ବନ୍ଧୁଗଣ,
ଏହା ଏକ ସଂକେତ ଅଟେ ଯେ ଆଜି ଯେତେବେଳେ ଆମେ କରୋନା ସଙ୍କଟ ବିଷୟରେ କହୁଛୁ, ଦେଶର ସ୍ୱାସ୍ଥ୍ୟ ଇତିହାସରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଦିନ ।
2 ବର୍ଷ ପୂର୍ବେ ଏହି ଦିନ ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଆରମ୍ଭ କରାଯାଇଥିଲା ।
ମାତ୍ର 2 ବର୍ଷ ମଧ୍ୟରେ 1.25 କୋଟିରୁ ଅଧିକ ଗରିବ ରୋଗୀ ଏହି ଯୋଜନା ଅଧୀନରେ ମାଗଣା ଚିକିତ୍ସା ପାଇଛନ୍ତି ।
ଆଜି ଏହି କାର୍ଯ୍ୟକ୍ରମ ଜରିଆରେ ମୁଁ ଆୟୁଷ୍ମାନ ଭାରତ ଯୋଜନା ମାଧ୍ୟମରେ ଗରିବ ଲୋକଙ୍କର ସେବା କରୁଥିବା ସମସ୍ତ ଡାକ୍ତର ଏବଂ ଡାକ୍ତରୀ କର୍ମଚାରୀଙ୍କୁ ବିଶେଷ ପ୍ରଶଂସା କରୁଛି ।
ବନ୍ଧୁଗଣ,
ଆଜି ଆମର ଆଲୋଚନା ସମୟରେ, ଏହିପରି ଅନେକ ଜିନିଷ ସାମ୍ନାକୁ ଆସିଛି, ଯାହା ଆଗକୁ ରଣନୀତି ପାଇଁ ରାସ୍ତା ପ୍ରଶସ୍ତ କରିବ ।
ଏହା ସତ୍ୟ ଯେ ଭାରତରେ ସଂକ୍ରମଣ କ୍ଷେତ୍ରରେ କ୍ରମାଗତ ବୃଦ୍ଧି ଘଟୁଛି । କିନ୍ତୁ ଆଜି ଆମେ ପ୍ରତିଦିନ 10 ଲକ୍ଷରୁ ଅଧିକ ପରୀକ୍ଷା ମଧ୍ୟ କରୁଛୁ ଏବଂ ଆରୋଗ୍ୟ ହେଉଥିବା ଲୋକଙ୍କ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି ।
ଅନେକ ରାଜ୍ୟ ତଥା ସ୍ଥାନୀୟ ଅଞ୍ଚଳରେ ସର୍ବୋତ୍ତମ ଅଭ୍ୟାସ ଦେଖିବାକୁ ମିଳୁଛି ।
ଆମକୁ ଏହି ଅଭିଜ୍ଞତାକୁ ଅଧିକରୁ ଅଧିକ ପ୍ରୋତ୍ସାହିତ କରିବାକୁ ପଡିବ ।
ବନ୍ଧୁଗଣ,
ଗତ କିଛି ମାସ ମଧ୍ୟରେ କରୋନା ଚିକିତ୍ସା ସହିତ ଜଡିତ ଥିବା ସୁବିଧାଗୁଡ଼ିକ ଆମକୁ କରୋନାକୁ ମୁକାବିଲା କରିବାରେ ବହୁତ ସାହାଯ୍ୟ କରୁଛି ।
ବର୍ତ୍ତମାନ ଗୋଟିଏ ପଟେ, ଆମକୁ କରୋନା-ସଂଯୁକ୍ତ ଭିତ୍ତିଭୂମିକୁ ମଜବୁତ କରିବାକୁ ପଡିବ, ଅପର ପକ୍ଷେ ଚିହ୍ନଟ ଏବଂ ଅନୁସନ୍ଧାନ ନେଟୱାର୍କକୁ ମଧ୍ୟ ସୁଦୃଢ଼ କରିବାକୁ ପଡିବ ।
ଆଜି କରୋନା ନିର୍ଦ୍ଦିଷ୍ଟ ଭିତ୍ତିଭୂମି ପାଇଁ STATE DISASTER RESPONSE FUND- SDRFର ବ୍ୟବହାର ଉପରେ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।
ଅନେକ ରାଜ୍ୟ ଏହା ଅନୁରୋଧ କରିଥିଲେ ।
ବର୍ତ୍ତମାନ SDRFର ବ୍ୟବହାରକୁ 35 ପ୍ରତିଶତରୁ 50 ପ୍ରତିଶତକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି ।
ଏହି ନିଷ୍ପତ୍ତି ସହିତ ରାଜ୍ୟଗୁଡିକ ଲାଗି କରୋନା ବିପକ୍ଷରେ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ଅଧିକ ଅର୍ଥ ଉପଲବ୍ଧ ହୋଇପାରିବ ।
ଆଉ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ମୁଁ ଆପଣମାନଙ୍କ ସହିତ ଆଲୋଚନା କରିବାକୁ ଚାହୁଁଛି ।
ଯେଉଁ ଗୋଟିଏ ଦୁଇ ଦିନର ସ୍ଥାନୀୟ ଲକଡାଉନ୍ ହେଉଛି, ତାହା କରୋନାକୁ ରୋକିବାରେ କେତେ ପ୍ରଭାବଶାଳୀ ହେଉଛି, ସେ ନେଇ ପ୍ରତ୍ୟେକ ରାଜ୍ୟ ଏହାକୁ ନିଜ ସ୍ତରରେ ଅନୁଶୀଳନ କରିବା ଦରକାର ।
ଏହି କାରଣରୁ ଆପଣଙ୍କ ରାଜ୍ୟରେ ଅର୍ଥନୈତିକ କାର୍ଯ୍ୟକଳାପ ଆରମ୍ଭ ହେବାରେ ସମସ୍ୟା ହେଉଛି କି?
ମୁଁ ସମସ୍ତ ରାଜ୍ୟକୁ ଏହି ବିଷୟରେ ଗମ୍ଭୀର ଭାବରେ ଚିନ୍ତା କରିବାକୁ ଅନୁରୋଧ କରୁଛି ।
ବନ୍ଧୁଗଣ,
ପ୍ରଭାବଶାଳୀ ପରୀକ୍ଷଣ, ଚିହ୍ନଟ, ଚିକିତ୍ସା, ନୀରିକ୍ଷଣ ଏବଂ ସ୍ୱଚ୍ଛ ମେସେଜିଂ, ଏହା ଉପରେ ଆମକୁ ଆମର ଧ୍ୟାନ ଆହୁରି ବଢାଇବାକୁ ପଡିବ ।
ପ୍ରଭାବଶାଳୀ ମେସେଜିଂ ଏଥିପାଇଁ ଆବଶ୍ୟକ, କାରଣ ଅଧିକାଂଶ କ୍ଷେତ୍ରରେ ସଂକ୍ରମଣର ଲକ୍ଷଣ ନାହିଁ । ଏଭଳି ପରିସ୍ଥିତିରେ ଗୁଜବ ବଢିବା ଆରମ୍ଭ କରେ । ସାଧାରଣ ଲୋକଙ୍କ ମନରେ ସନ୍ଦେହ ବଢିବାକୁ ଲାଗେ ଯେ, ପରୀକ୍ଷଣ ଠିକ ନାହିଁ କି? କେବଳ ଏତିକି ନୁହେଁ, କେତେକ ଲୋକ ସଂକ୍ରମଣର ଗମ୍ଭୀରତାକୁ ଆକଳନ କରିବାରେ ମଧ୍ୟ ଭୁଲ କରନ୍ତି ।
ସମସ୍ତ ଅଧ୍ୟୟନରୁ ଜଣାପଡିଛି ଯେ, ସଂକ୍ରମଣକୁ ରୋକିବାରେ ମାସ୍କଗୁଡ଼ିକର ଅଧିକ ଭୂମିକା ରହିଛି । ମାସ୍କର ଅଭ୍ୟାସ କରିବା ଅତ୍ୟନ୍ତ କଷ୍ଟକର, କିନ୍ତୁ ଏହାକୁ ଦୈନନ୍ଦିନ ଜୀବନର ଏକ ଜରୁରୀ ଆବଶ୍ୟକତା ମନେ ନକଲେ ଆମକୁ ଉତ୍ତମ ଫଳାଫଳ ମିଳିବ ନାହିଁ ।
ବନ୍ଧୁଗଣ,
ଅତୀତର ଅନୁଭୂତିରୁ ତୃତୀୟ କଥା ବାହାରିଛି ଯେ, ସେବା ଏବଂ ସାମଗ୍ରୀର ପରିବହନ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯିବାରେ ପ୍ରତିବନ୍ଧକ ସାଧାରଣ ନାଗରିକଙ୍କ ପାଇଁ ଅନାବଶ୍ୟକ ଅସୁବିଧା ପହଞ୍ଚାଇଥାଏ ।
ଏହା ଲୋକଙ୍କ ଜୀବନ ଏବଂ ଜୀବିକା ଉପରେ ମଧ୍ୟ ପ୍ରଭାବ ପକାଇଥାଏ ।
ଗତ କିଛି ଦିନ ମଧ୍ୟରେ ଅମ୍ଳଜାନ ଯୋଗାଣ ନେଇ ଅନେକ ରାଜ୍ୟରେ ବର୍ତ୍ତମାନ ସମସ୍ୟା ଦେଖାଦେଇଛି ।
ଜୀବନ ରକ୍ଷାକାରୀ ଅମ୍ଳଜାନର ନିରବଚ୍ଛିନ୍ନ ଯୋଗାଣ ନିଶ୍ଚିତ କରିବାକୁ ପ୍ରତ୍ୟେକ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ହେବ ।
କଠିନ ସମୟରେ ମଧ୍ୟ ବିଶ୍ୱରେ ଜୀବନ ରକ୍ଷାକାରୀ ଔଷଧ ଯୋଗାଣକୁ ଭାରତ ସୁନିଶ୍ଚିତ କରିଛି । ଏଭଳି ପରିସ୍ଥିତିରେ ଔଷଧ ସହଜରେ ଗୋଟିଏ ରାଜ୍ୟରୁ ଯେପରି ଅନ୍ୟ ରାଜ୍ୟକୁ ପହଞ୍ଚିବ ତାହା ଆମକୁ ମିଳିମିଶି ଦେଖିବାକୁ ପଡିବ ।
ବନ୍ଧୁଗଣ,
ଆମକୁ ଏହି କରୋନା ଅବଧିରେ ପ୍ରଦର୍ଶନ କରିଥିବା ସଂଯମତା, କରୁଣା ଏବଂ ସହଯୋଗର ପ୍ରଦର୍ଶନ ଜାରି ରଖିବାକୁ ପଡିବ ।
ସଂକ୍ରମଣ ବିରୋଧରେ ଲଢେଇ ସହିତ, ବର୍ତ୍ତମାନ ଅର୍ଥନୈତିକ ମୋର୍ଚ୍ଚାରେ ଆମକୁ ପୂର୍ଣ୍ଣ ଶକ୍ତିର ସହିତ ଆଗକୁ ବଢିବାକୁ ପଡିବ ।
ଆମର ସହଭାଗୀ ପ୍ରୟାସ ନିଶ୍ଚିତ ଭାବରେ ସଫଳ ହେବ, ଆପଣ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ!