍ୟ ଆମେ କରିପାରିବା ନାହିଁ । ନୂଆ ନୂଆ ସ୍ଥାନ, ନୂଆ ନୂଆ ସହର, ନୂଆ ନୂଆ ନଗର, ନୂଆ ନୂଆ ଗାଁ ଓ ନୂଆ ନୂଆ ଇଲାକା । କିନ୍ତୁ ଯିବା ପୂର୍ବରୁ କେଉଁ ଆଡ଼କୁ ଯାଉଛନ୍ତି ତାହାର ସୂଚନା ଏବଂ ଜଣେ ଜିଜ୍ଞାସୁ ଭଳି ତାହାକୁ ଦେଖିବା, ବୁଝିବା, ଲୋକଙ୍କ ସହିତ ଚର୍ଚ୍ଚା କରିବା, ସେମାନଙ୍କ ସହିତ ମିଶିବା ପାଇଁ ପ୍ରୟାସ କଲେ ତାହାର ଆନନ୍ଦ କିଛି ନିଆରା ହେବ ।

ଆପଣ ନିଶ୍ଚିତ ଚେଷ୍ଟା କରନ୍ତୁ ଏବଂ ସିଦ୍ଧାନ୍ତ ନିଅନ୍ତୁ ଯେ ଅଧିକ ସ୍ଥାନ ଭ୍ରମଣ କରିବା ଉଚିତ୍ ହେବନାହିଁ । ଗୋଟିଏ ସ୍ଥାନକୁ ଯାଇ ତିନିଦିନ କିମ୍ବା ଚାରିଦିନ ଅତିବାହିତ କରନ୍ତୁ । ପୁଣି ଆଉ ଗୋଟିଏ ସ୍ଥାନକୁ ଯାଆନ୍ତୁ ଏବଂ ସେଠାରେ ମଧ୍ୟ ତିନି ଚାରି ଦିନ ସମୟ ଦିଅନ୍ତୁ । ଏଥିରୁ ଆପଣଙ୍କୁ ଅନେକ କିଛି ଶିକ୍ଷା କରିବାର ସୁଯୋଗ ମିଳିବ । ମୁଁ ଏକଥା ମଧ୍ୟ ଆଶା କରିବି ଯେ ଆପଣ ଯେବେ ଯାଉଛନ୍ତି ସେଠାକୁ ଯାଇ କିଛି ଫଟୋ ମୋ ସହିତ Share କରନ୍ତୁ । କ'ଣ ନୂତନ ଦେଖିଲେ? କେଉଁଠାକୁ ଗଲେ, ଆପଣ #tag incredible india ମାଧ୍ୟମରେ ନିଜର ଅନୁଭୂତିକୁ ବାଣ୍ଟନ୍ତୁ । ""ବନ୍ଧୁଗଣ'' ଏଥର ଭାରତ ସରକାର ମଧ୍ୟ ଆପଣଙ୍କ ପାଇଁ ଏକ ଭଲ ସୁଯୋଗ ପ୍ରଦାନ କରିଛନ୍ତି । ନୂତନ ପିଢ଼ି ତ ନଗଦ କାରବାରରୁ ମୁକ୍ତ ହେଉଛନ୍ତି । ତାଙ୍କର Cash ର ଆବଶ୍ୟକତା ନାହିଁ । ସେମାନେ Digital Currency ରେ ନିଜକୁ ବିଶ୍ୱାସଭାଜନ କରାଇଛନ୍ତି । ଆପଣମାନେ ତ କରୁଥିଲେ ମାତ୍ର ଏହି ଯୋଜନାରୁ ଆପଣ ରୋଜଗାର ମଧ୍ୟ କରିପାରିବେ ଏକଥା ଚିନ୍ତା କରିଛନ୍ତି କି? ଭାରତ ସରକାରଙ୍କ ଏହା ଏକ ଯୋଜନା । ଯଦି BHIM App ଯାହାକୁ କି ଆପଣ download କରିଥିବେ, ଆପଣ ଉପଯୋଗ ମଧ୍ୟ କରୁଥିବେ, ତାହାକୁ ଅନ୍ୟ ଜଣକୁ refer କରନ୍ତୁ । ଅନ୍ୟକୁ ଏହାସହିତ ଯୋଡ଼ନ୍ତୁ ଏବଂ ଯଦି ନୂଆ ବ୍ୟକ୍ତି ଜଣକ ତିନିଥର ଆର୍ଥିକ କାରବାର କରନ୍ତି, ଆପଣ ୧୦ ଟଙ୍କା ରୋଜଗାର କରିପାରିବେ । ଆପଣଙ୍କ ଖାତାରେ ସରକାରଙ୍କ ତରଫରୁ ୧୦ ଟଙ୍କା ଜମାହେବ । ଯଦି ଆପଣ ଦିନତମାମ୍ ୨୦ ଜଣ ଲୋକଙ୍କଠାରୁ କରାଇନେଲେ ତେବେ ସନ୍ଧ୍ୟା ପର୍ଯ୍ୟନ୍ତ ଆପଣ ୨୦୦ ଟଙ୍କା ପାଇପାରୁଛନ୍ତି । ବେପାରୀମାନଙ୍କର ମଧ୍ୟ ରୋଜଗାର ହୋଇପାରିବ, ବିଦ୍ୟାର୍ଥୀ ମଧ୍ୟ ରୋଜଗାର କରିପାରିବେ ଏବଂ ଏହି ଯୋଜନା ଅକ୍ଟୋବର ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ । Digital India ନିର୍ମାଣ କରିବାରେ ଆପଣଙ୍କର ଯୋଗଦାନ ରହିବ । New India ର ଆପଣ ପ୍ରହରି ହୋଇଯିବେ । ଛୁଟିକୁ ଛୁଟି ଏବଂ ରୋଜଗାର କରିବାର ସୁଯୋଗ । Refer & earn.

ସାଧାରଣତଃ ଆମ ଦେଶରେ VIP Culture ଉପରେ ବିଦ୍ୱେଷ ମନୋଭାବ ବା ବାତାବରଣ ରହିଛି । ମାତ୍ର ଏହାର ଗଭୀରତା କେତେ ଅଧିକ ତାହା ମୁଁ ନିଜେ ଜାଣିବାକୁ ପାଇଲି । ଯେତେବେଳେ ସରକାର ସ୍ଥିର କଲେ କି ଭାରତରେ ଯେତେ ବଡ଼ ବ୍ୟକ୍ତି ହୁଅନ୍ତୁ ନା କାହିଁକି ନିଜ ଗାଡିରେ ନାଲିବତୀ ବ୍ୟବହାର କରି ବୁଲିପାରିବେ ନାହିଁ । ତାହା ତ ଗୋଟିଏ ପ୍ରକାର VIP Culture ପ୍ରତୀକ ହୋଇଯାଇଥିଲା ମାତ୍ର ଅନୁଭୂତି ଏହା କହୁଛି ଯେ, ଲାଲବତୀ ତ ଗାଡ଼ିରେ ଲାଗୁଥିଲା, ମାତ୍ର ଧୀରେ ଧୀରେ ତାହା ସେମାନଙ୍କର ମାନସିକତାରେ ପ୍ରବେଶ କରିଯାଇଥିଲା ଏବଂ ମାନସିକତାରେ କେଉଁଠି ନା କେଉଁଠି VIP Culture ର ଅଙ୍କୁରୋଦଗମ୍ ହେଉଥିଲା । ଏବେ ତ ନାଲବତୀ ଗଲା, ମାତ୍ର ଆମେ ଦୃଢ଼ତାର ସହିତ ଏହା କହିପାରିବା ନାହିଁ ଯେ ଏକଥା ସେମାନଙ୍କର ମସ୍ତିଷ୍କ ବା ମାନସିକତାରୁ ଦୂର ହୋଇଗଲା ବୋଲି । ମୁଁ ଗୋଟିଏ Interesting Phone Call ପାଇଲି । ସେହି ଫୋନ କରିଥିବା ବ୍ୟକ୍ତି ଜଣକ ଆଶଙ୍କା ବ୍ୟକ୍ତ କରିଛନ୍ତି ଯେ, ସାଧାରଣ ମନୁଷ୍ୟ ଏହାକୁ ପସନ୍ଦ କରୁନଥିଲେ । ତାଙ୍କୁ ଏହା ବହୁତ ପାର୍ଥକ୍ୟର ଅନୁଭବ ଦେଉଥିଲା ।

""ନମସ୍କାର ପ୍ରଧାନମନ୍ତ୍ରୀ ମହୋଦୟ, ମଧ୍ୟପ୍ରଦେଶ ଜବଲପୁରରୁ ମୁଁ ଶିବା ଚୌବେ କହୁଛି । ମୁଁ ସରକାରଙ୍କ ନାଲିବତୀ ବ୍ୟବହାର ନିଷେଧ ବିଷୟରେ କିଛି କହିବାକୁ ଚାହୁଁଛି । ମୁଁ ଖବରକାଗଜରେ ଗୋଟିଏ ଧାଡ଼ି ପଢ଼ିଥିଲି ଯେଉଁଠି ଲେଖାଥିଲା "Every Indian is a VIP on road" । ଏବେ ଏକଥା ଜାଣି ମୁଁ ବହୁତ ଗର୍ବ ଅନୁଭବ କରୁଛି ଆଉ ଖୁସି ଲାଗୁଛି ଯେ ଆଜି ମୋ ସମୟ ବି ସେତିକି ମୂଲ୍ୟବାନ । ମୋତେ ଆଉ କାହା ପାଇଁ ଟ୍ରାଫିକ୍ ଜାମରେ ଅଟକିବାକୁ ପଡ଼ିବନି । ଏଭଳି ଏକ ନିଷ୍ପତି ପାଇଁ ମୁଁ ଆପଣଙ୍କୁ ହାର୍ଦ୍ଦିକ ଧନ୍ୟବାଦ ଦେବାକୁ ଚାହେଁ । ଆପଣ ଯେଉଁ ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ କରିଛନ୍ତି ତାଦ୍ୱାରା ଖାଲି ଦେଶ ସ୍ୱଚ୍ଛ ହେଉନାହିଁ - ଆମ ରାସ୍ତାଗୁଡ଼ିକରୁ VIP ମାନଙ୍କର ଦାଦାଗିରି ମଧ୍ୟ ଲୋପ ପାଇବାକୁ ଯାଉଛି । ଏଥିପାଇଁ ବହୁତ ଧନ୍ୟବାଦ ।''

ସରକାରୀ ନିଷ୍ପତି ଦ୍ୱାରା ଲାଲବତୀ ନିଷେଧ କରାଯିବା ତ ପ୍ରଶାସନିକ ବ୍ୟବସ୍ଥାର ଗୋଟିଏ ଅଙ୍ଗ । କିନ୍ତୁ ନିଷ୍ଠାପୂର୍ବକ ଆମ ମନରୁ ମଧ୍ୟ ଏହାକୁ ଦୂର କରିବା ଆବଶ୍ୟକ । ଆମେ ସମସ୍ତେ ସଚେତନତାର ସହିତ ଯଦି ଚେଷ୍ଟା କରିବା ତେବେ ମନରୁ ମଧ୍ୟ ଏହା ହଟିଯିବ । New India ଗଠନ କରିବା ଚିନ୍ତାଧାରାର ପ୍ରମୁଖ ଉଦ୍ଦେଶ୍ୟ ହେଲା – ଦେଶରେ VIP ପରିବର୍ତେ EPI କୁ ମହତ୍ୱ ଦିଆଯାଉ । ମୁଁ VIP ବଦଳରେ EPI କହିବାରେ ମୋର ବିଚାର ଅତି ସ୍ପଷ୍ଟ – Every Person is important । ପ୍ରତ୍ୟେକ ବ୍ୟକ୍ତିର ମହତ୍ୱ ଅଛି, ପ୍ରତ୍ୟେକ ଲୋକର ମାହାତ୍ମ୍ୟ ଅଛି । ଯଦି ଆମେ ୧୨୫ କୋଟି ଦେଶବାସୀଙ୍କର ମହତ୍ୱକୁ ସ୍ୱୀକାର କରିବା ଆଉ ସେମାନଙ୍କର ମାହାତ୍ମ୍ୟକୁ ସ୍ୱୀକାର କରିବା ତେବେ ମହାନ ସ୍ୱପ୍ନଗୁଡ଼ିକ ସାକାର କରିବା ପାଇଁ କେତେ ବଡ଼ ଶକ୍ତି ଯେ ଏକଜୁଟ୍ ହୋଇଯିବ । ଆମେ ସମସ୍ତେ ମିଳିମିଶି ଏହା କରିବାକୁ ପଡ଼ିବ ।

ମୋର ପ୍ରିୟ ଦେଶବାସୀଗଣ, ମୁଁ ସବୁବେଳେ କହିଆସିଛି ଯେ ଆମ ଇତିହାସ, ଆମ ସଂସ୍କୃତି ଓ ଆମ ପରମ୍ପରାଗୁଡ଼ିକୁ ଆମେ ବାରମ୍ବାର ମନେ ପକାଇବା ଉଚିତ । ତାଦ୍ୱାରା ଆମକୁ ଶକ୍ତି ମିଳେ, ପ୍ରେରଣା ମିଳେ । ଆମେ ୧୨୫ କୋଟି ଦେଶବାସୀ ଏ ବର୍ଷ ସନ୍ଥ ରାମାନୁଜାଚାର୍ଯ୍ୟଙ୍କର ଏକ ହଜାର ତମ ଜୟନ୍ତୀ ପାଳନ କରିବାକୁ ଯାଉଛୁ । କୌଣସି ନା କୌଣସି କାରଣରୁ ଆମେ ଏଭଳି ବାନ୍ଧି ହୋଇଯାଇଛୁ ଯେ, ଖୁବ୍ ବେଶୀରେ ଶତାବ୍ଦୀ ପର୍ଯ୍ୟନ୍ତ ହିଁ ଭାବିପାରୁଛୁ । ପୃଥିବୀର ଅନ୍ୟ ଦେଶମାନଙ୍କ ପାଇଁ ହୁଏତ ଶତାବ୍ଦୀ ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇପାରେ । କିନ୍ତୁ ଭାରତ ଏତେ ପ୍ରାଚୀନ ରାଷ୍ଟ୍ର । ତା ଭାଗ୍ୟରେ ହଜାର ବର୍ଷ ବା ତା'ଠାରୁ ବି ପୁରୁଣା ସ୍ମୃତିଗୁଡ଼ିକୁ ମନେପକାଇବା ବା ପାଳନ କରିବାର ସୁଯୋଗ ରହିଛି । ହଜାର ବର୍ଷ ପୂର୍ବେ ସମାଜ କେମିତି ହୋଇଥିବ, ସେ ସମୟର ବିଚାରଧାରା କେମିତିକା ହୋଇଥିବ ଥରେ ଭାବନ୍ତୁ ତ ଦେଖି । ଆଜି ବି କୌଣସି ସାମାଜିକ କୁସଂସ୍କାରକୁ ନିବାରଣ କରିବାକୁ କେତେ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି । ହଜାର ବର୍ଷ ପୂର୍ବର ଅବସ୍ଥା କିଭଳି ହୋଇଥିବ? ବହୁତ କମ୍ ଲୋକ ଜାଣିଥିବେ ଯେ ସନ୍ଥ ରାମାନୁଜାଚାର୍ଯ୍ୟ ସମାଜର ଉଚ୍ଚ-ନୀଚ ଭାବ, ଛୁଆଁ-ଅଛୁଆଁ ଏବଂ ଜାତିବାଦ ଭଳି କୁସଂସ୍କାର ବିରୁଦ୍ଧରେ ବହୁତ ବଡ଼ ଆନ୍ଦୋଳନ କରିଥିଲେ । ସେ ସମାଜର ଅଛୁଆଁ ଲୋକମାନଙ୍କୁ କୋଳେଇନେଇ ନିଜ ଆଚରଣରେ ମଧ୍ୟ ସମାଜକୁ ତାହା ଦର୍ଶାଇ ଦେଇଥିଲେ । ହଜାର ବର୍ଷ ପୂର୍ବେ ସେମାନଙ୍କର ମନ୍ଦିର ପ୍ରବେଶ ପାଇଁ ସେ ଆନ୍ଦୋଳନ କରିଥିଲେ ଏବଂ ସେମାନଙ୍କୁ ମନ୍ଦିରରେ ପ୍ରବେଶ କରାଇଥିଲେ । ଆମେମାନେ ସତରେ କେତେ ଭାଗ୍ୟବାନ ଯେ ପ୍ରତ୍ୟେକ ଯୁଗରେ ଆମ ସମାଜର କୁସଂସ୍କାରଗୁଡ଼ିକୁ ଦୂର କରିବା ପାଇଁ ଆମ ଭିତରେ ମହାପୁରୁଷମାନେ ଜନ୍ମ ନେଇଛନ୍ତି । ଆଜି ଯେତେବେଳେ ଆମେମାନେ ସନ୍ଥ ରାମାନୁଜାଚାର୍ଯ୍ୟଙ୍କର ହଜାରତମ ଜୟନ୍ତୀ ପାଳନ କରୁଛେ ଆମେ ତାଙ୍କଠାରୁ ଏହି ପ୍ରେରଣା ନେବା ଉଚିତ ଯେ - ସାମାଜିକ ଏକତା ପାଇଁ ସଂଗଠନରେ ଶକ୍ତି ଅଛି - ଆମ ଭିତରେ ଏହି ଭାବ ଜାଗ୍ରତ ହେବା ଦରକାର ।

ଭାରତ ସରକାର ମଧ୍ୟ ଆସନ୍ତାକାଲି ମେ ୧ ତାରିଖ ଦିନ ସନ୍ଥ ରାମାନୁଜାଚାର୍ଯ୍ୟଙ୍କ ସ୍ମୃତି ଉଦ୍ଦେଶ୍ୟରେ ଗୋଟିଏ ସ୍ମାରକୀ ଡାକ ଟିକେଟ ଉନ୍ମୋଚନ କରିବାକୁ ଯାଉଛନ୍ତି । ମୁଁ ସନ୍ଥ ରାମାନୁଜାଚାର୍ଯ୍ୟଙ୍କୁ ସାଦର ପ୍ରଣାମ ଜଣାଉଛି, ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ।

ମୋର ପ୍ରିୟ ଦେଶବାସୀଗଣ, ମେ ୧ ତାରିଖ ଆଉ ଗୋଟିଏ ଦୃଷ୍ଟିକୋଣରୁ ବି ମହତ୍ୱପୂର୍ଣ୍ଣ । ବିଶ୍ୱର ଅନେକ କ୍ଷେତ୍ରରେ ଏହି ଦିନଟିକୁ "ଶ୍ରମିକ ଦିବସ' ଭାବରେ ପାଳନ କରାଯାଉଛି । ଆଉ ଯେତେବେଳେ ଶ୍ରମିକ ଦିବସ କଥା ଉଠେ, ଶ୍ରମ ଆଉ ଶ୍ରମିକଙ୍କ ବିଷୟରେ ଚର୍ଚ୍ଚା ହୁଏ ସେତେବେଳେ ମୋର ବାବା ସାହେବ ଆମ୍ବେଦକରଙ୍କ କଥା ମନେପଡ଼ିବା ବହୁତ ସ୍ୱାଭାବିକ । ବହୁତ କମ୍ ଲୋକ ଜାଣନ୍ତି ଯେ ଆଜି ଶ୍ରମିକମାନଙ୍କୁ ଯେଉଁ ସୁବିଧା ମିଳିଛି, ଯେଉଁ ସମ୍ମାନ ମିଳିଛି ସେଥିପାଇଁ ଆମେ ବାବା ସାହେବ ଆମ୍ବେଦକରଙ୍କ ନିକଟରେ କୃତଜ୍ଞ । ଶ୍ରମିକ କଲ୍ୟାଣ ପାଇଁ ବାବା ସାହେବଙ୍କ ଅବଦାନ ଅବିସ୍ମରଣୀୟ । ଆଜି ଯେତେବେଳେ ମୁଁ ବାବା ସାହେବଙ୍କ କଥା, ସନ୍ଥ ରାମାନୁଜାଚାର୍ଯ୍ୟଙ୍କ କଥା ଆଲୋଚନା କରୁଛି, ଦ୍ୱାଦଶ ଶତାବ୍ଦୀର କର୍ଣ୍ଣାଟକର ମହାନ ସନ୍ଥ ତଥା ସମାଜ ସଂସ୍କାରକ ଜଗଦଗୁରୁ ବସବେଶ୍ୱରଙ୍କ କଥା ମନେ ପଡ଼ିଯାଉଛି । କାଲି ମୋତେ ଗୋଟିଏ ସମାରୋହକୁ ଯିବାର ସୁଯୋଗ ମିଳିଥିଲା । ତାଙ୍କ ବଚନାମୃତର ସଂକଳନକୁ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ଥିଲା । ଦ୍ୱାଦଶ ଶତାବ୍ଦୀରେ ଶ୍ରମ ଏବଂ ଶ୍ରମିକଙ୍କ ବିଷୟରେ କନ୍ନଡ଼ ଭାଷାରେ ସେ ଅତି ଉଚ୍ଚକୋଟୀର ବିଚାର ବ୍ୟକ୍ତ କରିଯାଇଛନ୍ତି । ସେ କନ୍ନଡ଼ ଭାଷାରେ କହିଛନ୍ତି – ""କାୟ କବୈ କୈଳାସ'' ଯାହାର ଅର୍ଥ ହେଉଛି - ଆପଣ ନିଜର ପରିଶ୍ରମ ବଳରେ ଭଗବାନ ଶିବଙ୍କର ଆଳୟ କୈଳାସକୁ ପ୍ରାପ୍ତ କରିପାରିବେ ଅର୍ଥାତ୍ କର୍ମ କରିବା ଦ୍ୱାରା ହିଁ ସ୍ୱର୍ଗର ପ୍ରାପ୍ତି ହୋଇଥାଏ । ଅନ୍ୟ ଶବ୍ଦରେ କହିଲେ "ଶ୍ରମ ହିଁ ଶିବ' । ମୁଁ ବାରମ୍ବାର "ଶ୍ରମେବ ଜୟତେ' ବୋଲି କହିଥାଏ । Dignity of Labour ର କଥା କହିଥାଏ । ମୋର ଠିକ୍ ମନେଅଛି ଶ୍ରମିକଙ୍କ ଜଣେ ମହାନ ଚିନ୍ତାନାୟକ ଭାରତୀୟ ମଜଦୁର ସଂଘର ଜନକ ଶ୍ରୀଯୁକ୍ତ ଦତୋପନ୍ତ ଠେଙ୍ଗେଡ଼ି କହୁଥିଲେ – ଏକପକ୍ଷରେ ମାଓବାଦ ପ୍ରେରିତ ଚିନ୍ତାଧାରା ଥିଲା ଯେ ବିଶ୍ୱର ଶ୍ରମିକ ଏକ ହୁଅ କିନ୍ତୁ ଦତୋପନ୍ତ ଠେଙ୍ଗେଡ଼ି କହୁଥିଲେ ଯେ ଶ୍ରମିକମାନେ ଆସ ବିଶ୍ୱକୁ ଏକ କରିବା । ଏକପକ୍ଷରେ କୁହାଯାଉଥିଲା ଯେ "Workers of the World Unite" କିନ୍ତୁ ଅପରପକ୍ଷରେ ଭାରତୀୟ ଚିନ୍ତନରୁ ନିର୍ଗତ ବିଚାରଧାରାକୁ ନେଇ ଦତୋପନ୍ତ ଠେଙ୍ଗେଡ଼ି କହୁଥିଲେ – "Workers Unite the world". ଆଜି ଯେତେବେଳେ ଶ୍ରମିକମାନଙ୍କ କଥା କହୁଛି ସେତେବେଳେ ଦତୋପନ୍ତ ଠେଙ୍ଗେଡ଼ି ମହୋଦୟଙ୍କୁ ସ୍ମରଣ କରିବା ସ୍ୱାଭାବିକ । ମୋର ପ୍ରିୟ ଦେଶବାସୀଗଣ, କିଛିଦିନ ପରେ ଆମେ ବୁଦ୍ଧ ପୂର୍ଣ୍ଣିମା ପାଳନ କରିବା । ଏହିଦିନ ସାରା ବିଶ୍ୱରେ ଭଗବାନ ବୁଦ୍ଧଙ୍କ ଅନୁଗାମୀମାନେ ଉତ୍ସବ ପାଳନ କରିଥାନ୍ତି । ବିଶ୍ୱ ଆଜି ଯେଉଁ ସମସ୍ୟାଗୁଡ଼ିକ ମଧ୍ୟ ଦେଇ ଗତି କରୁଛି ଆଜି ହିଂସା, ଯୁଦ୍ଧ, ବିନାଶଲୀଳା, ଅସ୍ତ୍ର ପ୍ରତିଯୋଗିତା ଭଳି ପରିସ୍ଥିତିକୁ ଦେଖିଲେ ବୁଦ୍ଧଙ୍କ ଚିନ୍ତାଧାରା ଖୁବ ପ୍ରାସଙ୍ଗିକ ମନେହୁଏ । ଆଉ ଭାରତରେ ତ ଅଶୋକଙ୍କ ଜୀବନ ଯୁଦ୍ଧରୁ ବୁଦ୍ଧ ପର୍ଯ୍ୟନ୍ତ ଯାତ୍ରାର ଏକ ଉତ୍ତମ ଉଦାହରଣ । ବୁଦ୍ଧ ପୂର୍ଣ୍ଣିମାର ଏହି ମହାନ ଦିବସକୁ ମିଳିତ ଜାତିସଂଘ ଦ୍ୱାରା Vesak Day ଭାବରେ ପାଳନ କରାଯାଉଛି । ଚଳିତ ବର୍ଷ ଏହା ଶ୍ରୀଲଙ୍କାରେ ଆୟୋଜିତ ହେଉଛି । ମୋର ସୌଭାଗ୍ୟ ଯେ ଏହି ପବିତ୍ର ପର୍ବରେ ମତେ ଶ୍ରୀଲଙ୍କାରେ ଭଗବାନ ବୁଦ୍ଧଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାର ସୁଯୋଗ ମିଳିବ । ତାଙ୍କ ସ୍ମୃତିକୁ ସତେଜ କରିବାର ସୁଅବସର ମିଳିବ ।

ମୋର ପ୍ରିୟ ଦେଶବାସୀଗଣ, ଭାରତରେ ସର୍ବଦା "ସବକା ସାଥ ସବକା ବିକାଶ' ଏହି ମନ୍ତ୍ରକୁ ନେଇ ଆଗେଇ ଚାଲିବାର ପ୍ରଚେଷ୍ଟା କରାଯାଇଛି । ଆଉ ଯେତେବେଳେ ଆମେ "ସବକା ସାଥ ସବକା ବିକାଶ' ର କଥା କହୁ ତାହା କେବଳ ଭାରତ ପାଇଁ ସୀମିତ ନ ହୋଇ ବିଶ୍ୱ ପାଇଁ ମଧ୍ୟ ପ୍ରଯୁଜ୍ୟ ଏବଂ ବିଶେଷକରି ଆମର ପଡ଼ୋଶୀ ଦେଶମାନଙ୍କ ପାଇଁ ମଧ୍ୟ ଉଦ୍ଦିଷ୍ଟ । ଆମର ପଡ଼ୋଶୀ ରାଷ୍ଟ୍ରମାନଙ୍କ ମଧ୍ୟରେ ସହଯୋଗ ରହୁ ଏବଂ ସମସ୍ତ ପଡ଼ୋଶୀ ରାଷ୍ଟ୍ରର ବିକାଶ ମଧ୍ୟ ହେଉ । ଏଥିପାଇଁ ଅନେକ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି । ମଇ ମାସ ୫ ତାରିଖ ଦିନ ଭାରତ "ଦକ୍ଷିଣ ଏସିଆ ଉପଗ୍ରହ' ପ୍ରେରଣ କରିବ । ଏହି ଉପଗ୍ରହର କ୍ଷମତା ଏବଂ ତତସଲଗ୍ନ ସୁବିଧା ଦକ୍ଷିଣ ଏସିଆର ଆର୍ଥିକ ଏବଂ ବିକାଶମୂଳକ କାର୍ଯ୍ୟଗୁଡ଼ିକୁ ସମ୍ପୂର୍ଣ୍ଣ କରିବାରେ ଯଥେଷ୍ଟ ସାହାଯ୍ୟ କରିବ । Natural Resources Mapping କଥା ହେଉ, Telemedicine କଥା ହେଉ, ଶିକ୍ଷାକ୍ଷେତ୍ର ହେଉ, ଅଧିକ IT Connectivity ହେଉ କିମ୍ବା People to People ସମ୍ପର୍କର ପ୍ରଚେଷ୍ଟା ହେଉ, South Asia ର ଏହି ଉପଗ୍ରହ ଆମର ସମଗ୍ର ଅଂଚଳକୁ ଆଗକୁ ବଢ଼ିବାରେ ସମ୍ପୂର୍ଣ୍ଣ ସହାୟକ ହେବ । ସମଗ୍ର ଦକ୍ଷିଣ ଏସିଆ ସହିତ ସହଯୋଗ ବୃଦ୍ଧି ପାଇଁ ଭାରତର ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ, ଏକ ଅମୂଲ୍ୟ ଉପହାର । ଦକ୍ଷିଣ ଏସିଆ ପ୍ରତି ଆମର ପ୍ରତିବଦ୍ଧତାର ଏହା ଏକ ଉପଯୁକ୍ତ ଉଦାହରଣ । ଦକ୍ଷିଣ ଏସିଆର ଯେଉଁ ଦେଶଗୁଡ଼ିକ South Asia Sattelite ସହିତ ଜଡ଼ିତ ମୁଁ ଏହି ମହତ୍ୱପୂର୍ଣ୍ଣ ପ୍ରୟାସ ପାଇଁ ସମସ୍ତଙ୍କୁ ସ୍ୱାଗତ ଜଣାଉଛି, ଶୁଭକାମନା ଜଣାଉଛି ।

ମୋର ପ୍ରିୟ ଦେଶବାସୀଗଣ, ଖୁବ୍ ଗରମ ପଡ଼ୁଛି, ନିଜର ପରିଜନମାନଙ୍କର ଯତ୍ନ ନିଅନ୍ତୁ, ନିଜର ମଧ୍ୟ ଯତ୍ନ ନିଅନ୍ତୁ । ବହୁତ ବହୁତ ଶୁଭକାମନା, ଧନ୍ୟବାଦ ।

Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
Mutual fund industry on a high, asset surges Rs 17 trillion in 2024

Media Coverage

Mutual fund industry on a high, asset surges Rs 17 trillion in 2024
NM on the go

Nm on the go

Always be the first to hear from the PM. Get the App Now!
...
Chief Minister of Andhra Pradesh meets Prime Minister
December 25, 2024

Chief Minister of Andhra Pradesh, Shri N Chandrababu Naidu met Prime Minister, Shri Narendra Modi today in New Delhi.

The Prime Minister's Office posted on X:

"Chief Minister of Andhra Pradesh, Shri @ncbn, met Prime Minister @narendramodi

@AndhraPradeshCM"