ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କୋରିଆ ସାଧାରଣତନ୍ତ୍ରର ପ୍ରଥମ ମହିଳା ମହାମହିମ ଶ୍ରୀମତୀ କିମ ଜଙ୍ଗ-ସୁକଙ୍କୁ ସାକ୍ଷାତ କରିଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିମନ୍ତ୍ରଣକ୍ରମେ ପ୍ରଥମ ମହିଳା କିମ ଭାରତ ଗସ୍ତରେ ଆସିଛନ୍ତି । ନଭେମ୍ବର06, 2018ରେ ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ଆୟୋଜନ କରାଯିବାକୁ ଥିବା ଦୀପୋତ୍ସବରେ ସେ ମୁଖ୍ୟ ଅତିଥି ଭାବେ ଏବଂ ଅଯୋଧ୍ୟାରେ ରାଣୀ ସୁରୀରତ୍ନା (ହେଓ ୱାଙ୍ଗ-ଓକ)ଙ୍କ ନୂତନ ସ୍ମାରକୀର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ଯୋଗଦେବେ । ଅଯୋଧ୍ୟା ଏବଂ କୋରିଆ ମଧ୍ୟରେ ଅତି ପ୍ରାଚୀନ ଐତିହାସିକ ସମ୍ବନ୍ଧ ରହିଛି । ଅଯୋଧ୍ୟାର ପ୍ରସିଦ୍ଧ ରାଜକୁମାରୀ ସୁରୀରତ୍ନା 48 ଖ୍ରୀଷ୍ଟାବ୍ଦରେ କୋରିଆ ଯାତ୍ରା କରିଥିଲେ ଏବଂ କୋରିଆ ରାଜା ସୁରୋଙ୍କୁ ବିବାହ କରିଥିଲେ ।
ଆଜିର ସାକ୍ଷାତ ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀ ଏବଂ ପ୍ରଥମ ମହିଳା କିମ ଭାରତ ଏବଂ କୋରିଆ ମଧ୍ୟରେ ରହିଥିବା ଗଭୀର ସଭ୍ୟତାଭିତ୍ତିକ ଏବଂ ଆଧ୍ୟାତ୍ମିକ ସଂଯୋଗ ବିଷୟରେ ଆଲୋଚନା କରିଥିଲେ ତଥା ଜନ-ଜନ ସମ୍ପର୍କକୁ ପ୍ରୋତ୍ସାହନ ଦେବା ସମ୍ପର୍କରେ ମତ ବିନିମୟ କରିଥିଲେ ।
ସିଓଲ ଶାନ୍ତି ପୁରସ୍କାରରେ ସମ୍ମାନିତ ହୋଇଥିବା ପ୍ରଧାନମନ୍ତ୍ରୀଙ୍କୁ ପ୍ରଥମ ମହିଳା କିମ ଅଭିନନ୍ଦନ ଜଣାଇଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହି ସମ୍ମାନ ବାସ୍ତବରେ ସମଗ୍ର ଭାରତବାସୀଙ୍କ ସମ୍ମାନ ।
ଜୁଲାଇ 2018ରେ ରାଷ୍ଟ୍ରପତି ମୁନ ଜେ’ଙ୍କ ସଫଳ ଭାରତ ଗସ୍ତ ସମ୍ପର୍କରେ ଉଦାରତା ପୂର୍ବକ ସ୍ମରଣ କରିଥିଲେ ଯାହା ଭାରତ – କୋରିଆ ମଧ୍ୟରେ ଥିବା ସ୍ଵତନ୍ତ୍ର ରଣନୈତିକ ଭାଗୀଦାରୀକୁ ସତେଜତା ପ୍ରଦାନ କରିଛି ।