

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓ ପର୍ତ୍ତୁଗାଲ ପ୍ରଧାନମନ୍ତ୍ରୀ ଆଣ୍ଟୋନିଓ କୋଷ୍ଟା ଲିସବନଠାରେ ଏକ ୟୁନିକ ଷ୍ଟାର୍ଟ-ଅପ ପୋର୍ଟାଲ - ପର୍ତ୍ତୁଗାଲ ଆନ୍ତର୍ଜାତିକ ଷ୍ଟାର୍ଟ-ଅପ ହବର ଶୁଭାରମ୍ଭ କରିଛନ୍ତି । ଷ୍ଟାର୍ଟ-ଅପ ଇଣ୍ଡିଆ ଦ୍ୱାରା ଏହି ଉଦ୍ୟମକୁ ପ୍ରୋତ୍ସାହିତ କରାଯାଇଛି ଏବଂ ଭାରତ ସରକାରଙ୍କ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ଏବଂ ଷ୍ଟାର୍ଟ-ଅପ ପର୍ତ୍ତୁଗାଲ ଏହାକୁ ଆବଶ୍ୟକ ସହଯୋଗ ଯୋଗାଇ ଦେଇଛନ୍ତି । ଏହି କାର୍ଯ୍ୟକ୍ରମ ଉଭୟ ରାଷ୍ଟ୍ରଙ୍କ ପାରସ୍ପରିକ ସହଯୋଗକ୍ଷମ ଉଦ୍ୟୋଗ ସହଭାଗୀତା ସୃଷ୍ଟି କରିବାରେ ସହାୟକ ହେବ ।
IPISHରେ ଅନେକ ସଂସାଧନ ରହିଛି ଏବଂ ତାହା ବାଙ୍ଗାଲୋର, ଦିଲ୍ଲୀ ଓ ଲିସବନ ଭଳି ଷ୍ଟାର୍ଟ-ଅପ ହଟସ୍ପଟ ସଂକ୍ରାନ୍ତରେ ସବୁ ପ୍ରକାର ସୂଚନା ପ୍ରଦାନ କରିବ । ଏହା ବ୍ୟତୀତ ଅନ୍ୟାନ୍ୟ ପ୍ରସଙ୍ଗ ଯଥା, ଉଭୟ ରାଷ୍ଟ୍ରର ନୀତିନିୟମ, ଟିକସ ଓ ଭିସା ସୁଯୋଗ ଆଦି ସମ୍ପର୍କୀତ ସୂଚନା ଯୋଗାଇବ । ଷ୍ଟାର୍ଟ-ଅପ ଆରମ୍ଭ ନିମନ୍ତେ ଏହି କେନ୍ଦ୍ର ଏକ “Go To Market Guide”ର ମଧ୍ୟ ବିକାଶ ଘଟାଇବ ।
IPISH ଉଭୟ ରାଷ୍ଟ୍ରଙ୍କୁ ପାରସ୍ପରିକ ନୀତି ନିର୍ଦ୍ଧାରଣରେ ସହାୟକ ହେବ ତଥା ବିଭିନ୍ନ ସେକ୍ଟରର ଷ୍ଟାର୍ଟ-ଅପ ନିବେଶକ ଇନକ୍ୟୁବେଟରମାନଙ୍କ ମଧ୍ୟରେ ସହଯୋଗ ସ୍ଥାପନ କରିବ । ପୁନଶ୍ଚ ଉଭୟ ଦେଶରେ ଷ୍ଟାର୍ଟ-ଅପ ଆରମ୍ଭ ନିମନ୍ତେ ମାର୍ଗଦର୍ଶନ କରାଇବା ଦିଗରେ ଅବୈତନିକ ରାଷ୍ଟ୍ରଦୂତମାନଙ୍କ ଏକ ନେଟୱାର୍କର ବିକାଶ ଘଟାଯିବ ଓ ସେମାନେ ନୂଆଦିଲ୍ଲୀ ତଥା ଲିସବନରେ ଅବସ୍ଥାପିତ ହେବେ ।