ମହାମହିମ, ରାଷ୍ଟ୍ରପତି ଅନୁରା କୁମାର ଦିଶାନାୟକ,
ଉଭୟ ଦେଶର ପ୍ରତିନିଧି,
ଗଣମାଧ୍ୟମର ବନ୍ଧୁମାନେ,
ଶୁଭେଚ୍ଛା!
ମୁଁ ରାଷ୍ଟ୍ରପତି ଦିଶାନାୟକଙ୍କୁ ଭାରତକୁ ସ୍ୱାଗତ କରୁଛି । ମୁଁ ଆନନ୍ଦିତ ଯେ ଆପଣ ରାଷ୍ଟ୍ରପତି ଭାବରେ ନିଜର ପ୍ରଥମ ବିଦେଶ ଗସ୍ତ ପାଇଁ ଭାରତକୁ ବାଛିଛନ୍ତି । ରାଷ୍ଟ୍ରପତି ଦିଶାନାୟକଙ୍କ ଗସ୍ତ ଆମ ସମ୍ପର୍କରେ ନୂତନ ଗତିଶୀଳତା ଏବଂ ଶକ୍ତି ସୃଷ୍ଟି କରିଛି । ଆମର ଭାଗିଦାରୀ ପାଇଁ ଆମେ ଏକ ଭବିଷ୍ୟତ ଦୃଷ୍ଟିକୋଣ ଗ୍ରହଣ କରିଛୁ । ଆମେ ଆମର ଅର୍ଥନୈତିକ ଭାଗିଦାରୀରେ ନିବେଶ ଭିତ୍ତିକ ଅଭିବୃଦ୍ଧି ଏବଂ ଯୋଗାଯୋଗ ଉପରେ ଗୁରୁତ୍ୱ ଦେଇଛୁ ଏବଂ ସ୍ଥିର କରିଛୁ ଯେ ଭୌତିକ, ଡିଜିଟାଲ ଏବଂ ଶକ୍ତି ସଂଯୋଗ ଆମର ଭାଗିଦାରୀର ମୁଖ୍ୟ ସ୍ତମ୍ଭ ହେବ । ଆମେ ଉଭୟ ଦେଶ ମଧ୍ୟରେ ବିଦ୍ୟୁତ-ଗ୍ରିଡ୍ ସଂଯୋଗ ଏବଂ ମଲ୍ଟି-ପ୍ରଡକ୍ଟ ପେଟ୍ରୋଲିୟମ ପାଇପଲାଇନ ସ୍ଥାପନ ଦିଗରେ କାର୍ଯ୍ୟ କରିବୁ । ସାମପୁର ସୌର ଶକ୍ତି ପ୍ରକଳ୍ପକୁ ତ୍ୱରାନ୍ୱିତ କରାଯିବ । ଏହାବ୍ୟତୀତ ଶ୍ରୀଲଙ୍କାର ପାୱାର ପ୍ଲାଣ୍ଟ ପାଇଁ ଏଲଏନଜି ଯୋଗାଇ ଦିଆଯିବ । ଦ୍ୱିପାକ୍ଷିକ ବାଣିଜ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ଉଭୟ ପକ୍ଷ ଖୁବଶୀଘ୍ର ଇଟିସିଏ ସମ୍ପୂର୍ଣ୍ଣ କରିବାକୁ ପ୍ରୟାସ କରିବେ ।
ବନ୍ଧୁଗଣ,
ବର୍ତ୍ତମାନ ସୁଦ୍ଧା ଭାରତ ଶ୍ରୀଲଙ୍କାକୁ ୫ ବିଲିୟନ ଡଲାରର ଅନୁଦାନ ଓ ଋଣ ପ୍ରଦାନ କରିଛି । ଆମେ ଶ୍ରୀଲଙ୍କାର ସମସ୍ତ ୨୫ଟି ଜିଲ୍ଲାକୁ ସହାୟତା ପ୍ରଦାନ କରୁଛୁ । ଆମର ପ୍ରକଳ୍ପଗୁଡ଼ିକ ସର୍ବଦା ଆମର ଅଂଶୀଦାର ଦେଶଗୁଡ଼ିକର ବିକାଶମୂଳକ ପ୍ରାଥମିକତା ଆଧାରରେ ଚୟନ କରାଯାଇଛି । ଏହି ଉନ୍ନୟନମୂଳକ ସହାୟତାକୁ ଆଗେଇ ନେଇ ଆମେ ମାହୋ ଅନୁରାଧାପୁରା ରେଳ ସେକ୍ସନ ଏବଂ କାଙ୍କେସାନ୍ଥୁରାଇ ବନ୍ଦରକୁ ସିଗନାଲିଂ ବ୍ୟବସ୍ଥାର ପୁନରୁଦ୍ଧାର ଦିଗରେ ଅନୁଦାନ ସହାୟତା ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛୁ । ଆମର ଶିକ୍ଷାଗତ ସହଯୋଗର ଏକ ଅଂଶ ଭାବରେ, ଆମେ ଜାଫନା ଏବଂ ଶ୍ରୀଲଙ୍କାର ପୂର୍ବାଞ୍ଚଳର ବିଶ୍ୱବିଦ୍ୟାଳୟଗୁଡ଼ିକର ୨୦୦ ଛାତ୍ରଛାତ୍ରୀଙ୍କୁ ମାସିକ ବୃତ୍ତି ପ୍ରଦାନ କରିବୁ । ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ୧୫୦୦ ଶ୍ରୀଲଙ୍କା ପ୍ରଶାସନିକ ଅଧିକାରୀଙ୍କୁ ଭାରତରେ ତାଲିମ ଦିଆଯିବ। ଗୃହ ନିର୍ମାଣ, ଅକ୍ଷୟ ଶକ୍ତି ଏବଂ ଭିତ୍ତିଭୂମି ସହିତ ଭାରତ କୃଷି, ଦୁଗ୍ଧ ଓ ମତ୍ସ୍ୟ ଚାଷ କ୍ଷେତ୍ରରେ ମଧ୍ୟ ଶ୍ରୀଲଙ୍କାକୁ ସହଯୋଗ କରିବ। ଭାରତ ଶ୍ରୀଲଙ୍କାରେ ୟୁନିକ୍ ଡିଜିଟାଲ ଆଇଡେଣ୍ଟିଟି ପ୍ରକଳ୍ପ ପାଇଁ ଅଂଶୀଦାର ହେବ ।
ବନ୍ଧୁଗଣ,
ରାଷ୍ଟ୍ରପତି ଦିଶାନାୟକ ଏବଂ ମୁଁ ସମ୍ପୂର୍ଣ୍ଣ ସହମତ ଯେ ଆମର ସୁରକ୍ଷା ସ୍ୱାର୍ଥ ପରସ୍ପର ସହ ଜଡ଼ିତ । ଆମେ ସୁରକ୍ଷା ସହଯୋଗ ଚୁକ୍ତିକୁ ଶୀଘ୍ର ଚୂଡ଼ାନ୍ତ କରିବାକୁ ନିଷ୍ପତ୍ତି ନେଇଛୁ। ହାଇଡ୍ରୋଗ୍ରାଫି ଉପରେ ସହଯୋଗ କରିବାକୁ ମଧ୍ୟ ଆମେ ରାଜି ହୋଇଛୁ । ଆଞ୍ଚଳିକ ଶାନ୍ତି, ନିରାପତ୍ତା ଏବଂ ବିକାଶ ପାଇଁ କଲମ୍ବୋ ସୁରକ୍ଷା ସମ୍ମିଳନୀ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ବୋଲି ଆମେ ବିଶ୍ୱାସ କରୁଛୁ । ସାମୁଦ୍ରିକ ନିରାପତ୍ତା, ଆତଙ୍କବାଦ ମୁକାବିଲା, ସାଇବର ନିରାପତ୍ତା, ଚୋରା ଚାଲାଣ ଓ ସଂଗଠିତ ଅପରାଧର ମୁକାବିଲା, ମାନବିକ ସହାୟତା ଓ ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ସହଯୋଗ ଯୋଗାଇ ଦିଆଯିବ।
ବନ୍ଧୁଗଣ,
ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଜନସାଧାରଣଙ୍କ ମଧ୍ୟରେ ସମ୍ପର୍କ ଆମ ସଭ୍ୟତାର ମୂଳମନ୍ତ୍ର । ଯେତେବେଳେ ଭାରତ ପାଲି ଭାଷାକୁ ଶାସ୍ତ୍ରୀୟ ଭାଷା ଭାବରେ ଘୋଷଣା କଲା, ଶ୍ରୀଲଙ୍କା ଏହି ଉତ୍ସବରେ ଆମ ସହିତ ଯୋଗ ଦେଇଥିଲା । ଫେରି ସେବା ଏବଂ ଚେନ୍ନାଇ-ଜାଫନା ବିମାନ ଯୋଗାଯୋଗ କେବଳ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିନାହିଁ ବରଂ ସାଂସ୍କୃତିକ ସମ୍ପର୍କକୁ ମଧ୍ୟ ସୁଦୃଢ଼ କରିଛି । ଆମେ ମିଳିତ ଭାବରେ ନିଷ୍ପତ୍ତି ନେଇଛୁ ଯେ, ନାଗାପଟ୍ଟିନମ୍ - କାଙ୍କେସାନ୍ଥୁରାଇ ଫେରି ସେବାର ସଫଳ ଶୁଭାରମ୍ଭ ପରେ, ଆମେ ରାମେଶ୍ୱରମ୍ ଏବଂ ତାଲାଇମନ୍ନାର ମଧ୍ୟରେ ଏକ ଫେରି ସେବା ମଧ୍ୟ ଆରମ୍ଭ କରିବୁ । ବୌଦ୍ଧ ସର୍କିଟ ଏବଂ ଶ୍ରୀଲଙ୍କାର ରାମାୟଣ ମାଧ୍ୟମରେ ପର୍ଯ୍ୟଟନର ପ୍ରଚୁର ସମ୍ଭାବନାକୁ ଉପଲବ୍ଧ କରିବା ପାଇଁ ମଧ୍ୟ କାର୍ଯ୍ୟ ଆରମ୍ଭ କରାଯିବ ।
ବନ୍ଧୁଗଣ,
ମତ୍ସ୍ୟଜୀବୀଙ୍କ ଜୀବିକା ସହ ଜଡ଼ିତ ସମସ୍ୟା ବିଷୟରେ ମଧ୍ୟ ଆମେ ବିସ୍ତୃତ ଭାବେ ଆଲୋଚନା କରିଥିଲୁ। ଆମେ ଦୁହେଁ ସହମତ ହୋଇଥିଲୁ ଯେ ଆମେ ଏହି ପ୍ରସଙ୍ଗରେ ଏକ ମାନବୀୟ ଆଭିମୁଖ୍ୟ ଗ୍ରହଣ କରିବା ଉଚିତ୍ । ଆମେ ଶ୍ରୀଲଙ୍କାରେ ପୁନଃନିର୍ମାଣ ଏବଂ ସମନ୍ୱୟ ବିଷୟରେ ମଧ୍ୟ ଆଲୋଚନା କରିଥିଲୁ । ରାଷ୍ଟ୍ରପତି ଦିଶାନାୟକ ମୋତେ ତାଙ୍କ ସାମଗ୍ରିକ ଦୃଷ୍ଟିକୋଣ ବିଷୟରେ ଅବଗତ କରାଇଥିଲେ । ଆମେ ଆଶା କରୁଛୁ ଯେ ଶ୍ରୀଲଙ୍କା ସରକାର ତାମିଲ ଲୋକଙ୍କ ଆକାଂକ୍ଷା ପୂରଣ କରିବେ । ଏବଂ ସେମାନେ ଶ୍ରୀଲଙ୍କାର ସମ୍ବିଧାନକୁ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ କରିବା ଏବଂ ପ୍ରାଦେଶିକ ପରିଷଦ ନିର୍ବାଚନ ପରିଚାଳନା ଦିଗରେ ସେମାନଙ୍କର ପ୍ରତିଶ୍ରୁତି ପୂରଣ କରିବେ ।
ବନ୍ଧୁଗଣ,
ମୁଁ ରାଷ୍ଟ୍ରପତି ଦିଶାନାୟକଙ୍କୁ ଆଶ୍ୱାସନା ଦେଇଛି ଯେ ଦେଶ ନିର୍ମାଣ ଦିଗରେ ତାଙ୍କ ପ୍ରୟାସରେ ଭାରତ ଏକ ବିଶ୍ୱସ୍ତ ଏବଂ ବିଶ୍ୱସନୀୟ ଅଂଶୀଦାର ଭାବରେ ଠିଆ ହେବ । ପୁଣି ଥରେ ମୁଁ ରାଷ୍ଟ୍ରପତି ଦିଶାନାୟକ ଏବଂ ତାଙ୍କ ପ୍ରତିନିଧି ଦଳକୁ ଭାରତ ଗସ୍ତରେ ସ୍ୱାଗତ ଜଣାଉଛି । ମୁଁ ତାଙ୍କୁ ବୋଧଗୟା ଗସ୍ତ ପାଇଁ ଶୁଭେଚ୍ଛା ଜଣାଉଛି ଏବଂ ଆଶା କରୁଛି ଯେ ଏହା ଆଧ୍ୟାତ୍ମିକ ଶକ୍ତି ଏବଂ ପ୍ରେରଣାରେ ପରିପୂର୍ଣ୍ଣ ହେବ ।
ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ।
मैं राष्ट्रपति दिसानायक का भारत में हार्दिक स्वागत करता हूँ।
— PMO India (@PMOIndia) December 16, 2024
हमें ख़ुशी है कि राष्ट्रपति के रूप में अपनी पहली विदेश यात्रा के लिए आपने भारत को चुना है।
आज की इस यात्रा से हमारे संबंधों में नई गति और ऊर्जा का सृजन हो रहा है: PM @narendramodi
भारत ने अब तक श्रीलंका को 5 बिलियन डॉलर की Lines of Credit और grant सहायता प्रदान की है।
— PMO India (@PMOIndia) December 16, 2024
श्रीलंका के सभी 25 जिलों में हमारा सहयोग है।
और हमारे प्रोजेक्ट्स का चयन सदैव पार्टनर देशों की विकास प्राथमिकताओं पर आधारित होता है: PM @narendramodi
भारत और श्रीलंका के people to people संबंध हमारी सभ्यताओं से जुड़े हैं।
— PMO India (@PMOIndia) December 16, 2024
जब भारत में पाली भाषा को “Classical भाषा” का दर्जा दिया गया, तो श्रीलंका में भी उसकी खुशी मनाई गई: PM @narendramodi
हमने मछुआरों की आजीविका से जुड़े मुद्दों पर भी चर्चा की।
— PMO India (@PMOIndia) December 16, 2024
हम सहमत हैं, कि हमें इस मामले में एक मानवीय approach के साथ आगे बढ़ना चाहिए: PM @narendramodi